Unknown

 

 

 

 

 

 

 

 

 

 

ରୋହିତର ଡାଏରୀ

(ଏକବିଂଶ ପର୍ବ)

ଚିତ୍ତରଞ୍ଜନ ଦାସ

 

…..ଶ୍ରୀଯୁକ୍ତ ଗିରିଜା କୁମାର ବଳୀୟାରସିଂହ ଏକଦା ‘ସତୀର୍ଥ’ ବୋଲି ଗୋଟିଏ ପତ୍ରିକାର ସମ୍ପାଦନା କରୁଥିଲେ । ସେହି ଦିନଠାରୁ ମୁଁ କ୍ରମେ ତାଙ୍କର ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସିଛି । ତାଙ୍କ କବିତାର ଦର୍ପଣ ଉପରେ ପୃଥିବୀକୁ ଦେଖିଛି, ଏକ ଅନ୍ୟ ଭବିଷ୍ୟକୁ ମଧ୍ୟ ଦେଖିଛି; ଏବଂ ବିଶ୍ଵାସ କରିବାକୁ ଆରମ୍ଭ କରିଛି ଯେ, ଆମେ କେହିହେଲେ ଏକୁଟିଆ ନୋହୁ । ଆମ ପୃଥିବୀନାମକ ଏହି ତୀର୍ଥରେ ଆମେ ସମସ୍ତେ ସତୀର୍ଥ ।

 

ନିଜ ଡାଏରୀର ଏହି ଏକବିଂଶ ପର୍ବଟିକୁ ମୁଁ ଶ୍ରୀଯୁକ୍ତ ବଳୀୟାରସିଂହଙ୍କୁ ଉତ୍ସର୍ଗ କରୁଛି.... ।

Image

 

୧୯୯୩

୨.୭.୯୩

 

ଜଣେ ଶିକ୍ଷକର ଜୀବନ ଭାରି ଅସଂଯତ ଜୀବନ । ସିଏ ତା’ ନିର୍ଦ୍ଧାରିତ ବାଡ଼ଟି ଭିତରେ ମୋଟେ ରହି ପାରେନାହିଁ । ବୟସ ବଢ଼ିବା ସଙ୍ଗେ ସଙ୍ଗେ ଯେଉଁସବୁ ସଙ୍କୋଚ ଓ ତଥାକଥିତ ସଂଯମ ସାଧାରଣ ଜୀବନଗୁଡ଼ାକୁ ଗ୍ରାସ କରେ, ଶିକ୍ଷକ ସେହି ସଙ୍କୋଚ ଓ ସଂଯମ ଭିତରେ ମୋଟେ ବାନ୍ଧି ହୋଇ ରହି ପାରେନାହିଁ । ସିଏ ଯାହାପାଖରେ ଶିକ୍ଷକତ୍ଵ କରେ, ଅର୍ଥାତ୍ ଯେଉଁମାନଙ୍କ ପାଖରେ ଆପଣାକୁ ସ୍ଵେଚ୍ଛାକୃତ ଭାବରେ ସମର୍ପିତ କରି ରଖିଥାଏ, ତା’ର ତଥାକଥିତ ସବୁ ସଂଯମ ଓ ସଙ୍କୋଚ ସତେଅବା ସେହିଠାରେ ହାର ମାନେ, ସବୁଯାକ ପଥର ସେଇଠି ଚୂନା ହୋଇଯାଏ ।

 

ଛାତ୍ରଟିର ଆଖିରେ ସ୍ପୁଲିଙ୍ଗଟିଏ ଦେଖିଲେ ଶିକ୍ଷକର ଆଖିଭିତରେ ମଧ୍ୟ ସ୍ଫୁଲିଙ୍ଗଟି ଉଜ୍ଜ୍ଵଳ ହୋଇଉଠେ । ଛାତ୍ରର ହାତ ଧରି ତାକୁ ତା’ର ଏକାନ୍ତ ଭିତରକୁ ବାଟ ଦେଖାଇ ନେଉ ନେଉ ସତେ ଯେପରି ସିଏ ନିଜ ଭିତରକୁ ପଶି ଯାଉଥିବାପରି ଅନୁଭବ କରୁଥାଏ । ଆଉ କାହାର ନର୍ମୋକଟିଏ ଛଡ଼ାଇବାରେ ସହଯୋଗ କରୁ କରୁ ସିଏ ସତେଅବା ନିଜ ଦେହଟା ଉପରୁ, ନିଜର ଆକାଂକ୍ଷା ତଥା ଅନୁରାଗର ଦେହ ଉପରୁ କାତି ଛାଡ଼ି ଛାଡ଼ି ଯାଉଥିବାପରି ଅନୁଭବ କରେ । ଶିକ୍ଷକ ହୁଏତ ବସିଯିବାକୁ ଇଚ୍ଛା କରୁଥାଏ, ଏବଂ ଛାତ୍ରସାଥୀଟିଏ ପାଇଲେ ତା’ର ସେହି ଯୋଜନା ଏକାବେଳେକେ ପଣ୍ଡ ହୋଇଯାଏ । ସିଏ ପୁନର୍ବାର ଛିଡ଼ା ହୁଏ, ବାଟ ଚାଲେ । ସଂସାରରେ ସିଏ ଯୋଉଯାଏ ବାଟ ଚାଲି ଆସିଲା, ସଂସାର ସତେଅବା ତା’ ସହିତ ସେଇଯାଏ ଆସି ଠପ୍ ହୋଇ ରହିଗଲା ବୋଲି ସିଏ କେତେ ବାସ୍ତବ ନ୍ୟାୟ ଦେଇ ନିଜକୁ ଥିର କରି ଆଣିବାକୁ ଇଚ୍ଛା କରୁଥାଏ । ଛାତ୍ରଟିଏ ଆସେ, ତା’ ସ୍ଥିରତାକୁ ଭାଙ୍ଗିଦିଏ । ତାରାଟିଏ ଜଳି ଉଠେ, ତାକୁ ପୁନର୍ବାର ଦିଗ ଦେଖାଇଦିଏ । ଶିକ୍ଷକଟିଏ ହୋଇ ମୁଁ ଏହିପରି କେତେଥର ଅସଂଯତ ହୋଇଛି, ନିଜର ଗାରଗୁଡ଼ିକୁ ଓ ବାଡ଼ଗୁଡ଼ିକୁ ତଥାପି ଡେଇଁଯିବାର କେତେ ପ୍ରେରଣା ମୁଁ ସତେଅବା ମୋ’ର ଗୁରୁ ହେବାକୁ ଅଭିପ୍ରେତ ହୋଇ ଆସିଥିବା ଜଣେ ଜଣେ ଛାତ୍ରଙ୍କଠାରୁ ପାଇଛି । ଏବଂ, ସେହିମାନଙ୍କର କୁହା ମାନି ସେମାନଙ୍କ ସହିତ ପୁଣି ବାଟ ଚାଲିଛି, ପୁଣି ପୁରୁଣା ପୁଞ୍ଜିଗୁଡ଼ିକୁ ନୂଆ ଦୁଃସାହସ ଅର୍ଥାତ୍‍ ନୂଆ ଅନୁପ୍ରାସରେ ପ୍ରସ୍ତୁତ କରିଛି ଓ ବାଟ ଚାଲି ବାହାରିଛି । ଯେଉଁମାନେ ଏହିପରି ଭାବରେ ମୋତେ ବାରବାର ଗାର ଡିଆଁଇ ଦେଉଛିନ୍ତି, ନିଜର ସ୍ଫୁଲିଙ୍ଗଟିଦ୍ଵାରା ମୋ’ର ସ୍ଫୁଲିଙ୍ଗଟିକୁ ପୁନର୍ଜାଗୃତ କରାଇ ପାରୁଛନ୍ତି, ମୋ’ର ସେମାନଙ୍କୁ ବାରମ୍ବାର ନମସ୍କାର । ମୁଁ ସେମାନଙ୍କର ସହଯୋଗରେ ଏହିପରି ବୃଦ୍ଧଶିଶୁଟିଏ ହୋଇ ବାଟ ଚାଲିବାରେ ଲାଗିଥାଏ ।

 

୪. ୭. ୯୩

 

ଯେଉଁ ଅଭକ୍ତ ଜ୍ଞାନକୁ ହିଁ ଏକମାତ୍ର ବାଟ ବୋଲି ଦାବି କରି ମୋ’ ଆଗରେ ସତ୍ୟଦର୍ଶୀପରି କଥା କହୁଥିବ, ତାକୁ ମୁଁ ଯଥାର୍ଥ ଜ୍ଞାନର ଅନୁରାଗୀ କରି ପାରିବାଲାଗି ଆଉ କ’ଣ କରିପାରିବି ? ଯେଉଁ ଅଜ୍ଞାନ ଭକ୍ତିକୁ ହିଁ ଏକମାତ୍ର ବାଟ ବୋଲି କହି ସତେଅବା କୌଣସି ଭକ୍ତି ନଗରର ଭାଟପରି ମୋ’ ଆଗରେ ଲୋସଡ଼ି ପଡ଼ୁଥିବାପରି ହେଉଛି, ମୁଁ ତାକୁ କିପରି ଭାବରେ ଜ୍ଞାନର ଖିଅ ଧରାଇଦେଇ ଭକ୍ତି ପାଖକୁ ନେଇଯାଇ ପାରିବି ? ଏ ଭକ୍ତ ଭକ୍ତ ନୁହନ୍ତି କିମ୍ବା ଜ୍ଞାନୀ ଜ୍ଞାନୀ ମଧ୍ୟ ନୁହନ୍ତି । ଏମାନେ ସମସ୍ତେ ଜ୍ଞାନ ତଥା ଭକ୍ତି ଉଭୟଠାରୁ ସମ୍ପ୍ରଦାୟର ଗାଡ଼ଟିକୁ ହିଁ ଅଧିକ ଲୋଡ଼ନ୍ତି ଏବଂ ତେଣୁ ଜ୍ଞାନ ତଥା ଭକ୍ତି ଉଭୟଙ୍କୁ ହିଁ ଗାଡ଼ି ଭିତରେ ନେଇ ସାଇତି ରଖିଥାନ୍ତି-

 

ମୋ’ ଜ୍ଞାନ ମୋ’ ଭକ୍ତି ମୋତେ ଅଧିକ ନିକଟବର୍ତ୍ତୀ କରାଇ ନେବାରେ ହିଁ ସହାୟତା କରନ୍ତି । ଏହି ଜଗତର ଅଧିକ ନିକଟବର୍ତ୍ତୀ କରାନ୍ତି । ଏହି ଉଚ୍ଚତା ଏବଂ ଏହି ଗଭୀରତାଗୁଡ଼ିକର ଅଧିକରୁ ଅଧିକ ନିକଟବର୍ତ୍ତୀ କରାଇଇବାରେ ଲାଗିଥାନ୍ତି । ଯଥାର୍ଥ ଜୀବନ, ଯଥାର୍ଥ ସମ୍ବନ୍ଧ ଓ ଯଥାର୍ଥ ଭଲ ପାଇବା କହିଲେ ଯେଉଁ ଉଷ୍ମତାଗୁଡ଼ିକୁ ବୁଝାଏ, ମୋ’ ଜ୍ଞାନ ଓ ମୋ’ ଭକ୍ତି ଉଭୟେ ମୋତେ ସେହି ଉଷ୍ମତାଗୁଡ଼ିକର ନିକଟବର୍ତ୍ତୀ କରାନ୍ତି । ସତେଅବା ଭାରି ଅସହଜ ଭିତରେ ପଡ଼ିଯାଇ ଥୋକେ ମଣିଷ ଯାହାକୁ ମାୟା ବୋଲି କହୁଥାନ୍ତି, ମୋ’ ଜ୍ଞାନ ଓ ମୋ’ ଭକ୍ତି ମୋତେ ସେହି ମାୟାର ହିଁ ହୃଦୟପ୍ରବେଶ କରାଇ ଦିଅନ୍ତି । ଯାବତୀୟ ହୃଦୟପ୍ରେବେଶ ଅର୍ଥାତ୍ ଯାବତୀୟ ହୃଦ୍‌ବିସ୍ତାର,–ମୋ’ଲାଗି ତାହା ହେଉଛି ସବୁଯାକ ବିମୋଚନର ଅସଲ ସୂତ୍ର । ଏହି ସୂତ୍ରଟିକୁ ଧରି ପାରିଥିଲେ ଭକ୍ତି ଯେ କେତେବେଳେ ଭକ୍ତିକୁ ଡେଇଁଯାଏ ଓ ଜ୍ଞାନ ଯେ କେତେବେଳେ ଜ୍ଞାନକୁ ଡେଇଁଯାଏ, ସେହି କଥାଟିର ମୋଟେ ହିସାବ ରଖି ହୁଏନାହିଁ । ଅଥଚ, ଯେଉଁ ଭକ୍ତି ସତକୁ ସତ ଭକ୍ତିକୁ ଡିଆଁଇଦିଏ ଓ ଯେଉଁ ଜ୍ଞାନ ସତକୁ ସତ ଜ୍ଞାନକୁ ଡିଆଁଇଦିଏ, ମୁଁ ତାହାକୁ ହିଁ ଯଥାର୍ଥ ଭକ୍ତି ଓ ଯଥାର୍ଥ ଜ୍ଞାନ ବୋଲି କହେ । ଅଙ୍ଗେ ନିଭାଇ ଥିବାରୁ ହିଁ ସେହିଭଳି କହେ । ଅସଲ ସାହିତ୍ୟ ଭିତରେ ପଶିଲେ ଶୈଳୀ ଅବଶ୍ୟ ଥାଏ, ମାତ୍ର ଶୈଳୀଗୁଡ଼ିକୁ ଅଲଗା କରି ବାରି ହୁଏନାହିଁ । ଏବଂ, ଅସଲ ସଂଗୀତ ଭିତରେ ପଶିଲେ ଯେପରି ଲୟର ନିମଜ୍ଜନ ଭିତରେ ରାଗଟା ଥିଲେ ମଧ୍ୟ ତାହା ବିଷୟରେ ଆଦୌ କୌଣସି ସଚେତନତା ରହେନାହିଁ, ଏହା ହେଉଛି ସେଭଳି କଥା । ମୋ’ ବାଟଗୁଡ଼ିକ ଏହିପରି ଭାବରେ ମୋତେ ବାଟଗୁଡ଼ାକୁ ଭୁଲାଇ ଦେବାରେ ଲାଗିଥାଉ । ବାଟଗୁଡ଼ାକୁ ଚାଲି ମୁଁ ଯେପରି ବାଟଗୁଡ଼ାକୁ ଅତିକ୍ରମ କରିଯାଏ ! ଅତିକ୍ରମ କରିଯିବା,–ସିଏ ମଧ୍ୟ ଗୋଟିଏ ବାଟ, ଗୋଟିଏ ଶୈଳୀ,–ଅନ୍ତରଙ୍ଗତାର ଶୈଳୀ ।

 

୧. ୮. ୯୩

 

ଭଗବାନ ମଣିଷକୁ ହୃଦୟ ଦେଇଥିଲେ । ମଣିଷ ହହୃଦୟକୁ ଯେତେ ମନ ନକଲା, ତା’ଠାରୁ ଅଧିକ ଧନକୁ ମନକଲା । ସିଏ ଧନ କମାଇଲା, ଧନ ଜମା କଲା; ଧନ ଜମା କରିବାର ବାଉଳା ନିଶା ଓ ଉତ୍ତେଜନାଗୁଡ଼ାକ ତଳେ ହୃଦୟକୁ ପୋତି ପକାଇଲା । ଏବେ, ଆଧୁନିକମାନଙ୍କ ଭିତରୁ ଯେଉଁମାନେ ଟିକିଏ ଅପେକ୍ଷାକୃତ ଅଧିକ କଅଁଳ, ସେମାନେ ସାହିତ୍ୟ ଭିତରେ, ସଂଗୀତ ଭିତରେ ଓ ଗୋଟିଏ କଥାରେ କହିଲେ, ସେମାନଙ୍କର ସଂସ୍କୃତି ଭିତରେ ଏବେ ହୃଦୟକୁ ଖୋଜି ବାହାରିଛନ୍ତି । ସେଇ ମିଛ ଉତ୍ତେଜନାରେ ସେମାନେ ଏଗୁଡ଼ିକୁ ମଧ୍ୟ ଧନସମ୍ପତ୍ତି ବୋଲି ଭାବିଲେଣି-। କାହାପାଖରେ ଏହି ସମ୍ପତ୍ତି ଅଧିକ ଅଛି, ତାହାର ପ୍ରତିଯୋଗିତା କଲେଣି । ନିଜଭିତରେ ହୃଦୟଟିର କର୍ଷଣ ହେଉନଥିଲେ ଯାବତୀୟ ସାହିତ୍ୟ, ସଂଗୀତା, କଳା ଓ ସଂସ୍କୃତି ଭିତରେ ମଧ୍ୟ ମଣିଷ ଯେ ହୃଦୟକୁ କଦାପି ପାଇବନାହିଁ, ଏହି କଥାଟି ଆମ ସମାଜରେ ପ୍ରାୟ ପ୍ରତ୍ୟହ ପ୍ରମାଣିତ ହେବାରେ ଲାଗିଛି ।

 

ଭଗବାନ୍ ମଣିଷକୁ ସମ୍ଭାବନା ଦେଇଥିଲେ । ସେହି ସମ୍ଭାବନାକୁ ଆପଣାର ଅସଲ ପୁଞ୍ଜି କରି ଗ୍ରହଣ କରିଥିଲେ ମଣିଷ କେଡ଼େ ମହିମାମୟ ହୋଇ ପାରିଥାନ୍ତା । ମାତ୍ର, ଅଧିକତର କ୍ଷେତ୍ରରେ ଏପରି ମିଛ ଗୁରୁ, ମିଛ ନେତା ଓ ମିଛ ଆଦର୍ଶବାଦୀମାନେ ବାହାରିଲେ, ଯେଉଁମାନେ କି ମଣିଷର ଚାରିପାଖରେ ପାଚେରି ଘେରାଇଦେଲେ । ତା’ ହାତରେ ନାନାଭଳି ପ୍ରତିମା ଧରାଇଦେଇ ତାହାହିଁ ଭଗବାନ ବୋଲି ବିଶ୍ଵାସ କରିବାକୁ କହି ମଣିଷକୁ ଠକିଦେଲେ । ମଣିଷକୁ ଗଦ ସୁଙ୍ଘାଇ ତାକୁ ଅମୁକ କଲେ, ସମୁକ କଲେ, ଢିଙ୍କି କଲେ ଓ ବଗ କଲେ, ମାତ୍ର ମଣିଷ ହେବାର ସେହି ପ୍ରତିଶ୍ରୁତିରୁ ତାକୁ ବଞ୍ଚିତ କରି ରଖିଲେ । ପାଚେରିମାନ ଠିଆ ହୋଇ ଆସିବା ସଙ୍ଗେ ସଙ୍ଗେ କ୍ଷମତାସୀନ ମଣିଷମାନେ ଜାତି, ଦେଶ ଏବଂ ଦେଶାଭିମାନର କଥା କହି ଏକ ନୂଆ ଭାଷାରେ ମଣିଷମାନଙ୍କୁ ଭଣ୍ଡିବାକୁ ଆସିଲେ । ମଣିଷ ଭିତରେ ସମ୍ଭବତଃ କେଉଁଠି ଭଣ୍ଡଟିଏ ଥିଲା, ସିଏ କେଡ଼େ ଚମତ୍କାର ଭାବରେ ସେଥିରେ ଭଣ୍ଡିଗଲା । ଏବଂ, ସମ୍ଭାବନାଘରେ କୋଲପ ପଡ଼ିଲା । ଅଧ୍ୟାତ୍ମମାନେ ଅଧ୍ୟାସର ହୁଣ୍ଡାମି ଭିତରେ ସାଧ୍ୟ ହୋଇ ରହିଗଲେ । ଭଗବାନଙ୍କୁ ମଧ୍ୟ ଜାତୀୟ ସମ୍ପତ୍ତି କହି ଗୁହାଳରେ ବାନ୍ଧି ରଖାଗଲା । ସକଳ ଉନ୍ମୋଚନର ପଥକୁ ନିଷିଦ୍ଧ କରି ରଖାଗଲା । ଉନ୍ମୋଚନରୁ ବଞ୍ଚିତ ହୋଇ ରହିଥିବା ମଣିଷ ଏବେ କେତେ ଧନ ଖରଚ କରି ଓ କେତେ ଅହଙ୍କାର ଖଟାଇ ମନ୍ଦିର ଗଢ଼ିବାରେ ଲାଗିଛି ।

 

୧୧. ୧୧. ୯୩

 

କାଗଜ ଅନୁସାରେ ମତେ ଆଜି ସତୁରିବର୍ଷ ପୂରିଲା । ନିଜ ଭିତରେ ସତୁରି ବର୍ଷର ଛୁଆଟିଏ ସତେଅବା କଳ କଳ ହୋଇ ହସୁଛି । ସତେଅବା ଏହି ପୃଥିବୀକୁ ପ୍ରଥମଥର ପାଇଁ ଦେଖୁଥିବାପରି ଅନୁଭବ କରୁଛି । ସେହି ଛୁଆଟିକୁ ମୁଁ ପ୍ରଣାମ ଜଣାଉଛି ।

 

ଆପଣାର କରାମତି ବିଷୟରେ ବାହାଦୁରି କରିବାଲାଗି ବିଚରା ଛୁଆଟି ପାଖରେ ପ୍ରାୟ କିଛିନାହିଁ । ସିଏ କୌଣସି ଦେଉଳ ତୋଳାଇନାହିଁ । କୌଣସି ମେଳରେ ସବାଉଚ୍ଚ ହୋଇ ବସିବାକୁ ସିଏ କେବେହେଲେ ମନ କରିନାହିଁ । ସତେଅବା ସବୁଦିନେ ସକଳ ଅବସରରେ ବରଂ ପଛେ ପଛେ ରହିବାଲାଗି ହିଁ ଅଧିକ ପସନ୍ଦ କରିଛି । ତଥାପି, ଛ ଛଅଟା ଆଖି ଦେଇ ସିଏ ପୃଥିବୀକୁ ଦେଖିଛି, ଛଅବେଢ଼ ବାହୁ ବଢ଼ାଇ ଏହି ପୃଥିବୀକୁ ଜାବୁଡ଼ି ଧରିଛି, ତା’ର ଯାବତୀୟ ଅର୍ଜନ ଓ ପାଥେୟ ସତେଅବା ଭଲ ପାଇବାରେ ରୂପାନ୍ତରିତ ହୋଇ ଯାଇଛି । ତେଣୁ, ଭିତରେ କେବେହେଲେ ନିଅଣ୍ଟ ବୋଲି ଲାଗିନାହିଁ ଏବଂ, ନିଅଣ୍ଟ ବୋଲିଲାଗି ନଥିବାରୁ ନିଜକୁ କେବେହେଲେ ଦରିଦ୍ର ବୋଲି ମନେ ହୋଇନାହିଁ । ଭିତରେ ନିଜକୁ ଦରିଦ୍ର ବୋଲି ଅନୁଭବ କରୁଥିବା ମଣିଷମାନେ ସତେଅବା କୌଣସି କ୍ଷତିପୂରଣ କରୁଥିବାପରି ସଂସାରଗୋଟାକୁ ଗିଳି ପକାଇବେ ବୋଲି ମନ କରିଛନ୍ତି । ଧନରେ, ବିଦ୍ୟାରେ, ଯଶରେ ଓ କ୍ଷମତାରେ ସମସ୍ତଙ୍କ ଅପେକ୍ଷା ଅଧିକ ହୋଇ ଦେଖାଯିବେ ବୋଲି କେତେ ନା କେତେ ଫନ୍ଦି କରିଛନ୍ତି । ଭିତରେ ଓ ବାହାରେ ଭଗବାନଙ୍କୁ ପ୍ରତ୍ୟକ୍ଷ କରୁଥିବା ସମୟରେ ମଧ୍ୟ ମୁଁ କେବେହେଲେ ନିଜକୁ ଦରିଦ୍ର ବୋଲି ଅନୁଭବ କରିନାହିଁ । ଏହି ସଂସାର ସର୍ବଦା ନିଜର ଘରପରି ଲାଗିଛି; ତେଣୁ, ସଂସାରରେ ଯାହାକିଛି ରହିଛି, ତାହା ମୋ’ ନିଜ ସମ୍ପଦ ବୋଲି ମନେ ହୋଇଛି । ଭିତରେ ସର୍ବଦା ପୂର୍ଣ୍ଣତାର ଅନୁଭବ ହେଉଛି । ପୂର୍ଣ୍ଣ ଭାବରେ ଦେଇ ହେଉଛି, ତେଣୁ ପୂର୍ଣ୍ଣ ଭାବରେ ଗ୍ରହଣ ବି କରି ହେଉଛି । ପୃଥିବୀରେ କାହାରିକୁ ବି ଈର୍ଷା କରିବାଲାଗି ମୁଁ ଆଦୌ କୌଣସି କାରଣ ଦେଖି ପାରୁନାହିଁ । ଜୀବନରେ ଯାହାକିଛି ପାରୁଛି, ସେଥିଲାଗି ମୁଁ ଏହି ଶିଶୁଟିକୁ ହିଁ ଧନ୍ୟବାଦ ଦେଉଛି । ତଥାକଥିତ ପୃଥିବୀ ପନ୍ଦରଶହ ପ୍ରରୋଚନା ସତ୍ତ୍ୱେ, ସିଏ ଯେ ତଥାପି ଶିଶୁ ହୋଇ ରହିଛି, ବୟସ୍କ ହେବାର ସାତଶହ ଲାଭକୁ ଯେ ସିଏ ଖୁସି ହୋଇ ପରିତ୍ୟାଗ କରି ଆସିଛି, ତାହାହିଁ ମୋ’ର ପରମ ଭାଗ୍ୟ । ତା’ ନହେଲେ ମୋ’ ବାହାରଟା ମୋ’ ଭିତର ସହିତ କେତେ କଳହରତ ହୋଇ ରହି ନଥାନ୍ତା ଓ ମୋତେ କେତେପ୍ରକାରେ ଉଗ୍ର ଓ ଉତ୍ତପ୍ତ କରି ରଖି ନଥାନ୍ତା । ମୁଁ ବେଳେବେଳେ ଅନୁଭବ କରେ, ମୋ’ ଭିତରେ ଏହି ଶିଶୁଟି, ମୋ’ର ଅସଲ ଜନନୀ ଓ ମୋ’ର ଅସଲ ସଙ୍ଗୀଟି, ସେଇ କ’ଣ ସତକୁ ସତ ମୋ’ ଭଗବାନ କି ?

 

୧୨. ୧୧. ୯୩

 

ଗୁରୁମାନେ ଜିଜ୍ଞାସୁ ମନୁଷ୍ୟମାନଙ୍କୁ ଭଗବାନଙ୍କ ପାଖରେ ଯାଇ ପହଞ୍ଚିବାରେ ନିମିତ୍ତରୂପେ କାର୍ଯ୍ୟ କରୁଥାନ୍ତେ । ଯେଉଁ ମନୁଷ୍ୟମାନେ ଆର୍ତ୍ତ ଅଥବା ଅର୍ଥାର୍ଥୀ ଅବସ୍ଥାରେ ତଥାପି ରହିଛନ୍ତି, ଗୁରୁମାନେ ସେମାନଙ୍କୁ ଆଗ ଜିଜ୍ଞାସୁର ସୋପାନକୁ ଆଣିବାଲାଗି ହିଁ ସାହାଯ୍ୟ କରୁଥାଆନ୍ତେ । ବର୍ତ୍ତମାନ ଆମ ପୃଥିବୀରେ ଯେ ଆର୍ତ୍ତ ଓ ଅର୍ଥାର୍ଥୀ ମନୁଷ୍ୟମାନଙ୍କର ସଂଖ୍ୟା ଓ ପରାକ୍ରମ ଅତି ପରିମାଣରେ ବୃଦ୍ଧି ପାଇଛି, ସେଥିଲାଗି ଆମ ପରମ୍ପରାରେ ଏହି ମୁଗ୍ଧ ଗୁରୁମାନଙ୍କୁ ହିଁ ଅନେକପ୍ରକାରର ଦାୟୀ କରାଯାଇ ପାରିବ ।

 

ସମ୍ପ୍ରଦାୟ ଗଢ଼ି ପତାକା ପୋତିଥିବା ଅଧିକାଂଶ ଗୁରୁ ସତେଅବା ମନୁଷ୍ୟମାନଙ୍କର ଦୃଷ୍ଟିକୁ ଭଗବାନଙ୍କ ପାଖରୁ ଅଧିକ ଦୂରକୁ ନେଇଯିବାର ଷଡ଼ଯନ୍ତ୍ର କରି ଆସିଛନ୍ତି । ପୃଥିବୀର ଅଧିକାଂଶ ମଣିଷ ସମ୍ପ୍ରଦାୟସର୍ବସ୍ଵତାର ନାନା ପଙ୍କ ଭିତରେ ପୋତି ହୋଇ ରହିଛନ୍ତି । ପ୍ରଧାନତଃ ପଙ୍କକୁ ଆଶ୍ରୟ କରି ସେମାନେ ଧର୍ମ ନାମରେ ରୁଚିର ହର୍ମ୍ୟମାନ ନିର୍ମାଣ କରିଛନ୍ତି ଏବଂ ଅତ୍ୟନ୍ତ ଦଉଡ଼ିକଟା ଭାବରେ ଆର୍ତ୍ତ ତଥା ଅର୍ଥାର୍ଥୀ ହେବାକୁ ପ୍ରଶୟ ପାଇଛନ୍ତି । ସତ୍ୟ ବା ଭଗବାନ ମନ୍ଦିର ଭିତରେ ନାହାନ୍ତି ବୋଲି ଶାସ୍ତ୍ରମାନେ କହି ଆସିଛନ୍ତି ଓ କହୁଛନ୍ତି ସିନା, ମାତ୍ର ଅଧିକାଂଶ ଧର୍ମବାସନା ଏହି ସମ୍ପ୍ରଦାୟସର୍ବସ୍ଵତାର ସାପଦ୍ଵାରା ଗୁଡ଼ାଇ ହୋଇ ରହିଛି । ଯୋଉ ଗୁରୁ ବାଟ ହୁଡ଼େ, ପ୍ରଧାନତଃ ସେହି ଗୁରୁ ହିଁ ଭଗବାନଙ୍କ ଆଡ଼କୁ ବାଟ ଦେଖାଇ ନେଇଯିବାର ଭ୍ରମବାଣୀଦ୍ଵାରା ନିଜକୁ ହିଁ ତଥାକଥିତ ଭକ୍ତମାନଙ୍କର ମନରେ ସତେଅବା ସବୁକିଛି ରୂପେ ପ୍ରତିଷ୍ଠିତ କରି ରଖିବାର ଫିକର କରୁଥାଏ । ଏବଂ, ଯୋଉ ଭକ୍ତମାନେ ଭଗବାନଙ୍କୁ ବାଦ୍‍ ଦେଇ ଭକ୍ତିର ଅସୁନ୍ଦର ବଣିଜମାନ କରି ବାହାରିଥାନ୍ତି, ପ୍ରଧାନତଃ ସେଇମାନେ ହିଁ ଏହି ଅଧବାଟରେ ଅଟକିଯାଇ ଠାକୁର ବନିବାକୁ ଇଚ୍ଛା କରିଥିବା ଗୁରୁମାନଙ୍କୁ ନେଇ ଖଟି କରିଥାନ୍ତି । ଅଧ୍ୟାତ୍ମକୁ ଅଟକାଇ ରଖନ୍ତି-। ଉଦୟର ପଥଗୁଡ଼ିକୁ ବଣା କରିଦିଅନ୍ତି । ଅସଲ ଗୁରୁ ସେତୁପରି କାମ କରନ୍ତା । ମଣିଷମାନଙ୍କୁ ଭଗବାନଙ୍କୁ ମଧ୍ୟକୁ ପରିଚାଳିତ କରି ନେବାରେ ସିଏ ସାଥୀପରି କାମ କରନ୍ତା । ଅଳ୍ପକାମୀ ମଣିଷମାନେ ଯେପରି ତା’ ପାଖରେ ଆସି କଦାପି ଅଟକି ନଯିବେ, ସେଥିଲାଗି ସେ ସର୍ବଦା ସାବଧାନ ରହନ୍ତା । ଆବଶ୍ୟକ ହେଲେ ସିଏ ଶିଷ୍ୟମାନଙ୍କ ଆଗରେ ଏକ ସେତୁ ଭଳି ପଡ଼ିଥାଆନ୍ତା ଓ ଭଗବତ୍-ଅନ୍ଵେଷୀମାନେ ତାହାରି ଉପର ଦେଇ ଆଗକୁ ଚାଲିଯାଉଥାନ୍ତେ । ସେହିପରି ହୋଇ ପାରିଲେ ଯାଇ ମନୁଷ୍ୟର ମଙ୍ଗଳ ହୁଅନ୍ତା, ଭଗବାନ ମନୁଷ୍ୟ ଭିତରୁ ପ୍ରକଟ ହୋଇ ଆସନ୍ତେ; ଉପାସନା ନାମରେ ବର୍ତ୍ତମାନ ପୃଥିବୀରେ ହେଉଥିବା ଅନେକ ତାମସା ସେତେବେଳେ ବନ୍ଦ ହୋଇ ଯାଆନ୍ତା । ପୃଥିବୀ ଶ୍ଵସ୍ତିର ନିଃଶ୍ଵାସ ମାରିପାରନ୍ତା ।

 

୧୭. ୧୧. ୯୩

 

ଥୋକେ ଆଦର୍ଶବାଦୀ ଏମିତି ଅଛନ୍ତି, ଯେଉଁମାନେ କି ଆଦର୍ଶ ବିଷୟରେ ଦାଣ୍ଡରେ ନାଗରା ପିଟି ବୁଲନ୍ତି । କେବଳ ଏହି ଆଦର୍ଶଟିଦ୍ଵାରା ହିଁ ସ୍ଵର୍ଗ, ମର୍ତ୍ତ୍ୟ, ପାତାଳା ସତେଅବା ତିନୋଟିଯାକ ଭୁବନର ପରିତ୍ରାଣ ହୋଇପାରିବ ବୋଲି ସେମାନେ କେଡ଼େ ଉଚ୍ଚାଟରେ କହିବାରେ ଲାଗିଥାନ୍ତି । ଏମାନଙ୍କର ଠିକ୍ ଅପର ପ୍ରାନ୍ତରେ ଆଉଏକ କିସମର ଆଦର୍ଶବାଦୀ ମଧ୍ୟ ଥାଆନ୍ତି, ଯେଉଁମାନେ ଏକୁଟିଆ ନିଜ ଆର୍ଦଶଟିକୁ କନାରେ ବାନ୍ଧି ରଖିଥାନ୍ତି । ସେମାନେ ଏକାକୀ ଏକାକୀ ଆଦର୍ଶର ପର୍ବତଟିକୁ ଜୟ କରିବେ ଏବଂ କେବଳ ନିଜେ ସବୁଯାକ ଶ୍ରେୟଃର ଅଧିକାରୀ ହେବେ ବୋଲି ନିଜପାଖରେ ଗଉଁ ଦେଖାଇ ବସିଥାଆନ୍ତି । ଦୁହେଁ ନିଷ୍ଫଳ ହୁଅନ୍ତି । ଆଦର୍ଶମାନେ ସତେଅବା ପ୍ରଭବଶୂନ୍ୟ ଏବଂ ପ୍ରସବଅସମର୍ଥ ହୋଇ ରହିଯାଆନ୍ତି । ପ୍ରଥମ ଶ୍ରେଣୀର ଆଦର୍ଶବାଦୀମାନେ ଆଦର୍ଶକୁ ହାଉଆ ପୂରାଇ ହାଉଆ କରିପକାନ୍ତି । ଦ୍ଵିତୀୟ ପ୍ରକାରର ସେମାନେ ଆଦର୍ଶକୁ ନିଜ ନାଭିରେ ଗୁପ୍ତଧନ ପ୍ରାୟ କରି ରଖିଥାନ୍ତି ।

 

ତେଣୁ ସମସ୍ତଙ୍କ ସହିତ ଏକାଠି ବସିବାକୁ ହୁଏ । ମୋଟେ କୌଣସି କୋଳାହଳ ନକରି ବସିବାକୁ ହୁଏ । ସ୍ଵପ୍ନରେ ଶିଖରଟିଏ ଦିଶିଯିବ ଓ ସେହି ଶିଖରକୁ ଯିବାଲାଗି ବାଟଟିଏ ମଧ୍ୟ ଦିଶିଯିବ,–ତାହାର ନାମ ତ ଆଦର୍ଶ ଏବଂ ଆଦର୍ଶ ଅନୁସାରେ ପରିଚାଳିତ ହେଉଥିବା ଏକ ଜୀବନ-! ସେହି ଜୀବନ ନିମନ୍ତେ ସାଙ୍ଗ ଅବଶ୍ୟ ଦରକାର ହୁଅନ୍ତି । ଏପରି ନେତା ପୃଥିବୀରେ ଅଛନ୍ତି, ଯେଉଁମାନେ କି ନିଜର ସବୁଯାକ ଅଭୀଷ୍ଟକୁ ନିଜ ଭିତରେ ଲୁଚାଇ ରଖିଥାନ୍ତି । ସତେଅବା କୌଣସି ଫୁଟବଲ୍ ଖେଳରେ ଏକା ଏକା ଗୋଲ୍ ଦେବେ ଓ ସବୁଯାକ ପ୍ରତିଷ୍ଠା ପାଇବେ ବୋଲି ମନ କରିଥାନ୍ତି । ଏମାନେ ହାରି ଯାଆନ୍ତି ଏବଂ ହାରିଗଲେ ବୋଲି ଅନ୍ୟମାନଙ୍କୁ ଦୋଷ ଦିଅନ୍ତି । ପ୍ରାୟ ଏହି କିସମର ଆଦର୍ଶବାଦୀଙ୍କ ପାଇଁ ଅନେକ ଶିକ୍ଷାଳୟ ମଧ୍ୟ ନଷ୍ଟ ହୋଇଯାଏ । ସେମାନେ ଏକା ଚାଳକ ହୋଇ ଅନ୍ୟ ସମସ୍ତଙ୍କୁ ଚଳାଇବାକୁ ଭାରି ମନ କରିଥାନ୍ତି । ଲଗାମର ସବୁଯାକ ଦଉଡ଼ିକୁ ନିଜ ହାତରେ ଧରିଥାନ୍ତି । ଏପରି କାହିଁକି ହୁଏ ? ଏମାନେ କ’ଣ ଆପଣାର ତଥାକଥିତ ଆଦର୍ଶ ଅପେକ୍ଷା ନିଜକୁ ଅଧିକ ଭଲ ପାଉଥାନ୍ତି କି ? ପୃଥିବୀର ଇତିହାସରେ ଏହିପରି କେତେ କେତେ ମହାପୁରୁଷ ଆତ୍ମମନ୍ୟ ଏକମାତ୍ର ପୁରୁଷ ଯେ ବଡ଼ ଦୟନୀୟ ଭାବରେ ବିଫଳ ହୋଇ ଯାଇଛନ୍ତି, ସାମୂହିକ ଜୀବନର ବିଭିନ୍ନ କ୍ଷେତ୍ରରେ ତାହାର ଦୃଷ୍ଟାନ୍ତମାନ ରହିଛି । ସେମାନେ ଆମ ପୃଥିବୀକୁ ଭାରି ଦରିଦ୍ର କରି ରଖିଛନ୍ତି, ଭାରି ଅସମର୍ଥ କରି ରଖିଛନ୍ତି ।

 

୩. ୧୨. ୯୩

 

ଅହଙ୍କାରୀ ଜୀବନ ହେଉଛି ବିରକ୍ତି ଜୀବନ । ଗୋଟିଏ ମଣିଷ ଭିତରେ ତାହାର ଅହଂସତ୍ତାଟି ଯେତେବେଳେ ଅତ୍ୟନ୍ତ ଅଣଅକ୍ତିଆର ଭାବରେ ଏଣେ ତେଣେ ବିଭାଜିତ ହୋଇ ରହିଥାଏ, ସେତେବେଳେ ସିଏ ଅହଙ୍କାରୀ ହୁଏ । ସେତେବେଳେ ସେହି ଅହଂସତ୍ତା ଗୋଟିଏ ହୋଇ ସତେଅବା ମୂଳକୁ ଫେରିଆସେ, ସେତେବେଳେ ଅଧ୍ୟାତ୍ମର ଦର୍ଶନ ହୁଏ ।

 

ଗୋଟାଏ ମଣିଷ ସତେଅବା କେତେଟା ମଣିଷ ହୋଇ ଏଣେ ତେଣେ ଧାଁଧପଡ଼ କରିବାରେ ଲାଗିଥାଏ । ଏଠି ଜିତେ ତ ସେଠି ହାରିବାରେ ଲାଗିଥାଏ । ଏଠି ମାନ ପାଏ ତ ସେଠି ଅପମାନ ପାଉଥାଏ । କୋଉଠି କାହା ପାଦତଳେ ପାତାଳକୁ ଚାପିହୋଇ ଯାଉଥାଏ ତ ଆଉ କୋଉଠି ନିଜେ କେଡ଼େ ଦର୍ପରେ ଆଉ କାହାକୁ ପାତାଳକୁ ଚାପିଦେବାରେ ଲାଗିଥାଏ । ଏହାକୁ ସଚରାଚର ସଂସାର ବୋଲି କୁହାଯାଏ, ସଂସାରରବୈରାଗୀମାନେ ଏହାକୁ ହିଁ ଦୁଃଖର ଆଗାର ବୋଲି କହିଥାନ୍ତି । ଯେତେବେଳେ କେନ୍ଦ୍ରରେ ଛିଡ଼ା ହୋଇ ସମୁଦାୟ ସଂସାରଟିର ଦର୍ଶନ ମିଳିଯାଏ, ସେତିକିବେଳେ ଯାଇ ଅଧ୍ୟାତ୍ମର କୃପା ପ୍ରାପ୍ତ ହୁଏ । ଆପଣାର କେନ୍ଦ୍ରରୁ ବିଚ୍ୟୁତ ହୋଇ ରହିଥିବା ମଣିଷ କାତର ହୁଏ, ଇତସ୍ତତଃ ହୁଏ; ସତେଅବା ଆପଣାକୁ ଯେ କୌଣସି ମତେ ଜାରି ରଖିବ ବୋଲି ସତତ ଘାରି ହୋଇ ରହିଥାଏ । ତାହାରି ଫଳରେ ଅହଂସଚେତନ ହୁଏ, ଅହଙ୍କାରୀ ହୁଏ । ଅହଙ୍କାରୀ ମଣିଷମାନେ ପଚିଶି ପ୍ରକାରର ଅନୁରକ୍ତିରେ ସଦାସାବଧାନ ହୋଇ ରହିଥିଲେ ହେଁ ତଥାପି କିଳି ହୋଇ ରହିଥାନ୍ତି ଏବଂ କେବଳ ନିଜର ସାନ ସରହଦଗୁଡ଼ିକୁ ଛାଡ଼ିଦେଲେ ସତେଅବା ଆଉ କିଛିହେଲେ ଦେଖି ପାରିନ୍ତିନାହିଁ । କେନ୍ଦ୍ରକୁ ଆସି ପାରିଥିବା ମଣିଷ ଅର୍ଥାତ୍ ଆପଣାକୁ ଏକତ୍ରିତ କରି ଆଣି ପାରିଥିବା ମଣିଷ କଦାପି କିଳି ହୋଇ ରହେନାହିଁ । ସିଏ ସାରା ବିଶ୍ଵଯାକ କେତେ କୁଆଡ଼େ ଡୋର ଲଗାଇ ବୁଲୁଥାଏ, ତଥାପି କଦାପି ଗୃହଚ୍ୟୁତ ହୁଏନାହିଁ । ସତତ ସ୍ଵସଦନରେ ରହିବା, ବିଶ୍ଵଯାକ ଡୋର ଲଗାଇ ରହିବା,–ତାହାହିଁ ଅଧ୍ୟାତ୍ମ । ଯୋଉସବୁ ଧର୍ମ ମଣିଷକୁ ନାନା ଅର୍ଦ୍ଧ୍ୟସତ୍ୟର ଢମ ଦେଖାଇ ଅହଙ୍କାରୀ ଓ ସ୍ପର୍ଶକାତର କରି ରଖିଥାନ୍ତି, ସେମାନେ ତାକୁ ଗୃହଚ୍ୟୁତ ହୋଇ ରହିବାରେ ଭାରି ସାହାଯ୍ୟ କରନ୍ତି । ପୃଥିବୀରେ ମନ୍ଦିର ମାଳ ମାଳ ରହିଛି, ତଥାପି ମଣିଷମାନଙ୍କୁ ପାତାଳକୁ ଚାପିଦେଇ ଏଠାରେ ଯେ ଅହଙ୍କାରର ରାଜତ୍ଵ ଚାଲିଛି, ଆମ କେନ୍ଦ୍ରହୀନତାକୁ ତାହାହିଁ ପ୍ରତିପାଦିତ କରିଦେଉଛି । ଅଧ୍ୟାତ୍ମ ସତେଅବା ବହିଷ୍କୃତ ହୋଇ ରହିଛି । ନିଜ ନିଜ ଠାକୁରମାନଙ୍କୁ ନେଇ ମଣିଷମାନେ ବାଇ ହୋଇ ରହିଛନ୍ତି, ସୁଖରୁ ବଞ୍ଚିତ ହୋଇ ରହିଛନ୍ତି ।

Image

 

୧୯୯୪

୧୮. ୫. ୯୪

 

ଅସଲ ଥାନଟି ସହିତ ଖିଅ ଛିଡ଼ିଗଲେ ପୃଥିବୀରେ ସବୁଠାରେ ନିଜକୁ ସତେଅବା ଅବନ୍ଧୁପରି ମନେ ହେଉଥାଏ । କେତେ କେତେ ମଣିଷଙ୍କ ସହିତ ମୋଟେ ମତ ମିଳେନାହିଁ । ମୁଁ ଏକୁଟିଆ ଠିକ୍ କଥା କହୁଛି ଓ ସେମାନେ ସମସ୍ତେ ଭୁଲ୍ ଭିତରେ ଅଛନ୍ତି ବୋଲି ସତେଅବା ବୃହସ୍ପତିଙ୍କପରି ଆପଣାର ରାୟ ଶୁଣାଇଦେଇ ସେତେବେଳେ ଖୁବ୍ ଆନନ୍ଦ ମିଳେ ।

 

ସେତେବେଳେ ଅନ୍ୟର ମୁଣ୍ଡ ଉପରେ ହାଣ୍ଡି ଘୋଡ଼ାଇ ପକାଇବାର କୌଣସି ଉଦ୍ୟମ ନକରି ଆପଣାର ଛିଡ଼ି ଯାଇଥିବା ଖିଅଟିକୁ ହିଁ ପୁଣି ଯୋଡ଼ିପାରିଲେ ଯାଇ ହୁଏ । ସମଗ୍ର ପୃଥିବୀ କିପରି ଗୋଟିଏ ଖିଅରେ ହିଁ ବାନ୍ଧିହୋଇ ରହିଛି, ସେତିକିବଳେ ଯାଇ ସେହି କଥାଟିର ପ୍ରମାଣ ମିଳିଯାଏ । ଖିଅ ମିଳିଗଲେ କେନ୍ଦ୍ର ମିଳିଯାଏ, ଏବଂ କେନ୍ଦ୍ରଟି ମିଳିଗଲେ, ଯେଉଁ ପରିଧିଟିର ଦର୍ଶନମିଳେ ତା’ଭିତରେ ମୁଁ ଥାଏ, ତଥାକଥିତ ଅନ୍ୟ ପକ୍ଷଟି ମଧ୍ୟ ରହିଥାଏ । ଅଧିକାଂଶ ସମୟରେ ଉଭୟେ ଉଭୟଙ୍କର ପରିପୂରକପରି ହୋଇ ରହିଥାନ୍ତି । ସମଗ୍ରଟି ମଧ୍ୟରେ ସମସ୍ତେ ଗୋଟିଏ ଆଉଗୋଟିକର ଆପେକ୍ଷିକ ହୋଇ ହିଁ ରହିଥାନ୍ତି । ମତ ଭିତରେ ସତ୍ୟର ସନ୍ଦର୍ଶନ ସେତିକିବେଳେ ହୁଏ । ସେତିକିବେଳେ ପ୍ରକୃତରେ ଏହି ସଂସାରରେ ଅନେକ କାମରେ ଲାଗିହୁଏ । ସଂସାର ଭିତରେ କେହି ଜଣେହେଲେ ଶତ୍ରୁ ରହିଛନ୍ତି ବୋଲି ମୋଟେ ମନେ ହୁଏନାହିଁ । ଯାବତୀୟ ମତ ଭିତରେ ସତ୍ୟ ଅବଶ୍ୟ ରହିଛି । ଆମେ ଯେଉଁମାନେ ମତଟାକୁ ହିଁ ପରମଶରଣ ଭଳି ଗ୍ରହଣ କରି ନେଇଥାଉ, ଆମେମାନେ ହିଁ ସତ୍ୟକୁ ନଦେଖି ମତଟା ହିଁ ସତ୍ୟ ବୋଲି କେଡ଼େ ଦର୍ପର ସହିତ ବିଚାର କରିଥାଉ । ମତର ଜୟ ହେଲେ ସତ୍ୟର ଜୟ ହେବ ବୋଲି କେଡ଼େ ଧୃଷ୍ଟତାର ସହିତ ବିଚାର କରିଥାଉ । ମତାନ୍ଧ ମଣିଷ ସବୁବେଳେ ସମ୍ଭବ ହୋଇ ପାରନ୍ତି, ମାତ୍ର ସତ୍ୟାନ୍ଧ ମଣିଷ କଦାପି ସମ୍ଭବ ହୁଅନ୍ତିନାହିଁ । ଅସଲ ଥାନାରେ ଖିଅ ଲାଗିଲେ ସବୁଥାନାରେ ଖିଅ ଲାଗିଯାଏ, ତେଣୁ ଆମକୁ ଆଚ୍ଛନ୍ନ କରି ରଖିବା ଯାବତୀୟ ମତକାମୁକତା ସେତେବେଳେ ଆମକୁ ଆଉ ଆଦୌ କାବୁ କରି ପାରନ୍ତିନାହିଁ । ମଣିଷମାନେ ସୁହୃତ୍ପରି ଦିଶନ୍ତି, କାରଣ ସେମାନେ ସମସ୍ତେ ସେହି ଏକ ପରମ ସୁହୃତ୍‍ର ପ୍ରେରଣା ଓ ନିର୍ଦ୍ଦେଶନାରେ ନିଜ ସ୍ଵଭାବ ଅନୁସାରେ ବାଟ ଚାଲୁଥାନ୍ତି । କେଉଁ ବାଟଟି ଯେ ରାତ୍ରି ଶେଷରେ ରହିଥିବା ପ୍ରଭାତଟିକୁ ଡାକିଆଣିବାକୁ ସମର୍ଥ ନହୁଏ, ମୁଁ ସେଇଟିକୁ ଏବେ ମଧ୍ୟ ଖୋଜି ବାହାର କରି ପାରିଲିନାହିଁ । ତେଣୁ, ଆମେ ସମସ୍ତେ ସେହି ରାତ୍ରିଟିକୁ ହିଁ ପାର ହେବାରେ ଲାଗିଛୁ । ଆପଣାର ଏହିପରି ଅନେକ ରାତ୍ରି ମଧ୍ୟରୁ ଅସଲ ଖିଅଟିକୁ ଆବିଷ୍କାର କରି ମୁଁ କ୍ରମଶଃ ପ୍ରଭାତର ଯୋଗ୍ୟ ହୋଇ ଆସିଛି ।

 

୨୦. ୫. ୯୪

 

ଅନେକ ମଣିଷ ଅଛନ୍ତି ଯେଉଁମାନେ ନିଜର ମହିମାଗୁଡ଼ାକୁ ଦେଖାଇ ଅନ୍ୟ ମଣିଷମାନଙ୍କୁ ସତେଅବା ନିଜପାଖରୁ ତଡ଼ି ଦେବାପାଇଁ ଇଚ୍ଛା କରୁଥାନ୍ତି । ସେମାନେ ଭାବୁଥାନ୍ତି, ଅନ୍ୟମାନେ କେବଳ ଏକ canvasପରି ହୋଇଥାନ୍ତେ ଏବଂ ସେମାନେ ନିଜ ସେହି canvas ଉପରେ ଏକମାତ୍ର ଚିତ୍ର ହୋଇ ଶୋଭା ପାଉଥାନ୍ତେ । ମଣିଷ ଇଚ୍ଛା କଲେ ଏପରି ବି ହୋଇପାରିବ, ଯେତେବେଳେ କି ସିଏ ଅନ୍ୟମାନଙ୍କ ଭିତରେ ରହିଥିବା ମହିମା ନିମନ୍ତେ ଅନୁରାଗୀ ହେବ, ସେହି ମହିମାଗୁଡ଼ିକୁ ଖୋଜି ବୁଲୁଥିବ । ଅନ୍ୟମାନଙ୍କ ଭିତରେ ଥିବା ମହିମାଟିକୁ ସ୍ଵୀକାର ଏବଂ ଆବିଷ୍କାର କରିନେଇ ପାରୁଥିଲେ ସିଏ ତାହାରିଦ୍ୱାରା ନିଜ ମହିମାଗୁଡ଼ିକ ପାଇଁ ସତେଅବା ଠାବଟିଏ ପାଇ ଯାଉଥିବ । ସିଏ ଏହି ଜଗତରେ କେତେ ନା କେତେ ଆତ୍ମସନ୍ତାପରୁ ରକ୍ଷା ପାଇଯିବ ଏବଂ ନିଜ ଉଜ୍ଜ୍ଵଳତାକୁ ଏକ ବିଶ୍ୱମୟ ବିସ୍ତାର ଦେଇ ଅନୁଭବ କରି ପାରୁଥିବ ।

 

କିଏ ଅର୍ଥର ମହିମା ଦେଖାଏ, କିଏ କ୍ଷମତାର ମହିମା ଦେଖାଏ ଏବଂ ଆଉକିଏ ଯଶ କିମ୍ବା ଆଉ କ’ଣର ମହିମା ଦେଖାଇବାରେ ଲାଗିଥାଏ । ନିଜ ମହିମାର ବାଣ ମାରି ସେମାନେ ସତେଅବା ଅନ୍ୟମାନଙ୍କର ମହିମାକୁ ମଳିନ କରିଦେବାକୁ ଇଚ୍ଛା କରୁଥାନ୍ତି ଓ ତଦ୍ଦ୍ୱାରା କେତେ ଆନନ୍ଦ ମଧ୍ୟ ପାଉଥାନ୍ତି । କେବଳ ବ୍ୟକ୍ତିଗତ ସ୍ତରରେ ନୁହେଁ, ଆମର ସାମୂହିକ ସ୍ତରରେ ମଧ୍ୟ ଏହି ଅଭିପ୍ରାୟଟି ଅନେକ ସମୟରେ ଭାରି ଅସୁନ୍ଦର ଭାବରେ ଦେଖିବାକୁ ମିଳିଥାଏ । ଆମେ ନିଜ ଧର୍ମର ମହିମାରେ ଆଉଗୋଟିଏ ଧର୍ମର ମହିମାକୁ ମଳିନ କରିଦେବାକୁ ଇଚ୍ଛା କରୁଥାଉ, ନିଜ ଦେଶରେ ମହିମାକୁ ଆଉ କେତେ ଦେଶର ମହିମାକୁ ମଳିନ କରି ପକାଇବାର ଏକ ସାଧନରୂପେ ବ୍ୟବହାର କରୁଥାଉ । ବହୁ ମଣିଷ ଅଛନ୍ତି, ଯେଉଁମାନେ କି ଯଥାସମ୍ଭବ ଅଧିକ ମଣିଷଙ୍କ ଉପରେ ନାଉ ହୋଇ ବସି ରହିବାକୁ ଚାହୁଁଥାନ୍ତି । ଏମାନେ ପୃଥିବୀ ଉପରେ ଭାରା ହୋଇ ରହିଥାନ୍ତି । ନିଜେ ଅସୁନ୍ଦର ରହି ସଂସାରଟାକୁ ମଧ୍ୟ ଅତ୍ୟନ୍ତ ଅସୁନ୍ଦର କରି ରଖିଥାନ୍ତି । ସେମାନେ ନିଜ ଜୀବନରେ ସତେଅବା ଭଗବାନଙ୍କୁ ମଧ୍ୟ ବାଟ ଛାଡ଼ୁନଥାନ୍ତି ଓ ଭଗବାନଙ୍କର ମହିମାଠାରୁ ମଧ୍ୟ ନିଜ ମହିମାକୁ ଆଗ ଦେଖୁଥାଆନ୍ତି । କାରଣ, ସବାଆଗ ଭଗବାନଙ୍କର ମହିମାକୁ ଦେଖି ପାରୁଥିଲେ ସେମାନେ ଅନ୍ୟମାନଙ୍କୁ ମଧ୍ୟ ସେମାନଙ୍କର ମହିମା ଦେଇ ଦେଖି ପାରୁଥାନ୍ତେ ।

 

୨୩. ୭. ୯୭

 

ଯଦି ସବୁ ମଣିଷ ସମାନ ବା ଅନ୍ତତଃ ପାଖାପାଖି ଚେତନାରେ ଥାଆନ୍ତେ, ତେବେ ସେମାନେ ଜଣେ ଅନ୍ୟଜଣକୁ କଦାପି ତଳକୁ ଦାବି ଦେବାକୁ ମନ କରନ୍ତେନାହିଁ । ସେମାନେ ପରସ୍ପରକୁ ବୁଝିପାରନ୍ତେ । ଏବଂ ବୁଝି ପାରୁଥିବାରୁ ପରସ୍ପରକୁ ସତୀଥରୂପେ, ସହଯାତ୍ରୀ ରୂପେ ହୁଏତ ଗ୍ରହଣ କରି ପାରୁଥାନ୍ତେ । ଯଦି ପ୍ରତ୍ୟେକ ମଣିଷ ସମାନ ବା ଅନ୍ତତଃ ପାଖାପାଖି ସମ୍ପନ୍ନତା ଭିତରେ ରହିଥାନ୍ତେ, ତେବେ ସେମାନେ ପରସ୍ପରକୁ ହୁଏତ ମୋଟେ ଦାବି ରଖନ୍ତେନାହିଁ, ଜଣେ ଆଉଜଣକୁ ଦଳିଦେଇ ଚାଲିଯିବାକୁ ମୋଟେ ମନ କରନ୍ତାନାହିଁ । ସେମାନେ କେହି ନିଜକୁ ହୀନ ଅଥବା ଉଗ୍ର ମନେକରନ୍ତେନାହିଁ । ବର୍ତ୍ତମାନ, ଧିକ୍ ଆମର ଏହି ବ୍ୟବସ୍ଥାକୁ, ଏହି ପୃଥିବୀ ଏପରି ହୋଇଛି ଯେ, ଜଣେ ମଣିଷ ଆଉ ଜଣେ ମଣିଷକୁ ଈର୍ଷା କରୁଛି, ସେହି ଆଉଜଣେ ରହିଥିବା ପର୍ଯ୍ୟନ୍ତ ତା’ ନିଜର ସତେଅବା କୌଣସି ନିରାପତ୍ତା ନାହିଁ ବୋଲି ସେ କେଡ଼େ ସବ୍‌ଜାନ୍‌ତାପରି ଅନୁମାନ କରିନଉଛି ।

 

ଖାସ୍ ସେହି ପୃଥିବୀଟା ହିଁ ବଦଳିବ । ଭଗବାନ କୋଉଦିନ କଳ୍‌କି ଅବତାର ନେବେ ଓ ତା’ପରେ ଦୁଷ୍ଟଦଳନ ବା ମ୍ଳେଚ୍ଛସଂହାର କରିବାକୁ ଆସିବେ, ଅଥବା ଗୋଟାଏ ଦଳ ବା ପକ୍ଷ ଆଉଗୋଟାଏ ପକ୍ଷକୁ ନିର୍ମୂଳ କରି ପକାଇବ, କେଉଁ ତଥାକଥିତ ଅତ୍ୟାଚାରୀଙ୍କ ହାତରୁ କ୍ଷମତା ଛଡ଼ାଇ ଆଣି ନିଜେ ଚକ୍ରବର୍ତ୍ତୀ ହୋଇ ସେହି କ୍ଷମତାକୁ ଭୋଗ କରିବ, ଏହାଦ୍ଵାରା ପୃଥିବୀ ବଦଳିବ ନାହିଁ । ମାତ୍ର, ଆମଭିତରୁ ଯିଏ ଏପରି ଏକ ଅନ୍ୟ ପୃଥିବୀକୁ ମନ କରୁଛନ୍ତି, ମଣିଷକୁ ବଡ଼ ବା ସାନ ବୋଲି ନଦେଖି ସାଙ୍ଗ ଓ ସହଚାରୀ ବୋଲି ଦେଖୁଛନ୍ତି, ଯେଉଁମାନେ ପୃଥିବୀନାମକ ଏହି କଚେରୀରେ ଲଢ଼ାଇ କରି ନିଜ ସକାଶେ କୌଣସି ଡିଗ୍ରୀ ନେବାକୁ ଆସିନାହାନ୍ତି, ସେଇମାନେ ଇଚ୍ଛା କଲେ ଅର୍ଥାତ୍ ବର୍ତ୍ତମାନର ପୃଥିବୀଟାକୁ ଏକାନ୍ତ ଅସହ୍ୟ ଓ ଏକାନ୍ତ ଅସୁସ୍ଥ ବୋଲି ଅନୁଭବ କଲେ, ସେମାନେ ଅନ୍ୟପ୍ରକରାର ସମ୍ବନ୍ଧରେ ବଞ୍ଚି ପାରିଲେ, ଅନ୍ତତଃ ଆମ ପରସ୍ପର ସହିତ ସେହି ନୂତନ ସମ୍ବନ୍ଧଟିର ମାଧ୍ୟମରେ ସେହି ଇପ୍ସିତ ଅନ୍ୟ ପୃଥିବୀଟିକୁ ବଞ୍ଚି ପାରିବେ । ସାହସର ସହିତ, ପ୍ରତ୍ୟୟର ସହିତ, ଶ୍ରଦ୍ଧାର ସହିତ ବଞ୍ଚିବେ । ହୁଏତ ତେବେଯାଇ ଗୋଟିଏ କିଛି ନୂତନ ଆରମ୍ଭ ସମ୍ଭବ ହେବ, ପୁରୁଣା ଅବିଶ୍ଵାସଗୁଡ଼ିକ ବଦଳିବ ।

 

୭. ୯. ୯୪

 

ମୁଁ ଯାହାକୁ ନିଜ ଭିତରେ ଖୁସି ବୋଲି କହେ, ସେଇ ହେଉଛି ଶକ୍ତି, ସେଇ ହେଉଛି ସମ୍ମତି । ସେଇ ସ୍ନାନିଧ୍ୟ ଓ ତେଣୁ ସେଇ ହେଉଛି ଶକ୍ତି । ଏଥିରେ ଆଦୌ କୌଣସି ଏପାଖ ସେପାଖ ନଥାଏ । ଅର୍ଥାତ୍, ଏପାଖରେ ସୂର୍ଯ୍ୟକିରଣ ପଡ଼ିଥିଲା ବେଳେ ସେପାଖରେ କଦାପି ମେଘ ଘୋରାଇ ନଥାଏ । ଏ ପାଖରେ ସବୁକିଛି ହସୁଥିବା ବେଳେ ସେପାଖେ କିଛି ଆଉକିଛି ହୋଇ ପାରିଲାନାହିଁ ବା ମିଳି ପାରିଲାନାହିଁ ବୋଲି ରୋଦନ କରୁନଥାଏ । ହୃଦୟ ଓ ମନ ଏକାଠି ହୋଇ ରହିଥାନ୍ତି । ବାହାରର ଆଖିମାନେ ଭିତର ଯାଏ ଦେଖି ପାରୁଥାନ୍ତି ଓ ଭିତରର ଆଖିଟି ଏହି ବାହାରର ଆଖିଗୁଡ଼ିକ ସକାଶେ ଆପଣାକୁ ଅଧିକ ଧନ୍ୟ ମନେ କରୁଥାଏ ।

 

ଏମିତି ଏକ ଖୁସି ହିଁ ପୃଥିବୀକୁ ଦେଖିବାର ଓ ନିଜ ସହିତ ଆଣି ଯୋଡ଼ି ରଖିବାର ଦର୍ପଣ ଅଥବା ଶୈଳୀଟିପରି କାର୍ଯ୍ୟ କରୁଥିବା ପର୍ଯ୍ୟନ୍ତ ଆଉ ନାସ୍ତିକ ହେବାର ଅଥବା ବିଶ୍ଵନିନ୍ଦୁକ ହେବାର କୌଣସି ଭୟ ନଥାଏ । ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ନିଜର ଖୁସିଗୁଡ଼ାକୁ ସତେଅବା ଆଉ କେତେ କ’ଣର ପରିମାଣ ବୋଲି ଅନୁଭବ କରୁଥାନ୍ତି । ଧନ, ମାନ, ଜ୍ଞାନ, ଯଶ ଓ ଆହୁରି କେତେ କ’ଣକୁ ସେମାନେ ପ୍ରାଥମିକ ଓ କାରଣ ମନେ କରି ଲୋଡ଼ୁଥାଆନ୍ତି । ସମ୍ଭବତଃ ସେହି କାରଣରୁ, ସେମାନଙ୍କ ପାଖରେ ସବୁଥାଏ, ତଥାପି ଖୁସିଟି ନଥାଏ । ଏହି ଖୁସିଟି ସହିତ ଯେତିକି ଯେତିକି ଅନ୍ତରଙ୍ଗ ସାକ୍ଷାତ ହେବାରେ ଲାଗିଛି, ଯେତିକି ଯେତିକି ତାହା ମୋ’ର ଯାବତୀୟ ଗତିଶୀଳତାର ଅସଲ ଚେରଟିପରି ଅନୁଭୂତ ହେଉଛି, ମୁଁ ସେତେଅବା ସେତିକି ଅଧିକ ପରିମାଣରେ ଓ ଅଧିକ ପ୍ରତ୍ୟକ୍ଷ ଭାବରେ ଜାଣୁଛି ଯେ, ସେହି ଖୁସିଟି ସକାଶେ ହିଁ ଧନ, ମାନ, ଯଶ ଓ ଜ୍ଞାନ ମୋ’ ପାଖରେ ସବୁ ପୂରି ରହିଥିଲାପରି ମନେ ହୋଇ ପାରୁଛି । ସେଗୁଡ଼ିକ ଆଉ ମୋଟେ ବନ୍ଧନ ବା ବୋଝପରି ଲାଗୁନାହାନ୍ତି, ସତକୁ ସତ ମିତ୍ରପରି ଲାଗୁଛନ୍ତି । ଏବଂ, ସବୁକିଛି ମିଶି ଏହି ସଂସାରଟା ମଧ୍ୟ କେଡ଼େ ଭଲ ଲାଗୁଛି । ଏକାବେଳେକେ ନିଜର ଘରପରି ଲାଗୁଛି । କେବଳ ଏହି ଆକାଶଟା ନୁହେଁ, ଏହି ମଣିଷମାନେ ମଧ୍ୟ ପରମାତ୍ମୀୟପରି ଲାଗୁଛନ୍ତି । ମୁଁ ଏହି ସମସ୍ତଙ୍କ ସହିତ ଏକାଠି ମୁଣ୍ଡ ଉପରର ଆକାଶକୁ ହିଁ ଜୀବନର ସବୁଠାରୁ ବଡ଼ ଆଶୀର୍ବାଦରୂପେ ଗ୍ରହଣ କରି ବାଟ ଚାଲିବାରେ ଲାଗିଛି । ଯାହାକୁ ପଣ୍ଡିତମାନେ ମାୟା ବୋଲି ମଣି ଦୂରରେ ରହିଛନ୍ତି, ତା’ର ମଧ୍ୟ ନିଶ୍ଚିତ ଭାବରେ ଏକ ହୃଦୟ ରହିଛି ବୋଲି ଅନୁଭବ ହେଉଛି ଓ ତାହାହିଁ ମୋଟେ କେତେ କ’ଣ ଉଦ୍‌ଘାଟନକାରୀ ବିସ୍ତୃତି ମଧ୍ୟକୁ ଟାଣି ନେଇଯାଉଛି ।

 

୨୫. ୯. ୯୪

 

ଚଳଚ୍ଚିତ୍ରର ଜୀବନପଟ ଉପରେ କେତେ ପ୍ରକାରର କେତେ ମଣିଷ ଭାସି ଭାସି ଚାଲି ଯାଉଥାନ୍ତି । ସେମାନେ କେତେ ହସାନ୍ତି ଓ କେତେ କନ୍ଦାନ୍ତି । ନିଜେ ମଧ୍ୟ କେତେ ହସନ୍ତି ଓ କେତେ କାନ୍ଦନ୍ତି । ନିଜ ଭୂମିକାଗୁଡ଼ିକରେ କେତେ ବୀଭତ୍ସ ହୁଅନ୍ତି ଓ ଆଉକେତେ କେଡ଼େ ଉଦାର ହୁଅନ୍ତି । କଥାକାରର ବରାଦ ଅନୁସାରେ ସେମାନେ କେତେ କେତେ ଦଣ୍ଡ ଓ ପୁରସ୍କାର ପାଉଥାନ୍ତି । ସେମାନଙ୍କୁ ଅବଲୋକନ କରୁଥିବା ଆମେ ଅନ୍ୟ ମଣିଷମାନେ କୁଆଡ଼େ ତାହାରିଦ୍ଵାରା ନିଜ ଭିତରେ ମଧ୍ୟରେ ନାନାଭାବେ ପରିଚାଳିତ ଏବଂ ପରିଧାବିତ ହେବାରେ ଲାଗିଥାଉ । ଚଳଚ୍ଚିତ୍ର ଭିତରେ ରହିଥିବା ଯେତେ ତଥାକଥିତ ଭଲ ଓ ମନ୍ଦ ମଣିଷ , ଯେତେ ଉଦାର ଏବଂ କୃପଣ ମଣିଷ, ସେମାନେ ଯେଉଁ ସମାଜଟିର ପ୍ରାଣୀ, ସେହି ସମାଜରେ codeଗୁଡ଼ିକଦ୍ଵାରା ଏପାଖ ସେପାଖ ଘୋଷରା ହେବାରେ ଲାଗିଥାନ୍ତି । କିଏ ଯନ୍ତ୍ରପରି ଅନ୍ୟମାନଙ୍କୁ ଘୋଷାରିବାରେ ଲାଗିଥାଏ, ପୁଣି ଆଉକିଏ ସେହି ଘୋଷରାଗୁଡ଼ାକୁ ନିଜେ ଭୋଗିବାରେ ମଧ୍ୟ ଲାଗିଥାଏ ।

 

ମତି ଥିବା ଅନେକ ମଣିଷ ଆମ ଏଠା ଜୀବନଟାକୁ ମଧ୍ୟ ଅନେକ ସମୟରେ ଚଳଚ୍ଚିତ୍ରର ଜୀବନ ସହିତ ତୁଳନା କରିଛନ୍ତି । କୌଣସି ଏକ ଅନାବିଷ୍କୃତ ନଦୀର ଅବିଚ୍ଛିନ୍ନତାର ସ୍ରୋତରେ ସେମାନେ ମଣିଷକୁ ଓ ତା’ର ତଥାକଥିତ ସେହି ଜୀବନକୁ ବୁଦ୍‌ବୁଦ ସହିତ ତୁଳନା ବି କରିଛନ୍ତି । ଏହି ଯାବତୀୟ ରୀତି ପଛରେ ସତକୁ ସତ ଜୀବନ ବୋଲି ଯେ ରୀତି ରହିଛି ଏବଂ ସେହି ରୀତିଗୁଡ଼ିକୁ ବଞ୍ଚିବାକୁ ଘଟଣାକ୍ରମେ ପ୍ରାୟ ବାଧ୍ୟ ହୋଇ ବଞ୍ଚୁଥିବା ମଣିଷମାନଙ୍କର ଯାବତୀୟ ଘୋଷାରି ହେବା ଓ ତଜ୍ଜନିତ ଭଲ ଓ ମନ୍ଦ ହେବା ପଛରେ ଯେ ସତକୁ ସତ ମଣିଷ ବୋଲି ଏକ ଆହ୍ଵାନ ରହିଛି, ସେହି କଥାଟିର ସନ୍ଦେଶଟିକୁ ମୁଁ ଚଳଚ୍ଚିତ୍ରଗୁଡ଼ିକର କାହାଣୀ ପଛରେ ଖୋଜିବାରେ ଲାଗିଥାଏ । ତଥାକଥିତ ସଂସାରରେ କେଡ଼େ ବାଗରେ ଆମକୁ ନାନା ସ୍ତରର ଏକ ଚଳନ୍ତି ସୂତ୍ରରେ ବାନ୍ଧି ରଖିଥିବା ସମ୍ବନ୍ଧଗୁଡ଼ିକ ପଛରେ ସତକୁ ସତ ଆଉ ଏକ ନିତ୍ୟସମ୍ବନ୍ଧ ରହିଛି ବୋଲି ଆଘ୍ରାଣ କରି ମୁଁ ଯେପରି ସେଇଟିକୁ ନିଜ ଭିତରେ ଓ ଅପର ସମସ୍ତଙ୍କ ଭିତରେ ଖୋଜିବୁଲୁଥାଏ, ଏହା ପ୍ରାୟ ସେହିପରି ଏକ କଥା । ସେହି ଅସଲ ସମ୍ବନ୍ଧଟିକୁ ଉପରଠାଉରିଆ ଭାବରେ କେତେ ମଣିଷ କିପରି ଭଗବାନ ବୋଲି କହି ନିଜ ସମସ୍ୟାଟିର ଏକ ସମାଧାନ କରି ପକାନ୍ତି, ମୁଁ ବିସ୍ମିତ ହୋଇ ସେହିକଥା ଦେଖୁଥାଏ । ମୁଁ ଏହି ଯାବତୀୟ ଭଗବାନ ପଛରେ ସେତେଅବା ଆଉ ଏକ ଭଗବାନଙ୍କର ସନ୍ଧାନ କରିବାର ଲାଗିଥାଏ ।

 

୨୯. ୯. ୯୪

 

ଏ ଦେହ ଅନ୍ଧ ନୁହେଁ କି ଏ ମନ ମଧ୍ୟ ଅନ୍ଧ ନୁହେଁ । କେବେଳ ଜଣକ ଉପରେ କୌଣସି କାରଣରୁ ଦୌରାତ୍ମ୍ୟ କରି ବାହାରିଲେ ଜଣେ ନିଜକୁ ଆଖିଥିଲାପରି ଭାବେ ଏବଂ ଅପରଟିକୁ ଅନ୍ଧ ବୋଲି ଧରିନିଏ । ଯିଏ କେବଳ ନିଜକୁ ହିଁ ଏକମାତ୍ର ଆଖି ଥିଲାବାଲା ବୋଲି ଭାବୁଥାଏ, ଅପରକୁ ଗୋଟାସୁଦ୍ଧା ଅନ୍ଧ ବୋଲି ଭ୍ରମ କରିବାଲାଗି ହୁଏତ ବିନୋପପ୍ରିୟ ସ୍ଵୟଂ କେଉଁ ଭଗବାନ ମଧ୍ୟ ତାକୁ ଅନ୍ତତଃ ସେହି ସମୟଟି ପାଇଁ ଦୁର୍ବୁଦ୍ଧି ଯୋଗାଇ ଦେଉଥିବେ । ଦେହ ଏବଂ ମନ ଭିତରେ ଯାବତୀୟ ପାରସ୍ପରିକତାର କ୍ଷେତ୍ରରେ ସମ୍ଭବତଃ ପ୍ରାୟ ସବୁଯାକ କଳହ ମଧ୍ୟ ଏଇଥୁରୁ ।

 

ଉପନିଷଦରେ ଜଣେ ଅନ୍ଧ ଆଉଜଣେ ଅନ୍ଧକୁ ବାଟ ଦେଖାଇ ନେଇ ଯାଉଥିବାର ଚର୍ଚ୍ଚା କରାଯାଇଛି । ତା’ପରେ କୁହାଯାଇଛି ଯେ, ଯଦି ଜଣେ ସୁସ୍ଥ ପାଦବିଶିଷ୍ଟ ଅନ୍ଧ ହୋଇଥାଏ ଏବଂ ପାଦ ନଥିବା ଅଥଚ ଆଖି ଥିବା ଛୋଟଟିଏ ଯଦି ତା’ର କାନ୍ଧଉପରେ ଯାଇ ବସିପାରେ, ତେବେ ସେମାନଙ୍କର ଦୁଇଜଣଙ୍କର ବାଟଚଲା ମଧ୍ୟ ସମ୍ଭବ ହୋଇପାରିବ । ମନ ଆଉ ଦେହ ପରସ୍ପର ଉପରେ ଦୌରାତ୍ମ୍ୟ କରିବେନାହିଁ । ଜଣେ ସବୁବେଳେ ଅନ୍ଧ ହୋଇ ରହି ଆରଟିକୁ ଛୋଟା ହେବାର ମନ୍ତ୍ରଣା ଦେବାପାଇଁ କୌଣସି ପ୍ରୟୋଜନ ମଧ୍ୟ ଆସିବନାହିଁ । ମନ ଓ ଦେହ ଜଣେ ଅପରର ବନ୍ଧୁ ହୋଇଯିବେ । ଆପଣାର ଅସଲ ଉତ୍ତରାଧିକାରୀ ଅନ୍ତର୍ଗତ ଓ ଅପେକ୍ଷମାଣ ଶିଖରଟିକୁ ସତକୁ ସତ ସର୍ବଶୁଭ ବୋଲି ସ୍ଵୀକାର କରିନେଲେ ସେମାନେ ପରସ୍ପରର ବନ୍ଧୁ ହୋଇଯିବାଟା ଆଦୌ କଷ୍ଟକର ହେବନାହିଁ । ତା’ପରେ ଦୁହିଁଙ୍କ ମଧ୍ୟରେ କିଞ୍ଚିତ୍ ସାମୟିକ ରହସ୍ୟ ଲାଗିଥିଲେ ମଧ୍ୟ ଆଦୌ କୌଣସି କ୍ଷତି ହେବନାହିଁ । ଅର୍ଥାତ୍, ବେଳେବେଳେ ମନ ସ୍ଵଇଚ୍ଛାରେ ଅନ୍ଧ ହୋଇଯିବ ଓ ଦେହ ଛୋଟା ହୋଇ ତା’ର କାନ୍ଧଉପରେ ବସିଥିବ ଏବଂ ଆଉ ବେଳେବେଳେ ଦେହ ମନକୁ ମନ ଅନ୍ଧ ହୋଇଯିବ ଓ ମନ ଛୋଟ ହୋଇ ତା’ ଉପରେ ଯାଇ ବସିଥିବ । ଦୁଇ ସାଙ୍ଗଙ୍କର ଅନ୍ତତଃ ବାଟଚଲା ସବୁବେଳେ ଅବ୍ୟାହତ ରହିଥିବ । ଏହିପରି ଚାଲୁ ଚାଲୁ ଏପରି ଏକ ମୁହୂର୍ତ୍ତ ଆସିବ, ଯେତେବେଳେ କି ରହସ୍ୟ କରିବା ପାଇଁ ମଧ୍ୟ କେହି କାହାରି ଉପରେ ଯାଇ ବସିବାର ପ୍ରୟୋଜନ ରହିବନାହିଁ । ଦୁହେଁ ହାତ ଧରାଧରି ହୋଇ ବାଟ ଚାଲିବେ, ନିଜ ଭିତରର ଗିରିଶିଖରଟିକୁ ସ୍ପର୍ଶ କରି ସେଇଟିଦ୍ଵାରା ଅଭିମନ୍ତ୍ରିତ ହୋଇ ରହିଥିବାପରି ବାଟ ଚାଲିବେ । ମୋ’ ଦେହ ଓ ମୋ’ ମନ ମୋତେ ମୋ’ ଅନୁଭବର କ୍ଷେତ୍ରରେ ସେହି ପ୍ରଚୋଦନାଟି ଆଣି ବାରବାର ଦେଇଯାଇ ଥାଆନ୍ତି ।

 

୩୦. ୧୦. ୯୪

 

ଆଶ୍ରମ ଗୋଟାସୁଦ୍ଧା ଘରପରି ଅନୁଭବ ହୁଏ । ଏବଂ ତେଣେ ଘର ମଧ୍ୟ ଆଶ୍ରମପରି ଅନୁଭବ ହୁଏ । ଉଭୟେ ପଥପରି ଅନୁଭୂତ ହୁଅନ୍ତି । ଘର ବା ଆଶ୍ରମ,–ଦୁଇଟି ଭିତରୁ କୌଣସିଟି ଅଟକାଇ ଦେବାଲାଗି ଆଦୌ ତିଆରି ହୋଇନାହାନ୍ତି । ଗୁରୁ ମଧ୍ୟ ଅଟକାଇ ଦେବା ନିମନ୍ତେ ଆଦୌ ତିଆରି ହୋଇନାହାନ୍ତି । ଗୁରୁ ହେଉଛନ୍ତି ପଥ ଚାଲୁଥିବା ଏବଂ ଚାଲୁ ଚାଲୁ ପଥ ଦେଖାଇ ଦେଉଥିବା ଜଣେ ବନ୍ଧୁ । ସମ୍ଭବତଃ ସେହି କାରଣରୁ ଗୁରୁ ନାମକ ବନ୍ଧୁ ଏତେ ନିଜର, ଏତେ ନିବିଡ଼ପରି ମନେ ହୁଅନ୍ତି । ଗୁରୁ ପାଖରେ ଥିଲେ ଆଦୌ ଡର ମାଡ଼େନାହିଁ । ଗୁରୁଙ୍କୁ ଡର ମାଡ଼ିବା ତ ଆହୁରି ଅଧିକ ଦୂରର କଥା । ଗୁରୁଙ୍କ ଭିତରେ ଏପରି କିଛି ଥାଏ, ଯାହାକି ମୋତେ ତାଙ୍କପାଖକୁ ଆକର୍ଷିତ କରି ଆଣିଥାଏ; ଏବଂ ମୋ’ ଭିତରେ ବି ଏପରି କିଛି ରହିଥାଏ, ଯାହାକି ତାଙ୍କୁ ମୋ’ ପାଖକୁ, ମୋ’ର ଅନ୍ତରନିବିଡ଼କୁ ଆକର୍ଷିତ କରି ଆଣିଥାଏ । ଏହି କ୍ଷେତ୍ରରେ ଏପରି ଗୋଟିଏ ନିବିଡ଼ତା ରହିଥାଏ, ଯାହାକି ଆଦୌ କୌଣସି ପ୍ରକାରେ ଗିଳି ପକାଇବାକୁ ଇଚ୍ଛା କରୁନଥାଏ ।

 

ଗିଳି ନପକାଇବା ଏବଂ ତଥାପି ନିବିଡ଼ ହୋଇ ରହିଥିବା,–ସମ୍ଭବତଃ ଏହାରିଦ୍ଵାରା ହିଁ ଯଥାର୍ଥ ଭୟମୁକ୍ତି ସମ୍ଭବ ହୋଇଥାଏ । ଏବଂ, ଆଶ୍ରମ ଏପରି ଗୋଟିଏ ସ୍ଥାନ, ଯେଉଁଠାକୁ ଆସିଲେ ହିଁ ଭୟମୁକ୍ତିର ଆସ୍ଵାଦନ ଉପଲବ୍ଧ ହୋଇଯାଏ । ଆମ ସଂସାରରେ ଘର ମଧ୍ୟ ଆମ, ତୁମ ସମସ୍ତଙ୍କରଲାଗି ଭୟମୁକ୍ତିର ସ୍ଥାନଟିଏ ହୋଇପାରନ୍ତା । ସେତିକିବେଳେ ଯାଇ ଆଶ୍ରମ ଭଳି ଲାଗନ୍ତା, ଓ ଆଶ୍ରମଟା ଘରପରି ଲାଗନ୍ତା । ଯୋଉମାନେ ଘରେ ଦଗ୍ଧ ହୋଇ ଆଶ୍ରମକୁ ଶୀତଳ ହେବାକୁ ଆସନ୍ତି, ମୁଁ ସେମାନଙ୍କୁ ମୋଟେ ବୁଝି ପାରେନାହିଁ । ସେଠି ଶୀତଳ ନହେଲେ ଏଠାରେ ମଧ୍ୟ କିପରି ଶୀତଳ ହେବା ସମ୍ଭବ ହୁଏ, ମୁଁ ଏକଥା ଆଜିଯାଏ କେବେହେଲେ ଅନୁଭବ କରିନାହିଁ-। ନିବିଡ଼କୁ ଅଙ୍ଗେ ନିଭାଇଲେ ଯାଇ ବିସ୍ତାରକୁ ପାଇହୁଏ ଏବଂ ବିସ୍ତାରକୁ ଅଙ୍ଗେ ନିଭାଇଲେ ଯାଇ ନିବିଡ଼କୁ ବି ପାଇହୁଏ । ଜୀବନରେ ଏହି ପାଠଟା ହିଁ ମୋତେ ସବୁଠାରୁ ଅଧିକ ଉଦ୍‌ବୁଦ୍ଧ କରି ଆସିଛି । ମୋତେ ଅନେକ ଈର୍ଷା, ଅନେକ କାମନା ଏବଂ ତେଣୁ ଅନେକ ବିନଷ୍ଟିରୁ ରକ୍ଷା କରି ଆସିଛି । ତେଣୁ ମୁଁ ଆଶ୍ରମପ୍ରତି ଅତ୍ୟନ୍ତ କୃତଜ୍ଞ ଓ ଘରପ୍ରତି ମଧ୍ୟ ଅତ୍ୟନ୍ତ କୃତଜ୍ଞ । ଏହି ଆଶ୍ରମରେ ମୋତେ କେହିହେଲେ ସଂସାରତ୍ୟାଗୀପରି ଦିଶନ୍ତିନାହିଁ, ତେଣୁ ଗୋଟାସୁଦ୍ଧା ସହଚାରୀପରି ଦିଶନ୍ତି-। ଏବଂ ଘରେ ମଧ୍ୟ ମୋ’ପାଇଁ କେହି ମୋତେ ଅଟକାଇ ରଖୁଥିବା ଏକ ପ୍ରତିବନ୍ଧକପରି ଦିଶନ୍ତିନାହିଁ । ସେମାନେ ବି ବାଟ ଚାଲୁଥାନ୍ତି,–ନିଜ ନିଜ ଭିତରର ସର୍ବୋତ୍ତମଙ୍କ ଇଙ୍ଗିତକୁ ଯେପରି ଭାବରେ ବୁଝୁଥାନ୍ତି, ସେହି ଅନୁସାରେ ବାଟ ଚାଲୁଥାନ୍ତି । ମୁଁ କେଡ଼େ ସହଜରେ ସେମାନଙ୍କ ସହିତ ନିଜକୁ ଗୋଟିଏ ଦଳରେ ସାମିଲ୍ କରି ରଖିଥାଏ । ସେହିପରି ଏଠାରେ ମଧ୍ୟ ସାମିଲ୍ କରି ରଖିଥାଏ । ତେଣୁ ଏଠି ମଧ୍ୟ ଘରର ଅନୁଭବ ମିଳୁଥାଏ ।

 

୩୧. ୧୦. ୯୪

 

ସେଠାରେ ପହଞ୍ଚୁଥିବାର ମାର୍ଗରେ ମୋ’ ସହିତ ଆଉକିଏ ଅଛନ୍ତି କି ନାହିଁ, ସେ ବିଷୟରେ ମୋ’ର କୌଣସି ହୋସ୍ ନଥିଲା । ଲକ୍ଷ୍ୟଟି କେବଳ ମୋ’ର ଲକ୍ଷ୍ୟ ବୋଲି ମନେ ହେଉଥିଲା । ପ୍ରେମ କହିଲେ ମୁଁ ସତେଅବା କେବଳ ତାଙ୍କପ୍ରତି ମୋ’ରି ପ୍ରେମ ବୋଲି ବୁଝୁଥିଲି । ସିଏ ସତେଅବା କେବଳ ମୋ’ରି ପ୍ରେମଲାଗି ଅପେକ୍ଷା କରି ବସିଛନ୍ତି ବୋଲି ବୋଧ ହେଲାବେଳେ କେଡ଼େ ଭଲ ଲାଗୁଥିଲା । ତେଣୁ, ଧାଇଁବା ସମୟରେ ମୁଁ ଏକା ଧାଉଁଥିଲି, ସଂଗ୍ରହ କଲାବେଳେ କେବଳ ନିଜ ମୁଣିଟି ପାଇଁ ସଂଗ୍ରହ କରିବାରେ ଲାଗିଥିଲି । ତାହା ଏକ ଅପୂର୍ବ ଅନୁଭୂତି । ସେତେବେଳେ ଏକାଗ୍ରତା ନିମନ୍ତେ ଆଦୌ କୌଣସି ଶ୍ରମ କରିବାକୁ ପଡ଼ୁନଥିଲା ।

 

ଏବଂ, ସେଠାରେ ପହଞ୍ଚି ସେହି ସ୍ପର୍ଶଟିକୁ ବହନ କରି ଫେରି ଆସିବା ପରେ ଏବେ ମୁଁ ଦେଖୁଛି, ଏଠାରେ ମୋ’ ସହିତ ସମସ୍ତେ ହିଁ ରହିଛନ୍ତି । ମୁଁ ଆଦୌ ଏକୁଟିଆ ନୁହେଁ । ମୁଁ ଯେପରି ଆଦୌ ଏକୁଟିଆ କିଛିହେଲେ ମାଗୁନାହିଁ କିମ୍ବା ଏକୁଟିଆ ଆଦୌ କିଛିହେଲେ ଗ୍ରହଣ କରୁନାହିଁ । ସମସ୍ତେ ମୋ’ ସାଙ୍ଗରେ ଅଛନ୍ତି । ମୁଁ ସମସ୍ତଙ୍କ ସହିତ ବାନ୍ଧି ହୋଇ ରହିଛି, ଏକ ଅପରିସୀମ ମୁକ୍ତିରେ ବାନ୍ଧି ହୋଇ ରହିଛି । ପ୍ରେମ କହିଲେ ହୁଏତ ଏହିପରି ଏକ ଅପରିସୀମ ମୁକ୍ତିକୁ ବୁଝାଏ, ଯାହାକି ବାନ୍ଧି ପକାଏ ଏବଂ ତାହାରି ମାଧ୍ୟମରେ ସାରା ସଂସାରର କରିପକାଏ । ମୋ’ର ଯାବତୀୟ ପାଇବା, ଇଏ କ’ଣ ଖାଲି ମୋ’ରି ପାଇବା ? ମୋ’ର ଯାବତୀୟ ସଂଗ୍ରହ, ଇଏ କ’ଣ ଖାଲି ଏକା ମୋ’ରି ସଂଗ୍ରହ ? ଏହା ସତେଅବା ଏକବେଳେକେ ସମସ୍ତଙ୍କ ପାଇଁ, ସମଗ୍ର ସଂସାର ପାଇଁ । ମୁଁ ସତେଅବା ଏକ ମାଧ୍ୟମ,–ସମସ୍ତଙ୍କର ବ୍ୟବହାର ପାଇଁ ଏକ ମାଧ୍ୟମ । ଏଭଳି ନହେବାଯାଏ ମଣିଷ ଭାରି ମାୟାବାଦୀ ହୋଇ ରହୁଥିବ । ବ୍ରହ୍ମ-ସାକ୍ଷାତ୍‌କାର ଏବଂ ସତ୍ୟ-ସାକ୍ଷାତ୍‌କାରକୁ କେବଳ ନିଜର ଏକ ସାକ୍ଷାତ୍‌କାର ବୋଲି ଅନୁଭବ କରୁଥିବ । କାହାର ହୋଇଯିବା ପୂର୍ବରୁ କାହାକୁ ନିଜର ବୋଲି କହିବାରେ ହୁଏତ କେତେନା କେତେ ଆନନ୍ଦ ଅନୁଭବ କରୁଥିବ । ଭଗବାନ ସତେଅବା ତାହାରି ଉପରେ ଏହି ସଂସାରର ସବୁଯାକ କୃପା ବର୍ଷଣ କରୁଛନ୍ତି ବୋଲି ଭାରି ଆତ୍ମକେନ୍ଦ୍ରୀ ହୋଇ ବିଚାର ବି କରୁଥିବ । ସମ୍ଭବତଃ, ଏହିପରି ଏକ ଧନ୍ଦା ଭିତରେ ପଡ଼ିଯାଇ ପୃଥିବୀରେ ଜ୍ଞାନ କୃପଣ ହୋଇଯାଏ, ଭକ୍ତି କୃପଣ ହୋଇଯାଏ, ଭଲ ପାଇବାଗୁଡ଼ାକ ମଧ୍ୟ ଭାରି କୃପଣ ହୋଇଯାଆନ୍ତି । କୃପଣ ହେବାରୁ ହିଂସ୍ର ହୁଅନ୍ତି ଓ ଉପଦ୍ରବୀ ହୋଇଯାଆନ୍ତି । ଏବଂ, କୃପଣତାରୁ ସମ୍ପ୍ରଦାୟଟିଏ, ଭେକଟିଏ ଓ ସନ୍ତକଟିଏ ବାହାର କରିବାର ଏକ ଆବଶ୍ୟକତା ମଧ୍ୟ ଆସି ପହଞ୍ଚିଯାଏ । ଏହି ସକାଳ ଯେ କେବଳ ମୋ’ରି ନୁହେଁ, ତାହାହିଁ ମୋ’ ପରିଚୟର ଯାବତୀୟ ସୌଭାଗ୍ୟ ଏବଂ ଯାବତୀୟ ଐଶ୍ଵର୍ଯ୍ୟ । ପୃଥିବୀର ସବୁକିଛି ସାଧନା ଓ ସବୁକିଛି ଉପଲବ୍ଧି ଏହି ଐଶ୍ଵର୍ଯ୍ୟଦ୍ଵାରା ହିଁ ଅଧିକରୁ ଅଧିକ ଧନୀ ହେବାରେ ଲାଗିଥାଉ । ଧରଣୀ ଶାନ୍ତ ହେଉ, ଉଜ୍ଜ୍ୱଳ ହେଉ ।

 

୧. ୧୧. ୯୪

 

ପଥର ନଳାଟାଏ,–ରାତିରେ ବର୍ଷା ହୋଇ ପାଦ ବୁଡ଼ିଯିବାପରି ପାଣି ଜମା ହୋଇଛି । ତା’ରି ଭିତରେ ଦେଢ଼ ବା ଦୁଇ ବର୍ଷର ପିଲାଟିଏ ଦୁଇ ଆଣ୍ଠୁ ଯୋଡ଼ିକରି ବସି ଝାଡ଼ା ଫେରୁଛି । ଦେହରେ କିଛି ନାହିଁ, ତେଣୁ ସକାଳର ଶୀତପବନରେ ତା’ର ସମସ୍ତ ବାହ୍ୟ ଅସ୍ତିତ୍ଵଟା ଠକ ଠକ ହୋଇ ଥରୁଛି । ରାସ୍ତା ସେପାଖରେ ତା’ ମାଆ ପୁଣ୍ୟେଚ୍ଛୁ ବ୍ୟକ୍ତିମାନଙ୍କ ପାଇଁ ଗୋଲାପ ଫୁଲ ବିକୁଛି । ବ୍ୟକ୍ତିମାନେ ସତେଅବା କୁଣିଆଘର ଯାଉଥିବାପରି ଧୋବ ପିନ୍ଧି ଧୋବ ଦିଶି ସମାଧିବେଢ଼ା ଭିତରକୁ ଯାଉଥିବା ବାଟରେ କେଡ଼େ ଶ୍ରଦ୍ଧା ସହିତ ଫୁଲଗୁଡ଼ିକୁ କିଣି ନେଉଛନ୍ତି । ଅବଶ୍ୟ ସମାଧି ଉପରେ ଆଗରୁ ଭଳି ଭଳି ଫୁଲରେ କୋଠି କଟା ହୋଇଛି, କମ କଟା ହୋଇଛି । ସେତିକି ଦେଖି ପୁଣ୍ୟଚ୍ଛୁମାନଙ୍କର ଅନ୍ତର କଦାପି ପୂରି ଉଠିବନାହିଁ, ତେଣୁ ସେମାନେ ନିଜ ପଇସା ଦେଇ ନିଜ ତରଫରୁ ଫୁଲ କିଣୁଛନ୍ତି, ଯାହାକୁ ନେଇ ସେମାନେ ସେଇ କୋଠି ଓ କମ ଉପରେ ଅଲଗା କରି ଚଢ଼ାଇ ପାରିବେ । ସେମାନଙ୍କର ଏହି ପୁଷ୍ପର ଅର୍ଘ୍ୟକୁ ସେମାନଙ୍କର କଳ୍ପିତ ଭଗବାନ ଅଲଗା କରି ଗ୍ରହଣ କରିବେ ଓ ଅଲଗା କରି ମନେରଖିବେ,–ସତେଅବା ଏହିପରି ଏକ ପ୍ରୀତିରେ ପ୍ରବୁଦ୍ଧ ହୋଇ ସେମାନେ ଫୁଲ କିଣି ନେଇ ସମାଧିବେଢ଼ା ଭିତରକୁ ଯାଉଛନ୍ତି । ଛୁଆଟା କାହିଁକି ଶୀଘ୍ର କାମ ସାରିଦେଇ ନଳା ଭିତରୁ ବାହାରି ଆସୁନାହିଁ, ସେଥିପାଇଁ ଫୁଲବିକାଳି ମାଆ ମଝିରେ ମଝିରେ ଏପାଖରୁ ଥାଇ ରଡ଼ି କରୁଛି । ବିଚରା ପିଲାଟା ପାଦ ବୁଡ଼ି ଯାଇଥିବା ପାଣିରେ ସେହି କାର୍ଯ୍ୟଟିକୁ ସମ୍ପନ୍ନ କରିବାକୁ ସତେଅବା ବଡ଼ ଅସଜ ଅନୁଭବ କରୁଛି ଓ ତେଣୁ ଅସହାୟତା ସହିତ ଖାଲି ଏଣେତେଣେ ଅନାଉଛି ।

 

ମତେ ଏହି ସମ୍ପୂର୍ଣ୍ଣ ଦୃଶ୍ୟଟି ସତେଅବା ଏକ ପ୍ରତୀକଦୃଶ୍ୟପରି ଲାଗିଲା । ଏବଂ, ତଥାକଥିତ ଅଧ୍ୟାତ୍ମିକତା ଓ ପୁଣ୍ୟାର୍ଜନ ପ୍ରତି ଏକ ଚେତାବନୀପରି ବି ବୋଧ ହେଲା । ଆଧ୍ୟାତ୍ମିକତା କଦାପି କେବଳ ଶୁଖିଲାରେ ସୁକୁମାର ହୋଇ ଉଡ଼ୁଥିବା ତଥାକଥିତ ପୁଣ୍ୟଚ୍ଛୁମାନଙ୍କୁ ଆହୁରି ଉପରକୁ ଉଡ଼ାଇ ନେବାକୁ ଓ ହୁଡ଼ାଇ ନେବାକୁ ଆପଣାର ସବୁ କାମ ବୋଲି ଧରିନେଇ ସେତିକିରେ ନିଜର କାମ ସାରି ଦେବନାହିଁ । ଆଧ୍ୟାତ୍ମିକତା ଏହି ପିଲାଟିର ନିତାନ୍ତ ଗ୍ଳାନିକର ଅସହାୟତାର ଏକ ଯଥାର୍ଥ ସମାଧାନ ମଧ୍ୟ ବତାଇ ଦେଇ ପାରୁଥିବ । ଯୁଗ ଯୁଗ ଧରି ଆଧ୍ୟାତ୍ମବେଢ଼ାର ନେତା ଓ ଦ୍ରଷ୍ଟାମାନେ ଏହି ସମାଧାନଟିକୁ ଏଡ଼ିବା ନିମନ୍ତେ କେତେ କ’ଣ ଭେଳିକି ଲଗାଇଦେଇ ପୃଥିବୀକୁ ମୁଗ୍ଧ କରି ରଖିବାକୁ ଇଚ୍ଛା କରି ଆସିଛନ୍ତି । ସବାତଳ ପାହାଚର ଅସମ୍ମାନଗୁଡ଼ିକର ସମାଧାନ ନବତାଇ ଯେଉଁ ଭେଳିକି ମଣିଷକୁ ସବାଉପର ପାହାଚର କଥା କହି ମୁଗ୍ଧ କରି ରଖେ, ତାହା ଏହି ପୃଥିବୀର ବନ୍ଧନ ଫିଟିବାରେ ଏବଂ ଅନ୍ଧାର ଚାଲିଯିବାର ବିଶେଷ କୌଣସି ସାହାଯ୍ୟ କରି ପାରେନାହିଁ । ନିର୍ମମ ମଣିଷମାନେ ତାହାକୁ ଅତ୍ୟନ୍ତ ଅନାୟାସରେ ନିଜର ଏକ ବିଳାସରେ ପରିଣତ କରି ରଖିଛନ୍ତି ।

 

୨. ୧୧. ୯୪

 

ନିଜ ଜନ୍ମଦିନ ଦିନ ପୃଥିବୀକୁ ଅନାଇଲେ ପୃଥିବୀ ନୂଆ ପୃଥିବୀଟିଏପରି ଲାଗେ । ମଣିଷମାନଙ୍କ ଆଡ଼କୁ ଅନାଇଲେ ମଣିଷମାନେ ନୂଆ ମଣିଷଙ୍କପରି ଲାଗନ୍ତି । ସେହି ଦେହ ରହିଥାଏ, ସେହି ବେଗ ଓ ସଂବେଗଗୁଡ଼ିକ ରହିଥାଏ, ସେଇ ମନଟା ଡେଣା କରି ମୋ’ ସହିତଲାଗି ରହିଥାଏ; ଅଥଚ ଦେହ ନୂଆ ଦେହଟିଏପରି ଲାଗେ, ବେଗ ଓ ସଂବେଗଗୁଡ଼ିକ ନିଜର ନୂଆ ନୂଆ ବଳପରି ମନେ ହୁଅନ୍ତି । ମନଟା ବି ନୂଆ ପରିଚ୍ଛଦ ପିନ୍ଧି ଚନ୍ଦନପାଟୀ ଲଗାଇ ପାଖରେ ଠିଆ ହୋଇଥିବାପରି ମନେ ହେଉଥାଏ । ଏମାନେ ସମସ୍ତେ କେଉଁଠାରୁ ନୂଆ ଭାବରେ ସ୍ନାନ କରି ନୂଆ ହୋଇ ଆସିଥିବାପରି ମନେ ହେଉଥାନ୍ତି । ଏକାବେଳେକେ ନିଜର ବୋଲି ଅନୁଭୂତ ହୁଅନ୍ତି । ନିଜର ନିବିଡ଼ତମ ରହସ୍ୟଟି ସତେଅବା ଏକାବେଳେକେ ପ୍ରତ୍ୟକ୍ଷ ଏବଂ ସ୍ପର୍ଶସମର୍ଥ ହୋଇଗଲାପରି ଲାଗୁଥାଏ ।

 

ମଣିଷମାନେ ନୂଆ ଦିଶନ୍ତି, ଅର୍ଥାତ୍ ପୂର୍ଣ୍ଣପରିଣତପରି ମନେ ହୁଅନ୍ତି । ପୃଥିବୀ ନୂଆ ଦିଶେ, ଅର୍ଥାତ୍ ପୂର୍ଣ୍ଣପରିଚିତପରି ଅନୁଭୂତ ହୁଏ । ଆକାଶର ସବୁଯାକ ଆଶୀର୍ବାଦ ସତେଅବା ଏକ ଅପୂର୍ବ ସ୍ଵୀକୃତିର ପ୍ରତ୍ୟୟ ଦେଇ ମା’ ଉପରେ ଅଜାଡ଼ି ହୋଇ ପଡ଼ୁଥିବାପରି ଲାଗୁଥାଏ । ସାରା ଜୀବନଲାଗି ସମସ୍ତେ ଅବଶ୍ୟ ମୋ’ର ସାଙ୍ଗ ହୋଇ ରହିବେ ବୋଲି ଅନୁଭବ ହେବାରେ ଲାଗିଥାଏ । ମୁଁ ଆପଣାକୁ ଅନେକ ଧନ୍ୟବାଦ ଦେବି ଯେ, ଏହି ଅନୁଭୂତି ମୋତେ ତଥାକଥିତ ମୋ’ର ଜନ୍ମଦିନ ପରେ ମୋତେ ଆଦୌ ଛାଡ଼ି ଚାଲି ଯାଏନାହିଁ । ଏହି ନିବିଡ଼ତା ଏକ ନିଶା ନୁହେଁ ଯେ, ନିଶାଟା ଛାଡ଼ିଗଲେ ସେଇଟା ମଧ୍ୟ ମୋତେ ଛାଡ଼ି ଚାଲିଯିବ । ମୋ’ର ଏହି ଯାବତୀୟ ଆରାଧନା ଓ ଆତ୍ମୀୟତା ଆଦୌ ଗୋଟିଏ ଗୋଟିଏ ନିଶା ନୁହନ୍ତି ଯେ ଏକ ବିଶେଷ ଦିନର କୋଳାହଳ ସରିଗଲେ ସେମାନେ ମଧ୍ୟ ମୋତେ ଛାଡ଼ି ଚାଲିଯିବେ । ଜନ୍ମଦିନ ଏପରି ଗୋଟିଏ ଅନୁଭୂତି, ଯାହାକି ତଥାକଥିତ ମନଟାକୁ ତଥାକଥିତ ହୃଦୟଟା ସହିତ ଏକାବେଳେ ଯୋଡ଼ି କରି ରଖିଥାଏ । ଏପରି ଅଚ୍ଛେଦ୍ୟ ଭାବରେ ଯୋଡ଼ି କରି ରଖିଥାଏ ଯେ, ସେହି ଦୁହିଁଙ୍କୁ ଆଦୌ ଅଲଗା କରି ଅଙ୍ଗେ ନିଭାଇ ହୁଏନାହିଁ ଏବଂ ସମ୍ଭବତଃ ସେହି କାରଣରୁ ହିଁ ଉଭୟଙ୍କୁ ସତକୁ ସତ ଅନ୍ତରଙ୍ଗ ଭାବରେ ଅନୁଭବ କରିହୁଏ । ଭିତରେ ଏଭଳି ଜଣେ ଅଭିନବ ସୁହୃତ୍‌ର ଅନୁଭବ ହୁଏ, ଯିଏକି ବାହାରଟାକୁ ମୋଟେ ଈର୍ଷା କରେନାହିଁ, ବାହାରଟା ପାଖରୁ ମୋଟେ ଲୁଚିକରି ରହିବାକୁ ଇଚ୍ଛା କରେନାହିଁ ଅଥବା ବାହାରର ଅନୁରୂପ ହେବାଲାଗି ଆଦୌ କୌଣସି ଅଭିନୟ ବି କରେନାହିଁ । ବାହାରଟା ସହିତ ମଧ୍ୟ ଏକ ଅପୂର୍ବ ନିବିଡ଼ତା ଅନୁଭବ ହୁଏ । ବାହାର ଆଉ ଭିତର ମଧ୍ୟରେ, ପ୍ରତ୍ୟକ୍ଷ ଏବଂ ପ୍ରଚ୍ଛନ୍ନ ମଧ୍ୟରେ ନିଜକୁ ସତେଅବା ଏକ ସେତୁପରି ଅନୁଭବ ହୁଏ । ତାହାହିଁ ଅମାପ ମୁକ୍ତି ଏବଂ ଅମାପ ଖୁସିର କାରଣ ହୁଏ ।

 

୩. ୧୧. ୯୪

 

ମଣିଷ ପ୍ରସ୍ତୁତ ହୋଇ ନଥିବା ପର୍ଯ୍ୟନ୍ତ ତା’ ଭିତରକୁ ଭଗବାନ ମଧ୍ୟ ପ୍ରବେଶ କରି ପାରିବେ ନାହିଁ । ମଣିଷ ଅସମ୍ମତ ହୋଇ ରହିଥିବା ପର୍ଯ୍ୟନ୍ତ ତା’ ଭିତରେ ଅପେକ୍ଷା କରି ରହିଥିବା ଭଗବତ୍‍ସାମର୍ଥ୍ୟ ଏବଂ ଭଗବତ୍‍ସାହସ ମଧ୍ୟ ବାହାରକୁ ଆସିବାକୁ ଏବଂ ଜୀବନ ମଧ୍ୟରେ ବ୍ୟକ୍ତ ହେବାକୁ ଆଦୌ ସମର୍ଥ ହେବେନାହିଁ । ଏବଂ, ଯେପର୍ଯ୍ୟନ୍ତ ବାହ୍ୟ ବହୁତର ବିଧି ଏବଂ ରୁଟିନ୍‌ଗୁଡ଼ାକୁ କେତେ ନା କେତେ ଆଦରର ସହିତ ଆବରଣ ରୂପେ, ବିସ୍ମରଣକାରୀ ଉପଶମକରୂପେ ବ୍ୟବହାର କରାଯାଉଥିବ, ସେପର୍ଯ୍ୟନ୍ତ ଏହି ଅପ୍ରସ୍ତୁତି ଓ ଅସମ୍ମତି ହିଁ ଆମ ଜୀବନକୁ ମାଡ଼ି ବସିଥିବା ନିମନ୍ତେ ଅଧିକ ପ୍ରଶ୍ରୟ ପାଇବାରେ ଲାଗିଥିବ ।

 

ଜଣେ ମଣିଷ ଯେଉଁ ସ୍ତରରେ ରହିଛି, ତା’ର ଗୁରୁ ଅର୍ଥାତ୍ ତା’ର ଯଥାର୍ଥ ବନ୍ଧୁ ତାକୁ ଆପଣାର ନାନା ଚାତୁର୍ଯ୍ୟର ପ୍ରୟୋଗଦ୍ଵାରା ସେହିଠାରେ ହିଁ କିଳି ରଖିବାକୁ ବରାଦ୍ କରିବାରେ ଲାଗିଥିବ ନା ତା’ର ସମ୍ଭାବନା ଓ ଉଚ୍ଚତର ବ୍ୟାକୁଳତାଗୁଡ଼ିକୁ ବୁଝି ସେହି ଅନୁସାରେ ତା’ର କବାଟଗୁଡ଼ିକ ଫିଟି ଯିବାରେ ତାକୁ ସାହାଯ୍ୟ କରିବ ? ଘରଟା କିଳା ହୋଇ ରହିଥିଲେ ଗୁରୁର ଗୁରୁପଣ ସେଇଟି ଫିଟି ଯିବାପାଇଁ ସାହସ ଯୋଗାଇଦେବ ନା ମଣିଷଟାକୁ ଆହୁରି ଅଧିକ କିଳି ହୋଇ ରହିବାକୁ ନାନଭଳି ପରିପାଟୀ ସହିତ ବାର ପ୍ରୋତ୍ସାହନ ଦେବାରେ ଲାଗିଥିବ ? ନାନାବିଧ କାରଣରୁ ପୃଥିବୀରେ ଅଧିକାଂଶ ଗୁରୁ ଏହି ଦ୍ଵିତୀୟ କଥାଟି ଉପରେ ଅଧିକ ମନୋନିବେଶ କରି ଆସିଛନ୍ତି ଏବଂ ତଦ୍ଦ୍ଵାରା ପୃଥିବୀର ଭାଗ୍ୟଟାକୁ ଅତ୍ୟନ୍ତ ଅଚଳପ୍ରାୟ କରି ରଖିଛନ୍ତି । ଖାଲି ଗୁରୁଶିଷ୍ୟ-ସମ୍ବନ୍ଧର ପ୍ରହସନମାନଙ୍କରେ ନୁହେଁ, ଆମ ପାଠପଢ଼ା ଘର ଅର୍ଥାତ୍ ସ୍କୁଲମାନଙ୍କରେ ମଧ୍ୟ ପ୍ରଧାନତଃ ସେହି ଚକ୍ରାନ୍ତ ହିଁ ଚାଲି ଆସିଛି । ଶାସ୍ତ୍ରର ବୟାନ୍ ଅନୁସାରେ ଶିଷ୍ୟର ସନ୍ତାପହରଣ କରି ପାରିବାର ଗୁରୁ ପୃଥିବୀରେ ଅତ୍ୟନ୍ତ ବିରଳ ଓ ଦୁର୍ଲଭ ହୋଇ ରହିଛନ୍ତି ଏବଂ ତା’ର ବିତ୍ତକୁ ଅପହରଣ କରିନେଇ ଥିବାର ଗୁରୁମାନେ ଶିକ୍ଷାର ହାଟରେ ମାଳ ମାଳ ହୋଇ ବୁଲୁଛନ୍ତି । ଭିତରକୁ ବାଟ ବତାଇ ଦେବାର କେତେ କେତେ ପ୍ରଣାଳୀ ଶିକ୍ଷାଶାସ୍ତ୍ରରେ ବାହାରୁଛନ୍ତି, ମାତ୍ର ତଥାପି ସେହି ପୁରୁଣା ଧିସାରେ ହିଁ ସବୁ ଇସ୍କୁଲ ଚାଲିଛି । ବହୁ ଆଡ଼ମ୍ବର ସହିତ ଉନ୍ମୋଚନକାମୀ ମନୁଷ୍ୟବାସନାକୁ କେଉଁଠି ନା କେଉଁଠି ଲଖାଇ ଦେବାର କେତେ କେତେ କାରିଗରିଲାଗି ରହିଛି । ପୁରୁଷ ପରେ ପୁରୁଷ ମଣିଷମାନେ ବଡ଼ କୁଶଳତାପୂର୍ଣ୍ଣ ଭାବରେ ଅନୁନ୍ମୋଚିତ ହୋଇ ରହି ଯାଉଛନ୍ତି,–ଆପଣାର tribal becomingର ଖୋଳଗୁଡ଼ାକ ଭିତରୁ ଆଦୌ ବାହାରି ପାରୁନାହାନ୍ତି । ଏହି ଫନ୍ଦି ଭିତରେ ପଡ଼ି ଭଗବାନଙ୍କୁ ମଧ୍ୟ କେଡ଼େ ବାଗରେ କିଳି କରି ସୀମା ବାନ୍ଧି ଦେଇ ଓ କେତେ ଚାକଚକ୍ୟ ସହିତ ତାଙ୍କର ବିଚିତ୍ର ନାମକରଣମାନ କରାଇ କିଳି ରଖି ଦିଆଯାଉଛି । ଅନ୍ଧାରଗୁଡ଼ାକର ପରାକ୍ରମ ଭିତରେ ଆଲୋକ ସେହି ଭିତରଟାରେ ହିଁ ଛଟପଟ ହେବାରେ ଲାଗିଛି ।

 

୪. ୧୧. ୯୪

 

ଗ୍ରହଣଶୀଳତାକୁ ଆମ ଭିତରେ ରହିଥିବା ସେହି ଅନନ୍ତଭିଳାଷୀ ବାସନାଟିର ଏକ ଇନ୍ଦ୍ରିୟ ବୋଲି କହିବାକୁ ଇଚ୍ଛା ହେଉଛି । ଯେକୌଣସି ଇନ୍ଦ୍ରିୟପରି ଏହି ଇନ୍ଦ୍ରିୟଟିକୁ ମଧ୍ୟ ପ୍ରଶିକ୍ଷିତ ଅର୍ଥାତ୍ କ୍ରମସମ୍ମତ କରି ଅବଶ୍ୟ ଅଣା ଯାଇପାରେ । ମାତ୍ର, ସେହି ପ୍ରଶିକ୍ଷଣ ନିମନ୍ତେ ଯେଉଁ ଅନୁକୂଳ ଅନ୍ତର୍ନିର୍ଭରଟି ଦରକାର, ଅନେକ ସମୟରେ ଆମେ ତାହାକୁ ଅତ୍ୟନ୍ତ ଦୟନୀୟ ଭାବରେ ହରାଇ ବସିଥାଉ । ପାଣ୍ଡିତ୍ୟ ବଢ଼ୁଥାଏ, ମୁଁ ଅମୁକ ପାଇଛି ଓ ସମୁକ ଦେଖିଛି ବୋଲି ଢମମାନେ ବଢ଼ୁଥାନ୍ତି, ବାହ୍ୟ ପ୍ରତ୍ୟୟଗୁଡ଼ାକ ସେହି ଢମମାନଙ୍କୁ ପ୍ରଶ୍ରୟ ଦେବାରେ ଲାଗିଥାନ୍ତି, ମାତ୍ର ତେଣେ ଗ୍ରହଣଶୀଳତା କମି କମି ଯାଉଥାଏ । ମୁଁ କ୍ରମଶଃ ନିଜ ଭିତରକୁ ପ୍ରବେଶ କରୁଛି ବୋଲି ଏକ ମିଛ ପ୍ରତ୍ୟୟ ଆପଣାକୁ କିଣି ଆଣିବାରେ ଲାଗିଥାଏ ।

 

ଯେତେବେଳେ ଏହି ପାହାଚଟା ହିଁ ମୋ’ର ସର୍ବଶେଷ ପାହାଚ ବୋଲି ବିଶ୍ୱାସ କରିବାକୁ ମୋ’ ଭିତରର କୌଣସି ବୃଦ୍ଧ ମୋତେ ପ୍ରରୋଚନା ଦେବାରେ ଲାଗିଥାଏ, ସେତେବେଳେ ଗ୍ରହଣଶୀଳତା କମି ଯିବାକୁ ଆରମ୍ଭ କରେ । ମୁଁ ପହଞ୍ଚି ସାରିଲିଣି ବୋଲି କହିବାକୁ ନିଜ ଭିତରେ ଏକ ଷଡ଼ଯନ୍ତ୍ରରେ ସେତେବେଳେ ମଣିଷ କେଡ଼େ ବାଗରେ ଛନ୍ଦି ହୋଇଯାଏ । ଭଗବାନ ଆଉ ପଥ ହୋଇ ନରହି ପଥରରେ ପରିଣତ ହୁଅନ୍ତି, କାନ୍ଥ ଭିତରେ ରହିଥିବା ଚିହ୍ନା ଜାଗାଟି ଓ ଚିହ୍ନା ସଂସ୍କାରଗୁଡ଼ିକ ସତେଅବା ମନ୍ଦିରପରି ଦେଖାଯାଏ । ଦୁର୍ଦ୍ଦଶା ବଢ଼ିଲେ ମନ୍ଦିରଟା ଏଡ଼େ ପ୍ରବଳ ଓ ପ୍ରଚଣ୍ଡ ହୋଇ ଦେଖାଯାଏ ଯେ, ହୁଏତ ଭଗବାନ ଆଦୌ ଦେଖା ଯାଉନଥାନ୍ତି । ସେତିକିବେଳେ ବହୁ ଅନୁକୂଳ ପ୍ରରୋଚନା ପାଇ କୌଣସି ନା କୌଣସି ସମ୍ପ୍ରଦାୟ ଭିତରେ ଯାବତୀୟ ଚେତନାକୁ ଛନ୍ଦି ରଖିବାକୁ ମନ ହୁଏ । ଅନେକଙ୍କୁ ଏହିପରି ଛନ୍ଦି ହୋଇପଡ଼ି ଭାରି ଉଶ୍ଵାସ ଲାଗେ । ଏହି ମିଛ ଆଶ୍ଵାସନାରୁ ହିଁ ମଣିଷମାନେ ଉଗ୍ରହେବାର ବହୁ ଖୋରାଖ ପାଇଥାନ୍ତି-। ଗ୍ରହଣଶୀଳତା ଆମକୁ ସମ୍ପ୍ରଦାୟ ଭିତରେ, ସଂସ୍କାର ଭିତରେ କିଳି ହୋଇ ରହିବାର ପ୍ରମାଦରୁ ରକ୍ଷା କରେ । ପଥର ଅନୁଭୂତି ହିଁ ଆମକୁ ତୀର୍ଥର ଅନୁଭୂତି ଆଣି ଦେଉଥାଏ । ସତତ ସ୍ପର୍ଶଦ୍ଵାରା କାହାର ନିକଟବର୍ତ୍ତୀ ହୋଇ ଆସୁଥିବାପରି ବୋଧ ହେଉଥାଏ । ଭଗବାନ ସବୁଠାରେ ଦିଶନ୍ତି, ସତ୍ୟ ଅନେକ ରୂପରେ ଆକର୍ଷିତ କରେ । ଯାବତୀୟ ଏକାନୁରକ୍ତି ଭାଙ୍ଗିଯାଏ । ଏହି ପୃଥିବୀ ଓ ଏହି ଆକାଶ ଯେତିକି ବିସ୍ତୃତ, ଆମର ଯାବତୀୟ ପରିଚୟକୁ ତଥା ଉପଲବ୍ଧିକୁ ସେତିକି ବିସ୍ତୃତ ଓ ସେତିକି ପ୍ରସ୍ଥଯୁକ୍ତ କରି ରଖିବାକୁ ଆଗ୍ରହ ହୁଏ । କାନ୍ଥ ଭାଙ୍ଗିଗଲେ ହିଁ ଯଥାର୍ଥ ଘରଟି ସହିତ ସାକ୍ଷାତ ହୋଇଯାଏ । ଆମପାଇଁ ସବୁ ଘରର ପ୍ରବେଶଦ୍ଵାର ଖୋଲା ହୋଇ ରହିଥିବାର ଅନୁଭବ ହୁଏ । ଗ୍ରହଣଶୀଳତା ଆମକୁ ତରୁଣ କରି ରଖିଥାଏ ଏବଂ ତରୁଣ ହିଁ ଅପ୍ରମତ୍ତ ଭାବରେ ସତ୍ୟର ନିକଟବର୍ତ୍ତୀ ହେବାକୁ ସମର୍ଥ ହୁଏ ।

 

୫. ୧୧. ୯୪

 

ଅସାଧାରଣ ହେବାକୁ ମୁଁ କେବେହେଲେ ଚେଷ୍ଟା କରିନାହିଁ, ହୁଏତ ତାହାହିଁ ହେଉଛି ମୋ’ର ଏକମାତ୍ର ଅସାଧାରଣତ୍ଵ । କ’ଣ ଗୋଟାଏ ଅଧିକ ହାସଲ କରି କେଡ଼େ ଉପରେ ବା ଉର୍ଦ୍ଧ୍ଵରେ ଯାଇ ରହିଛି ବୋଲି ଅନ୍ୟମାନଙ୍କ ମଧ୍ୟରେ ଏକ ପ୍ରତୀତି ଆଣି ଦେବାପାଇଁ ମୋ’ର କେବେହେଲେ ମନ ବଳିନାହିଁ । ଏପରିକି, ଅନ୍ୟପ୍ରକାରେ ଭେକଟିଏ, ସନ୍ତକଟିଏ ଅଥବା ଚେହେରାଟିଏ ଧାରଣ କରି ସତେଅବା କ’ଣଟିଏ ହୋଇଗଲି ବୋଲି କୁହାଇ ହେବାକୁ ମୋତେ ସବୁଦିନେ ଭାରି ଲାଜ ଲାଗିଆସିଛି । ଭଗବାନ ଭେକରେ ଭୁଲନ୍ତିନାହିଁ, ସନ୍ତକଦ୍ଵାରା ଆପଣାକୁ ଜାରି କରାଇବାକୁ ସେ କଦାପି ଉତ୍ସାହ ପ୍ରକାଶ କରନ୍ତିନାହିଁ, ସିଏ ମଣିଷମାନଙ୍କୁ ଚେହେରା ଅନୁସାରେ ମୋଟେ ବାଛନ୍ତିନାହିଁ, ତାଙ୍କୁ ନିଜଭିତରେ ନିତ୍ୟସମ୍ପଦ ଏବଂ ନିତ୍ୟଗୌରବ ରୂପେ ଅଧିକରୁ ଅଧିକ ନିବିଡ଼ ଭାବରେ ଅନୁଭବ କରି ପାରୁଥିବା ସଙ୍ଗେ ସଙ୍ଗେ ଏହି କଥାଟି ମୋ’ପାଇଁ ଅଧିକ ସ୍ପଷ୍ଟ ହୋଇଯିବାରେ ଲାଗିଛି ।

 

ସାଧାରଣଙ୍କଠାରୁ ଯଥାସମ୍ଭବ ଅଧିକ ପରିମାଣରେ ଅଲଗା ହୋଇ ରହିବାକୁ ଓ ଅଲଗା ହୋଇ ଦିଶିବାକୁ କ’ଣ ମଣିଷ ଏହିସବୁ ବାହ୍ୟ ଅତିଚାରର ବରାଦମାନ କରି ଆସିଛି କି ? ଭଗବାନ ଯେ ମୋଟେ ସାଧାରଣ ଜୀବନରେ ଓ ସାଧାରଣ ଅବସରମାନଙ୍କରେ ନାହାନ୍ତି, ତାହାହିଁ ଦେଖାଇ ହେବାକୁ କ’ଣ କେତେ ମଣିଷ ଭଗବାନଙ୍କୁ ସେମାନଙ୍କର ବିଚାର ଅନୁସାରେ ଏକ ଅସାଧାରଣ ସ୍ଥାନରେ ଓ ଅସାଧାରଣ ସ୍ଥିତିରେ କିଳି ରଖିବାରେ ଏପରି କ୍ରିୟାଶୀଳ ହୋଇ ଉଠିଛନ୍ତି କି ? ଏହି ଅସାଧାରଣମାନେ ସତକୁ ସତ ଅସାଧାରଣ ଦିଶିବାର ବହୁବିଧ ମାଧ୍ୟମଦ୍ଵାରା ଭଗବାନଙ୍କଠାରୁ ମଧ୍ୟ ଛାଡ଼ି ହୋଇ ରହିବାକୁ ପ୍ରୟାସମାନ କରୁଛନ୍ତି କି ? ଅଥବା, ସେମାନେ ତଥାକଥିତ ସାଧାରଣ ଅବସରମାନଙ୍କରୁ ଭଗବାନଙ୍କୁ କାଢ଼ି ନେଇ ନିଜର ଖାସ୍ ଅଳିନ୍ଦମାନଙ୍କରେ କଣ୍ଢେଇ କରି ରଖିବାକୁ ଇଚ୍ଛା କରି ଆସିଛନ୍ତି । ମୁଁ ତ ଭିତରେ ଆଲୁଅଟିଏ ଦେଖିଲେ ମୋ’ପାଇଁ ବାହାରଟା ମଧ୍ୟ ଆଲୋକିତ ହୋଇଗଲାପରି ଲାଗୁଥାଏ । ତଥାକଥିତ ଉର୍ଦ୍ଧ୍ଵରେ ଆକର୍ଷଣଟିଏ, ସନ୍ନିଧାନଟିଏ ଅନୁଭବ କଲେ, ମୁଁ ତାହାକୁ କେଡ଼େ ଉତ୍ସାହରେ ନିମ୍ନରେ ଥିବା ମୋ’ର ଏହି ନିତ୍ୟଘର ଭିତରକୁ ନେଇ ଆସିବାକୁ ଅଧୀର ହୋଇଉଠେ । ମୋ’ ଭଗବାନ ମୋତେ ନିରନ୍ତର ମୋ’ ଗୁପ୍ତ ଗହ୍ଵରମାନଙ୍କରୁ ଟାଣି ଆଣି ଦାଣ୍ଡକୁ ସମସ୍ତଙ୍କ ମଧ୍ୟକୁ ନେଇ ଆସିଛନ୍ତି ଓ ମୋତେ ରକ୍ଷା କରିଛନ୍ତି । ତା’ ନହେଲେ ତ ମୁଁ କୋଉ କାଳରୁ ନିଜ ଗହ୍ଵରର ଓ ନିଜ ପ୍ରଦର୍ଶନଗୁଡ଼ିକର ଲୋଭରେ ପଡ଼ି ତାଙ୍କୁ ହୁଏତ ହରାଇ ମଧ୍ୟ ସାରନ୍ତିଣି । ହୁଏତ କେତେଟା କଣ୍ଢେଇ କିମ୍ବା କେତେଟା ପାଟଲୁଗାକୁ ସନ୍ତକରୂପେ ଆବୋରି ଧରି ମୁଁ କେତେ ଗର୍ବ କରି ବୁଲୁଥାନ୍ତି । ଏବଂ, ଭଗବାନ ମୋତେ ଦୁଃସାଧ୍ୟ ବୋଲି ମନେ କରି ମୋ’ଠାରୁ କେତେ ଦୂରରେ ଯାଇ ରହିଥାନ୍ତେ !

Image

 

୧୯୯୫

୨୫. ୬. ୯୫

 

ଭିତରେ କୋଉଠି ଗଣ୍ଠିଟିଏ ରହିଥିଲେ ସିନା ମୁଁ ଫିଟାଇବାକୁ ଚେଷ୍ଟା କରନ୍ତି । ସଂସାର ନିଜ ଉପରେ, ନିଜେ ସଂସାର ଉପରେ ଓ ନିଜେ ନିଜ ଉପରେ ପଥରଟାଏପରି ଲଦିହୋଇ ରହିଥିଲେ ହୁଏତ ମୁଁ ଜୀବନରେ relaxation ଖୋଜନ୍ତି ଓ ବୋକା ବୋଲି ପ୍ରମାଣିତ ହେଉଥାନ୍ତି-। ପୃଥିବୀଟା ଏକାବେଳକେ ନିଦା ହୋଇ ମୋ’ର ଆସ୍ଥାନରୂପେ ବିଦ୍ୟମାନ ରହିଥିଲେ ଏବଂ ମୋ’ର ଚେରଗୁଡ଼ିକ ସ୍ଵାଭାବିକ ତଥା ସୁନିଶ୍ଚିତ ଭାବରେ ତା’ ଭିତରକୁ ମାଡ଼ି ରହିଥିବା ପର୍ଯ୍ୟନ୍ତ ଏବଂ ଏହି ଆକାଶଟା ମୋ’ ଚେତନାର ଏକ ସହଜ ସଂପ୍ରସାରଣ ରୂପେ ନିତ୍ୟ ଓ ନିରନ୍ତର ଅନୁଭୂତ ହେଉଥିବା ଯାଏ ମୁଁ ସାନ୍ନିଧ୍ୟଲାଭଲାଗି ଆଉ ଅଧିକ କ’ଣ ପ୍ରାର୍ଥନା କରି ପାରିବି ?

 

ଆପଣାର ଧର୍ମଟିକୁ ଆପଣାର ଜୀବନଚାରଣାରେ ପରିଣତ କରିଦେବା ପରେ ମୁଁ ଆଉ ଅଲଗା କରି କ’ଣ ଧର୍ମଚାରଣା କରିବି, ସେଥିଲାଗି ସୂତ୍ର ଖୋଜିବି ଏବଂ ମନ୍ତ୍ର ଜପିବି ? ଫୁଟିବାଟା ହିଁ ଫୁଲର ଏକମାତ୍ର ଧନ୍ଦା ବୋଲି ପଡ଼ିଯିବା ପରେ ଆଉ ଫୁଟିବି ଫୁଟିବି ବୋଲି ଡାକିବି କାହାକୁ ? ଦୁଆର ଖୋଲା ରହିଥିବା ପର୍ଯ୍ୟନ୍ତ ମୁଁ କୌଣସି ଆଲୋକକୁ ଆସ ଆସ ବୋଲି ପ୍ରାର୍ଥନା ଆଉ କ’ଣ କରିବି ? ମୋ’ର ସକଳ ଗବାକ୍ଷ ଦେଇ ପ୍ରବେଶ କରୁଥିବା ପବନ ପାଇଁ ମୁଁ ଆଉ ଅଲଗା କରି କି ଆବାହନ-ସଙ୍ଗୀତ ଗାନ କରିବି ? ହେ ପ୍ରଭୁ, ହେ ବନ୍ଧୁ, ହେ ପ୍ରତିଦିନର ନିକଟତମ, ତୁମେ ଏଇଠି ରହିଛ, ମୁଁ ତୁମ ପାଖରେ କେଡ଼େ ସହଜ ହୋଇ ବସିଛି,–ପୃଥିବୀ ଅଛି, ଅନ୍ତରୀକ୍ଷ ରହିଛି,–ନିଜକୁ ଏକାବେଳେକେ ଜନନୀ ଏବଂ ସନ୍ତାନପରି ଲାଗୁଛି; କାମ ଅକାମ ବାରିବାକୁ, ସାନ ବଡ଼ ପରୀକ୍ଷା କରି ଦେଖିବାକୁ ବୁଦ୍ଧି ପାଇଁ ଆଉ କୌଣସି ଫୁରସତ୍ ମିଳୁନାହିଁ । ସେହି ବୁଦ୍ଧିଟା ଇଚ୍ଛା କଲା ମାତ୍ରକେ କେତେ କେତେ ଗାର ଓ କେତେ କେତେ ପ୍ରସୀମନକୁ ଅତିକ୍ରମ କରି କେଡ଼େ ସହଜ ଓ କେଡ଼େ ସମ୍ମତ ହୋଇ ହୃଦୟ ପାଖରେ ପହଞ୍ଚିଯାଇ ପାରୁଛି,–ହୃଦୟର ବୋଲ ମାନିବାର କଳାଟାକୁ ଶିଖିଯିବା ପରେ ତା’ଭିତରେ ଆଉ ଜୁଗୁପ୍ସା ବୋଲି କିଛି ନାହିଁ । ତେଣୁ ଉଗ୍ରତା ମଧ୍ୟ ନାହିଁ-। ଏମିତି ଏକ ଜୀବନ ସତକୁ ସତ ଅଛି, ଯେଉଁଠାରେ ନିୟତ ବାଟ ଚାଲି ହେଉଥିବ ଏବଂ ନିୟତ ପହଞ୍ଚି ଯିବାର ଅନୁଭବ ବି ହେଉଥିବ । ଇଏ ଏକ ଅଭିନବ ଅନୁଭୂତି,–ଯାହାର ମାଧ୍ୟମରେ କି ନିଜକୁ ପରିପୂର୍ଣ୍ଣ ରୂପେ ଦେଇହୁଏ, ପରିପୂର୍ଣ୍ଣ ରୂପେ ସଂଗ୍ରହ ବି କରିହୁଏ । ନିଜକୁ ଏକାବେଳେକେ ଶୂନ୍ୟ ଲାଗେ, ଭରି ରହିଥିଲାପରି ବି ଲାଗେ । ସମସ୍ତେ ଭଲ ଲାଗନ୍ତି । ଆଉ କାହାକୁ ହେଲେ ନିଜ ସହିତ ତୁଳନା କରିବାକୁ ଇଚ୍ଛା ହୁଏନାହିଁ । ତେଣୁ ଦୁଃଖ ବି ନଥାଏ । ଦ୍ଵେଷର ଲେଶମାତ୍ର ନଥାଏ-। ମୁଁ ଆଉ ପୃଥିବୀ,–ଆମେ ଏକାଠି ବାଟ ଚାଲୁଛୁ, ଏକାଠି ଘର ଭିତରେ ଯାଇ ରହିଛୁ ବୋଲି ମନେ ହେଉଥାଏ ।

 

୧୯. ୮. ୯୫

 

ମୁଁ ପାହାଡ଼କୁ ଉଠି ପାରୁନାହିଁ ବୋଲି ଯଦି ସେହି କାରଣରୁ ପାହାଡ଼କୁ ଅଲୌକିକ ବୋଲି କହିବି, ତେବେ ସେଥିପାଇଁ ପାହାଡ଼କୁ ଦୋଷ ଦିଆଯିବ କାହିଁକି ? ମୋତେ ପାହାଡ଼ ଆକର୍ଷଣ କରି ପାରୁନାହିଁ ବୋଲି ମୁଁ ହୁଏତ ତାକୁ ଉଠି ପାରୁନାହିଁ ।

 

ପୃଥିବୀରେ ଯେଉଁ ଗୁରୁମାନେ ସକଳ ସତ୍ୟ ଏବଂ ସକଳ ଯଥାର୍ଥ କାମ୍ୟକୁ ଭଗବାନ ବୋଲି ନାମିତ କଲେ ଏବଂ ତା’ପରେ ସେହି ଭଗବାନଙ୍କଲାଗି ପୃଥିବୀର ମଣିଷମାନଙ୍କ ଭିତରେ ଏକ ଆକର୍ଷଣ ସୃଷ୍ଟି କରିବା ନିମନ୍ତେ ନାନା ଅଲୌକିକତାର ଆଶ୍ରୟ ନେଲେ, ସେମାନଙ୍କର ମନରେ ଭଗବାନଙ୍କ ବିଷୟରେ ପ୍ରକୃତରେ କେଉଁ ଅଭିସନ୍ଧି ରହିଥିଲା କେଜାଣି ? ସେମାନେ ଆଉ ଅଧିକ କିଛି ନକରି ମଣିଷକୁ ତା’ ନିଜଭିତରେ ହିଁ ଭଗବାନଙ୍କୁ ଅନୁଭବ କରିବାକୁ ବାରମ୍ବାର କହି ପାରିଲେନାହିଁ କାହିଁକି ? ତଥାକଥିତ ଅଲୌକିକତାର ପ୍ରଦର୍ଶନ କରି ସେମାନେ କ’ଣ ସ୍ଵୟଂ ଭଗବାନ ଏବଂ ମଣିଷମାନଙ୍କ ମଧ୍ୟରେ ଗୋଟାଏ କାନ୍ଥପରି ହୋଇ ଛିଡ଼ା ହୋଇ ରହିବାକୁ ଇଚ୍ଛା କରୁଥିଲେ କି ? ସଚରାଚର ହୁଏତ ଅଧିକ ଦେଖିବାକୁ ମିଳୁନି ଯେ ଏହି ସଂସାରରେ ଭଗବାନ ଯେତେ ଦିଶୁନାହାନ୍ତି, ଏହି ଗୁରୁମାନେ ହିଁ ତା’ଠାରୁ ଦଶଗୁଣ ଅଧିକ ପ୍ରତାପରେ ମଣିଷମାନଙ୍କୁ ଆଚମ୍ବିତ କରିବାରେ ଲାଗିଛନ୍ତି । ଜଣେ ଜଣେ ଗୁରୁଙ୍କୁ ଆଦରି ନେଇ ଅନେକେ ଏପରିକି ଭଗବାନଙ୍କୁ ଭୁଲି ରହିବାର ଏକ ଚମତ୍କାର ପ୍ରଶ୍ରୟ ଭିତରେ ନିଦକରେ ରହି ପାରୁଛନ୍ତି । ଗୁରୁମାନଙ୍କ ନାମରେ ଅଧିକ ଘଣ୍ଟ ବାଜୁଛି । ଭାଗବାନଙ୍କ ପାଖକୁ ଯିବାକୁ ମନ କଲେ ସତେଅବା ଏଠି ସେଯାଏ ସିଧା ପାହାଚ ପଡ଼ିଥିବାପରି ଦେଖାଯିବାକୁ ଆରମ୍ଭ କରେ । ପାହାଚମାନେ ଦିଶିଗଲେ ଭଗବାନ ବି କେତେ ନିକଟ ହୋଇ ଦିଶନ୍ତି; ଭିତରେ ବାହାରେ ଆମପାଇଁ ସତେଅବା ବନ୍ଧୁଟିଏପରି ଅପେକ୍ଷା କରି ରହିଥିବା ଭଳି ଦେଖା ଯାଉଥାନ୍ତି । ତା’ପରେ ପୃଥିବୀରେ ଆଦୌ କିଛିହେଲେ ଅଲୌକିକ କିମ୍ବା ଅପ୍ରାପ୍ୟ ବୋଲି ମନେ ହୁଏନାହିଁ । ଅଲୌକିକତାର ଧାରଣାଗୁଡ଼ାକ ହିଁ ଦୂରତାମାନଙ୍କୁ ସୃଷ୍ଟି କରି ରଖିଥାଏ, ଏକ ମିଛ ନାଟକୀୟତା ଏବଂ ରହସ୍ୟମୟତାଦ୍ଵାରା ତାହା ଚାଲିବା ବାଟଗୁଡ଼ିକୁ ଅନ୍ତରାଳ କରି ରଖିଥାଏ । ମୁଁ ସଂସାରରେ କାହାକୁହେଲେ ଆଚମ୍ବିତ କରି ରଖି ଦୂରଛଡ଼ା ହୋଇ ରହିବିନାହିଁ । ଜୀବନର ଅସଲ ସବୁକିଛିକୁ ଠୁଳରୂପେ ଭଗବାନ ବୋଲି ଅନୁଭବ କରି ତାହାକୁ ବନ୍ଧୁରୂପେ ସ୍ଵୀକାର କରିନେବା ପରେ ମୁଁ ବି ସମସ୍ତଙ୍କୁ ବନ୍ଧୁପରି ହିଁ ଦେଖିବି, ନିକଟତର ହେବାରେ ଲାଗିଥିବି । ଯାବତୀୟ ଅଲୌକିକତା ମିଛ ବୋଲି ପ୍ରମାଣିତ ହୋଇ ଯାଉଥିବ ।

 

୨୨. ୧୦. ୯୫

 

କାଳିସୀର କାନି ଧରି ଉଦ୍ଦଣ୍ଡପ୍ରାୟ ସାହିତ୍ୟ କରୁଥିବି ଏବଂ ଏଣେ ଯାହା ଲେଖୁଥିବି, ନିଜ ଜୀବନରେ ତାହାରି ପାଖରୁ ଲୁଚି ଲୁଚି ବୁଲିବାରେ ଲାଗିଥିବି,–ଏକଥା ଦେଖିଲେ ମୋତେ ସତେଅବା କେହିଜଣେ ବ୍ୟକ୍ତି ମଇଳା ଦେହରେ ମଠା ପିନ୍ଧି ମୋ’ ଆଖି ଆଗରେ ଛିଡ଼ା ହୋଇଥିବାପରି ବୋଧ ହେଉଥାଏ । ଭାରି ଅସୁଖ ଲାଗିବାକୁ ଆରମ୍ଭ କରେ । ମଣିଷଟାକୁ ନଦେଖି ମଣିଷଟାକୁ କିପରି ଶୁଣିବାକୁ ହୁଏ, ସେହି ପାଠକୁ ମୁଁ ଏବେ ବି ଆୟତ୍ତ କରି ପାରିଲିନାହିଁ । ଏହି ମଣିଷମାନଙ୍କର ସାହିତ୍ୟ ଭିତରେ ପୃଥିବୀକୁ ଦେଖିବାକୁ ଚେଷ୍ଟା କରୁଥିବା ପର୍ଯ୍ୟନ୍ତ ପୃଥିବୀ ସହିତ ଯେତେ ପରିଚୟ ନଘଟେ, ଏମାନଙ୍କର ମଞ୍ଜ ଭିତରଟା ତା’ଠାରୁ ଅନେକ ଅଧିକ ପରିମାଣରେ ଧରା ପଡ଼ିଯାଏ । ମନ ମାରି ଘରକୁ ଫେରି ଆସିବାକୁ ହିଁ ଅଧିକ ମନ ହୁଏ ।

 

ସଭା ବ୍ୟତୀତ ସାହିତ୍ୟର ଆଦୌ କୌଣସି ମର୍ଯ୍ୟାଦା ନାହିଁ ସତ, ମାତ୍ର ଖାଲି ସଭାରେ ସୁନ୍ଦର ଦିଶିବାକୁ ଯଦି ସାହିତ୍ୟ ନାମକ ଧନ୍ଦାକୁ କରାଯାଏ, ତେବେ ସେହି ଧନ୍ଦାକୁ ଆବୋରିଥିବା ମଣିଷଟା ଭାରି ପଦାରେ ପଡ଼ି ଯାଉଥିବ ସିନା; ମାତ୍ର ଏଭଳି ସାହିତ୍ୟ କଦାପି ମଣିଷକୁ ମଣିଷର ନିକଟବର୍ତ୍ତୀ କରାଇ ଆଣିବାରେ ବିଶେଷ ସହଯୋଗ କରିବନାହିଁ । ଏବେ ଆମ ପୃଥିବୀରେ ସାହିତ୍ୟ ଯେତେ ଯେତେ ଏକ ମହାଡ଼ମ୍ବରପୂର୍ଣ୍ଣ ମହାରଣ୍ୟରେ ପରିଣତ ହେବାରେ ଲାଗିଛି, ପୃଥିବୀଟା ଓ ପୃଥିବୀରେ ଆତଯାତ ହେଉଥିବା ମଣିଷମାନଙ୍କର ଜୀବନଟା ସେତେ ଅଧିକ ପରିମାଣରେ ଅଲକ୍ଷଣା ହିଁ ହେବାରେ ଲାଗିଛି । ସଭାକୁ ସୁନ୍ଦର ଦେଖାଯିବାକୁ ଲେଖା ଯାଉଥିବା ସାହିତ୍ୟ କଦାପି ସେହି ସମସ୍ୟାଟି ଭିତରେ ମୁଣ୍ଡ ପୂରାଇବାକୁ ସାହସ କରିବନାହିଁ । ତେଣୁ, ଆଗ ଜୀବନଟିଏ ବଞ୍ଚିବାଲାଗି ପ୍ରୟାସ ଥାଆନ୍ତା ଓ ତା’ପରେ ସେହି ପ୍ରୟାସରୁ ପ୍ରେରଣା ନେଇ ଯଦି ସାହିତ୍ୟ ଲେଖା ଯାଉଥାନ୍ତା, ତେବେ ମଣିଷର ଏହି ପୃଥିବୀଟା କେଡ଼େ ଅନ୍ୟପ୍ରକାରେ ହୋଇ ପାରିଥାନ୍ତା ! ଜଣେ ମଣିଷ ଏକାବେଳେକେ କେତେଖଣ୍ଡ ହୋଇ ବଞ୍ଚିବାର ଫିସାଦିଆ ହନ୍ତସନ୍ତରୁ ହୁଏତ ରକ୍ଷା ପାଇ ଯାଉଥାନ୍ତା । ଏହି ପୃଥିବୀ ପ୍ରକୃତରେ ଯେତିକି ସୁନ୍ଦର, ମଣିଷର ଭିତର ଆଖିଟା ତାକୁ ହୁଏତ ସେତିକି ସୁନ୍ଦର ଏବଂ ନିବିଡ଼ ଭାବରେ ଦେଖି ପାରୁଥାନ୍ତା । ତା’ ବହି ସେତେବେଳେ ତାକୁ ଜୀବନ ଭିତରୁ ଘଡ଼ିକ ସକାଶେ ଚାହାଳି ଚୋରପରି ପଳାଇଯାଇ ତ୍ରାସ ପାଇବାକୁ କଦାପି ପ୍ରରୋଚନା ଦେଉନଥାନ୍ତା, ତା’ ବହି ତା’ ଜୀବନର ଦର୍ପଣ ହୋଇଥାନ୍ତା ଓ ତେଣୁ ଅନ୍ୟ ସମସ୍ତଙ୍କ ପାଇଁ ମଧ୍ୟ ଏକ ଦର୍ପଣପରି କାମ ଦେଉଥାନ୍ତା ।

 

୨୩. ୧୦. ୯୫

 

ଜନ୍ମ ହେବାର ଆହ୍ଵାନଟିଲାଗି ରହିଛି; ତେଣୁ ଜନ୍ମଦିନର ଆକର୍ଷଣଟା ମଧ୍ୟ ମୋଟେ ଛାଡ଼ୁନାହିଁ । ପିଲାଦିନର ଗୋଟିଏ ritual ବୁଢ଼ାଦିନ ଯାଏ ସତେଅବା କୋଉ ମନ୍ଦିରର ନିକଟବର୍ତ୍ତୀ ହେଉଥିବାର ଗୋଟିଏ ଗୋଟିଏ ପାହାଚପରି ଲାଗୁଛି । ଏ ପାହାଚ ଯେ ମୋଟେ କେବେହେଲେ ସରିବନାହିଁ । ପ୍ରତ୍ୟେକ ବର୍ଷ ମୋ’ର ସେହି ପ୍ରତ୍ୟୟଟି କ୍ରମେ ସ୍ପଷ୍ଟତର ହେବାରେ ଲାଗିଛି । ତେଣୁ, ଜନ୍ମଦିନଟି ସତେଅବା ଅଧିକ ପ୍ରିୟ ଲାଗୁଛି । କୋଳାହଳର ଆଦୌ କୌଣସି ଆବଶ୍ୟକତା ନାହିଁ । ନୀରବତା ହିଁ କେତେ କଥା କହି ପାରୁଛି । ଭିତରେ ଓ ବାହାରେ ମୋତେ କେତେ ଥାନରେ ଯୁକ୍ତ କରିଦେଇ ପାରୁଛି । କେତେ କେତେ ଆବିଷ୍କାରର ଯୋଗ୍ୟ କରିଦେଇ ଯାଉଛି ।

 

ପୃଥିବୀର କାମରେ ମୁଁ ଲାଗିପରିଲି, ଏହି ପୃଥିବୀରେ ଜନ୍ମ ହୋଇଥିବାର ତାହାହିଁ ହେଉଛି ସବୁଠାରୁ ବଡ଼ ସାର୍ଥକତା । ଏଠି ମୁଁ ଯେତିକି ଯେତିକି କାମରେ ଲାଗିପାରିଲି, ଏହି ପୃଥିବୀ ସେହି ପରମପ୍ରିୟଙ୍କଦ୍ଵାରା ଅଧିକରୁ ଅଧିକ ପୂର୍ଣ୍ଣ ହୋଇ ରହିଥିବାର ସେତିକି ଅନୁଭବ ହେଲା । ଅର୍ଥାତ୍, ମୋ’ର ଯାବତୀୟ ଡୋରଦ୍ଵାରା ମୁଁ ତାଙ୍କରି ସହିତ ଅଥବା ସିଏ ମୋ’ ସହିତ ଗଅଁଠା ହୋଇ ରହିଥିବାର ଅନୁଭବ ହେଲା । ତେଣୁ, ପୃଥିବୀ ଭଲ ଲାଗିଲା, ମୁଁ ନିଜେ ବି ନିଜର ବନ୍ଧୁଭଳି ଲାଗିଲି । ନିଜ ଭିତରେ ଦୁଇଫାଳ ହୋଇ କେବେହେଲେ କଷ୍ଟ ପାଇଲି ନାହିଁ । ମୁଁ ମୋ’ ଜୀବନରେ ଏହାକୁ ହିଁ ମୋ’ର ସବୁଠାରୁ ବଡ଼ ଅର୍ଜନ ବୋଲି କହିବି । ଦୁଇଫାଳ ହୋଇଥିଲେ ସିନା ନିଜକୁ ମଧ୍ୟ କେତେମନ୍ତେ ଲୁଚାଇ ରଖିବାର ପ୍ରୟୋଜନ ଆସି ପହଞ୍ଚିଥାଆନ୍ତା; ମାତ୍ର, ମୋତେ ସେହି ଦୁର୍ଭାଗ୍ୟଟିକୁ ମୋଟେ ସହ୍ୟ କରିବାକୁ ପଡ଼ିଲାନାହିଁ । ବହୁ ଆକର୍ଷଣର ଭରସା ମଧ୍ୟରେ ମୁଁ ଯେପରି ପ୍ରାୟ ନିତି ନିତି ନୂଆ ନୂଆ ଆଖି ପାଉଛି ଓ ନିତି ଜନ୍ମ ହୋଇ ଯାଉଛି, ଏଠି ଅନ୍ୟ ସମସ୍ତେ ମଧ୍ୟ ଠିକ୍ ସେହିପରି ନୂଆ ଆଖି ଲାଭ କରୁଛନ୍ତି ଏବଂ ନବଜନ୍ମ ଲାଭ କରୁଛନ୍ତି,–ମୁଁ ସେହି ସତ୍ୟଟିକୁ ସତେଅବା ମୋ’ର ଚମଆଖିରେ ମଧ୍ୟ ଦେଖିବାକୁ ସମର୍ଥ ହେଲି । ଏହା ହିଁ ହେଉଛି ମୋ’ର କେଡ଼େବଡ଼ ଭାଗ୍ୟ । ଏହି ଭାଗ୍ୟର ଅଧିକାରୀ ହୋଇଥିଲେ ତଥାକଥିତ ମୃତ୍ୟୁଗୁଡ଼ାକ ମଧ୍ୟ ଆହୁରି ନୂଆ ନୂଆ ଉନ୍ଵେଷଣାଲାଗି ବିଲମାଟିପରି କାର୍ଯ୍ୟ କରନ୍ତି । ହେ ନିତ୍ୟଦିବସର ବନ୍ଧୁ, ତୁମେ ମୋ’ର ଏହି ଜୀବନରୂପୀ ଘରଟିକୁ ଆହୁରି ଉନ୍ମୁକ୍ତ ଓ ଆହୁରି ସହଜ କରି ରଖିଥାଅ । ମୋ’ ନିଜ ଚାଳରେ ମୋ’ର ମୁଣ୍ଡ କେବେହେଲେ ନବାଜୁ ! ତେବେ ଏହି ଗୋଟିଏ ଘରେ ମଧ୍ୟ ମୁଁ ସମଗ୍ର ସଂସାରକୁ ଥାନ ଦେଇ ରଖି ପାରିବି ଏବଂ ତାହାରିଦ୍ଵାରା ହିଁ ଧନୀ ହୋଇ ପାରିବି ।

 

୨୪. ୧୦. ୯୫

 

ସୂର୍ଯ୍ୟ ଉପରେ କେତେ ଘଣ୍ଟାଲାଗି ଚନ୍ଦ୍ରର ଛାଇ ପଡ଼ିବ ଓ ସେହି କାରଣରୁ ପୃଥିବୀ ଅନ୍ଧକାର ହୋଇଯିବ, ସେଥିଲାଗି ଏଠି ମଣିଷମାନଙ୍କର କେତେ କୌତୂହଳ ଏବଂ କେତେ ଆଗ୍ରହ-! ଆମେ ମଣିଷମାନେ ଯେମିତି, ଆମର କୌତୂହଳ ଓ ଆଗ୍ରହଗୁଡ଼ାକ ମଧ୍ୟ ସେମିତି ।

 

ଅନ୍ତରୀକ୍ଷ ଯେ ଭାରି ଆକର୍ଷଣ କରେ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ମାତ୍ର, ଭୂଇଁରେ ଆମ ଗୋଡ଼ଦୁଇଟା ଦମ୍ଭ ହୋଇ ରହିଛି ବୋଲି ଯେ ଆମ ଜୀବନରେ ଅନ୍ତରୀକ୍ଷଟା ଏତେ ଆକର୍ଷଣ କରିବାର ଅବସରମାନ ସୃଷ୍ଟି ହେଉଛି, ସେହି କଥାଟି ଅନ୍ତରୀକ୍ଷ-ଅନୁରାଗୀ ମନୁଷ୍ୟମାନଙ୍କର ମନେ ରହୁନାହିଁ କାହିଁକି ? ପୃଥିବୀରେ ଯେ ଅଧେ ମଣିଷଙ୍କର ଗୋଡ଼ ଏବେ ମଧ୍ୟ ଦମ୍ଭ ହୋଇ ଭୂଇଁରେ ଠାକି ପାରିନାହିଁ, ସେଥିଲାଗି ଅନ୍ତରୀକ୍ଷକୁ କଦାପି ଦୋଷ ଦିଆଯାଇ ପାରିବନାହିଁ । ଭୂଇଁକୁ ଭୁଲି ଯେ ଆମେ ଅନ୍ତରୀକ୍ଷକୁ ନେଇ ଏତେ ବ୍ୟସ୍ତ ହୋଇ ରହୁଛୁ, ଏଥିଲାଗି ମଣିଷ ହିସାବରେ ଆମ ଆଗ୍ରହଗୁଡ଼ାକୁ ହିଁ ଦାୟୀ କରାଯାଇ ପାରିବ । ଭୂଇଁକୁ ଭୁଲି ହୁଏତ ଆମେ ଅନ୍ତରୀକ୍ଷ ପାଖକୁ ଉଡ଼ି ଚାଲିଯାଉଛୁ ଏବଂ ଏପରିକି ଭୂଇଁଟାକୁ ଭୁଲିବା ପାଇଁ ହିଁ ଆମେ ସେଭଳି କରୁଛୁ । ଯଦି ବିଜ୍ଞାନ ସତକୁ ସତ ଭଲ ଲାଗୁଥାନ୍ତା, ତେବେ ଆମର ସର୍ବପ୍ରଥମ ଶ୍ରଦ୍ଧା ଅର୍ଥାତ୍ ଆତ୍ମୀୟତା ଦେଇ ଆମେ ପୃଥିବୀରେ ମଣିଷମାନଙ୍କୁ ଦେଖନ୍ତୁ, ମଣିଷମାନଙ୍କୁ ହିଁ ଆମର ସବାଆଗ ସାଙ୍ଗ ବୋଲି ଗ୍ରହଣ କରନ୍ତୁ ଓ ମଣିଷମାନଙ୍କୁ ସଙ୍ଗରେ ନେଇ ଅନ୍ତରୀକ୍ଷ ଆଡ଼କୁ ଯିବା ସକାଶେ ମନ କରନ୍ତୁ । ଉର୍ଦ୍ଧ୍ଵକୁ ଗଲେ ଅନ୍ତରୀକ୍ଷ, ଗଭୀରକୁ ଗଲେ ଅନ୍ତରୀକ୍ଷ, ଚାରିପାଖକୁ ଅନାଇଲେ ମଧ୍ୟ ଅନ୍ତରୀକ୍ଷ,–ସେତେବେଳେ ଏକାବେଳେକେ ଆମର ଏହି ତିନୋଟିଯାକ ଉପଲବ୍ଧି ହୋଇ ପାରୁଥାନ୍ତା । ଏବଂ, ପଳାୟନ ନୁହେଁ, ପ୍ରସାରଣ ହିଁ ଆମ ବିଜ୍ଞାନର ଯାବତୀୟ ଧର୍ମ ହୋଇ ରହିଥାନ୍ତା । ଏବର ବିଜ୍ଞାନ ଆମକୁ ହୁଏତ ପଳାୟନ ପାଇଁ ଅଧିକ ପ୍ରଲୋଭନ ଯୋଗାଇ ଦେବାରେ ସହାୟକ ହେଉଛି । ଆମ ଥୋକେ ମଣିଷଙ୍କର ଦୁର୍ବୁଦ୍ଧି ସକାଶେ ହୁଏତ ଏପରି ହେଉଛି-। ଏକ ବୃହତ୍ତର ଜୀବନ, ବୃହତ୍ତର ପ୍ରସାର ଏବଂ ବୃହତ୍ତର ଆତ୍ମୀୟତାଲାଗି ମଧ୍ୟ ଆମ ବିଜ୍ଞାନ ଆମର କାମରେ କେତେପ୍ରକାରେଲାଗି ପାରନ୍ତା । ମାତ୍ର, ଆମ ଥୋକେ ମଣିଷଙ୍କର ଭଗବାନଙ୍କପରି, ସ୍ଵର୍ଗପରି ଆମର ତଥାକଥିତ ବିଜ୍ଞାନାଗ୍ରହ ମଧ୍ୟ ସତେଅବା ସେଇ ପୃଥିବୀ ବାହାରେ ଯାଇ ରହିଛି । ଶ୍ରଦ୍ଧାଳୁ କିଏ ଅଛ, ଭଗବାନଙ୍କୁ ପୃଥିବୀକୁ ନେଇ ଆସ, ସ୍ଵର୍ଗକୁ ଏହି ପୃଥିବୀ ଉପରେ ପ୍ରତିଷ୍ଠା କର । ତେବେ, ନିଜକୁ ପ୍ରସାରିତ କରିଦେଇ ତୁମେ ଏଇଠି ମଧ୍ୟ ଅନ୍ତରୀକ୍ଷର ସାନ୍ନିଧ୍ୟ ଲାଭ କରି ପାରିବ ।

 

୭. ୧୧. ୯୫

 

ଆଉଜଣକୁ ଭଲ ପାଇବାକୁ ଆଗ୍ରହୀ ହୋଇ ଜଣେ କେଉଁ ଜାଲରେ କାହିଁକି ଯାଇ ଛନ୍ଦି ହୋଇଗଲା ଯେ, ସିଏ ଭଲ ପାଇବାଟାକୁ ଚୁଲି ଭିତରକୁ ପେଲି ଦେଇ ସେହି ମଣିଷଟା ସହିତ ଗୁରାଇ ତୁରାଇ ହୋଇ ରହିଗଲା ? ଭଗବାନଙ୍କୁ ଭଲ ପାଇବ ବୋଲି ମଣିଷ କେଡ଼େ ସନ୍ତର୍ପଣରେ ବାହାରି କେଉଁଠି କେଉଁ ଅଡ଼ୁଆ ଭିତରେ ନେଇ ନିଜକୁ ପୂରାଇଦେଲା ଯେ ତା’ ଭଗବାନ ହୁଏତ ଚୁଲିକୁ ଗଲେ, ତୁଚ୍ଛା ପ୍ରତୀକ ଅର୍ଥାତ୍ ପିତୁଳାଗୁଡ଼ାକୁ ହିଁ ସିଏ ଅତ୍ୟନ୍ତ ମଦମତ୍ତ ଓ ମୋହସକ୍ତ ଭାବରେ ଜାବୁଡ଼ି ଧରିଲା !

 

ଭଗବାନଙ୍କୁ ଛାଡ଼ି ପିତୁଳାଗୁଡ଼ାକୁ ଆବୋରି ରହିବା,–ଏଇଟା ହେଉଛି ଜଣେ ନିଶାସକ୍ତ ମଣିଷର ରୁଚିଅନୁରୂପ ଧର୍ମ । ଭଗବାନଙ୍କୁ ଭଲ ପାଉଥିବା ମଣିଷ ପିତୁଳାମାନଙ୍କୁ ପ୍ରକୃତରେ କେଡ଼େ ଅବଲୀଳା ସହିତ ଅତିକ୍ରମ କରି ଚାଲି ଯାଇପାରେ । ମାତ୍ର, ଭଗବାନ ନାମରେ ଯେଉଁମାନେ ହୁଏତ ନିଜ ମୋହର ମନ୍ଦପ୍ରେରଣାର ଭୂତଗ୍ରାସରେ ପଡ଼ନ୍ତି, ସେହିମାନେ ହିଁ ପିତୁଳା ପାଖରେ ଲାଖି ଯାଆନ୍ତି ଓ ଅଫିମ ଗିଳନ୍ତି । ପିତୁଳାମାନଙ୍କୁ ନେଇ ଆଡ଼ମ୍ବର ବହୁଗୁଣିତ ହୁଏ ସିନା, ମାତ୍ର ଭଗବାନ ଆଉ ସେହି ମଣିଷର ଯାତ୍ରୀସହଚର ହୋଇ ପାରନ୍ତିନାହିଁ । ଭଲପାଇବାର ସବୁଯାକ ଘରକୁ ସତେଅବା କୁକୁରଟାଏ ପଶି ମାରା କରିଦିଏ । ଏବେ ଆମ ପୃଥିବୀରେ ଧର୍ମକୁ ଗଦପରି ବ୍ୟବହାର କରୁଥିବା ଯେଉଁ ମୌଳବାଦୀମାନେ ମଣିଷମାନଙ୍କର ବିବେକକୁ ବନ୍ଧୁକ ଦେଖାଇ ଧମକାଇ ରଖିଛନ୍ତି, ସେମାନେ ଭଗବାନଙ୍କୁ ଭଲ ପାଇବାର ସେହି ଅସଲ ଅକଲଟିକୁ ସବାଆଗ ନିଜ ମୁଣ୍ଡଭିତରୁ ନିକାଲି ଫିଙ୍ଗି ଦେଇଛନ୍ତି । ଭଗବାନଙ୍କୁ ଭଲ ପାଇ ତାଙ୍କୁ ଠାବ କରି ବାହାରିଥିବା ମଣିଷ ଆଗକୁ ଆଗକୁ ଯାଇ ସମସ୍ତ ଜଗତରେ ତାଙ୍କୁ ପ୍ରତ୍ୟକ୍ଷ ଅନୁଭବ କରେ, ନିଜଭିତରେ ମଧ୍ୟ ପ୍ରତ୍ୟକ୍ଷ ଭାବରେ ଅନୁଭବ କରିଥାଏ । ତା’ ଭିତରେ ଏକ ସମର୍ପଣବୁଦ୍ଧି ଅଧିକରୁ ଅଧିକ ସମୃଦ୍ଧ ହେବାରେ ଲାଗିଥାଏ । ପିତୁଳାର ପୂଜକ ଉଗ୍ର ହୁଏ, ପିତୁଳାଗୁଡ଼ାକୁ ଦର୍ପଣ କରି ଭଗବାନଙ୍କୁ ଦେଖେ, ସେହି ପିତୁଳା ମଧ୍ୟରେ ହିଁ ଭଗବାନଙ୍କୁ କିଳି କରି ରଖିବାକୁ ଚେଷ୍ଟା କରେ । ମାତ୍ର, ଭଗବାନଙ୍କ ଦର୍ପଣ ଭିତରେ ପିତୁଳାମାନଙ୍କୁ ଦେଖିଲେ ସିଏ ହୁଏତ ସତକୁ ସତ ତରି ଯାଉଥାନ୍ତା ଓ ନିଜ ପିତୁଳାମାନଙ୍କୁ କଦାପି ଏକମାତ୍ର ଠିକ୍ ପିତୁଳା ବୋଲି କହନ୍ତାନାହିଁ । ସିଏ ଭଗବାନଙ୍କ ଭିତରେ ନିଜ ପିତୁଳାମାନଙ୍କ ସହିତ ଅନ୍ୟ ପିତୁଳାମାନଙ୍କୁ ମଧ୍ୟ ଶ୍ରଦ୍ଧାର ସହିତ ଦେଖି ପାରୁଥାନ୍ତା । ତେଣୁ, ଆଦୌ ବାଦ କରନ୍ତାନାହିଁ, ଆଦୌ ଉନ୍ମତ୍ତ ହୁଅନ୍ତାନାହିଁ । ଭଗବାନ, ମଣିଷ ଭିତରେ ରହିଥିବା ଭଗବାନ, କେଉଁଦିନ ଏହି ମଣିଷଟିକୁ ତା’ ପିତୁଳାଗୁଡ଼ିକର କବଳରୁ ମୁକ୍ତ କରି ନେବାକୁ ଜିଦ୍ ଧରି ବାହାରିବେ କେଜାଣି ?

 

୮. ୧୧. ୯୫

 

ମହାପୁରୁଷମାନେ ନିଜକୁ ମହାପୁରୁଷ ବୋଲି ପ୍ରତିଷ୍ଠିତ କରାଇବାରେ ଏତେ ଅଧିକ ଆଗ୍ରହ କାହିଁକି ଦେଖାନ୍ତି ? ଯଦି ସେମାନେ ଭଗବାନଙ୍କୁ ଦର୍ଶନ କରିଥାନ୍ତି, ତେବେ ସମଗ୍ର ଜଗତ ଯେପରି ଭଗବାନଙ୍କୁ ଦେଖି ପାରିବ ଓ ବଞ୍ଚି ପାରିବ, ସେମାନେ ସେଥିଲାଗି ନିମିତ୍ତ ହୋଇ ପାରନ୍ତିନାହିଁ କାହିଁକି ? ଆପେ ଉଢ଼ୁଆଳରେ ରହି ଭଗବାନଙ୍କୁ ଆଗେ ଆଗେ ରଖି ତାଙ୍କର ନିମିତ୍ତ ହେବା କ’ଣ ପ୍ରକୃତରେ ଏତେ କଷ୍ଟକର ?

 

ପୃଥିବୀରେ ସବୁ ମଣିଷ ଭଗବାନଙ୍କୁ ଦେଖି ପାରିବାଭଳି ଯଦି ଏକ ଉପଯୁକ୍ତ ଭୂମି ତିଆରି ହୋଇଯାନ୍ତା, ତେବେ ଖୁବ୍‍ସମ୍ଭବ ଏଠାରେ ମହାପୁରୁଷ ନାମକ ଏକ species ମୋଟେ ଦେଖିବାକୁ ମିଳନ୍ତାନାହିଁ । ଭଗବାନ ସବୁଟି ଭିତରେ ଓ ତେଣୁ ସବୁରି ଭିତରେ ସମ୍ଭାବନାରୂପେ ବିଦ୍ୟମାନ ରହିଛନ୍ତି ବୋଲି ଅନୁଭବ କରୁଥିବା ମହାପୁରୁଷମାନେ କେଉଁ ଆତ୍ମବିଡ଼ମ୍ବନାରେ ପଡ଼ି କାହିଁକି ନିଜକୁ ହିଁ ସ୍ଵତନ୍ତ୍ରଭାବେ ଭଗବାନ ବୋଲି ଘୋଷଣା କରନ୍ତି ଓ ସୃଷ୍ଟିର ସ୍ଵାଭାବିକ ଆସ୍ଫୁହାଗୁଡ଼ିକୁ ଏପରି ବିଗାଡ଼ିଦେଇ ଯାଆନ୍ତି ? ଏହିପରି ଏକ ମିଛ ହାବୁକା ମାରି ଦିଆଯିବା ପରେ ମଣିଷମାନେ ଭଗବାନଙ୍କଆଡ଼ୁ ରୁଚି ଫେରାର ମହାପୁରୁଷଙ୍କୁ ହିଁ ପୂଜା କରିବାରେ ଲାଗିଯାଆନ୍ତି । ତାଙ୍କରିଠାରୁ ପାଦୁକ ଆଣିବାରେ ଲୋଭରେ ତାଙ୍କରି ମୋହରେ ପଡ଼ି ଯାଆନ୍ତି । ମୁଁ ଭାବେ, ଯିଏ ସତକୁ ସତ ଭଗବାନଙ୍କୁ ଅନୁଭବ କରୁଥାନ୍ତା, ଅର୍ଥାତ୍ ଯିଏ ତାଙ୍କୁ ଦେଖୁଥାନ୍ତା ଓ ବଞ୍ଚୁଥାଆନ୍ତା, ସିଏ ପ୍ରତ୍ୟେକ ମନୁଷ୍ୟକୁ ମଧ୍ୟ ଭଗବାନରୂପେ ଦେଖି ପାରୁଥାନ୍ତା । ସେପରି ହେଲେ ବର୍ତ୍ତମାନର ପୃଥିବୀଟାକୁ ପ୍ରାୟ ମାରଣା କରି ରଖିଥିବା ଗୁରୁ-ଶିଷ୍ୟର ବେଭାରଟା ହୁଏତ ସମ୍ପୂର୍ଣ୍ଣ ଅନାବଶ୍ୟକ ବୋଲି ପ୍ରମାଣିତ ହୋଇ ଯାଆନ୍ତା । ମଣିଷମାନେ ଭଗବାନଙ୍କ ପାଇଁ ନିଜ ଭିତରକୁ ଯିବାଲାଗି ଆସ୍ପୃହା ନରଖି ନିଜକୁ ହିଁ ଭଗବାନ ବୋଲି କହି ଏବେ ଯେପରି ନିଶାରେ ମାତିଛନ୍ତି, ସେକଥା ଦେଖିବାକୁ ଜଣେ ମହାପୁରୁଷକୁ ମୋଟେ ଭଲ ଲାଗନ୍ତାନାହିଁ । ଯେଉଁ ମହାପୁରୁଷମାନେ ଅତ୍ୟୁଲ୍ଲସିତ ଅଥବା ଅତ୍ୟୁଦାସୀନ ହୋଇ ଏଠି ସମ୍ପ୍ରଦାୟ, ମଠ ଓ ସାମ୍ରାଜ୍ୟମାନ ଗଢ଼ି ମଣିଷମାନଙ୍କୁ ଯୁଗେ ଯୁଗେ ନଚାଇ ଆସିଛନ୍ତି ଓ ଅଫିମ ଖୁଆଇ ରଖିଛନ୍ତି, ସେହିମାନେ ହିଁ ଏକାଧିକ ଅର୍ଥରେ ଏହି ପୃଥିବୀକୁ ଅଧ୍ୟାତ୍ମବର୍ଜିତ କରି ରଖିବାରେ ହୁଏତ ଭାରି ସାହାଯ୍ୟ କରିଛନ୍ତି । ଯିଏ ପରିଚୟ ପାଏ, ସିଏ ନିମିତ୍ତ ହୁଏ । ସିଏ ବାଟ କଢ଼ାଏ, କଦାପି ବାଟ ଓଗାଳି ବସି ଯାଏନାହିଁ-

 

୯. ୧୧. ୯୫ 29

 

Euphoria ଓ ଆଶାବାଦ ଏକା କଥା ନୁହେଁ । Euphoria ଓ ଆଧ୍ୟାତ୍ମିକତା ମଧ୍ୟରେ ତ ଆହୁରି ଅନେକ ତଫାତ ରହିଛି । ବେଳ ଆସିବ, ବେଳ ବଳେ ଆସିବ, ଅବତାର ପଠାଇ ବିଧାତା ବା ଭଗବାନ ଏହି ପୃଥିବୀକୁ ସଜାଡ଼ି ଦେବେ,–ଏଥିରେ ଯେ କେଉଁଠାରେ କ’ଣ ଆଧ୍ୟାତ୍ମିକତା ରହିଥାଏ, ମୁଁ ସେକଥା ବୁଝି ପାରେନାହିଁ । ଆମେ ଥୋକାଏ ମଣିଷ ଗେହ୍ଲାପୁଅଭଳି ପୃଥିବୀକୁ ବିଗାଡ଼ିବାରେ ଲାଗିଥିବା ଏବଂ ଆଉ କୋଟି କୋଟି ମଣିଷ ଯେଉଁଠାରେ ଅଛନ୍ତି ସେହିଠାରେ ପଡ଼ି ରହିଥିବେ ଓ ଭଗବାନ ବଇନା ନେଇଥିବାପରି ତାହାକୁ ବାରମ୍ବାର ସଜାଡ଼ିବାକୁ ଆସୁଥିବେ, ପୃଥିବୀର ପଣ୍ଡିତ ମଣିଷମାନେ କୃଷ୍ଣଭଗବାନଙ୍କର ମୁହଁରୁ ଏଭଳି କଥାଟିଏ କୁହାଇ ଥିଲେ ମଧ୍ୟ ଏହା କଦାପି ସତ ନୁହେଁ । ମଣିଷମାନଙ୍କୁ ଜଡ଼ ଏବଂ ଅକ୍ରିୟ କରି ରଖିବାକୁ ଏହି ବାଣୀଟି ଯୁଗେ ଯୁଗେ ସତେଅବା ଏକ ଦୁଷ୍ଟ ଷଡ଼ଯନ୍ତ୍ରପରି କାର୍ଯ୍ୟ କରି ଆସିଛି ।

 

ଅନେକ ମଣିଷ ନିଜକୁ ସମର୍ପିତ କରି ରଖିବାର ନାଆଁରେ ନିତାନ୍ତ ଅକ୍ରିୟ ହୋଇ ରହିଯାଆନ୍ତି । ଭଗବାନଙ୍କର କାମକୁ ନିଜେ ଗ୍ରହଣ କରିବା, ଯାବତୀୟ ଆହ୍ଵାନର ଅର୍ଥରେ ତାଙ୍କର ନିମିତ୍ତଟିଏ ହେବା,–ମୁଁ ତାହାକୁ ହିଁ ସମର୍ପଣ ବୋଲି ବୁଝିଥାଏ । ମାତ୍ର, ଯିଏ ଭଗବାନଙ୍କୁ ନିଜ ଭିତରେ ଅନୁଭବ କରିନଥାଏ ତାଙ୍କରି ଶକ୍ତିରେ ଯିଏ ନିଜକୁ କ୍ରିୟାଶୀଳ କରିନଥାଏ, ସିଏ ପୁଣି ନିମିତ୍ତ ହୋଇପାରିବ କେଉଁପରି ? ଏବଂ, ଯିଏ ଏକ ନିମିତ୍ତ ହେବ, ସିଏ ସତେଅବା ମଝି ବାଟରେ ଛିଡ଼ାହୋଇ ପୃଥିବୀକୁ ଉଚ୍ଛନ୍ନ କରି ହୁଡ଼ାଇ ନେଇ ଯାଉଥିବା ସ୍ରୋତଗୁଡ଼ିକୁ ଅବଶ୍ୟ ରୋକିବ । ସିଏ ମିଛରେ ମଙ୍ଗିବନାହିଁ, ମିଛ ସହିତ ସହଯୋଗ କରିବନାହିଁ । ଯାହାକିଛି ଘଟୁ ପଛକେ, ସିଏ ଭଗବାନଙ୍କ ପଟେ ରହିଥିବ । ହୁଏତ ଆଦୌ କୌଣସି କୋଳାହଳ ନକରି ରହିଥିବ, ଏକ ବିକଳ୍ପ ଜୀବନ ବଞ୍ଚୁଥିବ, ଏବଂ ସେହି ବିକଳ୍ପର ବିଜୟ ହେବ ବୋଲି ଆଶା ବାନ୍ଧିଥିବ । ବିଶ୍ୱାସ ରଖିଥିବ । କାରଣ, ତା’ ଭିତରେ ଏହିଭଳି ବିଶ୍ୱାସଟିଏ ସତକୁ ସତ ରହିନଥିଲେ ସିଏ କିପରି ବା ବିକଳ୍ପଟିଏ ହୋଇ ପାରିବ ? ବର୍ତ୍ତମାନ ପୃଥିବୀରେ ଯାବତୀୟ ଆଧ୍ୟାତ୍ମିକତା ସତକୁ ସତ ଏକ ବିକଳ୍ପର ଭୂମିକା ଗ୍ରହଣ କରିପାରିଲେ ଯାଇ ତା’ର ଅସଲ କର୍ତ୍ତବ୍ୟ କରିପାରିବ । ଅର୍ଥାତ୍ ସେମାନେ ଯେଉଁ ଦେଶରେ ଥାଆନ୍ତୁ ପଛକେ, ସେମାନେ ଯେ ମିଥ୍ୟା ସହିତ, କ୍ଷମତା ସହିତ, ନ୍ୟସ୍ତସ୍ଵାର୍ଥ ଓ ଶୋଷଣ ପକ୍ଷରେ ନାହାନ୍ତି, ସେମାନଙ୍କ ପାଖରେ ଏହିପରି ଗୋଟିଏ ପ୍ରମାଣପତ୍ର ଅବଶ୍ୟ ରହିଥିବ ।

 

୧୧. ୧୧. ୯୫

 

ଗତ ବହୁବର୍ଷ ମଧ୍ୟରେ ମୁଁ କେତେ ବହି ପଢ଼ି ଆସିଛି । କେତେ କେତେ ବହିର ଟିପ୍ପଣୀକୁ ଖାତାମାନଙ୍କରେ ଲେଖି ରଖିଛି । ମୁଁ ସବୁଗୁଡ଼ିକୁ କ’ଣ କାମରେ ଲଗାଇ ପାରିଛି ? ବହିଗୁଡ଼ିକରେ ପଢ଼ିଥିବା ସବୁ ବିଷୟ, ସବୁ ବିଚାର ବା ତଥ୍ୟଗୁଡ଼ିକ କ’ଣ ମୋ’ର ମନେ ଅଛି ? ମୁଁ ଏସବୁର ଏକ ହିସାବ ରଖିବା ନିମନ୍ତେ କେବେହେଲେ ମନ କରିନାହିଁ ।

 

କିନ୍ତୁ, ଗୋଟିଏ କଥା ସମ୍ପୂର୍ଣ୍ଣ ସତ୍ୟ ଯେ ଏହି ସବୁକିଛି ମୋ’ର ଜୀବନକୁ ଗଢ଼ି ଆସିଛନ୍ତି-। ମୋ’ର ଜୀବନକୁ ଏକ ନିର୍ଦ୍ଦିଷ୍ଟ ବା ସ୍ଵକୀୟ ଆଭିମୁଖ୍ୟ ଦେବାରେ ଏଗୁଡ଼ିକର ଏକ ନିରନ୍ତର ଅବଦାନ ରହିଆସିଛି । ମୁଁ ନିଜ ଜୀବନରେ କୋଉଗୁଡ଼ିକୁ ଗ୍ରହଣ ଅଥବା ବର୍ଜନ କରିବି, ସେହି ନିଷ୍ପତ୍ତିଗୁଡ଼ିକୁ ନିଜେ ନିଜେ କରି ପାରିବାରେ ମୁଁ ପଢ଼ିଥିବା ବହିଗୁଡ଼ିକ ମୋତେ କମ୍ ସାହାଯ୍ୟ କରିନାହାନ୍ତି । ପୃଥିବୀରେ ନାନାବିଧ ମୂଲ୍ୟସ୍ତର ରହିଛି, ମୂଲ୍ୟବୋଧର ମଧ୍ୟ କେତେ କେତେ କିସମ ସବୁବେଳେ ରହି ଆସିଛି । ସେଗୁଡ଼ିକ ମଧ୍ୟରୁ ମୋତେ କେତେକ ପ୍ରେରଣା ଦେଇଛନ୍ତି, ଆକୃଷ୍ଟ କରିଛନ୍ତି, ମୋତେ କେତେ ପ୍ରକାରେ ଘଷି ମାଜି ତିଆରି କରି ବି ଆଣିଛନ୍ତି । ଜୀବନ ବଞ୍ଚିବାର ଏକ ସ୍ଵକୀୟ ପ୍ରଣାଳୀ ମୁଁ ପଠିତ ଏହି ପୁସ୍ତକଗୁଡ଼ିକରୁ ପାଇଛି । କେଉଁ ପୁସ୍ତକ ଓ କେଉଁ ବିଚାର ମୋତେ କିପରି ଭାବରେ ଉଦ୍‌ବୁଦ୍ଧ କରିଛି, ସେହି କଥାଟିକୁ ମୁଁ କେରା କେରା ଅଲଗା କରି ଆଦୌ କିଛି କହି ପାରିବିନାହିଁ । ମାତ୍ର, ଆଜି ନିଜ ଭିତରକୁ ଅନାଇଦେବା ମାତ୍ରକେ ଯେଉଁ କେନ୍ଦ୍ରଟିକୁ ମୁଁ ଅତ୍ୟନ୍ତ ସ୍ପଷ୍ଟଭାବରେ ଦେଖି ପାରୁଛି, ଭିତରେ ଆସ୍ପୃହାର ଏବଂ ଉତ୍ସର୍ଗବୁଦ୍ଧିର ଯେଉଁ ଅଭୟଦାୟୀ ମନ୍ଦିରଟି କ୍ରମେ ତିଆରି ହୋଇ ଆସିଛି, ତାହାର ପ୍ରସ୍ତରଗୁଡ଼ିକ ପରୋକ୍ଷ ତଥା ପ୍ରତ୍ୟକ୍ଷ ଭାବରେ ମୁଁ ବାଟରେ ଭେଟିଥିବା କେତେ କେତେ ବିଚାରରୁ ହିଁ ଉଦ୍‌ବୁଦ୍ଧ ହୋଇ ଆସିଛନ୍ତି-। ବହିମାନେ ମୋତେ ମଣିଷମାନଙ୍କ ପାଖକୁ ନେଇ ଯାଇଛନ୍ତି । ମଣିଷମାନେ ମଧ୍ୟ ବହିମାନଙ୍କ ପାଖକୁ ନେଇ ଯାଇଛନ୍ତି । ବିଚାରଗୁଡ଼ିକ ସହିତ ସମ୍ପର୍କ ମୋତେ ମଣିଷମାନଙ୍କର ସଂସ୍ପର୍ଶଲାଗି ଅଧିକ ନିବିଡ଼ ଭାବରେ ପ୍ରସ୍ତୁତ କରି ଆଣିଛି । ମୁଁ ପୃଥିବୀ ସହିତ ଯୁକ୍ତ ହୋଇ ରହିଛି-। ଏବଂ, ଏହିଭଳି ଯୁକ୍ତ ହୋଇ ରହିପାରିଛି ବୋଲି ହିଂସ୍ର ହୋଇନାହିଁ, କ୍ଷୁଦ୍ର ଏବଂ ଉତ୍ତେଜିତ ହୋଇ ରହିବାର ବହୁ ପ୍ରମାଦରୁ ରକ୍ଷା ପାଇଛି । ଏହି ପୃଥିବୀରୁ ଗଲାବେଳେ ମୁଁ ଏହି ବହିଗୁଡ଼ିକୁ ସାଙ୍ଗରେ ନେଇ ଯିବିନାହିଁ ସତ, ମାତ୍ର ତଥାପି ସେମାନଙ୍କଠାରୁ ପାଇ ଆସିଥିବା ସାହଚର୍ଯ୍ୟ ମୋତେ ଅତ୍ୟନ୍ତ ପ୍ରସନ୍ନ ଭାବରେ ଏଠୁ ଛୁଟି ନେଇ ଯିବାର ବଳ ଦେବ, ଏଠାରେ ମୋ’ର କେଡ଼େ ଭବ୍ୟ ଘରଟିଏ ସବୁଦିନ ପାଇଁ ରହିଗଲା ବୋଲି ମୋତେ ପ୍ରତ୍ୟୟ ବି ଦେଉଥିବ ।

 

୧୯. ୧୧. ୯୫

 

ଶରୀର ଯେତେବେଳେ ଆପଣାକୁ କେବଳ ଏକ ଶରୀର ବୋଲି ଅନୁଭବ ନକରିବାକୁ ସମର୍ଥ ହୁଏ, ସେତେବେଳେ ଶରୀରାତୀତ କେତେ ଭୂମିରୁ କେତେ ଆଶୀର୍ବାଦ ତା’ ଉପରେ ଅଜାଡ଼ି ହୋଇପଡ଼େ । ସେହି ଆଶୀର୍ବାଦ ବଳପରି କାମ କରେ , ସାହଚର୍ଯ୍ୟପରି କାମ କରେ । ନିଜକୁ ଏପରି ଗୋଟିଏ ଭାଗ୍ୟବାନ ଶିଶୁପରି ଅନୁଭବ ହୁଏ, ଯାହାର ଯତ୍ନ ନେବା ସକାଶେ ଏହି ସାରା ପୃଥିବୀ ରହିଛି,–ତା’ର ଯାବତୀୟ ପ୍ରହରରେ ସିଏ କେତେ କେତେ ଜନନୀଙ୍କର ସ୍ନେହଚକ୍ଷୁ ତଳେ ସୁରକ୍ଷିତ ହୋଇ ରହିଛି । ତେଣୁ ଏକୁଟିଆ ଲାଗେନାହିଁ । ଏବଂ, ହୁଏତ ସାହାସର ସହିତ ଏହି କଥାଟି ମଧ୍ୟ କୁହାଯାଇ ପାରିବ ଯେ, ଏକୁଟିଆ ଲଗୁନଥିବା ହେତୁ ତାକୁ କୌଣସି ଜୀବାଣୁ ଆସି ଆକ୍ରମଣ କରି ପାରନ୍ତିନାହିଁ, କୌଣସି ଦୁର୍ଘଟଣା ମଧ୍ୟ ତା’ ଆଡ଼ୁ ସତେଅବା ଆଡ଼େଇ ହୋଇ ଚାଲି ଯାଉଥାଏ ।

 

ରୋଗ ସମୟରେ ଏହି ଶରୀର ସତେଅବା ଆଉକାହା ଶରୀରପରି ମନେହୁଏ । ହୁଏତ ସେଥିପାଇଁ ବିରକ୍ତ ଲାଗେ । ନିଜର ଘରଟି ଯଦି ନିଜର ଘରଟିପରି ଅନୁଭବ ନହେଲା, ତେବେ ଜୀବାଣୁମାନେ ହିଁ ଚତୁର୍ଦିଗରୁ ଆସି ତାକୁ କାବୁ କରିନେବାର ଦୁର୍ଦ୍ଦଶାଟିକୁ ଭୋଗିବା ହିଁ ସାର ହୁଏ । ଯେଉଁ ଔଷଧଦ୍ଵାରା ଶରୀରଟି ପୁନର୍ବାର ନିଜର ଶରୀର ବୋଲି ଅନୁଭବ ହୁଏ, ଜନନୀମାନେ ପୁନର୍ବାର ତାହାର ଲାଳନପାଳନ କରିବାର ବାଟ ପାଇଯାଆନ୍ତି, ସଂସାରଯାକରେ ମୁଁ ତାହାକୁ ହିଁ ସବୁଠାରୁ ବଡ଼ ଔଷଧ ବୋଲି କହିବି । ସେହି ଔଷଧଟି ପ୍ରାପ୍ତ ହୋଇଗଲେ ଆଉ ଯାବତୀୟ ଔଷଧ ଅଲବତ କାମ ଦେବାକୁ ଆରମ୍ଭ କରିଥାଏ । ଠିକ୍ ଯେପରି ଅସଲ ସକାରାତ୍ମକତାଟି ଜଳବାୟୁପରି ନିଜ ଚାରିପାଖେ ଘେରି ରହିଥିଲେ ପୃଥିବୀରେ ସବୁକିଛି ସକାରାତ୍ମକଲାଗି ଏବଂ ସବୁକିଛି ସହିତ ଡୋର ଯୋଡ଼ି ହୁଏ, ଇଏ ପ୍ରାୟ ସେହିପରି ଗୋଟିଏ କଥା । ବନ୍ଧୁ ଭିତରେ ଥାଏ, ତେଣୁ ବନ୍ଧୁ ଜଗତରେ ମଧ୍ୟ ଥାଏ । ଭିତର ବାହାର ଅଲଗା ଅଲଗା ବୋଲି ସମ୍ଭବତଃ ସେଇଥିଲାଗି ଆଉ ମୋଟେ ବାରି ହୁଏନାହିଁ । ସମ୍ଭବତଃ ସେଇଥିଲାଗି ହିଁ ଭିତର ଏବଂ ବାହାରକୁ ଅଲଗା ଅଲଗା ବୋଲି ଅନୁଭବ କରିବାକୁ ମନ ବି ହୁଏନାହିଁ । ଅଲଗା ଅଲଗା ବାରିବା ମାତ୍ରକେ ହିଁ, ସମ୍ଭବତଃ ରୋଗ କୋଉଠିଥାଏ, ଭିତରକୁ ପଶିଆସେ । ମୋ’ର ଏହି ଶରୀର ଏହିପରି ସର୍ବଦା ହିଁ ସବୁଟି ସହିତ ଲାଗିକରି ରହିଥାଉ, ଏହିପରି ଆଶୀର୍ବାଦ ଲାଭ କରିବାରେ ହିଁ ଲାଗିଥାଉ,–ନିମିତ୍ତ ହୋଇ ରହିଥାଉ, ନିରୋଗ ଅର୍ଥାତ୍ ନିର୍ଭୟ ହୋଇ ରହିଥାଉ ।

 

୨୨. ୧୨. ୯୫

 

ଦଳେ ମଣିଷ ରହନ୍ତେ, ଯେଉଁମାନେ କି ଅତ୍ୟନ୍ତ କପଟରହିତ ଭାବରେ ପରସ୍ପର ପାଖକୁ ଯାଉଥାନ୍ତେ, ଅତ୍ୟନ୍ତ କପଟରହିତ ହୋଇ ପରସ୍ପର ପାଖରେ ଆପଣାକୁ ଖାଲି ଦେଉଥାନ୍ତେ । ଯଦି ଜୀବନରେ ସତକୁ ସତ ଲକ୍ଷ୍ୟଟିଏ ଥାଆନ୍ତା, ତେବେ ହୁଏତ କୌଣସି ପ୍ରକାର ମତଲବ ମଣିଷମାନଙ୍କୁ ଏପରି କପଟୀ କରି ରଖିନଥାନ୍ତା ।

 

ଏହି ମଣିଷମାନେ ହୁଏତ ଆଦୌ କୌଣସି ପଇତା ପକାଇ ନଥାନ୍ତେ, ଏବଂ ପଇତାଟାକୁ ଦେଖି ମଣିଷମାନଙ୍କୁ ଚିହ୍ନିବାଲାଗି ଆଦୌ ମନ କରୁନଥାନ୍ତେ । ଆଉ କାହାର ପଇତାଟାଏ ଦେଖି ସେଇଥିରୁ ହିଁ କଦାପି ତା’ର ବିଚାର କରୁନଥାନ୍ତେ । ଅନେକ ସମୟରେ ନାନା କାରଣରୁ ମଣିଷ ନିଜକୁ ଲୁଚାଇ ରଖିବାଲାଗି ଆବଶ୍ୟକ ମନେ କରୁଥାଏ ବୋଲି ହୁଏତ ଉପରକୁ ଗୋଟିଏ ପଇତା ପକାଇଥାଏ । ତେଣୁ, ପଇତାଟା ହିଁ ଜଣେ ମନୁଷ୍ୟର କଦାପି ସର୍ବୋତ୍ତମ ପରିଚୟ ନୁହେିଁ । ସର୍ବୋତ୍ତମ ପରିଚୟ ଯେ କ’ଣ, ସେକଥା ଏକାବେଳେକେ ପାଖକୁ ଆସିଲେ ଯାଇ ଧରାପଡ଼େ । ଉପରର ଖୋଳଗୁଡ଼ାକ ହୁଏତ ଖୋଳ ଜାଗାରେ ରହିଥାନ୍ତି, ତଥାପି ହୃଦୟଟା ପୂରା ଦୁଶି ଯାଉଥାଏ । ନିଜକୁ ତଥା ଅନ୍ୟକୁ ଅନାଇବା ସମୟରେ ମୁଁ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଦେଖିବାକୁ ପାଇଛି ଯେ ଆମେ ନିଜଭିତରେ ପ୍ରତ୍ୟେକେ ପ୍ରାୟ ଜନନୀସଦୃଶ ହୋଇ ନିଜର ଜୀବନଟିକୁ ଧାରଣ କରି ରହିଛୁ । ସେଠାରେ ଅନୁରାଗ ହିଁ ରାଜା ହୋଇ ବସିଛି । ଅନୁରାଗ ଅର୍ଥାତ୍ ଅଜସ୍ର କ୍ଷମା, ଅର୍ଥାତ୍ ଏକ ଅନମନୀୟ ଆଶାବାଦ । ଏହି ଗଛଟିରୁ ଅବଶ୍ୟ କିଛି ନା କିଛି ଫଳିବ, ତାହାହିଁ ଆଶାବାଦ । ପ୍ରତ୍ୟେକ ମଣିଷ ଭିତରେ ରହିଥିବା ଜନନୀ କ’ଣ ବ୍ୟକ୍ତି ଅନୁସାରେ ଭିନ୍ନ ଭିନ୍ନ ? ମଣିଷମାନେ ଆପାତତଃ କେଡ଼େ ଭିନ୍ନ ଭାବରେ ଲାଳିତପାଳିତ ହୋଇ ରହିଥାନ୍ତି ସିନା, ମାତ୍ର ଅନୁଭବ କହୁଛି ଯେ, ସେଇ ଗୋଟିଏ ଜନନୀ ହିଁ ଭିନ୍ନ ଭିନ୍ନ ଶିଶୁଙ୍କର ଆବଶ୍ୟକତା ମୁତାବକ ଏହିପରି ଏତେ ଭିନ୍ନ ଭିନ୍ନ ହୋଇ ରହିଥାନ୍ତି । ଆମ ସ୍ଵଭାବ ଅନୁସାରେ ସେହି ଜନନୀ ଆମକୁ କେଡ଼େ ଭିନ୍ନ ଭିନ୍ନ ଦେଖା ଯାଉଥାନ୍ତି । ମାତ୍ର, ନିଜ ଭିତରର ଶିଖରଟିକୁ ଛୁଇଁବା ସଙ୍ଗେ ସଙ୍ଗେ ସେହି ଭିନ୍ନତା ଏକାବେଳେକେ ଅପସରି ଯାଏ । ଅର୍ଥାତ୍, ଭିନ୍ନତା ଥାଏ କିନ୍ତୁ ମୋଟେ ଦୁଃଖ ଦିଏନାହିଁ । ମୁଁ ଏହିପରି ଦଳେ ଦୁଃଖରହିତ ମଣିଷଙ୍କର ହିଁ କଳ୍ପନା କରୁଛି । ବେଳେବେଳେ ପୃଥିବୀର ସମସ୍ତେ ହିଁ ସେହି ଦଳରେ ଅନ୍ତର୍ଗତ ହୋଇ ରହିଥିବାପରି ଅନୁଭବ ହୁଏ । ମୁଁ ଖାଲି ସ୍ଵୀକାର କରିନେଇ ପାରିଲେ ହେଲା ।

Image

 

Unknown

୧୯୯୬

୩. ୧. ୯୬

 

ଜୀବନର ଏହି ବିଚିତ୍ର ପଥଟିକୁ ମନେ ରଖିବାପାଇଁ ସେବର୍ଷ ବା ଏବର୍ଷ ଭଳି ଠିକ୍ ବା ଭୁଲ ହିସାବଗୁଡ଼ିକୁ ସଙ୍କେତକାରୀ ପଥରରୂପେ ମୋଟେ ଚିହ୍ନଟ କରି ରଖି ହେବନାହିଁ; ପଥଉପରେ ଘଟିଥିବା ଏହି କେତେ ସାକ୍ଷାତ୍‌କାର ହିଁ ଗୋଟିଏ ଗୋଟିଏ ମାଇଲ୍‌ଖୁଣ୍ଟପରି ରହି ମୋତେ ମୋ’ର ଏହି ବାଟ ଚାଲିବାଟି ବିଷୟରେ ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ପ୍ରତ୍ୟୟ ଦେଇ ଯାଉଥିବେ । ସାକ୍ଷାତ୍‍କାର ଭିତରେ, ପୁଣି ସାକ୍ଷାତ୍‌କାର ବାହାରେ । ଏହିସବୁ ଯାବତୀୟ ସାକ୍ଷାତ୍‌କାରର ଆକର୍ଷକ ଗୁଚ୍ଛଟିଏ,–ନିଜର ଜୀବନକୁ ମୁଁ ସବୁବେଳେ ଠିକ୍ ସେହିପରି ହିଁ ଅନୁଭବ କରିଥାଏ ।

 

ଏହି ଗୁଚ୍ଛ ଏକ bundle ନୁହେଁ, ଏହା ଗୋଟିଏ ସମଗ୍ର । ପ୍ରତ୍ୟେକ ମନୁଷ୍ୟର ଜୀବନ ଆଦୌ ଏକ bundle ନୁହେଁ, ତାହା ଏକ ସମଗ୍ର । ସେହି ସମଗ୍ରଟିର ଦର୍ପଣ ଉପରେ ନିଜକୁ ଚିହ୍ନିବା,–ତାହାହିଁ ନିଜକୁ ଏବଂ ଅନ୍ୟମାନଙ୍କୁ ଯଥାର୍ଥ ଶ୍ରଦ୍ଧା ଦେଇ ଚିହ୍ନିବା । ସମ୍ଭବତଃ ସେଇଥିପାଇଁ ମୁଁ କେବେ କାହାରିକୁ ଭୁଲି ପାରେନାହିଁ । ତଥାକଥିତ, ନିଜଟା ସହିତ ଅଧିକ ଲୋସଡ଼ା ହୋଇ ଲାଖିରହି ପାରିବି ବୋଲି ଅନ୍ୟମାନଙ୍କୁ ଭୁଲି ପାରେନାହିଁ କିମ୍ବା ଅନ୍ୟମାନଙ୍କ ସହିତ ଭଲ କରି ଗୁନ୍ଥି ହୋଇଯାଇ ପାରିବି ବୋଲି ନିଜକୁ ମଧ୍ୟ ଭୁଲିଯାଇ ପାରେନାହିଁ । ଏବଂ, ଗୋଟାକୁ ଲୁଚାଇ ପକାଇ ଆରଟାକୁ ଡାକିଆଣି ପାରିବା,–ମୋ’ ଜୀବନରେ ଏକଥାଟା କେବେହେଲେ ସମ୍ଭବ ହୋଇ ପାରିନାହିଁ । ଜୀବନରେ ଶ୍ରଦ୍ଧା ବଢ଼ୁଥିଲେ ଲୁଚାଇ ପକାଇବାର ଯାବତୀୟ ବିଦ୍ୟା କେଡ଼େ ସହଜରେ ଯେ ଫସରଫାଟି ଯାଏ, ମୁଁ ସେକଥା ଅଙ୍ଗେ ନିଭାଇ ଜାଣିଛି । ନିଜକୁ ଅନାଇ କେତେ ହସି ହସି ମୁଁ ତେବେଯାଇ ଲୁଚାଇ ହେବାର ଯାବତୀୟ ଲୋଭକୁ ଅତିକ୍ରମ କରି ଆସି ପାରିଛି । ଶ୍ରଦ୍ଧାର ଏକ ଅନ୍ୟ ନାମ ହେଉଛି ଅଭୟ, ଏହି କଥାଟିକୁ ମୁଁ ଜୀବନର ବାଟ ଚାଲି ଉପଲବ୍ଧି କରିଛି । ମୋ’ର ବାସ୍ତବବାଦ ଅନ୍ୟ ଅନେକଙ୍କର ତଥାକଥିତ ବହୁବିଧ ବାସ୍ତବବାଦଠାରୁ ସେହି କାରଣରୁ ହିଁ ଏତେ ଭିନ୍ନ ପ୍ରକାରର । ମୁଁ ନିଜକୁ ଯେତିକି ସମ୍ପୂର୍ଣ୍ଣ ଭାବରେ ପୃଥିବୀ ପାଖରେ ନେଇ ଉପସ୍ଥାପିତ କରିପାରିବି, ପୃଥିବୀ ସହିତ ମୋ’ର ସାକ୍ଷାତ୍‌କାରଟି ମଧ୍ୟ ସେତିକି ଯଥାର୍ଥ ତଥା ପ୍ରସାରଯୁକ୍ତ ହୋଇପାରିବ । ଏହି ସାକ୍ଷାତ୍‌କାର ଉପରେ ମୁଁ ସବୁଠାରୁ ଅଧିକ ନିର୍ଭର ରଖି ପାରିଥିବାରୁ ହିଁ ନିଜର ବିଦ୍ୟା, ନିଜର ଭକ୍ତି ଏବଂ ନିଜର ଅବବୋଧଗୁଡ଼ାକୁ ମୁଁ କେତେ କେତେ ପ୍ରଦୂଷଣରୁ ମୁକ୍ତି କରିଆଣି ପାରିଛି । କେଡ଼େ ହାଲୁକା ହୋଇ ଦେଖିପାରୁଛି ଓ କେଡ଼େ ହାଲୁକା ହୋଇ ସ୍ପର୍ଶ ବି କରିପାରୁଛି ।

 

୧. ୨. ୯୬

 

ଏହି ସଂସାରଟା ଭିତରେ ମୁଁ ନିତି ହାରୁଥାଏ ପଛକେ, ନିଜପାଖରେ ଯେପରି କେବେହେଲେ ହାରି ନଯାଏ ! ସଂସାର ପାଖରେ ହାରି ହାରି ହିଁ ମୁଁ ସଂସାରକୁ ଜିତିଛି । ମାତ୍ର, ନିଜପାଖରେ ହାରି ନିଜର କେନ୍ଦ୍ରଟିରୁ ଖିଅଟିକୁ ଛିଣ୍ଡାଇ ଆଣିଲେ ମୁଁ ଆଉ କାହା ଭରସାରେ କେଉଁଠି ଠିଆ ହୋଇ ପାରିବି ? ନିଜପାଖରେ ଖିଅଟିଲାଗି ରହିଛି ବୋଲି ହିଁ ମୁଁ ବାହାରେ ସାତ ବା ସତର ଜାଗାରେ ହାରି କରି ମଧ୍ୟ ଏହି ସଂସାରକୁ ନିଜର ବୋଲି ଅନୁଭବ କରିପାରୁଛି ଓ ନିଜର ବୋଲି କହିପାରୁଛି ।

 

ସଂସାରରେ ହାରିବା ବା ଜିତିବାର ଆଦୌ କୌଣସି ପ୍ରଶ୍ନ ନଥାଏ । ନିଜଭିତରେ ଯେଉଁ ଅସଲ ଜୀବନାନୁରାଗଟି ପ୍ରତ୍ୟହ ବାଟ ଦେଖାଇ ଦେଇଥାଉ ଓ ବାଟ ଚଲାଇ ନେଉଥାଏ, ସତେଅବା ତାହାହିଁ ଏହି ସଂସାର ଭିତରେ ନିଜର ବୋଲି ଘରଟିଏ ଠାବ କରିନିଏ । ନିଜପାଖରେ ହାରି ଯାଉଥିବାର ମଣିଷମାନେ ହିଁ ସମ୍ଭବତଃ ସଂସାରଟାକୁ ଗିଳି ପକାଇବା ନିମନ୍ତେ ସତତ ଉଦ୍‌ଗ୍ରୀବ ହୋଇ ରହିଥାନ୍ତି । ନିଜଭିତରେ ଭଣ୍ଡାରଟି ଶୂନ୍ୟ ପଡ଼ିଥାଏ ବୋଲି ସେମାନେ ବାହାରେ କେତେ କେତେ ଭଣ୍ଡାରକୁ ଲୁଟି କରି ଆପଣାର ଦାରିଦ୍ର୍ୟ ମେଣ୍ଟାଇବାରେ ପ୍ରୟାସ କରୁଥାନ୍ତି । ସଂସାରରେ ଅଜସ୍ର ଦୁଃଖର କାରଣ ହୁଅନ୍ତି । ଏହି ଅପାଠଟାକୁ ମୁଁ ଅନେକ ଦିନରୁ ଅପାଠ ବୋଲି ଜାଣିଛି ଓ ସେହି ଅନୁସାରେ ନିଜଭିତରେ ନିଜର ବନ୍ଧୁଟିକୁ ଛୁଇଁ କରି ରହିଛି । ସେହିଠାରେ ଛୁଇଁ କରି ରହିଥିଲେ ବାହାରର ତଥାକଥିତ ଯାବତୀୟ ହାରିବା ଯେ କିପରି ସତକୁ ସତ ନିଜେ ସମ୍ପଦବାନ୍ ହେବାରେ ସାହାଯ୍ୟ କରେ, ସେକଥା ମୁଁ ଅଙ୍ଗେ ନିଭାଇଛି ଓ ତାହାରି ବଳରେ ସଂସାରରେ ନିର୍ଭୟ ହୋଇ ରହି ପାରିଛି । ମୋତେ ଜିତି ଯିଏ ସବୁ ହାସଲ କରିପାରିଲା ବୋଲି ଉଲ୍ଲସିତ ହେଉଛି, ମୁଁ ତାକୁ ମଧ୍ୟ ସତେଅବା ଭିତରର ସେହି ବିଚିତ୍ର ଖିଅଟିଦ୍ଵାରା ନିଜର ବୋଲି ଅନୁଭବ କରି ପାରୁଛି । ଡୋରା ଲଗାଇବା କହିଲେ ମୁଁ ଏହିପରି ଭାବରେ ମୋ’ର ଅସଲ ଡୋରଟିକୁ ପ୍ରସାରିତ କରି ରଖିବା ବୋଲି ବୁଝି ଆସିଛି । ଯାହା ପାଖରେ ଆଗ ଯାଇ ପହଞ୍ଚିଯିବି ବୋଲି ମୁଁ ଏକ ପ୍ରତିଯୋଗିତାର ନାଟକ ଲଗାଇ ଦଉଡ଼ିବାରେ ଲାଗିଥାନ୍ତି, ସିଏ ମୋ’ ଭିତରେ ରହିଛି, ମୋତେ ଛୁଇଁ କରି ରହିଛି, ମୋତେ ନିତ୍ୟଅଭୟ ପ୍ରଦାନ କରୁଛି । ସେଇଥିପାଇଁ ସମ୍ମୁଖର ଏହି ଯାବତୀୟ ଖାଲଢିପ ସତ୍ତ୍ୱେ ମୁଁ ଯାବତୀୟ ପଦଚାରଣାରେ କେବଳ ଏକ ଫୁଲବଗିଚା ହିଁ ଦେଖିବାକୁ ପାଇଛି । ଏହି ସବୁଯାକ ଫୁଲବଗିଚା ହେଉଛି କେବଳ ସେହି ଗୋଟିଏ ମାଳିର ସମ୍ପତ୍ତି-। ମୁଁ ଯାହାର ସମ୍ପତ୍ତି, ସମସ୍ତେ ମଧ୍ୟ ତାହାରି ସମ୍ପତ୍ତି । ତେବେ ସେମାନଙ୍କ ପାଖରେ ହାରିବାରେ ମୁଁ ନିଜକୁ କ୍ଷତ ବୋଲି ଅନୁଭବ କରିବି କେଉଁ ଦୁଃଖରେ ?

 

୪. ୨. ୯୬

 

ଆଗ ଉଦାସୀନତା ନା ଆଗ ଈର୍ଷା ? ଅର୍ଥାତ୍, ମଣିଷ ଆଗ ଉଦାସୀନ ହେବାକୁ ମନ କଲେ ଈର୍ଷାପରାୟଣ ହୁଏ ନା ଆଗ କୌଣସି କାରଣରୁ ଈର୍ଷାପରାୟଣ ହେଲେ ବଳେ ବଳେ ଉଦାସୀନ ହୋଇଯାଏ ? ଗୋଟାଏ ପ୍ରକାରର ବୈରାଗ୍ୟ ରହିଛି, ଯାହାକି ଶ୍ରଦ୍ଧାରୁ ଉଚ୍ଚତର ଶ୍ରଦ୍ଧା ଆଡ଼କୁ ସୋପାନ କଢ଼ାଇ ନେଇଯାଏ । ମୁଁ ସେହି ବୈରାଗ୍ୟକୁ କଦାପି ଉଦାସୀନତା ରୂପେ ଉପଲବ୍ଧି କରିନାହିଁ । ମୋତେ ଆହୁରି ଅଧିକ ଉପରଟା ଟାଣିଛି, ତେଣୁ ମୁଁ ଏଠାଟାକୁ ଅଯଥେଷ୍ଟ ବୋଲି ଅନୁଭବ କରିଛି । ଅଧିକ ଗଭୀରରେ ଆଉକେହି ସ୍ପନ୍ଦିତ କରିଛି, ତେଣୁ ଏଠାଟା ଖାସ୍ ସେହି କାରଣରୁ ହିଁ ଅଗଭୀର ଏବଂ ଅଯଥେଷ୍ଟପରି ଲାଗିଛି ।

 

ଯେଉଁମାନେ ବାଟ ଚାଲିବା ଆଗରୁ ଗୋଟାଏ ଆଦର୍ଶକୁ ସତେଅବା ନିଜର ସହସ୍ରାରପରି ଗ୍ରହଣ କରିନିଅନ୍ତି, ସମ୍ଭବତଃ ସେହିମାନେ ଗରଜରେ ପଡ଼ି ଉଦାସୀନ ହୁଅନ୍ତି । ସେମାନଙ୍କୁ ଆମେ ଆଦର୍ଶବାଦୀ ବୋଲି କହିପାରିବା । ସେମାନେ ବାଟ ଚାଲୁ ଚାଲୁ କେବେହେଲେ ଆଦର୍ଶ ଓ ଆକର୍ଷକ ରୂପେ ହୁଏତ କିଛିହେଲେ ଆବିଷ୍କାର କରି ନଥାନ୍ତି । ଆବିଷ୍କାର କରୁଥିବା ମଣିଷର ଆଦର୍ଶ ଅଧିକରୁ ଅଧିକ ପ୍ରସାରିତ ଓ ତେଣୁ inclusive ହେବାରେ ଲାଗିଥାଏ । ତେଣୁ ଉଦାସୀନ ହେବାର ଅବକାଶ ନଥାଏ । ଯେଉଁମାନେ ଊର୍ଦ୍ଧ୍ଵରେ ପହଞ୍ଚିବେ ବୋଲି ଅଧଃଟାକୁ ଭୟ କରନ୍ତି, ଅଧଃଟା କାଳେ ସେମାନଙ୍କୁ ଗିଳି ପକାଇବ ବୋଲି ଶଙ୍କିତ ହୋଇ ରହିଥାନ୍ତି, ସେମାନେ ଶ୍ରଦ୍ଧାକୁ ହରାଇ ଉଦାସୀନତାକୁ ବରଣ କରି ନେଇଥାନ୍ତି । ଶ୍ରଦ୍ଧାକୁ ହରାଇଲେ ହିଁ ଈର୍ଷା ଗିଳିବାକୁ ଆସେ । ଅନ୍ୟମାନଙ୍କ ଉପରେ କ’ଣଟାଏ ଲଦିଦେଲେ ଜଗତଯାକର ସମସ୍ୟାର ସମାଧାନ ହୋଇଯିବ ବୋଲି ବିଚାରୁଥିବା ସେହି ବିଶେଷ କାଟର ମଣିଷମାନେ ହିଁ ଈର୍ଷାପରାୟଣ ହୁଅନ୍ତି । ନିଜର ଘରଟାକୁ କିଳି ରଖିବାକୁ ହିଁ ଆପଣାକୁ ଜବତ କରି ରଖିବାର ସଫଳ ଉପାୟ ବୋଲି ଅନୁମାନ କରୁଥିବା ବ୍ୟକ୍ତିମାନେ ବାହାରଟାକୁ ଭୟ କରନ୍ତି, ତେଣୁ ବାହାର ବିଷୟରେ ଉଦାସୀନ ରହିବାଟାକୁ ଔଷଧପରି ବ୍ୟବହାର କରନ୍ତି । ସେହି ଲୋକମାନେ ସଂକ୍ରମଣକୁ ଡରନ୍ତି, ତେଣୁ ଈର୍ଷାପରାୟଣ ହୁଅନ୍ତି, ଜାତି ବାରନ୍ତି, ଆପଣାକୁ righteous ବୋଲି ଦେଖାଇ ହୁଅନ୍ତି । ଧର୍ମର ବିସ୍ତୃତ ବ୍ୟାଖ୍ୟାମାନ ଦେଇ ଆନନ୍ଦ ପାଆନ୍ତି । ସମ୍ଭବତଃ ସେହି ପ୍ରଧାନ କାରଣଟି ସକାଶେ ହିଁ ଜଣେ ଆଦର୍ଶବାଦୀ ସହିତ ଆଉଜଣେ ଆଦର୍ଶବାଦୀର ଏତେ ଝଗଡ଼ାଲାଗି ରହିଥାଏ । ମାତ୍ର, ସତକୁ ସତ ବାଟ ଚାଲୁଥିବା ମଣିଷମାନେ ଝଗଡ଼ା କରନ୍ତିନାହିଁ । ଜଣେ ବାଟ ଚାଲୁଥିବା ବ୍ୟକ୍ତି ଆଉଜଣେ ବାଟ ଚାଲୁଥିବା ବ୍ୟକ୍ତିକୁ ଶ୍ରଦ୍ଧା ହିଁ କରେ ।

 

୨. ୩. ୯୬

 

ବଞ୍ଚୁ ବଞ୍ଚୁ ସ୍ଵପ୍ନ ଦେଖୁଥିବି ଏବଂ ସ୍ଵପ୍ନମାନେ ହିଁ ମୋ’ ଯାବତୀୟ ବଞ୍ଚିବାରେ ଦିଗ୍‌ବଳୟ ସଦୃଶ ହୋଇ ରହିଥିବେ । ଏକାବେଳେକେ ମୋ’ ଯାବତୀୟ ବଞ୍ଚିବାର ଭୂମି ଓ ଦିଗ୍‍ବଳୟ ହୋଇ ରହିଥିବେ ।

 

ସ୍ଵପ୍ନମାନେ କୌଣସି ମଣିଷକୁ ଭୂମିରୁ ଛଡ଼ାଇନେଲେ ଏବଂ ଭୂମିକୁ କାମୁଡ଼ି ଧରି ଧରି ସ୍ଵପ୍ନଗୁଡ଼ାକୁ ଛାଡ଼ି ହୋଇଗଲା ବୋଲି ଯେତେବେଳେ କେହି କେହି ମୋ’ ଆଗରେ କହିବାକୁ ଆସନ୍ତି, ସେତେବେଳେ ମୁଁ ସେମାନଙ୍କର ସତେଅବା ଆଦୌ କୌଣସି ଖିଅ ପାଏନାହିଁ । ସେମାନଙ୍କର ଜୀବନର କୌଣସି ଖିଅ ପାଏନାହିଁ ଅଥବା ସେମାନଙ୍କ ସ୍ଵପ୍ନଗୁଡ଼ିକର ବି କୌଣସି ଖିଅ ପାଏନାହିଁ । ସେମାନେ ପୁଣି ଭାରି ଜିଦ୍ କରି କହୁଥାନ୍ତି ଯେ, ନିଜ ଅଙ୍ଗେ ନିଭାଇଥିବା ଜୀବନରୁ ନିଷ୍କର୍ଷ ବାହାର କରି ସେମାନେ ଏଭଳି କହୁଛନ୍ତି । ମୋ’ ନିଜର ବି ଗୋଟିଏ ଅଙ୍ଗେ ନିଭାଉଥିବା ବା ନିଭାଇଥିବା ଜୀବନ ରହିଛି । ମୁଁ ଯେତେ ଯାହା ଜୀବନ ବଞ୍ଚିଛି, ସେଗୁଡ଼ିକରେ ନାନା ସ୍ଵପ୍ନର ଡେଣା ଲଗାଇ ହିଁ ବଞ୍ଚିଛି । ଏବଂ, ଯେତେ ଯାହା ସ୍ଵପ୍ନ ଦେଖିଛି, ଏହି ଜୀବନନାମକ କିଆରି ଭିତରେ ମୋ’ ଅନୁରାଗର ପଟାଳିଗୁଡ଼ିକୁ ପାଗ କରୁ କରୁ ହିଁ ଦେଖୁଛି । ଆଗରୁ ରହି ଆସିଥିବା ହିଡ଼ଗୁଡ଼ିକୁ ଉଠାଇଦେଇ ସାନି ପଟାଳିଟିକୁ ବଡ଼ କରିଦେବାକୁ ମନ କଲେ କାହାକୁ କଦାପି ଭୂଇଁ ଛାଡ଼ି ଚାଲିଯିବାକୁ ପଡ଼େନାହିଁ । ଯଦି ସାରା ଜୀବନଟା ଏହିପରି ହିଡ଼ ଉଠାଇବାରେ ଅତିବାହିତ ହେଉଥାଏ, ତେବେ ଜୀବନଟା ପ୍ରକୃତରେ ଏକ ଉତ୍ସବ ବୋଲି ଲାଗୁଥାଏ । ଯାହାକୁ ଅନ୍ୟମାନେ କେଡ଼େ ଗମ୍ଭୀର ହୋଇ ବାସ୍ତବ ବୋଲି କହନ୍ତି, ମୁଁ ତାହାକୁ ହିଁ ମୋତେ ନିମିତ୍ତ କରି ଚାଲିଥିବା ଏକ ଉତ୍ସବରୂପେ ଅନୁଭବ କରି ଆସିଛି । ଅନେକ ବାସ୍ତବବାଦୀ ଦେଖିଛି, ଯେଉଁମାନେ ସତେଅବା ଜାଣିଶୁଣି ଆପଣାର ନାକରେ ତୁଣ୍ଡି ବାନ୍ଧି ଦେଇଥାନ୍ତି ଓ ବେକରେ ଢିଙ୍କିଆ ପକାଇ ରଖି ଥାଆନ୍ତି । ଆଦର୍ଶବାଦୀ ଓ ସ୍ଵପ୍ନଚାରୀ ମଧ୍ୟ ଅନେକ ଦେଖିଛି, ଯେଉଁମାନେ କି ସତେଯେପରି କଦାପି ଭୂଇଁକୁ ଓହ୍ଲାଇବେ ନାହିଁ ବୋଲି ଅତ୍ୟନ୍ତ ହାଲିଆ ହୋଇ ତଥାକଥିତ ସ୍ଵପ୍ନଗୁଡ଼ାକୁ ହିଁ ଆପଣାର ରକ୍ଷାକାନ୍ଥ ସଦୃଶ ବ୍ୟବହାର କରୁଥାନ୍ତି । ମୋ’ପାଇଁ ସେଠି ଯିଏ, ଏଠି ମଧ୍ୟ ସିଏ । ମୋ’ର ଡେଣା ଏବଂ ମୋ’ର ପାଦଦୁଇଟି କଦାପି ପରସ୍ପରର ଇତରଧର୍ମୀ ନୁହନ୍ତି । ଗୋଟାଏ ଖୁସି ରହିଛି, ଯାହାକୁ ନିଜଭିତରେ ପାଇଲେ ଏଠି ଭୂଇଁଗୁଡ଼ାକ ଦେହରେ ମଧ୍ୟ ଡେଣାଲାଗି ଯାଉଥିବାପରି ଲାଗେ ଏବଂ ଆକାଶଯାକର ସ୍ଵପ୍ନ ଭୂଇଁଟିଲାଗି ପ୍ରକୃତରେ ଆଶୀର୍ବାଦପରି ହୋଇ ରହିଥାଏ । ମୋ’ ଭୂଇଁ ଆକାଶରୁ ଶକ୍ତି ପାଏ, ଏବଂ ମୋ’ର ସ୍ଵପ୍ନ ଭୂଇଁ ଉପରେ ପାଦ ପକାଇ ହିଁ ଆପଣାକୁ ସଚଳ କରି ରଖିଥାଏ ।

 

୧୦. ୪. ୯୬

 

ନିଜ ଆଉ ପର ବିଷୟରେ ସଂଜ୍ଞାଗୁଡ଼ିକ କ୍ରମେ କେତେ ଭାବରେ ବଦଳି ଗଲାଣି । ପ୍ରଥମେ ନିଜ ଘର ଆଉ ଅନ୍ୟମାନଙ୍କ ଘର ବୋଲି ଭାବୁଥିଲି । ତା’ପରେ କେତେଥାକ ଉଠିଯାଇ ତାହା ନିଜ ଦେଶ ଓ ଅନ୍ୟମାନଙ୍କର ଦେଶ ପାଖରେ ଯାଇ ପହଞ୍ଚିଥିଲା । ଏବେ, ସେହି ପୁରୁଣା ଅଙ୍କଗୁଡ଼ାକ ଭାରି ଝାପ୍‌ସା ଝାପ୍‌ସା ଲାଗିବାକୁ ଆରମ୍ଭ କଲେଣି । ‘ମୁଁ’ ବୋଲି କହିଲେ ମୁଁ ଆଗେ ଯାହା ଭାବୁଥିଲି, ବୋଧହୁଏ ଏବେ ସେପରି ଆଦୌ ଅନୁଭବ କରି ପାରୁନାହିଁ । ଏବଂ, ସେଥିଲାଗି ଅନ୍ୟମାନଙ୍କୁ ମଧ୍ୟ ଯେଉଁ ମାନଦଣ୍ଡଗୁଡ଼ିକୁ ଦେଇ ନିଜର ବା ପର ବୋଲି ବାଛି ନେଉଥିଲି, ସେହି ମାନଦଣ୍ଡ ମଧ୍ୟ କ୍ରମେ ବଦଳି ଗଲାଣି ।

 

ଯିଏ ଖାଲି ନିଜକୁ କେନ୍ଦ୍ର କରି ପୃଥିବୀକୁ ଦେଖୁଛି, ନିଜ ସିଦ୍ଧି, ନିଜ ସଫଳତା, ନିଜ ସ୍ଵାର୍ଥ ଏବଂ ନିଜ ସଞ୍ଚୟ ତଥା ସମ୍ପତ୍ତିଗୁଡ଼ିକୁ ଏକ ପରିଧିବାଡ଼ରେ ପରିଣତ କରିଦେଇ ଖାଲି ତାହାରି ଭିତରେ ଝାଇଁ ବୁଲୁଛି, ସେହି ଲୋକଙ୍କୁ ଏବେ ମୋଟ ପସନ୍ଦ ହେଉନାହିଁ । ସେମାନଙ୍କୁ ମୁଁ ହୀନ ବୋଲି ସିନା କହୁନାହିଁ, ମାତ୍ର ସେମାନଙ୍କର କତିଯାଏ ଯିବାକୁ ମୋଟେ ମନ ହେଉନାହିଁ । ସେମାନେ ମୋ’ର ଏକାବେଳେକେ ରକ୍ତସମ୍ପର୍କର ହୋଇଥାନ୍ତୁ ପଛକେ, ସାଂପ୍ରତିକ ସମ୍ମାନବଜାରରେ ହୁଏତ କେଡ଼େ ଉପରେ ବା କେତେ କ୍ଷମତାରେ ଯାଇ ବସିଥାନ୍ତୁ ପଛକେ, ସେମାନଙ୍କୁ ନିଜର ବୋଲି ଗ୍ରହଣ କରି ହେଉନାହିଁ ବା ଖୁବ୍‌ବେଶି କଦର ଦେବାକୁ ମନ ହେଉନାହିଁ । ମାତ୍ର, ଯିଏ ଅନ୍ୟମାନଙ୍କୁ ମିଶାଇ ନିଜ କଥା ଭାବୁଛି; ଅନ୍ୟ ଅନେକଙ୍କର ନାମରେ ଆସିବାକୁ ଚେଷ୍ଟା କରୁଛି, ଯାହାର ପରିଧି ସତତ ସମ୍ପ୍ରସାରିତ ହେବାରେ ଲାଗିଛି, ସେଇ ମୋତେ ବେଶି ଆକର୍ଷଣ କରୁଛି । ଏହିପରି ମଣିଷ ଆଗେ ମଧ୍ୟ ଥିଲେ । ଇତିହାସରେ ମୋତେ ସେହିମାନେ ଅଧିକ ସୁନ୍ଦର ଦେଖା ଯାଉଛନ୍ତି । ଏହି କ୍ଷେତ୍ରରେ ମୋ’ ଦେଶ, ମୋ’ ଜାତି, ମୋ’ ମତବାଦ କିମ୍ବା ମୋ’ ଧର୍ମ ଆଦୌ ଏକ ପ୍ରତିନ୍ଧକ ହୋଇ ଛିଡ଼ା ହେଉନାହିଁ । ତେଣୁ, ଯଦି ହାତପାଆନ୍ତାର ସ୍ଵାର୍ଥୀମାନେ ବହୁଦୂର ମନେ ହେଉଛନ୍ତି ଓ ଏଠାରୁ ବହୁତ ଦୂର ଆଉ କେଉଁ ଦେଶରେ ସମଗ୍ର ପୃଥିବୀର ହୋଇ ବଞ୍ଚୁଥିବା ମଣିଷଟିଏ ଅତ୍ୟନ୍ତ ଆତ୍ମୀୟପରି ଲାଗୁଛି । ତାହାରି ହାତ ଧରି ବାଟ ଚାଲୁଥିବାପରି ବୋଧ ହେଉଛି । ସେଇଥିରୁ ବଳ ଆସୁଛି । ସମଗ୍ର ପୃଥିବୀ ସେହିପରି ଏକ ନୂତନ ଆତ୍ମୀୟତା ଆଡ଼କୁ ଯିବାରେ ଲାଗିଲାଣି କି ? ସେହି ଅନ୍ୟ ଆତ୍ମୀୟତାର ପୃଥିବୀରେ ମୁଁ ମଧ୍ୟ ଥିବି, ଭିତରେ ସେହି ବିଶ୍ଵାସଟି ଦୃଢ଼ ହେବାରେ ଲାଗିଛି ।

 

୫. ୫. ୯୬

 

କାହାଉପରେ କଦାପି କିଛି ଦାବି କରାଯାଇ ପାରେନାହିଁ ସତ, ମାତ୍ର ତଥାପି କିଛି ପ୍ରତ୍ୟାଶା ଅବଶ୍ୟ ରଖା ଯାଇଥାଏ । ମୋତେ ଆଉଜଣେ ଏପରି କିମ୍ବା ସେପରି ଭାବରେ ନିଶ୍ଚୟ ବୁଝିବ ବୋଲି ପ୍ରତ୍ୟାଶା କରି ପାରୁନଥିଲେ ପୃଥିବୀରେ କାହାରି ଉପରେ ଭରସା ରଖି ବାଟ ଚାଲିବା ହୁଏତ ସମ୍ଭବ ହେଉନଥାନ୍ତା । ଏବଂ, ଯଦି ସେତିକି ପ୍ରତ୍ୟାଶା ଅନୁସାରେ ଫଳ ନମିଳେ, ସେତେବେଳେ ଧରିଥିବା କୌଣସି ଡାଳରୁ ହାତ ଖସିଯିବାପରି ଅନୁଭବ ହୋଇଥାଏ । ସେତେବେଳେ କେବଳ ଜଣକୁ ଜଣାଇବା ବ୍ୟତୀତ ଆଉ କୌଣସି ଗତି ନଥାଏ । ମୁଁ ତାହାକୁ ଭଗବାନ ବୋଲି କହିବାକୁ ବି ମୋଟେ ଅରାଜି ହେବିନାହିଁ । ମୋ’ ଭିତରେ ଯେଉଁ ବନ୍ଧୁଟି ରହି ମୋତେ ବାଟ ଦେଖାଉଛି, ସହ୍ୟ କରି ଓ ସ୍ଵୀକାର କରି ଶିଖାଉଛି, ଭାରି ସ୍ପଷ୍ଟ ଭାବରେ ଲାଗେ ଯେ, ସେଇ ଅନ୍ୟମାନଙ୍କ ଭିତରେ ମଧ୍ୟ ରହିଛି । ତା’ ନହେଲେ, ତାକୁ ସ୍ମରଣ ଓ ଅନୁଭବ କରିବା ମାତ୍ରକେ ସମୁଦାୟ ପୃଥିବୀଟା ଏପରି ହାଲୁକା ଲାଗୁଥାନ୍ତା କିପରି ?

 

ମୋ’ ଭିତରେ ଯେଉଁ ବୃହତ୍ତର ‘ମୁଁ’ ଟି ରହିଛି, ସେଇ ମୋତେ ପୃଥିବୀରେ ସମସ୍ତଙ୍କ ସହିତ ଯୋଡ଼ି କରି ରଖିଛି । ତାକୁ ମୁଁ ଏପରି ଗୋଟାଏ ଘର ବୋଲି କହିବି, ଯାହାଉପରେ କି ଏଠି ନିଜ ଭିତରେ ଆଙ୍ଗୁଠି ଛୁଆଇଁଦେବା ମାତ୍ରକେ ବିଶ୍ଵଯାକର ଆହୁରି କେତେ କେତେ ମଣିଷଙ୍କ ଭିତରେ ରହିଥିବା ତାରଗୁଡ଼ିକ ଝଙ୍କୃତ ହୋଇ ଉଠୁଛି । ତା’ରି ପାଖରେ ବସି, ତାକୁ ନିବିଡ଼ ଭାବରେ ନିଜର ଦଇନିଟିକୁ ଜଣାଇ ପ୍ରାର୍ଥନା କରିପାରିଲେ, ସେଇ କ’ଣ ଅନ୍ୟମାନଙ୍କ ପାଖରେ ମୋ’ ଖବରଟିକୁ ନେଇ ପହୁଞ୍ଚାଇ ପାରୁନଥିବ, ମୋ’ର ଅଳିଟିକୁ ନେଇ ଜଣାଇ ପାରୁନଥିବ ? ଯଦି ସେହି ଗୋଟିଏ ତନ୍ତ୍ରୀ ଆମ ସମସ୍ତଙ୍କୁ ଏକାଠି ଗୋଟିଏ ଐକ୍ୟତାନରେ ସନ୍ତକରୂପେ ବାନ୍ଧି ରଖିଛି, ତେବେ ମୁଁ ଏଠାରେ ସେହି ତନ୍ତ୍ରୀଟିକୁ ସ୍ପର୍ଶ କରିପାରିଲେ ସେପାଖେ ମଧ୍ୟ ତାହାର ଦଇନିଟି ଯାଇ ବାଜି ପାରିବନାହିଁ କାହିଁକି ? ଏହି କଥାଟିକୁ ପ୍ରମାଣ କରିବା ନିମନ୍ତେ କେବେ ମନ ହୋଇନଥିଲେ ମଧ୍ୟ ଏଇଟି ଉପରେ ହିଁ ବିଶ୍ଵାସ ବଢ଼ି ବଢ଼ି ଯାଇଛି ଓ ମୁଁ ଠିକଣା ମାର୍ଗରେ ରହିଛି ବୋଲି ଭିତରୁ ପୂରା ଭରସା ମଧ୍ୟ ମିଳିଛି । ନହେଲେ ତ ପୃଥିବୀରେ ସଦାସର୍ବଦା ଖାଲି ହାରିଯିବାପରି ଲାଗୁଥାନ୍ତା-। ନାନା କ୍ଷୋଭରେ ଯାବତୀୟ ଅବବୋଧ ଜର୍ଜର ହୋଇ ରହିଥାନ୍ତା । ସେହି ପରିସ୍ଥିତିଟିକୁ ମୁଁ କଦାପି ସହ୍ୟ କରି ପାରୁନଥାନ୍ତି । ତା’ପରେ ତ ଅଣ୍ଟା ଭାଙ୍ଗି ପଡ଼ୁଥାନ୍ତା ଓ ଜୀବନ ଶୋଚନୀୟ ହୋଇ ରହିଥାନ୍ତା । ତେଣୁ, ଏହି ତନ୍ତ୍ରୀଟା ଉପରେ ମୋ’ର ଭରସା ଏହିପରି ଅତୁଟ ହୋଇ ରହିଥାଉ । ପ୍ରମାଣ ଦେଇ ସମସ୍ତଙ୍କୁ ବୁଝାଇ ଦେବାର ଆଣ୍ଟ କେବେହେଲେ ବି ନହେଉ । ଅନେକ ମଣିଷଙ୍କୁ ମୁଁ ସେହି ଦୁର୍ବୁଦ୍ଧି କରୁଥିବାର ଦେଖିଛି ଏବଂ ସେମାନଙ୍କର ସେହି ଉତ୍ସାହଟା ମୋତେ ଭାରି ହାସ୍ୟାସ୍ପଦ ମନେ ହୋଇଛି ।

 

୧୮. ୬. ୯୬

 

ନିଜ ପୁତ୍ର, ପତି, କୁଟୁମ୍ବକୁ ଘେନି ଜଣେ ଏହି ସଂସାରରେ ବାସ କରୁଛି ବୋଲି ଯେ ତାକୁ ଏକୁଟିଆ ଲାଗୁନାହିଁ, ସେକଥା ଯେତେ ସତ, ଏହି ପୁଥିବୀରେ ମଣିଷ ପରସ୍ପର ପାଇଁ ରହିଛି ବୋଲି ତାକୁ ଏଠି ମୋଟେ ଏକୁଟିଆ ଯେ ଲାଗୁନାହିଁ, ତାହା ଅନେକ ଅଧିକ ପରିମାଣରେ ସତ ।

 

ପରସ୍ପର ସହିତ ରହିବାପାଇଁ ହିଁ ମଣିଷ ପୃଥିବୀକୁ ଆସିଛି । ଆମେ ଅଳପମାନେ ନିଜର ତଥାକଥିତ କୁଟୁମ୍ବଗତ ଜୀବନଟି ଭିତରେ ନିଜ ପାରସ୍ପରିକତାକୁ ସୀମାବଦ୍ଧ କରି ରଖିଥାଉ ଓ ସେଥିରୁ ଜୀବନର ପ୍ରାୟ ସବୁଯାକ ଆନନ୍ଦ ଲାଭ କରିବାରେ ଲାଗିଥାଉ । ଏହାଦ୍ଵାରା ଆମ ଭାବର ଘରଟି କେଡ଼େ ପୂରି ରହିଥିବାପରି ଲାଗୁଥାଏ ସିନା, ମାତ୍ର ତାହାଦ୍ୱାରା ଏହି ପୃଥିବୀ ବହୁତ ଦୁଃଖ ପାଏ । ଆମେ ନିଜେ କ’ଣ କମ୍ ଦୁଃଖ ପାଉ ? ଆମ ନିଜ ପୃଥିବୀର ଅର୍ଥାତ୍ କୁଟୁମ୍ବଟିର ମଣିଷମାନେ ନିଜ ପାଖରେ ନଥିବା ସମୟରେ ଅଥବା ସେମାନଙ୍କୁ ସେମାନଙ୍କର ପ୍ରତ୍ୟାଶିତ ଭାଗ୍ୟଗୁଡ଼ିକ ଉପଲବ୍ଧ ହୋଇ ପାରୁନଥିବା ସମୟରେ ଆମେ ସଂସାରରେ ସତେଅବା ଆଉ କିଛି ରହିଲାନାହିଁ ବୋଲି ରୋଦନ କରିବାରେ ଲାଗିଥାଉ । ଆମ ଚାରିପାଖରେ ପୂର୍ବର ବଡ଼ ପୃଥିବୀଟା ସବୁଦିନପରି ରହିଥାଏ ସିନା, ମାତ୍ର ଆମେ ସେଇଟିକୁ ଆଦୌ ଦେଖି ପାରୁନଥାଉ । ଏକ ବିଚିତ୍ର ଉଦାସୀନତା ଆମ ହୃଦୟର ଆଖିଗୁଡ଼ାକୁ ଏକାବେଳେକେ କାମୁଡ଼ି ଧରିଥାଏ । ବାଡ଼ଗୁଡ଼ିକୁ ଡେଇଁ ଦେଖି ପାରିବାଲାଗି ଆମ ଆଖିଗୁଡ଼ିକରେ ଆଦୌ ବଳ ନଥାଏ । ଆମେ ପ୍ରତ୍ୟେକେ ଏକ ସାନ କୁଟୁମ୍ବ ଭିତରେ ଜନ୍ମ ହୋଇଛୁ ତାହାକୁ ପ୍ରାଥମିକ ସୋପାନଟିଏପରି ବ୍ୟବହାର କରି ବଡ଼ କୁଟୁମ୍ବଗୁଡ଼ିକ ଆଡ଼କୁ ପ୍ରସାରିତ ହୋଇଯିବାକୁ । ସାନକୁ ପ୍ରତ୍ୟାଖାନ କରି କେହି କଦାପି ସୁସ୍ଥ ଭାବରେ ବଡ଼ ଭିତରକୁ ଯାଇ ପାରିବନାହିଁ । ମାତ୍ର, ସାନ ପରିଧିଟି ମଧ୍ୟରୁ ଆମେ ବଡ଼ଗୁଡ଼ିକ ଆଡ଼କୁ ପ୍ରସାରିତ ହୋଇ ପାରୁନଥିଲେ ଆମର ସାନଟା ଆମ ହୃଦୟକୁ ବଡ଼ ମର୍ମନ୍ତୁଦ ଭାବରେ ବାନ୍ଧି ରଖିବାର ରଜ୍ଜୁଗୁଡ଼ିଏପରି କାର୍ଯ୍ୟ କରୁଥିବ । ସେହି ରଜ୍ଜୁ ହିଁ ଆମକୁ ଆଉ କାହାସହିତ ଯୋଡ଼େ, ମାତ୍ର ଆମର ବିବେକ ଅନ୍ୟବତ୍ ହୋଇଥିଲେ ତାହା ଆମ ନିଜ ବେକରେ ବାନ୍ଧି ହୋଇ ଆମକୁ ଅଣନିଃଶ୍ଵାସୀ କରିପକାଏ । ନିଜ କୁଟୁମ୍ବ ଲୋକେ ପାଖରେ ନଥିଲେ ଯେଉଁମାନେ ଏକୁଟିଆ ଅନୁଭବ କରନ୍ତି ଓ ରୋଦନ କରିବାକୁ ଆରମ୍ଭ କରନ୍ତି, ମୁଁ ଭାବେ ସେମାନଙ୍କର ରଜ୍ଜୁଟି ସେମାନଙ୍କୁ ପ୍ରସାରିତ କରିବା ପରିବର୍ତ୍ତେ ସେମାନଙ୍କୁ ବେକଟା ପାଖରେ ହିଁ ଭାରି ଦୁଃଖଦ ଭାବରେ ବାନ୍ଧି ରଖିଛି । ରଜ୍ଜୁଗୁଡ଼ିକୁ ପ୍ରସାରିତ କରି ପୃଥିବୀଯାକକୁ ନିଜର କୁଟୁମ୍ବ କରି ପାଇବା, ଏହାଦ୍ଵାରା ହୁଏତ ଭଗବାନ ବି ନିକଟବର୍ତ୍ତୀ ହୋଇ ଆସନ୍ତି, ତେଣୁ ମୋଟେ ଏକୁଟିଆ ଲାଗେନାହିଁ ।

 

୨୩. ୭ .୯୬

 

ସେମାନେ କହୁଛନ୍ତି, ନିଅ, ଆମ କବିତାକୁ ନିଅ, ଗପକୁ ନିଅ, ଉପନ୍ୟାସ ଓ ନାଟକମାନଙ୍କୁ ନିଅ,–ଏଗୁଡ଼ାକୁ ଇଂରାଜିରେ ଅନୁବାଦ କରି ଛାପିଦିଅ । ଏମାନେ ଏବେ ଏହି କଥାଟାକୁ ହିଁ ଓଡ଼ିଆ ସାହିତ୍ୟର ସବୁଠାରୁ ଅଧିକ ଜରୁରୀ ସମସ୍ୟା ବୋଲି ବିଚାର କରୁଥିବାପରି ଏଭଳି କହୁଛନ୍ତି । ଓଡ଼ିଆ ସାହିତ୍ୟ ଯେ ଆମ ଦେଶର କୌଣସି ସାହିତ୍ୟ ତୁଳନାରେ ଆଦୌ କୌଣସି ଗୁଣରେ କମ୍ ନୁହେଁ, ସେହିକଥା ପ୍ରତିପାଦିତ କରିଦେବାକୁ ସେମାନେ ଭାରି ବ୍ୟସ୍ତ ହୋଇ ପଡ଼ିଲେଣି । କେବଳ ଏହାରିଦ୍ଵାରା ଜାତିର ସ୍ଵାଭିମାନ ରହିବ ବୋଲି ସେମାନେ କୋଉ ନାହାକ ପାଖରୁ ସତେଅବା ଖଡ଼ି ପକାଇ ବୁଝି ଆସିଥିବାପରି କଥାଗୁଡ଼ିକୁ କହୁଛନ୍ତି ।

 

ଘରେ ଭଲ ଭଲ ସାମଗ୍ରୀ ରନ୍ଧା ହୋଇଛି, ଖାଲି ବଢ଼ାହେବାକୁ ଯାହା ବାକି ରହିଛି । ଏହି ଘରେ ଖାଇ ବସିବାକୁ କେହି ଅଛନ୍ତି କି ନାହିଁ, ସେକଥା ବିଚାର କରିବାକୁ ଆଉ ଏମାନଙ୍କର ହୋସ୍ ନାହିଁ । ସେପାରିରୁ ମଣିଷ ଆସିଲେ ଯାଇ ରନ୍ଧାଟିର ମହିମାପ୍ରକାଶ ହେବ ବୋଲି ସମସ୍ତେ ମିଶି ହୁଲସ୍ତୁଲ ପକାଇ ଦେଉଛନ୍ତି । ବୈକଲ୍ୟ ଦେଖି କାବା ଲାଗୁଛି ଯେତିକି, ହସ ମାଡ଼ୁଛି ବି ସେତିକି । ସେମାନେ ସତେଯେପରି ମୂଳରୁ ହିଁ ଏହି ଘରପାଇଁ ନୁହେଁ, ପୃଥିବୀ ପାଇଁ ଜନ୍ମ ହୋଇଥିଲେ ! ରାନ୍ଧିବାର ଯାବତୀୟ ଫିସାଦ ମଧ୍ୟ ପାଠପଢ଼ିବା ଦିନଠାରୁ ବାହାରର ବହିଗୁଡ଼ିକରୁ ଆୟତ୍ତ କରୁଥିଲେ । ବର୍ତ୍ତମାନ କହୁଛନ୍ତି, ବାହାରୁ ଗଉଡ଼ ଆସି ଗୋରସ କାଢ଼ିଲେ ଯାଇ ସେମାନଙ୍କ ମର୍ଯ୍ୟାଦାର ଯଥାର୍ଥ ଆକଳନ କରି ପାରିବ । ଏମାନଙ୍କୁ ସରସ୍ଵତୀ ମୋଟେ ବାଛି ନଥିବେ । ଯିଏ ବାଛିଥିବେ, ସିଏ ଆଉ କୋଉ ଗହନର ଭଗିଆସୁଣୀ କି ଭଗବତୀ ହୋଇଥିବେ । ଏହି ଉଚ୍ଚାଣୀମାନଙ୍କୁ ଓଡ଼ିଆ ମାଟି, ଓଡ଼ିଆ ଘର ଓ ଓଡ଼ିଆ ସାହିତ୍ୟ ଏକଦା ଗର୍ଭରେ ଧରିଥିଲା ସିନା, ଏମାନଙ୍କର ଗର୍ଭରେ ଯାହାସବୁ ଅଛି ତାହାକୁ ମୋଟେ ଚିହ୍ନି ହେଉନାହିଁ । ଏବେ ତ ସାହିତ୍ୟ ଏକାଡେମୀ ଓ ବିଶ୍ୱବିଦ୍ୟାଳୟ ମଧ୍ୟ ସେହି କୀର୍ତ୍ତନରେ ଯୋଗ ଦେଲେଣି, ସେଥିଲାଗି ସ୍ଵତନ୍ତ୍ର ପଇସା ଯୋଗାଇଦେବେ ବୋଲି କହିଲେଣି । ଏହାଫଳରେ ଆମଭିତରୁ କେତେଜଣ ଏକାବେଳେକେ ଆନ୍ତର୍ଜାତିକ ସ୍ତରରେ ଧରାବର ରୂପେ ବଛା ହେବେ ବୋଲି ଉଚ୍ଚ ଆଶା ରଖିଛନ୍ତି-। ସେମାନେ କ’ଣ ଏଠାରେ ପ୍ରକୃତରେ ପରିତ୍ୟକ୍ତ ହୋଇଛନ୍ତି ? ତେବେ କ’ଣ ପାଇଁ ରୁଷି ବସିଛନ୍ତି-? ସେମାନଙ୍କର ନିତ୍ୟନାଡ଼ଗୁଡ଼ିକ ଯେଉଁଠାରେ ଅତ୍ୟନ୍ତ ସୁନିଶ୍ଚିତ ଭାବରେ ଲାଗିଥାନ୍ତା, ସେଠାରେ ସେମାନେ କାହିଁକି ଏପରି ହୁରୁଡ଼ା ଆଚରଣ କରୁଛନ୍ତି ?

 

୩. ୯. ୯୬

 

Egoରୁ ଠିଆ ହୋଇ ଉପରକୁ ଅନାଇଲେ Superego ବୋଲି ଗୋଟିଏ ପକ୍କା ପିଣ୍ଡା ଦିଶନ୍ତା । ତା’ ଉପରେ ବିବେକର ପ୍ରତିନିଧିତ୍ଵ କରି ପଣ୍ଡିତମାନେ ବସିଥାନ୍ତେ । ସେଇମାନେ ପରାମର୍ଶ ଦେଉଥାନ୍ତେ, କର୍ତ୍ତବ୍ୟ ଅକର୍ତ୍ତବ୍ୟ ଚିହ୍ନାଇ ଦେଉଥାନ୍ତେ । Ego ନିଶ୍ଚିନ୍ତ ହୋଇ ବାଟ ଚାଲୁଥାନ୍ତା ଓ ଧର୍ମରେ ରହିଛି ବୋଲି ଅନୁଭବ କରୁଥାନ୍ତା ।

 

କାହିଁ, ଭିତରୁ ବା ତଳୁ Id ବୋଲି କେହି କପ କପ ହେଉନାହିଁ ତ ! କେହି ନିକାଞ୍ଚନ ପାଇ ଫୁସୁଲାଉ ନାହିଁ ତ ! ଏମିତି ବଞ୍ଚିବା ପ୍ରକୃତରେ ଏକ ଅଭିନବ ବଞ୍ଚିବା । ଡର ନଥିବ, ନିଜକୁ ଲୁଚାଇ ରଖିବାର କୌଣସି କୋପନପ୍ରବୃତ୍ତି ନଥିବ । ପ୍ରେରଣା ପାଇବାଲାଗି ଆଦୌ ଉପରକୁ ଅନାଇବାକୁ ପଡ଼ୁନଥିବ । କାହାରି ଫରମାସ ଅନୁସାରେ କାମ କଲି ବୋଲି କାହା ପାଖରେ ଛାତି ଫୁଲାଇ ଦେଖାଇ ହେବାକୁ ପଡ଼ୁନଥିବ କିମ୍ବା କାହାର କଥା ଅନୁସାରେ ଚାଲିଲି ନାହିଁ ବୋଲି କାହାପାଖରୁ ନିତ୍ୟ ଲୁଚି ବୁଲିବାକୁ ପଡ଼ୁନଥିବ । ଜନନୀ ଯେତେବେଳେ ଶ୍ରଦ୍ଧା ରୂପରେ ଭିତରୁ ଅନୁଭୂତ ହୁଅନ୍ତି, ସେତେବେଳେ ଜୀବନନାମକ ଗୋଟିଏ ଖଣ୍ଡର ତିନିଟାଯାକ ଏହି ଉପଖଣ୍ଡ ସମସ୍ତେ ଘରକୁ ଫେରିଆସନ୍ତି । ତାହା ନାମ ହିଁ ସାନ୍ନିଧ୍ୟ । ସେହି ସାନ୍ନିଧ୍ୟଲାଭ କରିବାପାଇଁ କାହାପାଖକୁ ଯାଉଥିବାପରି ଲାଗେନାହିଁ । କାରଣ, ଦୂରତନାମକ attribute କେଡ଼େ ସ୍ଵାଭାବିକ ଭାବରେ ବିଦା ହୋଇ ଚାଲି ଯାଇଥାଏ । କଥା କହିବାବେଳେ କେବଳ ଅନୁଭବ ହିଁ କଥା କହେ । କିଛି ଲେଖି ବସିଲେ ଅନୁଭବ ହିଁ ଭାଷାରୂପେ ଉକୁଟି ଉକୁଟି ଯାଉଥାଏ । ତେଣୁ, ମୋଟେ ମୁଣ୍ଡ ବାଜେନାହିଁ କି ମୋଟେ ଅଟକିବାକୁ ପଡ଼େନାହିଁ । ଏହା ଆଦୌ ଗୋଟାଏ ପ୍ରକାରର ସ୍ଥିତି ନୁହେଁ, ଏହାହିଁ ସ୍ଥିତି । ଏଠାକୁ ଆସି ପହଞ୍ଚିଲେ ଶାସ୍ତ୍ରମାନେ ଆପଣାଠାରୁ ମୋଟେ ବଡ଼ ହୋଇ ଦିଶନ୍ତିନାହିଁ-। ପିତୁଳାମାନେ ଆଦୌ କୌଣସି ଧନ୍ଦୋଳ ଭିତରେ ନେଇ ପକାଇ ଦିଅନ୍ତିନାହିଁ । ଅନ୍ୟମାନେ, ଅନ୍ୟ ସମସ୍ତେ ସମକକ୍ଷ, ସମଧର୍ମୀ ଏବଂ ସହୋଦରପରି ଦିଶନ୍ତି । ପୃଥିବୀଯାକ ସମସ୍ତେ ଯେପରି ପରମ ଆସ୍ପଦ ସେହି ଗୋଟିଏ ଜାଗାକୁ ଯାତ୍ରା କରି ବାହାରି ଥାଆନ୍ତି । ତେଣୁ କାହାକୁ ଟପି ଆଗକୁ ଚାଲିଯିବାର କୌଣସି ପ୍ରଶ୍ନ ହିଁ ନଥାଏ । କାହାକୁ ପଛରେ ପକାଇ ଆସିଲି ବୋଲି ମୋଟେ ଖୁସି ବି ଲାଗେନାହିଁ । ସେତେବେଳର ଖୁସି, ସିଏ ଏକ ଅନ୍ୟ ଖୁସି । ଅନେକ ଖୁସିକୁ ଅତିକ୍ରମ କରି ଆସିଲେ ଯାଇ ଏହି ଖୁସିର ଭାଜନ ହେବା ସମ୍ଭବ ହୁଏ । ଅତିକ୍ରମ କରି ଆସିଥିବା ବାଟଗୁଡ଼ିକ ଏଇଠାକୁ ଆସି ଧନ୍ୟ ହୁଅନ୍ତି, ପରିପୂର୍ଣ୍ଣ ହୁଅନ୍ତି ।

 

୧୫ . ୯. ୯୬

 

Trotz dem Leben ja sagen,–to say ‘yes’ to life, nevertheless,–ଏକାବେଳେକେ ସତ କଥା । ମାତ୍ର, ଏହି ‘ହଁ’ଟା ପ୍ରକୃତରେ କାହାର ହଁ,–ମୋ’ ନିଜର ‘ହଁ’ ନା ମୋ’ ବାହାରେ ଏହି ଭୁବନ ଭରି ରହିଥିବା ତାଙ୍କର ‘ହଁ’ ? କୌଣସି ମଣିଷ ଜୀବନ ପାଖରେ କଦାପି ‘ନାହିଁ’ ବୋଲି କହିବାକୁ କଦାପି ମନ କରେନାହିଁ । ସିଏ ତା’ ମନକୁ ‘ହଁ’ କରିବାରେ ହିଁ ଲାଗିଥାଏ, ଭ୍ରମ ଭିତରେ ଥାଏ । ତେଣୁ ତା’ର ଯାବତୀୟ ତଥାକଥିତ ‘ହଁ’ ତାକୁ ତଥାପି ଏକ ନିରୋଳା ‘ନାହିଁ’ ଭିତରେ ମାଡ଼ି ବସି ରହିଥାଏ ।

 

ନିଜ ଭିତରେ ତଥା ନିଜ ବାହାରେ ତାଙ୍କର ହଁ ଓ ମୋ’ର ହଁ ଏକ । ‘ହଁ’ରେ ପରିଣତ ହୋଇଯିବା,–ସିଏ ଏକ ପରମ ଭାଗ୍ୟବାନ୍ ମଣିଷର ବାଟ । ଏହି ମଣିଷମାନେ ସଂସାରରେ ହୁଏତ ବହୁତ କମ୍ ସଂଖ୍ୟାରେ ରହିଥିବେ । ମାତ୍ର, ସେମାନେ ତଥାପି ଅଛନ୍ତି । ଏବଂ, ସେମାନେ ଅଛନ୍ତି ବୋଲି ଭଗବାନ ବି ଅଛନ୍ତି । ନିଜର ହଁ ଗୁଡ଼ାକୁ କାର୍ଯ୍ୟାନ୍ଵିତ କରିବା ନିମନ୍ତେ କେତେ କେତେ ଦମ୍ଭୀ ମଣିଷ ଭଗବାନଙ୍କୁ ବି ନିଜ କାମରେ ଲଗାଇବାକୁ ଦାଣ୍ଡରେ ବାହାରି ଯାଆନ୍ତି । ସଂସାରର ଯାବତୀୟ ଧର୍ମାନୁଷ୍ଠାନ ଓ ମନ୍ଦିରସଂସ୍କୃତି ସମ୍ଭବତଃ ସେହି ଜନ୍ତୁମାନଙ୍କର ହାବୁଡ଼ରେ ଯାଇ ପଡ଼ିଯାଇଛି । ସେହିମାନଙ୍କର ଆଣ୍ଟଗୁଡ଼ାକୁ ସିଦ୍ଧ କରିବାଲାଗି ପୃଥିବୀରେ କେତେ ଶାସ୍ତ୍ର ମଧ୍ୟ ଲେଖାଯାଇଛି ଓ ଯାଉଛି । ନିଜର ‘ହଁ’ଗୁଡ଼ାକୁ ଆବିଷ୍କାର କରିପାରିଲେ ଆଉ ସେସବୁ ଜାଲରେ ମୋଟେ ପଡ଼ିବାକୁ ମନ ହୁଏନାହିଁ । କାରଣ, ନିଜର ପ୍ରକୃତ ହଁ ଓ ତାଙ୍କର ହଁ ଭିତରେ କେବେହେଲେ କୌଣସି ଅନ୍ତର ନଥାଏ । ଯେଉଁମାନେ ନିଜର ବାସନାଗୁଡ଼ାକୁ ହିଁ ନିଜ ଜୀବନର ହଁ ବୋଲି ଧରି ନେଇଛନ୍ତି ଓ ନିଜ ଅନୁରୂପ ଭାବରେ ଜଣେ କରିତ୍‌କର୍ମା ହୋଇପାରିଲେ ଭଗବାନ ମଧ୍ୟ ତୁମର ଅଭିଳାଷଗୁଡ଼ିକର ପୂରଣ ନିମନ୍ତେ ତୁମ ମନ୍ଦିରଗୁଡ଼ାକର ବେଢ଼ା ଭିତରକୁ ଅବଶ୍ୟ ଓହ୍ଲାଇ ଆସିବେ ବୋଲି ଅଫିମ ଖାଇଥାନ୍ତି, ସେମାନେ ବିଚରା ପ୍ରକୃତରେ ନାନା ନାହିଁ ଭିତରେ ହିଁ ସାଡ଼ମ୍ବର, ସଚଳ ଏବଂ ସମୁଜ୍ଜ୍ୱଳ ହୋଇ ରହିଥାନ୍ତି । ସେମାନେ ଭଗବାନଙ୍କ ସହିତ କୌଣସି ସମ୍ପର୍କ ଯୋଡ଼ି ପାରନ୍ତିନାହିଁ । ତାଙ୍କୁ ନିଜ କାମରେ ଲଗାଇବାକୁ ଫନ୍ଦି କରୁଥିବା ପର୍ଯ୍ୟନ୍ତ ତାଙ୍କସହିତ ପ୍ରକୃତରେ କି ସମ୍ବନ୍ଧ ବା ଯୋଡ଼ାଯାଇ ପାରିବ ? ଏହି ସକାଳଟି ମୋତେ ବନ୍ଧୁପରି ଦେଖାଯାଉଛି, କାରଣ ମୁଁ ମୋ’ ହଁ ଓ ତାଙ୍କର ହଁ ଭିତରେ ରହିଥିବା ବ୍ୟବଧାନଟିକୁ ଘୁଞ୍ଚାଇଦେଇ ପାରିଛି । ସବୁ ମଣିଷଙ୍କର ହଁ ଏକାଠି ମିଶି ମୋତେ ଏହି ସଂସାରଟା କେଡ଼େ ସୁନ୍ଦର ଦେଖାଯାଉଛି, କେଡ଼େ ସମ୍ଭାବନାପୂର୍ଣ୍ଣ ହୋଇ ରହିଛି ! ଭିତରର ‘ହଁ’ଟି ହିଁ ବାହାରର ସବୁ ‘ହଁ’କୁ ସମ୍ମାନର ସହିତ ସ୍ଵୀକାର କରିନେଇ ପାରୁଛି ।

 

୩୦. ୯. ୯୬

 

ପ୍ରାଚ୍ୟ ପାଶ୍ଚାତ୍ୟକୁ ଜାଣି ନଥିଲା ଅଥବା ପାଶ୍ଚାତ୍ୟ ପ୍ରାଚ୍ୟକୁ ଜାଣି ନଥିଲା । ପ୍ରତ୍ୟେକେ ସେଇ ଗୋଟିଏ ସୂର୍ଯ୍ୟ ଉପରେ ଆଖି ଥାପି ବାଟ ଚାଲୁଥିଲେ ଓ ତଥାପି କେବଳ ନିଜକୁ ହିଁ ପୃଥିବୀର କେନ୍ଦ୍ର ବୋଲି ମାନୁଥିଲେ । ପୃଥିବୀଟା ଏହିପରି ଭାବରେ ଦୁଇଟା ଭାଗରେ ବିଭକ୍ତ ହୋଇ ରହିଥିଲା ।

 

ଏବେ ତ ସ୍ଥିତି ଅଲଗା ପ୍ରକାରର ହୋଇଗଲାଣି । ପ୍ରାଚ୍ୟ ଓ ପାଶ୍ଚାତ୍ୟ ପରସ୍ପରର କେତେ ଜାଣିଲେଣି । ଧୀ ନାମକ ଶକ୍ତି ପ୍ରସାରିତ ହୋଇ ପରସ୍ପରକୁ ସ୍ପର୍ଶ କଲାଣି । ମନ କଲେ ହୃଦୟକୁ ମଧ୍ୟ ସ୍ପର୍ଶ କରି ହେଉଛି । ତଥାପି, ଜ୍ଞାନର ଗବେଷଣାକ୍ଷେତ୍ରରେ ଦୁଇ ଗାଡ଼ିଆ ଏବେ ମଧ୍ୟ ପରସ୍ପରକୁ ସତେଅବା ବାସନ୍ଦ କରି ରଖିଛନ୍ତି । ସମାଜର ଗହନତମ ଅଧ୍ୟୟନମାନ କରାଯାଉଛି; କେଉଁ ଭଳି ନୀତି ବା ନୈତିକତାର ଅନୁସରଣ କଲେ ମାନବସମାଜ ତା’ର ଉପସ୍ଥିତ ସଙ୍କଟଗୁଡ଼ିକରୁ ତ୍ରାଣ ପାଇ ପାରିବ ଅର୍ଥାତ୍ ଏଗୁଡ଼ିକୁ ଅତିକ୍ରମ କରିଯିବ, ସେଥିପାଇଁ ପ୍ରବକ୍ତାମାନେ ବହୁ ପାରାମର୍ଶ ଦେଉଛନ୍ତି । ତଥାପି; ଜଣେ ଅନ୍ୟଜଣଙ୍କର ଉଦ୍ୟମ ଓ ପ୍ରୟାସଗୁଡ଼ିକୁ କିଞ୍ଚିତ ଉଙ୍କିମାରି ଦେଖିବାକୁ ଓ ସେଇଟି ସହିତ ପରିଚିତ ହେବାକୁ ସେତେବେଶି ମନ କରୁନାହିଁ କାହିଁକି କେଜାଣି ? ଭାରତୀୟମାନେ ଏବେ ମଧ୍ୟ କଥାକଥିତ ଘରପୁଞ୍ଜିଗୁଡ଼ିକୁ ଭରସା କରି ସମାଧାନ ଖୋଜୁଛନ୍ତି । ପାଶ୍ଚାତ୍ୟମାନେ ବି ବହୁକ୍ଷେତ୍ରରେ ନିଜ ଗଣ୍ଠିଭିତରୁ ବାହାରି ପାରୁନାହାନ୍ତି । ସମାଜବିଜ୍ଞାନ, ମନୋବିଜ୍ଞାନ, ନୀତି ଓ ରାଜନୀତି ସକଳ ଚର୍ଚ୍ଚାରେ ଜଣେ ବ୍ୟକ୍ତି ଦୁଇଟିଯାକ ଧାରାକୁ ଦେଖି ପରୁଥାନ୍ତା,–ସମ୍ଭବତଃ ତେବେ ଯାଇ ସିଏ essential ରୁ non-essentialକୁ ଅଲଗା କରି ଦେଖି ପାରୁଥାନ୍ତା । ମୋ’ ନିଜ ସଂସ୍କୃତିଟା ହିଁ ଏକମାତ୍ର ସଂସ୍କୃତି ବୋଲି କହି ପଶ୍ଚିମରେ ସବୁକିଛି ବିଦ୍ୟାନୁଧାବନ ଯେତେବେଳେବେଳେ ବେଳେ ଉଗ୍ରଆଚରଣ କରି ପକାଉଥିଲା, ସେତେବେଳେ ପ୍ରତ୍ୟେକ cultureକୁ ଗୋଟିଏ ଗୋଟିଏ pattern ବୋଲି କହିବାର ଏକ ନୈତିକ ଆବଶ୍ୟକତା ଅବଶ୍ୟ ରହିଥିଲା । ଆମେ ସଭିଏଁ ସଂସ୍କୃତିର ଅଭିବ୍ୟକ୍ତିକ୍ଷେତ୍ରରେ ପରସ୍ପରଠାରୁ ଅବଶ୍ୟ ଅଲଗା ଅଲଗା,–ମାତ୍ର ତା’ ବୋଲି ପରସ୍ପରର କ୍ଷେତ୍ର ପ୍ରତି ଆମେ ଉଦାସୀନ କାହିଁକି ରହିବା ? ନିଜକୁ ସ୍ଵତନ୍ତ୍ର ଭାବରେ ବା ସ୍ଵତନ୍ତ୍ର ବୋଲି ଆବିଷ୍କାର କରିବା ଯଦି ସର୍ବପ୍ରଥମ ପାହାଚ, ତେବେ ଦୁଇଟିଯାକକୁ ତଥାପି ଏକ ବିଶ୍ଵସ୍ତରୀୟ ଆସ୍ପୃହାସୂତ୍ରରେ ଏକତ୍ର କରି ରଖିଥିବା ଆବେଦନଟିକୁ ଅନୁଭବ କରିବା ଓ ସେହି ଦିଗରେ ଅଗ୍ରସର ହେବାପାଇଁ ମନ କରିବା,–ଏଇଟି ଦିତ୍ଵୀୟ ପାବଚ୍ଛ । ଆମ ପୃଥିବୀର ବିଦ୍ଵାନ୍‌ମାନେ ଏଇଟି ଆଡ଼କୁ ମଧ୍ୟ ଆଗ୍ରହୀ ହୁଅନ୍ତୁ । ନିଜ ଘରଗୁଡ଼ିକର dimensions ବଢ଼ାନ୍ତୁ, ନିଜ ଶ୍ରଦ୍ଧାର dimensions ବଢ଼ାନ୍ତୁ,–ତେବେଯାଇ ସତ୍ୟଦର୍ଶନ ଅଧିକ ପରିପୂର୍ଣ୍ଣ ହେବ ।

 

୨୩. ୧୦. ୯୬

 

କେବଳ ସେଇମାନେହିଁ ବାଟ ଚାଲିଛନ୍ତି ବୋଲି ଯେଉଁମାନେ ଉତ୍କଟ ଭାବରେ ବିଶ୍ଵାସ କରୁଥାନ୍ତି, ଆଉ ଅନ୍ୟମାନେ ବାଟ ଚାଲୁନାହାନ୍ତି ବୋଲି ସଚରାଚର ସେଇମାନେ ହିଁ ଅଧିକ ପାଟି କରୁଥାନ୍ତି, ବ୍ୟସ୍ତ ହୋଇ ପଡ଼ୁଥାନ୍ତି ଓ ଆଗକୁ ଅନାଇ କେବଳ ନୈରାଶ୍ୟ ହିଁ ଦେଖନ୍ତି । ହଁ, ସେମାନେ କେବଳ ନିଜେ ବୁଝିବାକୁ ପଥଟିଏ ପାଇଥାନ୍ତି ଓ ସମସ୍ତେ ସେହି ବାଟକୁ ଆସନ୍ତୁ ବୋଲି ଦାଣ୍ଡଯାକ ହୁରି କରିବାରେ ଲାଗିଥାନ୍ତି । ସେହି ବାଟକୁ କେହି ଆସୁନାହାନ୍ତି ବୋଲି ବ୍ୟସ୍ତ ହୁଅନ୍ତି ଓ ସେଇଥିରୁ ହିଁ ବାଟ ଚାଲୁନାହାନ୍ତି ବୋଲି ଧରି ନେଇଥାନ୍ତି ।

 

ବାଟ ସମସ୍ତେ ଚାଲୁଛନ୍ତି । ମୁଁ ଦେଖି ନପାରିଲେ ଅର୍ଥାତ୍ ପ୍ରମାଣ ନପାଇଲେ ମଧ୍ୟ ସମସ୍ତେ ବାଟ ଚାଲୁଛନ୍ତି । ନିଜର ବାଟଟିକୁ ଚାଲୁଛନ୍ତି । ହୁଏତ କେତେକ ମଣିଷ ଅଛନ୍ତି, ଯେଉଁମାନେ କି ବାଟଟିଏ ଆଦରି ନେଇ ଏତେ ବେଶି ହୃଷ୍ଟ ହୋଇ ପଡ଼ନ୍ତି ଯେ, ବାଟଟି ଯେ ଚାଲିବାପାଇଁ ଉଦ୍ଦିଷ୍ଟ ହୋଇ ରହିଥାଏ, ସେହି କଥାଟିକୁ ପାସୋରି ଦିଅନ୍ତି । ଏବଂ, ବାଟଟାକୁ ଏଡ଼େ ଜବର ଭାବରେ କୁଣ୍ଢାଇ ଧରିଥାନ୍ତି ଯେ, ହୁଏତ ଏତେ ଟିକିଏହେଲେ ବି ଚାଲି ପାରୁନଥାନ୍ତି । ଗୋଟାଏ ଜବର ସମ୍ପ୍ରଦାୟ ଭିତରେ ପଶିଥାନ୍ତି ଅଥବା ତହୁଁ ଜବର ଜଣେ ଗୁରୁଙ୍କର ଧ୍ଵଜାକୁ ହାତରେ ଧରିଥାନ୍ତି । ଏତେ ଅଧିକ ପରିମାଣରେ ଚିତ୍ରିତ ଦିଶୁଥାନ୍ତି ଯେ ବାଟଟିଏ ଚାଲିବା ନିମନ୍ତେ ସେମାନଙ୍କର ଭିତରେ ହୁଏତ ଆଉ କୌଣସି ବିବେକ ନଥାଏ । ସେମାନେ ବାଟର ପ୍ରଚାର କରି ବାହାରନ୍ତି । ବାଟ ଚାଲିବା ଲୋକ ଚାଲିବାର ଦ୍ୟୋତନା ଦିଏ । ପ୍ରତ୍ୟେକ ମଣିଷ ଚାଲିବାରୁ ହିଁ ସର୍ବାଧିକ ପ୍ରେରଣା ଲାଭ କରେ । ନିଜ ବାଟ ଚାଲୁଥିଲେ ସମସ୍ତେ ବାଟ ଚାଲୁଥିବାପରି ଅନୁଭବ ହୁଏ । ସମସ୍ତେ ଯେ ବାଟ ଚାଲୁଛନ୍ତି, ତାହାହିଁ, ତା’ ଜୀବନର ସବାବଡ଼ ଆନନ୍ଦରେ କାରଣହୁଏ । ସମସ୍ତେ ବନ୍ଧୁପରି ଲାଗନ୍ତି । ଭଗବାନ ସମସ୍ତଙ୍କର ସାଥୀ ହୋଇ ରହିଛନ୍ତି ବୋଲି ମନେ ହେଉଥାଏ । ବାଟ ଚାଲିବା ମଣିଷର ସମ୍ପ୍ରଦାୟ ଭିତରେ ବାନ୍ଧି ହୋଇ ଯାଏନାହିଁ । ପତାକା ଧରିଲେ, ସନ୍ତକ ବୋହିଲେ ତାକୁ ଭାରି ଅସଜ ଲାଗେ । ସିଏ ଆଦୌ କୌଣସି ସନ୍ତକକୁ ଭାଙ୍ଗିବାକୁ ମନ କରେନାହିଁ ସତ, ମାତ୍ର, ସନ୍ତକମାନେ ତାକୁ ମୋଟେ ଆକୃଷ୍ଟ କରି ପାରନ୍ତିନାହିଁ । ବରଂ ଆଗକୁ ଆଗକୁ ଚାଲୁଥିବା ସଙ୍ଗେ ସଙ୍ଗେ ସନ୍ତକମାନେ ଖସି ପଡ଼ିବାରେ ଲାଗିଥାନ୍ତି । ବାଟ ଉପରେ ନିଠ ମାଡ଼ି ରହିଥିଲେ ପୃଥିବୀଟା ଖଣ୍ଡ ଖଣ୍ଡ ହୋଇ ଦେଖାଯାଏ । ଭଗବାନ ବି ଅସହିଷ୍ଣୁତାର ଏକ excuse ରୂପେ ବ୍ୟବହୃତ ହୁଅନ୍ତି । ସନ୍ତକ ଅଲଗା ଥିଲେ ମଣିଷପାଖକୁ ଯିବାକୁ ଇଚ୍ଛା ହୁଏନାହିଁ । ତେଣୁ, ମଣିଷଠାରୁ ତା’ର ସନ୍ତକମାନେ ହିଁ ବଡ଼ ହୋଇ ଦିଶନ୍ତି । ବିଚରା ମଣିଷଟି ମଧ୍ୟ ସନ୍ତକ ତଳେ ଅତ୍ୟନ୍ତ ଶୋଚନୀୟ ଭାବରେ ପୋତି ହୋଇ ରହିଥାଏ ।

 

୨୧. ୧୨. ୯୬

 

ଯିଏ ଯାହାକିଛି କହୁଛି, ସେଥିରୁ ସିଏ ସେତେଅବା ସେଇଯାଏ ଆସି ଅଟକି ଯାଇଥିବାପରି ମନେହେଉଛି । ମୁଁ ଯାହାକିଛି କହୁଛି, ମୁଁ ମଧ୍ୟ ସେଇଯାଏ ଆସି ଅଟକି ଯାଇଥିବାପରି ସେଥିରୁ ମନେହେଉଛି କି ? ଏବଂ, କିଏ ଆଉକାହାର ବାଟକୁ ଉଗାଳି ବସିଛି ବୋଲି କ’ଣ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅଟକି ଯାଇଛି କି ? ଅଥବା; କୌଣସି ଏକ ଅନ୍ୟ ପ୍ରୟୋଜନଦ୍ଵାରା ବାଧ୍ୟ ହୋଇ ସିଏ ଆଉଜଣକରି ବାଟ ଉଗାଳିବାଟାକୁ ଆବଶ୍ୟକ ବୋଲି ମନେ କରୁଛି କି ?

 

ଜ୍ଞାନର ଆଲୋଚନା ଶୁଣିବା ସମୟରେ ବେଳେବେଳେ ଠିକ୍ ସେହିପରି ମନେ ହୋଇଥାଏ । ମହା ମହା ଜ୍ଞାନୀମାନେ ଅନ୍ୟମାନଙ୍କର ମତକୁ ଖଣ୍ଡନ କରୁନାହାନ୍ତି ଯେ, ସେମାନେ ସେଇଯାଏ ଆସି ସେଇଠି ଅଟକି ଯିବାକୁ ଭଲପାଇଛନ୍ତି ବୋଲି ସତେଅବା ବାଧ୍ୟ ହୋଇ ମତମାନଙ୍କର ଖଣ୍ଡନ କରୁଛନ୍ତି । ଆହୁରି ଆଗକୁ ନଯିବାର ଏକ ମୋହ ଉପସ୍ଥିତ ହେଲେ ମଣିଷମାନେ ଏହିଠାରେ ହିଁ ସବୁ ଆସି ଛିଣ୍ଡିଛି ଓ ଆଗକୁ ଆଉ କୌଣସି ଶିଖର ନାହିଁ ବୋଲି କହିବାକୁ ଭାରି ମନ କରିଛନ୍ତି । ମୋ’ର ନିଜ ଶିଖରଟା ଯେ ଚରମ ଶିଖର, ଏକଥା କହୁଥିବା ଜଣେ ଆଦୌ କୌଣସି ଶିଖରରେ ଆସି ପହଞ୍ଚିଛି ବୋଲି କହିବାକୁ ମଧ୍ୟ ଇଚ୍ଛା ହୁଏନାହିଁ । ଶିଖର ପରେ ଆହୁରି ଶିଖର ଦେଖାଯିବ, ଆଦୌ କୌଣସି ଶିଖରରେ ପହଞ୍ଚିଥିବାର ସମ୍ଭବତଃ ଏହାହିଁ ହେଉଛି ସୁସ୍ଥତମ ପ୍ରମାଣ । ବିସ୍ତାର ପରେ ଆହୁରି ଅଧିକ ବିସ୍ତାରର ଆହ୍ଵାନ ତୁମକୁ ଜନନୀପରି ଡାକିବାରେ ଲାଗିଥିବ, ନିଜ ଜୀବନରେ ଆଦୌ କୌଣସି ବିସ୍ତାରର ଅନୁଭବ ପାଇଥିବାର ସମ୍ଭବତଃ ଏହାହିଁ ହେଉଛି ସବାବଡ଼ ପ୍ରତ୍ୟୟପତ୍ର । ଅସଲ ଗୁରୁ ସତକୁ ସତ ଏହି ପରବର୍ତ୍ତୀ ଶିଖର ଏବଂ ପରବର୍ତ୍ତୀ ବିସ୍ତାରଗୁଡ଼ିକ ନିମନ୍ତେ ଏକ ଯଥାର୍ଥ infrastructure ଗଢ଼ି ଆଣିବାରେ ହିଁ ସାହାଯ୍ୟ କରିଥାଏ । ଯୋଉ ଗୁରୁମାନେ ଇତିହାସରେ ଗୋଟାଏ ଗୋଟାଏ ସମ୍ପ୍ରଦାୟ ଗଢ଼ିଛନ୍ତି, ସେମାନେ କେଉଁ ମୋହରେ ପଡ଼ି ମଣିଷ ତା’ ସାଙ୍ଗରେ ନେଇ ବଞ୍ଚୁଥିବା ଏହି ପୃଥିବୀଟାକୁ ଅଟକାଇ ରଖିବାକୁ କାହିଁକି ଫିକର କରିଛନ୍ତି କେଜାଣି ? ତେଣୁ, କୌଣସି ଗୁରୁର ସନ୍ନିଧାନକୁ ଆସିଲେ, ତା’ ନିଜ ସେପାଖରେ ଆହୁରି କେତେ କ’ଣ କିଭଳି ଶିଖର ଓ ବିସ୍ତାରମାନ ରହିଛି ବୋଲି ମୁଁ ଦେଖିବାକୁ ଚେଷ୍ଟା କରିଥାଏ । ଯେଉଁଠାରେ ବହୁ ବହୁ କାନ୍ଥ ସେହିଗୁଡ଼ିକୁ ଘ୍ରାଣ କରି ପାରିବାକୁ କୌଣସି ବାଟ ଛାଡ଼ିବାକୁ ସମ୍ମତ ହେଉନଥାଏ, ମୁଁ ସେଠାରୁ ଯଥାଶୀଘ୍ର ମୋ’ ନିଜ ଭିତରର ପରମବନ୍ଧୁଟି ପାଖକୁ ବାହୁଡ଼ି ଆସେ । ପରମବନ୍ଧୁ କଦାପି ଗୁରୁ ହେବାକୁ ଚେଷ୍ଟା କରେନାହିଁ । କାନ୍ଥ ପରେ କାନ୍ଥ ଡେଇଁଯିବାକୁ ହିଁ ସିଏ ବଳ ଦେବାରେ ଲାଗିଥାଏ ।

Image

 

୧୯୯୭

୧୬. ୧. ୯୭

 

ପୁରୁଣା ଭିତରେ କେଉଁଠି କେଉଁ ଚିରନ୍ତନ ଉଷ୍ମତାଟିଏ ରହିଥାଏ, ଯାହାଫଳରେ କି ପୁରୁଣା ଆଦୌ ପୁରୁଣାପରି ମନେ ହୁଏନାହିଁ । ମଣିଷ ଯାହାକୁ ସତକୁ ସତ ଆପଣାର କରି ନେଇଥାଏ, ସିଏ ଯେତେ ଅନେକ ଦିନର ହୋଇ ଯାଉଥିଲେ ମଧ୍ୟ ସିଏ ତଥାପି ତା’ ଭିତରେ ନୂତନର ସଂବେଦନାଟିଏ ଅନୁଭବ କରୁଥାଏ । ଶାନ୍ତିନିକେତନ ସେହି କାରଣରୁ ମୋ’ ପାଇଁ ସବୁଦିନେ ନୂଆ । “ବାରେ ବାରେ ଦେଖି ତାହାର ନିତ୍ୟଇ ନୂତନ”–ରବୀନ୍ଦ୍ରନାଥଙ୍କର ଏହି କଥାଟି ଜୀବନର ସବୁ କ୍ଷେତ୍ରରେ ମଧ୍ୟ ସତ୍ୟ ।

 

ମୁଁ ଭାବୁଛି, ମୁଗ୍ଧ ହେବାର ମଧ୍ୟ ବହୁତ ସ୍ତର ରହିଛି, ତେଣୁ ଭେଦ ମଧ୍ୟ ରହିଛି । ଗୋଟାଏ ଆଦିମସ୍ତରୀୟ ମୁଗ୍ଧତା ରହିଛି, ଯାହାକି ହାବୁଡ଼ିଲା ମାତ୍ରକେ ସତେଅବା ଗିଳି ପକେଇବାକୁ ଇଚ୍ଛା କରୁଥାଏ । ନଗିଳିଲେ କୌଣସି ଚାରା ହିଁ ନଥାଏ । ଗିଳିବାକୁ ମନ କରିବାର ଲୋକମାନେ ଉପରେ କେଡ଼େ ଲଣ୍ଡଭଣ୍ଡ ହେବାର ଲାଗିଥାନ୍ତି । ଏହି ଲଣ୍ଡଭଣ୍ଡ ହେବାକୁ ହିଁ ସେମାନେ କେଡ଼େ ଅସ୍ମିତାର ସହିତ ଭଲ ପାଇବା ବୋଲି କହନ୍ତି । ଆଉ ଥୋକେ ଅଛନ୍ତି, ଯେଉଁମାନେ କି ନିଜ ଲୋଭକଳ୍ପନାରେ କୌଣସି ଦ୍ରବ୍ୟକୁ ନିଜର ଏକ ସମ୍ପତ୍ତିରେ ପରିଣତ କରିପକାନ୍ତି ଓ ସେହି କାରଣରୁ କେଡ଼େ ମନୋରମ ଅଥଚ ବିକ୍ଷୁବ୍ଧ ଭାବରେ ମୁଗ୍ଧ ହୋଇ ରହିଥାନ୍ତି-। ବଶିଷ୍ଠଙ୍କର କାମଧେନୁଟିକୁ ନିଜ ଲୋଭକଳ୍ପନାର ଏକ ଧନରେ ପରିଣତ କରି ଋଷି ବିଶ୍ଵାମିତ୍ର ହୁଏତ ସେହିପରି ବିକ୍ଷୁବ୍ଧ ଭାବରେ ଲଣ୍ଡଭଣ୍ଡ ଏବଂ ମୁଗ୍ଧ ହୋଇ ରହିଥିବେ । ଶାନ୍ତିନିକେତନ ମୋତେ ଆଦୌ କମ୍‍ ମୁଗ୍ଧ କରିନାହିଁ । ଏଠାରେ ବିତାଇଥିବା ପାଞ୍ଚଟି ବର୍ଷ ମୁଁ ପ୍ରଧାନତଃ ମୁଗ୍ଧ ହୋଇ ରହିଥିଲି । କେବଳ ଏହି ଜାଗାଟି ପାଇଁ ନୁହେଁ,–ଜାଗାଟିର ମାଧ୍ୟମରେ ଏକ ବୃହତ୍ତର ସାନ୍ନିଧ୍ୟ, ସେହି ସାନ୍ନିଧ୍ୟ ମଧ୍ୟରେ ଅଭିଷିକ୍ତ ହୋଇଥିବା ଏକ ବୃହତ୍ତର ଜୀବନ ପାଇଁ ମଧ୍ୟ ମୁଁ ମୁଗ୍ଧ ହୋଇ ରହିଥିଲି । କେବଳ ବାହାରକୁ ନୁହେଁ, ନିଜର ଭିତରକୁ ମଧ୍ୟ ଅନାଇ ମୁଁ ଗୋଟାସୁଦ୍ଧା ମୁଗ୍ଧ ହୋଇ ଯାଉଥିଲି । ପରିଚୟ ପୂର୍ଣ୍ଣ ହେଲେ, ଯାବତୀୟ ଅର୍ଥରେ ପରିପୂର୍ଣ୍ଣ ହେଲେ ଠିକ୍ ଏହିପରି ଗୋଟିଏ ମୁଗ୍ଧତା ସମ୍ଭବ ହୋଇଆସେ । ସେହି ମୁଗ୍ଧତା ଜୀବନ ଭିତରକୁ ଚରିଯାଏ, ଆମେ ସମ୍ମତି ଦେଲେ ଆମର ଚେତନା ଭିତରକୁ ମଧ୍ୟ ଚରି ଯାଇଥାଏ । ଦ୍ୟବ୍ୟମାନେ ଥାଆନ୍ତି, ଉତ୍ସବପରି କିଏ ସତେଅବା ଅଜାଡ଼ି ଦେବାରେ ଲାଗିଥାଏ ଓ ଆଉଜଣେ ଭାରି ସହଜରେ ଗ୍ରହଣ କରି ନଉଥାଏ,–ତଥାପି ଉପରେ, ଭିତରେ, ବାହାରେ ସବୁକିଛି ମୁଗ୍ଧ ହୋଇ ଅନାଇ ରହିଥାଏ । କୁଣ୍ଠାଗୁଡ଼ିକୁ ଦୂର କରି ନେଉଥାଏ । ସେତେବେଳେ ଏକ ସଖ୍ୟ ହିଁ ଜୀବନ ବଞ୍ଚିବାର ସର୍ବପ୍ରଧାନ ଆଭିମୁଖ୍ୟରେ ପରିଣତ ହୋଇଥାଏ । କୌଣସି କୋଳାହଳ ନକରି ଆପେ ଆପେ ଧରା ଦେବା,–ସର୍ବତ୍ର ମୋ’ଲାଗି ଏକ ମମତାମୟ ବିଶ୍ଵାସବଳିଷ୍ଠ ଗୃହ ହିଁ ମହଜୁଦ ହୋଇ ରହିଛି ବୋଲି ନିଜର ଚମ, ହାଡ଼, ମାଂସରେ ମଧ୍ୟ ଅନୁଭବ କରିବା,–ଇଏ ମଧ୍ୟ ଏକ ମୁଗ୍ଧତା । ଜୀବନର ଯାବତୀୟ ସଙ୍ଗଲାଭ ମୋତେ ସେହି ମୁଗ୍ଧତାଟି ମଧ୍ୟକୁ ନିରନ୍ତର ଆମନ୍ତ୍ରିତ କରି ନେଇଯାଉ ।

 

୧୭. ୧. ୯୭

 

ଏକ କବିତୀର୍ଥରେ ମଣିଷ ଏପରି କୃତ୍ରିମ ହୋଇପାରିବ କିପରି ? ଏକ କବିତୀର୍ଥରେ ଉପାସନା କରିବାକୁ ଆସି ଏଠି ମଣିଷମାନେ ତାଙ୍କର ବହୁ ପ୍ରେରଣାମୟ ଐତିହ୍ୟଟିକୁ ଏପରି ବିକିଭାଙ୍ଗି ଖାଇ ପାରୁଛନ୍ତି କିପରି ? ଏହି ପୃଥିବୀରେ କୃତ୍ରିମ ମଣିଷମାନେ ରହନ୍ତୁ, ସେଥିରେ ଆପତ୍ତି କରିବାକୁ କିଛି ନାହିଁ । ମାତ୍ର, ସେମାନେ ଏଠାକୁ କାହିଁକି ଆସିବେ ? ସେମାନଙ୍କ ସକାଶେ ପୃଥିବୀରେ ତ କେତେ କେତେ ଜାଗା ପଡ଼ିରହିଛି । ସେତେବେଳର ଶାନ୍ତିନିକେତନର ଏତେବେଶି ସଂବଳ ନଥିଲା ସିନା, ମାତ୍ର କୃତ୍ରିମ କେହିନଥିଲେ । ବା, ହୁଏତ ଥିଲେ, ମାତ୍ର ସେମାନେ ଏହି ସ୍ଥାନଟିର ବିଶେଷ ଜଳବାୟୁଟିକୁ ମୋଟେ ଆଘାତ କରି ପାରୁନଥିଲେ । ସେମାନେ ଲୁଚି ଛପି ରହିଥିଲେ । ନିଜ ନିଜ ଗାତ ଭିତରେ ରହିଥିଲେ । ସେମାନଙ୍କୁ ସେମାନଙ୍କର ନିଜନିଜର କୋଣଗୁଡ଼ିକରେ ଛାଡ଼ିଦେଇ ଶାନ୍ତିନିକେତନ ତଥାପି ନିଜର ଆତ୍ମାଟିକୁ ବଞ୍ଚି ପାରୁଥିଲା ।

 

ଏଠାରେ ଦୁଇଟା ଦିନରେ ଅଧିକତଃ କୃତ୍ରିମ ଲୋକମାନଙ୍କର ସହିତ ଆସି ଧକ୍କା ବାଜି ଯାଉଥିଲାପରି ଲାଗୁଛି । ଅଯୋଗ୍ୟ, ତେଣୁ କୃତ୍ରିମ । ସେମାନଙ୍କର ନିଜର କେତେ ନା କେତେ ଯୋଗ୍ୟତା ରହିଛି ସତ, ମାତ୍ର ସେହିସବୁ ଯୋଗ୍ୟତାର ଏଠାରେ କୌଣସି function ନାହିଁ । କ’ଣ ପାଇଁ କାହିଁକି ଅଲଗା ଏକ ମମତାରେ ତିଆରି ହୋଇଥିବା ତୀର୍ଥଟିକୁ ବଜାରର ବଜାରଟା ମାଡ଼ିଆସିଲା କେଜାଣି ? ବଜାରରେ ଯେଉଁପରି ବିଶ୍ୱବିଦ୍ୟାଳୟମାନେ ରହିଥିଲେ, ସେମାନେ ଶାନ୍ତିନିକେତନ ଭିତରକୁ ମାଡ଼ି ନଆସିଥିଲେ ଶାନ୍ତିନିକେତନ କ’ଣ ବଞ୍ଚି ରହି ପାରିନଥାନ୍ତା ? ମୂଳତଃ ଜଣେ କବିର ବିବେକ ରହିଥିବା ପୁଞ୍ଜାଏ ଲୋକ କ’ଣ ଏଠାରେ ସମ୍ଭବ ହୋଇ ପାରିଲେନାହିଁ, ଯେଉଁମାନେ କି ଗୋଡ଼ ଟାଣ କରି ଛିଡ଼ା ହୋଇ ପ୍ରତିକୂଳ ହାଉଆଗୁଡ଼ିକୁ ରୋକି ପାରିଥାନ୍ତେ ? ଏବଂ, ଯଦି ତାହାକୁ ରୋକିବା ପାଇଁ ସେମାନଙ୍କ ପାଖରେ ଆବଶ୍ୟକ ଶକ୍ତିଟି ନଥିଲା, ତେବେ ସେମାନେ ବି ସତକୁ ସତ କିପରି କ’ଣ ତିଆରି ହୋଇ ପାରିଥିଲେ ? ଯଦି ଅସୁନ୍ଦରକୁ ରୋକି ପାରିବାକୁ ସୁନ୍ଦର ଭିତରେ ତାକତ ନରହିଲା, ତେବେ ସେହି ସୁନ୍ଦର ଅସୁନ୍ଦରର ବୋଲି ମାନି ନାନାମନ୍ତେ ଯେ ନିଜକୁ ଖାପ ଖୁଆଇ ରହିବାକୁ ବାଧ୍ୟ ହୁଏ, ତେବେ ସବୁକିଛି ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଭାବରେ ଫସରଫାଟି ଯାଏ । ସମ୍ଭବତଃ ସେହି ନ୍ୟାୟରେ ହିଁ ଆମ ପୃଥିବୀରେ ସୁନ୍ଦରକୁ ଅସୁନ୍ଦର ଏପରି ଭାବରେ ମାଡ଼ିବସିଛି, ଆଲୁଅକୁ ଅନ୍ଧାର ମାଡ଼ିବସିଛି, ଏବଂ ସମଗ୍ରତର ଭାବରେ ସତ୍ୟକୁ ଅସତ୍ୟ ମଧ୍ୟ ମାଡ଼ିବସିଛି । ମନୁଷ୍ୟର ସମ୍ଭାବନାଗୁଡ଼ିକୁ ନାନାବିଧ କପଟମାନସିକତା ମାଡ଼ିବସିଛି । ଆତ୍ମୀତାୟକୁ କୃତ୍ରିମତା ମାଡ଼ିବସିଛି । ତେଣୁ, ସୌନ୍ଦର୍ଯ୍ୟର ଅନୁଶୀଳନ ଭିତରେ ମଣିଷ ତଥାପି ଏପରି ଏକ ଶକ୍ତିର ଅଧିକାରୀ ହୋଇ ରହିଥିବା ଅବଶ୍ୟକ, ଯାହାକି କୃତ୍ରିମତା ପାଖରେ, ପୁରୁଣା ମିଛମୂଲ୍ୟଗୁଡ଼ିକ ପାଖରେ ମୁଣ୍ଡ ନୁଆଁଇବାକୁ ମନା କରିଦେଇ ପାରୁଥିବ । ଏଠି କବିତୀର୍ଥରେ ସଂପୃକ୍ତ ସମସ୍ତଙ୍କର ଅଣ୍ଟା ସିଧା ହେଉ, ତେବେ ଏହି ପୋଚରା ସ୍ଥିତିଟି ଭିତରୁ ଆଗକୁ ବାଟଟିଏ ଅବଶ୍ୟ ମିଳିଯିବ ।

 

୧୮. ୧. ୯୭

 

ପୃଥିବୀରେ ଏତେ ମଣିଷ, ତଥାପି ମଣିଷକୁ କାହିଁକି ଏତେ ଏକୁଟିଆ ଲାଗିବ ? ତୁଚ୍ଛା ଅସ୍ତିତ୍ଵବାଦ ଦୃଷ୍ଟିରୁ ବିଚାର କରି ଦେଖିଲେ ମଧ୍ୟ ଏକୁଟିଆ ଲାଗିବାର କୌଣସି ପ୍ରାସଙ୍ଗିକତା ରହିଛି ବୋଲି ମୋ’ର ଆଦୌ ମନେ ହେଉନାହିଁ । ଯୋଉ ମଣିଷ ନିଜ ଭିତରେ ସଚେତନ ଭାବରେ ସତ୍ତାଟିଏ, ଆଖିଟିଏ ବା ବାସନାଟିଏ ରହିଛି ବୋଲି ଅନୁଭବ କରୁଥିବ, ସିଏ ଆଖି ବୁଲେଇଦେବା ମାତ୍ରକେ ଅନ୍ୟ ମନୁଷ୍ୟମାନଙ୍କୁ ଅବଶ୍ୟ ଦେଖିବ । ନିଜର ବାସନାଟିକୁ ସତକୁ ସତ ଅନୁଭବ କରି ପାରୁଥିଲେ ସିଏ ଅନ୍ୟ ମନୁଷ୍ୟମାନଙ୍କର ବାସନାଗୁଡ଼ିକୁ ମଧ୍ୟ ଅବଶ୍ୟ ଅନୁଭବ କରିପାରିବ । ଏତିକି କରିପାରିଲେ ସେ ଅନ୍ୟମାନଙ୍କ ସହିତ ଅଧିକରୁ ଅଧିକ ବାନ୍ଧି ହୋଇ ଯାଉଥିବ । ନିଜର ଏକ ଆଖି ରହିଛି ବୋଲି ସତକୁ ସତ ଜାଣିଥିଲେ ସିଏ ଏହି ସବୁକିଛିକୁ, ମଣିଷମାନଙ୍କ ସମେତ ସମଗ୍ର ପୃଥିବୀକୁ ନାନାବିଧ ଡୋରରେ ବାନ୍ଧି ହୋଇ ରହିଥିବାର ପ୍ରତ୍ୟକ୍ଷ କରିପାରିବ । ଏବଂ, ସେହି ଡୋରଗୁଡ଼ିକୁ ସତକୁ ସତ ଗୋଟିଏ ଡୋର ବୋଲି ଅନୁଭବ କରି ପାରିବାଲାଗି ତାକୁ ତା’ର ହୃଦୟସତ୍ତା ଅବଶ୍ୟ ବାଟ ବତାଇଦେଇ ପାରିବ । ଏବଂ, ଯିଏ ନିଜର ହୃଦୟ ପାଖରେ ବସି ଏତେ ଟିକିଏହେଲେ ବି ବିଦ୍ୟାଭ୍ୟାସ କରିଥିବ, ସିଏ କାହିଁକି ଏକୁଟିଆ ଅନୁଭବ କରିବାକୁ ମନ କରିବ ?

 

ସାହିତ୍ୟରେ, ଦର୍ଶନର ଅଧ୍ୟୟନରେ ନିଃସଙ୍ଗତାର ଏହି ଭାବନାଟିକୁ କିଏ କାହିଁକି ଆଣି ଯୋଡ଼ିଲା କେଜାଣି ? ଆଧୁନିକ ମଣିଷ ନିଃସଙ୍ଗ ହେବାକୁ ଯେ ବାଧ୍ୟ ହେବ, ସେହି ମିଛକଥାଟିକୁ ଶାସ୍ତ୍ରୀୟ ପରିଭାଷା ଦେଇ କିଏ ଏଠି ମିଛୁଆ ରାଧୁଆ ହେବାକୁ କାହିଁକି ମନ କଲା କେଜାଣି ? ନିଜ ଭିତରକୁ ସ୍ପର୍ଶ କରିପାରୁଥିବା ମଣିଷ କଦାପି ନିଃସଙ୍ଗ ହେବନାହିଁ । ନିଜର ଆଖି ଏବଂ କାନଗୁଡ଼ିକୁ ଗ୍ରହଣସମର୍ଥ ଓ ଶ୍ରଦ୍ଧାଶୀଳ କରି ପାରିଥିବା ମଣିଷ ମଧ୍ୟ କଦାପି ନିଃସଙ୍ଗ ହେବନାହିଁ । ନିଜର ମୁହାଁମୁହିଁ ହେବାକୁ ଏବଂ ନିଜ ଭିତରକୁ ପ୍ରବେଶ କରିବାକୁ ସାହସ କରି ନପାରୁଥିବା ମଣିଷ ହିଁ ସମ୍ଭବତଃ ନିଃସଙ୍ଗ ହେବାଲାଗି ଗୋଟାଏ କୌଣସି ବାହାନା ପାଇ ଯାଉଥିବ । ଆଧୁନିକ ପୃଥିବୀ ତ ଏପରି ହେଲାଣି ଯେ, ତୁମ କବାଟ ଝରକା ବନ୍ଦ କରି ନିଜ ଘରେ ନିବୁଜ ହୋଇ ରହିଲେ ମଧ୍ୟ ପୃଥିବୀ ତୁମ ଘରଭିତରେ ଆସି ପହଞ୍ଚିବ, ତୁମକୁ ଉଖାରିବ, ଉସକେଇବ, ଉଚ୍ଚାଟ କରିବ,–ତୁମକୁ କବାଟ ଫିଟାଇ ବାହାରକୁ ବାହାରି ଆସିବାକୁ ବାଧ୍ୟ କରିବ । ବାହାରେ ଏତେ ଖରା ପଡ଼ିଥିବା ସମୟରେ କୋଉ ମଣିଷ କାହିଁକି ଗେହ୍ଲାପଣ କରି ସୂର୍ଯ୍ୟ କଞ୍ଜୁସ୍ ହୋଇଗଲା ବୋଲି ଅଭିଯୋଗ କରିବ ? ନିଜକୁ ଅପାର ଶ୍ରଦ୍ଧାରେ ଅପାର ସଂସାର ସହିତ ଆଧୁନିକ ସାଧନଗୁଡ଼ିକର ସାହାଯ୍ୟ ନେଇ ଗଅଁଠାଇ ରଖିବାର ବିସ୍ତୃତ ଆହ୍ଵାନଗୁଡ଼ିକ ଅପେକ୍ଷା କରି ରହିଥିବା ବେଳେ କିଏ କାହିଁକି ଦୁନିଆ ଭିତରୁ ସବୁ ଶ୍ରଦ୍ଧା ବିଦାୟ ନେଇ ଚାଲିଗଲା ବୋଲି ରୋଦନ କରିବ ? ଯିଏ ଇଚ୍ଛା କରୁଛି, ରୋଦନ କରୁଥାଉ ପଛକେ ମୁଁ କଦାପି କରିବି ନାହିଁ ।

 

୨୮. ୪. ୯୭

 

ଭାରତବର୍ଷରେ ଅନେକ ଅନେକ ହିନ୍ଦୁ ଅଛନ୍ତି ଯେଉଁମାନେ କି କେବଳ ହିନ୍ଦୁଟିଏ ହୋଇ ଜୀବନ ବଞ୍ଚୁଛନ୍ତି; ଏବଂ ମୁସଲମାନ ହୋଇ ବି ଅନେକ ଅଛନ୍ତି, ଯେଉଁମାନେ କି କେବଳ ମୁସଲମାନ ହୋଇ ଜୀବନ ବଞ୍ଚୁଛନ୍ତି । ଯଥାର୍ଥ ଭାବରେ ସେମାନଙ୍କୁ ହିନ୍ଦୁ ବୋଲି କୁହାଯାଇ ପାରିବନାହିଁ କିମ୍ବା ମୁସଲମାନ ବୋଲି କୁହାଯାଇ ପାରିବନାହିଁ । ପିଲାଦିନୁଁ ଅତ୍ୟନ୍ତ ଆକସ୍ମିକ ଭାବରେ ଯେତେଟା ଓ ଯେଉଁଭଳି ସଂସ୍କାରକୁ ସେମାନେ ମାନି ଆସୁଛନ୍ତି, ଖାଲି ତାହାରି ବଳରେ ସେମାନେ ନିଜକୁ ଏଇଟା ବା ସେଇଟା ବୋଲି କହୁଛନ୍ତି ।

 

ଏକ ପରମ୍ପରା ମଧ୍ୟରେ କିଳି ହୋଇ ରହିବା ନୁହେଁ, ପରମ୍ପରାକୁ ଅତିକ୍ରମ କରିବା ହେଉଛି ଏକ ଆଲୋକକାମୀ ଜୀବନର ସ୍ୱରୂପଲକ୍ଷଣ । ପ୍ରତ୍ୟେକ ସୁସ୍ଥ ପରମ୍ପରା ଭିତରେ ଏପରି କିଛି ଥାଏ, ଯାହାକି ସତେଅବା ଏକ ସୋପାନପରି ହୋଇ ଉପର ସୋପାନଟିକୁ ବାଟ କଢ଼ାଇନିଏ-। ଜୀବନରେ ସୋପାନ ଆରୋହଣ କରୁଥିବା ମନୁଷ୍ୟମାନେ ନିଜକୁ ସଚରାଚର କେବଳ ଏଇଟା ବା କେବଳ ସେଇଟା ବୋଲି ମୋଟେ କହି ପାରନ୍ତିନାହିଁ । ସେମାନେ ଯେତିକି ଯେତିକି ଗଭୀରକୁ ଆରୋହଣ କରି ଯାଉଥାନ୍ତି, ସେତିକି ସେତିକି ସତେଅବା ଆଉଏକ ଆନନ୍ଦମୟ ଆନୁଗତ୍ୟ ମଧ୍ୟରେ ନିଜକୁ ମଜ୍ଜାଇ ଦିଅନ୍ତି ଯେଉଁଠାରେ କି ଆଗର ବାଧ୍ୟବାଧ୍ୟକତା ଗୁଡ଼ାକ ସତେଅବା ବଡ଼ ହୀନପ୍ରଭ ହୋଇ ପଡ଼ନ୍ତି । ଧର୍ମମାନଙ୍କର ଜଗତରେ ସତକୁ ସତ ସୁସ୍ଥତା ରହିଥିଲେ ଯାବତୀୟ ଧର୍ମର ସନ୍ତକଗୁଡ଼ିକ କ୍ରମେ ଗୌଣ ହୋଇ ଆସନ୍ତେ,–ତେଣୁ, ସନ୍ତକଗୁଡ଼ିକର ମାଧ୍ୟମରେ ହିଁ ଜଣେ ମଣିଷର ଧର୍ମକୁ ଚିହ୍ନିବା ହୁଏତ ଏକ ହାସ୍ୟାସ୍ପଦ ଚଳଣି ବୋଲି ମନେ ହୁଅନ୍ତା-। ଏବର ଏହି ସନ୍ତକସର୍ବସ୍ଵ ମଣିଷମାନଙ୍କୁ ଦେଖି ଧର୍ମଗୁଡ଼ିକ ଉପରେ ବେଳେବେଳେ ଭାରି ଦୟା ବି ଆସିଥାଏ । ସେମାନେ କେଉଁ ଚଉଗର୍ଭ ଭୁଞ୍ଜିବେ ବୋଲି ମଣିଷକୁ ଏହି ସନ୍ତକଗୁଡ଼ାକୁ କାମୁଡ଼ି ପଡ଼ି ରହିବାକୁ କାହିଁକି ଶିକ୍ଷା ଦେଲେ କେଜାଣି ? ଏହି ପ୍ରକ୍ରିୟାରେ ଯେଉଁ ଗୁରୁମାନେ ନାୟକ ହୋଇ ବାହାରିଲେ, ସେମାନେ ପୃଥିବୀର ମଣିଷମାନଙ୍କର ଆଖିକୁ ଭାରି ଖଣ୍ଡିଆ କରି ରଖିଛନ୍ତି । ମଣିଷ ଯେ ସବାଆଗ ନିଜ ଭିତରକୁ ଅନାଇ ପାରନ୍ତା, ମଣିଷର ସେହି ଶକ୍ତିଟିକୁ ହରଣ କରି ନିଆଯାଇଛି । ଭଗବାନଙ୍କୁ ଛାଡ଼ି ମଣିଷମାନେ ନିଜର ଅହଂଗୁଡ଼ାକୁ ପୂଜା କରିବେ ବୋଲି ସନ୍ତକଗୁଡ଼ିକର ଆଶ୍ରୟ ଗ୍ରହଣ କରିଛନ୍ତି କି ? ମଣିଷର ଭିତରେ ଭଗବାନ ଅଛନ୍ତି ବୋଲି କ’ଣ ସ୍ଵୟଂ ଭଗବାନଙ୍କୁ ଆସି କହିବାକୁ ପଡ଼େ ନା ମଣିଷ ଆଗ ମନ କରି ସବଳ ହୋଇ ଭିତରକୁ ଅନାଇଲେ ଭଗବାନ ଦୃଶ୍ୟ ହେବାକୁ ଆରମ୍ଭ କରନ୍ତି ?

 

୧୫. ୬. ୯୭

 

ସବାଆଗ ବ୍ୟାକୁଳତା, ବ୍ୟାକୁଳତାରୁ ଅନ୍ଵେଷଣ ଏବଂ ଅନ୍ଵେଷଣରୁ ଅନୁଭବ । ଅନୁଭବରୁ ଉପଲବ୍ଧି, ଉପଲବ୍ଧିରୁ ଏକାତ୍ମତା । ହୁଏତ ଏହାକୁ ହିଁ ଆରୋହଣ ଏବଂ ଅବତରଣର ସମ୍ପୂର୍ଣ୍ଣ କାହାଣୀ ବୋଲି କୁହାଯାଇ ପାରିବ । ମଣିଷ ଯୋଉ ଘରଟିରୁ ଯାଇଥିବ, ସେହି ଘରକୁ ହିଁ ଫେରି ଆସିବ । ମାତ୍ର, ସାଧବପରି ଫେରି ଆସିବ, ସନ୍ତାନପରି ଫେରି ଆସିବ । ଅସନ୍ତୋଷରୁ ଯାଇଥିବ, ସତତ ସମ୍ପ୍ରସାରଣର ଏକ ଆନନ୍ଦମୟ ପ୍ରକ୍ରିୟା ମଧ୍ୟକୁ ଫେରି ଆସିବ । ଏଇଠି ସିଏ ସତେଅବା କ’ଣଟିଏ ଛାଡ଼ି ଆସିଥିଲା ବୋଲି ଛଟପଟ ହେଉଥିବ, ଛଟପଟ ହୋଇ ବାହାରିଯିବ ଏବଂ ବୃତ୍ତିଟିକୁ ସମ୍ପୂର୍ଣ୍ଣ କରି ଏଇଠିକୁ ଫେରିଆସି ସବୁ ପାଇବ । ଆଉ ଖଣ୍ଡିଆ ହୋଇ କିଛି ରହିବ ନାହିଁ ।

 

ମଣିଷ ଫେରି ଆସି ଏଠାରେ ଯାହା ପାଏ, ପ୍ରଥମ ଚରଣଟିରେ ଭିତରେ ଥାଇ ସେଇ ତାକୁ ଏଭଳି ବ୍ୟାକୁଳ କରିଥାଏ କି ? ଏ ଆଖି ସେ ଆଖିଟିଲାଗି ବ୍ୟାକୁଳ ହେଉଥାଏ । ସେହି ଆଖିର ସ୍ପର୍ଶ ବାଜିଲେ ଏହି ଆଖି ଧନ୍ୟ ହୁଏ । ମାୟାମାନେ ଡୋରରେ ରୂପାନ୍ତରିତ ହୋଇଯାଆନ୍ତି-। ବନ୍ଧନ ରହିଥାଏ,–ମାତ୍ର ବନ୍ଧନ ଆଉ ବିକଳ କରେନାହିଁ, ତାହା ଯୁକ୍ତ କରି ରଖିଥାଏ । ସେହି ବନ୍ଧନ ଯାବତୀୟ ଦୂରତାକୁ ଜୟ କରେ । ଯାବତୀୟ ମୋହକୁ ମଧ୍ୟ ଜୟ କରେ-। ଏହି ପୃଥିବୀ ସ୍ଵସଦନପରି ଅନୁଭବ ହୁଏ । ଆଉ କେଉଁଠାରୁ ଖସି ପଡ଼ି ପଥ ହରାଇଥିବାପରି ମୋଟେ ମନେ ହୁଏନାହିଁ । ଭିତରର ସତ୍ୟ ସେତେବଳେ ବାହାରର ସତ୍ୟ ସହିତ ଏକାତ୍ମ ହୋଇଯାଏ । ସେହି ଅନୁଭୂତିଟି ହେଉଛି ସୌନ୍ଦର୍ଯ୍ୟର ଅନୁଭୂତି । ଡୋର ନଲାଗିଥିବା ଯାଏ କିଛି ସୁନ୍ଦର ଲାଗୁଥିବା ସଙ୍ଗେ ସଙ୍ଗେ କିଛି ଅସୁନ୍ଦର ବି ଲାଗୁଥାଏ । ମାତ୍ର, ଡୋର ଲାଗିଗଲେ ସେହି ବିବାଦ ସମ୍ପୂର୍ଣ୍ଣ ଭାବରେ ସମାହିତ ହୋଇଯାଏ । ତେଣୁ, ମାୟାକୁ କାଟିବାରେ ଆଦୌ କୌଣସି ପ୍ରଶ୍ନ ନାହିଁ । ଆପଣାର ଜୀବନରେ ଅସଲ ଉନ୍ମୋଚନଟିକୁ ଘଟାଇ ପାରିଲେ ମାୟାର ହୃଦୟଟି ଦୃଷ୍ଟିଗୋଚର ହେବାକୁ ଆରମ୍ଭ କରେ । ଆଖିରୁ ପରଳମାନେ ଖସି ପଡ଼ନ୍ତି । ଭିତର ଓ ବାହାର ସବୁ କେଡ଼େ ସ୍ପଷ୍ଟ ହୋଇ ଦେଖାଯାଏ । ଅସଲ ଭଗବାନ ସେତିକିବେଳେ ଉପଲବ୍ଧି ହୁଅନ୍ତି । ସମର୍ପଣ ହିଁ ଏକମାତ୍ର ଧର୍ମ ବୋଲି ପ୍ରତିପାଦିତ ହୋଇଯାଏ । ଏହି ସଂସାର ଏପରି ଏକ ରହସ୍ୟ, ଯାହା ପାଖୁଡ଼ା ପାଖୁଡ଼ା ହୋଇ ଖୋଲି ଯିବାପାଇଁ ଅପେକ୍ଷା କରି ରହିଥାଏ । ଏହି ପାଖୁଡ଼ାଗୁଡ଼ିକ ଅସୁମାରି । ପାଖୁଡ଼ାଗୁଡ଼ିକ ହିଁ ସତ୍ୟ, ଖୋଲିଲାଣି ଯେତିକି, ଆହୁରି ସେତିକି ଖୋଲିବାଲାଗି ଅପେକ୍ଷା କରି ରହିଛନ୍ତି । ତାହାହିଁ ଅନ୍ତର ଭିତରେ ରହିଥିବା ଅସଲ ସନ୍ତାନଟିକୁ ଜାଗରୂକ କରି ରଖିଥାଏ ।

 

୧୯. ୬. ୯୭

 

ମନ ସ୍ଥିର ନଥାଏ, କାରଣ ମନ ସଫା ନଥାଏ । ସିଧା ମନ, ଖୋଲା ମନ, ସଫା ମନ । ତେଣୁ, ଥିର ମନ । ସମ୍ମତ ମନ ହେଉଛି ଏକ ସଫା ମନ । ଯୋଉ ତଥାକଥିତ ଉକ୍ତିମାର୍ଗୀମାନେ କେଡ଼େ ବିହ୍ଵଳ ଭାବରେ ଆପଣାକୁ ପୂର୍ଣ୍ଣରୂପେ ସମର୍ପିତ କରିଦେବାର କଥାମାନ କହି ଯାଇଛନ୍ତି, ସେମାନେ ମନଟାକୁ ସଫା ରଖିବା ବିଷୟରେ ସେତିକି ମହତ୍ତ୍ଵ ଦେଇ କହିଥିଲେ ପୃଥିବୀର ପ୍ରକୃତରେ ଅଧିକ କଲ୍ୟାଣ ହୋଇ ପାରିଥାନ୍ତା । ମନ ସଫା ନରହିଲେ ମଣିଷ ଯେ ତାଙ୍କ ପାଦର ମୋଟେ ଯୋଗ୍ୟ ହୋଇ ପାରିବନାହିଁ, ଗୁରୁମାନେ ସବୁଠାରୁ ଅଧିକ ଗୁରୁତ୍ଵ ଦେଇ ସବାଆଗ ଏହି କଥା କହିଥାନ୍ତେ । ମାତ୍ର, କେବଳ ନିଜର ମନକୁ ସଫା ରଖିପାରିଥିବା ଗୁରୁ ହିଁ ସେକଥା କରି ପାରିଥାନ୍ତା ।

 

କେତେ କେତେ ପ୍ରକାରର ମଇଳା, ତେଣୁ କେତେ କେତେ ପ୍ରକାରର କପଟ ଓ କେତେ କେତେ ପ୍ରକାରର କାତରତା । ସମ୍ଭବତଃ ସେଥିପାଇଁ ଆମ ପୃଥିବୀରେ ଭକ୍ତମାନଙ୍କ ତୁଳନାରେ କାତର ମଣିଷମାନେ ହିଁ ଅଧିକ ସଂଖ୍ୟାରେ ଦୃଷ୍ଟିଗୋଚର ହୁଅନ୍ତି ଏବଂ ଭକ୍ତି ଅପେକ୍ଷା କାତରତାମାନଙ୍କର ସମ୍ବନ୍ଧରେ ହିଁ ଅଧିକ କଥା କୁହାଯାଇଥାଏ । କାତର ମଣିଷମାନେ, ମଇଳା ମଣିଷମାନେ, ଦୁର୍ମନାମାନେ ସତେଅବା ସଦା ତରତର ଏକ ଉତ୍ତେଜନାରେ ପଡ଼ି ସଂସାର ଭିତରୁ ସବୁକିଛି ଦୁହିଁ ନେଇ ନିଜ ଭାଗ୍ୟର ଗାତ ଭିତରକୁ ବୋହି ନେବାର ଫିକର କରୁଥାନ୍ତି । ନିଜର ଗାତଟି କେତେ ପୂରିଲା ଅଥବା କେତେ ଅଧା ହୋଇ ରହିଲା ବୋଲି ବିକଳ ହୋଇ ରହିଥିବା ମଣିଷମାନେ ଇଚ୍ଛା ଥିଲେ ମଧ୍ୟ ଓ ଯେତେ ଆକୁଳ ହେଉଥିଲେ ମଧ୍ୟ କିପରି ଥିର ହୋଇ ପାରିବେ-? ମଣିଷମାନେ କେବଳ ନିଜକୁ ହିଁ କେନ୍ଦ୍ର କରି ବେଢ଼ା ବୁଲିବାରେ ଲାଗିଥିଲେ ସଫା ହୋଇ ପାରନ୍ତିନାହିଁ । ଏପରି ଏକ ଅଭୀପ୍ସା ରହିଛି, ଯାହାକି ମଣିଷକୁ ନିରନ୍ତର ତା’ର ଚିହ୍ନା ବେଢ଼ାଟି ଭିତରୁ ଆହୁରି କୌଣସି ବୃହତ୍ତର ବେଢ଼ା ମଧ୍ୟକୁ ପରିଚାଳିତ କରିନେବାରେ ଲାଗିଥାଏ । ମନକୁ ସଫା ରଖି ପାରିନଥିବା ମଣିଷ କଦାପି ସେହି ସଂପ୍ରସାରଣ ଯୋଗ୍ୟ ହୋଇ ପାରେନାହିଁ । ଏବଂ, ସମ୍ପ୍ରସାରିତ ହୋଇ ନପାରିଲେ ମଣିଷ ଥିର ବି କିପରି ହୋଇପାରିବ ? ପୃଥିବୀ ମୋଟେ ଏକ ଗୁମ୍ଫା ନୁହେଁ; ଏବଂ, ମୋତେ ନିଜର ଏକ ମାୟା ଭିତରେ ପକାଇ ରଖିବା କଦାପି ସୃଷ୍ଟିର ଏକ ଉଦେଶ୍ୟ ନୁହେଁ । ସମ୍ଭବତଃ ଏତିକି ହୃଦୟକାମ କରିବା ସଙ୍ଗେ ସଙ୍ଗେ ମଣିଷ ସତକୁ ସତ ଥିର ହୋଇ ଆସିବାର ରହସ୍ୟଟିକୁ ମଧ୍ୟ ପାଇଯାଏ । ସେହି ରହସ୍ୟ ପାଖରେ ସମ୍ମତ ହେବାକୁ ଭାରି ଭଲ ଲାଗେ । ତା’ପରେ ସଫା ହେବା ନିମନ୍ତେ ଆଦୌ କୌଣସି ଗୁରୁର ଶରଣ ନେବାକୁ ପଡ଼େନାହିଁ ।

 

୨୪. ୬. ୯୭

 

ବାପି (ଶ୍ରୀ ନବକୃଷ୍ଣ ଚୌଧୁରୀ)ଙ୍କର ସଂସାରରୁ ଯିବା ଆଜିକୁ ତେରବର୍ଷ ହୋଇଗଲା । ତାଙ୍କୁ ମନେ ରଖିବାର ଅନେକ କାରଣ ରହିଛି । ଅନେକ ବ୍ୟକ୍ତି ଯଥାର୍ଥ ଭାବରେ ମନେ ରଖି ପାରନ୍ତିନାହିଁ ବୋଲି ଝୁରି ହୁଅନ୍ତି । ମୁଁ ଝୁରି ହୁଏନାହିଁ । ମୁଁ ପ୍ରେରଣା ପାଏ ।

 

ଶ୍ରୀ ନବକୃଷ୍ଣ ଚୌଧୁରୀ ଶାସନରେ ବା ରାଜନୀତିରେ କ୍ଷମତାସୀନ ଥିବାବେଳେ ଯେଉଁମାନେ ସେହି ଅବସରର ସୁଯୋଗ ନେଇ ନାନାପ୍ରକାରେ ଫାଇଦା ଉଠାଉଥିଲେ, ବର୍ତ୍ତମାନ ମୁଖ୍ୟତଃ ସେଇମାନେ ତାଙ୍କୁ ଝୁରି ହେଉଛନ୍ତି । ତାଙ୍କର ଗୁଣଗାନ କରୁଛନ୍ତି । ତାଙ୍କୁ ଦେବତାତୁଲ୍ୟ ବୋଲି କହୁଛନ୍ତି । ଜଣେ ବ୍ୟକ୍ତିର ଜୀବନରୁ ପ୍ରେରଣା ନେଇ ପାରିବାକୁ ହେଲେ ତାଙ୍କୁ ଝୁରିଲେ ମୋଟେ କାମ ହୁଏନାହିଁ । ତାଙ୍କୁ ଦେବତା ଅସ୍ଥାନକୁ ଟେକିଦେଲେ ତାଙ୍କୁ ଠକିହୁଏ ସିନା, ମାତ୍ର ତାଙ୍କୁ ନିରପେକ୍ଷ ଭାବରେ ମୋଟେ ଦେଖି ହୁଏନାହିଁ । ବାପିଙ୍କଠାରୁ ମୋ’ର କୌଣସି ରାଜନୀତିକ କିମ୍ବା ଅନ୍ୟ ସୁଯୋଗଗତ କୌଣସି ଫାଇଦା ଉଠାଇବାର କୌଣସି ପ୍ରଶ୍ନ ନଥିଲା । ସିଏ ମୋତେ ଭାରି ଆକର୍ଷକ ମନେ ହେଲେ, ଅନ୍ୟ ଅନେକଙ୍କଠାରୁ ପୃଥକ୍ ଦିଶିଲେ । ବହୁ ଅସାଧୁଙ୍କ ଭିତରେ ସତେଅବା ଏକମାତ୍ର ସାଧୁ ବୋଲି ବୋଧ ହେଲେ । ତାଙ୍କର ଅଧିକରୁ ଅଧିକ ନିକଟବର୍ତ୍ତୀ ହେବାକୁ ଇଚ୍ଛା ହେଲା । ଯେତିକି ପାଖକୁ ଆସିଲି, ମୁଁ ତାଙ୍କୁ ସେତିକି ନିରୀଖି ଦେଖି ପାରିଲି । ସିଏ ମୋତେ spinx ସଦୃଶ ଦେଖାଗଲେ । ସତେଯେପରି ପୋତା ବହୁତ, ଭଭା ତାହା ତୁଳନାରେ ବହୁତ ଅଳପ । କୋଉଠି କ’ଣ କୁଣ୍ଠାଟିଏ ରହି ଯାଇଥିଲା, ଯାହାଫଳରେ ସେ ଆପଣାକୁ ଉଢ଼ୁଆଳରେ ରଖିବାକୁ ହୁଏତ ଅଧିକ ପ୍ରଶସ୍ତ ବୋଲି ବିଚାର କରୁଥିଲେ । ବିପ୍ଳବୀଟି ଭିତରେ ନିରାସକ୍ତ ବାବାଜିଟିଏ ହୁଏତ ଥିଲା, ଯିଏ ତାଙ୍କୁ ଅସଲ ବେଳମାନଙ୍କରେ ଭାରି ନିରସ୍ତ୍ର କରି ରଖୁଥିଲା । ଅସାଧୁମାନଙ୍କର ମେଳରେ ସାଧୁଟିଏ ପାଟି ନଖୋଲିବାକୁ ହିଁ ଅନେକ ସମୟରେ ବିହିତ ମନେ କରେ । ବାପି ବେଳେବେଳେ ପାଟି ନଖୋଲି ନିଜ ଭିତରେ ବହୁ ଦ୍ଵନ୍ଦ୍ଵଦ୍ଵାରା ପ୍ରାୟ ନିରନ୍ତର ଦଗ୍ଧ ହୋଇ ରହୁଥିଲେ । ସିଏ ଥାଇ ମଧ୍ୟ ଧୂର୍ତ୍ତମାନେ ତାଙ୍କର କାନ୍ଧ ଉପରେ ବସି ଆଗକୁ ଡେଇଁ ଯାଉଥିଲେ, ଅଥଚ ସିଏ ପ୍ରାୟ ନିରାସକ୍ତ ହୋଇ ରହୁଥିଲେ । ବାପିଙ୍କୁ ଅନୁକରଣ କରିବାର ପ୍ରଶ୍ନ ହିଁ ଉଠୁନାହିଁ । ସିଏ ମତେ ଚିରଦିନ ପ୍ରେରଣା ଦେଉ ଥାଆନ୍ତୁ । ମୋ’ ବାଟରେ ସାଧୁ ଏବଂ ଅବିଚଳିତ ଭାବରେ ଚାଲିବାଲାଗି ପ୍ରେରଣା ଦିଅନ୍ତୁ ।

 

୩୦. ୬. ୯୭

 

ଜୀବନର ପଥ ହେଉଛି ସମ୍ଭବତଃ ଏକମାତ୍ର ପଥ, ଯେଉଁଥିରେ ଚାଲୁଥିଲେ କୌଣସି କ୍ଳାନ୍ତର ଅନୁଭବ ହୁଏନାହିଁ । ତଥାକଥିତ ଆଉ ଯେତେ ପଥ ଚାଲିବେ ବୋଲି ମଣିଷମାନେ ବିଚାର କରୁଥାନ୍ତି, ସେଗୁଡ଼ିକ ସେମାନଙ୍କର ଜୀବନପଥକୁ ହିଁ ପୁଷ୍ଟ କରି ପାରୁଥିବା ଦରକାର । ଜୀବନର ପଥଟିକୁ ବାହାରେ ଓ ଭିତରେ ଏକାବେଳେକେ ଚାଲିବାକୁ ହୋଇଥାଏ । ବାହାରର ଚାଲିବା ଭିତରକୁ ଉଜଜୀବିତ କରି ରଖିଥାଏ ଏବଂ ଭିତରରେ ଚାଲିବା ବାହାରକୁ ହୃଦୟଟିଏ ଯୋଗାଇଦିଏ-। ଅସଲ ଜୀବନପଥଟିକୁ ନଚାଲୁଥିଲେ ବାହାର ଆଉ ଭିତର ମଧ୍ୟରେ ଦ୍ଵନ୍ଦ୍ଵଲାଗି ରହିଥାଏ । ସେହିଥିରୁ ହିଁ କ୍ଳାନ୍ତ ଆସେ । ପୃଥିବୀରେ ଏହି କ୍ଳାନ୍ତ ମଣିଷମାନଙ୍କୁ ଦେଖିଲେ ସେମାନଙ୍କ ଭିତରେ ରହିଥିବା ଦ୍ଵନ୍ଦ୍ୱଟି ମଧ୍ୟ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଧରା ପଡ଼ିଯାଏ ।

 

ଭିତରର ଠିକଣାଟିକୁ ନଜାଣି ଯେଉଁମାନେ କେବଳ ବାହାରେ ହିଁ ଚାଲୁଥାନ୍ତି, ସେମାନଙ୍କୁ ସଂସାର ବାନ୍ଧି ପକାଏ । ଭିତରଟି ମଧ୍ୟ ବାହାର ସହିତ ସାଥୀ ହୋଇ ରହିଥିଲେ ତଥାକଥିତ ବନ୍ଧନମାନେ ସତେଅବା ଡୋରରେ ପରିଣତ ହୋଇ ଯାଆନ୍ତି । ସେହି ଡୋରମାନେ ହିଁ ଯଥାର୍ଥ ମୁକ୍ତିର କାରଣ ହୁଅନ୍ତି । ଡୋରଗୁଡ଼ିକୁ କାଟିଦେଲେ ହିଁ ମୁକ୍ତି ପ୍ରାପ୍ତ ହେବ ବୋଲି କୋଉ ବାବାଜି କାହିଁକି କହିଥିଲେ କେଜାଣି ? ବନ୍ଧନଗୁଡ଼ିକୁ ଯେ ଡୋରରେ ପରିଣତ କରିହେବ, ସେହି ରହସ୍ୟଟି ସମ୍ଭବତଃ ତାଙ୍କୁ ମୋଟେ ଜଣା ନଥିଲା । ବନ୍ଧନଗୁଡ଼ିକୁ ଡୋରରେ ପରିଣତ କରି ପାରୁଥିବା ସାଥୀକୁ ନିଜଭିତରୁ ଖୋଜି ନପାଇଥିବା ପର୍ଯ୍ୟନ୍ତ ମଣିଷ ଧର୍ମତଃ ବହୁ ଡୋରରେ ବାନ୍ଧିହୋଇ ରହିଥିଲେ ମଧ୍ୟ ତଥାପି ବନ୍ଧନ ଭିତରେ ଛଟପଟ ହେଉଥାଏ । ଛଟପଟି ହୋଇ ଆଉକୁଆଡ଼େ ପଳାଇବାକୁ ବିକଳ ହେଉଥାଏ । ଯେଉଁଠାକୁ ପଳାଏ, ସେଠାରେ ମଧ୍ୟ ବନ୍ଧନରେ ଯାଇ ପଡ଼ିଯାଏ । କ୍ଳାନ୍ତିରେ ହିଁ ସଂସାରଟା କାଟେ । କ୍ଳାନ୍ତ ମଣିଷମାନେ ନିଜର ପ୍ରକୋପରେ ଏହି ସଂସାରଟାକୁ ଭାରି କ୍ଷତବିକ୍ଷତ କରି ରଖିଥାନ୍ତି । ସଂସାରକୁ ଅଳୀକ ବୋଲି କହୁଥାନ୍ତି, ତଥାପି ସତେଅବା କୌଣସି ପଥ ଚାଲିବେନାହିଁ ଏବଂ କୌଣସି ପାହାଚ ଉଠିବେନାହିଁ ବୋଲି ପଣ କରି ସଂସାରକୁ କାମୁଡ଼ି ବି ଧରିଥାନ୍ତି । ନାନାବିଧ ବନ୍ଧନ ମଧ୍ୟରେ ଉତ୍ତେଜିତ ହୋଇ ରହିଥାନ୍ତି । କ୍ଳାନ୍ତମାନେ କିପରି ବା ଭଗବାନଙ୍କର ପଟରେ ରହିବାର ଯୋଗ୍ୟ ହୋଇ ପାରିବେ ? ତେଣୁ, ଭଗବାନଙ୍କ ପଟରେ ରହିଛନ୍ତି ବୋଲି ଧାରଣ ଦେବାକୁ ସେମାନେ ମନ୍ଦିର ତୋଳନ୍ତି, ମୂର୍ତ୍ତି ଥାପନ୍ତି ଓ ବହୁ କୋଳାହଳ କରିବାରେ ଲାଗିଥାଆନ୍ତି ସିନା, ତଥାପି ସାନ୍ନିଧ୍ୟ ଲାଭ କରି ପାରନ୍ତିନାହିଁ । ନିଜ ଜୀବନର ପଥକୁ ବାହାରେ ଖୋଜିବାରେ ଲାଗିଥାନ୍ତି ଏବଂ ଭିତରକୁ ପଡ଼ିଥିବା ବାଟଟିକୁ ସତତ କିଳି ରଖିଥାନ୍ତି । କିଳି ରଖିବାଦ୍ଵାରା ଆହୁରି ଅଧିକ କ୍ଳାନ୍ତ ହୁଅନ୍ତି ।

 

୫. ୭. ୯୭

 

ଯଦି ଜଗନ୍ନାଥ ସବୁକିଛି ହୋଇଥାନ୍ତେ, ତେବେ ଜଗନ୍ନାଥଙ୍କୁ ଡେଇଁ ଆହୁରି ସେପାଖକୁ ଯିବାଲାଗି ମଣିଷ କାହିଁକି ମନ କରିଥାନ୍ତା ? ଯଦି ପରିବାର ସବୁକିଛି ହୋଇଥାନ୍ତା, ତେବେ ପରିବାରକୁ ଡେଇଁ ଆହୁରି ସେପାଖକୁ ଯିବାଲାଗି ମଣିଷ କାହିଁକି ମନ କରିଥାନ୍ତା ? ଯଦି ଦେଶଟା ହିଁ ସବୁକିଛି ହୋଇଥାନ୍ତା, ତେବେ ଦେଶଟାକୁ ଡେଇଁ ଆହୁରି ସେପାଖକୁ ଯିବାଲାଗି ମଣିଷ କାହିଁକି ମନ କରିଥାନ୍ତା ? ଯଦି କାଳଟା ହିଁ ସବୁକିଛି ହୋଇଥାନ୍ତା, ତେବେ କାଳ ସହିତ ଖାପ ଖାଇ ନଯାଇ କାଳକୁ ଡେଇଁବାଲାଗି ମଣିଷ କାହିଁକି ମନ କରିଥାନ୍ତା ? ତେଣୁ, ମୁଁ ଭାବେ, ଏହି ବିବିଧ ସମ୍ପ୍ରଦାୟ, ବିଭିନ୍ନ ଦେବତା ଓ ବିଭିନ୍ନ ଭାବଗତ ଭୂଗୋଳ ସୃଷ୍ଟି ହୋଇ ମଣିଷକୁ ଏକ ଆୟତ୍ତ ଭିତରେ ରହିଥିବା ସୀମା ଭିତରେ ବାନ୍ଧି ଦିଆଯିବାର ଚେଷ୍ଟା ଯୁଗେ ଯୁଗେ କାହିଁକି ହେଲା କେଜାଣି ?

 

ଏପାଖ ବାହାରେ ସେପାଖଟା ମୋଟେ ନାହିଁ । ପରିବାରର ବାହାରେ ବି ପୃଥିବୀ ଆଉକୋଉଠି ନାହିଁ ଯେ ପୃଥିବୀ ଭିତରକୁ ଯିବାକୁ ହେଲେ ମୋତେ ପରିବାରକୁ ପରିତ୍ୟାଗ କରିବାକୁ ପଡ଼ିବ । କାଳାତୀତ ଭିତରେ ହିଁ କାଳ ରହିଛି । ମୁଁ ଯେପରି କେବେ କୌଣସି ଭାବପ୍ରବଣତା ଭିତରେ ପଡ଼ି ଏତିକି ସୀମାରେ ବାନ୍ଧିହୋଇ ରହି ନଯିବି, ସେଥିଲାଗି ମୋ’ ଭିତରେ କାଳାତୀତଲାଗି ଏକ ଆକର୍ଷଣ ସର୍ବଦା ରହିଛି । ମୋ’ର ଲବ୍ଧ ସତ୍ୟଟି ଯେ ଆଦୌ ଯଥେଷ୍ଟ ନୁହେଁ, ମୋତେ ସେହି ବିଷୟରେ ସୁନିଶ୍ଚିତ କରି ରଖିବାକୁ ହିଁ ଏତିକି ସତ୍ୟ ସେପାଖକୁ ଆହୁରି ସତ୍ୟମାନେ ରହିଛନ୍ତି । ଏମାନେ କୋଉଯାଏ ରହିଛନ୍ତି, ନିତାନ୍ତ ନିର୍ବୋଧ ନହେଲେ କେହି ସେକଥାଟିକୁ ହିସାବ କରି କହିବାଲାଗି କଦାପି ମନ କରିବନାହିଁ । ମୁଁ ଅନୁଭବ କରୁଛି, ମୋ’ ଭିତରେ ହିଁ କେଉଠି କ’ଣଟିଏ ରହିଛି, ଯାହାକି ଏହି ଯାବତୀୟ ସୀମା ଏବଂ ପ୍ରସୀମନମାନଙ୍କୁ ଅତିକ୍ରମ କରି ଯିବାଲାଗି ମୋତେ ମୋ’ର ବନ୍ଧୁପରି ସାହସ, ବଳ ଏବଂ ପ୍ରତ୍ୟୟ ଦେଇଯାଉଛି । ମୁଁ ଅନୁକ୍ଷଣ ସେହି ଦ୍ରବ୍ୟଟିକୁ ହିଁ ଖୋଜିବି । ଭିତରେ ଖୋଜୁ ଖୋଜୁ ବାହାରେ ବି ଖୋଜିବି । ନିଜ ଭିତରେ ଖୋଜୁ ଖୋଜୁ ଅନ୍ୟମାନଙ୍କ ଭିତରେ ମଧ୍ୟ ଖୋଜିବି । ଖୋଜୁଥିବି, ସ୍ପର୍ଶ ପାଉଥିବି । ସମ୍ଭବତଃ ଆଖର ତାହାକୁ ହିଁ ଇଶ୍ଵରସ୍ପର୍ଶ ବୋଲି ଅନୁଭବ କରି ପାରିଲେ ଯାବତୀୟ ବନ୍ଧନରୁ ମୁକ୍ତି ମିଳିଯାଏ । ତା’ପରେ କେବଳ ପଥ ହିଁ ଦେଖାଯାଏ, ଭଗବାନ ପଥରୂପେ ହିଁ ଆହ୍ଵାନ କରିବାରେଲାଗି ଥାଆନ୍ତି । ମୋ’ର ଏହି କ୍ଷଣଗୁଡ଼ିକୁ ଏକ କ୍ଷଣାତୀତତାର ମମତାରେ ଧନ୍ୟ କରି ରଖିଥାନ୍ତି ।

 

୨୩. ୭. ୯୭

 

ପର୍ବତପରି ସ୍ଥିର, ନିର୍ଝରିଣୀପରି ଗତିଶୀଳ; ପର୍ବତପରି ଅଟଳ, ଅଥଚ ନିର୍ଝରିଣୀପରି ଛଳଛଳ । ନିରନ୍ତର ଦେବାପାଇଁ ପ୍ରସ୍ତୁତ, ନିରନ୍ତର ଓହ୍ଲାଇ ଆସିବା ପାଇଁ ବ୍ୟାକୁଳ । ଏହି ନିର୍ଝରିଣୀ ପର୍ବତର ଗର୍ଭରେ ହିଁ ରହିଥାଏ । ଏହିପରି ଯାହାକିଛି ଭିତରେ ନିଦା ହୋଇ, ନିଜର ହୋଇ ରହିଥାଏ, ସେହି ବାହାରକୁ ଆସିଲେ ଏପରି ଅକୃପଣ ଏବଂ ଉଚ୍ଛଳ ହୋଇଉଠେ କି ? ପର୍ବତଟି ନଥିଲେ ଏହି ଝରଣାଟି ମଧ୍ୟ ଆଦୌ କିପରି ସମ୍ଭବ ହେଉଥାନ୍ତା ? ଏବଂ, ଏହି ଝରଣାଟି ସହିତ କେଉଁଠି ସେଇ ଗୋଟିଏ ବିଭୁଙ୍କର ବିଧାନଦ୍ଵାରା ବାନ୍ଧିହୋଇ ରହିନଥିଲେ ହୁଏତ ପର୍ବତ ମଧ୍ୟ ଏତେ ଅଧିକ ପରିମାଣରେ ଆକର୍ଷଣ କରୁନଥାନ୍ତା । ମତେ ପର୍ବତ ଭଲ ଲାଗେ, ତେଣୁ ନିର୍ଝରିଣୀମାନେ ଭଲ ଲାଗନ୍ତି । ନିର୍ଝରିଣୀମାନେ ଭଲ ଲାଗନ୍ତି, ତେଣୁ ପର୍ବତ ଭଲ ଲାଗେ । ପ୍ରକୃତରେ ଭାରି ଭଲ ଲାଗେ ।

 

ଜୀବନରେ ଯାହାକିଛି ସଂଗ୍ରହ କଲି, ଜୀବନରେ ନିର୍ଝରିଣୀଟିଏ ସମ୍ଭବ ହୋଇ ପାରିଲା ବୋଲି ହୁଏତ ସେହି ଯାବତୀୟ ସଂଗ୍ରହ ମୋ’ଲାଗି ଏତେ ନିଜରପରି ଲାଗିଲା । ଅଧିକରୁ ଅଧିକ ସଂଗ୍ରହ କଲି, ଅଧିକରୁ ଅଧିକ ବିତରିତ ବି ହୋଇ ପାରିଲି । ସଂଗ୍ରହମାନେ ମୋତେ ସମ୍ପଦବାନ୍ କଲେ, ସ୍ଥିର କଲେ ଏବଂ ତା’ପରେ ଅଥବା ଯୁଗପତ୍ ଭାବରେ କୋଉଠି ଦୁଆରଟିଏ ଖୋଲି ହୋଇଗଲା । ଦୈବାତ୍ ଯେ ଖୋଲିଗଲା, ସେକଥା ମୋଟେ ନୁହେଁ; ସତେଅବା କାହାର ବରାଦ ଅନୁସାରେ ଅର୍ଥାତ୍ କାହାରି ଆଶୀର୍ବାଦ ଲାଭ କରିଥିଲାପରି ଦୁଆରଟି ଖୋଲିଗଲା । ସେତେବେଳେ ଯାଇ ଜାଣିଲି, ଏହି ଯାବତୀୟ ସଂଗ୍ରହ ବ୍ୟାକୁଳତା,–ଇଏ ବି ସେଇ ଆଶୀର୍ବାଦର ମଧ୍ୟ ଫଳ । ଆଶୀର୍ବାଦଗୁଡ଼ିକୁ ସତକୁ ସତ ଆଶୀର୍ବାଦ ବୋଲି ଅନୁଭବ କରୁଥିବା ମଣିଷଟିଏ ହିଁ ପ୍ରକୃତରେ ଭାଗ୍ୟବାନ୍ । ସେହି ଆଶୀର୍ବାଦ ଅତ୍ୟନ୍ତ ଉଦାର, ତେଣୁ ଏହି ପୃଥିବୀରେ ଆପଣାକୁ ସତତ ଭାଗ୍ୟଶାଳୀ ବୋଲି ଅନୁଭବ କରିବା,–ଏଇଟି ସତେ ଯେପରି କୌଣସି ଅସଲ ସ୍ଵଭାବ । ଏବଂ, ଅସଲ ସ୍ଵଭାବଟି ନାନା କାରଣରୁ ତଳେ ଯେ ପୋତି ହୋଇ ରହିଥାଏ, ଆମେ ସେଥିଲାଗି ଆଗ ନିଜକୁ ହିଁ ପଚାରିବା । ତୁ ପର୍ବତଟିର ପରିଚୟ ପାଇଛୁ ? ତୁ ନିର୍ଝରିଣୀଟିର ପରିଚୟ ପାଇଛୁ-? ପରିଚୟ ପାଇଥିବା ଲୋକ ଅର୍ଥାତ୍ ଡୋର ଲଗାଇ ପାରିଥିବା ଲୋକ । ସେହି ଡୋରଟା ମୋତେ ଅନେକ ସମୟରେ ଭଗବାନ୍ ହୋଇ ଦିଶିଯାଏ । ଡୋର, ଅର୍ଥାତ୍ ଯାହା ଭିତର ଓ ବାହାର ଉଭୟକୁ ସ୍ପର୍ଶ କରାଇ ରଖିଛି । ଉଭୟକୁ ସ୍ଥିର ଏବଂ ଗତିଶୀଳ କରି ରଖିଛି ।

 

୩୧. ୭. ୯୭

 

ଅନେକଗୁଡ଼ାଏ ବୁଦ୍ଧି ଅର୍ଥାତ୍ କେବଳ ବୁଦ୍ଧି, ସମ୍ଭବତଃ ତାହାରି ଆଉ ଗୋଟିଏ ନାମ ହେଉଛି ଦୁର୍ବୁଦ୍ଧି । ବୁଦ୍ଧିର ଏହି ସ୍ଵତନ୍ତ୍ର ଅର୍ଥଟିର ଭୂମି ଉପରେ ଆମେ ଆମ ଦେଶର ‘ବୁଦ୍ଧିଜୀବୀ’ ଶବ୍ଦଟିକୁ ହୁଏତ ଠିକ୍ ଭାବରେ ବୁଝି ପାରିବା । ଅସଲ ଆଧୁନିକତା ସାରା ପୃଥିବୀରେ ହୃଦୟ ଆଡ଼କୁ ମନୁଷ୍ୟର ଧ୍ୟାନ ଆକର୍ଷଣ କରି ଆବିର୍ଭୂତ ହୋଇଥିଲା, ମାତ୍ର ଭାରତବର୍ଷରେ ମଣିଷର ଭିତରେ ରହି ତା’ର ଆଖିଗୁଡ଼ିକୁ ପରିଚାଳିତ କରି ନେଉଥିବା ହୃଦୟକୁ ତଳକୁ ଚାପିଦେଇ ହିଁ ବୁଦ୍ଧି ଚକ୍ରବର୍ତ୍ତୀ ହୋଇ ବସିବାର ଏକ ଅତ୍ୟନ୍ତ ଅସ୍ଵାଭାବିକ ସ୍ଥିତିକୁ ହିଁ ଆଧୁନିକତା ବୋଲି ପ୍ରଚାର କରି ଆସିଛି । ତଥାପି, ଆମର ମହାଭାଗ୍ୟ ଯେ, ଏଠି କେବଳ ଅଳପ ଲୋକ ଅତିବୁଦ୍ଧିର ପରାକ୍ରମ ଭିତରେ ନିଜକୁ ହୁଗୁଳା କରି ଛାଡ଼ି ଦେଇଛନ୍ତି । ଭାରତବର୍ଷରେ ଅଧିକାଂଶ ମଣିଷ ହୃଦୟଦ୍ଵାରା ହିଁ ପରିଚାଳିତ ହେଉଛନ୍ତି ।

 

ଏହାଦ୍ଵାରା ସେମାନେ ହୁଏତ ଅଧିକାଂଶ ସମୟରେ ଭାବପ୍ରବଣ ହୋଇ ଯାଉଛନ୍ତି, ନାନା ଅନ୍ଧବିଶ୍ଵାସର ଶିକାର ହେଉଛନ୍ତି । ଆମ ବୁଦ୍ଧିଜୀବୀମାନେ ସତେଅବା ଏହି ଦେଶର ମୁଖ୍ୟ ସ୍ରୋତ ଅର୍ଥାତ୍ ମୁଖ୍ୟ ଆବେଦନଟିର ବାହାରେ ରହି ଦେଶକୁ ଶାସନ କରୁଛନ୍ତି, ନିଜର ଏକ ଛାଞ୍ଚ ଭିତରେ ହାତୁଡ଼ି ପିଟି ଦେଶର ଯାବତୀୟ ନିୟତିକୁ ଜବରଦସ୍ତି ପକାଇ ଦେଇ ଦେଶକୁ ଅଟକାଇ ରଖିଛନ୍ତି, ଭାରି ଅସହାୟ କରି ରଖିଛନ୍ତି । ପଢ଼ିଥିବା ସକଳ ପାଠକୁ ନିଜର ଦୁର୍ବୁଦ୍ଧିଗୁଡ଼ାକୁ ଚିରତାର୍ଥ କରିବାରେ ଭାରି କାମରେ ଲଗାଉଛନ୍ତି । ଦେଶରେ ଅଧିକାଂଶ ମଣିଷ ନିରକ୍ଷର ହୋଇଥିବାରୁ ଏଠି ସାହିତ୍ୟ ମଧ୍ୟ ମୂଳତଃ ବୁଦ୍ଧିଘରେ ହିଁ କେଡ଼େ ଖୁସି ହୋଇ ନାଟ କରିବାରେ ଲାଗିଛି । ଯେଉଁମାନେ ନିଜର ବୁଦ୍ଧିକୁ ହୃଦୟର ବେଢ଼ା ଭିତରକୁ ଆଣି ଯଥାର୍ଥ ଭାବରେ ସ୍ପୃହାଯୁକ୍ତ କରି ପାରିଛନ୍ତି, ହୁଏତ ସେଇମାନେ ହିଁ ଆଗକୁ ବାଟଟିଏ କାଢ଼ି ପାରିବେ । ସେମାନେ କମ୍ ଅନୁକରଣ କରିବେ, କମ୍ ଧୋକା ଦେବେ । ତେଣୁ ଭାରତବର୍ଷରେ ସାହିତ୍ୟରେ, ରାଜନୀତିରେ ଏବଂ ସାମୂହିକ ଜୀବନର ନାନାବିଧ କ୍ଷେତ୍ରରେ ଯେଉଁଦିନ ବୁଦ୍ଧି ହୃଦୟକୁ ହିଁ ନିଜର ବନ୍ଧୁରୂପେ ଗ୍ରହଣ କରିନେବ, ସେଇଦିନ ଯାଇ ସିଏ ନିଜର ଅସଲ ଉଜ୍ଜ୍ଵଳତାଗୁଡ଼ିକର ପରିଚୟ ଦେଇପାରିବ । ବୁଦ୍ଧି ଅହମୁକ୍ତ ହେବାକୁ ରାଜି ହୋଇଗଲେ ତା’ ସାଙ୍ଗରେ ହୃଦୟଟିଏ ରହିଛି ବୋଲି ଘ୍ରାଣ କରିବାକୁ ଆରମ୍ଭ କରେ । ତା’ପରେ, ହୃଦୟକୁ ଅଧିକରୁ ଅଧିକ ସମ୍ମୁଖକୁ ଆଣି କ୍ରିୟାଶୀଳ କରିବାରେ ମଧ୍ୟ ବୁଦ୍ଧି ସାହଯ୍ୟ କରିବାର ବାଟଟିକୁ ପାଇଯାଏ, ଆପଣାର ଅସଲ ଧର୍ମଟିକୁ ବଞ୍ଚିପାରେ ।

 

୩. ୮. ୯୭

 

କାଲି ମଧ୍ୟ ଅନେକ କାମ ରହିଛି । ଯେଉଁ କାର୍ଯ୍ୟ ଗୁହାଭିତରୁ ମୁକ୍ତ କରି ନେଇଯାଏ, ସେଇଭଳି ଅନେକ କାମ । ତେବେ, ରାତିର ଅନ୍ଧାରଟା ଯେତେ ଦେଖାନଯିବ, ପରବର୍ତ୍ତୀ ଦିନଟିର ସକାଳଟି ତା’ଠାରୁ ଅଧିକ ସାକାର ଭାବରେ ସ୍ପର୍ଶ କରି ରହିଥିବ । ପ୍ରକୃତରେ, ଏହି ପୃଥିବୀ ଅର୍ଥାତ୍ ଏହି ଜୀବନରେ ରାତ୍ରିଗୁଡ଼ିକ ସକଳମାନଙ୍କୁ ସ୍ପର୍ଶ କରି ରହିନାହାନ୍ତି କି ?

 

ଏହିପରି ଭାବରେ ଅନୁଭବ କରି ପାରିଲେ ଏହି ରାତ୍ରିମାନେ ଆଦୌ ଗୋଟିଏ ଗୋଟିଏ ବ୍ୟବଧାନପରି ମନେ ନହୋଇ ଗୋଟିଏ ଗୋଟିଏ ସେତୁପରି ହିଁ ଅନୁଭୂତ ହେବ । ଏବଂ, ସେତୁଟା କାହିଁକି କାହାକୁ ଭୟ ଦେଖେଇବ ? ଯେଉଁମାନେ କିଛି ପାଇବା ମାତ୍ରକେ କାଳେ ତାହା ପୁନର୍ବାର ଛାଡ଼ି ପଳାଇବ ବୋଲି ଆଶଙ୍କିତ ହୋଇ ରହିଥାନ୍ତି, ସେମାନଙ୍କର ଏଣିକି ସେତୁର ସାଧନା କରିବା ଉଚିତ । ଏହି ସେତୁ ଏଠାଟିକୁ ସେଠା ସହିତ ଯୋଡ଼ିକରି ରଖିଛି । କେତେ ସେଠା ଏଠାରୂପେ ପରିବର୍ତ୍ତିତ ହୋଇ ଯାଉଥିବା ସଙ୍ଗେ ସଙ୍ଗେ ଆହୁରି ଆଗକୁ ସେତୁଟିଏପରି ଦେଖାଯାଉଛି । ଏବଂ, ସେତୁଟିକୁ ବାଛିନେଇ ପାରିଲେ ସେଠାଟିଏ ମଧ୍ୟ ଦୃଷ୍ଟିଗୋଚର ହୋଇଯାଉଛି । ଆଜିର ସୂର୍ଯ୍ୟୋଦୟ କାଲିର ସୂର୍ଯ୍ୟୋଦୟ ସହିତ ଯେ ମୋତେ ଯୋଡ଼ିଦେଇ ପାରୁଛି, ତାହା କେବଳ ଏହି ସେତୁଟିର ଅନୁଭବ ହେତୁ । ସେତୁଟିଏ ଦିଶୁଥିବା ପର୍ଯ୍ୟନ୍ତ ଭିତରେ ନିଜକୁ ସତେଅବା କେଉଁ ଅମରଜୀବନର ପ୍ରତୀକ ବା ସନ୍ଦେଶବାହକ ରୂପେ ମନେ ହେଉଥିବ । ଏହି ପୃଥିବୀରେ ମୋ’ର ପ୍ରତ୍ୟେକ ପରିଚୟ, ପ୍ରତ୍ୟେକ ସାକ୍ଷାତ୍‌କାର ମୋ’ଲାଗି ମର୍ମତଃ ସେତୁପରି କାର୍ଯ୍ୟ କରି ଆସିଛି । ସେଥିଲାଗି, କେତେବେଳେ କୌଣସି ଗୁମ୍ଫା ଭିତରେ ଅମୁହାଁ ହୋଇ ରହିଗଲାପରି ମନେ ହୋଇନାହିଁ । କାହାରି ପାଖରୁ ଧୋକା ଖାଇଲାପରି ବି ଆଦୌ ଲାଗେନାହିଁ । ମୁଁ ଯେତେ ଯେତେ ଗୁରୁଙ୍କର ସମ୍ପର୍କରେ ଆସିଛି, ମୋତେ ସମସ୍ତେ ସେତୁପରି ହିଁ ପରବର୍ତ୍ତୀ ତଟଟିକୁ ନେଇ ଯାଇଛନ୍ତି । କେହି ମୋତେ ଅମୁହାଁ କରି ପକାଇ ରଖିବାର ଚକ୍ରାନ୍ତ କରିନାହାନ୍ତି । ଆଜିର ସକାଳଟିକୁ ମୁଁ କାଲିର ସକାଳଟି ମଧ୍ୟରେ ଆବିଷ୍କାର କରି ପାରିଛି । ଆଜିର ସକାଳଟିକୁ ନିଜଭିତରେ ବଞ୍ଚିବା ସମୟରେ ମୁଁ କାଲିର ସକାଳଟିର ବାସନା ମଧ୍ୟ ପାଇ ପାରିଛି । ଜୀବନ ଏକ ଉପବନପରି ଲାଗିଛି । ଏହି ସବୁକିଛି ମୋ’ରପରି ଲାଗିଛି । ଏହି ସବୁକିଛି ଯଦି ମୋ’ର, ତେବେ ମୁଁ କାହିଁକି କାହାକୁ ଭୟ କରିବି ? ଏହିପରି ମୋ’ର ବୋଲି କହି ପାରିବାଯୋଗୁଁ ମୋ’ ଭିତରେ ସତେଅବା କେତେ କ’ଣ ଉନ୍ମୋଚିତ ହୋଇଯାଇଛି ।

 

୬. ୮. ୯୭

 

ମୁଁ ଦେବତାମାନଙ୍କର ନୁହେଁ, ଦିବ୍ୟତ୍ଵର ବିଶ୍ଵାସ କରେ । ଏହାକୁ ଇଚ୍ଛା କଲେ କେହି God ଏବଂ godheadsର ତୁଳାଦଣ୍ଡ ଦେଇ ବି ବିଚାର କରିପାରେ । ମୁଁ ସେଥିରେ କଦାପି କୌଣସି ଆପତ୍ତି କରିବିନାହିଁ । ମାତ୍ର, ମୋ’ର ବିଶ୍ଵାସଟି ଠିକ୍ କାହାଭଳି ଅଥବା କାହାଭଳି ନୁହେଁ, ମୁଁ ନିଜର ବିଶ୍ଵାସଟିକୁ କେବେହେଲେ ସେହି ଅନୁସାରେ କଳିବାକୁ ଅଥବା ତାହାର ଜାତିନିରୂପଣ କରିବାକୁ ଇଚ୍ଛା କରିନାହିଁ ।

 

ଦେବତାମାନେ ହେଉଛନ୍ତି ଏକ କଳ୍ପନା, ଏକ ପ୍ରସର୍ଜନା । ଏବଂ, ଦିବ୍ୟତ୍ଵ ହେଉଛି ଏକ ଉତ୍ତରାଧିକାର । ମାନବର ସର୍ବୋତ୍ତମ ଏବଂ ସର୍ବାଧିକ ପ୍ରେରଣା ତଥା ଶକ୍ତି ଯୋଗାଇ ଦେଉଥିବା ଏକ ଉତ୍ତରାଧିକାର । ଦେବତମାନେ ଅନେକ ହୋଇ ପାରନ୍ତି । ଦିବ୍ୟତ୍ଵ ଏକ,–ନିଜ ଜୀବନ ମଧ୍ୟରେ ପାହାଚ ପାହାଚ ହୋଇ ଉର୍ଦ୍ଧ୍ଵକୁ ତଥା ଗଭୀରକୁ ପ୍ରବେଶ କରିବାକୁ ମନ କଲେ ସେହି ଏକତ୍ଵଟିର ସାକାର ଅନୁଭବଟି ପ୍ରାପ୍ତ ହୋଇଥାଏ । ମୋ’ ଆଖିରେ ଦିବ୍ୟତ୍ଵ ହିଁ ସବାଉପରେ ବସିଛି ଓ ମୋତେ ଏହି ଯାବତୀୟ ପଥକୁ ଅତିକ୍ରମ କରାଇ ନେଉଛି । ମାତ୍ର, ଦେବତାମାନଙ୍କୁ ମୁଁ ଏଇଠି ଏହି ଚଳଣି ଏବଂ ଛାଞ୍ଚଗୁଡ଼ିକର ହାଟ ଭିତରେ ଶିକ୍ଷା କରିଛି । ଯେଉଁ ଧର୍ମରେ ଜନ୍ମ ହୋଇଛି, ସେହି ଧର୍ମର ଦେବତାମାନଙ୍କୁ ଜାଣିଛି । ସେମାନଙ୍କୁ ମୋ’ର ବୋଲି କହି ଆଉମାନଙ୍କୁ ମୋ’ର ନୁହେଁ ବୋଲି କହି ଶିଖିଛି । ଅଧିକରୁ ଅଧିକ ସଂଖ୍ୟାରେ ଦେବତାମନାଙ୍କୁ ଚିହ୍ନିଲେ ଯେ ମନୁଷ୍ୟ ଦିବ୍ୟତ୍ଵ ପାଖରେ ଆସି ଆପେ ଆପେ ପହଞ୍ଚିଯାଏ, ସେକଥା ଆଦୌ ନୁହେଁ । ମାତ୍ର, ଏହି କଥାଟି ନିତ୍ୟକାଳ ନିମନ୍ତେ ସତ୍ୟ ଯେ, ଦିବ୍ୟତ୍ଵ ଦେଇ ଚିହ୍ନି ପାରିଲେ ଦେବତାମାନଙ୍କୁ ଆମର ଯାବତୀୟ ଚିହ୍ନିବା ପ୍ରକୃତରେ ଧନ୍ୟ ହୋଇଯାଏ । ତା’ପରେ ଦେବତାମାନଙ୍କଠାରୁ ମଧ୍ୟ ଦିବ୍ୟତ୍ଵର ପ୍ରେରଣା ମିଳିପାରେ । ମଣିଷ ଭିତରେ ତା’ର ଅସଲ ରତ୍ନରୂପେ ଦିବ୍ୟତ୍ଵଟିଏ ରହିଛି ବୋଲି ସିଏ ପ୍ରାୟ ଏକ ଅନମନୀୟ ବ୍ୟାକୁଳତା ସହିତ ଯେ ପୃଥିବୀରେ ଦେବତାମାନଙ୍କର ଅନ୍ଵେଷଣ କରିବାରେ ଲାଗିଛି, ଆଦୌ କୌଣସି ପ୍ରମାଦ ସୃଷ୍ଟି ନକରି ସେହି କଥାଟି ମଧ୍ୟ କୁହାଯାଇ ପାରିବ । ଆମେ ଅବିବେକୀ ହେଲେ ଦେବତାମାନେ ବାଟ ଓଗାଳି ବସିବାକୁ ଆରମ୍ଭ କରନ୍ତି, ଆମ ଜୀବନରେ ନାନା ଅସୂୟାର କାରଣ ହୁଅନ୍ତି । ଦେବତାମାନେ ଆମପାଇଁ ଗୋଟିଏ କାନ୍ଥ ହୋଇ ଯେପରି ନରହିବେ, ନିଜର ଦିବ୍ୟତ୍ଵ ବିଷୟରେ ନିରନ୍ତର ସଚେତନତା ସେଥିଲାଗି ଏକ ଔଷଧପରି ମଧ୍ୟ କାର୍ଯ୍ୟ କରିପାରେ ।

 

୩୦. ୮. ୯୭

 

କେଶବ ମଳିକ ଆମ ପିଲାଦିନେ ଗାଆଁର ଚଉକିଆ ରୂପେ କାର୍ଯ୍ୟ କରୁଥିଲା । ଯେଡ଼େ କ୍ଷୁଦ୍ର ପଦରେ ରହିଥିଲେ ମଧ୍ୟ ସିଏ ଏକ ସରକାରୀ ପଦରେ ରହିଥିଲା । ତଥାପି ଆମ ଭାରତବର୍ଷର ଲୋକମାନେ ତାକୁ କେଶବା କଣ୍ଡରା ବୋଲି କହୁଥିଲେ । ସିଏ ଉଚ୍ଚ କୁଳରେ ଜନ୍ମ ହୋଇଥିଲେ ତା’ର ନାଆଁ କେଶବାନନ୍ଦ ମଳିକ ବୋଲି ଲେଖାହୋଇ ଥାଆନ୍ତା । ତାକୁ କେହି କେଶବା ବୋଲି କହିଲେ ବା ଡାକିଲେ ସିଏ ଆପତ୍ତି କରୁଥାନ୍ତା । ଖୁବ୍ ମନେ ଅଛି, ଅଗଷ୍ଟ ଆନ୍ଦୋଳନ ବେଳେ ବିଳମ୍ବରାତିରେ ମୁଁ ଯେତେବେଳେ ଗାଆଁ ଇସ୍କୁଲର ଅଫିସ ଘରେ ବସି ବେଆଇନ୍ ପ୍ରଚାରପତ୍ରମାନ ଛାପୁଥିଲି, କେଶବ ସେତେବେଳେ ସେଠି ସେହି ବାରଣ୍ଡାରେ ଶୋଉଥିଲା । ଯୋଉ ସରକାରର ଆରକ୍ଷୀ ବିଭାଗରୁ ସିଏ ଦାନାପାଣି ପାଏ, ତାହାରି ବିରୋଧରେ ମୁଁ କିଛି କର୍ମ କରୁଛି ବୋଲି ସିଏ ହୁଏତ ଆଦୌ ଜାଣି ନଥାଏ । ମୋ’ଠାରୁ ମାତ୍ର ଖଣ୍ଡେ ଦୂରରେ ପିଣ୍ଡାରେ ଶୋଇଲେ ମୋତେ ଆଉ ଡର ମାଡ଼ିବନାହିଁ ବୋଲି ହୁଏତ ଭାବୁଥାଏ ।

 

କାଲି କେଶବର ପୁଅକୁ ଦେଖିଲି । ସିଏ ରାଜଧାନୀରେ ଟେଲିଫୋନ୍ ବିଭାଗରେ ଠିକା ନିଯୁକ୍ତି ପାଇଛି । କୋଉଠି ରାସ୍ତାକାମ ହେଉଥିବାରୁ ସିଏ ଟେଲିଫୋନ୍ ତାରଗୁଡ଼ିକୁ ଜଗିବାପାଇଁ ରାତିରେ ଶୋଇବାକୁ ଆସୁଛି । ମତେ ରୋଜ୍ ସକାଳେ ଦେଖେ, ତାଙ୍କ ଗାଆଁର ହୋଇଥିବି ବୋଲି ବିଚାରେ । କାଲି ଆସି ଚିହ୍ନା ଦେଲା । ତା’ ଗାଆଁର ଲୋକ ବୋଲି ଜାଣିଲା । ଆମେ ଉଭୟେ ଯେଉଁ ସ୍ଵାଧୀନ ଦେଶର ନାଗରିକ, ସେହି ସ୍ଵାଧୀନ ଦେଶକୁ ପଚାଶ ବର୍ଷ ପାର ହୋଇଗଲାଣି । ତଥାପି ସେ ମୋତେ ସେହି ମର୍ଯ୍ୟାଦାରେ ମୋଟେ ବ୍ୟବହାର କଲାନାହିଁ । ସିଏ ଏପର୍ଯ୍ୟନ୍ତ ନିଜକୁ ମଧ୍ୟ ସେହି ମର୍ଯ୍ୟାଦା ଦେଇ କେବେ ଅନୁଭବ କରିନାହିଁ । ସିଏ ଗାଆଁ ମର୍ଯ୍ୟାଦାରେ ଚିହ୍ନା ଦେଲା, ମୋତେ ଭିତରେ ସତେଅବା ଅମୁକ ସାଆନ୍ତଙ୍କର ପୁଅ ବୋଲି ଦେଖୁଥିଲା । ଅତ୍ୟନ୍ତ ସଙ୍କୋଚର ସହିତ ପ୍ରତି ବାକ୍ୟରେ ଚାରିଥର ଆଜ୍ଞା ବୋଲି କହୁଥିଲା । ଏ ପୁଅଟି ଜନ୍ମ ଦେବା ବେଳକୁ ଭାରତ ସ୍ଵାଧୀନ ହୋଇ ସାରିଥିଲା । ଆମେ ଦୁହେଁ ଯେଉଁ ସମାଜରେ ବଢ଼ି ଆସିଛୁ, ସେଇଟା ତ ସ୍ଵାଧୀନତା ଆସିବାର ହଜାର ହଜାର ବର୍ଷ ପୂର୍ବରୁ ରହି ଆସିଛି । ଆମ ସମାଜ ସ୍ଵାଧୀନତା ନାମକ ଏହି ବିଶେଷ ଘଟଣାକୁ ସ୍ଵୀକାର କରିବାଲାଗି ଏପର୍ଯ୍ୟନ୍ତ ପ୍ରୟୋଜନ ମନେ କରିନାହିଁ । ଦେଶ ସ୍ଵାଧୀନ ହେବା ପରେ ଏଠି ଏତେ ଏତେ କୋଠା ସିନା ଆମେ ତିଆରି କରି ପକାଇଲୁ, ମାତ୍ର ମଣିଷମାନଙ୍କର ଅନ୍ତର ଭିତରକୁ ପ୍ରବେଶ କରି ପାରିଲୁନାହିଁ । ସେହି ପୁରୁଣା ଖୋଳଗୁଡ଼ାକ ଭିତରେ କଇଁଛପରି ଲୁଚି ରହିଗଲୁ ।

Image

 

Unknown

୧୯୯୮

୨. ୨. ୯୮

 

ଏ ବର୍ଷ ଜାନୁୟାରୀ ତିରିଶ ତାରିଖଟା ସତେଅବା ଏକ ବିଶେଷ ତାରିଖ ବା ଅବସରପରି ଲାଗିଲା । ଗାନ୍ଧୀ ଯିବାର ପଚାଶବର୍ଷ ପୂରିଗଲା । ସେଦିନପରି ଏବର୍ଷ ମଧ୍ୟ ଶୁକ୍ରବାର ପଡ଼ିଥିଲା ଏବଂ ସେଦିନ ପୁଣି ଇଦ୍-ଉଲ୍-ଫିତ୍‍ରର ପର୍ବଦିନଟି ମଧ୍ୟ ଥିଲା ।

 

ଏବେ ଭାରତବର୍ଷରେ ମହାତ୍ମା ଗାନ୍ଧୀଙ୍କୁ ନେଇ ଅଧିକ କଥା ପଡ଼ୁଛି । ପଲେ ଉପରମୁଁହା କହୁଛନ୍ତି ଯେ, ଗାନ୍ଧୀକଥାର ଆଉ ଆଦୌ କୌଣସି ପ୍ରାସଙ୍ଗିକତା ନାହିଁ । ହୁଏତ କେବେ କିଛି ପ୍ରାସଙ୍ଗିକତା ରହିଥିଲା ସିନା, କିନ୍ତୁ ବର୍ତ୍ତମାନ ଆଦୌ କିଛି ନାହିଁ । ବର୍ତ୍ତମାନ ଯୁଗ ବଦଳି ଗଲାଣି । ମଣିଷମାନେ ଅନ୍ୟପ୍ରକାର ହୋଇଗଲେଣି, ଯୁଗର ଆହ୍ଵାନଗୁଡ଼ିକ ମଧ୍ୟ କୁଆଡ଼େ ଭାରି ଅନ୍ୟପ୍ରକାର ହୋଇଗଲେଣି । ତେଣୁ, ଗାନ୍ଧୀକଥାକୁ ହିସାବକୁ ଆଣିଲେ ଆମର ଆଉ କୌଣସି ଲାଭ ହେବନାହିଁ । ଆଉଥୋକେ ଏହାର ଠିକ୍ ଓଲଟା କଥାଟିକୁ କହୁଛନ୍ତି । ବର୍ତ୍ତମାନର ପରିସ୍ଥିତି, ବିଶେଷ କରି ଭାରତବର୍ଷର ପରିସ୍ଥତି ସେମାନଙ୍କୁ ସମ୍ପୂର୍ଣ୍ଣ ଅସମ୍ଭାଳ ଲାଗୁଛି । ସତେଯେପରି କୋଉଥିକି ହେଲେ ଆଦୌ କୁଣ୍ଢ ପାଉନାହିଁ । ସେମାନେ ବଡ଼ ଅଧୀର ହୋଇ ଗାନ୍ଧୀ ପାଖକୁ ଫେରିଯିବା ପାଇଁ କହୁଛନ୍ତି । ସତେଯେପରି ସେମାନେ ସତକୁ ସତ କେବେ ଗାନ୍ଧୀପାଖରେ ରହିଥିଲେ ଏବଂ ବର୍ତ୍ତମାନ ଗାନ୍ଧୀକୁ ପଛରେ ଛାଡ଼ିଦେଇ ଆସିଛନ୍ତି ଓ ପୁଣି ତାଙ୍କ ପାଖକୁ ଫେରି ଯିବାକୁ ଇଚ୍ଛା କରୁଛନ୍ତି, ସେମାନଙ୍କର କଥା ଶୁଣି ବେଳେବେଳେ ସେହିପରି ମନେ ହେଉଛି । ଆମେ କେଉଁ ବାଟରେ ଯିବା ବା ନଯିବା, ତାହା ଯାବତୀୟ ଅର୍ଥରେ ଆମର ତଦନୁରୂପ ଏକ ନିଷ୍ପତ୍ତି ଉପରେ ହିଁ ନିର୍ଭର କରିବ । ବର୍ଷା ଦେଖି ଛତା ଦେଖାଉଥିବା ମଣିଷମାନେ ଆଦୌ କୌଣସି ନିଷ୍ପତ୍ତି ଗ୍ରହଣ କରି ପାରନ୍ତିନାହିଁ । ସେମାନଙ୍କର ଛତା ବରଷାକୁ ସମ୍ଭାଳି ନପାରିଲେ ଯାହା ଅଧୀର ହୋଇ ପଡ଼ନ୍ତି । ତାତ୍କାଳିକ କାମରେଲାଗି ପାରିବା ଭଳି କୌଣସି ଔଷଧ ଖୋଜୁଥାନ୍ତି । ମହାତ୍ମା ଗାନ୍ଧୀ ନିଜ ଜୀବନରେ ଏକଦା ଏକାଧିକ ସ୍ଥିର ନିଷ୍ପତ୍ତି ଗ୍ରହଣ କରିଥିଲେ । ବର୍ଷା ଅନୁସାରେ ଛତା ଦେଖାଇବାର ସାନ ଚାଲାଖିଆମାନଙ୍କରୁ ସେ ସର୍ବଦା ଦୂରରେ ରହିଥିଲେ । ତାଙ୍କ ଜୀବନର ଅସଲ କେନ୍ଦ୍ରଟି ତାଙ୍କ ଭିତରେ ଥିଲା । ତେଣୁ, ଗୋଟାଏ ଜୀବନରେ ସିଏ କେତେ କ’ଣ ସାଧ୍ୟ କରିପାରିଲେ । ସମଗ୍ର ଭାରତବର୍ଷକୁ କେତେପ୍ରକାରେ ଋଣୀ କରି ରଖିଲେ । ତେଣୁ, ଅଧୀର ହୋଇ ଚାଲ ଗାନ୍ଧୀ ପାଖକୁ ଫେରିଯିବା କହିଲେ ଆମେ ମୋଟେ ଗାନ୍ଧୀ ପାଖକୁ ଫେରିଯାଇ ପାରିବାନାହିଁ । ସବାଆଗ ନିଷ୍ପତ୍ତିଟିଏ କରିବା । ଆମ ଚତୁର୍ଦ୍ଦିଗରେ ଭାଗ୍ୟଟି ସହିତ ଆଗ ସକାରାତ୍ମକ ଭାବରେ ଯୋଡ଼ିହୋଇ ରହିବାକୁ ଇଚ୍ଛା କରିବା । ତେବେ ଆମକୁ କେତେ କ’ଣ ମିଳିଯିବ । ଏବଂ, ସେହିସବୁ ମିଳିଯିବା ସହିତ ଗାନ୍ଧୀ ମଧ୍ୟ ଅବଶ୍ୟ ମିଳିଯିବେ ।

 

୨୧. ୨. ୯୮

 

ଉପରୁ କରୁଣା ଅଜାଡ଼ି ହୋଇ ପଡ଼ୁଛି । ସତେଅବା ମୁଁ ତାହାକୁ ହିଁ ଚେତନା ଭରି ଅନୁଭବ କଲାବେଳକୁ ତାହା ଆସ୍ପୃହାରେ ପରିଣତ ହୋଇ ଯାଉଛି । ଭିତରେ ଥାଇ ପରମସଙ୍ଗୀଟି କହୁଛି, ଉପରୁ ଯାହା କରୁଣା ହୋଇ ଅଜାଡ଼ି ହୋଇ ପଡ଼ୁଛି, ତାହାହିଁ ଏଠୁ ଆସ୍ପୃହା ହୋଇ ଉଠି ଯାଉଛି । ଇଏ ଆଉ ସିଏ କ’ଣ ସତରେ ଦୁଇଟା ପଦାର୍ଥ ? ତଳ କୋଉଠି ସରିଛି ଓ ଉପର କେଉଁଠାରେ ଉପର ଛାଡ଼ି ତଳଠିଁ ଆସି ପହଞ୍ଚୁଛି, ଗାର ପକାଇ ସ୍ଥିର କରିବାକୁ ମୋ’ ପାଖରେ କୌଣସି ଗଣିତ ନାହିଁ ।

 

ସାଧନାକୁ ଆଉ ସେଇଥିପାଇଁ ଓଲଟ ସାଧନା ବୋଲି କୁହାଯାଇଛି କି ? ତା’ ପାଇଁ ବି ଓଲଟା ଓ ମୋ’ ପାଇଁ ବି ଓଲଟା । ଦୁଇପକ୍ଷ କେହି ଯେ ଓଲଟା ନୁହଁନ୍ତି, ଠିକ୍ ସେହି କଥାଟିକୁ ଉପଲବ୍ଧି କରିବା ସକାଶେ ଏହି ତଥାକଥିତ ଓଲଟ ସାଧନା । ଆଗେ ସଂସାରକୁ ଛାଡ଼ି ସତ୍ୟସଦନକୁ ଯିବାପାଇଁ ପରାମର୍ଶ ଦିଆ ଯାଉଥିଲା, ଡାଳ ଛାଡ଼ି ମୂଳକୁ ଛୁଇଁବାଲାଗି କୁହା ଯାଉଥିଲା । ଡାଳରୁ ଆରମ୍ଭ ହୋଇଥିବା ସାଧନାଟିଏ ମୂଳରେ ପହଞ୍ଚି ପ୍ରକୃତରେ କୌଣସି ଡାଳକୁ ଛାଡ଼ିଦେବାଲାଗି ଆଦୌ ବାଧ୍ୟ ହୁଏନାହିଁ । ତେଣୁ, ଉର୍ଦ୍ଧ୍ଵକୁ ଯିବାର ଅର୍ଥ ଯାବତୀୟ ତାତ୍ପର୍ଯ୍ୟରେ ଘରକୁ ଫେରି ଆସିବାକୁ ହିଁ ବୁଝାଇବ । ଏ ଘର ଅନିତ୍ୟ ବୋଲି ଯେ ସେଘରକୁ ଫେରି ଆସିବାକୁ ପଡ଼ିବ, ସେକଥା ମୋଟେ ନୁହେଁ । ବସ୍ତୁତଃ, ଏହି କାନ୍ଥଗୁଡ଼ିକ ହେଉଛନ୍ତି ଅନିତ୍ୟ । ଏହି ପନ୍ଥା, ମାର୍ଗ, ପ୍ରକାର,–ଏହିଗୁଡ଼ିକ ହେଉଛନ୍ତି ଅନିତ୍ୟ । ସେଗୁଡ଼ିକରୁ ଆରମ୍ଭ କଲେ, ଆମଭିତରେ ଯଦି ଯଥାର୍ଥ ଆସ୍ପୃହାଟି ରହିଥାଏ, ବା ଯଦି ଆମେ ନିଜକୁ ଯଥାର୍ଥ କରୁଣାର ଭାଜନ କରିପାରୁ, ତେବେ କାନ୍ଥପରେ କାନ୍ଥମାନେ କେଡ଼େ ସହଜରେ ଉଠିଯିବାରେ ଲାଗିଥିବେ । ଏହି ପ୍ରସାରବୋଧ, ହୁଏତ ଏହାହିଁ ଅସଲ ମେଦିନୀବୋଧ । ପ୍ରସାରର ସ୍ପର୍ଶ ହେଉଛି କରୁଣାର ସ୍ପର୍ଶ । ମୁଁ ଯେ ପ୍ରସାରିତ ହେବାରେ ଲାଗିଛି, ହୁଏତ ତାହାହିଁ ମୋ’ ଆସ୍ପୃହାର ଅସଲ ପରିଚିତ । ମଣିଷ ସଂସାର ଭିତରେ ରହିଛି ବୋଲି ଯେ ଛଟପଟ ହୁଏ, ସେକଥା ଆଦୌ ନୁହେଁ । ସିଏ ସତେଅବା କେଉଁ ଅନ୍ୟ ମମତାରେ ପଡ଼ି କାନ୍ଥଗୁଡ଼ିକ ପାଖରେ ଅଟକିଯାଏ, ତାହାହିଁ ଆମର ସବୁକିଛି ଛଟପଟ ହେବାର ଅସଲ କାରଣ । କାନ୍ଥ ପରେ ଆହୁରି କାନ୍ଥ ରହିଛନ୍ତି । ଆମ ନବୀନମାନଙ୍କ ପାଇଁ ପୃଥିବୀକୁ ଚିହ୍ନଟ କରି ରଖିଛନ୍ତି । ଏହି ପୃଥିବୀକୁ ଆମେ ଖଣ୍ଡ ଖଣ୍ଡ କରି ଚିହ୍ନିବାକୁ ଭାରି ଭଲ ପାଉଛୁ ବୋଲି ସବୁ ବାଉଳା ହୋଇ ଯାଉଛି । ଆମେ ସାରା ପୃଥିବୀର ହୋଇ ପାରୁନାହୁଁ । ସାରା ପୃଥିବୀର ହୋଇ ପାରିଲେ ଯାଇ ଯେ ଅସଲ ଉତ୍ତରାଧିକାର ପ୍ରାପ୍ତ ହୋଇଥାଏ, ସେକଥା ବୁଝାଇ କହି ହୁଏନାହିଁ । ସେହି କଥାଟିକୁ ଅଙ୍ଗେ ନିଭାଇବାକୁ ହୁଏ । ତା’ପରେ ଆଖିର ମାପକାଠିମାନେ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଆନ୍ତି । ସତ୍ୟକୁ ବହନ କରିବାରେ ଓ ସତ୍ୟରେ ବଞ୍ଚିବାର ମାପକାଠିମାନେ ବି ବଦଳି ଯାଆନ୍ତି । ତା’ପରେ ଗୋଟାଏ ନିଃଶ୍ଵାସକୁ ଆସ୍ପୃହା ବୋଲି କୁହାଗଲେ ଆର ନିଃଶ୍ଵାସଟାକୁ କରୁଣା ବୋଲି କୁହାଯାଏ । କରୁଣା ଏବଂ ଆସ୍ପୃହା ସତେଅବା ପରସ୍ପରର ପରିପୂରକ ହୋଇ ରହିଥାନ୍ତି ।

 

୨୯. ୩. ୯୮

 

ମୁଁ ଭାରତରେ ଜନ୍ମ ହୋଇଥିଲି ଏବଂ ତେଣୁ ଏକ ଭାରତୀୟ ଆକାଶରେ ହିଁ ସଂସ୍କୃତିନାମକ ଜହ୍ନକୁ ଦେଖିବାର ପ୍ରଥମ ସୁଯୋଗ ଲାଭ କରିଥିଲେ । ସେହି ପ୍ରଥମକାଳୀନ ଆଖିରେ ଆକାଶ ତୁଳନାରେ ଜହ୍ନଟା ମଧ୍ୟ କେଡ଼େ ସାନ ଦେଖା ଯାଉଥିଲା । ମୋ’ ନିଜର ଆକାଶଟା ସତେଅବା ଅଣ୍ଟିପରି ହୋଇ ବିଶ୍ଵପୃଥିବୀର ସବୁଯାକ ସଂସ୍କୃତିକୁ ଜାଗା ଦେଇ ରଖିଛି ବୋଲି ଅନୁମାନ କରି ସେତେବେଳେ ମୁଁ କେଡ଼େ ଖୁସି ହୋଇ ଯାଇଥିଲି ।

 

ଅଧିକ ଗଭୀରକୁ ଗଲି । ଭାରତବର୍ଷ ନାମକ ସେହି ନିଜସ୍ଵ ଆଶ୍ରୟଟିକୁ ଏକ ମାଧ୍ୟମ କରି ଅନେକ ସମୟରେ ଏକ ଦର୍ପଣପରି ବି ବ୍ୟବହାର କରି ଯୁଆଡ଼େ ଅନ୍ଦାଜ ଗଲା, ମୁଁ ସଂସ୍କୃତିର ସେହି ସବୁଗୁଡ଼ିକ ଆଡ଼କୁ ଆଗଭର ହୋଇଗଲି । କେଡ଼େ ଖୁସି ହୋଇ ଆଗଭର ହୋଇ ବାହାରି ଗଲି । ଭାରତୀୟ ସଂସ୍କୃତିରୂପକ ମୋ’ ଘର ଜନନୀର ଭୂମିକା ଗ୍ରହଣ କରି ମୋତେ କ’ଣ ମନ୍ତ୍ର ଦେଇଥିଲା କେଜାଣି, ମୁଁ ତଥାକଥିତ ଭାରତୀୟଟା ଭିତରେ ମୋଟେ ଆବଦ୍ଧ ହୋଇ ରହି ପାରିଲିନାହିଁ । ସଂସ୍କୃତିନାମକ ଏକ ମହାସରୋବର ମୋତେ ମୋ’ର ସେହି ସର୍ବପ୍ରଥମ ମାଟି ଉପରେ ଛିଡ଼ା ହୋଇ ସତେଅବା ଆହୁରି କେତେ କ’ଣକୁ ମନ କରିବାକୁ ଅର୍ଥାତ୍ ମୋତେ କେତେ କାହାର ହୋଇଯିବାକୁ ଏକ ନିରନ୍ତର ବାସନା ମଧ୍ୟରେ ନେଇ ଛିଡ଼ା କରାଇଦେଲା । ସଂସ୍କୃତିର ହେବାଲାଗି ମୋତେ ଯେ ପାଦତଳର ସେଇ ମାଟିକୁ ଛାଡ଼ି ଆସିବା ପାଇଁ ମୋ’ ଜୀବନଦେବତା ମୋତେ ବାଧ୍ୟ କରିନାହିଁ, ସେଥିଲାଗି ମୁଁ ମୋ’ ନିୟତି ପାଖରେ ସର୍ବଦା କୃତଜ୍ଞ ରହିଆସିଛି । କେଉଁଠାରେ ଯେ ଭାରତବର୍ଷର ଶେଷ ଓ ପୃଥିବୀର ଆରମ୍ଭ, ମୁଁ ସେକଥାଟିକୁ ଏବେ ମଧ୍ୟ ଜାଣି ପାରିଲି ନାହିଁ । ଅବଶ୍ୟ ଏତିକି କଥା ଏକାନ୍ତ ସତ୍ୟ ଯେ, କେଉଁଠାରେ ଅଫିମଟା ଶେଷ ହୋଇ ଆତ୍ମୀୟତା ଭିତରକୁ ବାଟ ଦେଖେଇଦିଏ,–ଜୀବନରେ ସେହି କଥାଟିକୁ ଖୁବ୍ ଭଲ ଭାବରେ ଜାଣିବାର ଶକ୍ତିଟିକୁ ହାସଲ କରିପାରିଲି । ତଥାକଥିତ ଭାରତବାଦୀ ଅଫିମଖୋରଙ୍କପରି ତଥାକଥିତ ବିଶ୍ଵବାଦୀ ଅଫିମଖୋର ମଧ୍ୟ ବହୁତ ସଂଖ୍ୟାରେ ରହିଛନ୍ତି । ଜୀବନକୁ ମୂଳତଃ ଏକ ଆତ୍ମୀୟତାରୂପେ ବଞ୍ଚୁଥିବା ମଣିଷମାନେ ପୃଥିବୀରେ ଯେତିକି ଅଧିକ ହେବେ, ସ୍ଥାନୀୟ ଏବଂ ଜାଗତିକ ମଧ୍ୟରେ ରହିଥିବା ପ୍ରାୟ କାଳକାଳର ଦ୍ଵନ୍ଦ୍ୱଲାଗି ଆଉ କୌଣସି ଅବକାଶ ହିଁ ରହିବନାହିଁ-। ମୋ’ର ଆତ୍ମୀୟତାମାନେ ମୋତେ ଯାବତୀୟ fetishକୁ ଡେଇଁ ଆସି ପାରିବା ନିମନ୍ତେ ଅବଶ୍ୟ ବଳ ଯୋଗାଇବେ । କାହାକୁ ନିଜର ବୋଲି କହି ତା’ ଉପରେ ଏକ ଅଧିକାରବୋଧ ଜାହିର କରିବା,–fetish ପଛରେ ଏକ ସର୍ବତ୍ର ସେହିପରି ଏକ ଉତ୍ତେଜନା ରହିଥାଏ । କାହାର ହୋଇଯିବା ହେଉଛି ଏକବାଳେକେ ଏକ ଅନ୍ୟ ସଂସ୍ଥାର ଏକ ଅନ୍ୟ ପରିମଳ-। ନିଜକୁ କେତେ ନିବିଡ଼ ଭାବରେ ଜାଣିଲେ ସହଜତା ସହିତ କାହାର ହୋଇଯିବା ଯେ ସମ୍ଭବ ହୁଏ, ଅଙ୍ଗେ ନିଭେଇଥିବା ମଣିଷ ମାତ୍ରକେ ସମସ୍ତେ ତାହା ଅବଶ୍ୟ କହିବେ ।

 

୫. ୪. ୯୮

 

ପାଞ୍ଚ ଛଅହାତର ଗୋଟିଏ ଧାଡ଼ିରେ ଧାଡ଼ିଏ ମଲ୍ଲୀଗଛ ଏବଂ ସେପାଖରେ ବାଙ୍ଗରା ଓ ଝଙ୍କା ହୋଇ ଉଜ୍ଜ୍ୱଳ ନିମ୍ବଗଛଟିଏ । ମଲ୍ଲୀଫୁଲ ଫୁଟି ଗଛସବୁ ସତେଅବା ମାଟିରେ ପୋତା ହୋଇଥିବା ଏକ ଫୁଲଝାଡ଼ପରି ଦେଖାଯାଉଛି । ସେପାଖର ନିମ୍ବଗଛଟିରେ କଢ଼ ଓ ଫୁଲ ଲଦିହୋଇ ରହିଛି । ଦୁଇପଟର ବାସନାରେ ସକାଳର ଧରଣୀଟି ସତେଅବା ନିଃଶବ୍ଦ ଓ ମୁଗ୍ଧ ହୋଇ ରହିଛି । ଏ ବାସନାଟା ସେ ବାସନଟାକୁ ଗିଳି ପକାଉନାହିଁ କିମ୍ବା ସେ ବାସନାଟା ମଧ୍ୟ ଏ ବାସନାକୁ ଗିଳି ପକାଉନାହିଁ । ଦୁଇଟିଯାକ ବାସନାକୁ ଘ୍ରାଣ ଓ ଅନ୍ତରସ୍ଥ କରି ପାରିବାକୁ ଆଦୌ କୌଣସି ପ୍ରକାରେ ବିଚଳିତ ହେବାକୁ ପଡ଼ୁନାହିଁ । କୋଉଟା ଆଗ ବା କେଉଟା ମିଷ୍ଟ, ସେପରି କୌଣସି ଦ୍ଵନ୍ଦ୍ୱଯୁକ୍ତି ଚିତ୍ତକୁ ମୋଟେ ଗ୍ରାସ କରି ପକାଉନାହିଁ । ଏପଟର ସୁଗନ୍ଧଯୁକ୍ତ ସ୍ଥିରତା ସେପଟର ସୁଗନ୍ଧଯୁକ୍ତ ସ୍ଥିରତାର ପରିପୂରକ ହୋଇ ରହିଛି ।

 

ମାଦକ, ପୁଲକ ଏବଂ ମହକରେ ଭିତରେ ଓ ବାହାରେ ଚେତନା ପୂର୍ଣ୍ଣ ହୋଇ ଉଠୁଛି । ଏ ସବୁକିଛିଟି ସହିତ ମୋ’ର ଡୋର ଲାଗିଥିବାରୁ ଏପରି ଅନୁଭବ ହୋଇ ପାରୁଛି କି ? ଏହି ବିରାଟ ବିସ୍ତାରଯୁକ୍ତ ପ୍ରକୃତି,–ଏହି ସବୁଟି ଭିତରେ ସତେଅବା ଗୋଟିଏ ଡୋର ହୋଇ ରହିବାଲାଗି ମୋତେ କିଏ ପୃଥିବୀକୁ ପ୍ରେରଣ କରିଛି କି ? ଡୋର ପକାଇ ପାରିଲେ ସଂସାର ସୁନ୍ଦର ଦିଶେ, ଡୋର ବାନ୍ଧିପାରିଲେ ସବୁ ମଣିଷ ଆପଣାର ହୋଇ ଦେଖାଯାଆନ୍ତି, ଡୋରଟିଏ ରହିଥିଲେ ସୁଖ ଓ ଦୁଃଖ ଉଭୟେ ବନ୍ଧୁପରି ଲାଗନ୍ତି । ଏବଂ, ଆପେ ଡୋରଟିଏ ହୋଇ ଏହି ଯାବତୀୟ ସବୁକିଛିକୁ ଗୋଟିଏ ଚେତନାରେ ବାନ୍ଧି ପାରିଲେ ପ୍ରକୃତରେ କ’ଣ ସବୁ ଯେ ଘଟେ, ସେକଥା କେବଳ ଜଣେ ଅନୁଭବୀ ହିଁ କହିପାରିବ । ଯାବତୀୟ ଅନୁଭବ ସମ୍ଭବତଃ ସର୍ବଶେଷରେ ଏହି ଡୋରଟିଏ ହୋଇ ରହିଥିବାର ଅନୁଭବ । ପ୍ରଥମେ ପ୍ରଥେମେ ଡୋରଟିକୁ କେତେ ଖୋଜିବାକୁ ପଡ଼େ, ଡୋରଟିଏ ପାଇବା ମାତ୍ରକେ ପୃଥିବୀଗୋଟାକୁ ଯାଇ ତାହାରିଦ୍ଵାରା ବାନ୍ଧି ପକାଇବାକୁ କେତେ ଉତ୍ସାହ ହେଉଥାଏ । ତା’ପରେ କେଉଁଠାରେ କ’ଣ ଘଟେ କେଜାଣି, ଅର୍ଥାତ୍ କିଏ ଆସି ହାତ ଧରି ତା’ ପାଖକୁ ଉଠାଇ ନେଇଯାଏ କେଜାଣି, ନିଜକୁ ହିଁ ଅଧିକରୁ ଅଧିକ ମୂର୍ତ୍ତ ଭାବରେ ଗୋଟିଏ ଡୋରପରି ମନେହୁଏ । ଡୋର ହୋଇଯିବା ପରେ ଡୋରଟିକୁ ଖୋଜିବାର ଆଉ କୌଣସି ଆବଶ୍ୟକତା ରହେନାହିଁ । ଏହାରିଦ୍ଵାରା ହିଁ ଯାବତୀୟ ମାୟାବାଦ କଟେ । ଯେଉଁମାନେ ଯୁକ୍ତିଦ୍ଵାରା ମାୟାବାଦକୁ କାଟିବାକୁ ମନ କରୁଥାନ୍ତି, ଯୁକ୍ତିଦ୍ଵାରା ମାୟାବାଦକୁ ସିଦ୍ଧ କରିବାକୁ ଇଚ୍ଛା କରୁଥିବା ସେ ଅନ୍ୟମାନଙ୍କପରି ସେମାନଙ୍କୁ ମଧ୍ୟ ଭାରି ବାଲୁରା ବାଲୁରା ମନେ ହେଉଥାଏ ।

 

୧୭. ୫. ୯୮

 

ଏଥର ଚମ୍ପତିମୁଣ୍ଡାରେ ଯେଉଁ ଅଧଘଣ୍ଟା ସମୟ ଥିଲି, ସେତେବେଳେ ପିଲାଦିନେ ପଢ଼ିଥିବା ସେହି ଗପଟି ବାର ବାର ମନେ ପଡ଼ିଯାଉଥିଲା । ଗୋଟିଏ ଛୁଆକୁ କିପରି ଦୁଇଜଣ ମାଆ ନିଜର ଛୁଆ ବୋଲି ଦାବି କଲେ ଓ ଶେଷକୁ କାଜୀ କିପରି ତାହାର ଫଇସଲା କଲେ, ସେହି କଥାଟି । ୧୯୫୮ ମସିହାରୁ ଯେଉଁମାନେ ତମ୍ପତିମୁଣ୍ଡାକୁ ନିଜର କୃତିତାଲିକାରେ ଏକ ସମ୍ପତ୍ତି ବୋଲି ହାତରେ ରଖିଥିଲେ, ସେମାନେ ଇତିମଧ୍ୟରେ ଛୁଆଟିକୁ ସତେଅବା କେତେ ନା କେତେ ଖଣ୍ଡରେ ଯେ କାଟି ପକାଇଛନ୍ତି, ମୁଁ ଶୋକର୍ତ୍ତ ଚିତ୍ତରେ ସେଦିନ ସେଠି ସେହିକଥା ଭାବୁଥିଲି । ଛୁଆଟି ଯାହା ହାତରେ ରହୁ ପଛକେ, କଦାପି କଟା ନଯାଉ ବୋଲି ମୁଁ ଏକଦା କଚେରୀର କାଜୀଙ୍କ ପାଖରେ କହି ସେଠାରୁ ଚାଲି ଆସିଥିଲି । ବିଗତ ଚାଳିଶି ବର୍ଷ ପରେ ସେଠାରେ ଯାଇ ଦେଖିବାପରି ମନେହେଲା, ସତେଯେପରି ସେହି ବୀରମାନେ ରହସ୍ୟ କରୁ କରୁ ଛୁଆଟିକୁ କେତେପ୍ରକାରେ କାଟି ପକାଇଛନ୍ତି ଓ ସେଠାରୁ ଚମ୍ପଟ କରିଛନ୍ତି । ସେମାନେ ଯେ କେହି ଶିକ୍ଷକ ନୁହନ୍ତି, ମୁଁ ସେକଥା ସେହି କାଳରୁ ହିଁ ଜାଣିଥିଲି । ତେଣୁ, ସେମାନଙ୍କ ସହିତ ସବୁବେଳେ ହିଁ ଝଗଡ଼ା ଲାଗୁଥିଲା । ସେମାନେ ନେତା, ଏକାବେଳେକେ ଅଘରିଆ ନେତା; ଖ୍ୟାତ ହେବେ, ମାତ୍ର କେଉଁଠାରେ ହେଲେ ମୁହଁ ମାଡ଼ି ପଡ଼ି ରହି ପାରିବେନାହିଁ । ଜଣେ ଶିକ୍ଷକ ହିଁ ତାହା କରିପାରିବ । ବିଚରା ଶିକ୍ଷକ ମାଟିମାଆକୁ ପ୍ରାର୍ଥନା କଲେ ଯଦି ତା’ ଇସ୍କୁଲଟିକୁ ଚଳାଇବାର ଖରଚ ତାକୁ ମିଳି ଯାଉଥାନ୍ତା, ତେବେ ସିଏ ମୋଟେ ନେତାମାନଙ୍କ ପାଖକୁ ଯାଆନ୍ତା ନାହିଁ । ଶିକ୍ଷାକୁ ତ୍ରାହି ମିଳନ୍ତା ଏବଂ ଜଣେ ଶିକ୍ଷକ ସତେଅବା ଦେଉଳଟି ପାଖରେ ଆସି ପହଞ୍ଚିଯାଇ ଧନ୍ୟ ହୁଅନ୍ତା । ଶିକ୍ଷକ ନିଜକୁ ଜଣେ ରାଜାପରି ଭାବନ୍ତା । ଆଉ ମୋଟେ କୌଣସି ଦରବାରକୁ ମନ କରନ୍ତାନାହିଁ ।

 

ଚମ୍ପତିମୁଣ୍ଡାରୁ ଜଣେ ଶିକ୍ଷକ ଲେଖିଛନ୍ତି ଯେ ଜୀବନ ବିଦ୍ୟାଳୟ ଏବେ ମୃତ ବିଦ୍ୟାଳୟରେ ପରିଣତ ହେଲାଣି । ସେଠାରେ ତାଙ୍କ ବ୍ୟତୀତ ଅନ୍ୟ ଶିକ୍ଷକ କେହି ରହୁନାହାନ୍ତି । ସମସ୍ତେ ପ୍ରତ୍ୟହ ଅନୁଗୁଳରୁ ଯାଆଆସ କରୁଛନ୍ତି । ହଁ, ମୁଁ ଯେଉଁଦିନ ସେଠାକୁ ଯାଇଥିଲି, ସେଦିନ ସେଇ ଜଣକ ମଧ୍ୟ ବାହାରକୁ ଯାଇଥିଲେ ଯେ ୩୦-୪୦ ପିଲା ଏକୁଟିଆ ଦୁଇଦିନ ହେଲା ରହୁଥିଲେ । ଭୂଇଁଗୁଡ଼ାକ ଫାଟି ଆଁ କରି ପଡ଼ିଥିଲା । ମୁଁ ଆମ ସମୟର ଚମ୍ପତିମୁଣ୍ଡାକୁ ଝୁରି ହେଉଥିଲି । ପଳାତକମାନଙ୍କୁ ଧରି ଆଣି ତୁମେମାନେ କ’ଣ ପାଇଁ ଏହି ତାମସାଟାକୁ କଲ ବୋଲି ପଚାରିବାକୁ ମନ ହେଉଥିଲା । ଶିକ୍ଷାର ପୃଥିବୀ ପାଇଁ ନେତା ମୋଟେ ଦରକାର ନାହାନ୍ତି,–ନିଜଭିତରେ ଅମାପ ପ୍ରୀତି ସଞ୍ଚିତ କରି ରଖି ବାହାରିଥିବା ଶିକ୍ଷକ ହିଁ ଦରକାର ଅଛନ୍ତି । ଚାଲ, ଆମେ ସେହି ଶିକ୍ଷକଟିକୁ ଖୋଜିବା; ଚାଲ, ସେହି ଶିକ୍ଷକଟିକୁ ନିଜଭିତରେ ଠାବ କରିବା ।

 

୯.୬.୯୮

 

ସବୁ ତାତି ଆଦୌ ଜ୍ଵରର ତାତି ନୁହେଁ । ସବୁ ବିରକ୍ତି ଆଦୌ ସଂସାରକୁ ଛି’ ବୋଲି କହିବାର ବିରକ୍ତି ନୁହେଁ । ସବୁ ଉତ୍ତେଜନା ପଛରେ ଏକ ଆତ୍ମଗ୍ଳାନି କଦାପି ରାଜା ହୋଇ ବସିନଥାଏ । ସବୁ ବାଟ ଚାଲିବା କଦାପି କ୍ଳାନ୍ତିକାରକ ହୁଏନାହିଁ । ସବୁ ଦୁଃଖ କ’ଣ ସତକୁ ସତ ଆଘାତ ଦିଏ ? ସବୁ ଆଘାତ କ’ଣ ଆଘାତପରି ଲାଗେ ? ସବୁ ହରାଇବା କ’ଣ ମଣିଷକୁ ନିଃସ୍ଵ କରିଦେଇ ଯାଏ ? ସବୁ ବିଫଳତା କଦାପି ହତାଶ୍ କରନ୍ତିନାହିଁ । ସବୁ ବଜ୍ର କେବଳ ମୋ’ରି ଘର ଉପରେ ଆସି ପଡ଼ିବ ବୋଲି କଦାପି ଉଦ୍ଦିଷ୍ଟ ହୋଇ ରହିନଥାଏ । ସବୁ ବୀର ମଧ୍ୟ ଆଦୌ ବୀର ନୁହନ୍ତି । ସବୁ ନୀରବତା ମଧ୍ୟ କଦାପି ନୀରବତା ନୁହେଁ ଏବଂ ସବୁ କ୍ରୋଧକୁ ଆମେ କଦାପି ମଣିଷର ଏକ ରିପୁ ବୋଲି କହି ପାରିବାନାହିଁ ।

 

ବେଦନା ପଛରେ ସମ୍ବେଦନାଟିଏ ରହିଥାଏ । ହାତରୁ ରଜ୍ଜୁମାନେ ଖସିଗଲେ ବୋଲି କିଏ ବାହାରେ ଧିକ୍କାରି ହୋଇ ବସିବା ବେଳକୁ ତେଣେ ଯେ ହୃଦୟ ଭିତରେ କେତେ ରଜ୍ଜୁରେ କେତେ କ’ଣ ବାନ୍ଧି ହୋଇ ଯିବାରେ ଲାଗିଥାଏ, ଭିତରେ ଥାଇ ଆମକୁ କିଏ ସେହି ଅନୁଭବଟିକୁ ଆଣି ଦେଇଯାଏ କେଜାଣି ? ଏହି ସଂସାରରେ ପ୍ରକୃତରେ କେହି କାହାରି ନୁହନ୍ତି ବୋଲି କାରୁଣ୍ୟ କରି କହୁଥିବା ମଣିଷଟିଏ କ’ଣ ସତରେ ସେତିକି ଏକୁଟିଆ ହୋଇ ରହିଥାଏ ? ଏହି ଅସନ୍ତୋଷ ଏକ ବୃହତ୍ତର ସନ୍ତୋଷର ଅଭୀପ୍ସା ନିମନ୍ତେ ଯେ ସୂଚନା ଦେଇଯାଏ, ମୁଁ ସେକଥାକୁ ନିଜ ଜୀବନରେ ଅସୁମାରି ଥର ଅଙ୍ଗେ ନିଭାଇ ଆସିଛି । ତେଣୁ, ଏହି ତାତିଟି ମଧ୍ୟ ଥାଉ, ଏହି କ୍ରୋଧଟି କୁହୁଳୁଥାଉ, ଏହି ଅସନ୍ତୋଷ ତଥାପି ଉପର ପାହାଚଟିକୁ ଗୋଡ଼ ଟେକି ରହିଥାଉ । ମୁଁ କୌଣସି ପରିସ୍ଥିତିରେ ମଧ୍ୟ ନିଜକୁ ନିଜଠାରୁ ଫେରାଇ ଦେବିନାହିଁ ବୋଲି ପଣ କରିଛି । ଏବଂ, ନିଜକୁ ଫେରାଇ ଦେବିନାହିଁ ବୋଲି ପଣ କରିଥିବା ଦିନଠାରୁ ଆଉ କାହାରିକୁ ମଧ୍ୟ ମୋ’ପାଖରୁ ଫେରାଇ ନଦେବାର ସେହି ଅସଲ ଭଦ୍ରତାଟିକୁ ମୁଁ ଶିକ୍ଷା କରି ପାରିଛି । କାହାକୁ ଗିଳି ପକାଇବାକୁ ଅଥବା ବର୍ଜନ କରିବାକୁ ମୋଟେ ଇଚ୍ଛା ହୋଇନାହିଁ । ପ୍ରତ୍ୟେକ ମଣିଷକୁ ତା’ ଘରକୁ ଫେରିଯିବାର ବାଟଟିକୁ ଦେଖାଇଦେଇ ପାରିଲେ ଯେ ମୁଁ ନିଜର ସର୍ବୋତ୍ତମ କର୍ତ୍ତବ୍ୟ କରିପାରିବି, କ୍ରମେ ମୋ’ର ସେହି ବିଶ୍ଵାସଟି ବଢ଼ି ବଢ଼ି ଚାଲିଛି । ସମ୍ଭବତଃ ତାହାରି ବଳରେ ହିଁ ପୃଥିବୀରେ ସମସ୍ତେ ଭଲ ଲାଗୁଛନ୍ତି; ପୃଥିବୀ ଭଲ ଲାଗୁଛି, ପୃଥିବୀକୁ ଆତଯାତ କରୁଥିବା ସିଏ ମଧ୍ୟ ଅତି ଆପଣାର ବୋଲି ମନେ ହେଉଛନ୍ତି । ସମସ୍ତେ ନିଜ ଘର ଭିତରେ ଉଚିତ୍ ସ୍ଵୀକୃତି ସହିତ ରହିଲେ ତା’ପରେ ଆମ ସମ୍ବନ୍ଧଗୁଡ଼ିକର କ୍ଷେତ୍ରରେ ଯେଉଁ ଅନ୍ୟ ପୃଥିବୀଟି ମୂର୍ତ୍ତିମନ୍ତ ହୋଇ ଉଠିବ, ତାହାହିଁ ତ ଆଧ୍ୟାତ୍ମିକତା-। ଏବେ ପୃଥିବୀରେ ତାହାରି ପାଇଁ ରାସ୍ତା ତିଆରି ହେଉଛି ।

 

୨୨.୬.୯୮

 

ଆମେରିକାରେ ଥାଇ ଭାତରବର୍ଷ ଯାଏ ଅନାଇଲେ କେତେ ଦୂର ଦେଖାଯାଉଛି, କେତେ ନିକଟ ବି ଦେଖାଯାଉଛି । ମଝିରେ ଯେ ଏଠୁ ସେଠାଯାଏ ଦେଖୁଥିବା ଖାଲି ମୁଁ ପ୍ରସାରିତ ହୋଇ ରହିଛି, ସେକଥା ମୋଟେ ନୁହେଁ । ମଝିରେ ସତେଅବା ସମଗ୍ର ମାନବଜାତି ହିଁ ପ୍ରସାରିତ ହୋଇ ରହିଛି ।

 

ମୁଁ ସବାମୂଳରେ ଭାରତବର୍ଷକୁ ଦେଖିବାକୁ ପାଉଛି । ଯୁଆଡ଼େ ଯାଇ ଯେତେ ଦୂରରୁ ଦେଖିଲେ ମଧ୍ୟ ସବାମୂଳରେ ଭାରତବର୍ଷ ହିଁ ରହିଛି । ମୂଳଟିର ଅସଲ ଗୂଢ଼ତମ ପରିଚୟ ହେଉଛି ଯେ, ତା’ ଭିତରେ ଏକ ଅବିଚ୍ଛିନ୍ନ ସ୍ଵପ୍ନ ପ୍ରଚ୍ଛନ୍ନ ହୋଇ ରହିଥାଏ । ଏକ ଅଙ୍କୁର ଓ ଅଙ୍କୁରୋଦ୍‌ଗମର ସ୍ଵପ୍ନ, ପିଣ୍ଡଟି ଭିତରୁ ଡାଳପତ୍ର ମେଲି ସାକାର ହେବାର ସ୍ଵପ୍ନ, ଫୁଲ ଫୁଟାଇବାର ଏବଂ ଫଳ ଫଳାଇବାର ସ୍ଵପ୍ନ । ସେହି ସମଗ୍ର ଶାଖାଟା ଆମେରିକା ଯାଏ ଲମ୍ବିକରି ରହିଛି । ଏକଦା ମନୁଷ୍ୟଜାତି ମୂଳରେ ଥାଇ ଯାହା ସ୍ଵପ୍ନ ଦେଖିଥିଲା, ଓ ତେଣୁ ଏକ ଅଧ୍ୟାୟକୁ ସମ୍ଭବ କରି ଆଣିଥିଲା, ସତେଅବା ତାହାହିଁ ଶାଖାପ୍ରଶାଖା ହୋଇ ଆମେରିକା ଯାଏ ଲମ୍ବି ଆସିଛି । ମୂଳରୁ ଏହି ଡାଳ ଲଗାଏତ ଯେଉଁ ସମଗ୍ର ଇତିହାସଟି, ମୁଁ ଏହାକୁ ସମଗ୍ର ମାନବଜାତିର ଇତିହାସ ବୋଲି କହି ପାରିବି କି ? ଅବଶ୍ୟ ଯଦି ମୁଁ କେବଳ ଭାତରବର୍ଷକୁ ମୋ’ର ଦେଶ ବା ଏକାନ୍ତ ପୃଥିବୀ ବୋଲି ଭାବୁଥିବି ଏବଂ ତେଣୁ ଆମେରିକା ମୋତେ ଖାଲି ପ୍ରବାସପରି ଦେଖା ଯାଉଥିବ, ତେବେ ସେକଥା ନିଶ୍ଚୟ ଅଲଗା ପ୍ରକାରର ହେବ । ପ୍ରବାସକୁ ନିଜର ଏକ ଘରରୂପେ ଆବିଷ୍କାର କରିବାକୁ ମଣିଷ କ’ଣ ନା କ’ଣ ମନ କରି ନିଜର ତଥାକଥିତ ଆବିଷ୍କୃତ ଘରଟିରୁ ଯେ ଗୋଡ଼ କାଢ଼ିବାକୁ ଯେ ଏକ ନିଷ୍ପତ୍ତି ନେଇ ବାହାରେ, ମୋ’ର ହେତୁ ହେବା ଦିନଠାରୁ ମୁଁ ସର୍ବଦା ସେହିପରି ଅନୁଭବ କରିଆସିଛି ଓ ଠିକ୍ ସେହିପରି ଭାବରେ ମୋ’ ଘରଟା କ୍ରମଶଃ ପ୍ରବାସ ଭିତରକୁ ପ୍ରସାରିତ ହୋଇ ଆସିଛି । ଅନେକ ମଣିଷ ଘର ବୋଲି ଗୋଟାଏ ଖାତା ଧରି ପ୍ରବାସକୁ ଯେ ଆସନ୍ତି ଓ ସେଇଥିରେ ପ୍ରବାସକୁ ମାପି ନାକ ଟେକି ଆନନ୍ଦ ବି ପାଆନ୍ତି, ମୋତେ ସେକଥାଟି ମଧ୍ୟ ଭଲ ଭାବରେ ଜଣା ଅଛି । ସେମାନଙ୍କ ସହିତ ମୋ’ର ଆଦୌ କୌଣସି ଝଗଡ଼ା ନାହିଁ । ମାତ୍ର, ମୋ’ ଘ୍ରାଣ କରିବାର ଆଖିଟି ଓ ଗ୍ରହଣ କରିବାର ହୃଦୟଟି ଯେ ଅଲଗା ଧାତୁରେ ଗଢ଼ା ହୋଇଛି, ମୁଁ ସେକଥାଟିକୁ ମଧ୍ୟ ଅତ୍ୟନ୍ତ ନିଶ୍ଚିତ ଭାବରେ ଜାଣିବାକୁ ପାଇଛି । ସେହି ଧାତୁ ମୋତେ କହୁଛି ଯେ, ମୋ’ର ମୂଳ ଭାରତବର୍ଷରେ ଓ ଶାଖାପ୍ରଶାଖା ସମଗ୍ର ପୃଥିବୀରେ । ସେହି ମୂଳଟା ହିଁ ମୋତେ ଶାଖାପ୍ରଶାଖା ବିସ୍ତାର କରାଇ ଧନବାନ୍‍ କରି ଆଣିବାରେ ଲାଗିଛି । ସେହି ମୂଳକୁ ନମସ୍କାର, ସେହି ଶାଖାପ୍ରଶାଖାକୁ ମଧ୍ୟ ନମସ୍କାର ।

 

୨୩. ୬.୯୮

 

କୌଣସି ଗୋଟିଏ ସ୍ଥାନକୁ ଯିବାପାଇଁ ଆମକୁ ଦୁଇଦିନ ପରେ ଚିକାଗୋ ଦେଇ ଯିବାକୁ ହେବ ବୋଲି ଶୁଣି ମୋ’ର ସ୍ଵାମୀ ବିବେକାନନ୍ଦଙ୍କ କଥା ମନେ ପଡ଼ିଗଲା । ଶହେବର୍ଷ ତଳେ ସ୍ଵାମୀ ବିବେକାନନ୍ଦ ଏହି ଚିକାଗୋ ସହରରେ ଏକ ଧର୍ମମହାସଭାରେ ଯୋଗ ଦେବାକୁ ଆସିଥିଲେ । ସିଏ ଆମ ଭାତରବର୍ଷ ତରଫରୁ ଭାତରବର୍ଷ କଥା କହିବାକୁ ଏଠାକୁ ଆସିଥିଲେ । ଜଣେ ଭାତରତୀୟ ଭାବରେ ଆସିଥିଲେ । ଜଣେ ସନ୍ନ୍ୟାସୀର ଆଦୌ କୌଣସି ଜାତି ବା ଦେଶ ଯେ ନାହିଁ, ସେକଥା ମୁଁ ଜାଣିଛି । ମୁଁ ଏକଥା ମଧ୍ୟ ଜାଣିଛି ଯେ, ପ୍ରତ୍ୟେକ ମନୁଷ୍ୟ ଭିତରେ ଏପରି ଏକ ସନ୍ନ୍ୟାସୀ ଅବସ୍ଥାନ କରୁଛି, ଯାହାର କି କୌଣସି ଦେଶ ନାହିଁ, କୌଣସି ଜାତି ବି ନାହିଁ ।

 

ତତ୍କାଳୀନ ଭାରତବର୍ଷର କେତେ ଭାରତସଚେତନ ଭକ୍ତ ସ୍ଵାମୀଜୀଙ୍କୁ ସେତେବେଳେ ଉତ୍ସାହ ଦେଇ ଚିକାଗୋ ପଠାଇଥିଲେ । ସେହି ଭକ୍ତମାନଙ୍କ ଭିତରେ କେତେଜଣ ରାଜା ମହାରାଜା ବି ରହିଥିଲେ, ଯେଉଁମାନେ କି ସ୍ଵାମୀଜୀଙ୍କ ପାଇଁ ବାଟଖର୍ଚ୍ଚ ଯୋଗାଡ଼ କରି ଦେଇଥିଲେ, ତାଙ୍କ ସକାଶେ ଉପଯୁକ୍ତ ପୋଷାକର ମଧ୍ୟ ବରାଦ କରି ଦେଇଥିଲେ । ସ୍ଵାମୀଜୀ ଚିକାଗୋ ସଭାରେ ଭାରତବର୍ଷ ବିଷୟରେ କେତେ କଥା କହିଲେ,–ମହାସଭା ସରିବା ପରେ ବି ସିଏ ଆମେରିକାରେ କେତେବର୍ଷ ରହିଲେ, ଏଠାରେ ବେଦାନ୍ତର ପ୍ରଚାର ପାଇଁ ଅଧ୍ୟାତ୍ମକେନ୍ଦ୍ରମାନ ପ୍ରତିଷ୍ଠା କରିଥିଲେ । ଭାରତବର୍ଷର ମହାନ୍ ବାର୍ତ୍ତାଗୁଡ଼ିକ ବିଷୟରେ ପଶ୍ଚିମ ଜଗତକୁ ଉଦ୍‌ବୁଦ୍ଧ କରିଥିଲେ । ସେହି କେନ୍ଦ୍ରସବୁ ଏଠି ଏବେ ମଧ୍ୟ ରହିଛି । ମାତ୍ର, ସେହି ବାର୍ତ୍ତାଗୁଡ଼ିକ ଏବେ ପ୍ରଧାନତଃ ବାର୍ତ୍ତା ହୋଇ ରହିଛି । ବାର୍ତ୍ତା ହୋଇ ଉଦ୍‌ବୁଦ୍ଧ କରୁଛି ସିନା, ମଣିଷମାନଙ୍କୁ ତିଆରି କରି ପାରୁନାହିଁ । ଭାତରବର୍ଷରେ ତିଆରି କରି ପାରିନାହିଁ ଯେତେବେଳେ, ପୃଥିବୀରେ ତିଆରି କରି ପାରୁନାହିଁ ବୋଲି ଆମେ କାହିଁକି ବା କହିବାକୁ ଯିବା ? ଭାରତବର୍ଷର ଉପରିଭାଗୀୟ ଦଶ ପ୍ରତିଶତ ଏହି ଗୋଟିଏ ଶତାବ୍ଦୀ ମଧ୍ୟରେ କେତେ କ’ଣ ଅଳଙ୍କାରଯୁକ୍ତ ଭାବରେ ସୁମଣ୍ଡିତ ଦେଖାଗଲାଣି ସିନା, ମାତ୍ର ବାକି ଦଶଭାଗରୁ ନଅଭାଗ ସେଦିନ ଯେଉଁପରି ଥିଲା, ଏବେ ମଧ୍ୟ ପ୍ରାୟ ସେହିପରି ରହିଛି, ବେଦାନ୍ତ ନାମରେ ସ୍ଵାମୀଜୀ ସମଗ୍ର ପୃଥିବୀକୁ ଯେଉଁ ବିଶ୍ଵଧର୍ମ ଆଡ଼କୁ ଆକର୍ଷିତ କରି ଆଣିବାକୁ ଇଚ୍ଛା କରିଥିଲେ, ଭାରତବର୍ଷ ଏବେ ମଧ୍ୟ ତାହାର ବହୁଦୂରର ରହିଛି । ସ୍ଵାମୀଜୀଙ୍କର ସ୍ଵପ୍ନ ଅନୁସାରେ ଭାତରବର୍ଷକୁ ତିଆରି କରିବାଲାଗି ଯଦି ସତକୁ ସତ ସଂକେନ୍ଦ୍ରିତ ଭାବରେ ଭାରତବର୍ଷରେ ହିଁ ଉପଯୁକ୍ତ ଚେଷ୍ଟା ହୋଇଥାନ୍ତା ଓ ତା’ ଫଳରେ ଭାରତବର୍ଷ ସତକୁ ସତ ବଦଳିଥାନ୍ତା, ତେବେ ତଦ୍ଦ୍ଵାରା ଯାବତୀୟ ଭାରତବାଣୀର ସମ୍ଭବତଃ ଅଧିକ ସାର୍ଥକ ପ୍ରଚାର ଓ ପ୍ରସାର ହୋଇ ପାରିଥାନ୍ତା-

 

୨୪. ୬.୯୮

 

ଯଦି ଭଗବାନଙ୍କୁ ସତକୁ ସତ ଇଚ୍ଛା କରୁଛ, ତେବେ ଖୁସି ହୋଇ ତାଙ୍କୁ ଇଚ୍ଛା କର ଏବଂ ଖୁସି ହୋଇ ତାଙ୍କ ପାଖକୁ ଆସ । ତାଙ୍କୁ ମୋ’ର ବା ଆମର ବୋଲି କହି ମାଡ଼ି ବସନାହିଁ । ଏହି ବିଶ୍ଵର harmonyକୁ ଆଦୌ ଭାଙ୍ଗି ପକାଅନାହିଁ । ତାଙ୍କୁ କୌଣସି ଐକାନ୍ତିକ ନାମ ଦେଇ ବାନ୍ଧି ପକାଅନାହିଁ । ସେପରି କଲେ ଭଗବାନଙ୍କର ମୋଟେ କିଛି ହେବନାହିଁ, ମାତ୍ର ତୁମେ ନିଜେ ବି ବାନ୍ଧିହୋଇ ରହିଯିବା । ଉଗ୍ର ହେବା ଏବଂ ପୃଥିବୀରେ ବହୁ ସନ୍ତାପର କାରଣ ହେବ ।

 

ନିଜ ଭିତରେ ପରସ୍ତ ପରସ୍ତ ହୋଇ ଖୋଲିଯିବା, ତାହାହିଁ ସବୁକିଛି ଖୁସିର ଜନନୀ । ତାହାହିଁ ଅସଲ ସମ୍ମତି । ଜଣେ ସମ୍ମତ ମଣିଷ ସର୍ବଦା କାହାର ହୋଇଯାଏ ସିନା, ମାତ୍ର କାହାକୁ ମାଡ଼ି ବସିବାର କୌଣସି ଚେଷ୍ଟା କରେନାହିଁ । ମୁଁ ବେଳେବେଳେ ଭାବେ, ଏହିସବୁ ତଥାକଥିତ ଦେବାଳୟ ଭଗବାନଙ୍କୁ ମାଡ଼ି ବସିବାର ଏକ ଅଶ୍ରଦ୍ଧା ଏବଂ ଉଗ୍ରତା ଦେଇ ତିଆରି ହୋଇଛି କି ? ପୃଥିବୀରେ ଦେଉଳଗୁଡ଼ିକର ସଂଖ୍ୟା ଓ ପ୍ରକାର ଯେତିକି ବଢ଼ି ବଢ଼ି ଯାଉଛି, ମଣିଷମାନେ ସେତିକି ସେତିକି ନାନାବିଧ ଉଗ୍ରତାର ଭିଆଣ କରି ତାହାରି ଭିତରେ ବାନ୍ଧି ହୋଇ ରହିବାର ମୋହଭିତରେ ଯାଇ ପଡ଼ି ଯାଉଛନ୍ତି କି ? ଉଗ୍ର ମଣିଷ ଭିତରେ ଭଗବାନ ପ୍ରକୃତରେ କେତେ କଷ୍ଟ ପାଉନଥିବେ-? ଭଗବାନଙ୍କର ଏହି ପୃଥିବୀକୁ ଛୋଟ କରି ରଖିବାରେ ଏହି ଉଗ୍ରମନା ମଣିଷମାନେ ସମ୍ଭବତଃ ସବୁଠାରୁ ଅଧିକ ସାହାଯ୍ୟ କରିଛନ୍ତି । ଏଥିରେ ଠାକୁରମାନଙ୍କର ବା କ’ଣ ଦୋଷ ରହିଛି ? ଯଦି ମୁଁ ସତକୁ ସତ ଉନ୍ମୀଳନଲାଗି ଇଚ୍ଛା କରୁଥିବି, ତେବେ ମନ୍ଦିର ଭିତରର ପଥର ମୂର୍ତ୍ତିଟା ମଧ୍ୟ ମୋତେ ସେହି ଉନ୍ମୀଳନ ନିମନ୍ତେ ଅବଶ୍ୟ ସାହାଯ୍ୟ କରିପାରିବ । ଆମେ ମଣିଷମାନେ ହିଁ ଆପଣାର ଅଧମତାଦ୍ଵାରା ଠାକୁରମାନଙ୍କ ସହିତ ଆମର ଯାବତୀୟ ସଂସ୍ରବକୁ ଏପରି ହାସ୍ୟାସ୍ପଦ ଭାବରେ ଦୂଷିତ କରି ରଖିଛୁ । ଆମେ ଭଗବାନଙ୍କର ନିକଟବର୍ତ୍ତୀ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ଏହି ସଂସାରଟା ଅଧିକ ଖୁସିରେ ପୂର୍ଣ୍ଣ ହୋଇ ରହିଥିବାପରି ଦିଶୁଥାଆନ୍ତା ଏବଂ ତା’ପରେ ଯାବତୀୟ ଭେକ ସତ୍ତ୍ୱେ ଭେଦଟା ହିଁ ସବୁକିଛି ବୋଲି ଆଦୌ ଅନୁଭବ ହେଉ ନଥାନ୍ତା । ସମ୍ପ୍ରଦାୟମାନ ରହିଥିଲେ ମଧ୍ୟ ସମ୍ପ୍ରଦାୟଗୁଡ଼ିକୁ ଭେଦି ଅସଲ ଗଭୀରତା ଓ ଅସଲ ଉଚ୍ଚତାଗୁଡ଼ିକର ସ୍ପର୍ଶ ମିଳି ଯାଉଥାନ୍ତା । ଏହିପ୍ରକାରେ ହିଁ ଆମ ସମସ୍ତଙ୍କର ପରିତ୍ରାଣକାରୀ ମାର୍ଗଗୁଡ଼ିକ ଦୃଶ୍ୟମାନ ହୋଇ ଆସୁଥାନ୍ତା । ସଚରାଚର ଦରିଦ୍ରମାନେ ହିଁ ମାଡ଼ି ବସିବାକୁ ଚାହାନ୍ତି, ମୋ’ର ବୋଲି କହି ମାଡ଼ି ବସିବାକୁ ବ୍ୟାକୁଳ ହେଉଥାଆନ୍ତି । ସେ ବାଟ ଆଦୌ ମୋ’ର ବାଟ ନୁହେଁ । ବନ୍ଧୁ, ତୁମେ ମଧ୍ୟ ସେହି ବାଟକୁ ଛାଡ଼ିଦିଅ, ଖୁସି ହୁଅ,–ତୁମେ ଯାହାକୁ ଖୋଜୁଛ, ତାକୁ ସମସ୍ତଙ୍କ ଭିତରେ ଦେଖ । ହଁ, ଖୁସି ହୁଅ ।

 

୬. ୭.୯୮

 

ସ୍ଵାମୀ ବିବେକାନନ୍ଦ ଶହେବର୍ଷ ତଳେ ଭରତବର୍ଷ ବିଷୟରେ ଖେଦ କରି ଯାହାସବୁ କହିଥିଲେ, ଭାରତବର୍ଷରେ ଏବେ ମଧ୍ୟ ସଜ୍ଜନ ଏବଂ ବିଦ୍ଵାନ୍‍ମାନେ ସମାନ ଖେଦର ସହିତ ସେହିସବୁ କଥା କହୁଛନ୍ତି । ଭାରତର ଦାରିଦ୍ର୍ୟ, ଏଠାରେ ମଣିଷର ମଣିଷ ପ୍ରତି ଉପେକ୍ଷା, ମଣିଷଠାରୁ ମଣିଷକୁ ଅଲଗା କରି ରଖିଥିବା ନାନାବିଧ ଦୂରତା,–ଏହି ସବୁକିଛି ବିଷୟରେ ଏବେ ମଧ୍ୟ କେଡ଼େ ଖେଦର ସହିତ କେତେ ଉତ୍ତେଜନାରେ ସେହିସବୁ କଥା କୁହାଯାଇଛି । ଏହି ସଜ୍ଜନ ଓ ବିଦ୍ଵାନ୍‌ମାନେ ମଧ୍ୟ କେଡ଼େ ଉତ୍ସାହିତ ଭାବରେ ଏହିସବୁ ଅବସରରେ ସ୍ଵାମୀ ବିବେକାନନ୍ଦ ସେକାଳେ କହିଥିବା କଥାଗୁଡ଼ିକର ଉଲ୍ଲେଖ କରୁଛନ୍ତି । ଏହା ଏକ ଗୌରବର କଥା ନା ଲଜ୍ଜାର କଥା ? –ଅତ୍ୟନ୍ତ ଗମ୍ଭୀର ଭାବରେ ମୁଁ ସେହିକଥା ଭାବୁଛି ।

 

ଶହେବର୍ଷ ପରେ ମଧ୍ୟ ଭାତରବର୍ଷକୁ ସେହି ପୁରୁଣା ମୂଢ଼ତାମାନେ କାହିଁକି କାମୁଡ଼ି ଧରିଛନ୍ତି, ସମାନ ଗାମ୍ଭୀର୍ଯ୍ୟର ସହିତ ବର୍ତ୍ତମାନ ତାହାର ଆଲୋଚନା ହୋଇପାରିବା ଉଚିତ୍‍ । ସ୍ଵାମୀ ବିବେକାନନ୍ଦଙ୍କୁ ଆଗରେ ବସାଇ ପୂର୍ଣ୍ଣ ସାଧୁତାର ସହିତ ତାହାର ଆଲୋଚନା ହୋଇପାରିବା ଉଚିତ୍‍ । ମାତ୍ର, ସେହିପରି ଏକ ବିତର୍କ ନିମନ୍ତେ ସତେ ଯେପରି ବିଦ୍ଵାନ୍ ଓ ସଜ୍ଜନମାନେ ଏବେ ମଧ୍ୟ ପ୍ରସ୍ତୁତ ହେଉନାହାନ୍ତି । ତେଣୁ, ଅଧିକାଂଶ ଆଲୋଚନା କେବଳ ଏକ ଭାବପ୍ରବଣ ଖେଦପ୍ରକାଶରେ ହିଁ ସିମୀତ ହୋଇ ରହିଯାଉଛି, ପ୍ରାୟ ଏକ ବୌଦ୍ଧିକ ବିନୋଦନ ହୋଇ ରହିଯାଉଛି । ଭାରତୀୟ ଧର୍ମଭୂମିରେ ଗତ ଶତାବ୍ଦୀର ଶେଷ ଭାଗରେ ଆମେ ଯେଉଁମାନଙ୍କୁ ପ୍ରକୃତରେ ଆଗୁଆ ବୋଲି କହିବା, ସେମାନଙ୍କର ପ୍ରେରଣାକୁ ଆମେ ଶହେବର୍ଷ ପରେ ମଧ୍ୟ ଅଧିକତଃ ଏହିପରି ଭାବରେ ଆମର ଅନିଚ୍ଛା ଏବଂ ଅସାଧୁତା ସକାଶେ ଯେ ପୁଞ୍ଜିପରି ବ୍ୟବହାର କରିବୁ, ଏହିକଥାକୁ ସେକାଳରେ ସେହି ମହାମନୀଷୀମାନେ ହୁଏତ ଆଦୌ କଳ୍ପନା ହିଁ କରି ନଥିବେ । ଭାରତବର୍ଷର ଶାସ୍ତ୍ରରେ ମନୁଷ୍ୟର ଅଭ୍ୟୁଦୟକୁ ନେଇ ଯେତେ କଥା ଲେଖାଯାଉଛି, ସେସବୁ କ’ଣ ଚିରଦିନ ଖାଲି କଥା ହୋଇ ରହିଥିବ ? ସେହିସବୁ କଥା କହିଥିବା ଦ୍ରଷ୍ଟାମାନଙ୍କୁ ନେଇ ଆମେ କ’ଣ ଆମର ଆଳସ୍ୟ ନିମନ୍ତେ ଏକ ଢାଲପରି ବ୍ୟବହାର କରୁଥିବା ? ନିଜର ଦେଶଠାରୁ କେତେଦୂରରେ ଥାଇ ନିଜର ଦେଶକୁ ଅର୍ଥାତ୍ ନିଜ ଆଡ଼କୁ ଅନାଇବା ସମୟରେ ମୋତେ ଏହି କଥାଟି ହିଁ ସର୍ବଦା ନିମଗ୍ନ କରି ରଖିଛି । ଆମେରିକା ଓ ଭାରତବର୍ଷ ମଧ୍ୟରେ ମୁଁ କୌଣସି ତୁଳନା କରି ଗୋଟାକୁ ନିନ୍ଦା କରି ଆଉ ଗୋଟାକର ପ୍ରଶଂସା କରୁଣାହିଁ ସିନା, ମାତ୍ର ଗୋଟିକୁ ଅନାଇଲେ ଆଉଗୋଟିଏ ଆପେ ଆପେ ମନେ ପଡ଼ିଯାଉଛି ।

 

୭. ୭. ୯୮

 

ଆମେରିକାର ଏହି ସର୍ବସ୍ଵାଚ୍ଛନ୍ଦ୍ୟର ବଜାର ଭିତରେ ଆଖି ମୋଟେ ଜଳକା ହୋଇ ଯିବନାହିଁ । ଆଖି ଖୋଲି ଖୋଲି ଯାଉଥିବ ସିନା, ମୋଟେ ଜଳକା ହୋଇ ଯିବନାହିଁ । ମୋ’ର ନିଜ ଦେଶରେ ଏସବୁ କିଛି ନାହିଁ ବୋଲି ଏଠି ମୁହଁ ଲୁଚାଇ କାନ୍ଦିବାକୁ ବି ମୋଟେ ମନ ହେବନାହିଁ । ପ୍ରାଚୁର୍ଯ୍ୟ ଭିତରେ ମଧ୍ୟ ଏକ ସୁଖ ଅବଶ୍ୟ ରହିଛି,–ମୋ’ ନିଜ ଦେଶ ଏହି ପ୍ରାଚୁର୍ଯ୍ୟଠାରୁ ବହୁଦୂରରେ ରହିଛି ବୋଲି ମୁଁ ଆମେରିକାକୁ ଈର୍ଷା କରିବିନାହିଁ କିମ୍ବା ରୋଦନ ବି କିରିବିନାହିଁ । ମୁଁ ଆମେରିକାଠରୁ ଶିଖିବି, ପ୍ରେରଣା ପାଇବି, ସମ୍ଭାବନାର ବହୁବିଧ ପଥକୁ ଆବିଷ୍କାର କରିବି ।

 

ସଭ୍ୟତା, ଏହା ହେଉଛି ସମ୍ଭାବନାର ଏକ ଅନ୍ୟ ନାମ । ମନୁଷ୍ୟ ଯେଉଁଦିନଠାରୁ ଏହିସବୁ ସମ୍ଭାବନାର ଉଦ୍‌ଘାଟନ ଆଡ଼କୁ ମନଦେଲା, ସିଏ ସେହିଦିନଠାରୁ ସଭ୍ୟ ହେବାକୁ ଆରମ୍ଭ କଲା ବୋଲି କୁହାଯାଇ ପାରିବ । ସିଏ ଯଦି ଭାଗ୍ୟକୁ ଆଦରି ନେଇଥାନ୍ତା, ଯେତିକିରେ ଅଛି ସେତିକିକୁ ସବୁ ବୋଲି ମାନି ନେଇଥାନ୍ତା, ତେବେ ସିଏ ବସ୍ତୁତଃ କେଡ଼େ ହାସ୍ୟାସ୍ପଦ ହୋଇ ରହିଥାନ୍ତା ! –ମୁଁ ଯେତେବେଳେ ସେହିକଥା ଭାବୁଛି, ବାହାରର ସମ୍ଭାବନାଗୁଡ଼ିକୁ ଉଦ୍‌ଘାଟିତ କରୁ କରୁ ମନୁଷ୍ୟ ନିଜ ଭିତରର ବହୁ ସମ୍ଭାବନା ଆଡ଼କୁ ମଧ୍ୟ ସତେଅବା ଆପେ ଆପେ ଏକ ଅନ୍ତର୍ନିର୍ଦ୍ଦେଶ ପାଇଗଲା ବୋଲି ମୋତେ ଲାଗୁଛି । ବାହାରର ଅଣ୍ଟି ପୂରି ଆସୁଥିବା ସଙ୍ଗେ ସଙ୍ଗେ ମନୁଷ୍ୟ ନିଜ ଭିତରକୁ ଚାହିଁ ଦେଖିଲା । ଏବଂ, ଭିତରଟିକୁ ଚିହ୍ନି ଆସୁଥିବା ସଙ୍ଗେ ସଙ୍ଗେ ସେ ବାହାରେ ଅନ୍ୟମାନଙ୍କୁ ମଧ୍ୟ ଚିହ୍ନିଲା, ସ୍ଵୀକୃତି ଦେଲା, ସାଙ୍ଗ କଲା । ସାଙ୍ଗ ହେଲା, ଅର୍ଥାତ୍ ହୃଦୟ ଦେଇ ଶିଖିଲା । ହୃଦୟ ଦେଇ ଦେଖିବାଦ୍ଵାରା ହିଁ ତାକୁ ଅନ୍ୟ ମଣିଷମାନେ ମଧ୍ୟ ତା’ ନିଜର ବିରାଦରପରି ଦିଶିଲେ ଏବଂ ଏହି ସମଗ୍ର ପୃଥିବୀ ମଧ୍ୟ ତା’ର ଘରପରି ଦେଖାଗଲା । ଏହାକୁ ଅଧ୍ୟାତ୍ମିକ ସ୍ତରରେ ହୁଏତ ମନୁଷ୍ୟର ସତ୍ୟଦର୍ଶନ ବୋଲି କୁହାଯାଇ ପାରିବ କି ? ଭାରତବର୍ଷରେ ବାହାରର ସର୍ବନିମ୍ନ ସମ୍ଭାବନାଗୁଡ଼ିକୁ ମଧ୍ୟ କୋଟି କୋଟି ମଣିଷଙ୍କ ପାଇଁ ଅପହଞ୍ଚ କରି ରଖା ଯାଇଥିବା ଯାଏ ସେଠାରେ ଯାବତୀୟ ସତ୍ୟଦର୍ଶନ ମଧ୍ୟ ସ୍ଵପ୍ନ ହୋଇ ରହିଲା, ଶାସ୍ତ୍ର ହୋଇ ରହିଗଲା । ଆମର ଋଷିମାନେ ଶାସ୍ତ୍ରଗୁଡ଼ାକୁ ହିଁ ସବୁକିଛି ବୋଲି ଧରିନେଲେ ଓ ମଣିଷକୁ ତା’ର ସଂସାର ବିଷୟରେ ମୂଳତଃ ବୀତରାଗ କରି ରଖିବାକୁ ହିଁ ପ୍ରବର୍ତ୍ତନା ଦେଲେ । ଖୁବ୍ ସମ୍ଭବ ଏହି କାରଣରୁ ଭାରତବର୍ଷରେ ଜୀବନ ସମ୍ଭାବନାର ବାଟଗୁଡ଼ାକ ଭାରି ବଙ୍କା ବଙ୍କା ହୋଇ ରହିଗଲା ।

 

୧୦. ୭. ୯୮

 

ଇଂରାଜି ବହି ହିଁ ମୋ’ ପାଇଁ ପ୍ରଥମେ ବୃହତ୍ତର ପୃଥିବୀ ଆଡ଼କୁ ବାଟ ଫିଟାଇ ଦେଇଥିଲା । ବାଟ ଖୋଜିବାର ଶ୍ରଦ୍ଧାଟି ମୋ’ ଭିତରେ ଯେ ପର୍ଯ୍ୟନ୍ତ ରହିଥିବ, ମନୋଗତ ଇଂରାଜି ବହିଟିଏ ଦେଖିଲେ ମୁଁ କେଡ଼େ ଆଗ୍ରହରେ ତା’ ପାଖକୁ ଦଉଡ଼ି ଯାଉଥିବି । ଇଂରାଜି ଭାଷା ଯେ ମୋ’ର ନିଜର ଭାଷା ନୁହେଁ, ମୁଁ କେଡ଼େ ସହଜରେ ସେକଥା ଭୁଲି ଯାଉଥିବି । ହଁ, ଇଂରାଜି ପରେ ଜର୍ମାନ୍ ଭାଷା ଆସିଲା, ଡେନିଶ୍ ଭାଷା ଓ ଆହୁରି କେତେ ଭାଷା ଆସିଲା ଏହି ଇଂରାଜି ଭାଷାର ବହିଗୁଡ଼ିକ ହିଁ ମୋ’ଲାଗି ଓ ସେହି କାରଣରୁ ମୋ’ପରି ଆହୁରି ଅନେକଙ୍କଲାଗି ପଶ୍ଚିମ ଜଗତରେ ପ୍ରବେଶ କରିବା ନିମନ୍ତେ ଫାଟକପରି ହୋଇ ରହିଗଲା । ଆମଲାଗି ଏବେ ମଧ୍ୟ ପଶ୍ଚିମ ଜଗତର ବହିଗୁଡ଼ିକ, ଭାବନା ଓ ବିଚାରଗୁଡ଼ିକ ଆମ ନିଜର ପ୍ରାୟ ଯାବତୀୟ ବିଚାର ଓ ଭାବଗତ ପ୍ରସାରଣରେ ଆମର ଦ୍ଵାରପରି ହୋଇ ରହିଛି । ଏହାଦ୍ୱାରା ଆମ ନିଜ ଭାଷାରୁ ଛାଡ଼ି ହୋଇ ପଳାଇବାକୁ ଆମକୁ କେବେହେଲେ କୌଣସି ପ୍ରରୋଚନା ମିଳିନାହିଁ । ମାତ୍ର, ଆମକୁ ସତେଅବା ଦୁଇଟି ଜଗତର ଉତ୍ତରାଧିକାରୀ ହେବାର ଏକ ବିଶେଷ ଭାଗ୍ୟ ପ୍ରଦାନ କରିଛି, ଦୁଇଟି ଜଗତକୁ କ୍ରମେ ଗୋଟିଏ ଜଗତର ନିୟତିରୂପେ ଅନୁଭବ କରିବାକୁ ପ୍ରେରଣା ଦେଇଛି, ପ୍ରସାର ଦେଇଛି ।

 

ସେଥିପାଇଁ, ଭାରତରେ ବହିଟିଏ ଲେଖିବାବେଳେ ଅଥବା ଆଲୋଚନାଟିଏ କରୁଥିବା ବେଳେ ଆମେ ଭାରତ ଏବଂ ପାଶ୍ଚାତ୍ୟ ଉଭୟଙ୍କୁ ସେଥିରେ ସନ୍ଦର୍ଭରୂପେ ବ୍ୟବହାର କରିଥାଉ; ଆମର ଆଲୋଚନା ତଦ୍ଦ୍ଵାରା ବଳିଷ୍ଠ ହୁଏ ବୋଲି ସର୍ବଦା ଅନୁଭବ କରିଥାଉ । ପାଶ୍ଚାତ୍ୟର ବିଚାର ଏବଂ ମନନଗୁଡ଼ିକ ସେତେବେଳେ ଆମର ପଡ଼ୋଶୀ ବନ୍ଧୁପରି ଲାଗନ୍ତି । ମାତ୍ର, ପାଶ୍ଚାତ୍ୟ ଜଗତରେ କରା ଯାଉଥିବା ଆଲୋଚନା ଏବଂ ଲେଖା ଯାଉଥିବା ଗ୍ରନ୍ଥମାନଙ୍କରେ ସଂପୃକ୍ତ ବ୍ୟକ୍ତିମାନେ ପ୍ରାଚ୍ୟକୁ ଏବଂ ଭାରତବର୍ଷକୁ କାହିଁକି ଦୃଷ୍ଟାନ୍ତରୂପେ ତଥା ନିଜ ବକ୍ତବ୍ୟର ସମର୍ଥନକାରୀ ସନ୍ଦର୍ଭରୂପେ ଗ୍ରହଣ କରନ୍ତିନାହିଁ । ସେମାନେ ଯାହାକୁ ପ୍ରତିପାଦିତ କରିବା ସକାଶେ ହୁଏତ ପନ୍ଦରପୃଷ୍ଠା ସ୍ଥାନ ଅଧିକାର କରନ୍ତି, ପଡ଼ୋଶୀ ଏପାଖର ସହାୟତା ଗ୍ରହଣ କରୁଥିଲେ ଅନେକ ସମୟରେ ହୁଏତ ତାହା ପାଞ୍ଚପୃଷ୍ଠାରେ ଓ ଅଧିକ ପରିଷ୍କାର ଭାବରେ କହି ହେଉଥାନ୍ତା । ସେମାନେ କ’ଣ ପ୍ରାଚ୍ୟକୁ ଏବେ ମଧ୍ୟ ନିଜ frame of reference ଭିତରେ ପଡ଼ୋଶୀ ଭାବରେ ଗ୍ରହଣ କରିନାହାନ୍ତି ? ନିଜର ବିଚାର ଭିତରେ ଅଭିବ୍ୟକ୍ତିର ସରଣିମାନଙ୍କୁ ଖୋଜୁ ଖୋଜୁ ପଶ୍ଚିମ ଜଗତର ଭଣ୍ଡାର ଭିତରେ ପରିପୂରକ କଥାଟିଏ ପାଇଲେ ଆମେ ଯେପରି କେଡ଼େ ଉତ୍ସାହ ସହକାରେ ସେଠାକୁ ଦଉଡ଼ିଯାଉ ଏବଂ ଚୟନ କରି ନେଇଆସୁ, ଇଉରୋପ ଓ ଆମେରିକାରେ ଲେଖକ ଓ ଆଲୋଚକମାନେ ସେକଥା କରି ପାରନ୍ତିନାହିଁ କାହିଁକି ?

 

୧୨.୭.୯୮

 

ଭିତରେ ଅଖଣ୍ଡ ଶାନ୍ତି ଓ ବାହାରେ ଅଖଣ୍ଡ harmony ଅନୁଭବ କରିବା ନିମନ୍ତେ ପୃଥିବୀଯାକର ସାଧନାଯୋଗରେ କେତେ କେତେ ପ୍ରେରଣାଦାୟକ ପନ୍ଥାର ପରାମର୍ଶ ଦିଆଯାଇଛି-। ଏହି ପ୍ରସଙ୍ଗରେ କିଏ ଜାପାନର Kami ର ଦୃଷ୍ଟାନ୍ତ ଆଣି ଦେଇଛି, ଆଉକିଏ ତିବ୍ମତୀ ବୌଦ୍ଧଧର୍ମର Yugen କଥା କହିଛନ୍ତି । ଆଧୁନିକ ବହୁ ବିକ୍ଷୋଭଦ୍ଵାରା ବିଚଳିତ ହୋଇ ଏବେ ଯେଉଁମାନେ ସମ୍ପୂର୍ଣ୍ଣ ଓ ସମାହିତ ଅବସ୍ଥାଗୁଡ଼ିକର ସେହି ପୁରାତନ ଚିତ୍ତସମାଧି ଆଡ଼କୁ ଚାଲିଯିବାର ବରାଦ କରୁଛନ୍ତି, ସେମାନେ ଲୋଭ ଦେଖାଇବାପରି ଆମକୁ ସେହି ସୁବର୍ଣ୍ଣମାର୍ଗଗୁଡ଼ିକୁ ଫେରିଯିବାର ଉଦବୋଧନ ହିଁ ଦେଉଛନ୍ତି । ଏହି ଆକାଶ, ଏହି ପର୍ବତଶ୍ରେଣୀ, ଅରଣ୍ୟାନି, ପକ୍ଷୀ ଓ ପଶୁମାନେ କିପରି ନିଜଠାରୁ ଅଚ୍ଛେଦ୍ୟ ଓ ଅବିଚ୍ଛିନ୍ନ ବୋଲି ଅନୁଭୂତ ହେବେ, ସେଥିଲାଗି ଇଉରୋପ ଓ ଆମେରିକାରେ ପ୍ରାଚ୍ୟର ଏହି ରତ୍ନଗୁଡ଼ିକର ଏବେ କେତେ ଚର୍ଚ୍ଚା ହେଲାଣି । ସାମାନ୍ୟ ଏକ ଗଛ ସହିତ ମଧ୍ୟ କିପରି ଏକ ସମତାସୂତ୍ରରେ ଅବସ୍ଥାନ କରିହେବ, ସେହିସବୁ ବିଷୟରେ ଏଭଳି ଅନେକ କଥା କୁହାଯାଉଛି, ସେଥିରୁ ଲାଗୁଛି, ଇପ୍ସିତ ଅମୃତକୁଣ୍ଡଟିଏ ସତେଅବା ସମ୍ମୁଖରେ ହିଁ ବରାଦ ହୋଇ ରହିଛି ଓ ତୁମେ କେବଳ ତାହାରି ଭିତରକୁ ଡେଇଁପଡ଼ିଲେ ସବୁ ଅସଙ୍ଗତିର ସମାଧାନ ହୋଇଯିବ ।

 

ମାତ୍ର, ଯେକୌଣସି ସୁସ୍ଥ ହାର୍ଦ୍ଦିକତାର ମାନଦଣ୍ଡରେ ଦେଖିଲେ, ଏହି ଗଛ, ଆକାଶ ଓ ଜୀବଜଗତ ସହିତ ଏକାତ୍ମତା ଓ ଅଖଣ୍ଡତା ଅର୍ଜନ କରିବାକୁ ଉଦବୋଧନ ଦେଉଥିବା ମହାନ୍‌ମାନେ ମଣିଷ ସହିତ ଏକାତ୍ମତା ଅର୍ଜନ କରିବା ବିଷୟରେ ଆଦୌ କିଛି କହୁନାହାନ୍ତି ଅଥବା କହିନାହାନ୍ତି କାହିଁକି ? ଏବଂ, ମଣିଷ ସହିତ ଏକ ସର୍ବସାମାନ୍ୟ ସଙ୍ଗତି ଅର୍ଜନ ନକରିବା ପର୍ଯ୍ୟନ୍ତ, ଗଛ, ପାହାଡ଼ ଓ ଆକାଶ ସହିତ ତଥାକଥିତ ଚେତନାଗତ ଅଭେଦତା ଅର୍ଜନ କରିବାଦ୍ୱାରା ଯେ ମୂଳତଃ ଏକ ପଳାୟନକୁ ହିଁ ନିର୍ଦ୍ଦେଶ କରିଦିଆ ଯାଉଥିବ, ସେଥିରେ ହୁଏତ ସନ୍ଦେହ କରିବାକୁ ବେଶିକିଛି ରହିବନାହିଁ । ଯୁଗ ଯୁଗ ଧରି ସମ୍ଭବତଃ ଏହି ପଳାୟନ ହିଁ ଯାବତୀୟ ସାଧନାର ପରିଣାମ ହୋଇ ରହିଆସିଛି । ମଣିଷ harmony ଖୋଜି ଆଗ ମଣିଷ ପାଖକୁ ନଯାଇ ଯଦି ଗଛ, ପାହାଡ଼ ବା ଆଉ କୋଉଠାକୁ ଯିବାକୁ ମନ କରିବ, ତେବେ ସିଏ ନିଜର ଅସଲ challengeରୁ ପଳାୟନ କରୁଛି ବୋଲି କହିବାକୁ ହେବ । ଏବଂ, ଆଗ ମଣିଷପାଖକୁ ଯିବାକୁ ମନକଲେ, ଆମକୁ ନାନା ଗ୍ରନ୍ଥିଭିତରେ ବାନ୍ଧି ରଖିଥିବା ଏହି ସମାଜକୁ ବଦଳାଇବାଲାଗି ସର୍ବପ୍ରଥମେ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ । ଏବଂ, ମଣିଷ ସହିତ ଏହି ଯାବତୀୟ ସାମୂହିକ ଜୀବନରେ ଶ୍ରଦ୍ଧା ଓ ସମଞ୍ଜସତା ସମ୍ଭବ ହେଲେ ତା’ପରେ ଗଛ, ନଈ ଓ ପାହାଡ଼ ପାଖକୁ ସ୍ଵତନ୍ତ୍ର ଭାବରେ ଯିବାର ହୁଏତ କୌଣସି ପ୍ରୟୋଜନ ହିଁ ଆଉ ରହିବନାହିଁ ।

 

୧୩. ୭. ୯୮

 

ସମାଜର ଅଧ୍ୟୟନକୁ ଏକ ବିଜ୍ଞାନର ଛାଞ୍ଚରେ ପକାଇବାର ପ୍ରୟାସ କରିଥିବାର କ୍ଷେତ୍ରରେ ଜଣେ ଅଗ୍ରଗାମୀ Auguste Comteଙ୍କ ସମ୍ବନ୍ଧରେ ଅପବାଦ ରହିଛି ଯେ, ସିଏ ଯାହା ଲେଖୁଥିଲେ, ସବୁ ଏକାବେଳେକେ ଲେଖି ଦେଉଥିଲେ । ସଂଶୋଧନ କରି ଆଉଥରେ ଲେଖିବାକୁ ସମୟ ପାଉନଥିଲେ । ଅର୍ଥାତ୍, ସେହି ପ୍ରଥମ ଲେଖାଟିକୁ ହିଁ ସେ ପ୍ରେସ୍‌କୁ ଛପା ହେବାଲାଗି ପଠାଇ ଦେଉଥିଲେ । ତା’ର କାରଣ, ଲେଖିବାପାଇଁ କେତେ କ’ଣ ରହିଛି ବୋଲି ସେ ସବୁବେଳେ ଅନୁଭବ କରୁଥିଲେ । ଥରେ ଲେଖି, ପଢ଼ି ସଂଶୋଧନ କରି ଆଉଥରେ ଉତାରିବାକୁ ପଡ଼ିଲେ ସେଥିରେ ତାଙ୍କର କେତେ ସମୟ ଚାଲିଯିବ, ଓ ତେଣୁ ତାଙ୍କର ଲେଖିବା ପାଇଁ ସେ ଯଥେଷ୍ଟ ସମୟ ପାଇବେନାହିଁ । ଅର୍ଥାତ୍, କେତେ କେତେ ଲେଖା ଆଉ ମୋଟେ ଲେଖା ହୋଇ ପାରିବନାହିଁ । କଳ୍ପନା ରହିଯିବ ।

 

ମୁଁ ଯାହାକିଛି ଲେଖିଛି, ପ୍ରାୟ କିଛି ଉତାରିନାହିଁ । ହଁ, ଲେଖିଥିବା କଥାଗୁଡ଼ିକୁ ଆଉଥରେ ପଢ଼ିଛି, ଆଖିରେ ପଡ଼ି ଯାଉଥିବା ଭୁଲ୍‌ଗୁଡ଼ିକୁ ସଂଶୋଧନ କରିଦେଇଛି ଏବଂ ସେହିପରି ଭାବରେ ହିଁ ଛାପା ହେବାକୁ ଦେଇ ଦେଇଛି । ଯଦି ଲେଖିଥିବା ଦ୍ରବ୍ୟଗୁଡ଼ିକୁ ଆଉଥରେ ଉତାରି ବାହାରଯୋଗ୍ୟ କରି ଦେଇଥାନ୍ତି, ତେବେ ଯାହାକିଛି ଲେଖିଛି, ତାହାର ମୋଟେ ଅଧେ ଲେଖିବାକୁ ହିଁ ସମୟ ପାଇଥାନ୍ତି । ଏବଂ, ସେପରି ହୋଇଥିଲେ ମୁଁ ଯେତେ ଲେଖି ପାରୁଛି, ତାହା ଆଦୌ ସମ୍ଭବ ହୋଇ ନଥାନ୍ତା । ଏହାଦ୍ୱାରା ମୋ’ର କିଛି କ୍ଷତି ହୋଇଥାନ୍ତା କି ? ପ୍ରଥମ ଲେଖାକୁ ଲେଖି, ପଢ଼ି ଓ ସଂଶୋଧନ କରି ମାଠି ମୁଠି ଆଉଥରେ ଉତାରି ତା’ପରେ ଯାଇ କାହାକୁ ଦେଉଥିଲେ ମୋ’ର ଲେଖାସବୁ ଅଧିକ ଭଲ ହୋଇଥାନ୍ତା କି ? ହଁ, ସେପରି ହେଲେ ମୋ’ର ମସ୍ତିଷ୍କଟାକୁ ଅଧିକ କର୍ତ୍ତୃତ୍ଵ ମିଳି ଯାଇଥାନ୍ତା । ମସ୍ତିଷ୍କଟା ଅବଧାନ ହୋଇ ହୁଏତ ନିଜର କିଛି ବାହାଦୁରି ଦେଖାଇବାକୁ ଚେଷ୍ଟା କରୁଥାନ୍ତା । ତଦ୍ଦ୍ୱାରା କିଛି କୃତ୍ରିମତା ବି ପଶି ଯାଉଥାନ୍ତା । ଜୀବନରେ ମୁଁ ରୀତିଟାକୁ କେବେହେଲେ ଉଚ୍ଚ ସ୍ଥାନ ଦେଇନାହିଁ । ରୀତିଟା ମୋତେ ପ୍ରାୟ ନିୟମତଃ ମସ୍ତିଷ୍କରାଜ୍ୟର ଏକ ପରିପାଟୀପରି ବୋଧ ହୋଇଛି । ମୋ’ର ପ୍ରୀତି ହିଁ ମୋ’ର ଯାବତୀୟ ରୀତିର ନିର୍ଦ୍ଧାରଣ କରିଛି । ଖାଲି ମୋ’ର ଲେଖାଗୁଡ଼ିକରେ ନୁହେଁ, ଜୀବନର ସକଳ ଅବସରରେ ପ୍ରୀତି ହିଁ ଆଗେ ଆଗେ ଯାଇଛି, ବାଟ ବତାଇଛି, ଗତିସଞ୍ଚାର କରାଇଛି । ଏବଂ, ତାହାରି ଅନୁସାରେ ଏକ ରୀତି ସତେଅବା ଆପେ ଆପେ ଆସି ପହଞ୍ଚି ଯାଇଛି । ମୁଁ ମୋ’ ଦେବତାଙ୍କ ଅନୁସାରେ ହିଁ ବଗିଚାକୁ ଯାଇ ଫୁଲମାନଙ୍କୁ ବାଛିଛି । ଫୁଲଗୁଡ଼ିକ ଏପରି ବା ଏପରି ହେଲେ ମୋତେ ଏପରି ବା ଏପରି ଦେବତା ଅବଶ୍ୟ ପ୍ରାପ୍ତ ହେବେ ବୋଲି ମୁଁ କେବେହେଲେ ବିଚାର କରିନାହିଁ । ଏକାବେଳେକେ ନିଜର କଥା ମାନି ମୁଁ ଏପରି କରିଛି । ମସ୍ତିଷ୍କଟା ବି ସେଥିରେ ସର୍ବଦା ରାଜି ହୋଇ ଯାଇଛି ।

 

୧୪. ୭. ୯୮

 

ମୁଁ ଆଗ ଜଣେ ମଣିଷ ନା ଆଗା ଜଣେ ନାଗରିକ ? ଦୁଇଟା ଭିତରୁ ଗୋଟାକୁ ବାଛିବାର କୌଣସି ପ୍ରଶ୍ନ ହିଁ ଉଠୁନାହିଁ । ହୁଏତ ଏପରି ବି କୁହାଯାଇ ପାରିବ ଯେ, ପ୍ରତ୍ୟେକ ବ୍ୟକ୍ତି ଏହି ସଂସାରରେ ସେହି ଉଭୟ ଭୂମିକାରେ ହିଁ ଜନ୍ମଗ୍ରହଣ କରୁଛି । ପ୍ରତ୍ୟେକ ବ୍ୟକ୍ତିକୁ ଜଣେ ନାଗରିକ ହିସାବରେ ତା’ ଦେଶ ଏପରି ଶିକ୍ଷା ଦେଇପାରିବା ଉଚିତ୍‍, ଯେପରିକି ସିଏ ନିଜର ଏହି ଉଭୟ ଭୂମିକାକୁ ଯଥାସମ୍ଭବ ଅଧିକ ସଙ୍ଗତିର ସହିତ ବଞ୍ଚିପାରିବ ।

 

Man is more than a citizen,–ପ୍ରାୟ ଶହେବର୍ଷ ତଳେ ମାର୍କ୍‍ସ ସେକଥା କହିଛନ୍ତି । ଗାନ୍ଧୀ, ଶ୍ରୀ ଅରବିନ୍ଦ ଏବଂ କୃଷ୍ଣମୂର୍ତ୍ତିଙ୍କର ଲେଖାରେ ସେହି କଥାଟି ଏକାଧିକ ଅବସରରେ ଭାରି ସ୍ପଷ୍ଟ ଭାବରେ କୁହାଯାଇଛି । ଅଥଚ, ଆମ ପୃଥିବୀରେ ଅଧିକାଂଶ ମଣିଷ ଜଣେ ବିଶ୍ଵସ୍ତ ନାଗରିକ ହେବାକୁ ଯାଇ ନିଜର ଅନ୍ୟ ଭୂମିକାଟିକୁ ଭୁଲି ଯାଉଛନ୍ତି କିପରି ? ଏଥିପାଇଁ ସରକାରମାନଙ୍କୁ ଅବଶ୍ୟ ସବାଆଗ ଦାୟୀ କରାଯାଇ ପାରିବ । ମାତ୍ର ସରକାରମାନଙ୍କୁ ମଧ୍ୟ ସୀମା ଭିତରେ ରହିବାକୁ ହେଲେ ଜାଗ୍ରତ ନାଗରିକମାନଙ୍କର ଯେଉଁ କର୍ତ୍ତବ୍ୟ ରହିଛି, ସେକଥାଟିକୁ ଭୁଲିଯିବାଲାଗି ମଧ୍ୟ ଆଦୌ କୌଣସି ବାଟ ରହିବା ଉଚିତ୍‍ ନୁହେଁ । ପୃଥିବୀର ଧର୍ମମାନେ ସେମାନଙ୍କର ମୂଳବହିଗୁଡ଼ିକ ଅନୁସାରେ ମଣିଷମାନଙ୍କୁ ଭଗବାନଙ୍କ ପାଖକୁ ବାଟଦେଖାଇ ଦେବାଲାଗି ଆବଶ୍ୟକ ଅନୁମତିପତ୍ରମାନଙ୍କୁ ହାତରେ ଧରି ଏହି ପୃଥିବୀକୁ ଆସିଥିଲେ । ସେମାନେ ମଧ୍ୟ ନିଜ ନିଜ ମାର୍କା ଭିତରେ ରହିଗଲେ । ମାର୍କାମାନଙ୍କୁ ଭଗବାନ ବୋଲି ପ୍ରଚାର କଲେ । ଆମ ରାଷ୍ଟ୍ରମାନେ ବି ଏହି ଦୁଷ୍ଟ ବିଶ୍ଵାସଟିରୁ କମ୍ ପ୍ରଶ୍ରୟ ପାଇ ରାଢ଼ ହୋଇନାହାନ୍ତି । ରାଷ୍ଟ୍ରର ମଙ୍ଗଳ ପାଇଁ ଭଗବାନଙ୍କୁ କାମରେ ଲଗାଇବାକୁ ପୃଥିବୀରେ କମ୍ କୌଶଳ କରା ଯାଇନାହିଁ । ତଦ୍ଦ୍ୱାରା ମଣିଷ ଭିତରର ନାଗରିକଟାକୁ ଅଧିକରୁ ଅଧିକ ଦୁରାଗ୍ରହୀ ଓ ଦୁଃସାଧ୍ୟ କରି ରଖିବାକୁ ତା’ ଭିତରେ ଭାଗବତ ପରିଚୟଟିକୁ ଗୌଣ କରି ରଖାଯାଇଛି । ନାଗରିକବୃତ୍ତିର ପ୍ରତ୍ୟେକ ଶିକ୍ଷା ଯଦି ମନୁଷ୍ୟବ୍ୟକ୍ତିକୁ ତା’ର ମନୁଷ୍ୟପରିଚୟ ସମ୍ବନ୍ଧରେ ଯଥାର୍ଥ ଭାବରେ ସଚେତନ ଏବଂ ସକ୍ରିୟ କରିବାରେ ସାହାଯ୍ୟ ନକରେ, ତେବେ ସେହି ଶିକ୍ଷା ପ୍ରକୃତରେ ବହୁ ପ୍ରମାଦର କାରଣ ହୋଇ ରହିବ । ମନୁଷ୍ୟମାନେ ଗଧ ହୋଇ ରହିବାକୁ ପ୍ରଶ୍ରୟ ପାଉଥିବେ ଏବଂ ମନୁଷ୍ୟର ନିୟତି ସହିତ ରାଷ୍ଟ୍ରମାନେ ଏବଂ ନ୍ୟସ୍ତ ସ୍ଵାର୍ଥମାନେ ମାଙ୍କଡ଼ପରି ଖେଳିବାରେ ଲାଗିଥିବେ । ପୃଥିବୀରେ ରାଷ୍ଟ୍ରୀୟତାର ସ୍ତରରେ ସମ୍ଭବତଃ ସେଇଥି ସକାଶେ ଅଧିକଂଶ ନେତୃତ୍ଵ ମାଙ୍କଡ଼ମାନଙ୍କର ନେତୃତ୍ଵ ହୋଇ ରହିଛି । ମଣିଷମାନେ ପୌତ୍ତଳିକ ହୋଇ ଯେପରି ରହିବେ, ସେଥିଲାଗି ଅଧିକ ବରାଦ ଲାଗିରହିଛି । ଭଗବାନ ମଣିଷ ଭିତରେ ରହିଥିଲେ ମଧ୍ୟ କୌଣସି ପ୍ରତିବାଦ କରି ପାରୁନାହାନ୍ତି ।

 

୧୫. ୭. ୯୮

 

ଅସଲ growth ବାଧାପ୍ରାପ୍ତ ହୁଏ ସେତିକିବେଳେ, ଯେତେବେଳେ ଜୀବନ ବଞ୍ଚିବାର ଯାବତୀୟ ପ୍ରୟାସ ଓ ପ୍ରେରଣା ମୁଖ୍ୟତଃ ଭୋଗ କରିବାର ଏକ ପରିପାଟୀରେ ପରିଣତ ହୋଇ ଆସିବାକୁ ଆରମ୍ଭ କରେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଜୀବନ ନିମନ୍ତେ କେତେକ ସର୍ବନିମ୍ନ ଅବଶ୍ୟକତାକୁ ଅବଶ୍ୟ ପରିପୂରଣ କରିବାକୁ ହୋଇଥାଏ । ସବୁ ମଣିଷଙ୍କୁ ଭୋକ କରେ, ସବୁ ମଣିଷଙ୍କର ଦେହକୁ ଶୀତ ବି କରେ । ରହିବାପାଇଁ ଖଣ୍ଡେ ଘର ଦରକାର ହୁଏ । ସବୁ ମଣିଷ ଶିଖିବାକୁ ଇଚ୍ଛା କରୁଥାନ୍ତି ଓ ସବୁ ମଣିଷଙ୍କର ଆଖି ବିସ୍ତାରିତ ହେବାଲାଗି ଇଚ୍ଛା କରୁଥାଏ । ସବୁ ହୃଦୟ ବାନ୍ଧି ହୋଇଯିବାକୁ ଓ ବାନ୍ଧି ଆଣିବାକୁ ବାସନା ରଖିଥାଏ । ସମଗ୍ର ପୃଥିବୀରେ ସବୁ ମଣିଷଙ୍କର ଏହିସବୁ ଆବଶ୍ୟକତାର ଅବଶ୍ୟ ପରିପୂରଣ ହୋଇ ପାରିବା ଉଚିତ । ମଣିଷ ମାତ୍ରକେ ସମସ୍ତେ ଏଥିରେ ସମ୍ମତ ହେବେ ।

 

ମାତ୍ର, ଯେଉଁ ସମାଜରେ ମାତ୍ର କେତେକ ମଣିଷ ଏହି ସର୍ବନିମ୍ନ ଆବଶ୍ୟକତାର ସୋପାନକୁ ଆସି ପାରିଥାନ୍ତି ଓ ଆହୁରି ଅନେକ ମଣିଷ ସେତିକିରୁ ବି ବଞ୍ଚିତହୋଇ ରହିଥାନ୍ତି, ସେଠାରେ ତଥାକଥିତ ଏହି ସଫଳ କେତେକ ମଣିଷ ନିଜର ସର୍ବନିମ୍ନ ଆବଶ୍ୟକତାର ପୂରଣକୁ କ’ଣ ପାଇଁ ସତେଅବା ଏକ ଭୋଗ ବୋଲି ଅନୁଭବ କରିବାକୁ ନିଜ ଭିତରୁ ଏକ ଅପପ୍ରେରଣା ପାଇଥାନ୍ତି । ଯେତେବେଳେ ଆବଶ୍ୟକତାକୁ ଏକ ଭୋଗର ଅପସ୍ତରକୁ ଖସାଇ ଅଣାଯାଏ, ସେତେବେଳେ ଏହାର ଶିକାର ହୋଇଥିବା ମନୁଷ୍ୟମାନେ କ’ଣ ପାଇଁ ନିଜକୁ ପ୍ରଧାନତଃ ଭୋଗୀପରି ଅନୁଭବ କରନ୍ତି । ସେମାନେ ନିଜର ଜୀବନକୁ ମଧ୍ୟ ଏକ ଭୋଗ ବୋଲି ଅନୁଭବ କରୁଥାନ୍ତି । ତେଣୁ, ଅସଲ growthର ସମ୍ଭାବନାଗୁଡ଼ିକ ବଡ଼ ଶୋଚନୀୟ ଭାବରେ ଅବହେଳିତ ହୋଇ ରହିଥାନ୍ତି । ନିଜ ଜୀବନରେ ଯେକୌଣସି growth ସମ୍ଭବ କରିବାଲାଗି ଯେଉଁସବୁ ସୋପାନର ପୂର୍ତ୍ତି ଅବଶ୍ୟ ଆବଶ୍ୟକ, ସେଗୁଡ଼ିକ ବି ଯେତେବେଳେ ସଂପୃକ୍ତ ବ୍ୟକ୍ତି ଓ ସଂପୃକ୍ତ ବର୍ଗଗୁଡ଼ିକର ନଜରରେ ଗୋଟାଏ ଗୋଟାଏ ଭୋଗପରି ଦେଖାଯାଏ, ସେତେବେଳେ ଜୀବନ ହାର ମାନେ ଏବଂ ପ୍ରତିକୂଳ ଶକ୍ତିମାନେ ଯାବତୀୟ ଅବସରକୁ ଅକ୍ତିଆର କରିନିଅନ୍ତି । ଏଗୁଡ଼ିକ ପରେ ମଧ୍ୟ ଅନ୍ୟାନ୍ୟ ବହୁ ସ୍ତର ଯେ ରହିଛି, ଭୋଗରେ ଲିପ୍ତ ମନୁଷ୍ୟମାନେ ସେହି କଥାଟିକୁ ଭୁଲି ଯାଆନ୍ତି । ବିଚରା ଏହି ବଞ୍ଚିତମାନେ ! ତା’ପରେ ଜୀବନଟାଯାକ ସତେଅବା ଏକ ପ୍ରଦର୍ଶନରେ ହିଁ ପରିଣତ ହୁଏ । ନିଜ ଧନର ପ୍ରଦର୍ଶନ, ସାମର୍ଥ୍ୟର ପ୍ରଦର୍ଶନ,–ମୋର କ’ଣସବୁ ଅଛି, ତାହାରି ନାନା ଅଶୋଭନୀୟ ଓ ଅଶୁଭକର ପ୍ରଦର୍ଶନ । ଆମ ଆଧୁନିକ ସଭ୍ୟତାର ଭୋଗଘରେ ଯେଉଁମାନେ ସବା ଉପରେ ଅଛନ୍ତି, ଭୋଗକୁ ହିଁ ସତେଅବା ସବାବଡ଼ ସାଧନାରୂପେ ଗ୍ରହଣ କରି ନେଇଛନ୍ତି, ସେମାନଙ୍କୁ ଦେଖିଲେ ଅନେକ ସମୟରେ ଏହି କଥାମାନ ଭାରି ମନେ ପଡ଼ିଯାଏ ।

 

୧୬. ୭. ୯୮

 

ହିଟଲର୍ କାହିଁକି ହିଟଲର୍‍ ହେଲା, ସେଥିଲାଗି ବିଗତ ପଚାଶବର୍ଷ ହେଲା ଘୋର ଅଧ୍ୟୟନ ଚାଲିଛି । ପୃଥ୍ଵୀମାନସର ଗହନ କୌଣସି ସ୍ତରରେ କୋଉଠି ହିଟଲର୍‌ଟିଏ ଅଥବା ହିଟଲର୍‌ମାନେ ଲୁଚି ରହିଛନ୍ତି କେଜାଣି, ପୃଥିବୀରେ ହିଟଲର୍‌ଟିଏ ସତକୁ ସତ ସମ୍ଭବ ହୋଇ ଆମ ସମସ୍ତଙ୍କୁ କାହିଁକି ଏତେ ହୀନସ୍ଥା ପର୍ଯ୍ୟନ୍ତ ନେଇଯାଇ ପାରିଲା, ଗବେଷକମାନେ ସେହି ବିଷୟକୁ ନେଇ ଗମ୍ଭୀର ଭାବରେ ମୁଣ୍ଡ ଖେଳାଉଛନ୍ତି । କିଏ କହୁଛି, ହିଟଲର୍ ପିଲାଦିନେ ଅମୁକସବୁ ଘଟିଥିଲା ବୋଲି ହିଟଲର୍ ବଡ଼ ହୋଇ ଏପରି ଦୁର୍ଦ୍ଦାନ୍ତ ହେଲା । ଆଉକିଏ କହୁଛି, ନିଜର ବାପା ବା ମାଆଙ୍କ ସହିତ ବାଳକ ହିଟଲର୍‌ର ଅମୁକ ପ୍ରକାରର ସମ୍ପର୍କ ରହିଥିଲା ବୋଲି ପରିଣାମ ଏତେ ଆଗକୁ ଚାଲିଗଲା । ଆଉଜଣେ କିଏ କହିଛନ୍ତି ଅର୍ଥାତ୍ ବହିଟିଏ ଲେଖି ପ୍ରମାଣ କରି ଦେଇଛନ୍ତି ଯେ, ସିଏ ସାନ ଥିଲାବେଳେ ଏକଦା ଗୋଟିଏ ଛେଳି ତା’ ସୁନାର ଅଗକୁ କାମୁଡ଼ି ଖଣ୍ଡେ ଛିଣ୍ଡାଇ ନେଇ ଯାଇଥିଲା ବୋଲି ତାହାରି ଯୋଗୁଁ, ହିଟଲର୍‍ ଏତେଯାଏ ବିଗିଡ଼ିଗଲା । ଏବେ ତ ଗୋଟାଏ ପୂରା ବହି ବାହାରିଛି, ଯେଉଁଥିରେ କି ଏପର୍ଯ୍ୟନ୍ତ ଲେଖା ହୋଇଥିବା ସବୁଯାକ ହିଟଲର୍‍ ଆଲୋଚନାକୁ ଏକତ୍ର ସଂକଳିତ କରି ପ୍ରକାଶ କରାଯାଇଛି, ଯେପରିକି ଯେକୌଣସି ଆଗ୍ରହୀ ବ୍ୟକ୍ତି ସେହି ସବୁଯାକକୁ ଖୋଜିବା ମାତ୍ରକେ ଗୋଟିଏ ଥାନରେ ଅବଶ୍ୟ ପାଇଯାଇ ପାରିବ ।

 

ସାନ ସାନ ହିଟଲର୍‌ମାନଙ୍କର ଏହି ପୃଥିବୀରେ ସେଇ ଗୋଟାଏ ହିଟଲର୍‌ର ଚରିତ୍ରକୋଷ୍ଠୀକୁ ଗଣନା କରି ଏତେ ଲୋକ ଥକିଗଲେଣି ସିନା, ମାତ୍ର ତଥାପି ସୂତ୍ରଟିକୁ ପାଉନାହାନ୍ତି । ହୁଏତ ସେମାନେ ଏପରି ଗୋଟାଏ ସୂତ୍ର ଖୋଜୁଛନ୍ତି, ଯେଉଁଥିରେ କି ସେମାନେ ନଥିବେ ଏବଂ ତଥାପି ଗୋଟିଏ ସୁବୋଧ୍ୟ କାରଣ ରହିଥିବ । ଆମର ଯାବତୀୟ ସାମାଜିକ ଅନୁଷ୍ଠାନ ଭିତରେ ହିଟଲର୍‌କୁ ଜନ୍ମ ଦେଇ ପାରୁଥିବା ଜୀବାଣୁମାନେ ଯେ ଲାଳିତପାଳିତ ହେବାରେ ଲାଗିଛନ୍ତି, ସେକଥା କେବଳ ସାହସୀ ମଣିଷଟିଏ ହିଁ କହିପାରିବ । ସେହିସବୁ ଅନୁଷ୍ଠାନ ସହିତ ଆମେ ସମସ୍ତେ ଏପରି ସଂସ୍କୃତିସମର୍ଥିତ ଭାବରେ ଅଭ୍ୟସ୍ତ ହୋଇଯାଇଛୁ ଯେ, ପ୍ରାୟ ଆମ ସମସ୍ତଙ୍କର ସମର୍ଥନ ସହିତ ଏହି ପୃଥିବୀରେ ମୃତ୍ୟୁ ଆକାଙ୍‌କ୍ଷାମାନେ କିପରି ବହଳ ହେବାରେ ଲାଗିଛନ୍ତି, ସେକଥା ଆମେ ଆଦୌ ଠଉରାଇ ପାରୁନାହୁଁ । ଆମର ଅନୁଷ୍ଠାନମାନଙ୍କରେ ପ୍ରଶ୍ରୟ ପାଇ ଆସୁଥିବା ସେହି ଜୀବାଣୁମାନେ ଏପରି ଉତ୍ତେଜିତ ଭାବରେ ଏପରି alienated କରି ରଖିଛନ୍ତି ଯେ, ଆମେ ନିଜ ଭିତରର ଅସଲ ହୃଦୟଟିକୁ ମୋଟେ ଅନୁଭବ କରି ପାରୁନାହୁଁ । ଅସଲ ଆଖିଗୁଡ଼ିକ ସେହି ହୃଦୟଠାରୁ ହିଁ ମିଳୁଥାଆନ୍ତା,–ସେହି ଆଖିଗୁଡ଼ିକଦ୍ଵାରା ହିଁ ଆମେ ଅସଲ ସତ୍ୟ ଓ ଅସଲ ସଂସ୍କାରଗୁଡ଼ିକୁ ନିଜର କରି ପାରୁଥାନ୍ତେ ।

 

୧୭. ୭. ୯୮

 

Universalism is Imperialism;–ମାତ୍ର ଏହି ବିଶ୍ଵ ମୋ’ର ବୋଲି ନକହି “ମୁଁ ଏହି ବିଶ୍ଵର” ନାମକ ସେହି ଅନ୍ୟ ସତ୍ୟଟିକୁ ଜୀବନରେ ବଞ୍ଚିବା ଯେତେବେଳେ ସମ୍ଭବ ହେବ, ସେତେବେଳେ ମୁଁ ଆଉ ଏ କଥାଟିକୁ ଆଦୌ ମନ କରିବିନାହିଁ । ଅନେକ ମଣିଷ ତ ଏଭଳି ଅଛନ୍ତି, ଯେଉଁମାନେ କି ଭଗବାନଙ୍କୁ ମଧ୍ୟ ନିଜର ସାମ୍ରାଜ୍ୟ ବୋଲି ମନେକରନ୍ତି ଏବଂ ତାଙ୍କ ଉପରେ ହାକିମି ଚଳାନ୍ତି, ତାଙ୍କୁ ନିଜ କାମରେ ଲଗାନ୍ତି । ଆଧ୍ୟାତ୍ମିକତାର ଔଜ୍ଜ୍ଵଲ୍ୟକୁ ନଷ୍ଟ କରି ଯେତେ ଯେତେ କ୍ଷେତ୍ରରେ ସମ୍ପ୍ରଦାୟମାନ ସୃଷ୍ଟି ହେଲା ଏବଂ ସେହି ଅନୁସାରେ ସାମ୍ପ୍ରଦାୟିକ ଗୁରୁମାନେ ରାଜଧାନୀମାନ ବସାଇ ପତାକା ଧରି ସାମ୍ରାଜ୍ୟ ବଢ଼ାଇ ବାହାରିଗଲେ, ସେହିଦିନଠାରୁ ସବୁ ଅନ୍ୟପ୍ରକାର ହୋଇଗଲା ।

 

ସାମ୍ରାଜ୍ୟବାଦୀମାନେ ଏକଦା ବିଶ୍ଵଟାକୁ ହିଁ ସାମ୍ରାଜ୍ୟରୂପେ ବାଣ୍ଟି ନେଇଥିଲେ । ନିଜର ଧର୍ମକୁ ହିଁ ଏକମାତ୍ର ସାମ୍ରାଜ୍ୟ ବୋଲି ଧରିନେଇ ସେମାନେ ସାରା ପୃଥିବୀଟାକୁ ନିଜ ଧର୍ମର ପୁଟରେ ଏକାକାର କରିବାର ଦୁରାଗ୍ରହ ମଧ୍ୟ ପୋଷନ କରିଥିଲେ । ଇସ୍‌ଲାମ୍ ଓ ଖ୍ରୀଷ୍ଟିଆନ୍ ଧର୍ମ ଇତିହାସରେ ଏହି କ୍ଷେତ୍ରରେ ବିଶେଷ ଭାବରେ ଅଗ୍ରଗାମୀ ହେଲେ । ସେମାନନଙ୍କର ସେହି ଆଗ୍ରହ ଏବେ ମଧ୍ୟ ମାନ୍ଦା ପଡ଼ିନାହିଁ । ନିଜ ଧର୍ମକୁ ଏକାମାତ୍ର ଧର୍ମ ବୋଲି ଜାହିର୍ କରୁଥିବା ଲୋକମାନଙ୍କର ଛାୟାରେ ଏବଂ ନିଜର ପନ୍ଥାକୁ ମଧ୍ୟ ଏକମାତ୍ର ପନ୍ଥା ବୋଲି ଧରି ଏବେ ସନ୍ତ୍ରାସବାଦୀମାନେ ବାହାରିଲେଣି । ବର୍ତ୍ତମାନ ପୃଥିବୀରେ ସନ୍ତ୍ରାସବାଦୀ ହିଂସାର ଏକ ସାମ୍ରାଜ୍ୟବାଦ ବଜାର ବିସ୍ତାର କରି ଭାରି ଉତ୍ତାପରେ ବାହାରିଛି । ଭାରତବର୍ଷରେ ଏବେ ବି ରାଜନୀତିକ ଶିବିର ଭିତରେ ଏପରି ଥୋକେ ବାହାରିଲେଣି, ଯେଉଁମାନେ କେବଳ ନିଜର ନଜରଟାକୁ ହିଁ ଏକମାତ୍ର ନଜର ବୋଲି ଭାବୁଛନ୍ତି ଓ ସେହି ଅନୁସାରେ ପ୍ରେରିତ ହୋଇ ସାରା ଭାରତବର୍ଷକୁ କେବଳ ନିଜର ରଙ୍ଗ ଅନୁସାରେ ହିଁ ଦେଖିବେ ବୋଲି ସରାଗ କରୁଛନ୍ତି । ସେହିମାନେ ହିଁ ସମସ୍ୟା ହେବେ । ଯିଏ ସମଗ୍ର ପୃଥିବୀକୁ ନିଜର ଘର ବୋଲି ଭାବିବ, ସିଏ କଦାପି ତାହା କରିବନାହିଁ । ସିଏ ଘର ଭିତରେ ରହିଥିବା ଅନ୍ୟମାନଙ୍କୁ ମଧ୍ୟ ସ୍ଵୀକାର କରିବ । ସେମାନଙ୍କୁ ନିଜର ପ୍ରତିବେଶୀ ବୋଲି ଭାବିବ ଓ ସେମାନଙ୍କର କାମରେ ଲାଗିପାରିଲେ ଖୁସି ମଧ୍ୟ ହେବ । ସତ୍ୟମାନେ ଅଫିମିଆମାନଙ୍କର କାମରେ ଲାଗୁଥିବା ପର୍ଯ୍ୟନ୍ତ ପୃଥିବୀକୁ ବହୁ ପ୍ରମାଦ ଘାରି ରହିଥିବ । ତେଣୁ, ମଣିଷମାନେ ପରସ୍ପରକୁ ପ୍ରତିବେଶୀରୂପେ ହିଁ ଚିହ୍ନିବେ । ଅସଲ ବିଶ୍ଵସତ୍ୟଗୁଡ଼ିକ ମଣିଷମାନଙ୍କୁ ପ୍ରତିବେଶୀରୂପେ ହିଁ ପରସ୍ପରର ନିକଟବର୍ତ୍ତୀ କରି ଆଣୁଥିବେ । ଅସଲ ବିଦ୍ୟା ନକଟବର୍ତ୍ତୀ କରାଇ ଆଣିବ । ଅସଲ ଅଧ୍ୟାତ୍ମ ଡୋରଗୁଡ଼ିକୁ ହିଁ ପ୍ରତ୍ୟକ୍ଷ ଏବଂ ସାକାର କରି ଆଣିବ । ଯାବତୀୟ ପ୍ରମତ୍ତତାର ମୋହକୁ ମୃଦ୍ଟର ହୋଇ ଧ୍ଵଂସ କରିବ ।

 

୧୮. ୭. ୯୮

 

ମୋ’ ନିଜ ଧର୍ମରେ ପାହାଚ ଉଠି ଉଠି ମୁଁ ସନାତନ ଧର୍ମକୁ ଅବଶ୍ୟ ଆବିଷ୍କାର କରିପାରିବି । ମାତ୍ର, ଯେଉଁମାନେ ସତେଅବା କ’ଣସବୁକୁ ଭୁରୁଡ଼ାଇ ଦେବା ନିମନ୍ତେ ସଂସାରକୁ ଆସିଥିବାପରି ନିଜର ତଥାକଥିତ ଧର୍ମଟାକୁ ହିଁ ସନାତନ ଧର୍ମ ବୋଲି କହନ୍ତି, ସେମାନେ ହୁଏତ ଆଦୌ କୌଣସି ପାହାଚ ଉଠିବା ପାଇଁ ସାହସ କରନ୍ତିନାହିଁ । ସେମାନେ ନିଜର କେତେଟା ଶାସ୍ତ୍ରରେ ବାନ୍ଧି ହୋଇ ରହିଥାଆନ୍ତି । ଗାତରେ ପଶି ଯାଇଥିବାପରି ସେମାନେ ସାରା ସଂସାରଟାକୁ ମଧ୍ୟ ଅନୁରୂପ ଭାବରେ ଗାତରେ ପଶିବାଲାଗି ପ୍ରରୋଚନା ଦେଉଥାନ୍ତି ।

 

ଭାରତବର୍ଷରେ ଏହି ସନାତନ ଧର୍ମନାମକ କଥାଟିକୁ ନେଇ କେତେ ନା କେତେ ଭାବପ୍ରବଣ ଭାବରେ କେତେ ବ୍ୟକ୍ତି କେତେ କଅଣ କହିଛନ୍ତି । ଧର୍ମଭୂମିକୁ ଜନ୍ମଭୂମିକୁ ଚଉହଦି ଭିତରେ ବାନ୍ଧି ରଖିବା ପାଇଁ ଉଦ୍ୟମ କରୁଥିବା ବ୍ୟକ୍ତିମାନେ ସମ୍ଭବତଃ ବିଶେଷ ଉତ୍ସାହରେ ସେକଥା କରନ୍ତି । ଗତ ଶତାବ୍ଦୀରେ ଭାରତର ପ୍ରାଚୀନ ଶାସ୍ତ୍ରଗୁଡ଼ିକ ଆଲୋକକୁ ଆସିବା ପରେ ଭାରତବର୍ଷକୁ ନୂତନ ଭାବରେ ଆବିଷ୍କାର କରିବାର ଯେଉଁ ଉଦବୋଧନ ଆମର ତତ୍କାଳୀନ ନାୟକମାନେ ଦେଇଥିଲେ, ତଦ୍ଦ୍ଵାରା ନିଶ୍ଚୟ ଏହି ଭୂମିକୁ ନେଇ ଏକ ଅଭୂତପୂର୍ବ ଉଲ୍ଲାସ ଅନୁଭବ କରା ଯାଇଥିବ । ସତେଅବା ନିଜର ଘରଭିତରକୁ ଫେରି ଆସିବାପରି ଓ ନିଜ ଘରର ରତ୍ନଗୁଡ଼ିକୁ ଆବିଷ୍କାର କରିଥିବାପରି ଲାଗିଥିବ । ସେହି ଜାଗରଣଟି ଯେ ଏଠାରେ ନୂଆ କରି ଏକ ଅଭିନବ ଜାତୀୟ ଜାଗୃତିର କାରଣ ହୋଇଥିଲା, ସେକଥା ମଧ୍ୟ ଖୁବ୍ ବୁଝି ହେଉଛି । ଏବଂ, ତା’ପରେ ଆମେ ସେଇଥିରୁ ପ୍ରେରଣା ନେଇ ବାଟଟିଏ ଚାଲିଥାନ୍ତେ, ପାହାଚ ଉଠିଥାନ୍ତେ; ଏକ ସଚେତନ ସମୂହ ହିସାବରେ ନିଜକୁ ଅଗ୍ରସର କରାଇ ନେଇ ଥାଆନ୍ତେ । ସେତେବେଳର ନାୟକମାନେ ଏଡ଼େ ବଡ଼ ଏକ ଆହ୍ଵାନକୁ ନିଜ ନିଜ ନାମରେ ଗୋଟିଏ ଗୋଟିଏ ସମ୍ପ୍ରଦାୟ ଗଢ଼ିବାରେ ଶେଷ କରିଦେଲେ କାହିଁକି କେଜାଣି ? ସମ୍ଭବତଃ ତାହାରି ଫଳରେ ଅଫିମ ପଶି ଆସିବାକୁ ଖୁବ୍ ବାଟ ପାଇଗଲା । ସନାତନ ଧର୍ମ ନାମକ କଥାଟିକୁ ଆହ୍ଵାନଟିକୁ ମଧ୍ୟ ସେହି ଅଫିମମାନେ ବ୍ୟବାହର କରିବାକୁ ମଉକା ପାଇଗଲେ । ସମ୍ପୂର୍ଣ୍ଣ ସଂକୀର୍ଣ୍ଣ ଭାବରେ ନିଜନିଜର ଛାଞ୍ଚ ଭିତରେ ଚେପା ହୋଇ ରହିଥିଲେ ମଧ୍ୟ ତୁଚ୍ଛା ସାମ୍ପ୍ରଦାୟିକ ଅଳ୍ପୋତ୍ସାହଗୁଡ଼ାକୁ ଅନେକେ ସନାତନ ଧର୍ମ ବୋଲି କହି କୋଳାହଳ କଲେ । ମୋର ଧର୍ମ ହିଁ ସନାତନ ଧର୍ମ ବୋଲି ଚଳିବାକୁ ଆରମ୍ଭ କରିଥିବା ମିଛ କଥାଟା ବୋଧହୁଏ ସେଇଥିରୁ ହିଁ ଜନ୍ମଲାଭ କଲା ଓ ଏହି ଦେଶରେ ବହୁ ଜଡ଼ତାକୁ ପ୍ରଶ୍ରୟ ଦେଇଥିଲା । ଭାରତବର୍ଷ ବର୍ତ୍ତମାନ ସେହି ଜଡ଼ତାଗୁଡ଼ିକ ଭିତରେ ଅତ୍ୟନ୍ତ ଭାବପ୍ରକାଶ ଭାବରେ ବାନ୍ଧିହୋଇ ରହିଛି ।

 

୧୯. ୭.୯୮

 

ସାହିତ୍ୟ ଭଲ ଲାଗେ, ହୃଦୟକୁ ଛୁଏଁ,–ଆଖିଟା କେଡ଼େ ସହଜପ୍ରେରିତ ଭାବରେ ଛଳଛଳ ହୋଇଆସେ । ଭିତରେ କେତେ ଗଣ୍ଠି ଏକାବେଳେକେ ଫିଟିଯାଏ । ଗୋଟାସୁଦ୍ଧା ଘରକୁ ଫେରି ଆସିଥିବାପରି ଲାଗୁଥାଏ । ସାରା ପୃଥିବୀରେ ଯେ ଗଦା ଗଦା ସାହିତ୍ୟ ଲେଖା ହୋଇଛି ଓ ହେଉଛି, ମଣିଷମାନଙ୍କର ଏହିପରି ହାଲୁକା ହୋଇଯିବାରେ ତାହା କେଡ଼େ ଝଅଟ ସାହାଯ୍ୟ କରୁଛି, କେଉଁଠାରେ କେଉଁ ବନମାନେ ଦଗ୍ଧ ହୋଇ ଯାଉଥିବା ସମୟରେ ଏଣେ ଚନ୍ଦନ ଆଣି ଲେପି ଦେଉଛି, ସେଇଥିଲାଗି ସିନା ଏହି ପୃଥିବୀରେ ମଣିଷମାନେ ସାହିତ୍ୟକୁ ଏତେ ଆଦର କରୁଛନ୍ତି । କେଡ଼େ ଆଣ୍ଟ ସହିତ କହି ପାରୁଛନ୍ତି, ଯେଉଁ ଜାତିର ସାହିତ୍ୟ ଯେତେ ଉଚ୍ଚ, ସେହି ଜାତି ସେତିକି ସିଦ୍ଧି ହାସଲ କରି ପାରିଛି ।

 

ଗଣ୍ଠି ଫିଟିଯାଉଛି, ପୁଣି ପଡ଼ିଯାଉଛି । ପୁଣି ଗଣ୍ଠିଗୁଡ଼ାକୁ ଖୋଲିଦେଇ ପାରିବା ନିମନ୍ତେ ପୁଣି ସାହିତ୍ୟ ଲୋଡ଼ା ହେଉଛି । ଏହିପରି ଭାବରେ ମଣିଷର ଏକ ଅନ୍ତର୍ଗତ ଅସହାୟତା ଯେତିକି ଯେତିକି ଲଟେଇ ଲଟେଇ ଯାଉଛି, ଏଣେ ସାହିତ୍ୟଟା ମଧ୍ୟ ସେତିକି ସେତିକି ଲଟେଇବାରେ ଲାଗିଛି । ପଦ୍ୟ ଗଦ୍ୟକୁ ଲଟେଇଛି, କବିତା ଗଳ୍ପ, ଉପନ୍ୟାସ, ନାଟକ ଓ ଆହୁରି କେତେ କ’ଣ ଭିତରକୁ ଲଟେଇ ଯିବାରେ ଲାଗିଛି । ମଣିଷର ହୃଦୟ ଭିତରଟା ଯେ କେତେ ସାମର୍ଥ୍ୟଯୁକ୍ତ, କ୍ରମେ ଶଗଡ଼ ଶଗଡ଼ ହୋଇ ବାହାରୁଥିବା ସାହିତ୍ୟ ତାହା ପ୍ରମାଣ କରି ଦେଉନାହିଁ କି ? ଏବଂ, ଏହି ଆଧୁନିକ ଯୁଗରେ ମଣିଷର ମନଟା ବହୁ ପାରିବାପଣରେ ବଳିୟାର ହୋଇ ମଣିଷର ହୃଦୟକୁ ବାଟ ଦେଖାଇବାଲାଗି ସାଜସରଞ୍ଜାମ ଧରି ବାହାରି ପାରୁଥିବା ସଙ୍ଗେ ସଙ୍ଗେ ଆଧୁନିକ ସାହିତ୍ୟ ମଧ୍ୟ କେଡ଼େ ବହୁଳ ଏବଂ ବିଚିତ୍ର ଭାବରେ ମଞ୍ଜୁଳ ହୋଇ ପାରୁଛି । ମାତ୍ର, ଗଣ୍ଠି ଫିଟୁଥିବାପରି ଯେତିକି ଲାଗୁଛି, ଏଣେ ଗଣ୍ଠିଗୁଡ଼ାକ ସେତିକି ସେତିକି ପଡ଼ିଯିବାରେ ବି ଲାଗିଛି । ନିଜ ଭିତରକୁ ଯାଇପାରିବା ନିମନ୍ତେ ସାହିତ୍ୟ ମଣିଷକୁ ଯେତିକି ଯେତିକି ଅଧିକ ଅଧିକ ପାଠମାନ ବତାଇ ଦେବାରେ ଲାଗିଛି, ତେଣେ ମଣିଷ ନିଜପାଖରେ ସତେଅବା ସେତିକି ଅଧିକ ପରିମାଣରେ ଅଚିହ୍ନା ହେବାର ମଧ୍ୟ ଲାଗିଛି । ପୃଥିବୀରେ ଭୟ ବଢ଼ୁଛି, ଦୂରତା ବଢ଼ୁଛି, କପଟ ବଢ଼ୁଛି । କ୍ଷମତାମାନଙ୍କ ପାଖରେ ମଣିଷ ସେତିକି ଅକର୍ତ୍ତବ୍ୟ ହୋଇ ପଡ଼ୁଛି । ରାଷ୍ଟ୍ରର ବଳ, ଅସ୍ତ୍ରର ବଳ, ଭୋଗ ଏବଂ ବିନୋଦନର ବଳ ବଢ଼ିବା ସଙ୍ଗେ ସଙ୍ଗେ ମଣିଷ ନିଜ ବିଷୟରେ ନିଜ ଭିତରେ ସତେଅବା ଅଧିକ ସନ୍ଦିହାନ୍ ହୋଇପଡ଼ୁଛି । ମୁଁ ଭାବୁଛି, ସାହିତ୍ୟ କ’ଣ ଏହି କ୍ଷେତ୍ରରେ ମଧ୍ୟ କିଛି ବାଟ ବତାଇ ପାରନ୍ତା ନାହିଁ ? ବା, ଆଉ ଏପରି କ’ଣ ସମ୍ପଦଟିଏ ରହିଛି, ଯାହାକୁ ଆୟତ୍ତ କରି ପାରିଲେ ସାହିତ୍ୟ ଲେଖୁଥିବା ମଣିଷ ଏବଂ ସାହିତ୍ୟ ପଢ଼ୁଥିବା ମଣିଷ ଉଭୟେ ଏପରି ଏକ ଶକ୍ତିର ଭାଜନ ହୋଇ ପାରନ୍ତେ, ଯାହାଦ୍ୱାରା ଗଣ୍ଠି ଖୋଲିଯିବା ପରେ ଆଉ ମୋଟେ ପଡ଼ିବାକୁ ମନ କରନ୍ତାନାହିଁ ? ପ୍ରକୃତରେ କାହାର ହୋଇଗଲେ ମଣିଷ ସତକୁ ସତ ଗୋଟାସୁଦ୍ଧା ନିଜର ହୋଇ ପାରନ୍ତା ?

 

୨୦. ୭. ୯୮

 

ସାଗର ଭିତରେ କେତେ କୁଆଡ଼ୁ ଆସି ନଦୀମାନେ ପଡ଼ିଥାନ୍ତି । ନଦୀମାନେ ନିଜ ସହିତ କେତେ କୁଆଡ଼ର ଅଳିଆମଳିଆ ବୋହି ଆଣିଥାନ୍ତି । ମାତ୍ର ସମୁଦ୍ରରେ ପଡ଼ିବା ପରେ ସେହିସବୁ ଅଳିଆ କୁଆଡ଼େ ଖପିଯାଏ । ସମୁଦ୍ର ସେହି ସବୁକିଛିକୁ ନିଜ ଭିତରେ ସମାହିତ କରିନିଏ-। ମଣିଷ ସେହି ସାଗରପରି ହିଁ ହେବ ବୋଲି ଦାର୍ଶନିକ ନୀତଶେ କୌଣସି ଏକ ଅବସରରେ କହିଛନ୍ତି । ଆମେ ସାଗରପରି ହେବା, ତେବେ ନାନା ସଂସ୍ରବର ନଦୀମାନେ ହୁଏତ କେତେ କେତେ ମଳିକୁ ନିଜସହିତ ଆଣି ଆମ ସାଙ୍ଗରେ ମିଶିବେ । ତଥାପି ଆମକୁ ଗୋଳିଆ କରି ପାରିବେନାହିଁ । ନୀତଶେଙ୍କର ଏହି ଉକ୍ତିଟି ମୋତେ ଭାରି ଭଲ ଲାଗିଲା ।

 

ଅନେକ ମଣିଷ କ’ଣ ପାଇଁ ସାରା ଜୀବନ ନଦୀଟିଏ ହୋଇ ରହିବାକୁ ଚାହୁଁଥାନ୍ତି, ସାଗରଟିଏ ହେବାକୁ ସଙ୍କୋଚ ପ୍ରକାଶ କରନ୍ତି । ଅନ୍ୟ ନଦୀମାନଙ୍କୁ ଭୟ କରନ୍ତି । ସେମାନଙ୍କ ସହିତ ଯାବତୀୟ ସଂସ୍ରବକୁ ଏଡ଼ି ଦେବାକୁ ଇଚ୍ଛା କରୁଥାନ୍ତି । ଅନ୍ୟ ନଦୀଗୁଡ଼ିକରେ ଭର୍ତ୍ତି ହୋଇ ରହିଥିବା ଗୋଳିଆଗୁଡ଼ାକ ହୁଏତ ସେମାନଙ୍କୁ ଭୂତପରି ଗୋଡ଼ାଇଥାଆନ୍ତି,–ସେମାନେ ତଥାପି ସାଗରଟିଏ ହେବାର ସାହସ କରି ପାରିନ୍ତିନାହିଁ । ସତେଅବା ଶୁଦ୍ଧ ନଦୀଟିଏ ହୋଇ ରହିବେ ବୋଲି ତପସ୍ୟା କରୁଥାଆନ୍ତି । ଯେଉଁ ଶୁଦ୍ଧତା ଅଶୁଦ୍ଧତାକୁ ଡରେ, ସିଏ କେବେହେଲେ ଏକ ସାଗରରେ ପରିଣତ ହୋଇ ପାରେନାହିଁ । ସାଗର ହୋଇ ନପାରିବାର ଏହି ଦୁର୍ଭାଗ୍ୟ କ’ଣ ଅନେକ ମଣିଷଙ୍କୁ ସଂସାର ଭିତରୁ କୌଣସି ନିକାଞ୍ଚନକୁ ପଳାଇ ଯିବାରେ ପ୍ରେରଣା ଦିଏ କି ? ପଳାଇ ଯିବାକୁ ହିଁ ଶୁଦ୍ଧ ରହିବାର ଅମୋଘ ପଥ ବୋଲି ଭାବୁଥିବା ମଣିଷମାନେ ପ୍ରକୃତରେ ଭାରି ଉତ୍ପୀଡ଼ିତ ହୋଇ ରହୁଥିବେ । ଭାତରବର୍ଷର ଯେଉଁ ଗୁରୁମାନେ ନିଜକୁ ଏକ ସାଗରରେ ପରିବର୍ତ୍ତିତ କରି ପାରିଲେନାହିଁ, ହୁଏତ ସେହିମାନେ ହିଁ ନିଜନିଜର ଏକ ସମ୍ପ୍ରଦାୟ ଗଢ଼ିଲେ । ନଦୀର ନିରାପତ୍ତା ସେମାନଙ୍କୁ କ’ଣ ପାଇଁ ଏତେ ଭଲ ଲାଗିଲା କେଜାଣି ? ଭାରତର ସମ୍ପ୍ରଦାୟମାନେ ଏଠି ଆମର ସାମୂହିକ ନିୟତିଗୁଡ଼ିକରୁ ଅସଲ ସାଗରଗୁଡ଼ିକୁ ବହିଷ୍କୃତ କରି ରଖିନାହାନ୍ତି ତ ? ସଂପ୍ରତି ଭାରତରେ ଯେଉଁ ସମ୍ପ୍ରଦାୟମାନେ ନିଜ ନିଜର କ୍ଷେତ୍ର ଓ ପୀଠକୁ ସତେଅବା ପୃଥିବୀର କେନ୍ଦ୍ର ବୋଲି ମଣି ଖୁସି ହେଉଛନ୍ତି, ସେମାନେ ତଥାପି ସାଗରର ଧର୍ମକୁ ଗ୍ରହଣ କରିବାଲାଗି କ’ଣ ଚେଷ୍ଟା କରି ପାରନ୍ତେନାହିଁ ? ତାହା ଫଳରେ ଯାହା, ସମ୍ଭବ ହୁଅନ୍ତା, ତାହା ଏକ ତଥାକଥିତ ସମନ୍ଵୟ ଅପେକ୍ଷା ବହୁତ ଅଧିକ ବି ହୁଅନ୍ତା । ସହିଷ୍ଣୁତା ବଢ଼ନ୍ତା, ଗ୍ରହଣଶୀଳତା ବୃଦ୍ଧି ପାଆନ୍ତା,–ତାହା ଆମର ସାମାଜିକ ନିତ୍ୟଦିନର ଜୀବନରେ ମଧ୍ୟ ନାନା ନୂତନ ଆକାଙ୍‌କ୍ଷାକୁ ଜନ୍ମ ଦେଇ ପାରନ୍ତା । ତେଣୁ, ନଦୀମାନେ ସମୁଦ୍ର ହେବାର ତପସ୍ୟା କରନ୍ତୁ ।

 

୨୧. ୭. ୯୮

 

ତୁମେ ଆମେରିକାର ଦର୍ପଣରେ ଭାରତବର୍ଷକୁ ଦେଖିବ ନା ଭାରତବର୍ଷର ଦର୍ପଣରେ ଆମେରିକାକୁ ଦେଖିବ ? ଭାରତୀୟ ବିଦ୍ୟାଗୁଡ଼ାକ ପ୍ରଧାନତଃ ବଞ୍ଚିବା ପାଇଁ ବହୁଯୁଗ ଧରି କ୍ରମବିବର୍ତ୍ତିତ ହୋଇ ଆସିଛି । ଯେଉଁମାନେ ଭାରତୀୟ ବିଦ୍ୟାକୁ ଆମେରିକାଯାଏ ଆଣି ଭାରତବର୍ଷର ପ୍ରଚାର କରିବାଲାଗି ବେଶି ଉତ୍ସାହ ଦେଖାଇଛନ୍ତି, ସେମାନେ ପ୍ରଧାନତଃ ନିଜ ଭିତରେ କେଉଁଠି ଡୋରଛିଣ୍ଡା ହୋଇ ରହିଥାଆନ୍ତି ବୋଲି ସେପରି କରନ୍ତି କି ? ଆଗେ ଯେଉଁ ମିଶନାରିମାନେ ନିଜ ଧର୍ମଟାକୁ ନେଇ ଅନ୍ୟମାନଙ୍କ ଉପରେ ଲଦି ଦେବାକୁ ବିଦେଶଯାତ୍ରା କରୁଥିଲେ, ସେମାନେ ହୁଏତ ନିଜଭିତରେ କେଉଁଠାରେ ଡୋରଛିଣ୍ଡା ହୋଇ ରହିଥିଲେ । ଭାରତର ଭାଗ୍ୟବାନ୍‌ମାନେ ଭାରତବର୍ଷର ଦର୍ପଣ ଉପରେ ଦେଖୁଥିବା ସତ୍ୟଗୁଡ଼ିକୁ ସବାଆଗ ନିଜ ଜୀବନରେ ବଞ୍ଚି ପାରୁଥିଲେ ଭାରତବର୍ଷ କେଡ଼େ ଅନ୍ୟପ୍ରକାରେ ଦେଖା ଯାଉଥାଆନ୍ତା ! ଯାହାର ସତକୁ ସତ ଘରଟିଏ ଅଛି, ସିଏ ଏପରି ଭାବରେ ସେହି ଘରଭିତରେ ଜୀବନଟିଏ ବଞ୍ଚୁଥାଆନ୍ତା ଯେ, ପୃଥିବୀଯାକ ସମସ୍ତେ ଆକୃଷ୍ଟ ହୋଇ ତା’ ଘରକୁ ଆସୁଥାନ୍ତେ । ତା’ର ଜୀବନଟା ହିଁ ତା’ର ଦେଶ ଓ ତା’ର ସଂସ୍କୃତି ବିଷୟରେ ସତକୁ ସତ ବହିଟିଏ ହୋଇ ରହିଥାନ୍ତା । ଏବଂ, ସେହି ବହିକୁ ଖାଲି ସିଏ ନିଜେ ନୁହେଁ, ପୃଥିବୀ ତମାମ୍ ମଣିଷମାନେ ପଢ଼ି ପାରୁଥାନ୍ତେ ।

 

କୌଣସି ମଣିଷର ଭିତରକୁ ଅନାଇଲେ ମୋତେ ବହିଟିଏ ଦେଖାଯାଏ । ମୁଁ ପଢ଼ୁଥିବା ଯେକୌଣସି ବହିଠାରୁ ମଣିଷରୂପକ ଏହି ବହିମାନେ ମୋତେ ଅଧିକ ପ୍ରତ୍ୟକ୍ଷ ହୋଇ ଦିଶନ୍ତି । ସମ୍ଭବତଃ ସେହି କାରଣରୁ ଏଡ଼େ ପ୍ରିୟ ଦିଶନ୍ତି, ଏଡ଼େ ପ୍ରିୟ ଲାଗନ୍ତି । ପୃଥିବୀରେ ବହିମାନଙ୍କୁ ପଢ଼ି ମୁଁ ବହୁତ ଉପକୃତ ହୋଇଛି, ମାତ୍ର ମନୁଷ୍ୟମାନଙ୍କର ସମ୍ପର୍କରେ ଆସି ତା’ଠାରୁ ବହୁଗୁଣ ଅଧିକ ଉପକୃତ ହୋଇଛି । ଏବଂ, ବହିମାନଙ୍କୁ ମଧ୍ୟ ମୁଁ ଏପରି ପଢ଼ିଛି, ଯାହାଦ୍ଵାରା ମଣିଷମାନେ ହିଁ ମୋ’ର ଅଧିକ ନିକଟବର୍ତ୍ତୀ ହୋଇ ଆସିଛନ୍ତି । ବହିରୁ ମୁଁ culture ବିଷୟରେ ପଢ଼ିଛି, ମାତ୍ର ମଣିଷମାନଙ୍କ ସହିତ ମୋ’ର ପରିଚୟ ଯେତେ ଅନ୍ତରଙ୍ଗ ହୋଇଛି, ମଣିଷମାନଙ୍କୁ ପ୍ରତ୍ୟକ୍ଷ କରି ଏକ culture beyond culture ବିଷୟରେ ମୁଁ ସେତେ ଅବଗତ ହୋଇ ପାରିଛି । ତାହାକୁ ହିଁ ଜୀବନର ଉଚିତ୍ ପାଠଶାଳା ବୋଲି ଗ୍ରହଣ କରିବାକୁ ମୋ’ ଭିତରୁ ମୁଁ ଉଦବୋଧନ ପାଇ ଆସିଛି । ଏହି culture beyond cultureର ଦର୍ପଣ ଉପରେ ମଣିଷର cultureଗୁଡ଼ିକୁ ଦେଖିଲେ ମଣିଷ ମୋଟେ ଉଦାସୀନ ହୋଇ ପଳାଏନାହିଁ, ମୋଟେ ବୈରାଗୀ ହୁଏନାହିଁ, ନିଜର cultureଗୁଡ଼ିକୁ ମଧ୍ୟ ସିଏ ଅଧିକ ବ୍ୟାପ୍ତି ଏବଂ ଗଭୀରତା ଦେଇ ଅନୁଭବ କରିବାର ବିଦ୍ୟାଟିକୁ ପଢ଼ିବାକୁ ଆରମ୍ଭ କରେ ।

 

୨୨. ୭. ୯୮

 

କାନ୍ଥରେ ଯେଉଁ ଫଟୋଟି ଟଙ୍ଗା ହୋଇ ଚକଚକ ଦେଖାଯାଉଛି ସେଥିରେ କୃଷ୍ଣ ସାରଥି ହୋଇ ବସିଛନ୍ତି ଓ ଅର୍ଜୁନ ରଥରେ ବସିଛନ୍ତି । ଶ୍ରୀକୃଷ୍ଣ ଗୀତା କହୁଛନ୍ତି, ଅର୍ଜୁନ ଶୁଣୁଛନ୍ତି । ଏବେ ତ କଟକର ତାରକସୀ କାରିଗରମାନେ ବି ରୂପାରେ ମହାଭାରତ-ସମରର ଏହି ନିତ୍ୟ ସ୍ମରଣୀୟ ଦୃଶ୍ୟଟିକୁ ଏକ ସୁଦୃଶ୍ୟ ଦ୍ରବ୍ୟରୂପେ ଗଢ଼ିଦେଇ ପାରିଲେଣି । ଗୀତା ହିନ୍ଦୁମାନଙ୍କର ଏକ ପବିତ୍ର ଶାସ୍ତ୍ରରୂପେ ଗଣା ହୋଇ ଆସିଛି । ଏବଂ ବହୁତ ହିନ୍ଦୁ ଅଛନ୍ତି, ଯେଉଁମାନେ ଗୀତାପାଠକୁ ଦିନମାନର ନାନା ବ୍ୟସ୍ତତା ଭିତରେ ଥାଇ ମଧ୍ୟ ଏକ ନିତ୍ୟପଠନ ରୂପେ ଗ୍ରହଣ କରି ନେଇଛନ୍ତି । ଗୀତାକୁ ଗାଭୀ ବୋଲି କୁହାଯାଇଛି, ମାତା ବୋଲି ମଧ୍ୟ କୁହାଯାଇଛି । କୁରୁକ୍ଷେତ୍ରରେ ସେହି ଘଟଣାଟି ଏକ myth ରୂପେ ଆମ ସାଂସ୍କୃତିକ ଉତ୍ତରାଧିକାର ମଧ୍ୟକୁ ଆସିଥିଲେ ମଧ୍ୟ ଆମ ଜୀବନ ସହିତ ତାହାର ମାହାତ୍ମ୍ୟଟି କେତେପ୍ରକାରେ ଯୋଡ଼ି ହୋଇ ରହିଛି ।

 

ଯଦି ମୁଁ ଗୀତାନାମକ ସେହି ଆହ୍ଵାନଟି ମଧ୍ୟକୁ ଏତେ କିଞ୍ଚିତ୍ ପରିମାଣରେ ମଧ୍ୟ ପ୍ରବେଶ କରିଥିବି, ଯଦି ଗୀତା ମୋ’ ଜୀବନ ଭିତରକୁ ପଦେମାତ୍ର ବି ପ୍ରବେଶ କରିଥିବ, ତେବେ ମୋ’ ପାଇଁ ତାହା କେଡ଼େ ସ୍ଵାଭାବିକ ଭାବରେ ଏକ ନୌକାରେ ପରିଣତ ହୋଇ ରହିପାରିବ,–ମୋତେ କେତେ ନଦୀକୁ ଅତିକ୍ରମ କରାଇନେବ । ଯଦି କୃଷ୍ଣନାମକ ସେହି mythଟି ସହିତ ମୋ’ର କିଞ୍ଚିତ୍‍ ସ୍ପର୍ଶ ମଧ୍ୟ ସମ୍ଭବ ହୋଇଥିବ, ତେବେ ସିଏ ମୋତେ ଏତେ ପ୍ରତ୍ୟକ୍ଷ ଭାବରେ ଆକର୍ଷଣ କରିବାରେ ଲାଗିବ ଯେ, ହୁଏତ ମୁଁ ବାଟ ଛାଡ଼ିଦେଇ ପାରିଲେ ସିଏ ମୋ’ ଜୀବନରେ ଅନେକ ମୁକ୍ତିର କାରଣ ହୋଇପାରିବେ । ମୋ’ ଜୀବନର ଏହି ବିବିଧ ପାହାଚଗୁଡ଼ିକ ସତେଅବା ତାଙ୍କରି ଯାଏ ପଡ଼ିଥିବାପରି ବୋଧ ହେବ ଏବଂ ମୋତେ କେଡ଼େ ସହଜରେ ସେମାନେ ଅଗ୍ରସର କରାଇନେଇ ଯାଉଥିବେ । ତା’ପରେ ଅର୍ଜୁନ ଏବଂ କୃଷ୍ଣଙ୍କର ସେହି କୁରୁକ୍ଷେତ୍ର-ଆଖ୍ୟାନଟିକୁ କାନ୍ଥରେ ଆଣି ଝୁଲାଇବା ପାଇଁ ମୋ’ର କେବେହେଲେ ମନ ହେବନାହିଁ । ଯେଉଁମାନେ ତାଙ୍କୁ ଗୋଟିଏ ଚିତ୍ରପଟ ରୂପେ ନିଜ କାନ୍ଥରେ ଆଣି ଝୁଲାଇବାକୁ ମନ କରନ୍ତି, ସେମାନେ କ’ଣ ସତକୁ ସତ କୃଷ୍ଣଙ୍କଦ୍ଵାରା ଆକର୍ଷିତ ହୋଇଥାନ୍ତି ? ଗୋପୀମାନେ ସେଯୁଗରେ କୃଷ୍ଣଙ୍କର ଚିତ୍ରକୁ କାନ୍ଥରେ ଆଣି ଝୁଲାଇ ରଖୁଥିଲେ ଓ ସେହିପରି କରି ନିଜ ଗୃହାଭ୍ୟନ୍ତରର ଶୋଭା ବଢ଼ାଉଥିଲେ କି ନାହିଁ, ସେହି ବିଷୟରେ ଭାଗବତ-ପୁରାଣରେ ଅବଶ୍ୟ ଆଦୌ କିଛି ଲେଖା ହୋଇନାହିଁ । ଏହି ଚିତ୍ରପଟ ସମେତ ଆଉ ସବୁକିଛି ଦ୍ରବ୍ୟ ସେହି ପାଖକୁ ଯିବାପାଇଁ ହିଁ ଗୋଟିଏ ଗୋଟିଏ ପ୍ରତୀକରୂପେ ଉଦ୍‌ଭାସିତ ହୋଇଥିଲେ ସତ, ମାତ୍ର ଆମର ଏହି ପୃଥିବୀରେ ବହୁତ ମଣିଷ ସେହି ତୁଚ୍ଛା ପ୍ରତୀକ ପାଖରେ ରହିଗଲେ କାହିଁକି ? ସେମାନେ କୃଷ୍ଣଙ୍କୁ ନିମିତ୍ତପରି ବ୍ୟବହାର କରି ନିଜର ଆଉଗୋଟିଏ କ’ଣର ପରିଚର୍ଯ୍ୟା କରିବାକୁ ଇଚ୍ଛା କରୁଥିଲେ କି ? ଅନେକଙ୍କ ଘରେ ମନୁଷ୍ୟମାନଙ୍କର ଏହିସବୁ କାନ୍ଥସଉକ ଦେଖି ମୁଁ ଏହିଭଳି ଭାବିବାକୁ ଆରମ୍ଭ କରିଦିଏ ।

 

୨୩. ୭. ୯୮

 

ଏପରି ଗୋଟିଏ ସଂସ୍କୃତି ସବୁଠାରେ ସବୁବେଳେ ରହିଛି, ଯାହାକୁ କି ପୃଥିବୀ ଯେକୌଣସି ସ୍ଥାନରେ ଅବଶ୍ୟ ବଞ୍ଚିହେବ । ସମ୍ଭବତଃ ଯଥେଷ୍ଟ ଦୃଢ଼ତାର ସହିତ ଏପରି ମଧ୍ୟ କହିହେବ ଯେ, ସେହି ଅସଲ ସଂସ୍କୃତିର ମୂଳଟିଏ ବା ବାସନାଟିଏ ଆମଭିତରେ ରହିଛି ବୋଲି ଆମେ ଆମର ସ୍ଥାନୀୟ ସଂସ୍କୃତିଗୁଡ଼ିକୁ ବି ପ୍ରାଣବନ୍ତ ଓ ପୂର୍ଣ୍ଣସମ୍ମତ ଭାବରେ ବଞ୍ଚିପାରୁଛୁ । ମଣିଷର ହୃଦୟଭିତରେ ଅସଲ ଘରଟିଏ ସମ୍ଭବ ହୋଇ ପାରିଥିଲେ ସିଏ ଯେପରି ସବୁ ଘରେ ନିଜକୁ ପରିଚିତ କରାଇନେଇ ପାରୁଛି, ଇଏ ହେଉଛି ପ୍ରାୟ ସେହିପରି କଥାଟିଏ । ମାତ୍ର, ଏକ ସ୍ଥାନୀୟ ସଂସ୍କୃତିକୁ ସିନା ସେହି ସ୍ଥାନରେ ବଞ୍ଚି ହେବ,–ତାହାକୁ ପୃଥିବୀର ଅନ୍ୟଏକ ଥାନରେ ପ୍ରକୃତରେ କିପରି ବଞ୍ଚି ହେବ ?

 

ଓଡ଼ିଶାର ସଂସ୍କୃତିକୁ ଆମେରିକାରେ କିପରି ବଞ୍ଚି ହେବ ? ଓଡ଼ିଶାରୁ ଆମେରିକାକୁ ଆସିବା ସମୟରେ ସତେଅବା କେଉଁ ଏକ ସିଦ୍ଧିର ଆକର୍ଷଣରେ ଯେଉଁମାନେ ଏହି ପ୍ରବାସକୁ ଆସିଥିଲେ, ସେମାନେ ସେଠି ନିଜ ଘର ବିଷୟରେ ହୁଏତ ଖୁବ୍ ନିରାଶ ହୋଇ ଆସିଥିଲେ । ଓଡ଼ିଶା ସେମାନଙ୍କୁ ଯେତିକି ଯୋଗାଇ ପାରୁଥିଲା, ସେମାନେ ତାହାକୁ ଯଥେଷ୍ଟ ବୋଲି ମନେ କଲେନାହିଁ ଓ ତେଣୁ ଓଡ଼ିଶା ଛାଡ଼ି ଆମେରିକାକୁ ମନ କଲେ । ପ୍ରାୟ ଏକ ବାଣିଜ୍ୟିକ ଅଭିପ୍ରାୟ ଦ୍ଵାରା ପରିଚାଳିତ ହୋଇ ସେମାନେ ଆମେରିକାର ନାଗରିକ ହେଲେ । ଆମେରିକାର ନାଗରିକ ହେବାରେ ଯେ ଏକ ଆହ୍ଵାନ ରହିଛି, ଏମାନେ ସେବିଷୟରେ ସେତେବେଳେ ଚିନ୍ତା କରିନଥିଲେ । ଜଣେ ଆମେରିକାବାସୀ ଏଠା ମାଟିଟି ପ୍ରତି ଯେଉଁ ଆନୁଗତ୍ୟ ଅନୁଭବ କରୁଛି, ସେଇଟିକୁ ଏଠାରେ ନାଗରିକତାର overcoat ପିନ୍ଧି ବାସ କରୁଥିବା ଜଣେ ଓଡ଼ିଆ କାହୁଁ ଅନୁଭବ କରି ପାରିବ । ସମ୍ଭବତଃ ତାହାହିଁ କାଳ ହେଲା । ଆମେରିକା ନାମକ ଦୋକାନରେ ଗର୍‌ହାକ ହୋଇ ମଧ୍ୟ ତଥାପି ଓଡ଼ିଶା ସହିତ ଲାଗିଥିବା ନାହିଁଟି ତଥାପି କଟା ହୋଇ ପାରିଲାନାହିଁ । ତେଣୁ ପଛଟା ଖୁବ୍ ଟାଣିଲା । ମଣିଷମାନଙ୍କୁ ଏଠି ଥାଇ ସେଠାମୁହାଁ କରି ରଖିଲା । ଏହାକୁ ମଧ୍ୟ ହୁଏତ ଗୋଟାଏ ପ୍ରକାରର ଦୁର୍ଦ୍ଦଶା ବୋଲି କୁହାଯାଇ ପାରିବ । ବାହ୍ୟ ଅଭ୍ୟସ୍ତତା ଗୁଡ଼ାକୁ ଆମେରିକାର ଢଙ୍ଗରେ ଯେତେ ବାଗେଇ ନେବାକୁ ଚେଷ୍ଟା କଲେ ମଧ୍ୟ ତଥାପି ନିଜକୁ ଆମେରିକାଲାଗି ସାଧ୍ୟ କରି ହେଲାନାହିଁ । ହୁଏତ ଠିକ୍ ସେତିକିବେଳେ ଜଗନ୍ନାଥ ମନେପଡ଼ିଲେ । ଓଡ଼ିଆମାନଙ୍କୁ ନେଇ ଏଠାରେ ଗୋଟିଏ ସଂଗଠନ ତିଆରି କରିବାକୁ ସରାଗ ହେଲା । ଓଡ଼ିଶାର କିଛି ଉପକାର କରିହେବ ବୋଲି ଏଠାରେ ଥାଇ ମଧ୍ୟ ଚିନ୍ତା କରିବାକୁ ଭଲ ଲାଗିଲା । ମାତ୍ର, ଅସଲ alienationଟି ଯେତେ ଭିତରେ ଯାଇ ରହିଛି, ସେଯାଏ ପହଞ୍ଚି ହେଲାନାହିଁ । ତେଣୁ, ଗୋଟାଏ କୃତ୍ରିମତା ଗ୍ରାସ କରି ରହିଲା । ଏକ ଅସହାୟତା ଗ୍ରାସ କରିବାକୁ ଆସିଲା । ଏଠାରେ ଅନ୍ୟପ୍ରକାରେ ବଢ଼ୁଥିବା ନିଜର ପିଲାମାନଙ୍କୁ ଅନାଇ ହୁଏତ ଆହୁରି ଅଧିକ ଅସହାୟ ଲାଗିଲା । ଅସଲ ଦଉଡ଼ିଗୁଡ଼ାକ ହାତରୁ ବାହାର ହୋଇଗଲା କି ? –ବୋଲି ଭାରି କ୍ଷୁବ୍ଧ ହୋଇ ନିଜକୁ ପଚାରିବାକୁ ମନହେଲା ।

 

୨୪. ୭. ୯୮

 

ବହିରୁ ପଢ଼ିଲି, ଆମେରିକାର ସମସାମୟିକ ସମାଜ ଏବଂ ଆଗ୍ରହଗୁଡ଼ିକୁ ଯଥେଷ୍ଟ ଏବଂ ସମଗ୍ର ବୋଲି ଅନୁଭବ କଲେନାହିଁ ବୋଲି ଏଠା ଦାର୍ଶନିକ ଓ ଦର୍ଶନଛାତ୍ରମାନେ ଭାରତୀୟ ବିଦ୍ୟାର ଅଧ୍ୟୟନ ଆଡ଼କୁ ଆକୃଷ୍ଟ ହୋଇଥିଲେ । ଆଗରୁ ପଢ଼ିଥିଲି, ଇଉରୋପରେ ମଧ୍ୟ ସେହିପରି ଏକ ପରିସ୍ଥିତିଦ୍ଵାରା ନିରାଶପ୍ରାୟ ହୋଇ ଇଉରୋପର ବହୁ ବିଦ୍ଵାନ୍ ଭାରତୀୟ ଧର୍ମ, ସାହିତ୍ୟ ଏବଂ ଦର୍ଶନ ଆଡ଼କୁ ଏକଦା ଟାଣି ହୋଇ ଯାଇଥିଲେ । ଏବଂ, ଇଉରୋପ ତଥା ଆମେରିକାର ଯାବତୀୟ ବିଦ୍ୟା ଆଡ଼କୁ ଗତ ପ୍ରାୟ ଦେଢ଼ଶହ ବର୍ଷ ହେଲା ଭାରତବର୍ଷ ଯେ ଆକୃଷ୍ଟ ହୋଇ ଆସୁଛି, ତା’ପଛରେ କ’ଣ ବା କ’ଣସବୁ କାରଣ ରହିଛି ? ଏକଥା ଏକାନ୍ତ ସତ୍ୟ ଯେ, ଭାରତ ଗୋଟିଏ ଉପନିବେଶ ହୋଇ ରହିଥିବା ସମୟରେ ଭାରତୀୟମାନେ ଇଉରୋପୀୟ ଇତିହାସ, ସାହିତ୍ୟ ଏବଂ ଦର୍ଶନଗୁଡ଼ିକର ଅଧ୍ୟୟନ କରିବାଲାଗି ଶାସନ କରୁଥିବା କର୍ତ୍ତାମାନଙ୍କଦ୍ଵାରା ବାଧ୍ୟ ହୋଇଥିଲେ । ମାତ୍ର, ଆନନ୍ଦର ବିଷୟ, ଔପନିବେଶିକତାର ରଜ୍ଜୁଗୁଡ଼ିକ ଛିଣ୍ଡିଯିବା ପରେ ମଧ୍ୟ ସେହିସବୁ ଅଧ୍ୟୟନଲାଗି ଆଗ୍ରହ ଉତ୍ତରୋତ୍ତର ବଢ଼ିବାରେ ଲାଗିଛି । ପୃଥିବୀର ପ୍ରାୟ ସବୁଠାରେ ମନୁଷ୍ୟର ଆଖିଗୁଡ଼ିକୁ ଲମ୍ବିଯିବା ପରେ ପ୍ରତିବେଶୀକୁ ଜାଣିବା ଏବଂ ବୁଝିବାପାଇଁ ଏବଂ ଏହି ଜାଣିବା ଓ ବୁଝିବାଦ୍ଵାରା ଉପକୃତ ହେବାପାଇଁ ଏକ ଆଗ୍ରହ ଜନ୍ମଲାଭ କରିଛି ଓ ତାହାରିଦ୍ଵାରା ପୃଥିବୀଯାକର ବିଦ୍ୟା ଓ ଆଗ୍ରହମାନେ ପରସ୍ପର ଆଡ଼କୁ ଟାଣି ହୋଇ ଆସୁଛନ୍ତି ।

 

ମୁଁ ନିଜେ କାହିଁକି ଇଉରୋପ ଓ ଆମେରିକାର ବିଚାର ଏବଂ ମଣିଷ ଆଡ଼କୁ ଆକୃଷ୍ଟ ହୋଇଛି ? ଭାରତୀୟ ବିଦ୍ୟା ପୃଥିବୀର ଶ୍ରେଷ୍ଠତମ ବିଦ୍ୟା ବୋଲି ନିଜଭିତରେ ରହିଥିବା ଏକ ଆତ୍ମସନ୍ତୋଷକୁ ଆହୁରି ଅଧିକ ସାକ୍ଷ୍ୟପ୍ରମାଣ ସହିତ ଜାହିର କରିବାକୁ ପ୍ରାଚ୍ୟରୁ ପାଶ୍ଚାତ୍ୟକୁ ଆସିଥିବା ଓ ଆସୁଥିବା ଏକାଧିକ ବ୍ୟକ୍ତିଙ୍କର ଦୃଷ୍ଟାନ୍ତ ମୋ’ ଆଗରେ ରହିଛି । ମୋ’ ମତରେ, ସେମାନେ ଜାଣି ଅଥବା ନଜାଣି ଆଗର ତଥା ଏବର ଖ୍ରୀଷ୍ଟିଆନ୍, ମିଶନାରିମାନଙ୍କର ଅନୁକରଣ କରି ଆସିଛନ୍ତି । ମୁଁ ସେମାନଙ୍କ ମତର ଆଦୌ ନୁହେଁ । ମୋ’ ପାଇଁ ମଣିଷ ଆଗ, ଶାସ୍ତ୍ର ପଛ –ଜାତୀୟତା ସାତ ପଛ । ଯେଉଁଠାରେ ମଣିଷଟିଏ ସହିତ ଆଉଜଣେ ମଣିଷର ସତ ସାକ୍ଷାତ ହୁଏ, ସେତେବେଳେ ଜଣେ ଯେ ଆଉଜଣକୁ କିପରି ଆକାଙ୍କ୍ଷା ନକରିବ, ସେକଥା ମୁଁ କଳ୍ପନା ହିଁ କରି ପାରିବିନାହିଁ । ମଣିଷ ମଣିଷ ମଧ୍ୟରେ ପରିଚୟ ଯେତିକି ଯେତିକି ବଢ଼ୁଥିବ,–ଆଧୁନିକ ପୃଥିବୀରେ ସର୍ବତ୍ର ସବାଆଗ ତାହାହିଁ ହେଉଛି, ପରସ୍ପରକୁ ଜାଣିବାଲାଗି ଏକ ଶ୍ରଦ୍ଧା ସେମାନଙ୍କୁ ପରସ୍ପରର ପାଖକୁ ସେତିକି ଅଧିକ ପାଖକୁ ଟାଣି ଆଣୁଥିବ । ମୋ’ ଘରେ ସବୁକିଛି ଅଛି ବୋଲି କଥାଟା ତାକୁ ସେତିକି ଅଡ଼ୁଆ ଲାଗୁଥିବ । ତା’ପରେ ଭାତରବର୍ଷରୁ ଆମେରିକା ଅବଶ୍ୟ ମାତ୍ର ଖୋଜେ ବାଟପରି ଲାଗିବ,–ଆକୃଷ୍ଟ ହେବା ଏକ ଅବଶ୍ୟକତାରେ ପରିଣତ ହୋଇ ଆସିବ ।

 

୨୫. ୭. ୯୮

 

ଠିକ୍ ଚାଳିଶ ବର୍ଷ ତଳେ ପାସ୍ତର୍‌ନାକ୍‌ଙ୍କର ଡକ୍ଟର ଜିଭାଗୋ ଉପନ୍ୟାସକୁ ଓଡ଼ିଆରେ ଅନୁବାଦ କରିଥିଲି । ସେହି ଉପନ୍ୟାସଟିକୁ ଆଧାର କରି ନିର୍ମାଣ କରା ଯାଇଥିବା ଚଳଚ୍ଚିତ୍ରକୁ କାଲି ଏଠାରେ ଦେଖିଲି ।

 

ଯେଉଁ ବିପ୍ଳବଟିର ପୃଷ୍ଠଭୂମି ଉପରେ ପାସ୍ତର୍‍ନାକ୍ ମନୁଷ୍ୟନିୟତିର ନାଡ଼ୀ ଦେଖିବାକୁ ଚେଷ୍ଟା କରିଛନ୍ତି, ସମସ୍ତେ କହୁଛନ୍ତି, ରୁଷିଆରେ ଏବେ ଯାହାସବୁ ଘଟିଲା, ତଦ୍ଦ୍ଵାରା ଉକ୍ତ ବିପ୍ଳବଟି ଯେ କେଡ଼େ ବିଡ଼ମ୍ବନାପୂର୍ଣ୍ଣଥିଲା, ତାହା ପ୍ରମାଣିତ ହୋଇଗଲା । ଗୋଟାଏ ପ୍ରକାରର ନ୍ୟାୟଦ୍ୱାରା ଏକଥା ମଧ୍ୟ ବୁଝିହେଉଛି ଯେ, କମୁନିଷ୍ଟ ରୁଷିଆରେ ପାସ୍ତର୍‍ନାକ୍ ଓ ତାଙ୍କର ସମଧର୍ମୀ ଶିବିରଟିଦ୍ଵାରା ଯେଉଁ ପ୍ରକ୍ରିୟା ବା ପ୍ରତିକ୍ରିୟାଟି ଏକଦା ଆରମ୍ଭ ହୋଇଥିଲା, ତାହାହିଁ କ୍ରମପରିପକ୍ଵ ହୋଇ ଦେଶରେ କମୁନିଷ୍ଟ ରାଷ୍ଟ୍ରର ବିଲୟ ଘଟାଇଲା । ଏହି ସବୁକିଛି ଅଲବତ ସତ, ମାତ୍ର ତଥାପି ରୁଷିଆରେ ହୋଇଥିବା ବିପ୍ଳବକୁ କ’ଣ ଅନାବଶ୍ୟକ ବୋଲି କୁହାଯାଇ ପାରିବ ? ତୁଚ୍ଛା ହିଂସା ସର୍ବଦା ନାନା ଅମାନୁଷିକତାକୁ ପ୍ରଶ୍ରୟ ଦେବ ଓ ଅନେକ ଅବସରରେ ଅନେକ ଅନୁଚିତତା ଆଡ଼କୁ ଗୋଡ଼ ବି ଖସାଇନେବ । ପ୍ରେମ ଯେ ଘୃଣାଠାରୁ ସବୁବେଳେ ଅଧିକ ଶୁଭଙ୍କର, ସେକଥା ହୁଏତ କମୁନିଷ୍ଟମାନେ ମଧ୍ୟ କେବେ ଅସ୍ଵୀକାର କରିବେନାହିଁ । ମାତ୍ର, ପୃଥିବୀରେ ଏବେ ମଧ୍ୟ ଯେଉଁସବୁ ଅସମାନତା ରହିଛି, ମଣିଷମାନେ ସମ୍ପୂର୍ଣ୍ଣଭାବେ ପ୍ରେମଗୁଣର ଯୋଗ୍ୟ ହେବା ପର୍ଯ୍ୟନ୍ତ ସେଗୁଡ଼ାକ କ’ଣ ତଥାପି ରହିଥିବ ? ଶୋଷଣ ରହିଥିବ, ଅବଜ୍ଞାମାନେ ବି ରହିଥିବେ, ଅଳପ ମଣିଷ ଅଧିକଙ୍କ ନାନା deprivationଦ୍ଵାରା ଜବତ କରି ରଖିଥିବେ । ଏହି କଥାର ଉତ୍ତର ସାଧୁମାନେ ଦେବାକୁ ଇଚ୍ଛା କଲେ ତାହା କେଡ଼େ ଭଲ ନହୁଅନ୍ତା ! ଉପରର ମଣିଷ ଯଥେଷ୍ଟ ଉଦାର ଏବଂ ସ୍ଵାର୍ଥମୁକ୍ତ ନହୋଇଥିବା ପର୍ଯ୍ୟନ୍ତ ତଳର ମଣିଷ କ’ଣ ସହିବାରେ ଲାଗିଥିବ ଏବଂ ଅପେକ୍ଷା କରିଥିବ ? ଯଦି ରୁଷିଆ ଦେଶରେ କମୁନିଷ୍ଟ ବିପ୍ଳବଟି ହୋଇ ନଥାନ୍ତା, ତେବେ ରୁଷିଆରେ କମୁନିଷ୍ଟ ରାଷ୍ଟ୍ରରେ ତଥାପି ଯେ ଅସମ୍ପୂର୍ଣ୍ଣତା ରହିଛି, ସେହି କଥାଟିକୁ କହିବାଲାଗି ବି କିପରି ଏକ କ୍ଷେତ୍ର ପ୍ରସ୍ତୁତ ହୋଇ ପାରିଥାନ୍ତା ? ତେଣୁ ସ୍ଵପ୍ନଚାରୀମାନେ ଏକାଧିକ ଭୁଲ୍‍ କରିବେ, ପ୍ରେମୀମାନେ ପୂର୍ଣ୍ଣଶୁଦ୍ଧ ହେବା ପୂର୍ବରୁ ତଥାପି ବର୍ତ୍ତମାନର ଏହି ପୃଥିବୀକୁ ବଦଳାଇବାକୁ ଆଗଭର ବି ହେବେ । ଏବଂ, ଏହିପରି ଭାବରେ ପାହାଚ ପାହାଚ ହୋଇ ପୃଥିବୀ ଆଗକୁ ଯାଉଥିବ । ଭୁଲ୍ ହେଉଥିବ, ଭୁଲ୍ ସୁଧୁରି ଯାଉଥିବ । ଜଡ଼ତାକୁ ଭୀରୁତାର ଏକ ଅନ୍ୟ ନାମ ବୋଲି କୁହାଯାଇ ପାରିବ । ଭୀରୁମାନେ ଷଡ଼ଯନ୍ତ୍ର କଲାପରି ହୁଏତ ଅନେକ ସମୟରେ ଅହିଂସା, ପ୍ରେମ ଏବଂ ଅକୋଧ୍ରର କଥା କହୁଥିବେ-। ତଥାପି ସାହସୀ ମନୁଷ୍ୟମାନଙ୍କର ପ୍ରୟୋଗ ଚାଲିଥିବ,–ଆଖି ଆଗକୁ ଆଗକୁ ଯାଉଥିବ । ଏକାଧିକ ଅସମ୍ପୂର୍ଣ୍ଣ ସୋପାନ ଦେଇ ପୃଥିବୀ ସମ୍ପୂର୍ଣ୍ଣତା ଆଡ଼କୁ ଅଗ୍ରସର ହେବାରେ ଲାଗିଥିବ ।

 

୨୬. ୭. ୯୮

 

ସବୁ ଝଗଡ଼ା ଖାଲି ବାହ୍ୟଗୁଡ଼ାକୁ ନେଇ । ଯୁଗେ ଯୁଗେ ଯେମିତି, ଆମର ଏଯୁଗରେ ମଧ୍ୟ ସେମିତି । ଆମେରିକାରେ ପଚାଶ ଲକ୍ଷ ସରିକି ମୁସଲମାନ ଅଛନ୍ତି, ଗୋରା ସମ୍ପ୍ରଦାୟ ସେମାନଙ୍କୁ ଉଚିତ ନଜରରେ ଦେଖୁନାହିଁ ବୋଲି ମୁସଲମାନଙ୍କ ତରଫରୁ ଅଭିଯୋଗ କରାଯାଉଛି-। ଇସ୍‌ଲାମ ଧର୍ମ ବିଷୟରେ ଠିକ୍ ଠିକ୍ କଥାଗୁଡ଼ିକୁ ଜାଣି ନଥିବାରୁ ଗୋରାମାନେ ଏପରି ଆଚରଣ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ବହୁସଂଖ୍ୟକ ଗୋଷ୍ଠୀଟିକୁ ମୁସଲମାନ ମହିଳାମାନଙ୍କର ବିଶେଷ ପୋଷାକ ଭଲ ଲାଗୁନାହିଁ । ଶୁକ୍ରବାର ଦିନ ନମାଜ ପଢ଼ିବାରେ ମୁସଲମାନ ବ୍ୟକ୍ତିମାନେ ଯେଉଁ ଅକାଟ୍ୟ ନିଷ୍ଠା ଦେଖାଉଛନ୍ତି, ସେଇଟା ମଧ୍ୟ ଆଦୌ ଆରୋଉନାହିଁ-। ଏହିପରି ଆହୁରି କେତେ କେତେ କଥା ଓ କେତେ କେତେ ଅଭିଯୋଗ । ଏବଂ, ସବୁଗୁଡ଼ିକୁ କୌଣସି ନା କୌଣସି ବାହ୍ୟ କାରଣ ସକାଶେ । ପ୍ରତ୍ୟେକ ଧର୍ମ ନିଜର କଳ୍ପିତ ଭଗବାନଙ୍କୁ ମଧ୍ୟ କେତେଟା ବାହ୍ୟ ସନ୍ତକ ଓ ବାହ୍ୟ ବିଧାନ ଭିତରେ ବାନ୍ଧି ରଖିଛି । ଏଣୁ, ମୁସଲମାନ, ଖ୍ରୀଷ୍ଟିଆନ୍ ଓ ହିନ୍ଦୁ,–ଏମାନେ ପରସ୍ପରଠାରୁ ସବୁବେଳେ ଏତେ ଅଲଗା ଦେଖା ଯାଉଛନ୍ତି । ଏବଂ, ଅଲଗା ଦେଖୁଥିବା ଏହି ଆଖିଟା ହିଁ ମଣିଷର ଅସଲ ବିବେକ ଓ ଅସଲ ହୃଦୟଟିକୁ ଗିଳି ପକାଉଛି । ମଣିଷ ଭିତରେ ସତେଅବା ବିକାଶଲାଗି ଅପେକ୍ଷା କରି ରହିଥିବା ଶିଶୁଟି ଚାପି ହୋଇ ରହିଯାଉଛି-। ଏହି ବିଜ୍ଞାନାର ଯୁଗରେ ମଧ୍ୟ ଭେଖଗୁଡ଼ାକ ମଣିଷମାନଙ୍କୁ କାହିଁକି ଏପରି ଅଣଅକ୍ତିଆର ଭାବରେ ମାଡ଼ି ବସିଛି କେଜାଣି ? କେତେ କେତେ ବିଦ୍ୟା ହାସଲ କରି ମଧ୍ୟ ମନୁଷ୍ୟମାନେ ସେଥିରୁ ପରିତ୍ରାଣ ପାଇ ପାରୁନାହାନ୍ତି ।

 

Unknown

ଏବଂ, ମଣିଷମାନେ ଏହି ଧର୍ମମାନଙ୍କର ଚଷମା ପିନ୍ଧି ଯେଉଁ ସତ୍ୟଟିକୁ ଯେଉଁ ପରମ ଧନଟିକୁ ବିଭିନ୍ନ ସନ୍ତକର ମାଧ୍ୟମରେ ଖୋଜିବାରେ ଅଭ୍ୟସ୍ତ ହୋଇ ଯାଇଛନ୍ତି, ସେହି ସତ୍ୟ ଯେ ମର୍ମତଃ ଗୋଟିଏ, ସେହି ସତ୍ୟର ଏପାଖ କାନିଟା ଯେ ବସ୍ତୁତଃ ମଣିଷର ଭିତରେ ରହିଛି, ଏହି ଅନ୍ୟ ଉପଲବ୍ଧିଟି ଆୟତ୍ତ ହୋଇ ଆସିବା ସହିତ ମଣିଷମାନେ ଯାବତୀୟ ଭେକ ସତ୍ତ୍ୱେ ଯାହା ଦେଖିପାରନ୍ତେ ଏବଂ ଯାହାକୁ ଛୁଇଁ ପାରନ୍ତେ, ତାହାକୁ ନେଇ କଦାପି କୌଣସି ଝଗଡ଼ା ଲାଗନ୍ତାନାହିଁ । ତଦ୍ଦ୍ଵାରା ମଣିଷମାନେ ନିଜ ଭିତରେ ରହିଥିବା ଏପରି ଏକ ବିଭବ ସହିତ ଯୋଡ଼ି ଯୋଡ଼ି ହୋଇ ଯାଆନ୍ତେ, ଯାହାଦ୍ୱାରା କି ସେମାନେ ପରସ୍ପର ସହିତ ମଧ୍ୟ ଯୋଡ଼ିହୋଇ ଆସନ୍ତେ, ତଥାକଥିତ ସବୁକିଛି ବାହ୍ୟ ସତ୍ତ୍ୱେ ସେମାନେ ପରସ୍ପର ମିତ୍ରପରି ଯୋଡ଼ିଦେଇ ଆସନ୍ତେ । ବିଭିନ୍ନ ଧର୍ମ ମଧ୍ୟରେ ଯାହାକିଛି ଯୋଡ଼ି ଆଣେ, ତାହାହିଁ ସତ୍ୟ; ଯାହା ଅଲଗା କରି ରଖିଥାଏ, ତାହାହିଁ ଭେକ । ଗୁରୁମାନେ କ’ଣ ଭାବି ଏହି ଭେକମାନଙ୍କୁ କାହିଁକି ଏତେ ବେଶି ମହତ୍ତ୍ଵ ଓ ଗୁରୁତ୍ଵ ଦେଇଛନ୍ତି କେଜାଣି ? ସେମାନେ ହୁଏତ ଅସଲ ସତ୍ୟଟିଠାରୁ ବିଚ୍ଛିନ ହୋଇଯିବା ପରେ ଏପରି ଗୋଟିଏ ଫିସାଦରେ ଯାଇ ପଡ଼ି ଯାଇଛନ୍ତି କି ?

 

୨୭. ୭. ୯୮

 

ସ୍ଵାର୍ଥପରତା,–ଅର୍ଥାତ୍ ମୁଇଁ ହେଉଛି ଏହି ବିଶ୍ଵବିଧାନର କେନ୍ଦ୍ର,–ତେଣୁ ମୋ’ର ଭାଗ୍ୟ, ମୋ’ର ଅଭିବୃଦ୍ଧି, ମୋ’ର ଅଗ୍ରଗତି, ମୋ’ର ସଦାବିସ୍ତୃତି,–ଏବଂ, ଅଧିକ ବିସ୍ତୃତ କରି କହିଲେ, ମୋ’ ଦେଶ, ମୋ’ ଧର୍ମ, ମୋ’ର ଭଗବାନ,–ଏଇଟାକୁ ହୁଏତ ଏକାଧିକ ନ୍ୟାୟରେ Newtonian ବୋଲି କୁହାଯାଇ ପାରିବ । ନିଉଟନ୍ ଆଧୁନିକ ବିଜ୍ଞାନକୁ ଜନ୍ମ ଦେଇଥିଲେ । ଆଧୁନିକ ବିଜ୍ଞାନର ଦ୍ଵାହି ଦେଇ ଏକ ମନ୍ଦ ଉତ୍ସାହରେ ଯେଉଁ ଜୀବନଦୃଷ୍ଟିଟି ପୃଥିବୀର ସମଗ୍ର ନିୟତିକୁ ମାଡ଼ି ବସିଲା,–ତାହା ମଣିଷଭିତରେ ମୁଁକାରଟାକୁ ମଧ୍ୟ ଅତିରିକ୍ତ ପରିମାଣରେ ପ୍ରୋତ୍ସାହିତ କଲା । ଏହି ବ୍ରହ୍ମାଣ୍ଡରେ ସବୁକିଛି ଯେ ପରସ୍ପର ସହିତ ଯୋଡ଼ିହୋଇ ରହିଛି, ତାହାକୁ ନାନପ୍ରକାରେ ଭୁରାଡ଼ିବାକୁ ବାହାରିଲା ଓ ମଣିଷମାନଙ୍କୁ ନିର୍ଦ୍ଦୟ ହେବାପାଇଁ ପ୍ରଶ୍ରୟ ଦେଲା । ଏପରିକି, ପ୍ରାୟ ସେହିପରି ଏକ ମିଛ ମାର୍ଗପ୍ରଲୋଭନରେ ପଡ଼ି ସାହିତ୍ୟ ମଧ୍ୟ ମଣିଷକୁ ସତେଅବା ଗୋଟାଏ ଦ୍ଵୀପ ବୋଲି କଳ୍ପନା କରିବାକୁ ଲାଗିଲା । ସେଇଥିରୁ ନିଃସଙ୍ଗତାକୁ ଏକ ଜୀବନଦର୍ଶନରେ ଉଚ୍ଚମାର୍ଯ୍ୟଦା ଦେବାର ଅବିବେକିତା ମଧ୍ୟ ଖୁବ୍ ଫଳିଲା, ଶାଖା ମେଲିଲା ।

 

ନିଉଟନ୍‍ଙ୍କ ଧର୍ମବେଢ଼ା ଭିତରେ ସେହି ବିଜ୍ଞାନର ହିଁ ଗଣାପୋଛା କରୁଥିବା ପଣ୍ଡିତମାନେ ଏବେ କହିଲେଣି ଯେ, ବିଶ୍ଵରେ କିଛିହେଲେ ଏକୁଟିଆ ବା ଅସଂଲଗ୍ନ ହୋଇ ରହିନାହିଁ । ଅଣୁକୁ ଅଣୁ ଲାଗିଛି, ବିଶ୍ଵକୁ ବିଶ୍ଵ ଲାଗିଛି, ସବୁକିଛି ସବୁକିଛି ସହିତ ଏକ ଅକାଟ୍ୟ ନିୟତି ଭିତରେ ଯୋଡ଼ିହୋଇ ରହିଛି । ସେମାନଙ୍କର ଭାଷାରେ ସେମାନେ ସେହି ନବ୍ୟବିଜ୍ଞାନର ନୂତନ ନିକିତି ଉପରେ ସମସ୍ତଙ୍କ ପାଇଁ ଗୋଟାଏ ନୂଆ paradigmର ପରାମର୍ଶ ଦେଲେଣି । କହିଲେଣି,–ଅସଲ ଧର୍ମ ହେଉଛି ପରସ୍ପର ସଂଲଗ୍ନତାର ଧର୍ମ । ତେଣୁ ସେହି ଅନୁସାରେ ସମାଜ ବଦଳୁ, ଶାସନ ବଦଳୁ, ଅର୍ଥନୀତି ବଦଳୁ, ଏବଂ ଜୀବନର ଯାବତୀୟ ରୀତି ଏକ ନୂତନ ଆୟାମରେ ଏହି ପୃଥିବୀର ସାମୂହିକ ଜୀବନକୁ ପୁନର୍ବାର ତିଆରି କରୁ । ସେମାନଙ୍କୁ ଧନ୍ୟବାଦ, କାରଣ ସେମାନେ ଆମକୁ ଏତେ ସାହସ କରି ନୂଆ କଥାମାନ କହିଲେଣି ଓ ନୂତନ ଭରସା ମଧ୍ୟ ଦେଲେଣି । ମାତ୍ର, ଗୋଟିଏ ପାଖରେ ସେହି ବିଜ୍ଞାନ ଶାସକମାନଙ୍କଲାଗି ସର୍ବନାଶୀ ଓ ସର୍ବଗ୍ରାସୀ ବୋମାମାନ ତିଆରି କରି ଦେଉଥିବ, ବସ୍ତୁବାଦର ବଜାରରେ ନିତି ନୂଆ ନୂଆ ଅନାବଶ୍ୟକତାର ବିଜ୍ଞାପନ କରିବାରେ ଲାଗିଥିବ ଓ ଅପର ପାଖରେ ଆମକୁ ପାରସ୍ପରିକ ସମ୍ବନ୍ଧିତତାର ସୈଦ୍ଧାନ୍ତିକ ବ୍ୟାଖ୍ୟା ମଧ୍ୟ ଦେବାରେ ଲାଗିଥିବ, –ଏହି ପ୍ରସହନ ବି କେତେଦିନ ଚାଲିବ ? କାହିଁକି ଚାଲିବ ? ବିଜ୍ଞାନୀମାନେ କେତେ ଅଧିକ ସାହସୀ ହେଲେ ଯାଇ ବିଶ୍ଵର ଏହି ବିଡ଼ମ୍ବନାଟି ସତକୁ ସତ ଦୂର ହେବ, ମୁଁ ସେହିକଥା ହିଁ ଭାବୁଛି ।

 

୨୮. ୭. ୯୮

 

ପଦାର୍ଥବିଜ୍ଞାନ ପୁରୁଣା ଥିଲା, ନୂଆ ହେଲା । ଅର୍ଥାତ୍, ପ୍ରଥମ ଅବସ୍ଥାରେ ତାହାର ବିଶ୍ଵାନୁମାନଗୁଡ଼ିକ ଭାରି ସଂକୀର୍ଣ୍ଣ ଥିଲା, ଏବେ ଏକ ପ୍ରଶସ୍ତତର ଅନୁମାନଗତ ପରିଧି ଭିତରେ ତାହା ନିଜକୁ ଆବିଷ୍କାର କଲା । ହୁଏତ, ପ୍ରଥମ ଅବସ୍ଥାର ସେହି ପୃଥିବୀଟି ମଧ୍ୟ ସଂକୀର୍ଣ୍ଣ ଥିଲା, ଏବଂ ଏବେ ତାହା ପ୍ରଶସ୍ତତର ହୋଇଯିବାରୁ ପଦାର୍ଥବିଜ୍ଞାନ ମଧ୍ୟ ଅଧିକ ସମ୍ପ୍ରସାରିତ ଭାବରେ ଆପଣାର ସତ୍ୟଗୁଡ଼ିକୁ ଦେଖିବାରେ ସମର୍ଥ ହେଲା । ଏକାନ୍ତବାଦର ସୋପାନଟି ଏକ ଅନେକାନ୍ତବାଦୀ ଅନ୍ୟ ଆହ୍ଵାନକୁ ପରିବର୍ତ୍ତିତ ହୋଇଗଲା । ଶ୍ରୀଯୁକ୍ତ capra କେଡ଼େ ନିପୁଣ ଭାବରେ ସେହି ପରିବର୍ତ୍ତନଟିର ଅବତାରଣା କରିଛନ୍ତି, ତାହା ଅବଶ୍ୟ ଆନନ୍ଦର କଥା । ମାତ୍ର, ତା’ ବୋଲି ଯେ କେବଳ ସେହି କାରଣରୁ ମଣିଷମାନଙ୍କର ଜୀବନଦୃଷ୍ଟି ବଦଳିଯିବ; paradigm ବଦଳିଗଲା କହି ସିଏ ଯଦି ସେପରି କୌଣସି ଅନୁସାରେ କରୁଥିବେ, ତେବେ ତାହାକୁ ହୁଏତ ଏକ ଧୃଷ୍ଟତା ବୋଲି କହିବାକୁ ହେବ ।

 

ପୃଥିବୀରେ ଆମେ ସମସ୍ତେ ପରସ୍ପର ସହିତ ଯୋଡ଼ି ହୋଇ ରହିଛୁ ଓ ତେଣୁ ଆମକୁ ଘୃଣାର ବାଟ ଛାଡ଼ି ପରସ୍ପରକୁ ସ୍ଵୀକାର କରିନେବାର ଏବଂ ସମ୍ମାନ ଦେବାର ବାଟଟିକୁ ଏଣିକି ମାନିନେବାକୁ ହେବ,–ପଦାର୍ଥବିଜ୍ଞାନକୁ ମୂଳ ଆଧାର କରି Capra ଏକଥା କହୁଛନ୍ତି, ସେଥିପାଇଁ ତାଙ୍କପାଖରେ ଆମେ ଅବଶ୍ୟ ଭାରି କୃତଜ୍ଞ ରହିବା,–ମାତ୍ର ସେତିକିରେ ଆମର ସବୁ କାମ କଦାପି ସରି ଯିବନାହିଁ । ଏହି ପୃଥିବୀର ସମାଜମାନେ ଯେଉଁ ପୁରୁଣା system ଅନୁସାରେ ଚାଲିଛି, ଆମ ରାଜନୀତିକୁ ଯେପରି କର୍ତ୍ତୃତ୍ଵର ଭାବନା ଏବଂ ଜାତୀୟତାର ଦାମ୍ଭିକତାମାନେ ମାଡ଼ି ବସିଛନ୍ତି, ଯେପରି ଭାବରେ ବିଜ୍ଞାନକୁ ନିତାନ୍ତ ତାତ୍କାଳିକ ଲାଭଗୁଡ଼ିକ ସକାଶେ ବ୍ୟବହାର କରାଯାଉଛ, ନବ୍ୟ ପଦାର୍ଥବିଜ୍ଞାନର ପ୍ରେରଣା ଯେ ପୃଥିବୀରେ ସେହି ଦୁଷ୍ଟତାଗୁଡ଼ିକୁ ଅତିକ୍ରମ କରିବାରେ ଆମଲାଗି ଯଥେଷ୍ଟ ହେବ, ତାହା ଆଦୌ ଠିକ୍ ନୁହେଁ । ଏସବୁ ନିମନ୍ତେ ବିଶ୍ଵବ୍ୟାପୀ ଏକ ସଂଗ୍ରାମ ଆବଶ୍ୟକ ହେବ । ପ୍ରତ୍ୟେକ ଦେଶରେ ହିଁ ଏଥିଲାଗି ନୂଆ ସେନାମାନେ ବାହାରିବେ ଓ ଆମକୁ ଘାରି ରଖିଥିବା ଅଫିମମାନଙ୍କୁ ଗାଦୀଚ୍ୟୁତ କରିବେ । ଶ୍ରୀଯୁକ୍ତ କାପ୍ରା ଆପଣାର ଆଲୋଚନାଗୁଡ଼ିକରେ ସେହି ବିଷୟରେ କିଛି କହିନାହାନ୍ତି । ଅସତ୍ୟମାନଙ୍କୁ ହଟାଇବାକୁ ହେଲେ ଯେ ସତ୍ୟାଗ୍ରାହୀମାନଙ୍କୁ ଏକତ୍ର ଏବଂ ପ୍ରସ୍ତୁତ ହେବାକୁ ପଡ଼ିବ, ସେହି ମୂଳ କଥାଟିକୁ ସିଏ କାହିଁକି କହିନାହାନ୍ତି କେଜାଣି ? ଅବଶ୍ୟ, ଏହା ନିରାଟ ସତ୍ୟ ଯେ, ବର୍ତ୍ତମାନର ଏହି ବିଗିଡ଼ି ଯାଇଥିବା ପୃଥିବୀକୁ ବଦଳାଇବା ପାଇଁ ଆମକୁ ଅସଲ ନେତୃତ୍ଵଗୁଡ଼ିକ କଦାପି ବିଶ୍ୱବିଦ୍ୟାଳୟ ମାନଙ୍କରୁ ମିଳିବନାହିଁ । ବିପ୍ଳବୀମାନେ ଏକାବେଳେକେ ଏକ ଅନ୍ୟ ବିଦ୍ୟାଳୟର ପ୍ରେରଣାରେ ଆପଣାକୁ ମଣ କରିବେ,–ତେବେଯାଇ ସେମାନେ establishment ଗୁଡ଼ିକୁ ଭାଙ୍ଗିବାରେ ସମର୍ଥ ହେବେ-

 

୨୯.୭.୯୮

 

ବିଦ୍ୟା ଦେଖିଲେ ମୁଁ ଆକୃଷ୍ଟ ହୋଇଯାଏ, ପାଣ୍ଡିତ୍ୟ ଦେଖିଲେ ଆକୃଷ୍ଟ ହୁଏ । ପଣ୍ଡିତ ପାଖକୁ ଦଉଡ଼ିଯାଏ, ବିଦ୍ଵାନ ପାଖକୁ ଦଉଡ଼ିଯାଏ । ସାଙ୍ଗଟିଏ ଖୋଜିବାଲାଗି ଯାଏ । ଏବଂ, ଅନେକ ସମୟରେ ଯାହାକିଛି ଖୋଜିବାକୁ ଯାଇଥାଏ, ସେଇଟିକୁ ନଦେଖି ଫେରିଆସେ । ନିରାଶ ହୁଏନାହିଁ, କେବଳ ଫେରିଆସେ । ଖୋଜିବା ବନ୍ଦ ହୁଏନାହିଁ । ସାଙ୍ଗ ଖୋଜିବା ବନ୍ଦ ହୋଇଗଲେ ଏହି ପୃଥିବୀରେ ସୁସ୍ଥ ହୋଇ ରହିବାର ଆଉ କୌଣସି ଅବକାଶ କାହିଁକି ରହିବ ?

 

ପଣ୍ଡିତ ଭିତରେ କୋଉଠି ଭୀରୁଟିଏ ଲୁଚି ରହିଥାଏ, ବିଦ୍ଵାନ ଭିତରେ ବି କୋଉଠି ଭୀରୁଟିଏ ଲୁଚି ରହିଥାଏ । ବିଦ୍ୟା ପଶ୍ଚାତରେ ବିଦ୍ୱାନ୍‌ଟିକୁ ଖୋଜିଲେ ଓ ବିଦ୍ୟା ପଶ୍ଚାତରେ ବିଦ୍ଵାନ୍‌କୁ ଖୋଜିବା ସକାଶେ ମନ କଲେ ଯାଇ ତାହା ଆବିଷ୍କାର କରିବା ସମ୍ଭବ ହୋଇଥାଏ । ନିଜ ଭିତରର ଭୀରୁଟିକୁ ଲୁଚାଇ ରଖିବା ନିମନ୍ତେ ବେଳେବେଳେ ମଣିଷମାନେ ବିଦ୍ୟାନୁରାଗୀ ହୁଅନ୍ତି ଏବଂ ପଣ୍ଡିତମାନେ ପାଣ୍ଡିତ୍ୟକୁ ପରିଚ୍ଛଦପରି ବ୍ୟବହାର କରିବାକୁ ବି ମନ କରିଥାନ୍ତି । ଆମ ଏବର ସଂସାରରେ ଏହିପରି ବିଦ୍ଵାନ ଓ ପଣ୍ଡିତମାନେ ବହୁସଂଖ୍ୟାରେ ରହିଛନ୍ତି ବୋଲି କହି ପକାଇବାକୁ ମଧ୍ୟ ବେଳେବେଳେ ଭାରି ଇଚ୍ଛା ହୋଇଥାଏ । ଏବର ଏହି କାଳରେ ବିଦ୍ୟା ଅୟୁତଗୁଣ ହେଉଥିବା ସମୟରେ ଆମ ପୃଥିବୀକୁ ଯେ ଅନେକ ଅସୁସ୍ଥ କୁଣ୍ଠା କାମୁଡ଼ି ଧରିଛି, ସେକଥା ହୁଏତ ଆଖିବୁଜି ମଧ୍ୟ କୁହାଯାଇ ପାରିବ । ଶାସ୍ତ୍ରର ଅମାରଗୁଡ଼ାକ ମୋଟା ହେବାରେ ଲାଗିଛନ୍ତି, ତଥାପି ଆମର ସାମୂହିକ ଜୀବନ –ଏବଂ ସମ୍ବନ୍ଧକ୍ଷେତ୍ରଗୁଡ଼ିକ ଏଡ଼େ ଦୟନୀୟ ଭାବରେ କାହିଁକି ଅସମର୍ଥ ହୋଇ ରହିଛନ୍ତି ? ବିଦ୍ୟା ଏବଂ ପାଣ୍ଡିତ୍ୟଦ୍ଵାରା ମନୁଷ୍ୟର ଜୀବନ ଯେ ଅଧିକ ଔଜ୍ଜ୍ୱଲ୍ୟର ଅଧିକାରୀ ହୁଏ, ସେହି ବିଷୟରେ ସନ୍ଦେହ କରିବାକୁ ମଧ୍ୟ ମୁଁ ପ୍ରାୟ କୌଣସି କାରଣ ଖୋଜି ପାଏନାହିଁ । ତଥାପି, ବିଦ୍ୟା ଓ ପାଣ୍ଡିତ୍ୟ ସହିତ ଜଣେ ମନୁଷ୍ୟ ଭିତରେ ଆଉ କେଉଁ ଉପାଦାନଟି ମଧ୍ୟ ରହିଥିବା ଆବଶ୍ୟକ, ଯାହାଫଳରେ କି ସିଏ ନିଜର ବିଦ୍ୟା ଏବଂ ପାଣ୍ଡିତ୍ୟ ବୃଦ୍ଧି କପରିବା ସଙ୍ଗେ ସଙ୍ଗେ ଅଧିକ ସାହସୀ ମଧ୍ୟ ହୋଇପାରିବ ? ତେବେ ଯାଇ ତା’ର ଉପାର୍ଜିତ ବିଦ୍ୟା ତା’ ବିମୁକ୍ତିର ସହାୟକ ହୋଇପାରିବ । ଏବଂ, ବିମୁକ୍ତ ନହେଲେ ଜଣେ ବ୍ୟକ୍ତି ଯଥାର୍ଥ ନିମିତ୍ତଟିଏ ବି କିପରି ହୋଇପାରିବ ? ଆମର ଏହି ସଂସାରରେ ସବୁ ଯୁଗପରି ଏବେ ମଧ୍ୟ ଯେତେବେଳେ ସାହସୀ ମୋ ସିଧା ମନୁଷ୍ୟମାନଙ୍କର ସବାଆଗ ଆବଶ୍ୟକତା ରହିଛି, ସେତେବେଳେ ନିମିତ୍ତମାନଙ୍କୁ ଏପରି ଏକ ପନ୍ଥା ଖୋଜି ବାହାର କରିପାରିବା ଉଚିତ୍, ଯାହାଦ୍ୱାରା କି ସେମାନେ ଅଧିକ ବିଦ୍ୟା ଓ ଜ୍ଞାନ ହାସଲ କରିବା ସଙ୍ଗେ ସଙ୍ଗେ ଅଧିକ ସାହସୀ ମଧ୍ୟ ହୋଇପାରିବେ । ତେବେଯାଇ ସେମାନେ ସତକୁ ସତ ବହୁତ କାମରେ ଲାଗି ପାରିବେ ।

 

୩୦.୭.୯୮

 

ସତକୁ ସତ ମଣିଷପରି ବଞ୍ଚି ପାରିବାକୁ ହେଲେ କେତେ ବିଶ୍ଵାସ ଯେ ଦରକାର, ତାହାର କୌଣସି ହିସାବ ହିଁ କରି ହେବନାହିଁ । ଉତ୍ତରୋତ୍ତର ଭାବରେ ସେହି ବିଶ୍ଵାସର ଭାଜନ ହେବା ନିମନ୍ତେ ସାରା ଜୀବନର ସବୁକିଛି ସାଧନା ଅଭିପ୍ରେତ ହୋଇ ରହିପାରିବ । ଖାଣ୍ଟି ହିନ୍ଦୁଟିଏ, ଖାଣ୍ଟି ଶିଖଟିଏ, ଖାଣ୍ଟି ମୁସଲମାନଟିଏ, ଏପରିକି ଖାଣ୍ଟି କମୁନିଷ୍ଟଟିଏ ହେବା ସକାଶେ ଯେତିକି ବିଶ୍ଵାସ ଦରକାର, ମଣିଷ ହେବାପାଇଁ ତା’ଠାରୁ ବହୁଗୁଣ ଅଧିକ ବିଶ୍ଵାସ ଦରକାର । ହିନ୍ଦୁ ଘରେ କିମ୍ବା ମୁସଲମାନ ଘରେ ଜନ୍ମ ହୋଇଥିଲେ ଅଭ୍ୟସ୍ତ ଭାବରେ ପ୍ରାୟ ଏକ ପାରିବାରିକ ମନ୍ତ୍ରଣାଦ୍ଵାରା ପରିଚାଳିତ ହୋଇ ଜଣେ ବ୍ୟକ୍ତି ଅଥବା ଗୋଟିଏ ଗୋଷ୍ଠୀ ନିଜ ନିଜ ଭଗବାନଙ୍କ ଉପରେ ବିଶ୍ଵାସ ରଖିବାରେ କେଡ଼େ ସ୍ଵାଭାବିକ ଭାବରେ ମଣ ହୋଇ ଯାଆନ୍ତି । ଈଶ୍ଵରାନୁସରଣରେ ସତେଅବା ହିମାଳୟର ଶିଖରକୁ ଉଠିଗଲେ ବୋଲି ଅନୁଭବ କରିବାକୁ ସତେଅବା କେଡ଼େ ସହଜରେ ନିଜକୁ ଫୁସୁଲାଇ ନେଇ ପାରନ୍ତି । ଭଗବାନଙ୍କୁ ପାଇଲେ ସମଗ୍ର ସୃଷ୍ଟି ଭଗବାନଙ୍କର ଦେଖାଯିବ ବୋଲି ସେମାନେ ଅତୀବ ପୁଲକ ସହିତ କହିବାଲାଗି ଶିଖି ଯାଇଥାନ୍ତି । ଅସଲ ପରୀକ୍ଷାଟି ଆସେ ଯେତେବେଳେ ଆଉ ଏକ ଇତର ଧର୍ମ, ଇତର ପଥ ଏବଂ ଇତର ଧାରାକୁ ମଧ୍ୟ ସ୍ଵୀକୃତି ଦେବାକୁ ପଡ଼େ । ସେତିକିବେଳେ ଗୁରୁମାନେ, ସମ୍ପ୍ରଦାୟମାନେ ଓ ରାଷ୍ଟ୍ରମାନେ ଆସି ବିବେକଗୁଡ଼ିକୁ ଶନିଗ୍ରହପରି ମାଡ଼ି ବସନ୍ତି । ବେଳେବେଳେ ଜାତୀୟତାବାଦର ମୋହଟା ମଧ୍ୟ ପାଖେ ପାଖେ ରହି ବାଇଦ ବଜାଉଥାଏ । ନିଜର ବିଶ୍ଵାସଟି ଯେ ଚମକ ତଳକୁ ମଧ୍ୟ ଭେଦି ପାରିନାହିଁ, ଏହି କଥାଟା ସେତିକିବେଳେ ଧରା ପଡ଼ିଯାଏ ।

 

ମଣିଷମାନଙ୍କର ଭେକ ତଳେ ବି ସାଥୀ ଓ ସମଧର୍ମୀ ମଣିଷଟିକୁ ଦେଖିବା, ତାକୁ ଭଲ ପାଇବା, ନିଜର ଶ୍ରଦ୍ଧାଘରେ ତାକୁ ସ୍ଥାନ ଦେବା, ନିଜକୁ ତା’ପକ୍ଷରେ ରଖି ତା’ପାଇଁ ଲଢ଼ାଇ କରିବା,–ଆମର ଧର୍ମ ଓ ଆମର ଶିକ୍ଷା କେବେଯାଇ ସେହି ସ୍ତରଟିର ଭାଜନ ହୋଇପାରିବ କେଜାଣି ? ନିଜ ଧର୍ମରେ ବାଟ ଚାଲୁ ଚାଲୁ ଯିଏ ତାହାରି ସାହାଯ୍ୟରେ ସେହି ଧର୍ମର ଗାରଗୁଡ଼ିକୁ ଅତିକ୍ରମ କରିଯାଇ ପାରୁଥିବା, ସମ୍ଭବତଃ ସେଇ ଏକ ଅନ୍ୟ ପ୍ରସ୍ଥରେ ଆଦର୍ଶକୁ ଓ ଭଗବାନଙ୍କୁ ଭେଟିବାଲାଗି ଯୋଗ୍ୟ ହେବ । କେବଳ tolerance ଏହି କ୍ଷେତ୍ରରେ ଆଦୌ ବେଶି କାମ ଦେବନାହିଁ । ପୃଥିବୀଯାକର ମଣିଷଙ୍କୁ ଗ୍ରାସ କରି ରହିଥିବା ଓ ସେମାନଙ୍କୁ ଗଧ କରି ରଖିଥିବା ଅସମାନତାଗୁଡ଼ାକ ହଟିଗଲେ ହୁଏତ ଆମେ ସେହି ଅସଲ ମୁହୂର୍ତ୍ତଟି ପାଖରେ ଯାଇ ପହଞ୍ଚି ପାରିବା, ଦ୍ଵିଜ ହେବା ।

 

୩୧.୭.୯୮

 

ଧର୍ମ reductionist ହୋଇ ବର୍ବରତା ଆଡ଼େ ମୁହାଁଇବାରୁ ପ୍ରତିକାର ସ୍ୱରୂପ ଆଧୁନିକ ବିଜ୍ଞାନ ଜନ୍ମଲାଭ କରିଥିଲା । ତଥାକଥିତ ପ୍ରାକୃତିକ ବିଜ୍ଞାନ reductionist ହେବାର ପ୍ରବୃତ୍ତି ଦେଖାଇବାକୁ ବିଜ୍ଞାନର ଆଖି ନେଇ ସମାଜ, ସଂସ୍କୃତି ଏବଂ ମନୁଷ୍ୟଜୀବନର ଗଭୀରତାକୁ ଅଧ୍ୟୟନ କରୁଥିବା ଜ୍ଞାନର ଅନ୍ୟାନ୍ୟ ଆଗ୍ରହ ଏବଂ ଧାରାଗୁଡ଼ିକ କ୍ରମଶଃ ଆବିର୍ଭୂତ ହୋଇ ଆସିଲେ । ତଥାପି, ମଣିଷମାନେ ନିଜେ ଅନ୍ୟପ୍ରକାରେ ହେବାକୁ ଇଚ୍ଛା ନକରିଥିବା ପର୍ଯ୍ୟନ୍ତ reductionist ଯେ ସେମାନଙ୍କୁ କଦାପି ଛାଡ଼ିବନାହିଁ, ଆଧୁନିକ ଜ୍ଞାନାନ୍ଵେଷଣର କ୍ଷେତ୍ରରେ ସେହି କଥାଟିର ଭାରି ସୂଚନା ମିଳିଯାଉଛି । ଯିଏ ଯେଉଁ ସତ୍ୟଟିକୁ ହାସଲ କରିଛି ବୋଲି ଭାବୁଛି, ସିଏ କେଡ଼େ ପୁଲକରେ ତାହାରି ଅନୁସାରେ ସମଗ୍ର ପୃଥିବୀଟାକୁ ମାପି ପକାଇବାକୁ ଆଗଭର ହୋଇ ବାହାରି ପଡ଼ୁଛି ଓ ପ୍ରକୃତିକୁ କେବଳ ନିଜର ସେହି ଗେହ୍ଲା ଚଷମାର ମାଧ୍ୟମରେ ଦେଖିବାଲାଗି ଉତ୍ସାହ ଦେଖାଉଛି । ଏହି କାରଣରୁ ପୃଥିବୀଟା କ୍ରମେ ଭାରି ଦୂଷିତ ହୋଇ ପଡ଼ୁଛି । ହୁଏତ ପ୍ରଧାନତଃ ଏହି କାରଣରୁ ଜ୍ଞାନମାନେ ଭାରି ଅସମର୍ଥ ହୋଇ ରହିଛନ୍ତି । Reductionist ହେବା ପଛରେ ସଂପୃକ୍ତ ମନୁଷ୍ୟମାନଙ୍କ ଭିତରେ ଏପରି ଏକ ଭୟ ହୁଏତ ରହିଛି, ଯାହାର ଫାନ୍ଦରେ ପଡ଼ି ମଣିଷ ଯେତିକି ଦେଖିଛି, ସମଗ୍ର ପୃଥିବୀ ସେହି ଅନୁସାରେ ନଚାଲିଲେ ତାହାର ଅସ୍ତିତ୍ଵ ବିପନ୍ନ ହୋଇ ପଡ଼ିବ ବୋଲି ସିଏ ଆତଙ୍କିତ ହୋଇ ଉଠୁଛି ଓ ତେଣୁ ପ୍ରାୟ ଏକ ଦୁରାଗ୍ରହ ସହିତ ପୃଥିବୀଟାକୁ ନିଜଲାଖି କରି ରଖିବାକୁ ଇଚ୍ଛା କରୁଛି । ନିଜେ ପୃଥିବୀଲାଖି ହେବାର ସେହି ଅନ୍ୟ ଶ୍ରଦ୍ଧାଟି ନିନ୍ଦିତ ହୋଇ ରହୁଛି ।

 

ଜିଜ୍ଞାସା ହେଉଛି ସେହି ଜନନୀ, ଯାହା ଜଣେ ମଣିଷକୁ ଏକାବେଳେକେ ବହୁ ଆଖିରେ ଦେଖିବାକୁ ଉତ୍ସାହିତ କରେ, ଶ୍ରଦ୍ଧାଶୀଳ କରେ । ଜିଜ୍ଞାସା ହିଁ ମଣିଷକୁ ପ୍ରକୃତ ଅର୍ଥରେ ବିନୟୀ କରିଥାଏ । ତାକୁ ଏକାବେଳେକେ ଅନେକ ଘରଲାଗି ଓ ଅନେକ ମିତ୍ରତାଲାଗି ପ୍ରବେଶାଧିକାର ଆଣିଦିଏ । ଜିଜ୍ଞାସାର ଭାଗଟି ଦରିଦ୍ର ହୋଇ ରହିଥିଲେ ମଣିଷ ଆଗ “ମୋ’ର” ବୋଲି କହେ । ମୋ’ର ଜ୍ଞାନ, ମୋ’ ସତ୍ୟ, ମୋ’ ଧର୍ମ, ମୋ’ ସଂସ୍କୃତି,–ଏହିପରି ଏକ ଜକଜକ ବିଡ଼ମ୍ବନା ଭିତରେ ପଶିଯାଇ ଜ୍ଞାନ, ଧର୍ମ, ସତ୍ୟ ଓ ସଂସ୍କୃତି ନିମନ୍ତେ ଯଥାର୍ଥ ଅଧିକାରଗୁଡ଼ିକୁ ହରାଇ ବସେ । ସତ୍ୟକୁ ମୋ’ର ବୋଲି କହିବା ମାତ୍ରକେ ତେଣେ ଅସଲ ଆଖିଟି ବୁଜି ହୋଇଯାଏ । ଏବେ ମଧ୍ୟ ପୃଥିବୀରେ ଦୁର୍ଭାଗ୍ୟବଶତଃ ବହୁ ବିଜ୍ଞାନୀ ଅଛନ୍ତି, ଯେଉଁମାନେ କି କେବଳ ନିଜର ପ୍ରଚକ୍ଷୁରେ ହିଁ ସମଗ୍ର ଜଗତକୁ ଦେଖୁଛନ୍ତି ଏବଂ ସତ୍ୟଗୁଡ଼ିକୁ ଏକଦେଶୀ କରି ରଖିଛନ୍ତି । ମନୁଷ୍ୟ ନାମକ ବିସ୍ମୟଠାରୁ ସେମାନେ ବହୁଦୂର ହୋଇ ରହିଛନ୍ତି । ଏପରିକି ଏକ ଉପଯୁକ୍ତ ବିସ୍ମୟବୋଧରେ ସେମାନେ ନିଜକୁ ମଧ୍ୟ ଦେଖି ପାରୁନାହାନ୍ତି । ଏହି ବିସ୍ମୟପୂର୍ଣ୍ଣ ପୃଥିବୀରେ ବଡ଼ ଦରିଦ୍ର ଓ ତେଣୁ ବଡ଼ ଉଗ୍ର ହୋଇ ରହିଛନ୍ତି ।

 

୧.୮.୯୮

 

ବାସନା ତ୍ୟାଗ କରିବାର ଅର୍ଥ ହେଉଛି ବାସନାର ପାହାଚରେ ଉର୍ଦ୍ଧ୍ଵକୁ ଉର୍ଦ୍ଧ୍ଵକୁ ଉଠି ଯାଉଥିବା । ବାସନାର ସଂସାର ଯେ ଏକ ପାହାଚକୁ ପାହାଚ ଉଠିଯିବାର ସଂସାର, ଯଦି ଗୁରୁମାନେ ମୂଳତଃ ଏତିକିମାତ୍ର କହୁଥାନ୍ତେ, ତେବେ ସେମାନେ ଏହି ପୃଥିବୀର ପ୍ରକୃତରେ କେତେ ଉପକାର କରି ପାରୁଥାନ୍ତେ ।

 

ଏ ବାସନା ସମ୍ପ୍ରସାରିତ ହୋଇ ସେ ବାସନାକୁ ସ୍ପର୍ଶ କରିବ ଏବଂ ସେ ବାସନା ଏ ବାସନା ମଧ୍ୟକୁ ସଂଚରି ଆସିବ । ସେ ବାସନା ଆକାଶରୁ ମେଘ ହୋଇ, ଏକ ଶୁଭାଶୀର୍ବାଦର ସ୍ପର୍ଶ ଦେଇ ଜଳଧାରା ରୂପେ ନଇଁ ଆସିଲେ ଏ ବାସନାରେ ଫୁଲ ଫୁଟିବ,–ଜୀବନଟା ସତକୁ ସତ ଏକ ଦେବାଳୟକୁ ରୂପାନ୍ତରିତ ହୋଇଯିବ । ମୁଁ ଭାବେ, ବାସନାର ବର୍ଜନ କରିବାକୁ ଉପଦେଶ ଓ ପରାମର୍ଶ ଦେଉଥିବା ମହାନ୍‌ମାନେ ଧୈର୍ଯ୍ୟ ରଖି, ମନୁଷ୍ୟମାନଙ୍କ ଉପରେ ବିଶ୍ଵାସ ରଖି ଯଦି ଏତିକି କଥାକୁ ସିଧା କରି କହି ପାରୁଥାନ୍ତେ, ତେବେ ଏହି ଯାବତୀୟ ସମ୍ବନ୍ଧର ସଂସାରଟା କ୍ରମେ କେତେ ଉଜ୍ଜ୍ଵଳ ଏବଂ ଈଶ୍ଵରୀୟ ହୋଇ ଉଠନ୍ତା । ଅଳପ ବାସନା ନିଜକୁ ଅଧିକ ସହିତ ବାନ୍ଧିଦେଇ ପାରିବାର ବିଦ୍ୟାଟିକୁ ଶିକ୍ଷା କରି ପାରିଲେ ଅଧିକରେ ପରିଣତ ହୁଏ–ତାହାହିଁ ସୁଖର କାରଣ ହୁଏ, ଆମ ଜୀବନରେ ମୁକ୍ତିର କାରଣ ବି ହୋଇପାରେ । ଅଭୀପ୍ସା କରିବାର ଅର୍ଥ ହେଉଛି ବାସନାରେ ଏହିପରି ଏକ ବ୍ୟାପ୍ତି ଆଣିବାକୁ ମନ କରିବା । ଯିଏ ବାସନାକୁ ଜୟ କରିଛି, ସିଏ ବାସନାକୁ ପ୍ରକୃତରେ ଆଦୌ କାଟିନାହିଁ, ମାତ୍ର ଏକ ସ୍ଵଭାବନିର୍ଭର ସହିତ ସିଏ ଆହୁରି କେତେ କ’ଣ ସହିତ ଗଅଁଠାଇ ହୋଇ ଯାଇଛି । ସିଏ ଏହାରିଦ୍ଵାରା ହିଁ ଅହଂରୁ ବ୍ରହ୍ମବିହାର ପର୍ଯ୍ୟନ୍ତ ଉଠି ଯାଇ ପାରିଛି । ବ୍ରହ୍ମବିହାର ହେଉଛି ଏକ ବ୍ୟାପ୍ତି, ଯାହାକି ଅହଂଟାକୁ ଗୁମ୍ଫା ଭିତରୁ ମୁକ୍ତ କରି ଆଣେ । ମଣିଷକୁ ତା’ର ଅମିତ ସମ୍ଭାବନାର ଜଗତ ମଧ୍ୟ ଉତ୍ତୀର୍ଣ୍ଣ କରି ନେଇଆସେ, ସତକୁ ସତ ଏକ ସହଜ ଏବଂ ସମର୍ପିତ ଜୀବନ ନିମନ୍ତେ ଯୋଗ୍ୟ କରିଆଣେ । ତା’ପରେ ଯେତେ ଉପର ପାହାଚରେ ରହିଥିଲେ ମଧ୍ୟ ତଥାକଥିତ ତଳ ପାହାଚଗୁଡ଼ିକରେ ରହିଥିବା ବ୍ୟକ୍ତିମାନଙ୍କୁ ଦେଖି ଆଉ ମୋଟେ ଅସନା ମାଡ଼େନାହିଁ । ତା’ପରେ ନିଜକୁ ଏକ ଜନନୀପରି ଅନୁଭବ ହୁଏ, ଯିଏ କି ଅସନା ବାରେନାହିଁ, ବାରଣ କରେନାହିଁ,–ଜନନୀ ପରି, ଧାତ୍ରୀପରି ଏହି ଜଗତରେ ଆପଣାକୁ ପ୍ରେରିତ କରି ରଖେ, ଏହି ସୃଷ୍ଟିର ବିମୋଚନଯୋଜନାରେ କାରଣ ହୁଏ । ଏଠି ଯେ ସମସ୍ତେ ପାହାଚ ଉଠିବାକୁ, ସମ୍ପ୍ରସାରିତ ହେବାକୁ ଓ ଶିଖରଗୁଡ଼ିକୁ ଛୁଇଁବାକୁ ଜନ୍ମ ହୋଇଛନ୍ତି, ଏହି ସତ୍ୟଟିକୁ ସିଏ ସତେଅବା ଜଳଜଳ କରି ଦେଖିପାରେ । ତେଣୁ ସନ୍ଦେହର ଅବକାଶ ନଥାଏ । ତା’ପରେ ସିଏ ଖୋଜିବା ଓ ପାଇବା ଭିତରେ ଆଦୌ କୌଣସି ଭେଦ ରଖି ପାରେନାହିଁ । ଖୋଜୁ ଖୋଜୁ ପାଉଥାଏ ଏବଂ ପାଉ ଆଉ ଖୋଜିବାରେ ଲାଗିଥାଏ । ଯେତିକି ଫିଟି ଯାଉଥାଏ, ସେତିକି ବାନ୍ଧି ବି ହୋଇ ଯାଉଥାଏ ।

 

୨.୮.୯୮

 

ଏଡ଼େ ବଡ଼ ଦେଶ, ଏପାଖରୁ ଅନାଇଲେ ସେପାଖଯାଏ ଆଖି ବି ପାଉନାହିଁ । ଏହି ବିସ୍ତାରକୁ ଗୋଟିଏ କରି ଧରି ରଖିବାକୁ ଏଠି ଯେ କ’ଣସବୁ ରହିଛି, ଗତ କେତେଦିନ ହେବ ମୁଁ ସେହିକଥା ହିଁ ଭାବୁଛି । ଏଠି ମଣିଷ କମ୍, ଜାଗା ବେଶି; ମଣିଷ କମ୍, ସମ୍ବଳ ବେଶି; ମଣିଷ କମ୍, ସାମର୍ଥ୍ୟ ବେଶି । ସାରା ପୃଥିବୀ ବୁଲିଆସିଲେ ହୁଏତ ଆଉ କେଉଁଠି ହେଲେ ଏହାର ସରିସା ଦେଶଟିଏ ମୋଟେ ମିଳିବନାହିଁ । ଏଠାରେ କେତେ କେତେ ଜାତିର ମଣିଷ; ଏବଂ, ପୃଥିବୀର ପ୍ରାୟ ସବୁ ଦେଶରେ ଏପରି ମଣିଷ ଅନ୍ତତଃ କେତେକ ସଂଖ୍ୟାରେ ରହିଥିବେ, ଯେଉଁମାନେ କି ଏହି ଦେଶକୁ ଚାଲିଆସିବା ସକାଶେ ମନ କରୁଥିବେ । ଏହି ଦେଶରେ ଯାହା ଅଛି, ପୃଥିବୀର ଅନ୍ୟ କୌଣସି ଦେଶରେ ତାହା ନାହିଁ, ଅଥବା ଓଲଟାଇ କହିଲେ, ତୁମକୁ ଯାହା ପୃଥିବୀଯାକ ଅନ୍ୟତ୍ର କଦାପି ମିଳିବନାହିଁ, ଏହି ଦେଶକୁ ଚାଲି ଆସିଲେ ତାହା ଅବଶ୍ୟ ମିଳିଯିବ ବୋଲି ସେମାନେ କଳ୍ପନା ମଧ୍ୟ କରୁଥିବେ ।

 

ହିଁ ସେହି କଥାଟି ପ୍ରକୃତରେ କ’ଣ, ଯାହାକି ଏହି ଦେଶକୁ ଏକାଠି କରି ବାନ୍ଧି ରଖିଛି ? ଓଡ଼ିଶା ସମତେ ଭାତରବର୍ଷକୁ ଯେପରି ତା’ର ଅତୀତ ଏକାଠି ବାନ୍ଧିରଖିଛି, ଏକଦା ତା’ ଅଣ୍ଟାରେ ବନ୍ଧା ହୋଇଥିବା ସାମ୍ରାଜ୍ୟର ସ୍ମୃତିଟା ଯେପରି ଏକାଧିକ ଅର୍ଥରେ ଇଂଲଣ୍ଡ ବା ବ୍ରିଟେନକୁ ଏକାଠି ବାନ୍ଧିରଖିଛି, ଗୋଟାଏ ଗୋଟାଏ ଧର୍ମ ଯେପରି ଗୋଟାଏ ଗୋଟାଏ ଦେଶକୁ ବା ସମୂହକୁ ଏକତ୍ର ବାନ୍ଧିରଖିଛି, ଏଠାରେ ମଧ୍ୟ ସେହି ପଦାର୍ଥଟି କ’ଣ, ଯାହାକି ଏହି ଭୂଖଣ୍ଡଟିକୁ ଆମେରିକା ବୋଲି ଗୋଟିଏ ଭାବନା ବା ପ୍ରେରଣା ଭିତରେ ଏକାଠି ବାନ୍ଧି ରଖିଥିବ ? ଏକଦା ଆମେରିକା ଇଂଲଣ୍ଡର ଏକ ଉପନିବେଶ ହୋଇ ରହିଥିଲା ଓ ତେଣୁ ସେହି ସ୍ଥିତିରୁ ମୁକୁଳି ଆସିବା ନିମନ୍ତେ ଏଠାରେ ଗୋଟିଏ ସଂଗ୍ରାମ ମଧ୍ୟ ଲଢ଼ା ହୋଇଥିଲା । ସେହି ସଂଗ୍ରାମର ସ୍ମୃତି ଯେ ଆମେରିକାକୁ ଗୋଟିଏ କରି ବାନ୍ଧି ରଖିଛି, ସେହି କଥାଟିକୁ ଅନୁମାନ କଲା ବେଳକୁ ସେଇଟା ଠିକ୍ ବୋଲି ଆଦୌ ମନେ ହେଉନାହିଁ । ସାରା ପୃଥିବୀର ସବୁଠାରୁ ଅଧିକ ଅସ୍ତ୍ରବଳ ସମ୍ଭାରି ଓ ସାଇତି ରଖିଥିବା ଦେଶଟି ଯେ ବଞ୍ଚିରହିବାକୁ ହେଲେ ନିରନ୍ତର ଏକ ସଂଗ୍ରାମ କରିବାକୁ ପଡେ, ସେକଥା ଭାବିବା ନିମନ୍ତେ ସମ୍ଭବତଃ ମୋଟେ କୌଣସି କାରଣ ଦିଶିବନାହିଁ । ମୁଁ ଏପର୍ଯ୍ୟନ୍ତ ଏଠାରେ ଉପରୁ ଯେତିକି ଦେଖିଛି, ସେଥିରୁ ଏଠାରେ ଏଡ଼େ ଏଡ଼େ ହୋଇ ଦିଶୁଥିବା ମନୋହର ବିପଣିଗୁଡ଼ିକ ହିଁ ମୋତେ ସତେଅବା ଏଠାରେ ରହିଥିବା ସବାବଡ଼ କଥାପରି ଦେଖା ଯାଇଛି । ବିପଣିଗୁଡ଼ିକୁ ଦେଖି ହୁଏତ ସମ୍ଭବତଃ କୁବେର ମଧ୍ୟ ବିସ୍ମିତ ହୋଇଯିବେ । ମୁଁ ଭାବୁଛି, ଏହି ଦେଶର ଚାରିଆଡ଼େ ଏହି ବିପଣିମାନେ ହିଁ ଏହିପରି ରାଜ୍ୟବିସ୍ତାର କରି ରହିଥିବେ । ଏହି ବିପଣିମାନେ ହିଁ ଆମେରିକାକୁ ଏକାଠି କରି ବାନ୍ଧି ରଖିଥିବେ କି ? –ନିଜକୁ ଏପରି ଗୋଟିଏ ପ୍ରଶ୍ନ ପଚାରିବାକୁ ମଧ୍ୟ ମନ ହେଉଛି-

 

୩.୮.୯୮

 

ଖୁବ୍ ସମ୍ଭବ ନିଜ ଦେଶର ହାଲଚାଲକୁ ଆଧାର କରି ପ୍ରଫେସର ଗାଲ୍‌ବ୍ରେଥ୍ ଏକ culture of contentmentର କଳ୍ପନା କରିଛନ୍ତି । ବହୁ ବହୁ ସାମଗ୍ରୀ ଏବଂ ସେଗୁଡ଼ିକୁ ନିଜର କରି ସାଉଁଟି ଆଣିବାଲାଗି ପାଖରେ ଯଥେଷ୍ଟ ବା ପ୍ରଚୁର ଅର୍ଥ,–ଜଣେ ମଣିଷକୁ ଏହା ସାଧାରଣତଃ ଯେଉଁ ସନ୍ତୋଷ ଆଣି ଦିଏ, ତାହା ତାକୁ ଭାରି ମାଦଳ କରି ପକାଏ । ମଣିଷର ଅସଲ ଅନ୍ୟ ସୁଖଗୁଡ଼ିକ ଆଡ଼କୁ ପଡ଼ିଥିବା ବାଟଗୁଡ଼ିକୁ ମଣିଷଠାରୁ ଅନ୍ତରାଳ କରି ରଖିବାର ସୂତ୍ରପାତ କରିଥାଏ । ବିଶ୍ଵର ଦ୍ରବ୍ୟବଜାରରେ, ଅସ୍ତ୍ରବଜାରରେ ଏବଂ ଭୋଗାବସରର ବଜାରରେ ଏହି ଆମେରିକାର ଯେଉଁ ସ୍ଥିତି, ତାହା ସତେଅବା ଷଡ଼ଯନ୍ତ୍ର କଲାପରି ମଣିଷକୁ ଜଡ଼ କରି ରଖେ, ଏକ ମିଛ ସମ୍ପୂର୍ଣ୍ଣତାର ଭାଣ ଆଣି ଦେଇଥାଏ । ସମ୍ପୂର୍ଣ୍ଣତା ଭିତରେ କେଉଁଠି ଏକ ଶୂନ୍ୟତା ହୁଏତ ଖାଁ ଖାଁ ହେଉଥାଏ । ନିଜଭିତରେ ସେଇଟାକୁ ନଶୁଣିବା ସକାଶେ ଅନେକ ମଣିଷ ସତେଯେପରି ଦ୍ରବ୍ୟର ଏକ ପ୍ରଶମକ-ଗହଣ ଭିତରକୁ ପଶିଯିବାକୁ ମନକରନ୍ତି । ସମ୍ଭବତଃ ଏପରି ପଶିଯାଆନ୍ତି ଯେ, ଆଉ ମୋଟେ ବାହାରି ପାରନ୍ତିନାହିଁ । ଇଚ୍ଛା ଥିଲେ ମଧ୍ୟ ହୁଏତ ବାହାରି ପାରୁନଥାନ୍ତି । ନିଜ ଗୋଡ଼ରେ ଲଗାଇଥିବା ନୂପୁରଟାରୁ ମନ ଛାଡ଼ି ଯାଇଥିଲେ ମଧ୍ୟ ସମସ୍ତଙ୍କଠାରୁ ଅଲଗା ବୋଲି ଧରା ପଡ଼ିଯିବାର ଭୟରେ ତାହାକୁ ଗୋଡ଼ରୁ ମୋଟେ କାଢ଼ି ପାରନ୍ତିନାହିଁ ।

 

ବହୁ ଭାଗ୍ୟର କଥା, ପୃଥିବୀର ଅଧିକତର ମନୁଷ୍ୟ ସେହି ଦୁର୍ଦ୍ଦଶାଠାରୁ ଏବେ ମଧ୍ୟ ଦୂରରେ ରହିଛନ୍ତି । ସେମାନେ deprivationର ଏପରି ଏକ ଶୋଚନୀୟ ସ୍ତରରେ ରହିଛନ୍ତି, ଯାହାକୁ କେଲବ ଦ୍ରବ୍ୟମାନେ ହିଁ ପୂରଣ କରି ପାରିବେ । ପେଟକୁ ଅନ୍ନ, ଅଙ୍ଗ ଲୁଚାଇବାକୁ ବସ୍ତ୍ର ରହିବାଲାଗି ବାସଗୃହ ଏବଂ ମଥାଲାଗି ପାଠ,–ଏଥିଲାଗି ଏବେ ମଧ୍ୟ ପୃଥିବୀର ଦ୍ରବ୍ୟବ୍ୟବସ୍ଥା ସୁସ୍ଥ ଭାବରେ, ଅର୍ଥାତ୍ ସବୁ ମଣିଷଙ୍କ ସକାଶେ ଏଗୁଡ଼ିକୁ ଯୋଗାଇଦେଇ ପାରିବାର ଏକ ଅବଶ୍ୟଭୂମିର ଚିନ୍ତା କରି ପାରିନାହିଁ । ତେଣୁ, ଏକ culture of cruelty ହିଁ ପୃଥିବୀସାରା ରାଜ୍ୟ ବିସ୍ତାର କରି ରହିଛି । ବଞ୍ଚିତ ମଣିଷମାନେ ଏକ ଅଭାବନୀୟ ଉପେକ୍ଷା ସହିତ ନିଜର ଦାରୁଣ ଦୁଃଖସ୍ଥିତିଗୁଡ଼ିକ ମାନି ନେଉଛନ୍ତି ଓ ଭୋଗୀମାନେ ମଧ୍ୟ ନିର୍ମମ ହୋଇ ରହିବାଲାଗି ପୃଥିବୀକୁ ନିଜ କବଳରର ରଖିଥିବା ମିଛ ଧର୍ମ, ମିଛ ବାଦ ଓ ମିଛ ଦର୍ଶନଗୁଡ଼ାକୁ ମାନି ନେଉଛନ୍ତି । ଯେଉଁ ପରିତ୍ରାଣକାରୀମାନଙ୍କର ବର୍ତ୍ତମାନ ସବୁଠାରୁ ଅଧିକ ଆବଶ୍ୟକତା ରହିଛି, ସେମାନେ ଏପରି ଏକ ଜିଜ୍ଞାସା ବଢ଼ାଇବାକୁ ହିଁ ପୃଥିବୀରେ ଭଗବାନଙ୍କ ପାଇଁ ସର୍ବପ୍ରଧାନ କାର୍ଯ୍ୟ ବୋଲି ଅନୁଭବ କରନ୍ତେ, ଯାହାକି ମଣିଷକୁ ଯଥାର୍ଥ ମାର୍ଗରେ ଗତିଶୀଳ କରାଇ ପାରନ୍ତା । ମଣିଷ ନିଜଭିତରୁ ହିଁ ଏକ ଚୋଦନା ପାଇ ଘୁଷୁରି ହେବାକୁ ତଥା ଭୋଗସର୍ବସ୍ଵ ହୋଇ ରହିବାକୁ ମନା କରିଦେଇ ପାରନ୍ତା । ଏହା ଏକ ରାଜନୀତିକ କାର୍ଯ୍ୟ ନୁହେଁ ସତ, ତଥାପି ତାହାକୁ ଏକ ରାଜନୀତିକ କାର୍ଯ୍ୟ ବୋଲି ମଧ୍ୟ ଅବଶ୍ୟ କୁହାଯାଇ ପାରିବ ।

 

୪.୮.୯୮

 

ଅସଲ ସ୍ପର୍ଶଟିକୁ ଲାଭ କରିବାପରେ ମୁଁ ମଣିଷକୁ ଦେଖି ଆସିଥିବା ଆଖିଟି ମଧ୍ୟ ସତେଅବା କେଉଁ ସ୍ଵାଭାବିକ ନିୟମ ଅନୁସାରେ ଗୋଟାସୁଦ୍ଧା ବଦଳିଗଲା । ପରମ୍ପରାର ଅଭ୍ୟସ୍ତତା ଅନୁସାରେ ମୁଁ ମଣିଷକୁ ଯେଉଁ ଆଖିରେ ଦେଖି ଆସୁଥିଲି, ଆଉ ସେହି ଆଖିରେ ମୋଟେ ଦେଖି ପାରିଲିନାହିଁ । ଜଣେ ବ୍ୟକ୍ତିର ବିଦ୍ୟାର୍ଜନ ଅଧିକ ଆୟତନଯୁକ୍ତ ହେଲେ ଯେ ଆଖି ଅବଶ୍ୟ ବଦଳିଯିବ, ସେକଥା ଦୃଢ଼ ଭାବରେ କଦାପି କହି ହେବନାହିଁ । ସେହି ସ୍ପର୍ଶଟି ସମ୍ଭବ ହେଲେ ଯାଇ ଆଖି ବଦଳେ । ଏବଂ, ଯେଉଁ ବିଦ୍ୟାର ଅର୍ଜନ ସେହି ସ୍ପର୍ଶଟିକୁ ଲାଭ କରିବାରେ ସହାୟକ ହୋଇ କାର୍ଯ୍ୟ କରେ, ସେହି ବିଦ୍ୟାକୁ ପ୍ରକୃତରେ ମହାଭାଗ୍ୟବନ୍ତ ବୋଲି କୁହାଯିବ ।

 

ଅସଲ ସ୍ପର୍ଶଟି ଏପରି ଏକ ଆକାଶର ସ୍ପର୍ଶ, ଯାହାକି ପାଦତଳେ ରହିଥିବା ଭୂମିଟିକୁ ଏକ ନୂତନ ତାତ୍ପର୍ଯ୍ୟର ସହିତ ପ୍ରତ୍ୟକ୍ଷ କରାଇ ଆଣେ । ପରମ୍ପରା ତ ଯାବତୀୟ ଆକାଶକଳ୍ପନାକୁ ଭୂମିଠାରୁ ଅଲଗା କରି ଦେଖାଇବା ନିମନ୍ତେ ପ୍ରୟାସ କରିଥାଏ । ତେଣୁ, ଆକାଶର ପ୍ରେରଣାରେ ଅନେକ ମଣିଷ ସେହି ପୁରୁଣା ପରମ୍ପରା ଅନୁସାରେ ଭୂମିଟିକୁ ଛାଡ଼ି ଆଉକୁଆଡ଼େ ପଳାନ୍ତି । ଭୂମି ଉପରେ ବହୁ ମନ୍ଦିର ଓ ବହୁ ପ୍ରତିମାର ଭିଆଣ କରାହୁଏ ସତ, ମାତ୍ର ସେମାନେ ସମସ୍ତେ ସଚରାଚର ମଣିଷମାନଙ୍କୁ ପ୍ରଧାନତଃ ପଳାଇ ଯିବାର ପ୍ରରୋଚନା ହିଁ ଦେଇଥାନ୍ତି । ତେଣୁ, ଭୂମି ଉପରେ ବିଚରଣ କରୁଥିବା ମଣିଷ ପ୍ରାୟ ଯୋଉଠି ସେଇଠି ରହିଯାଏ । ଆମ ପୃଥିବୀକୁ ମୁଖ୍ୟତଃ ଯେଉଁସବୁ ତିମିର କାଳ କାଳ ଧରି ଶାସନ କରି ଆସୁଛନ୍ତି, ସେହି ତିମିର ଭିତରେ ମଣିଷକୁ ଦେଖିଥିବା ଆଖିମାନେ ହୁଏତ ଆଦୌ କୌଣସି ସ୍ତରବଦଳର ଅବସର ପାଇ ପାରନ୍ତିନାହିଁ । ସ୍ତରବଦଳ ହୁଏ ସତକୁ ସତ ଅସଲ ସ୍ପର୍ଶଟିକୁ ଲାଭ କଲେ । ସେହି ସ୍ପର୍ଶଟି ଏପରି ଗୋଟିଏ ଡୋରକୁ ଆଣି ହାତରେ ଧରାଇଦେଇ ଯାଏ, ଯାହା ବଳରେ ସମସ୍ତେ ଗୋଟିଏ ଡୋରରେ ବନ୍ଧା ହୋଇ ରହିଥିବାପରି ଅନୁଭବ ହୁଏ । ଏହାରିଦ୍ଵାରା ହିଁ ଜୁଗୁପ୍ସା ଦୂର ହୁଏ । ଅଭୟ ଲାଭ ହୁଏ । ଏବଂ, ତା’ପରେ ଜଣେ ମଣିଷ ଯାହାକିଛି କରେ, ତାହା ସାହିତ୍ୟସେବା ବା ଆଉ କିଛି ହୋଇଥାଉ ପଛକେ, ସବୁ କ୍ଷେତ୍ରରେ ଅସଲ ସ୍ପର୍ଶଟି ହିଁ ସବୁକିଛି ଅନୁସିକ୍ତ କରି ରଖିଥାଏ । ସେହି ସ୍ପର୍ଶଟି ହେଉଛି ଏକ ଆଧ୍ୟାତ୍ମିକ ସ୍ପର୍ଶ । ସେହି ସ୍ପର୍ଶ ଅନନ୍ତ ସୁଖର କାରଣ ହୁଏ । ଅନୁଭବ ହୁଏ, ସତେଅବା ମୋତେ ମାଧ୍ୟମ କରି ଏବଂ ମୋତେ ହିଁ ଏକ ପ୍ରତୀକରୂପେ ବ୍ୟବହାର କରି ମୋ ଉର୍ଦ୍ଧ୍ଵରେ ବିସ୍ତାରଯୁକ୍ତ ହୋଇଥିବା ଆକାଶ ବିସ୍ତାରଯୁକ୍ତ ହୋଇ ରହିଥିବା ଭୂମିଟି ମଧ୍ୟକୁ ପ୍ରସାରିତ ହୋଇ ଆସିଛି । ଆକାଶ ନୁହେଁ କି ଭୂମି ନୁହେଁ,–ତା’ପରେ ଏହି ବିସ୍ତାରର ସାମର୍ଥ୍ୟ ହିଁ ଯାବତୀୟ ପ୍ରାର୍ଥନା ଓ ଆରାଧନାରେ ସବାବଡ଼ ଅଭୀଷ୍ଟରୂପେ ଆବିଷ୍କୃତ ହୋଇଥାଏ ।

 

୫.୮.୯୮

 

ମହାତ୍ମା ଗାନ୍ଧୀଙ୍କର ଜୀବନଘଟଣାର ସମଗ୍ରଟି ମଧ୍ୟରୁ ଶ୍ରୀଯୁକ୍ତ ଏରିକ୍‌ସନ୍ କେତେ ତଥ୍ୟ ସଂଗ୍ରହ କଲେ । ତଥ୍ୟଗୁଡ଼ିକୁ ଏକାଠି ଆଉଟି ସିଏ କେତେ ସତ୍ୟର ଆବିଷ୍କାର କଲେ । ଆମେ ଆହୁରି କେତେ କେତେ ଲୋକ ଗାନ୍ଧୀଙ୍କର ରଚନା ଅବଶ୍ୟ ପାଠ କରିଥିଲୁ । ମାତ୍ର, ତହିଁରେ ଏତେ ଏତେ ତଥ୍ୟ ରହିଛି, ଯାହାକି ଆମକୁ ଗାନ୍ଧୀଙ୍କର ଜୀବନପ୍ରବାହଟି ବିଷୟରେ ଏତେ ଏତେ ସତ୍ୟବୃତ୍ତାନ୍ତର ସୂଚନା ଆଣି ଦେଇପାରିବ, ଆମେ ସେକଥା ମୋଟେ ଚିନ୍ତା କରି ନଥିଲୁ । ଏରିକ୍‌ସନ୍ ହେଉଛନ୍ତି ମନୋବିଶ୍ଳେଷକ, ତେଣୁ ସିଏ ଏତେ ଏତେ ଗହନ ଭିତରକୁ ପ୍ରବେଶ କରି ପାରିଲେ । ତଥ୍ୟ ଭିତରେ ଏକାବେଳେକେ ମଗ୍ନ ହୋଇ ଯେ ଏତେ ସତ୍ୟ ସର୍ବଦା ରହିଥାଏ, କେବଳ ଜଣେ ମନୋବିଶ୍ଳେଷକ ହିଁ ତାହା ଦେଖାଇଦେଇ ପାରିବ ।

 

ଏରିକ୍‌ସନ୍‌ଙ୍କର Gandhi’s Truth ବହିଟିକୁ ପଢ଼ିବା ସମୟରେ ମୁଁ ଭାବୁଥିଲି, ଯଦି ଲେଖକ ଆଉ କେତେବର୍ଷ ପୂର୍ବରୁ ଭାତରବର୍ଷ ଆସିଥାନ୍ତେ, ତେବେ ସିଏ ଗାନ୍ଧୀଙ୍କୁ ଦେଖି ମଧ୍ୟ ପାରିଥାନ୍ତେ,–ତାଙ୍କ ସହିତ କେତେ ସମୟ ରହି ତାଙ୍କରି ଦର୍ପଣରେ ହିଁ ତାଙ୍କୁ ଦେଖି ପାରିଥାନ୍ତେ । ତେବେ ସିଏ ଗାନ୍ଧିଜୀଙ୍କୁ ହୁଏତ ଅଧିକ ଅନ୍ତରଙ୍ଗ ଭାବରେ ଆଘ୍ରାଣ କରି ପାରିଥାନ୍ତେ । ଜଣେ ବ୍ୟକ୍ତିଙ୍କ ବିଷୟରେ ବହିରୁ ସବୁ ସଂଗ୍ରହ କରି ଜାଣିବା,–ତଥ୍ୟସଂଗ୍ରହ କରିବା ଏବଂ ଜଣେ ତଥ୍ୟାଭିଜ୍ଞ ଭାବରେ ତାଙ୍କ ସମ୍ବନ୍ଧରେ ସନ୍ଦର୍ଭ ବୋଲି କିଛି ଲେଖିବା,–ଇଏ ଅବଶ୍ୟ ଗୋଟିଏ ବଡ଼ କାମ ଏବଂ ତାହାର ଆବଶ୍ୟକତା ଅଲବତ ରହିଛି । ହାଣ୍ଡିରେ ଫୁଟଣ ଫୁଟୁଥିବା ବେଳେ ବଘରାର ଯେଉଁ ଅନୁଭବ ବା ପରିଚୟଟି ମିଳେ, ବଘରା ହୋଇଥିବା ହାଣ୍ଡିମାନଙ୍କୁ ପରୀକ୍ଷା କରି ସେଥିରୁ ବଘରାର ଅନୁମାନ କରିବା,–ଉଭୟ ମଧ୍ୟରେ ବହୁତ ତଫାତ ରହିବା ଏକାନ୍ତ ସ୍ଵାଭାବିକ । ଜଣେ ବ୍ୟକ୍ତିର traitsଗୁଡ଼ିକରୁ ତାହାର ବ୍ୟକ୍ତିତ୍ଵ ସମ୍ପର୍କରେ ଜାଣିବା ଓ ତା’ର ପ୍ରତ୍ୟକ୍ଷ ସମ୍ପର୍କରେ ଆସି ତାକୁ ଜାଣିବା,–ତାହା ଆଦୌ ଏକା କଥା ନୁହେଁ । ବିଶେଷତଃ, ଯେଉଁମାନେ ସତେଅବା ଏକ ଅନ୍ୟ ସ୍ପର୍ଶର ସାତତ୍ୟ ମଧ୍ୟରେ ଜୀବନ ବଞ୍ଚନ୍ତି, ମନୋବିଶ୍ଳେଷଣର ତଥ୍ୟାଧ୍ୟୟନ ପ୍ରଣାଳୀଦ୍ଵାରା ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ବୁଝିବା ସମ୍ଭବତଃ ବହୁ ଭ୍ରମର କାରଣ ହୋଇପାରେ । ବ୍ୟକ୍ତିକୁ ପ୍ରତ୍ୟକ୍ଷ ପରିଚୟଦ୍ଵାରା ଜାଣିଲେ ତା’ର ତଥାକଥିତ traitsକୁ ଆମେ ହୁଏତ ଅଧିକ ଭ୍ରମଶୂନ୍ୟ ଭାବରେ ଜାଣିପାରିବା । ଗାନ୍ଧୀ ତାଙ୍କ ଜୀବନକାଳରେ କେତେ କେତେ ମଣିଷଙ୍କୁ ନିବିଡ଼ ଭାବରେ ଆକର୍ଷିତ କରି ଆଣିଥିଲେ, ସେମାନଙ୍କର ଜୀବନମାର୍ଗକୁ ବଦଳାଇ ଦେଇଥିଲେ;–ଏହି ମଣିଷମାନେ ତଥ୍ୟରୁ ସତ୍ୟକୁ ନୁହେଁ, ପ୍ରତ୍ୟକ୍ଷ ସମ୍ପର୍କର ସତ୍ୟରୁ ହିଁ ଗାନ୍ଧୀଙ୍କୁ ଚିହ୍ନିବାଲାଗି ସମର୍ଥ ହୋଇଥିଲେ । ଏବଂ, ଜଣେ ଅଧ୍ୟୟନକାରୀ ଭିତରେ ଆଉସବୁ କ’ଣ ଗୁଣ ରହିଥିଲେ ସିଏ ସଂଗୃହୀତ ତଥ୍ୟଗୁଡ଼ିକ ମଧ୍ୟରୁ ବି ଜଣେ ବ୍ୟକ୍ତିର ଜୀବନସତ୍ୟଗୁଡ଼ିକର ସତ୍ୟକୁ ପାଇପାରେ, ତାହା ହେଉଛି ଏକାବେଳେକେ ଏକ ଅନ୍ୟ କଥା ।

 

୬.୮.୯୮

 

ମୋ’ ଜାଣିବାରେ ପୃଥିବୀର ସବୁଠାରୁ ଅଧିକ ଗ୍ରହଣଶୀଳ ଭାଷା ଇଂରାଜି ଭାଷାକୁ ମୁଁ ନମସ୍କାର କରୁଛି । ଯେଉଁସବୁ ଚେତନା ଏବଂ ଉତ୍ତରାଧିକାର ମୋତେ ନିଜ ଜୀବନରେ କ୍ରମଶଃ ଅଧିକରୁ ଅଧିକ ଗ୍ରହଣଶୀଳ କରି ଆଣିଛନ୍ତି ଓ ଆଣୁଛନ୍ତି, ସେହି ସବୁଗୁଡ଼ିକୁ ମଧ୍ୟ ମୋ’ର ନମସ୍କାର । ଯେଉଁ ଧର୍ମ ମୋତେ ଅଧିକରୁ ଅଧିକ ଗ୍ରହଣଶୀଳ ହେବାର ସହାୟତା କରିଛି ଏବଂ ଯେଉଁ ସତ୍ୟଗୁଡ଼ିକ ମୋତେ ପୂର୍ଣ୍ଣ ଗ୍ରହଣଶୀଳ ଭାବରେ ଅଧିକ ସତ୍ୟର ଏକ ବୃହତ୍ତର ସମଗ୍ରତା ଆଡ଼କୁ ଉନ୍ମୋଚିତ କରନେଇଛି, ସେହି ଧର୍ମ ଏବଂ ସେହି ସତ୍ୟଗୁଡ଼ିକ ମୋ’ର ପୁନଃପୁନଃ ନମସ୍କାର । ସର୍ବୋପରି, ଯେଉଁ ଗୁରୁମାନେ ଅଧିକରୁ ଅଧିକ ଗ୍ରହଣଶୀଳ ହେବାପାଇଁ ମୋ’ର ଦ୍ଵାରଗୁଡ଼ିକୁ ଦରକାର ହେଲେ ଆଘାତ ଦେଇ ଖୋଲି ଦେଇଛନ୍ତି, ସେହି ଗୁରୁମାନଙ୍କୁ ବି ମୋ’ର ନମସ୍କାର, କୋଟି କୋଟି ନମସ୍କାର ।

 

ଇଂରାଜି ଭାଷାରୁ ଅଧିକ ପୁସ୍ତକ ପୃଥିବୀର, ଏପରିକି ସେହି ଇଉରୋପର ଭିନ୍ନ ଭିନ୍ନ ଭଷାରେ ଅନୂଦିତ ହୋଇଛି ନା ତାହାଠାରୁ ଅଧିକ ସଂଖ୍ୟାରେ ପୁସ୍ତକ ଭିନ୍ନ ଭିନ୍ନ ଭାଷାରୁ ଇଂରାଜି ଭାଷାକୁ ଅନୂଦିତ ହୋଇ ଆସିଛି, ତାହାର ମଧ୍ୟ ଏକ ଗଣନା କରାଯାଇ ପାରନ୍ତା । ଇଂରାଜି ଭାଷା ଯେ ଏହି କାରଣରୁ ମଧ୍ୟ ଅଧିକ ଗ୍ରହଣଶୀଳ ହେବାର ପ୍ରଶସ୍ତ ଅବସର ପାଇଛି, ସେପରି ଏକ ଅନୁମାନ ମଧ୍ୟ ସର୍ବଦା କରାଯାଇ ପାରିବ । ଓଡ଼ିଶାରେ ଆମ ବୀରମାନେ କହୁଛନ୍ତି ଯେ, ଆମେ ଅଧିକରୁ ଅଧିକ ଓଡ଼ିଆ ବହିକୁ ଏଣିକି ଇଂରାଜି ଭାଷାକୁ ଅନୁବାଦ କରିବା । ଭାରତବର୍ଷର ଅନ୍ୟ ଭାଷାଗୁଡ଼ିକର କ୍ଷେତ୍ରରେ ମଧ୍ୟ ଅନୁରୂପ ବୀର ଏବଂ ଦୃଷ୍ଟିବାନ୍‌ମାନେ ଅବଶ୍ୟ ରହିଥିବେ । ପୃଥିବୀର ବିଭିନ୍ନ ଭାଷାରୁ ଓଡ଼ିଆକୁ ଅଧିକରୁ ଅଧିକ ବହି ଅନୁବାଦ କରାଯାଉ, ଏପରିକି ଅନ୍ୟ ଭାରତୀୟ ଭାଷାମାନଙ୍କରୁ ମଧ୍ୟ ସୁକଳ୍ପିତ ଭାବରେ ଓଡ଼ିଆକୁ ଅଧିକ ଅନୁବାଦ ହେଉ, ସେକଥା ପ୍ରାୟ କେହି କହୁନାହାନ୍ତି । ଆମ ଘରର ସଂସ୍କୃତିଶାଳରେ ବୃକୋଦର ରୂପେ ଆତ୍ମନିଯୁକ୍ତ ହୋଇ ରହିଥିବା ଉତ୍ତମ ପୁରୁଷମାନେ ପ୍ରକୃତରେ କେତେ ପରିମାଣରେ ଗ୍ରହଣଶୀଳ, ଏଥିରୁ ହୁଏତ ସେହି କଥାଟିର ମଧ୍ୟ କିଞ୍ଚି୍ତ ଅନୁମାନ କରାଯାଇ ପାରିବ । ଆମ ଆଧୁନିକ ସାହିତ୍ୟମଣ୍ଡଳର ଏକାଧିକ ବ୍ୟକ୍ତି ତ ପ୍ରାୟ ସାଧନାରେ ବାହାରିଥିବାପରି ସବାଆଗ ନିଜଦ୍ଵାରା ଲିଖିତ ବହିଗୁଡ଼ିକୁ ଇଂରାଜି ଭାଷାରେ ଅନୁବାଦ କରାଇବାର ମେହେନତରେଲାଗି ପଡ଼ୁଛନ୍ତି । ଏପରିକି, ଯଜମାନ ନପାଇଲେ ନିଜର ବହିମାନଙ୍କୁ ନିଜେ ଅନୁବାଦ କରି ପକାଉଛନ୍ତି । ଏହି ରୋଗର ନିଦାନ ଖୋଜିବାକୁ ହେଲେ ଆମକୁ ହୁଏତ ଗତ ଗୋଟିଏ ଶତାବ୍ଦୀର ଇତିହାସ ଭିତରୁ ଓଡ଼ିଶାକୁ ଚିହ୍ନିବା ପାଇଁ ଚେଷ୍ଟା କରିବାକୁ ପଡ଼ିବ । କେତେ ପ୍ରମତ୍ତତାରୁ ମୁକ୍ତ ହେଲେ ଯେ ସେହି କଥାଟିକୁ କରିହେବ, ସେକଥାଟିକୁ ଆମଭିତରୁ ଯିଏକେହି ଅନୁମାନ କରିପାରିବ । ଆମ ଘରର ବାମନମାନେ ଛଳ କରି ଆମକୁ ପାତାଳକୁ ଚାପି ଦେବାକୁ ଚେଷ୍ଟା କରୁଛନ୍ତି କି ?

 

୭.୮.୯୮

 

ମୁଁ ମୋ’ର ନିଜଭଷା ବୋଲି ଚିହ୍ନି ଆସିଥିବା ମୋ’ ଓଡ଼ିଆ ଭାଷାକୁ ମଧ୍ୟ ନମସ୍କାର । ତାହା ହେଉଛି ମୋ’ର ମାତୃଭାଷା; ମୋ’ ଜୀବନରେ ମୁଁ ସର୍ବପ୍ରଥମେ ଶିଖିଥିବା ଭାଷା । ଏହି ଭାଷାର ମୂଳ ଅବଲମ୍ବନଟିର ସାହାଯ୍ୟରେ ମୁଁ ପୃଥିବୀର ଆହୁରି କେତେ କେତେ ଭାଷାକୁ ଶିକ୍ଷା କରିଛି । ମୁଁ ଯାହାକିଛି ଭାବିଛି, ସର୍ବଦା ଏହି ଓଡ଼ିଆ ଭାଷାକୁ ଆଧାର କରି ହିଁ ଭାବିଛି । ବାହାରୁ ଯାହାକିଛି ସଂଗ୍ରହ କରିଛି, ତାହାକୁ ଯାବତୀୟ ଅର୍ଥରେ ଓଡ଼ିଆ ଭାଷାର ମାଧ୍ୟମରେ ହିଁ ମୋ’ ନିଜ ଭିତରେ ମୁଁ ସାଇତି କରି ରଖିଛି । ସବୁଠାରୁ ଅଧିକ ସ୍ଵାଭାବିକ ଏବଂ ସାବଲୀଳ ଭାବରେ ମୁଁ ଓଡ଼ିଆରେ ହିଁ ଯାହାକିଛି ଲେଖି ପାରିଛି । ଏହି ପୁଥିବୀର ଆଉ କୌଣସି ଭାଷା ମୋ’ ଜୀବନରେ ଓଡ଼ିଆ ଭାଷା ସହିତ କଳହ ଲଗାଇ ଦେବାକୁ ଆସିବ, ମୋ’ ପାଇଁ ଏଭଳି ଦୁର୍ଭାଗ୍ୟ କେବେହେଲେ ହୋଇନାହିଁ । ଓଡ଼ିଶା ଭାଷାକୁ ନମସ୍କାର ଅର୍ଥାତ୍ ମୋ’ର ଗୋଡ଼ତଳେ ଦୃଢ଼ ହୋଇ ରହିଥିବା ଓ ମୋତେ ଦୃଢ଼ ଭାବରେ ଠିଆ କରାଇ ରଖି ପାରିଥିବା ତାହାକୁ ନମସ୍କାର ।

 

ନିଜର ଭାଷାଟିକୁ ସ୍ଵାଭାବିକ ଭାବରେ ଗ୍ରହଣ କରିନେଇ ପାରିଛି ବୋଲି ଅନ୍ୟ ଭାଷା ବିଷୟରେ ମଧ୍ୟ ମୁଁ ଗ୍ରହଣଶୀଳ ହୋଇ ରହିପାରିଛି । ନିଜଭିତରେ ନିଜର ଘର ପ୍ରତି ଯେଉଁମାନଙ୍କର କୌଣସି ହୀନମନ୍ୟତା ରହିଥାଏ, ବିଚରା ସେହିମାନେ ହିଁ ଅନ୍ୟ କୌଣସି ଘରକୁ ଗଲେ ବଡ଼ ଶୋଚନୀୟ ଭାବରେ ସମ୍ମାନ ହରାଇ ବସନ୍ତି । ଓଡ଼ିଶାରେ ଏହିପରି ନିଜପାଖରେ ସମ୍ମାନ ହରାଇଥିବା କେତେ ମଣିଷ ଅନ୍ୟ ଭାଷାଟିଏ କହିଲାବେଳେ ନିଜର ସତେଅବା କେଉଁ ରାଜାଧିରାଜଙ୍କର ଶ୍ୟାମଳପରି ଅନୁଭବ କରୁଥାନ୍ତି, ଏକ ପୋଷାକୀ ଉଗ୍ରମନ୍ୟତାଦ୍ଵାରା ନିଜ ଭିତରର ହୀନମନ୍ୟତାକୁ ଘୋଡ଼ାଇ ରଖିବାକୁ ଚେଷ୍ଟା କରୁଥାନ୍ତି । ଭାରି ଧରା ପଡ଼ି ଯାଆନ୍ତି । ଭାରତବର୍ଷରେ ନାନା କ୍ଷେତ୍ରରେ ଆଜି ଏହିପରି ହୀନମନ୍ୟମାନେ ହିଁ ଶାସନ କରୁଛନ୍ତି,–କେଡ଼େ ଉଗ୍ରମନ୍ୟ ଭାବରେ ଏଠି ଉପଦ୍ରବ କରିବାରେ ଲାଗିଛନ୍ତି । ଯେତେବେଳେ ଏହି ଦେଶରେ ତଳଟା ପ୍ରସ୍ତୁତ ହୋଇଯିବ, ଦୃଢ଼ ହୋଇଯିବ, ସେତେବେଳେ ଯାଇ ଏହି ଉଗ୍ରମନ୍ୟମାନଙ୍କର ହୋସ୍ ଆସିବ । ତା’ପରେ ଯାଇ ସାହିତ୍ୟ ସ୍ଵାଭାବିକ ହେବ, ଶାସନ ମଧ୍ୟ ସ୍ଵାଭାବିକ ହେବ । ତଳୁ ହିଁ ଅସଲ ଆଖି ଓ ଅସଲ ପ୍ରୀତିଗୁଡ଼ିକ ତିଆରି ହୋଇ ଆସିବେ । ଏବେ ତ ଦୂରତାଗୁଡ଼ାକ, ହିଁ ଉପର ଓ ତଳ ଉଭୟଙ୍କୁ ଅଜାତିଆ କରି ରଖିଛି । ଆମର ଆନୁଗତ୍ୟଗୁଡ଼ିକ ଏପର୍ଯ୍ୟନ୍ତ ନିଜକୁ ନିର୍ଭୟ ଓ ସୁସ୍ଥ ଭାବରେ ପ୍ରକଟ କରି ଆଣିବାପାଇଁ ସୁଯୋଗ ପାଉନାହିଁ । ବର୍ବରମାନେ ହିଁ ଏଠାରେ ସଂସ୍କୃତି ନାମରେ ବହୁତ ବହୁତ ଅସୁସ୍ଥତାକୁ ଆଣି ପୂରାଇ ରଖିଛନ୍ତି । ଇଏ ବି ଯିବ । Prodigalମାନେ ଘରକୁ ଫେରିବେ । ଭାରତବର୍ଷ ଏକାବେଳେକେ ଏକ ଅନ୍ୟ ଶ୍ରଦ୍ଧାର ଜୀବନ ବଞ୍ଚିବ, ଜୀବନକୁ ଗଢ଼ିବ ।

 

୨୧.୮.୯୮

 

ଗୋଟିଏ ନୂଆ ଜାଗା ବା ଦେଶକୁ ଆସିଲେ ସତେଅବା ଏକ ପୁନରୁପନୟନର ସୌଭାଗ୍ୟ ଓ ସମ୍ଭାବନା ଭିତରେ ଆସି ପ୍ରବେଶ କରିବାପରି ମୁଁ ଅନୁଭବ କରୁଥାଏ । ତୁଳନା କରି ପାରେନାହିଁ,–ହୁଏତ ଭଲମନ୍ଦ ବି ଠଉରାଇ ପାରେନାହିଁ । ବାହ୍ୟଗୁଡ଼ାକୁ ଦେଖି ମୋଟେ ଶଙ୍କି ଯାଏନାହିଁ । ମୋ’ ନିଜର ଜୀବନର ସହସ୍ର ବାହ୍ୟ ସତ୍ତ୍ୱେ ଯେପରି ଭିତରର ଅସଲଟି ସହିତ ମୁଁ ସର୍ବଦା ନାଡ଼ଟିକୁ ଲଗାଇ ରଖିବାର ପ୍ରୟାସ କରିଥାଏ, ଠିକ୍ ସେହିପରି ବୃହତ୍ତର ପୃଥିବୀ ଭିତରେ ବାହାରର ସମତା କିମ୍ବା ବିଷମତାଗୁଡ଼ିକୁ ଦେଖି ମୁଁ ଗୋଟେ ଥମ୍ବି ଯାଏନାହିଁ,–ପାର୍ଥକ୍ୟ ଦେଖିଲେ ପ୍ରତିକ୍ରିୟା ବ୍ୟକ୍ତ କରି ମୋଟେ ପୁନର୍ବାର ନିଜ ଘର ଭିତରକୁ ପଳାଇ ଯାଏନାହିଁ । ପୃଥିବୀସାରା ହିଁ ଏହିପରି ବାହାରଗୁଡ଼ାକ ପଛରେ କେତେ କେତେ ଅସଲ ଯେ ରହିଛି, ମୁଁ ସେହିକଥା ଭାବି ସର୍ବଦା ଆଶ୍ଚର୍ଯ୍ୟ ହୋଇଯାଏ । ହୁଏତ ଏହି ଅସଲଗୁଡ଼ିକ ସକାଶେ ହିଁ ବାହାରଗୁଡ଼ିକ ମଧ୍ୟ ଏତେ ବିଚିତ୍ର ବା ଅନନ୍ୟ ଦେଖାଯାଏ । ବାହାର ଭିତରେ ଏହି ଅନନ୍ୟକୁ ଘ୍ରାଣ କରି ପାରିବା, ସମ୍ଭବତଃ ସଂସ୍କୃତିକୁ ଆବିଷ୍କାର କରିବାର ଏହାହିଁ ହେଉଛି ସର୍ବପ୍ରଧାନ ଉପାୟ । ମୋ’ର ନୂଆ ପଇତାଟାକୁ ମୁଁ ପ୍ରଣାମ କରୁଛି ।

 

ପୁରୁଣଗୁଡ଼ାକରୁ ମନ ଛାଡ଼ି ଯାଇଥାଏ ବୋଲି ଯେ ଜଣେ ମଣିଷ ନୂଆକୁ ଲୋଡ଼ି ବାହାରିଥାଏ, ସେକଥା ମୋଟେ ଠିକ୍ ନୁହେଁ । ପୁରୁଣା ଭିତରେ ଏପରି ଏକାଧିକ ସୂତ୍ର ମଧ୍ୟ ରହିଥାଏ, ଯାହାକି ନୂଆକୁ ଛୁଇଁବାଲାଗି ମନ କରୁଥାଏ । ଗୋଡ଼ଗୁଡ଼ିକ ପୁରୁଣା ଉପରେ ଯେତେ ଦମ୍ଭବ ହୋଇ ରହିଥାଏ, ମଣିଷର ନୂଆଲାଗି ଏହି ଅଭିଳାଷଟି ହୁଏତ ସେତିକି ସ୍ଵାଭାବିକ ଭାବରେ ନିଜକୁ ପ୍ରକଟ କରି ଆଣିବାକୁ ଇଚ୍ଛା କରୁଥାଏ । ଏବଂ, ଯେଉଁମାନେ ପୁରୁଣାଟାକୁ ହୁଏତ କୌଣସି କାରଣରୁ ସ୍ଵାଭାବିକ ଭାବରେ ସ୍ଵୀକାର କରି ପାରୁନଥାନ୍ତି, ସେହିମାନେ ହିଁ ଅସ୍ଵାଭାବିକ ଭାବରେ ନୂଆ ଭିତରକୁ ପ୍ରାୟ ଏକ ଲମ୍ପପ୍ରଦାନ କରିବାଲାଗି ଇଚ୍ଛା କରୁଥାନ୍ତି । ନୂଆକୁ ସ୍ଵାଭାବିକ ଭାବରେ ଗ୍ରହଣ କରିବାକୁ ସମର୍ଥ ହୋଇନଥିବା ମଣିଷମାନେ ଯେପରି ଅସ୍ଵାଭାବିକ ଭାବରେ ପୁରୁଣା ଭିତରେ ପ୍ରାୟ ଲାଖି ରହିବାକୁ ମନ କରୁଥାନ୍ତି, ଇଏ ହେଉଛି ସେହିପରି ଗୋଟିଏ କଥା । ମୋ’ ନିଜଭିତରେ ମୋ’ର ପୁରୁଣା ଖୁଣ୍ଟଗୁଡ଼ିକ ଦମ୍ଭ ହୋଇ ରହିଛନ୍ତି ବୋଲି ହୁଏତ ନୂଆପାଖରେ ମଧ୍ୟ ମୁଁ ଏପରି ସହଜ ଭାବରେ ଗ୍ରହଣଶୀଳ ହୋଇ ପାରୁଛି । ଘରେ ଅରକ୍ଷିତ ହୋଇ ରହିଥିବା ବ୍ୟକ୍ତିମାନେ ବାହାରଟାକୁ ବାନା କରି ମୁଣ୍ଡରେ ବାନ୍ଧି ପକାଇବା ସକାଶେ ବ୍ୟାକୁଳ ହେଉଥାନ୍ତି; ବାହାରେ ନିଜକୁ ସତେଅବା ଅରକ୍ଷିତ ମନେ କରୁଥିବା ବ୍ୟକ୍ତିମାନେ ହୁଏତ ଘରଭିତରେ କାଞ୍ଜିପାଣି ହାଣ୍ଡିରେ ଯାଇ ପଶି ଥାଆନ୍ତି । ସେମାନେ କେଡ଼େ ଖୁସିରେ ଏସବୁ କରୁଥାନ୍ତି । ମୁଁ ଅଲଗା ଧାତୁରେ ଗଢ଼ା ହୋଇଥାଏ କି କ’ଣ କେଜାଣି, ମୁଁ ତାହା କରି ପାରେନାହିଁ । ମୁଁ ଅର୍ଜନ କରିଥିବା ବିଦ୍ୟାଟି ମୋତେ କାହିଁକି ଏପରି ଅଲଗା ଧାତୁରେ ଗଢ଼ି ଆଣିବାକୁ ମନ କଲା କେଜାଣି ?

 

୨୨.୮.୯୮

 

ଅସୁନ୍ଦରର ପ୍ରତିବାଦ, ତାହାହିଁ ସୁନ୍ଦର, ଅନ୍ୟାୟର ପ୍ରତିବାଦ, ତାହାହିଁ ନ୍ୟାୟ । ଅସତ୍ୟର ପ୍ରତିବାଦ, ତାହାହିଁ ସତ୍ୟ । ମନୁଷ୍ୟ ଚିରକାଳ ଖାଲି ସୌନ୍ଦର୍ଯ୍ୟ, ନ୍ୟାୟ ଏବଂ ସତ୍ୟର କଳ୍ପନା କଲା, କଳ୍ପନାରେ ହିଁ ଦର୍ଶନ ଓ ସାହିତ୍ୟ ସୌଧସବୁ ଗଢ଼ିଲା, ଖୁସି ହେଲା ଏବେ ଏଣେ ଆପଣାର ସମ୍ବନ୍ଧଗତ ବାସ୍ତବ ବିଚରଣମାନଙ୍କରେ କେଡ଼େ ଅସୁନ୍ଦର, ଅନ୍ୟାୟରତ ଏବଂ ଅସତ୍ୟ ହୋଇ ରହିଗଲା । ସ୍ଵୟଂ ସଙ୍କଟଗୁଡ଼ିକୁ ଭିଆଇ ସିଏ ସତେଅବା ନାଚାର ହୋଇ ଭଗବାନଙ୍କୁ ସବାଆଗ ସଙ୍କଟମୋଚନ ବୋଲି ଡାକିଲା । ଭଗବନା ତା’ର ନିଜଭିତରେ ମଧ୍ୟ ଅଛନ୍ତି ବୋଲି ସବାଆଗ ଅନୁଭବ କରିଥିଲେ ହୁଏତ ସିଏ ଏହି ସଂସାରକୁ, ନିଜକୁ ଓ ଅନ୍ୟମାନଙ୍କୁ ଅନ୍ୟପ୍ରକାରେ ଦେଖିଥାନ୍ତା ଏବଂ ତାହାଫଳରେ ଆମେ ସଂସାରଟା ଅନ୍ୟ ପ୍ରକାରର ହୋଇଥାନ୍ତା ।

 

ପ୍ରତିବାଦ ନିମନ୍ତେ ମୂଳତଃ ଏକ ସାହସ ଦରକାର, ସାହସ ପଛରେ ମୂଳତଃ ଏକ ବିଶ୍ଵାସ ରହିଥିବା ଦରକାର । ଶାସ୍ତ୍ରମାନେ ସେହି ବିଶ୍ଵାସ ବିଷୟରେ କେତେ କଥା କହିଛନ୍ତି, ଧର୍ମମାନେ ସେହିସବୁ ଶାସ୍ତ୍ରକୁ ପୂଜା କରିବା ନିମନ୍ତେ କେତେ କେତେ ବିଧିର ଭିଆଣ କରିଛନ୍ତି ଏବଂ କେତେ କେତେ ଭେକର ଆବିଷ୍କାର କରିଛନ୍ତି । ମାତ୍ର ମଣିଷମାନେ ସତେଅବା ପ୍ରୟୋଜନ ବଶତଃ ଭୀରୁ ହୋଇ ରହିଛନ୍ତି ଏବଂ ଏହି ପୃଥିବୀକୁ ଅସୁନ୍ଦରତା, ଅନ୍ୟାୟ ଓ ଅସତ୍ୟଦ୍ଵାରା ପୂର୍ଣ୍ଣ କରି ରଖିଛନ୍ତି । ଦୁର୍ବଳମାନେ ଅସଲ ବଳଟି ବିଷୟରେ ସନ୍ଦିହାନ ହୋଇ ଭଳି ଭଳି ଦୁର୍ବୁଦ୍ଧି ବାହାର କରୁଛନ୍ତି । ରାଷ୍ଟ୍ର ଗଢ଼ୁଛନ୍ତି, ଅସ୍ତ୍ର ଗଦା କରୁଛନ୍ତି, ମେଣ୍ଟ ବାନ୍ଧୁଛନ୍ତି । ମାତ୍ର, ଅସୁନ୍ଦରଟା ହିଁ ମରୁଭୂମିପରି ମାଡ଼ି ମାଡ଼ି ଯିବାରେ ଲାଗିଛି । ଅସଲ ବାଟଟି କୁଆଡ଼େ ହଜି ଯାଇଥିବାପରି ସେମାନେ ଭଳି ଭଳି ବାଟର ପରାମର୍ଶ ଦେବାରେ ଲାଗିଛନ୍ତି । ଚାଲ, ଆମେ ଥୋକାଏ ମଣିଷ ବିଶ୍ଵାସକୁ ଫେରି ଆସିବା, ସାହସୀ ହେବା । ସବାଆଗ ନିଜଭିତରେ ରହିଥିବା ଭଗବାନଟିକୁ ଅନୁଭବ କରିବା,–ସବାଆଗ ନିଜଭିତରେ ରହିଥିବା ବଳଟିକୁ ସ୍ଵୀକାର କରିବା । ସେହି ବଳ ଦେଇ ଅର୍ଥାତ୍ ତାହାରି ସନ୍ତକରେ ଅନ୍ୟମାନଙ୍କୁ ଚିହ୍ନିବା । ଅର୍ଥାତ୍, ରାଷ୍ଟ୍ର ମାନିବାନାହିଁ, ସମ୍ପ୍ରଦାୟ ମାନିବାନାହିଁ,–ତଥାକଥିତ ଭେଦ ଏବଂ କାନ୍ଥଗୁଡ଼ାକୁ ମଧ୍ୟ ମାନିବାନାହିଁ ଏବଂ ଆପଣାର ଦ୍ଵାରଗୁଡ଼ିକୁ ଉନ୍ମୁକ୍ତ କରି ରଖିବା । ଅଲଗା ଦିଶିବା ପଛକେ, ତଥାପି ପ୍ରତିବାଦ କରିବା । ଅସଲ ଭରସା ଅର୍ଥାତ୍ ଅସଲ ବନ୍ଧନଟି ମଧ୍ୟକୁ ଫେରି ଆସିବାର ଆହ୍ଵାନ ଦେବା । ଅନ୍ୟଭଳି ଜୀବନଟିଏ ବଞ୍ଚିବା । ସେହି ଜୀବନଗୁଡ଼ିକ ହିଁ ସତ୍ୟ, ନ୍ୟାୟ ଏବଂ ସୁନ୍ଦରର ଆବାହନ କରି ଆଣିବ । ଚାଲ, ଆମେ ପରସ୍ପରର ହୋଇଯିବା । ଏହି ବହିଗୁଡ଼ାକୁ ମୋଟେ ମାନିବାନାହିଁ, ପୁରୁଣା ମାଷ୍ଟରମାନଙ୍କୁ, କୌଟିଲ୍ୟମାନଙ୍କୁ ଅସ୍ଵୀକାର କରି ଆଗକୁ ବାହାରିଯିବା ।

 

୨୩.୮.୯୮

 

ସରଳ ଜୀବନ ଯାପନ କରିବା ଏବଂ ସରଳ ହେବା ବିଷୟରେ ଗୋଟିକୁ ଆରଟି ସହିତ ଯୋଡ଼ି ସୁଧୀମାନେ କେତେ କ’ଣ କହି ଯାଇଛନ୍ତି । ମାତ୍ର, ତଥାକଥିତ ସରଳ ଜୀବନଟିଏ ଯାପନ କଲେ ଯେ ମଣିଷ ଆପେ ଆପେ ସରଳ ହୋଇଯାଏ, ଏହି କଥାଟି ସବୁ ସମୟରେ ଘଟିବାର ଆଦୌ କୌଣସି କାରଣ ନାହିଁ । ନିଜକୁ ଅଳପ ଜିନିଷରେ ଚଳାଇନେଇ ପାରିବା ଅବଶ୍ୟ ଏକ ଉତ୍ତମ କଥା । ଆମର ଆଶ୍ରମମାନଙ୍କରେ ଯଥାସମ୍ଭବ ଅଳପ ବସ୍ତୁରେ ଜୀବନକୁ ଚଳାଇ ନେବାର ପରମର୍ଶ ଦିଆଯାଇଛି । ମାତ୍ର, ସେହିସବୁ ଜୀବନଧାରା ସବୁ କ୍ଷେତ୍ରରେ ଯେ ସେଠାରେ ରହୁଥିବା ମନୁଷ୍ୟମାନଙ୍କୁ ସରଳ କରି ପାରିଥିଲା, ସେକଥା ମୋଟେ ଦୃଢ଼ କରି କହି ହେବନାହିଁ ।

 

ସରଳ ହେବାକୁ ମନ କଲେ ଯାଇ ମଣିଷ ସରଳ ହେବ । ଉଚ୍ଚତର ପାହାଚଟିକୁ ମନ କଲେ ଯାଇ ମଣିଷ ଏହି ପାହଚଟି ସହିତ ଅଣଆୟତ୍ତ ଭାବରେ ବାନ୍ଧି ହୋଇ ରହିବାର ଦୁର୍ଗତିରୁ ରକ୍ଷା ପାଇ ପାରିବ । ଆପଣା ସହିତ ଯାବତୀୟ ମିଛ ସଂଘର୍ଷର ଏହି ତାମସାଗୁଡ଼ାକ ବନ୍ଦ ହେଲେ ଯାଇ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଜଣେ ମଣିଷ କ୍ରମେ ସରଳ ହୋଇ ଆସିବ । ଆପଣାର ଜୀବନକୁ ଗୋଟାସୁଦ୍ଧା ନିଜପାଇଁ ନବଞ୍ଚି ଅନ୍ୟମାନଙ୍କ ପାଇଁ ବଞ୍ଚି ଶିଖିଲେ ଯାଇ ସରଳ ହେବା ସହଜ ହୋଇଯିବ । ଭାରତବର୍ଷରେ ମନୁଷ୍ୟମାନେ ଅଳପ ଜିନିଷ ଭିତରେ ଚଳୁଛନ୍ତି ଓ ଆମେରିକାର ସାଧାରଣ ଜୀବନଟିଏ ସମ୍ଭବ କରିବାକୁ ଏତେ ଏତେ ବସ୍ତୁର ଆବଶ୍ୟକତା ଯେ ପଡ଼ୁଛି, କେବଳ ସେହି କାରଣରୁ ଯେ ଭାରତବାସୀ ସରଳ ଓ ଆମେରିକାବାସୀ ସରଳ ନୁହନ୍ତି, ସେକଥା ଆଦୌ କୁହାଯାଇ ପାରିବାନାହିଁ । ଅଳପରେ ଚଳୁଥିବା ଲୋକେ ପ୍ରାୟ କୌଣସି ନିୟମର ଅଧୀନ ହୋଇ ରହିଥିବାପରି ଅଧିକ ବସ୍ତୁଭିତରେ ରହିଥିବା ମଣିଷମାନଙ୍କୁ ଈର୍ଷା ହିଁ କରନ୍ତି । ସେମାନେ ଏମାନଙ୍କ ଭଳି ହେବାକୁ ମନ କରୁଥାନ୍ତି ବୋଲି ସମ୍ଭବତଃ ସେହିଭଳି ହୋଇଥାଏ । ସେହି ଗୋଟିଏ ଦେଶ ଭାତରବର୍ଷରେ କ’ଣ ଏଥିଲାଗି କମ୍ ଈର୍ଷାର ଦୃଷ୍ଟାନ୍ତ ଦେଖିବାକୁ ମିଳିଥାଏ-! ସର୍ବନିମ୍ନ କେତୋଟି ଦ୍ରବ୍ୟ ସହଜରେ ଉପଲବ୍ଧ ହୋଇ ପାରୁଥିବ, ଏହିସବୁ ଜିନିଷ ପାଇଁ ନୁହେଁ, ମଣିଷ ଆଉକିଛି ପାଇଁ ନିଜର ଜୀବନକୁ ଅନୁରୂପ ଭାବରେ ଗଢ଼ି ଆଣିବାକୁ ଚେଷ୍ଟା କରୁଥିବ, ସିଏ ନିଜକୁ ହିଁ କେନ୍ଦ୍ର ବୋଲି, ଦ୍ଵୀପଟିଏପରି ନଦେଖି ଅନ୍ୟ ସମସ୍ତଙ୍କ ମଧ୍ୟରେ ନିଜକୁ ମିଳାଇ ଦେଖି ପାରୁଥିବ,–ହୁଏତ ତେବେଯାଇ ଜୀବନଧାରାରେ ଏପରି ଗୋଟିଏ ସରଳତା ସମ୍ଭବ ହେବ, ଯାହାକି ଜଣେ ମଣିଷକୁ ସରଳ କରି ଆଣିବ । ଏହି ପୃଥିବୀଟା ଯାକ ନିଜର ଘରପରି ମନେ ହେଲେ ଯାଇ ମୁଁ ସରଳ ସରଳ ହୋଇ ପାରିବି । ଅଧିକରୁ ଅଧିକ ବସ୍ତୁ ଦେଇ ନିଜର କାନ୍ଥଗୁଡ଼ାକୁ ଉଚ୍ଚରୁ ଅଧିକ ଉଚ୍ଚ କରିବା ସକାଶେ ସେତେବେଳେ ମୋତେ ମୋଟେ ଭଲ ଲାଗିବନାହିଁ ।

 

୨୪.୮.୯୮

 

ସନ୍ତ୍ରାସବାଦକୁ ଯିଏ ସନ୍ତ୍ରାସବାଦଦ୍ଵାରା ସାମନା କରିବାକୁ ଉତ୍ସାହ ଦେଖାଉଛି, ସିଏ ମଧ୍ୟ ସନ୍ତ୍ରାସବାଦୀ । ସିଏ ଜଣେ ବ୍ୟକ୍ତି ହୋଇପାରେ, ଏକ ସମୂହ ବି ହୋଇପାରେ,–ଗୋଟିଏ ରାଷ୍ଟ୍ର ମଧ୍ୟ ହୋଇପାରେ । ଯାହା ପାଖରେ ଅଧିକ ଅସ୍ତ୍ର ରହିଛି, ସିଏ କ’ଣ ସନ୍ତ୍ରାସବାଦୀ ହେବାଲାଗି ଅଧିକ ପ୍ରେରଣା ପାଇଥାଏ କି ? ମହାତ୍ମା ଗାନ୍ଧୀ ଏକଦା ସବଳର ଅହିଂସା କଥା କହିଥିଲେ । ଠିକ୍ ସେହିପରି ଭାବରେ ଖିଅଟିଏ ନେଇ ସବଳର ହିଂସା ବୋଲି ସେହି ଅନ୍ୟ କଥାଟିକୁ ମଧ୍ୟ କୁହାଯାଇ ପାରିବ କି ? ମାତ୍ର, ସାରା ପୃଥିବୀରେ ସତେଅବା ଭୀରୁମାନେ ହିଁ ଏବେ ସବୁଠାରୁ ଅଧିକ ହିଂସାର ମାଲିକ ହୋଇ ରହିଛନ୍ତି । ଭୀରୁମାନେ କ୍ଷମତାକୁ ଆସି ରାଷ୍ଟ୍ରୀୟତାକୁ ମଧ୍ୟ ଭାରି କରି ରଖିଛନ୍ତି । ହଁ, ଏହି ଭୀରୁମାନେ ବି ହିଂସାକୁ ଆଧାର କରି ମେଣ୍ଟମାନ ବାନ୍ଧୁଛନ୍ତି । ମାତ୍ର, ସେଥିରେ ପୃଥିବୀର ବେଶି କିଛି ଲାଭ ହେଉଥିବାପରି ଆଦୌ ମନେ ହେଉନାହିଁ ।

 

ଆମେରିକାର ଗୋଟିଏ ଅପେକ୍ଷାକୃତ କମ୍ ମହତ୍ତ୍ୱପୂର୍ଣ୍ଣ ପ୍ରଦେଶରେ ମାତ୍ର ପନ୍ଦରଜଣ ବ୍ୟକ୍ତି ଏକାଠି ହୋଇ ଆମେରିକା ସରକାରଙ୍କର ସନ୍ତ୍ରାସବାଦ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବୋମାଦ୍ଵାରା କଦାପି ଶାନ୍ତିର ପ୍ରତିଷ୍ଠା ସମ୍ଭବ ହେବନାହିଁ, ସନ୍ତ୍ରାସବାଦଦ୍ଵାରା କଦାପି ସନ୍ତ୍ରାସବାଦକୁ ଅଟକାଇ ହେବନାହିଁ,–ସେମାନେ ହାତରେ ଧରିଥିବା ବାନାଗୁଡ଼ିକରେ ଏହିସବୁ କଥା ଲେଖା ହୋଇଛି । ଆମେ ଆମର ଶତ୍ରୁକୁ ମଧ୍ୟ ଭଲ ପାଇବା,–ଗୋଟିଏ ବାନାରେ ଏକଥାଟି ମଧ୍ୟ ଲେଖା ହୋଇଥିଲା । ଆମେରିକାର ଅନ୍ୟ ସହରମାନଙ୍କରେ ହୁଏତ ଏହିଭଳି କିଛି ପ୍ରଦର୍ଶନ ହୋଇଥିବ । ପନ୍ଦର କୋଟି ବ୍ୟକ୍ତି ଗୋଟିଏ ପକ୍ଷରେ ରହିଥିବା ବେଳେ ପନ୍ଦରଜଣ ମନୁଷ୍ୟ ଏକ ବିକ୍ଷୋଭ ବାହାର କରି ଯେ ହିଂସାର ବିଲୋପ ଦିଗରେ ପ୍ରଭାବଶାଳୀ ଭାବରେ ବିଶେଷ କିଛି କରି ପାରିବେ, ସେକଥା କଦାପି ଦାବି କରାଯାଇ ପାରିବନାହିଁ । ମାତ୍ର, ଏମାନଙ୍କୁ ସାହସୀ ବୋଲି ଅବଶ୍ୟ କହିବାକୁ ହେବ । ନିଜର ବିବେକ ଅନୁସାରେ ଭାବିବା, କାର୍ଯ୍ୟ କରିବା,–ଅନ୍ୟ ପକ୍ଷରେ କୋଟିଏ ମଣିଷ ଗୋଟିଏ କଥା କହୁଥିବା ସମୟରେ ଅନ୍ୟ ପାଖରେ ମୁଷ୍ଟିମେୟ ମନୁଷ୍ୟ ଭିନ୍ନ ମତ ବ୍ୟକ୍ତ କରିବା ଏବଂ ସେହି ଅନୁସାରେ କାର୍ଯ୍ୟ କରିବା,–ଏହାହିଁ ସବଳର ଆଚରଣ । ପୃଥିବୀରେ ଏବେ ମଧ୍ୟ ସବଳମାନେ ଯେ ରହିଛନ୍ତି ଓ ପୃଥିବୀ ବିଷୟରେ ବିକଳ୍ପ ଚିନ୍ତାମାନ କରୁଛନ୍ତି, ତାହା ପୃଥିବୀର ଭାଗ୍ୟ ପାଇଁ ଏକ ଅତ୍ୟନ୍ତ ଆଶାଜନକ କଥା । ଏପରି ଲୋକ ପୃଥିବୀର ପ୍ରତ୍ୟେକ ଦେଶରେ ରହିଛନ୍ତି । ହୁଏତ ସେହିମାନେ ହିଁ ଆପଣା ସାହସର ପ୍ରଦର୍ଶନଦ୍ଵାରା ଏହି ପୃଥିବୀର ବିକଳ୍ପ ଯାବତୀୟ ଚିନ୍ତାକୁ ବଞ୍ଚାଇ ରଖିବେ । କଷ୍ଟ ସହିବେ, ତଥାପି ଅଣ୍ଟାକୁ ସିଧା କରି ବାଟ ଚାଲିବେ । ଆଖିକୁ ସିଧା କରି ଯାବତୀୟ ରାଷ୍ଟ୍ରବଳ ଏବଂ ଅସ୍ତ୍ରବଳ ଆଡ଼କୁ ଅନାଇ ପାରିବେ-। ବିଜ୍ଞାପନଗୁଡ଼ାକ ମନୁଷ୍ୟର ଆତ୍ମାକୁ ପୋଷ ମନାଇ ନେବାକୁ ବାହାରିଥିବା ବେଳେ ସେମାନେ ମଣିଷକୁ ସାବଧାନ କରି ଦେଉଥିବେ; ଯାବତୀୟ ସୁସ୍ଥ ପୃଥିବୀରେ ପ୍ରକୃତରେ କାହା ମତରେ ସବୁକିଛି ଚଳିବ, ତାହାକୁ ସୂଚାଇ ଦେଉଥିବେ ।

 

୨୫.୮.୯୮

 

ଯାହା ଅବଦମିତ ହୋଇ ରହିଥାଏ, ତାହା ପ୍ରକୃତରେ Id ନୁହେଁ, ତାହା ହେଉଛି ଚୈତ୍ୟ-। ଅସଲ ଓ ଶୁଭତମ ବାସନାଟି ଅବଦମିତ ଅର୍ଥାତ୍ ଉଢ଼ୁଆଳ ହୋଇ ରହିଥିଲେ ହିଁ ତାହା ଅନ୍ୟାନ୍ୟ ଯାବତୀୟ ଅପବାସନାଲାଗି ଏକ ଅନୁକୂଳ କ୍ଷେତ୍ର ସୃଷ୍ଟି ହେବାରେ ସହାୟତା କରେ ଏବଂ ସେଇଥିରୁ ହିଁ ଜୀବନ ନାମରେ ମଣିଷ ସର୍ବବିଧ ଅପବଣିଜ କରିବା ନିମନ୍ତେ ମନ ବଳାଇଥାଏ । ଆମର ଶୁଭତମ ବାସନାଟିର ପେଡ଼ି ଭିତରେ ଆମର ଶୁଭତମ ସମ୍ଭାବନାର ମାର୍ଗଟିଏ ଲୁକ୍କାୟିତ ହୋଇ ରହିଥାଏ ।

 

ଚୈତ୍ୟପଥଟିକୁ ଓଗାଳି ରହିବାର ଯେତେ ଯାହା ଫିସାଦ,–ସମ୍ଭବତଃ ସେଇଥିରୁ ହିଁ Id ନାମକ ସେହି ନିର୍ଦ୍ଦିଷ୍ଟ କଷଣ ଓ ଉପଦ୍ରବଟି ଜନ୍ମଲାଭ କରିଥାଏ । ଏବଂ, ଚୈତ୍ୟ ଭିତରକୁ ଆମ ଜୀବନର ଆସ୍ପୃହାଗୁଡ଼ିକ ଯେତିକି ଯେତିକି ଉନ୍ମୋଚିତ ହୋଇ ଯାଉଥାନ୍ତି, ତଥାକଥିତ Idଟା ଆମ ଜୀବନରେ ସେତିକି ସେତିକି ଅପ୍ରାସଙ୍ଗିକ ହେବାରେ ଲାଗିଥାଏ । ଆମେ ଅହଂକୁ ଏକ ପାହାଡ଼ର base ବୋଲି କହିବା, ଯାହାକି ଚୈତ୍ୟ ନାମକ ସେହି peak ବା ଶିଖରଯାଏ ଯାଇ ପାରିବାଲାଗି ସର୍ବପ୍ରଥମ ସଚେତନତା ରୂପେ କାର୍ଯ୍ୟ କରୁଥାଏ । ଆମର ସମଗ୍ର ପରିବେଶଟିରୁ ଆମେ ଲାଭ କରୁଥିବା ଆମର ଶିକ୍ଷା ହିଁ ଆମକୁ ଯାବତୀୟ ଅର୍ଥରେ ଶିଖରଟିଲାଗି, ଗଭୀରଟିଲାଗି, ଅର୍ଥାତ୍ ଚୈତ୍ୟଲାଗି ଉଦ୍‌ବୁଦ୍ଧ କରେ । ସେହି ଶିକ୍ଷା ଏକ ଅଦ୍ଭୁତପୂର୍ବ ବ୍ୟାପ୍ତି ଆଣିଦିଏ ଓ ସେହି ବ୍ୟାପ୍ତି ଆମର ଯାବତୀୟ ପରିତ୍ରାଣପ୍ରକ୍ରିୟାରେ ସହୋଦରପରି କାର୍ଯ୍ୟ କରିଥାଏ । ଚୈତ୍ୟକୁ ଛୁଇଁଲେ ହିଁ ଭଗବାନ ଦୃଶ୍ୟ ହୁଅନ୍ତି, ଚୈତ୍ୟରେ ପ୍ରବେଶ କରି ପାରିଲେ ଏହି ବିଶ୍ଵଟାଯାକ ଆପଣାର ସଦନ ସଦୃଶ ଅନୁଭୂତ ହୁଏ । ସକଳ ଭୟରୁ ଅର୍ଥାତ୍ ସଙ୍କୋଚନରୁ ସେତିକିବେଳେ ମୁକ୍ତି ମିଳେ । ଭୟ ଓ ସଙ୍କୋଚ ହିଁ ସମ୍ଭବତଃ ନାନାବିଧ ଅବଦମନଲାଗି ଉର୍ବର ମୃତ୍ତିକାପରି କାର୍ଯ୍ୟ କରନ୍ତି । ଯାବତୀୟ ଅବଦମନର ଅଧିଷ୍ଠାତା ଦେବତା,–ଶ୍ରୀ ଫ୍ରୟେଡ଼୍‌ଙ୍କ ଭାଷାରେ ହୁଏତ ତାହାକୁ ହିଁ Id ବୋଲି କୁହାଯାଇ ପାରିବ । ଆଧୁନିକ ଜଗତର ସମ୍ବନ୍ଧକ୍ଷେତ୍ରରେ ଏହି Idଟା ଯେ ଏଡ଼େ ପ୍ରବଳ ହୋଇ ରହିଥିବାପରି ବୋଧ ହେଉଛି, ଅବଦମନ, ଭୟ ଓ ସଙ୍କୋଚକୁ ଆମେ ଏକାଧିକ ଯୁକ୍ତି ସହିତ ତାହାର କାରଣ ବୋଲି ଅନୁମାନ କରି ପାରିବା । ଆଗାମୀ ଅବତାର ଆମ ପୃଥିବୀଲାଗି ଏପରି ଏକ ଭୟ ମୁକ୍ତିର କାରଣ ହେଉ, ଯାହାଦ୍ୱାରା କି ଏକ ସ୍ଵାଭାବିକ ଖୁସିଦ୍ଵାରା ପ୍ରେରିତ ହୋଇ ହିଁ ମଣିଷମାନେ ଚୈତ୍ୟକୁ ଲୋଡ଼ିବେ । ଯାବତୀୟ ଯଥାର୍ଥ ଶିକ୍ଷା ହେଉଛି ସେହି ଖୁସିଟି ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଦେଖାଇ ଦେବାର ଶିକ୍ଷା । ଚୈତ୍ୟକୁ ଛୁଇଁଥିବା ମନୁଷ୍ୟମାନେ କଦାପି ପରସ୍ପରକୁ ଭୟ କରନ୍ତିନାହିଁ ଏବଂ ତେଣୁ ପରସ୍ପର ପାଖରୁ ଲୁଚି ରହିବାର ପ୍ରୟାସ ବି କରନ୍ତିନାହିଁ । ଲୁଚି ରହିବାର ପ୍ରୟାସଟି ଆରମ୍ଭ ହେବା ସହିତ ମଣିଷର ଜୀବନରେ Idର ପ୍ରକୋପପର୍ବଟି ମଧ୍ୟ ଆରମ୍ଭ ହୋଇଯାଏ । ବାସନାମାନେ ଭୂତ ହୋଇ ତାକୁ ନଚାଇବାକୁ ଆରମ୍ଭ କରି ଦିଅନ୍ତି ।

 

୨୬.୮.୯୮

 

ଏଇଠି ଯେତିକି ଦେଖନ୍ତି, ସେତିକି ଜାଣନ୍ତି; ଭଲ ମନ୍ଦ ଓ ଉଚିତ ଅନୁଚିତ ବିଷୟରେ ଯେତିକି ବୁଝନ୍ତି, ଯେଉଁମାନେ ସେତିକି ସହିତ ନିଜକୁ ଖାପ ଖୁଆଇ ରହନ୍ତି, ସଚରାଚର ସେହିମାନଙ୍କୁ ସାଧାରଣ ବୋଲି କୁହାଯାଏ । ସାଧାରଣମାନେ ସମ୍ଭବତଃ ନିରାପଦ ହୋଇ ରହିବାକୁ ଚାହୁଁଥାନ୍ତି । ଅଧିକକୁ ମନ କରନ୍ତିନାହିଁ କିମ୍ବା ଅଧିକ ଆହ୍ଵାନର ସମ୍ମୁଖୀନ ହେବାକୁ ମଧ୍ୟ ଅନାବଶ୍ୟକ ମନେକରନ୍ତି । ଯେଉଁମାନେ ଅଧିକକୁ ମନ କରନ୍ତି, ନିଜକୁ ଅଧିକରୁ ଅଧିକ ଘଷି ମାଜି ସିଦ୍ଧ କରି ଅଧିକ କିଛି ହେବାକୁ ବା ଅଧିକ ହାସଲ କରିବାକୁ ଚାହାନ୍ତି, ସେମାନେ ସେହି ହାସଲ କରିବାର ପ୍ରକ୍ରିୟାରେ ସତେଅବା ଉଚ୍ଚକୁ, ଉପରକୁ ଉଠିଯାଆନ୍ତି । ସେମାନେ ବାରି ହୋଇ ପଡ଼ନ୍ତି ଏବଂ ସାଧାରଣ ଅନ୍ଦାଜଗୁଡ଼ିକର ସଂସାରରେ ସେମାନଙ୍କୁ ପ୍ରାୟ ଅତ୍ୟନ୍ତ ନ୍ୟାୟସଙ୍ଗତ ଭାବରେ ଅସାଧାରଣ ବୋଲି କୁହାଯାଏ । ସାଧାରଣମାନେ ଏହି ଅସାଧାରଣମାନଙ୍କୁ ନେଇ ଭାରି ଗର୍ବ କରନ୍ତି । ସେମାନଙ୍କୁ ଆମର ବୋଲି କହି ଅନେକ ସମୟରେ ଏକ elevation ଅନୁଭବ କରିଥାନ୍ତି ।

 

ଅସଲ ଅସାଧାରଣ ଅସାଧାରଣ ହୋଇ ରହେନାହିଁ । ନିଜକୁ ଅଧିକ ଯୋଗ୍ୟ କରି, ଅଧିକ ସିଦ୍ଧି ଏବଂ ଶକ୍ତିର ଅଧିକାରୀ ହୋଇ ସିଏ ସତେଅବା ତଳକୁ ଓହ୍ଲାଇ ଆସେ । ସତେଅବା ଏହି ତଳର ଶ୍ରଦ୍ଧାଦ୍ୱାରା ଅନୁପ୍ରାଣିତ ହୋଇ ସିଏ ଉପରକୁ ଯିବାକୁ ମନ କରିଥାଏ ଏବଂ ତେଣୁ ଉପରୁ ଓହ୍ଲାଇ ଆସି ଏହିଠାରେ ହିଁ ନିଜକୁ ଅଧିକରୁ ଅଧିକ ସମ୍ପୂର୍ଣ୍ଣ ଭାବରେ ନିବେଦିତ ଓ ବିତରିତ କରିଦିଏ । ସିଏ କାମରେ ଲାଗେ । ଏପରି ଭେକ କଦାପି ପିନ୍ଧେନାହିଁ ଓ ଏପରି ବାସନାଟିଏ କଦାପି ରଖେନାହିଁ, ଯାହାଦ୍ୱାରା କି ସିଏ ସାଧାରଣଙ୍କ ଭିତରେ ଅଲଗା ବୋଲି ବାରି ହୋଇ ପଡ଼ିବ-। ଚିହ୍ନା ପଡ଼ିଗଲେ ତାକୁ ସମସ୍ତେ ପୂଜା କରିବେ, କାନ୍ଧରେ ବସାଇବେ, ତା’ ନାଆଁରେ ନିଶା ଖାଇବେ ଏବଂ, ଯେଉଁଠାରେ ରହିଛନ୍ତି, ମହାଆନନ୍ଦରେ ସେହିଠାରେ ରହିଥିବେ । ତେଣୁ, ସିଏ ସାଧାରଣପରି ଦିଶେ, ସାଧାରଣପରି ଭାଷା କହେ ଓ ଏଇଠୁ ଥାଇ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ଚାଲିବାକୁ ଇଚ୍ଛା କରୁଥାଏ । ପୃଥିବୀରେ ଗୁରୁମାନେ ସେହିପରି ମନ କରିଥିଲେ ଆମେ ବର୍ତ୍ତମାନର ଏହି ସମ୍ପ୍ରଦାୟଗୁଡ଼ାକର ଜାଲରେ ପଡ଼ି ମୋଟେ ଘାଣ୍ଟି ହେଉନଥାନ୍ତୁ ଓ ଗୁରୁମାନଙ୍କୁ ରାଣୀ ମହୁମାଛିପରି ଥାପି ନିଜକୁ droneଙ୍କପରି ଆଦୌ ମିଛତତ୍ପର କରି ରଖିନଥାନ୍ତୁ । ପୃଥିବୀ ଏକ ଅନ୍ୟ ବେଭାରରେ ବାଟ ଚଳୁଥାନ୍ତା,–ପୃଥିବୀର ମଣିଷମାନେ ଏକ ଅନ୍ୟ ବେଭାରରେ ବାଟ ଚାଲୁଥାଆନ୍ତେ । ଅସାଧାରଣମାନେ ପ୍ରକୃତରେ ଯୋଗ୍ୟ ହେଲେ ପୃଥିବୀଟା ଯାକ ସତେଅବା ସାଙ୍ଗମାନେ ବାଟ ଚାଲୁଥିବାପରି ଦେଖା ଯାଉଥାନ୍ତା । ସେତେବେଳେ ଭଗବାନ ମଧ୍ୟ ଭାରି କତି ହୋଇ ଆସନ୍ତେ । ବର୍ତ୍ତମାନର ଅଧିକାଂଶ ଗୁରୁଙ୍କପରି ହୁଙ୍କା ଅଗରେ ବସି ରହିବାକୁ ମୋଟେ ପସନ୍ଦ କରନ୍ତେନାହିଁ ।

 

୨୭.୮.୯୮

 

ଆତ୍ମବିସ୍ମରଣ ନୁହେଁ, ଆତ୍ମସଂପ୍ରସାରଣ । ଆତ୍ମସଂପ୍ରସାରଣ ହିଁ ଆତ୍ମଜ୍ଞାନ । ନିଜ ଭିତରକୁ ପ୍ରବେଶ କରିଲେ ହିଁ ମଣିଷ ଭଗବାନଙ୍କର ଦର୍ଶନ ଲାଭ କରେ ଓ ମୁକ୍ତି ପାଏ ବୋଲି ଯେଉଁମନେ କହୁଛନ୍ତି ଅଥବା କହି ଯାଇଛନ୍ତି, ସେମାନଙ୍କର କଥାକୁ ମୁଁ ଆଦୌ ବୁଝି ପାରେନାହିଁ । ଦେଖିବାକୁ ଆଖି ରହିଛି, ଶୁଣିବାକୁ କାନମାନେ ରହିଛନ୍ତି । ମାତ୍ର, ଯେଉଁମାନେ କାନ୍ଥଗୁଡ଼ିକୁ ଦେଇ ଦେଖିବା ବ୍ୟତୀତ ଆଉ ଅନ୍ୟ କୌଣସି ଦେଖିବା ଜାଣିନାହାନ୍ତି ତଥା କାନ୍ଥଗୁଡ଼ିକୁ ଦେଇ ଶୁଣିବା ବ୍ୟତୀତ ଅନ୍ୟ କୌଣସି ଶୁଣିବା ସହିତ ପରିଚିତ ହୋଇନାହାନ୍ତି, ସେମାନେ ସତକୁ ସତ କେବେହେଲେ ଭିତରକୁ ପ୍ରବେଶ କରିନାହାନ୍ତି । ଏବେ ମଧ୍ୟ ସେମାନେ ସେହି କାନ୍ଥିଗୁଡ଼ାକ ଦେଇ ସତ୍ୟକୁ ଦେଖୁଛନ୍ତି ଓ ଏହି ଜୀବନରେ ଅନେକ ବନ୍ଧନର ତଥା ଉପଦ୍ରବର କାରଣ ହୋଇ ରହିଛନ୍ତି-। କାନ୍ଥ ଦେଇ ଜୀବନ ବଞ୍ଚୁଥିବା ମନୁଷ୍ୟମାନଙ୍କର ଭାବନା, ଭଗବାନ, ଦେଶ ଓ ସାହିତ୍ୟ ଆଦି ଯାବତୀୟ ଅବଲମ୍ବନ ସେମାନଙ୍କୁ ବହୁ ବିସ୍ମରଣ ମଧ୍ୟରେ ବାଉଳା କରି ରଖିଥାଏ । ସେମାନଙ୍କୁ ବହୁବିଧ ଗର୍ତ୍ତ ମଧ୍ୟରେ ବିମୋହିତ ବି କରି ରଖିଥାଏ ।

 

ଗୋଟିଏ ଦେଶକୁ ସତକୁ ସତ ଆପଣାର ବୋଲି ଅନୁଭବ କରି ପାରିଲେ ବୃହତ୍ତର ପୃଥିବୀ ମଧ୍ୟକୁ ସମ୍ପ୍ରସାରିତ ହୋଇ ଯିବାଲାଗି ଆଦୌ ଆୟାସ କରିବାକୁ ପଡ଼େନାହିଁ । ନିଜର ଜୀବନରେ ନିଜ ଧର୍ମ ସହିତ ସତକୁ ସତ ଏକ ସ୍ପର୍ଶ ସମ୍ଭବ ହେଲେ ତା’ପରେ ଆଉ କୌଣସି ଧର୍ମ ଆଦୌ ଇତର ବୋଲି ମନେ ହୁଏନାହିଁ । ସତକୁ ସତ ଗୋଟିଏ ମୂର୍ତ୍ତି ଭିତରକୁ ଭେଦି ପାରିଲେ ତା’ପରେ ଆଉ କୌଣସି ମୂର୍ତ୍ତି ଇତର ବୋଲି ଆଦୌ ମନେ ହୁଏନାହିଁ । ଆତ୍ମଜ୍ଞାନ ହିଁ ଯାବତୀୟ ଗର୍ତ୍ତ ମଧ୍ୟରେ କିଳି ହୋଇ, ହିଂସ୍ର ହୋଇ ରହିବାର ଦୁର୍ଦ୍ଦଶା ଭିତରୁ ଆମକୁ ମୁକ୍ତ କରି ଆଣେ । ଧର୍ମ ଭିତରେ ରହିଥିବା ଯେଉଁ ବ୍ୟକ୍ତିମାନେ କେବଳ ନିଜର ଛାଞ୍ଚଟି ଭିତରେ ସତ୍ୟ ରହିଛି ବୋଲି ଢମ କରୁଥାନ୍ତି, ସେମାନେ ପ୍ରକୃତରେ ଆତ୍ମଜ୍ଞାନଠାରୁ ବହୁଦୂରରେ ରହିଥାନ୍ତି । ସମ୍ଭବତଃ ସେହି କାରଣରୁ ଆମର ଚିତ୍‌କୁ ଅଧ୍ୟାତ୍ମର ଭାଷାରେ ଚିଦାକାଶ ବୋଲି କୁହାଯାଇଛି । ଅନେକ ମଣିଷ ନିଜ ଜୀବନସଂସ୍କୃତିକୁ ସତେଅବା ଏକ ଗୁମ୍ଫାପରି ଗଢ଼ି ରଖିଥାନ୍ତି । ସେହି ଗୁମ୍ଫାରେ ପଶିଯାଇ ସେମାନେ ନିଜକୁ କୃତ୍ୟକୃତ୍ୟ ମନେ କରୁଥାନ୍ତି । ସେମାନେ ଭୟ ଭିତରେ କିଳି ହୋଇ ରହିଥାନ୍ତି । ଅନ୍ୟ ଯାବତୀୟ ସଂସ୍ପର୍ଶ ସେମାନଙ୍କୁ ଗିଳି ପକାଇବ ବୋଲି ଭୟ କରୁଥାନ୍ତି । ଆମ ଭଲ ପାଇବା ଭିତରେ ଏତେ ପ୍ରକାରର ଭୟ କାହିଁକି ଆସି ପଶିଗଲା କେଜାଣି ? ଆମେ ଯେତିକି କାନ୍ଥ ଭିତରେ ଜନ୍ମ ହୋଇଥିଲୁ, ନିଜ ଆଖିର ସଂପ୍ରସାରଣଦ୍ଵାରା ସେହି କାନ୍ଥମାନଙ୍କୁ ଭାଙ୍ଗି ପାରିଲୁନାହିଁ ବୋଲି ଆଉ ଏହି ଦୁର୍ଦ୍ଦଶା ଭୋଗ କରିବାକୁ ପଡ଼ିଲା କି ?

 

୨୮. ୮. ୯୮

 

ଏ ଦେହ ମୋଟେ ଗୋଟାଏ ଯନ୍ତ୍ର ନୁହେଁ । ଏହା ମୋ’ର ଦେହ, ଇଏ ହେଉଛି ମୋ’ ସମଗ୍ର ବାସନାଭୂମିର ସବାମୂଳ ନିର୍ଭର । ମୋ’ ଦେହ ମୋ’ର ମନ ସହିତ ଲାଗିଛି, ତାହା ମୋ’ ଆତ୍ମା ସହିତ ମଧ୍ୟ ଲାଗିଛି । ମୁଁ ସଚେତନ ଥାଏ ବା ନଥାଏ, ସେକଥା ମୁଁ ଜାଣିଥାଏ ବା ଜାଣି ନଥାଏ । ତାହା ଅବଶ୍ୟ ମୋ’ର ଅସ୍ତିତ୍ଵସମଗ୍ରର ଏକ ଅଙ୍ଗ ହୋଇ ରହିଛି । ମୁଁ ଦେହର ଯତ୍ନ ନେବି, କାରଣ ତାହା ମୋ’ର ଯତ୍ନ ଆବଶ୍ୟକ କରୁଛି । ଯିଏ ନିଜ ଜୀବନକୁ, ନିଜକୁ ଶ୍ରଦ୍ଧା ଦେଇ ଦେଖୁଥିବ, ସିଏ ଦେହକୁ ଅବଶ୍ୟ ଶ୍ରଦ୍ଧା କରିବ । ଯେଉଁ ଆତ୍ମା ଏହି ଦେହକୁ ସାଙ୍ଗରେ ନେଇ ବାଟ ଚାଲି ଶିଖିଛି, ତାହାକୁ ହିଁ ମୁଁ ଗୋଟିଏ ସୁସ୍ଥ ଆତ୍ମା, ପୂର୍ଣ୍ଣାଙ୍ଗ ଆତ୍ମା ବୋଲି କହିବି । ଦେହ, ମନ, ଆତ୍ମା,–ଏମାନେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇଗଲେ, ପରସ୍ପରକୁ ଲୁଚିଲେ ଅର୍ଥାତ୍ ପରସ୍ପର ପାଖରେ କପଟ କଲେ ହିଁ ଯାବତୀୟ ପ୍ରମାଦ ଆରମ୍ଭ ହୋଇଯାଏ । ସେତେବେଳେ ଅସଲ କେନ୍ଦ୍ରଟି ମଧ୍ୟ ବାଉଳା ହୋଇ ଯାଇଥିବାପରି ଲାଗେ । ସୁସ୍ଥ ସାଧନା ଅର୍ଥାତ୍ ସେହି ସାଧନା, ଯାହା ଏହି ତିନୋଟିଯାକକୁ ଏକତ୍ର ଗୋଟିଏ ପୂର୍ଣ୍ଣ ଏକକରୂପେ ଅନୁଭବ କରି ଆପଣାକୁ କ୍ରିୟାଶୀଳ କରିଥାଏ ।

 

କୋଉ ଦୁର୍ଯୋଗରେ ପଡ଼ି ସାଧନା ଯେତେବେଳେ ଏକଆଖିଆ ହୋଇଯାଏ, ସେତିକିବେଳେ ହିଁ ତାହା ଆତ୍ମାକୁ ସବୁକିଛି ବୋଲି କହେ । ଦେହକୁ ତୁଚ୍ଛ ବୋଲି କହେ । ଦେହଟା ହିଁ ସକଳ ବାଧା ବୋଲି ଘୋଷଣା କରେ । କେଡ଼େ ହାସ୍ୟାସ୍ପଦ କଥା ଯେ, ଏହିପରି ଏକଆଖିଆ ଅସୁସ୍ଥମାନେ ଆପଣାକୁ ସନ୍ନ୍ୟାସୀ ବୋଲି କହିଲେ, ଏଇଟାକୁ ଛାଡ଼ିଲେ ଯାଇ ସେଇ ପ୍ରାପ୍ତ ହେବ ବୋଲି ପ୍ରଚାର କଲେ ଏବଂ ଆମକୁ ବାଟରୁ ହୁଡ଼ାଇନେଲେ । ସତ୍ୟ କଦାପି ଏପରି ଖଣ୍ଡିଆ ହୋଇ ପାରିବନାହିଁ । ଏହି ଦେହ ନିଜ ପୂର୍ଣ୍ଣମହିମାର ପରିଚୟ ପାଇବା ସକାଶେ ଯେପରି ଆତ୍ମାକୁ ଅବଶ୍ୟ ଲୋଡ଼ିବ, ଆତ୍ମା ମଧ୍ୟ ଆପଣାର ପୂର୍ଣ୍ଣ ଉପଲବ୍ଧି ନିମନ୍ତେ ଦେହକୁ ବି ସାଙ୍ଗରେ ନେବ । ଦେହ, ମନ ଓ ଆତ୍ମାକୁ ଏକାଠି ଗୋଟିଏ ବାସନା ଭିତରେ ଠୁଳ କରି ମଣିଷ ଯାହାକିଛି ଉପରେ ଦୃଷ୍ଟିପାତ କରିବ, ତାହାକୁ ସିଏ ଏକ ଅଭିନବ ମହିମାରେ ହିଁ ଦେଖିବାକୁ ସମର୍ଥ ହେବ । ଏହି ମହିମାସମନ୍ଵିତ ଭାବରେ ସବୁକିଛିକୁ ଦେଖିବା, ଏହାହିଁ ଉପଲବ୍ଧିର ଅସଲ ପ୍ରାପ୍ତି ଏବଂ ଅସଲ ନିୟତି । ଅସଲ ଗତି । ମୋ’ ଦେହ ନିରନ୍ତର ମୋ’ର ହୋଇ ରହିଥାଉ, ମୋତେ ବାଟ ଚାଲିବାର, ପୂର୍ଣ୍ଣତର ହେବାର ପ୍ରେରଣା ଦେଉଥାଉ । ନିଜ ଭିତରେ ଏହି ତିନୋଟିଯାକ ସାଥୀ ହୋଇ ରହିଥିଲେ ସଂସାରରେ, ପ୍ରତ୍ୟକ୍ଷରେ ତଥା ପରୋକ୍ଷରେ ଯେ ସବୁକିଛି ସୁନ୍ଦର ଦିଶିବ, ସେଥିପାଇଁ କ’ଣ ଶାସ୍ତ୍ରରୁ ବାକ୍ୟ ଉଦ୍ଧାର କରି କହିବାକୁ ପଡ଼ିବ ?

 

୨୯. ୮. ୯୮

 

ଇଉରୋପର ରୁମାନିଆ ଦେଶକୁ କମୁନିଜମ୍ ପ୍ରାୟ ପଚାଶବର୍ଷ ଭୋଗ କଲା । ଏହି କଥାଟିକୁ ଓଲଟାଇ, ରୁମାନିଆ କମୁନିଷ୍ଟ ରାଷ୍ଟ୍ରର ଉପଦ୍ରବଗୁଡ଼ିକୁ ପ୍ରାୟ ପଚାଶବର୍ଷ ଭୋଗିଲା ବୋଲି ମଧ୍ୟ କୁହାଯାଇ ପାରିବ । ରୁମାନିଆର ଲୋକମାନେ ମୋଟେ କମୁନିଜମ୍ ପାଇଁ ପ୍ରସ୍ତୁତ ନଥିଲେ । ରୁଷିଆର ସୈନ୍ୟବାହିନୀ ଯେ ସେମାନଙ୍କୁ ନାତ୍‌ସୀ ଆଧିପତ୍ୟରୁ ମୁକ୍ତ କଲେ, ସେଥିଲାଗି ସେମାନେ ଅବଶ୍ୟ ତାହା ପ୍ରତି କୃତଜ୍ଞତା ଅନୁଭବ କରିଥିବେ । ମାତ୍ର, ତା’ବୋଲି ସେମାନଙ୍କୁ ଯେ ଆଉଗୋଟିଏ ଶାସନରାକ୍ଷସର କବଳରେ ପଡ଼ିବାକୁ ହେବ, ସେମାନେ ତାହା କଦାପି କଳ୍ପନା ମଧ୍ୟ କରିନଥିବେ । ରୁମାନିଆରେ କେତେକ ବ୍ୟକ୍ତି ଚାଇଁପଣ ଦେଖାଇ ନିଜକୁ କମୁନିଷ୍ଟ ବୋଲି ଦେଖାଇ ହୋଇଥିବେ ଏବଂ ବିଜେତାମାନଙ୍କୁ ମୋହିତ କରି ଦେଶରେ ଗୋଟିଏ କମୁନିଷ୍ଟ ଶାସନକୁ ସ୍ଵାଗତ କରି ଆଣିଥିବେ,–ସେକଥା ମଧ୍ୟ ବୁଝି ହେଉଛି । ମାତ୍ର, ରୁଷିଆର ପୋଖତ କମୁନିଷ୍ଟମାନେ ଏଥିରେ କିପରି ଭୁଲିଗଲେ ଓ ପ୍ରକୃତ ବସ୍ତୁସ୍ଥିତିର ବିଚାର କରି ପାରିଲେନାହିଁ କିପରି ? ସେମାନେ ସମ୍ଭବତଃ କମୁନିଜମ୍ ଅପେକ୍ଷାରେ ରୁଷିଆର ରାଜ୍ୟବିସ୍ତାର ବିଷୟରେ ଅଧିକ ଆକୃଷ୍ଟ ହୋଇ ପଡ଼ିଥିଲେ । ଏବଂ, ସେମାନେ ତରତର ହୋଇ ପୂର୍ବ ଇଉରୋପର ଏହି ଦେଶଗୁଡ଼ିକୁ ଆଗ ଗିଳି ନପକାଇଲେ ତେଣୁ ଆମେରିକା ଆସି ସେମାନଙ୍କୁ ଝାମ୍ପିନେବ ବୋଲି ଏକ ବୃହତ୍ ଭୟ ମଧ୍ୟ ସେମାନଙ୍କର ରାଜନୀତିକ ବିବେକକୁ ଗିଳି ପକାଇଥିବ । ତାହାରି ପରିଣାମ ରୂପେ ପଚାଶ ବର୍ଷ ପରେ ପୂର୍ବ ଇଉରୋପରୁ କମୁନିଷ୍ଟ ଆଧିପତ୍ୟର ଏହି ଭାଡ଼ିଗୁଡ଼ିକ ଯେ ଭୁଷୁଡ଼ି ପଡ଼ିଲା, ରୁଷିଆ ତଦ୍ଦ୍ଵାରା କେଡ଼େ ହାସ୍ୟାସ୍ପଦ ଭାବରେ ପଦାରେ ପଡ଼ିନଗଲା ।

 

ମାତ୍ର, ବିଚରା ଏହି ଦେଶଗୁଡ଼ିକ ଏବେ ମଧ୍ୟ ତାହାରି ଜନିତ ଦୁର୍ଦ୍ଦଶାଗୁଡ଼ିକୁ ଭୋଗ କରିବାରେ ଲାଗିଛନ୍ତି । ଗୋଟିଏ ଲେଖାରେ ପଢ଼ିଲି, ରୁମାନିଆର ହଜାର ହଜାର ପିଲା ଏବେ ବି ଅନାଥାଶ୍ରମରେ ରହିଛନ୍ତି ଓ ଆହୁରି ହଜାର ହଜାର ପିଲା ରାସ୍ତାରେ ବୁଲୁଛନ୍ତି । ସେମାନେ ରୋଗଗ୍ରସ୍ତ ଓ ଅସହାୟ ଅବସ୍ଥାରେ ବୁଲୁଛନ୍ତି ଏବଂ, ଭବିଷ୍ୟତରେ ସେମାନଙ୍କ ପାଇଁ ଯେ କ’ଣସବୁ ଲେଖାହୋଇ ରହିଛି, ସେମାନେ ସେହି ବିଷୟରେ କୌଣସି ଥଳ ପାଉନାହାନ୍ତି । ପୂର୍ବ ଇଉରୋପର ପ୍ରତ୍ୟେକ ଦେଶରେ ହୁଏତ ଅଳ୍ପବହୁତ ଏହିପରି ହୋଇଥିବ । ରୁମାନିଆର କମୁନିଷ୍ଟ ଶାସକ କାଳକ୍ରମେ ନିଜକୁ କିପରି ମଧ୍ୟଯୁଗର ଯେକୌଣସି ଶାହାନ୍‌ଶାହାପରି ଜକମକ କରି ରଖିଥିଲେ, ଉତ୍‌କ୍ଷିପ୍ତ ଛାତ୍ରମାନେ ତାଙ୍କୁ ସପରିବାର ଖତମ କରିଦେଲେ ଓ ତଦ୍ଦ୍ୱାରା ଶାସନର ସେହି ପର୍ଯ୍ୟାୟଟା ସରିଗଲା ସିନା, କିନ୍ତୁ ତାହାରିଦ୍ଵାରା ସେହି ସେହି ଦେଶର ଲୋକାଜୀବନ ଉପରେ ମାଡ଼ି ଯାଇଥିବା ଘାଆଗୁଡ଼ାକୁ ଭଲ କରିବାଲାଗି ପ୍ରକୃତରେ ଆହୁରି କେତେ ବର୍ଷ ଲାଗିବ-? ଖାଲି ରାଜନୀତି ହୁଏତ ଏଗୁଡ଼ିକର ସମାଧାନ କରି ପାରିବନାହିଁ । ଏବଂ, ସେହି ଉପଯୁକ୍ତ ଅନ୍ୟ ନେତୃତ୍ଵଟିକୁ ସମ୍ଭବ କରି ଆଣିବାପାଇଁ ସେହି ଦେଶରେ ଲୋକବିବେକକୁ ମଧ୍ୟ ତଦନୁରୂପ ଶକ୍ତିସମ୍ପନ୍ନ ହେବାକୁ ପଡ଼ିବ ।

 

୩୦.୮.୯୮

 

ଆଜି ଭୋର ସାଢ଼େ ଚାରିଟା ସମୟରେ ନିଦ ଭାଙ୍ଗିଗଲା । ଏବଂ ଆଉ ନିଦ ହେଲାନାହିଁ । ନିଦ ହେଲାନାହିଁ ବୋଲି ଯେ ମୁଁ କୌଣସି ପ୍ରକାରେ ବ୍ୟସ୍ତ ହେଲି, ସେକଥା ଆଦୌ ନୁହେଁ । ନିଦ ହେଉ ବୋଲି ମୁଁ କୌଣସି ଚେଷ୍ଟା କଲିନାହିଁ । ତା’ପରେ ପ୍ରାୟ ଦେଢ଼ଘଣ୍ଟା କାଳ ମୁଁ ବିଛଣା ଉପରେ ମୋ’ ଭିତରେ ଥିବା ସବୁକିଛିର ସମ୍ମତି ସହିତ ପଡ଼ି ରହିଲି । ଏକ ପୂର୍ଣ୍ଣପ୍ରସନ୍ନ ଗ୍ରହଣଶୀଳତା ସହିତ ମୋ’ ଅବବୋଧଜଗତ ଆଡ଼କୁ ମୁଁ ଦୁଆରଗୁଡ଼ିକୁ ଖୋଲିଦେଲି । ହଁ, ଆଖି ବନ୍ଦ ହୋଇ ରହିଥାଏ, ପୁଣି ଖୋଲା ବି ରହିଥାଏ । ସିଏ ଏକ ଅଭିନବ ଅବସ୍ଥା, ପୁଣି ଏକ ସ୍ଵାଭାବିକ ଅବସ୍ଥା । କୌଣସିଠାରେ ଆଦୌ କୌଣସି ପ୍ରକାରର ଅସଙ୍ଗତି ମଧ୍ୟ ନଥାଏ । ଶାସ୍ତ୍ରରେ ସତେଅବା ଏହାକୁ ହିଁ ଜାଗ୍ରତନିଦ୍ରାର ଅବସ୍ଥା ବୋଲି କୁହାଯାଇଛି । ଏପାଖରେ ଥିବ, ପୁଣି ସେପାଖରେ ବି ଥିବ; ଏବଂ, ଏପାଖରେ ନଥିବ, ଓ ସେପାଖରେ ବି ନଥିବ । ଖାଲି ବାର୍ତ୍ତାମାନେ ଆସୁଥିବେ, ଅଭିବ୍ୟକ୍ତିମାନେ ସନ୍ଦେଶର ଆକାରରେ ଅଥଚ ପୂର୍ଣ୍ଣ ସାବଲୀଳ ଭାବରେ ଆସି ଉଭା ହୋଇ ଯାଉଥିବେ । ସବୁ ଖୁସି ଲାଗୁଥିବ । ଗ୍ରହଣ କରିବାର ପ୍ରତ୍ୟେକ ଖୁସି ସତେଯେପରି ଆପଣାକୁ ଫୁଟାଇ ଆଣିବାର ଓ ବିତରିତ କରିଦେବାର ପ୍ରାୟ ଏକ ସମଧର୍ମୀ ଖୁସିରେ ସ୍ପର୍ଶଧନ୍ୟ ହୋଇ ଉଠୁଥିବି ।

 

ଏହିପରି ଅବସ୍ଥା ଯେ ସବୁବେଳେ ରହିଥିବ, ତା’ର ଆଦୌ କୌଣସି କାରଣ ନାହିଁ । ଆଖି ଖୋଲି ବାଟ ଚାଲିଯିବା ସମୟରେ ଯଦି ଯୁଗପତ୍ ଭାବରେ ଆଖିକୁ ବନ୍ଦ କରି ରଖିବାକୁ ମନ ହେବ, ତେବେ ତାହାକୁ ବସ୍ତୁତଃ ଗୋଟିଏ ବିଷମ ଅବସ୍ଥା ବୋଲି କୁହାଯିବ । ତଥାପି, ସେହି ଅବସ୍ଥାଟିକୁ ଏହି ଅବସ୍ଥାଟି ମଧ୍ୟରେ ଅବଶ୍ୟ ବଞ୍ଚିହେବ । ଏହି ଅବସ୍ଥାଟିକୁ ମଧ୍ୟ ସେହି ଅବସ୍ଥାଟି ମଧ୍ୟରେ ସମ୍ପୂର୍ଣ୍ଣ ଓ ସମାହିତ ଭାବରେ ନେଇ ଛିଡ଼ା କରାଇହେବ । ଏଠୁ ଥାଇ ଯେତେବେଳେ ସେହି ଜନନୀଙ୍କୁ ଡାକି ହେଉଛି, ନିଜକୁ ସେହି ଜନନୀଙ୍କର ପଦପାର୍ଶ୍ଵରେ ନେଇ ଠିଆ କରାଇ ନହେବ କାହିଁକି ? ସେହି ଜନନୀଙ୍କ ପାଖରେ ମୁଁ ଅଶେଷ ଭାବରେ କୃତଜ୍ଞ ଯେ, ମୋତେ ନେଇ ସିଏ ଏପରି କରି ପାରୁଛନ୍ତି; ମୁଁ ମୋ’ ନିଜ ପାଖରେ ମଧ୍ୟ କୃତଜ୍ଞ ଯେ, ସିଏ ମନ କଲାମାତ୍ରକେ ମୁଁ ଏପରି ପୂର୍ଣ୍ଣସମ୍ମତ ଭାବରେ ସେଠାରେ ଯାଇ ଛିଡ଼ା ହୋଇ ପାରୁଛି, ଆସି ପହଞ୍ଚିଲି ବୋଲି ଅତ୍ୟନ୍ତ ସହଜ ଓ କ୍ଷୋଭହୀନ ଭାବରେ କହିପାରୁଛି । ଏହିପରି ଛିଡ଼ା ହୋଇ ପାରିବାକୁ କିଏ କାହିଁକି ନିଦ୍ରାର ଏକ ଅବସ୍ଥା ବୋଲି କହିବାକୁ ଯିବ ? ଏହି ଅବସ୍ଥାଟି ମଧ୍ୟ ସକଳ ଅର୍ଥରେ ଏକ ଜାଗ୍ରତ ଅବସ୍ଥା । ଏଠି ସଂସାରରେ ଯାହାକୁ ନିଦ୍ରା ବା ନିଶା ବୋଲି କୁହାଯାଇଛି, ତା’ର ଗାରଗୁଡ଼ାକ ପାଖରେ ଆଦୌ ଅଟକି ନଯାଇ ଆହୁରି ଅଧିକକୁ ମନ କରିପାରିଲେ ମଣିଷ ଅବଶ୍ୟ ଏକ ଜାଗ୍ରତ ଅବସ୍ଥାର ଅଧିକାରୀ ହୋଇ ପାରିବ ।

 

୩୧.୮.୯୮

 

ମୁଁ କୋଉଠିହେଲେ କିଛି ଛାଡ଼ି ପାରିଲିନାହିଁ । ବାଟରେ କେତେ ଗୁରୁ ଓ ଗୁରୁଜନଙ୍କୁ ଭେଟିଲି, ଯେଉଁମାନେ କି ଏଇଟାକୁ ଛାଡ଼ିଲେ ଯାଇ ସେଇଟା ମିଳି ପାରିବ ବୋଲି ମୋତେ ପରାମର୍ଶ ଦେଲେ । ଗୁରୁ ଓ ଗୁରୁଜନମାନଙ୍କ ପ୍ରତି ମୋ’ର ସମ୍ମାନରେ କିଛି ଊଣା ହେଲା ନାହିଁ ସତ, ମାତ୍ର ସେମାନଙ୍କର କଥାକୁ ମୁଁ ମୋଟେ ମାନି ପାରିଲିନାହିଁ । ସମ୍ଭବତଃ ସେହି କାରଣରୁ ହିଁ କୌଣସି ଗୁରୁ ବା ଗୁରୁଜନଙ୍କ ପାଖରେ ମୁଁ ଅଟକି ରହି ପାରିଲିନାହିଁ । ବହୁ ମନ୍ଦିର ଭିତରକୁ ଗଲି, ମାତ୍ର କେଉଁଠିହେଲେ କୌଣସି ବେଢ଼ା ଭିତରେ ନିଜକୁ କିଳି ରଖି ପାରିଲିନାହିଁ ।

 

ଓଡ଼ିଶାକୁ ଛାଡ଼ିଲେ ଯାଇ ଯେ ଭାରତବର୍ଷକୁ ସ୍ଵୀକାର କରିହେବ, ଏକଥା କିଏ କାହିଁକି ମୋତେ କହିବ ? ଏବଂ, ଓଡ଼ିଶାକୁ ସ୍ଵୀକାର କରିବାକୁ ହେଲେ ଯେ ଭାରତବର୍ଷକୁ ଛାଡ଼ିବାକୁ ପଡ଼ିବ, ଏକଥାକୁ ବି ମୁଁ କାହିଁକି ମାନିବି ? ଏ ଗୁରୁଙ୍କୁ ଛାଡ଼ିଲେ ଯାଇ ସେ ଗୁରୁଙ୍କୁ ଗ୍ରହଣ କରି ହେବ, ମୁଁ ସେହି କଥାଟାକୁ କେବେହେଲେ ସ୍ଵୀକାର କରି ପାରିଲିନାହିଁ । ଗୁରୁମାନେ ନିଜନିଜର ବେଢ଼ା ଭିତରେ ରାଜରାଜେଶ୍ଵର ହୋଇ ବସିବାର ମତଲବରେ ମଣିଷମାନଙ୍କୁ ଭୁଲାଇ ରଖିବାକୁ ନିଜ ଭିତରୁ ଏହିଭଳି କଥାମାନ ଫାନ୍ଦି କରି କହିଲେ କି ? ଯାହାପାଖରେ ପହଞ୍ଚିଲେ ସବୁଯାକ ଗଣ୍ଠି ଫିଟିଯାଏ ଓ ସକଳ ସଂଶୟ ତୁଟିଯାଏ, ସେଠାରେ ପହଞ୍ଚି ପାରିବା ପୂର୍ବରୁ ପହଞ୍ଚି ଯାଇଛନ୍ତି ବୋଲି ଅନୁଭବ କରୁଥିବା ଗୁରୁମାନେ ହୁଏତ ଏହିସବୁ ବେଢ଼ା, ସୀମା ଓ ସମ୍ପ୍ରଦାୟର ବରାଦ କରିଛନ୍ତି । ସେହି କିସମର ଗୁରୁମାନେ ହିଁ ଆମ ସଂସାରରେ ମଣିଷମାନଙ୍କୁ ପୌତ୍ତଳିକ ହୋଇ ରହିବାରେ ସବୁଠାରୁ ଅଧିକ ସହାୟତା କରିଛନ୍ତି । ନିଜକୁ ମୁଁ ଭାଗ୍ୟବାନ ବୋଲି ମନେ କରୁଛି ଯେ, ମୁଁ ସେଥିରେ ଭଳି ଯାଇନାହିଁ । ମୁଁ ପାଠ କରିଥିବା ଶାସ୍ତ୍ରମାନେ ମୋତେ ଏଇଟାକୁ ଛାଡ଼ି ସେଇଟାକୁ ଗ୍ରହଣ କରିବାଲାଗି ଆଦୌ ମନ୍ତ୍ରଣା ଦେଇନାହାନ୍ତି । ସଂସାର ଏବଂ ସନ୍ନ୍ୟାସ,–ମୋତେ କୌଣସି ଗୋଟିଏ ବିଷୟରେ ବି ଉଦାସୀନ କରି ରଖିନାହାନ୍ତି । ସଂସାରକୁ ସଙ୍କୁଚିତ କରି ଆଣିଲେ ଯେ ଜଣେ ମଣିଷ ସନ୍ନ୍ୟାସଲାଗି ଯୋଗ୍ୟ ହୁଏ, ସେକଥା ଆଦୌ ନୁହେଁ । ବରଂ, ସଂସାରକୁ ସମ୍ପ୍ରସାରିତ କରି ପାରିଲେ ହିଁ ସନ୍ନ୍ୟାସୀର ଯୋଗୀ ହେବା ସମ୍ଭବ ହୁଏ । ଭୋଗକୁ ଛାଡ଼ିଲେ ଯେ ଜଣେ ତାହାରିଦ୍ଵାରା ହିଁ ଯୋଗୀ ହୋଇଯାଏ ନାହିଁ, ସେକଥା କେତେ କେତେ ଯୋଗୀ ଅତ୍ୟନ୍ତ ସ୍ପଷ୍ଟ ଭାବରେ ପ୍ରମାଣ କରି ଦେଇଛନ୍ତି । ଭୋଗ ଓ ଯୋଗ ଉଭୟ ମଧ୍ୟରେ ଏକ ନିବିଡ଼ତାର ପ୍ରସ୍ଥ ରହିଛି, ଯେଉଁଠାରେ ପହଞ୍ଚି ପାରିଲେ ମଣିଷ ଏଇଟାକୁ ଛାଡ଼ି ସେଇଟାକୁ ଗ୍ରହଣ କରିବାକୁ ମୋଟେ ମନ କରେନାହିଁ । ମୋ’ ଜୀବନରେ ମୁଁ ପ୍ରକୃତରେ ସେହି ନିବିଡ଼ତା ପାଇଁ ହିଁ ଆକାଙ୍କ୍ଷା ରଖିଛି । ସେହି ଆକାଙ୍କ୍ଷା ହିଁ ମୋତେ ବହୁ ନକାରାତ୍ମକତାରୁ ବଞ୍ଚାଇ ରଖିଛି ।

 

୧.୯.୯୮

 

କ୍ଷମତା ମଣିଷକୁ ଦୂଷିତ କରାଇଦିଏ ଓ ଏକାଧିପତ୍ୟର କ୍ଷମତା ମଣିଷକୁ ଏକାଧିକୃତ ଭାବରେ ଦୂଷିତ ଓ ବର୍ବର କରିପକାଏ ବୋଲି ଏକଦା ଯିଏ ଏକ ମନ୍ତବ୍ୟ କରିଥିଲେ, ସିଏ ପ୍ରଧାନତଃ ରାଜନୀତିର କ୍ଷେତ୍ରକୁ ଲକ୍ଷ୍ୟ କରି ଖୁବ୍ ସମ୍ଭବ ସେକଥା କହିଥିଲେ । ହୁଏତ, ତାହାର ପ୍ରାୟ ଶହେବର୍ଷ ପରେ ଏପରି କୁହାଯାଇ ପାରିବ ଯେ, ପ୍ରକୃତରେ ଖାସ୍ କ୍ଷମତା ଏସବୁ କିଛି କରେନାହିଁ; ଯେତେବେଳେ କୌଣସି ବ୍ୟକ୍ତି ବା ସମୂହ କ୍ଷମତାକୁ ମୁଖ୍ୟତଃ ଆତ୍ମବୃଦ୍ଧି ନିମନ୍ତେ ବ୍ୟବହାର କରେ, ସେତିକିବେଳେ ହିଁ ତାହା ସବୁକିଛିକୁ ବିଗାଡ଼ିବାକୁ ଆରମ୍ଭ କରେ । ପୃଥିବୀରେ କେବଳ ରାଜନୀତି ନୁହେଁ, ପ୍ରାୟ ସର୍ବବିଧ କ୍ଷମତା କ୍ଷମତାଶୀଳ ମଣିଷମାନଙ୍କ ହାତରେ ପଡ଼ି ପ୍ରଧାନତଃ ସ୍ଵାର୍ଥସିଦ୍ଧି ପାଇଁ ବ୍ୟବହୃତ ହେଉଛି ଓ ପୃଥିବୀକୁ ସଙ୍କଟ ଭିତରେ ରଖିଛି ।

 

ମୋ’ ହାତରେ ଯାହାକିଛି କ୍ଷମତା, ମୁଁ ତାହାକୁ କାର୍ଯ୍ୟତଃ ଆପଣାର ବୃଦ୍ଧିପାଇଁ କାମରେ ଲଗାଇବି, ସେଥିରୁ ଅନ୍ୟମାନଙ୍କୁ ବଞ୍ଚିତ କରି ରଖିବି,–ତେବେ ମୋ’ କ୍ଷମତା ମୋତେ ସେହି ପ୍ରକ୍ରିୟାରେ ମୂଳତଃ ଦୂଷିତ ହିଁ କରି ପକାଇବ, ମୋତେ ବର୍ବର କରି ପକାଇବ । ଗତ ଦୁଇଶହ ବର୍ଷ ଭିତରେ ଏହି ପୃଥିବୀରେ ଧନ ବହୁଗୁଣ ହୋଇ ବଢ଼ିଛି, ବିଦ୍ୟା ବହୁଗୁଣ ହୋଇଛି । ମାତ୍ର, ଗୋଟିଏ ଗୋଟିଏ କ୍ଷମତାରୂପେ ତାହା କେବଳ କେତେକଙ୍କ ହାତରେ ରହିଛି । ତେଣୁ ପୃଥିବୀରେ ଦରିଦ୍ର ରହିଛନ୍ତି, କୋଟି କୋଟି ମନୁଷ୍ୟ ଶିକ୍ଷାରୁ ବଞ୍ଚିତ ହୋଇ ରହିଛନ୍ତି । ପୃଥିବୀରେ କେତେପ୍ରକାର ଶାସନ ଚାଲିଛି । ମାତ୍ର, ସେହି ଶାସନ କରୁଥିବା ଗୋଷ୍ଠୀମାନଙ୍କୁ ହିଁ ଅଧିକରୁ ଅଧିକ ପ୍ରକୁପିତ ହୋଇ ରହିବାରେ ସାହାଯ୍ୟ କରୁଛି । ଆଧୁନିକ ବିଜ୍ଞାନକୁ ମଧ୍ୟ ଆମେ ଏ ଯୁଗରେ ମଣିଷ ହାତରେ ରହିଥିବା ଏକ କେଡ଼େ ବଡ଼ ଶକ୍ତି ବୋଲି କହି ପାରିବା । ତଥାପି, ଏତେ ଏତେ ବିଜ୍ଞାନ ସତ୍ତ୍ୱେ ଏହି ପୃଥିବୀର ଅଧେ ମଣିଷଙ୍କଲାଗି ଜୀବନଗୁଡ଼ାକ ଅନ୍ଧକାରମୟ ଏବଂ ଅସହାୟତାପୂର୍ଣ୍ଣ ହୋଇ ରହିଛି । ଅଧେ ମଣିଷଙ୍କର ପେଟ ପୂରୁନାହିଁ, ନାନା ଆଦିମ ଅଳ୍ପତା ଏବଂ ଅସମର୍ଥତା ସେମାନଙ୍କୁ ଅତ୍ୟନ୍ତ ଶୋଚନୀୟ ଭାବରେ ବାନ୍ଧି ରଖିଛି, କର୍ମ ଆଦରି ରହିବାକୁ ବାଧ୍ୟ କରୁଛି । ବିଜ୍ଞାନ ଆଣି ଦେଉଥିବା ଅଧିକ ବୁଦ୍ଧି ମାରଣାସ୍ତ୍ର ମାନ ତିଆରି କରିବାରେ ହିଁ ଖରଚ ହେଉଛି,–ପୃଥିବୀରେ ଭୟ ବଢ଼ାଇବାରେ ସାହାଯ୍ୟ କରୁଛି । ତପଃକୁ ଶାସ୍ତ୍ରରେ ଏକ ଶକ୍ତି ବୋଲି କୁହା ଯାଇଛି । ଆଧୁନିକ ପୃଥିବୀରେ ଜ୍ଞାନ ଓ ବିଜ୍ଞାନର ତପସ୍ୟା,–ଏସବୁ ସମସ୍ତଙ୍କର ଉତ୍ତରୋତ୍ତର କଲ୍ୟାଣ ନିମନ୍ତେ ଅଧିକରୁ ଅଧିକ ଶକ୍ତି ଏବଂ ସମ୍ବଳ ଆଣି ଯୋଗାଇ ଦେଉଥାନ୍ତା । ମାତ୍ର, ମଝିରେ ସ୍ଵାର୍ଥବୁଦ୍ଧି, ଭୟବୁଦ୍ଧି ଦୈତ୍ୟପରି ଛିଡ଼ା ହୋଇଛି ଏବଂ ଅସଲ କବାଟଗୁଡ଼ିକୁ ବନ୍ଦ କରି ରଖିଛି ।

 

୨.୯.୯୮

 

ମୁଁ ଯେଉଁ ଭୂମିଟିକୁ ଜନ୍ମବେଳୁ ଚିହ୍ନିଛି, ସେହି ଆଦ୍ୟରୁ ହିଁ ଯେଉଁଟି ସହିତ ମୋ’ର ପରିଚୟ ଘଟିଛି, ତାହା ମୋତେ ଅବଶ୍ୟ ନିଜର ଲାଗିବ, ଆପଣାର ବୋଲି ଲାଗିବ । ମାତ୍ର, ତାହାକୁ ମୁଁ ଯେତେବେଳେ ମୋ’ର ଭୂମି ବୋଲି କହିବାକୁ ଶିଖିଯିବି, ତାହା ଯଦି ମୋତେ ସେତେବେଳେ ସତେଅବା ମୋ’ର ଏକ ସମ୍ପତ୍ତି ବୋଲି ଲାଗିବ, ତେବେ ସେତେବେଳେ ପ୍ରାୟ ସେଇଥିରୁ ହିଁ ଅନ୍ୟ ଭୂମିଗୁଡ଼ିକ ମୋତେ ଅନ୍ୟମାନଙ୍କର ଭୂମି ବୋଲି ପ୍ରତୀତ ହେବ । ଭାଷା ବେଳକୁ ମଧ୍ୟ ସେହିକଥା, ଧର୍ମ ବେଳକୁ ମଧ୍ୟ ସେହିକଥା । ମୁଁ ଧର୍ମରେ ଚାଲିବି ବୋଲି ସେହି କାରଣରୁ ହିଁ ଅନ୍ୟ ଧର୍ମଗୁଡ଼ିକୁ ଇତର ଓ ଏପରିକି ଅବର ବୋଲି କାହିଁକି କହିବି ବା ଅନୁଭବ କରିବି ? କେହି କେହି କହନ୍ତି, ଗୋଟିକୁ ଭଲ ପାଇଲେ ତା’ର ଓଲଟାଟାକୁ ପ୍ରାୟ ନିୟମତଃ ଘୃଣା କରିବାକୁ ପଡ଼ିଥାଏ । ଏହି ଧାରାଟିକୁ ବୁଝିବା ନିମନ୍ତେ ଯେଉଁ ସ୍ଵତନ୍ତ୍ର ନଜରଟି ରହିଥିବା ଦରକାର, ମୁଁ ସେଇଟିକୁ ଅର୍ଜନ କରି ପାରିଲିନାହିଁ ।

 

ଆମ ଭଲ ପାଇବା ଯେ ଆମକୁ ସ୍ଵତଃ କୌଣସି ଘୃଣା ଭିତରେ ନେଇ ପକାଇଦିଏ, ସେକଥା ଆଦୌ ନୁହେଁ । ଭଲ ପାଇବା ହେଉଛି ଆପଣାକୁ ସମ୍ପ୍ରସାରିତ କରିଦେଇ ପାରିବାଲାଗି ଆମେ ଶିଖିଥିବା ଗୋଟିଏ କଳା । ଭଲ ପାଇବାର ଆଖିଟି ହେଉଛି ଏପରି ଗୋଟିଏ ଆଖି, ଯାହାକି ଆମକୁ ଅନ୍ତଃପ୍ରବେଶ କରି ଦେଖିବାର ଏକ ସାମର୍ଥ୍ୟ ଆଣି ଦେଇଯାଏ । ଗୋଟାକୁ ଭଲ ପାଉଛି ବୋଲି ବିଚରା ଜଣେ ଯେ ଆଉଗୋଟିକୁ ଘୃଣା କରିବାକୁ ବାଧ୍ୟ ହେଉଛି, ସେଥିରୁ ସମ୍ଭବତଃ ଏଭଳି ଅନୁମାନଟିଏ କରାଯିବ ଯେ, ସେହି ବ୍ୟକ୍ତି ତଥାକଥିତ ନିଜଟିକୁ ମଧ୍ୟ ଯଥାର୍ଥଭାବେ ଭଲପାଇ ପାରିନାହିଁ । ତଥାକଥିତ ଏକ ଶତ୍ରୁଦେଶକୁ ଘୃଣା କରିବାଲାଗି ଯେଉଁ କୁପିତମାନେ ଆମକୁ ଉଦବୋଧନ ଦିଅନ୍ତି, ସେମାନେ ନିଜ ଦେଶକୁ ପ୍ରକୃତରେ ଭଲ ପାଉଥାଆନ୍ତି ତ ? ନା ସେମାନେ ତୁଚ୍ଛା ଏକ ଭାବପ୍ରବଣ ସ୍ତରରେ ଯାଇ ରହିଥାନ୍ତି, ଯାହାକି ସେମାନଙ୍କୁ ଆପଣା ଭିତରେ ରହିଥିବା କୌଣସି ଛିଦ୍ର ଅଥବା କ୍ଷୋଭକୁ ଲୁଚାଇ ରଖିବାଲାଗି ଉଦ୍ଦିଷ୍ଟ ହୋଇ ରହିଥାଏ-? ଆମ ସାହିତ୍ୟରେ ଲିଖିତ ହୋଇଥିବା ଦେଶାତ୍ମବୋଧକ କାବ୍ୟରେ ଅଥବା ଅନ୍ୟ ରଚନାରେ ଯେତେବେଳେ ଶବ୍ଦର ହାଳୋଳାରେ ପାଠକମାନଙ୍କୁ ସତେଅବା କେଉଁ ସ୍ଵର୍ଗକୁ ଉଠାଇ ନେବାର ପ୍ରୟାସ କରା ଯାଉଥାଏ, ସେତେବେଳେ ତା’ ଭିତରେ ସତକୁ ସତ କେତେ ମାଧୁତା ରହିଥାଏ । ଶାସକମାନଙ୍କର ତୃପ୍ତିବିଧାନ କରିବା ସକାଶେ ଯେଉଁସବୁ ଉଦବୋଧନମୂଳକ ସାହିତ୍ୟର ରଚନା ହୁଏ, ମନୁଷ୍ୟର ଆତ୍ମାକୁ ତାହା ପ୍ରକୃତରେ କେତେଦୂର ଉଚିତ ବାଟ ଦେଖାଇବାର ଅଭିପ୍ରାୟ ରଖିଥାଏ । ମଣିଷମାନଙ୍କୁ ମିଥ୍ୟାଚ୍ଛନ୍ନ କରି ରଖିବାରେ ତଥାକଥିତ ଜାତୀୟତାବାଦୀ ସାହିତ୍ୟ ଓ ଦର୍ଶନର କେତେଦୂର ଅବଦାନ ରହିଛି, ସେହି କଥାଟିର ମଧ୍ୟ ବେଶ୍ ଆଲୋଚନାଟିଏ ହୋଇପାରିବ ।

 

୩.୯.୯୮

 

ଜୀବହତ୍ୟା କରିବନାହିଁ ବୋଲି ଭାରତବର୍ଷରେ ବୁଦ୍ଧଦେବ ଏବଂ ଜୈନ ମହାବୀର କୋଉ ପ୍ରାଚୀନ କାଳରେ କହିଥିଲେ । Thou shalt not kill ନାମକ ଆଜ୍ଞାଟି ଖ୍ରୀଷ୍ଟପୂର୍ବ ଧର୍ମୀୟ ଘୋଷଣା ମଧ୍ୟରେ ଉଚ୍ଚାରିତ ହୋଇଥିଲା । ଜୀବମାନଙ୍କୁ ଦୟା କରିବ, ଶିବଜ୍ଞାନରେ ଜୀବମାନଙ୍କ ଉପରେ ଦୟା ରଖିବ,–ଏସବୁ କଥା ଭାରତର ମହାତ୍ମାମନେ ଏକାବେଳକେ ଆମ ଏକାଳ ପର୍ଯ୍ୟନ୍ତ କହି ଆସିଛନ୍ତି । ଏହି ସବୁକିଛିର କେତେ ପ୍ରଭାବ ପଡ଼ିଛି ବା ନପଡ଼ିଛି, ସେକଥା ନୀତିବିଜ୍ଞାନର ଗବେଷକମାନେ ହିସାବ କରି ଅବଶ୍ୟ କହିବେ । ମାତ୍ର, ଏହି ସବୁକିଛିର ସମ୍ଭବତଃ ଏକ ପରିଣାମ ସ୍ଵରୂପ ପୃଥିବୀରେ କେତେକ ଲୋକସମୂହ ନିରାମିଷ ଆହାରକୁ ଯାହା ନିଜ ଧର୍ମକୁ ଆଚରିବାର ଗୋଟିଏ ଅଙ୍ଗରୂପେ ମାନି ଆସିଛନ୍ତି । ନିରାମିଷ ଆହାର କରି ସେମାନଙ୍କର ଚିତ୍ତରେ ଯେ ଯଥାର୍ଥ ସମ୍ବେଦନଶୀଳତା ବୃଦ୍ଧି ପାଇଛି, ସେହି ବିଷୟଟି ମଧ୍ୟ ବିତର୍କସାପେକ୍ଷ ହୋଇ ରହିଛି । ପାଶ୍ଚାତ୍ୟ ଜଗତରେ ନିରାମିଷ ଆହାର ପ୍ରାୟ ଏକ elitist ଆନ୍ଦୋଳନ ରୂପେ ପ୍ରଚାରିତ ହୋଇଛି-। ତାହା ପକ୍ଷରେ ଏକାଧିକ ଯୁକ୍ତି ମଧ୍ୟ ଦର୍ଶାଯାଇଛି ।

 

ପଶୁପକ୍ଷୀମାନେ ଯେ ଅନୁଭବ କରି ପାରନ୍ତି, ସେହି ବିଷୟରେ ସମଗ୍ର ପୃଥିବୀରୁ ବହୁଳ ତଥ୍ୟ ଦେଇ ଏବେ ଜଣେ ବହିଟିଏ ବି ଲେଖିଛନ୍ତି । ସେମାନେ ଭଲ ପାଆନ୍ତି, ଘୃଣା କରନ୍ତି, ମନେ ରଖନ୍ତି, କୃତଜ୍ଞତା ପ୍ରକାଶ କରନ୍ତି, ଦୁଃଖ ଓ ସୁଖକୁ ମଧ୍ୟ ଅନୁଭବ କରନ୍ତି,–ଏହି ପ୍ରତ୍ୟୟଟିକୁ ଆଣିଦେବା ପାଇଁ ଲେଖକ ତଥ୍ୟ ଉପରେ ତଥ୍ୟ ଆଣି ଅଜାଡ଼ି ଦେଇଛନ୍ତି । ଅଭିପ୍ରାୟ ହେଲା, ଏସବୁ ଜାଣି ମନୁଷ୍ୟମାନେ ପଶୁପକ୍ଷୀଙ୍କ ଉପରେ ଅଧିକ ସହାନୁଭୂତିଶୀଳ ହୋଇପାରିବେ । ସେମାନେ ପ୍ରାଣୀହତ୍ୟା କରିବେନାହିଁ, ପ୍ରାଣୀମାନଙ୍କୁ ପ୍ରୟୋଗଶାଳାରେ ଛିନ୍ନ ଭିନ୍ନ କରି ବିଜ୍ଞାନର ନୃଶଂସ ଗବେଷଣାଗୁଡ଼ିକୁ ମନ କରିବେନେହିଁ । କେବଳ ପ୍ରାଣୀମାନେ ନୁହନ୍ତି, ଉଦ୍ଭିଦମାନଙ୍କର ମଧ୍ୟ ଯେ ଏକ ଅନୁଭୂତିସମର୍ଥ ଜୀବନ ରହିଛି, ଆଚାର୍ଯ୍ୟ ଜଗଦୀଶଚନ୍ଦ୍ର ବୋଷ ମଧ୍ୟ ପ୍ରାୟ ଶହେବର୍ଷ ତଳେ ସେକଥା ଘୋଷଣା କରିଥିଲେ । ଏହିସବୁ ତଥ୍ୟ ପାଇବା ପରେ ମନୁଷ୍ୟମାନଙ୍କର ପ୍ରାଣୀସମ୍ବେଦନଶୀଳତା ବଢ଼ିଲା କି ବଢ଼ିଲାନାହିଁ, ସେହି କଥାଟିର ନିର୍ଣ୍ଣୟ କରିବାକୁ ହେଲେ ଆମକୁ ଏହି ତଥାକଥିତ ତଥ୍ୟଗୁଡ଼ିକର ସ୍ତରରୁ ହୁଏତ ଆହୁରି କିଞ୍ଚିତ୍ ଊର୍ଦ୍ଧ୍ଵକୁ ଉଠିବାକୁ ହେବ । ତଥ୍ୟମାନଙ୍କୁ ଜାଣିଲେ କ’ଣ ମନୁଷ୍ୟମାନେ ନିଜ ଆଚରଣକୁ ବଦଳାଇ ଦିଅନ୍ତି-? ପ୍ରଭାତରୁ ଶଯ୍ୟାତ୍ୟାଗ କରିବାର ଉପକାରିତା ସମ୍ବନ୍ଧରେ ନୀତିବାକ୍ୟଗୁଡ଼ିକୁ ଶୁଣିବାପରେ କେତେ ମଣିଷ ପ୍ରକୃତରେ ପ୍ରଭାତ ସମୟରେ ଶଯ୍ୟାତ୍ୟାଗ କରିବାକୁ ମନ କରନ୍ତି ? ଅରଣ୍ୟବାସୀ ସେହି ସରଳ ମନୁଷ୍ୟମାନଙ୍କର ସରଳ ମନୋଭାବନା ବିଷୟରେ ଏତେ ତଥ୍ୟ ତାଡ଼ି ବାହାର କରିବା ସତ୍ତ୍ୱେ ଆମେ ସଭ୍ୟମାନେ କେତେଦୂର କିଞ୍ଚିତ୍ ସରଳ ଭାବରେ ଜୀବନ ବଞ୍ଚିବାକୁ ସତକୁ ସତ ମନ କରିଛୁ, ସେହି କଥାଟିର ମଧ୍ୟ ବିଚାର କରା ଯାଇପାରେ ।

 

୪.୯.୯୮

 

ନିଜର ଦୁଃଖବେଳେ ମଣିଷ ଭଗବାନଙ୍କୁ ପ୍ରାର୍ଥନା କରେ । ନିଜର ଆତ୍ମୀୟ କେହି ଅସୁସ୍ଥ ହେଲେ ତାଙ୍କର ତୁରନ୍ତ ଆରୋଗ୍ୟଲାଭ ନିମନ୍ତେ ସମବେତ ଓ ଔପଚାରିକ ଭାବରେ ଈଶ୍ଵରଙ୍କ ପାଖରେ ପ୍ରାର୍ଥନା କରିବା ଖ୍ରୀଷ୍ଟିଆନ୍‍ ଧର୍ମାଚାରରେ ରହିଆସିଛି । ହୁଏତ କେତେ ନା କେତେ ଦୂରରେ ପରିଚିତ କେହିଜଣେ ଅସୁସ୍ଥ ହୋଇ ପଡ଼ିଥିବେ, ମାତ୍ର ତାଙ୍କ ସହିତ ସମ୍ବେଦନା ପ୍ରକାଶ କରୁଥିବା ବ୍ୟକ୍ତିମାନେ ଏକତ୍ର ତାଙ୍କର ଆଶୁ ଆରୋଗ୍ୟବିଧାନ ନିମନ୍ତେ ପ୍ରାର୍ଥନା କରି ପାରିବେ । ମୁଁ ନିଜେ ଏକାଧିକ ଅବସରରେ ଏହି ଖ୍ରୀଷ୍ଟିଆନ୍ ମଣ୍ଡଳୀମାନଙ୍କରେ ବସି ଏହିଭଳି ପ୍ରାର୍ଥନାରେ ଯୋଗ ଦେଇଛି । ଅତ୍ୟନ୍ତ ସମ୍ପୃକ୍ତ ଭାବରେ ଯୋଗ ଦେଇଛି ।

Unknown

 

ଜଣେ ନୃତତ୍ତ୍ଵବିତ୍ ଆଫ୍ରିକାରେ କୌଣସି ଏକ ମଣ୍ଡଳୀରେ କରା ଯାଇଥିବା ଏହିପରି ଏକ ପ୍ରାର୍ଥନାର ଉଲ୍ଲେଖ କରିଛନ୍ତି । ସେହି ଅବସରରେ ବହୁତ ଅସୁସ୍ଥ ବ୍ୟକ୍ତିଙ୍କ ପାଇଁ ପ୍ରାର୍ଥନା କରାଗଲା । ମାତ୍ର, ସେଇଠି ପାଖରେ ଥିବା ଗୋଟିଏ ଘରେ ସାଂଘାତିକ ଭାବରେ ଅସୁସ୍ଥ ହୋଇ ପଡ଼ିଥିବା ଜଣେ ପିଗ୍‌ମୀ ଆଦିବାସୀଙ୍କ ସକାଶେ ପ୍ରାର୍ଥନା କରାଗଲାନାହିଁ । ନୃତତ୍ତ୍ଵବିତ୍ ଏହାର କାରଣ ପାଦ୍ରୀଙ୍କୁ ପଚାରିଲେ ଏବଂ, ଉତ୍ତର ମିଳିଲା ଯେ, ସମ୍ପୃକ୍ତ ବ୍ୟକ୍ତିଜଣକ ତ ଖ୍ରୀଷ୍ଟିଆନ୍ ନୁହନ୍ତି, ତେଣୁ ତାଙ୍କପାଇଁ ପ୍ରାର୍ଥନା କରା ଗଲାନାହିଁ । ଭଗବାନଙ୍କୁ ଭେକ ପିନ୍ଧାଇ ତାଙ୍କୁ ଗୋଟାସୁଦ୍ଧା ନିଜର କାମରେ ଲଗାଇବାର ଦୃଷ୍ଟାନ୍ତ କହିଦେଉଛି ଯେ, ଏବେ ମଧ୍ୟ ଭଗବାନଙ୍କୁ ନେଇ ପୃଥିବୀରେ ଅନେକ ମଣିଷ ଚଣ୍ଡାଳପରି ହୋଇ ରହିଛନ୍ତି । ଏହି ଚଣ୍ଡାଳମାନେ ସବୁ ଧର୍ମରେ ରହିଛନ୍ତି । ମନେ ପଡ଼ୁଛି, ୧୯୪୩ ମସିହାରେ କଲିକତାରେ ଦୁର୍ଭିକ୍ଷଲାଗି ଅଗଣିତ ମଣିଷ ଅତ୍ୟନ୍ତ ଅରକ୍ଷିତ ଭାବରେ ମରୁଥିବା ସମୟରେ ସ୍ଵେଚ୍ଛାସେବକମାନେ ରାସ୍ତାର ଶବମାନଙ୍କୁ ଉଠାଇବାରେ ନିୟୋଜିତ ହୋଇଥିଲେ । ହିନ୍ଦୁ ଶବଗୁଡ଼ିକୁ ହିଁ ହିନ୍ଦୁ ସ୍ଵେଚ୍ଛାସେବକମାନେ ଉଠାଇବେ ଏବଂ ମୁସଲମାନ ସ୍ଵେଚ୍ଛାସେବୀମାନେ କେବଳ ମୁସଲମାନ ଶବଗୁଡ଼ିକୁ ଉଠାଇବେ ବୋଲି ସେତେବେଳେ ସେମାନଙ୍କର ରାଜନୀତିକ ଦଳର ନେତାମାନେ ସେମାନଙ୍କୁ ପରାମର୍ଶ ଦେଉଥିଲେ-। ଭଗବାନ କୃପା କଲେ ଚଣ୍ଡାଳକୁ ମଧ୍ୟ ଉଦ୍ଧାର କରନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ମାତ୍ର, ଯେତେବେଳେ ଚଣ୍ଡାଳମାନେ ଭଗବାନଙ୍କୁ ନିଜ ନିଜ ପିଞ୍ଜରା ବନ୍ଦ କରି ରଖି ନିଜ କାମରେ ଲଗାନ୍ତି, ସେତେବେଳେ ସମ୍ଭବତଃ ସ୍ଵୟଂ ଭଗବାନ ମଧ୍ୟ ଏକ ଧର୍ମସଙ୍କଟରେ ପଡ଼ି ଯାଉଥିବେ । ପୃଥିବୀରେ ଏତେ ଏତେ ଧର୍ମ ରହିଥିବା ସତ୍ତ୍ୱେ ମନୁଷ୍ୟସମାଜକୁ ଯେ ଏତେ ଏତେ ସଙ୍କଟ ଘାରିରହିଛି, ତାହାର ଏକ ବୃହତ୍ କାରଣରୂପେ ଏଇଟିକୁ ମଧ୍ୟ ସୂଚାଇ ଦିଆଯାଇ ପାରିବ । ଭଗବାନ ମୋଟେ କାହାକୁ ସଙ୍କଟରେ ଆଣି ପକାନ୍ତିନାହିଁ । ମଣିଷମାନେ ହିଁ ଭଗବାନଙ୍କୁ ନିଜର ଭେକ ପିନ୍ଧାଇଦେଇ ସଙ୍କଟ ମଧ୍ୟକୁ ଟାଣି ଆଣନ୍ତି ଏବଂ ପୃଥିବୀକୁ ଅଟକାଇ ରଖନ୍ତି ।

 

୫.୯.୯୮

 

କିଏ ପରା କହିଥିଲେ, ମୋତେ ପରିବେଶଟାକୁ ଯଥାନୁରୂପ ଭାବରେ ତିଆରି କରିବାର ପୂର୍ଣ୍ଣ ସ୍ଵାଧୀନତା ଦିଅ, ତେବେ ଜଣେ ମନୁଷ୍ୟକୁ ମୁଁ ଇଚ୍ଛାମତେ ଯାହାକିଛି ବନାଇଦେବି । ବନାଇଦେଇ ପାରିବି ଅଥବା ବିଗାଡ଼ିଦେଇ ପାରିବି । ସେହି ଘୋଷଣାଟିକୁ ମୂଳ କରି ପ୍ରାଚୀନ କାଳରୁ ଏହି ଆଧୁନିକ ବହୁସାମର୍ଥ୍ୟର ଯୁଗ ପର୍ଯ୍ୟନ୍ତ କେତେ କଅଣ ପ୍ରୟୋଗ ହୋଇଗଲା । ଖାଲି ପ୍ରୟୋଗଶାଳାରେ ବୈଜ୍ଞାନିକମାନେ ନୁହନ୍ତି, ରାଷ୍ଟ୍ରମାନଙ୍କରେ ରାଷ୍ଟ୍ରନାୟକମାନେ ମଧ୍ୟ କେତେ କ’ଣ କଲେ । ଗୋଟିଏ ନୂଆ ବୈଜ୍ଞାନିକ (?) ଆଦର୍ଶବାଦକୁ ଅଙ୍କୁଶରୂପେ ବ୍ୟବହାର କରି କମୁନିଷ୍ଟ ରାଷ୍ଟ୍ରମାନଙ୍କରେ କେତେ କ’ଣ ଧରାପରା ଲାଗିଲା; Soviet man ବୋଲି ଗୋଟାଏ ନୂଆ ମେଧା ଏବଂ ନୂଆ ମିଜାଜର ମଣିଷ ତିଆରି ହୋଇ ଆସୁଛି ବୋଲି ବହିସବୁ ଲେଖାଗଲା । ମାତ୍ର ସମୟକ୍ରମେ ସବୁ ଫସରଫାଟି ଗଲା । ଆଉ ଗୋଟିଏ ଗୋଷ୍ଠୀ ସେହି ବିଜ୍ଞାନକୁ ଆଶ୍ରା କରି କହିଲେ ଯେ, ମଣିଷର ବଂଶାନୁଗତ ବଳ, ସ୍ଵଭାବ ତଥା ପ୍ରଭାବଗୁଡ଼ାକ ହିଁ ଯାହାକିଛି ଛାଞ୍ଚ ଯୋଗାଇ ଦିଅନ୍ତି ଓ ମଣିଷର ଜୀବନଟା ସେହି ଛାଞ୍ଚରେ ହିଁ ଗଢ଼ା ହୋଇଆସେ । ସେହି ତଥ୍ୟଟା ମଧ୍ୟ ପୂରା ଭରସା ଦେଇ ପାରିଲାନାହିଁ । ଏହି ସବୁକିଛି ଭିତରେ ମଣିଷ ହିଁ ସବୁବେଳେ ରହିଛି, ଅଥଚ ଏମାନେ ତଥାପି ଯେ ତାକୁ ସୂତ୍ରଗୁଡ଼ିକ ଅନୁସାରେ ଛାଞ୍ଚରେ ପକାଇ ରଖି ପାରୁନାହାନ୍ତି, ସେହି ମନୁଷ୍ୟମାନେ ହିଁ ସେହି କଥାଟିକୁ ପ୍ରମାଣ କରିଦେଲେ । ମଣିଷମାନଙ୍କ ଭିତରେ ହୁଏତ ବାହାରୁ ମଡ଼ାଇ ଦିଆ ଯାଉଥିବା ଯାବତୀୟ ଧାରାକୁ ଅତିକ୍ରମ କରିଯିବାର ଶକ୍ତି ରହିଛି ଏବଂ ଏହି ଅତିକ୍ରମ କରିଯିବାରେ ହିଁ ଯେ ସେମାନେ ସବୁଠାରୁ ଅଧିକ fulfillment ଅନୁଭବ କରନ୍ତି, ସବାଶେଷକୁ ସେହି ଗୋଟିଏ ସତ୍ୟ ହିଁ ସିଦ୍ଧ ହୋଇ ରହିଗଲା ।

 

ଏହାକୁ ତୁମେ ଯେଉଁ ନାମଦେଇ ଜାଣ ପଛକେ, କ୍ରମେ ତାହା ହିଁ ଅସଲ ସତ୍ୟ ବୋଲି ଉଦ୍‌ଘାଟିତ ହୋଇ ଆସୁଛି । ଏହି ଉଦ୍‌ଘାଟନ-ପ୍ରକ୍ରିୟାଟିର ଅନ୍ତ ନାହିଁ, ତେଣୁ ଆମ ବିବର୍ତ୍ତନ ପ୍ରକ୍ରିୟାର ବି ଅନ୍ତ ନାହିଁ । ମୁଁ କ’ଣ ହେବି, ପୃଥିବୀର ନିୟତି କ’ଣ ହେବ, ସେଥିଲାଗି ବର୍ତ୍ତମାନର “ମୁଁ”ଟି ସହିତ ବର୍ତ୍ତମାନ ପୃଥିବୀଟି ଭବିଷ୍ୟତର “ମୁଁ” ଓ ଭବିଷ୍ୟତର ପୃଥିବୀ ପାଇଁ ନିରନ୍ତର ସତେଅବା ଏକ ଜନନୀର ଭୂମିକାକୁ ହିଁ ଗ୍ରହଣ କରି ଆସିଛି । ଜନନୀ ସବୁ ଯୋଗାଇଦିଏ ଏବଂ ତଥାପି କୌଣସି ନିର୍ଦ୍ଦିଷ୍ଟ ଛାଞ୍ଚରେ ପକାଇବାର କୌଣସି ଧୃଷ୍ଟତା କରେନାହିଁ । ଯାହାକିଛି ସତ୍ୟ, ଯାହାକିଛି ସ୍ଵାଭାବିକ, ତାହା ପ୍ରକୃତରେ କୌଣସି ନିର୍ଦ୍ଦିଷ୍ଟ ଛାଞ୍ଚଭିତରେ ପକାଇବାର ଧୃଷ୍ଟତା କରେନାହିଁ । ସେହି ଧୃଷ୍ଟତା ଅସତ୍ୟ ହିଁ କରେ,–ଆଦର୍ଶବାଦ ରୂପରେ, ରାଷ୍ଟ୍ରର ରୂପରେ ଏବଂ ସେହିଭଳି ଆହୁରି ନାନା ମିଛବଳର ରୂପରେ ସେହି ଧୃଷ୍ଟତାଲାଗି ରହିଥାଏ । ମନୁଷ୍ୟଦ୍ଵାରା ପରାଭୂତ ହେବାକୁ ଅପେକ୍ଷା କରୁଥାଏ ।

 

୬.୯.୯୮

 

ଏହି ସାଗର, ଆକାଶ, ଅରଣ୍ୟ, ଢିପ, ଢାଲୁ, ବର୍ଣ୍ଣ ଓ ବିସ୍ତାରଗୁଡ଼ିକୁ ଦେଖି ଯିଏ ଏଗୁଡ଼ିକ କେଡ଼େ ସୁନ୍ଦର ବୋଲି କହିପାରୁଛି, ମୁଁ କେବଳ ତାହାକୁ ହିଁ ପଶୁଟିଏ ବୋଲି କହି ପାରିବିନାହିଁ । ଏଗୁଡ଼ିକ ପ୍ରକୃତରେ କ’ଣ ବୋଲି ମୁଁ ମୋଟେ କହି ପାରିବିନାହିଁ ସତ, ମାତ୍ର ଏସବୁ ଉପରେ ଆଖି ବୁଲାଇ ଆଣିବା ସମୟରେ ଏଗୁଡ଼ିକ ନିଜ ଭିତରେ ମଧ୍ୟ ପ୍ରତିଫଳିତ ହୋଇ ପାରୁଛନ୍ତି । ସେହି ପ୍ରତିଫଳନ ଏବଂ ପରିଚୟଗୁଡ଼ିକୁ ହିଁ ମୋ’ ଭିତରେ ହୃଦୟ ବୋଲି ଝରକାଟିଏ ରହିଛି ବୋଲି ମୋତେ ଏକ ପ୍ରତ୍ୟକ୍ଷ ପ୍ରତ୍ୟୟ ଦେଇଯାଉଛି । ଏହି ଆଖି ଏହିଭଳି ଦେଖି ପାରୁଛି, କାରଣ ଏହି ଆଖିର ପଛରେ ଆହୁରି କେଉଁଭଳି ଆଖିଟିଏ ରହିଛି, ଯାହାକୁ ମୁଁ ହୃଦୟ ବୋଲି କହି ପାରୁଛି । ଏହି କାନପଛରେ ଆହୁରି କାନଟିଏ ରହିଛି, ଯାହାକୁ ମୁଁ ହୃଦୟ ବୋଲି ଅନୁଭବ କରିପାରୁଛି ଏବଂ, ଏହି ଯାବତୀୟ ସ୍ପର୍ଶର ପଛରେ ଓ ଭେଟିବା ପଛରେ ଆହୁରି ଏପରି ଏକ ସ୍ପର୍ଶ ଏବଂ ଏକ ଭେଟିବା ଅବଶ୍ୟ ରହିଛି, ଯାହାକୁ ମୁଁ ହୃଦୟ ଭିତରୁ ଜାଣି ପାରୁଛି, ଛୁଇଁ ପାରୁଛି । ଏବଂ, ସେଇ ଭିତରେ ଦେଖି ପାରିବା, ଶୁଣି ପାରିବା ଓ ସ୍ପର୍ଶ କରି ପାରିବା ସକାଶେ ଏଗୁଡ଼ିକ ମୋତେ ଏତେ ଭଲ ଲାଗୁଛି ଓ ମୁଁ ଏସବୁକୁ ସୁନ୍ଦର ବୋଲି କହିପାରୁଛି ।

 

ସଂସାରଟା, ସଂସାରମୟ ଏହି ଜୀବନଟା ଗୋଟାଏ ଜିରା ହୋଇଥିବ ବୋଲି ଅନୁମାନ କରି ଯେଉଁ ଧୀମାନ୍‌ମାନେ ତାହାରି ଭିତରୁ ଶିରା ବାହାର କରିବାକୁ ବିଜ୍ଞାନ ବୋଲି କହୁଛନ୍ତି, ସେମାନେ ମଣିଷକୁ ତୁଚ୍ଛା ଗୋଟାଏ ପଶୁ ବୋଲି କହୁଛନ୍ତି । ସେଇଥିରୁ ହିଁ ମଣିଷର ସୃଜନ ଏବଂ ଚରିତ୍ରର ନିର୍ଣ୍ଣୟ କରି ସେମାନେ ଆମ ନିମନ୍ତେ ଜ୍ଞାନ ବୋଲି, ସତ୍ୟ ବୋଲି କେତେ କଅଣ ଆଣି ବାଢ଼ି ଦେଉଛନ୍ତି । ମୁଁ ତ ବରଂ ଓଲଟା କହିବି ଯେ, ମଣିଷ ଭିତରେ ହୃଦୟଟିଏ ରହିଛି ବୋଲି, ଅନ୍ୟ ଆଖିଟିଏ ଓ ଅନ୍ୟ କାନଟିଏ ରହିଛି ବୋଲି ମନୁଷ୍ୟ କେବଳ ପଶୁ ଓ ପକ୍ଷୀମାନଙ୍କ ମଧ୍ୟରେ ହିଁ ନୁହେଁ, ବୃକ୍ଷଲତାମାନଙ୍କ ଭିତରେ ମଧ୍ୟ ଆତ୍ମୀୟତାର ଠାବ କରି ପାରୁଛି, ସେହି ଆତ୍ମୀୟତାଦ୍ଵାରା ହିଁ ନିଜ ମଧ୍ୟକୁ ବିସ୍ତାରିତ କରିନେଇ ପାରୁଛି । ମୁଁ ଯାହା, ଏମାନେ ମଧ୍ୟ ସେଇଆ ବୋଲି କହି ପାରୁଛି । ଆମେ ସମସ୍ତେ ଗୋଟିଏ ସତ୍ୟ ଭିତରୁ ନିଷ୍ପନ୍ନ ହୋଇ ଆସିଛୁ ଏବଂ ଗୋଟିଏ ନିୟତିକୁ ହିଁ ଏହି ବିଶ୍ୱଭୂମି ଉପରେ ପ୍ରକଟ କରିବାଲାଗି ବାଟ ଚାଲୁଛୁ ବୋଲି କହିପାରୁଛୁ । ମଣିଷ ଠିକ୍ ପଶୁପରି ସ୍ଵାର୍ଥପର ବୋଲି ଆଖି ପାଇନଥିବା ମଣିଷ ଆଗେ କହୁଥିଲା । କାରଣ ସିଏ କେବଳ ବାହାର ଆଖିଗୁଡ଼ାକରେ ଦେଖୁଥିଲା ? ଅସଲ ବିଜ୍ଞାନଗୁଡ଼ିକ ତାକୁ ଏହି ସବୁକିଛିକୁ ଏକ ସମଗ୍ରତା ମଧ୍ୟରେ ପ୍ରତ୍ୟକ୍ଷ କରିବାପାଇଁ ସାମର୍ଥ୍ୟମାନ ଦେଇ ଯାଉଥିବା ସହିତ ମଣିଷ ନିଜକୁ ଅଧିକରୁ ଅଧିକ ଏହି ସବୁଟି ସହିତ ଛନ୍ଦିହୋଇ ରହିଥିବାପରି ଅନୁଭବ କରୁଛି । ଏହି ଛନ୍ଦି ହୋଇ ରହିବା, ତାହାରି ଏକ ଅନ୍ୟ ନାମ ହେଉଛି ସ୍ନେହ ।

 

୭.୯.୯୮

 

ମୋ’ ଜୀବନ କହିଲେ, ମୁଁ ଯେତିକି ଭିତରେ ବିଚରଣ କରୁଛି, ଖାଳି ସେତିକିକୁ ବୁଝାଇବ ନା ମୋ’ ଜୀବନର ସୀମାଗୁଡ଼ିକୁ ନିରନ୍ତର ନାନା ଆହ୍ୱାନ ଦେଇ ଯାଉଥିବା ଏହି ଅନ୍ୟ ଉପାଦାନଗୁଡ଼ିକୁ ବୁଝାଇବ ? ସେହି ଆହ୍ଵାନଗୁଡ଼ିକର କୌଣସି ନିର୍ଦ୍ଦିଷ୍ଟ ପରିଧି ନଥାଏ । ମୁଁ ଯେତେ ଚାଲୁଥାଏ, ସେଗୁଡ଼ିକ ସତେଅବା ସେହି ଅନୁସାରେ ବିସ୍ତାରିତ ହୋଇଯିବାରେ ଲାଗିଥାନ୍ତି । ସବୁ ସମାଜରେ ବାତ୍ସାୟମାନେ ଥାଆନ୍ତି, ସେମାନେ କେତେ କେତେ ଅନ୍ୟ ପ୍ରାପ୍ତିର ପ୍ରଲୋଭନ ଦେଖାଇ ଯେଉଁଠି ମୁଁ ରହିଛି, ସେଇଠି ପେଟପୂରା ଏହି ସବୁକିଛିକୁ ଆଗ ଉପଭୋଗ କରିନେବାକୁ ହିଁ ସର୍ବଶ୍ରେଷ୍ଠ ଏବଂ ସର୍ବପ୍ରଶସ୍ତ ନାଗରିକବୃତ୍ତି ବୋଲି ଉପଦେଶ ଦେବାରେ ଲାଗିଥାଆନ୍ତି । ସେମାନେ ଆମଆଗରେ ଗୀତଗୋବିନ୍ଦ ଗାନ କରନ୍ତି ଓ ଅସଲ ଜୀବନକୁ ଏକ କଦମ୍ବମୂଳ ରୂପେ କଳ୍ପନା କରନ୍ତି, ଯେଉଁଠାରେ କି ମୁଁ ଅସରନ୍ତି ମାପରେ ମୋ’ ମୁହୂର୍ତ୍ତମାନଙ୍କର ରୀତିରେ କ୍ରୀଡ଼ନକପରି ନଚା ହେଉଥିବି ଏବଂ ତାହାକୁ ହିଁ ମୋ’ ଖାତାରେ ଲେଖା ହୋଇଥିବା ସବୁଠାରୁ ବଡ଼ ସୌଭାଗ୍ୟ ବୋଲି କହୁଥିବି । ଧିକ୍ ମୋ’ ଗୁରୁମାନଙ୍କୁ ଓ ଦେବତାମାନଙ୍କୁ, ଯେଉଁମାନେ ମୋତେ ଏହିଭଳି ମିଛମନ୍ତ୍ରମାନ ଦେଇ ବାରବାର ମୋତେ ମୋ’ର ଭିତରଟି ସହିତ ଖିଅ ଛିଣ୍ଡାଇ ଅଲଗା କରିନେବାକୁ ଇଚ୍ଛା କରୁଥାନ୍ତି । ସେମାନେ ମୋ’ ଆଖିକୁ, ମୋ’ର ଶ୍ରଦ୍ଧା ଓ ସମ୍ଭାବନାଗୁଡ଼ିକୁ ଅଳପ କରି ରଖିବାର ମନ୍ତ୍ରଣା ଦିଅନ୍ତି ।

 

ଆଧୁନିକ ସଭ୍ୟତାକୁ ମଧ୍ୟ କେତେକ ଅର୍ଥରେ ସେହିଭଳି ବାତ୍ସାୟନମାନଙ୍କର ଏକ ଷଡ଼ଯନ୍ତ୍ର ବୋଲି କୁହାଯାଇ ପାରିବ । ଆଧୁନିକ ସଭ୍ୟତା ମଣିଷମାନଙ୍କୁ ଅଧିକରୁ ଅଧିକ ବସ୍ତୁ ଭିତରେ ପୋତି ପକାଇବାକୁ ଇଚ୍ଛା କରୁଛି, ଜୀବନଟିକୁ ବଞ୍ଚିହେବ ବୋଲି ଏଠାରେ ଅତ୍ୟନ୍ତ କୌତୁକପୂର୍ଣ୍ଣ ନାନା ଇନ୍ଦ୍ରଜାଲ ବିଛାଇ ରଖିଛି । ସଭ୍ୟତା ତେଣେ ସେହି ଅନୁସାରେ ତା’ ଇସ୍କୁଲଗୁଡ଼ାକୁ ମଧ୍ୟ ତିଆରି କରି ରଖିଛି, ଯେଉଁଠାରେ କେବଳ ଏହିଗୁଡ଼ାକରେ ବାନ୍ଧି ହୋଇ ପଡ଼ିବାକୁ ହିଁ ଜୀବନ ବୋଲି ଘୋଷଣା କରାଯାଉଛି । ବନ୍ଧନମୁକ୍ତ ହେବା ଅର୍ଥାତ୍ ଏହି ଗଣ୍ଠିଟିରୁ ମୁକ୍ତ ହୋଇ ଆଉ ଅଧିକ ବିସ୍ତାରଯୁକ୍ତ ସମ୍ପୃକ୍ତିଟିକୁ ମନ କରିବା,–ଆମ ଶିକ୍ଷାରେ ସେହି କଥାଟିକୁ କହିବାଲାଗି ଗୁରୁମାନେ କ୍ରମେ କୁଣ୍ଠାପ୍ରକାଶ କଲେଣି । ସମ୍ଭବତଃ ସେହି ଗୁରୁମାନେ ମଧ୍ୟ ଏଠାଟାର ଲାଳସା ଭିତରେ ଖୁବ୍ ପଡ଼ିଗଲେଣି । ତେଣୁ, ଆଖିମାନଙ୍କୁ ଅଧିକ ବିସ୍ତାରିତ କରିଦେବା ପରିବର୍ତ୍ତେ ଏବର ଶିକ୍ଷା ମଣିଷମାନଙ୍କୁ ଏତିକି ଭିତରେ ପୋଷ ମନାଇ ରଖିବାକୁ ହିଁ ଅଧିକ ଫିକର କରୁଛି, ଏହି ପୋଷ ମନାଇବାର ବଜାରଲାଗି ଆମକୁ ଅଧିକ ଯୋଗ୍ୟ କରୁଛି । ଖାପ ଖାଇଯାଇ ଆମେମାନେ ବି ଆବଶ୍ୟକ ଭେକଗୁଡ଼ିକ ମଧ୍ୟରେ କେଡ଼େ ଚକଚକ ଦେଖା ଗଲୁଣି । ସମସ୍ତେ ଏହି ବଜାରର ପ୍ରତିଯୋଗିତା ଭିତରେ ଜଣେ ଜଣେ ହିରୋ ହୋଇ ବାହାରିବାକୁ ହିଁ ଅନ୍ତତଃ ଏ ଜନ୍ମଟାର ପରମ ଗତି ବୋଲି ବିଶ୍ଵାସ କରୁଛନ୍ତି । ହୁଏତ ସେଇଟାରୁ ମଧ୍ୟ ଅବଶ୍ୟ ନିସ୍ତାର ଅଛି ।

 

୮.୯.୯୮

 

ପୃଥିବୀଯାକର ଦୁଃଖକୁ ଏହି ଓ ଆଖି ବୁଜି ଦେଲାପରି ହୋଇ ଯେଉଁ ମଣିଷମାନେ ନିଜର ସୁଖ ଭିତରେ ଧାଇଁଥାଆନ୍ତି, ସେମାନେ ଅନ୍ୟମାନଙ୍କୁ ଅର୍ଥାତ୍ ପୃଥିବୀଯାକକୁ ଈର୍ଷା କରୁଥାନ୍ତି କି ? ପୃଥିବୀଯାକର ଦୁଃଖକୁ ଏଡ଼ି ଅର୍ଥାତ୍ ଆଖି ବୁଜିଦେଇ ଯେଉଁ ସମୂହ ଓ ଦେଶ ନିଜର ସୁଖଟାକୁ ଓ ନିଜକୁ ହିଁ ସମସ୍ତଙ୍କଠାରୁ ଆଗରେ ରଖିବାକୁ ନିଜର ସବାବଡ଼ ଉଦ୍ଦେଶ୍ୟ କରି ରଖିଥାଏ, ସିଏ ଅନ୍ୟମାନଙ୍କୁ ଅର୍ଥାତ୍ ପୃଥିବୀଗୋଟାକୁ ଈର୍ଷା କରୁଥାଏ କି ? ନିଜର ସୁଖଟାକୁ ସବାଆଗ ଦେଖୁଥିବା ପର୍ଯ୍ୟନ୍ତ ଜଣେ ମଣିଷ ପୃଥିବୀଯାକର ମଣିଷଙ୍କୁ ଈର୍ଷା କରିବାଲାଗି ସମ୍ଭବତଃ ସେଇଥିରୁ ହିଁ ଅନେକ ଖୋରାକ ପାଇଥାଏ । ଏବଂ, ନିଜର ସବୁଯାକ ଦୁଃଖ ଥାଇ ମଧ୍ୟ ଅନ୍ୟମାନଙ୍କର ଦୁଃଖକୁ ଆଗ ଅନୁଭବ କରୁଥିବା ମଣିଷମାନେ ହୁଏତ ସେହି କାରଣରୁ ହିଁ ନିଜର ଦୁଃଖଦ୍ଵାରା ପ୍ରତିହତ ହୋଇ ନଯିବାକୁ ଅଧିକ ଶକ୍ତି ଲାଭ କରିଥାନ୍ତି ।

 

ଏମିତି ଫିତା ବା ବାଡ଼ି କ’ଣ କେଉଁଠାରେ ରହିଛି, ଯାହାକୁ ପକାଇ କାହାର ଦୁଃଖ ବା ସୁଖ କେତେ କହି ଦିଆଯାଇ ପାରେ ? ସେହି ମାପକାଠିଟି ଖୁବ୍ ସମ୍ଭବ ନିଜର ଆଖି ଭିତରେ ହିଁ ରହିଥାଏ । ନିଜ ହୃଦୟ ସହିତ ସେହି ଆଖିଟିର ନାଡ଼ ଲାଗିଥାଏ । ଯେଉଁମାନେ ବିଧାତାର ଅଧିକରୁ ଅଧିକ କାମରେ ଲାଗିବେ ବୋଲି ଏହି ପୃଥିବୀକୁ ଆସନ୍ତି, ସେମାନେ ଅନ୍ୟମାନଙ୍କର ଦୁଃଖଗୁଡ଼ାକୁ ସମ୍ଭବତଃ ଅଧିକ ଅନୁଭବ କରନ୍ତି ଏବଂ, ବାଟଟିଏ ଚାଲିବାପାଇଁ ଗୋଡ଼ ଦୁଇଟି ସମର୍ଥ ହୋଇ ରହିଥିବା ପର୍ଯ୍ୟନ୍ତ ସେମାନେ ନିଜକୁ ସୁଖୀ ବୋଲି ଅନୁଭବ କରୁଥାନ୍ତି । ପୃଥିବୀରୁ ପଳାୟନ କରିବାର ଅଭିପ୍ରାୟରେ ଅନେକ ମଣିଷ ପୃଥିବୀକୁ ଦୁଃଖମୟ ବୋଲି କହନ୍ତି ଓ ପରତ୍ରାଣର ପଥ ଖୋଜି ସିଦ୍ଧିଲାଭ କରିବାର ଆତୁରତାରେ ସେମାନେ ବେଳେବେଳେ ନିର୍ବାଣର ବାଟଟାକୁ ହିଁ ପ୍ରକୃଷ୍ଟ ଅବଲମ୍ବନ ରୂପେ ଘୋଷଣା କରନ୍ତି । ନିଜର ସୁଖକୁ ସବାଆଗରେ ରଖିଥିବା ମଣିଷଟିଏ ବେଳେବେଳେ ନିର୍ବାଣକୁ ମଧ୍ୟ ପରମସୁଖ ବୋଲି କହିଥାଏ । ଜଣେ ମନୁଷ୍ୟ ଯେ ଏକୁଟିଆ ଯଥାସମ୍ଭବ ଅଧିକ ସୁଖୀ ହୋଇ ରହିବ ବୋଲି ବିଚାରୁଛି, ଗୋଟିଏ ଦେଶ ଯେ ପୃଥିବୀରେ ସବୁଠାରୁ ଅଧିକ ସୁଖଭିତରେ ରହିବ ବୋଲି ଭାବୁଛି, ହୁଏତ ତା’ ଅଜାଣତରେ ସିଏ ଏହି ପୃଥିବୀଟାକୁ ଗିଳି ପକାଇବାକୁ ଖୁବ୍ ଇଚ୍ଛା କରୁଥିବ । ଏହି ଗିଳି ପକାଇବାର ଧନ୍ଦା ସକାଶେ ହିଁ ତ ପୃଥିବୀରେ ଅସ୍ତ୍ରଶସ୍ତ୍ରରେ ଏତେ ଏତେ ପ୍ରତିଯୋଗିତା ଚାଲିଛି ଏବଂ ସବୁଠାରୁ ଅଧିକ ଅସ୍ତ୍ର ରହିଥିବା ଦେଶଟିଏ ନିଜକୁ ଏହି ଧରାକ୍ଷେତ୍ରରେ ସବୁଠାରୁ ଅଧିକ ସମର୍ଥ ବୋଲି କଳ୍ପନା କରି ପାରୁଛି । ଏହି ସମଗ୍ର ପୃଥିବୀକୁ ଚଳାଉଥିବା ବିଧାତା ମଣିଷମାନଙ୍କର ସେହି ଅସ୍ତ୍ରବଳ ଓ ଅର୍ଥବଳକୁ ଦେଖି ପ୍ରକୃତରେ କେତେ ନା କେତେ ହସୁ ନଥିବେ ! ମଣିଷ ଓ ଦେଶମାନେ ସବାଆଗ ନିଜକୁ ହସିବାର କଳାଟିକୁ ଶିଖିପାରିଲେ ଯାଇ ହୁଏତ ବିଧାତାର ସେହି ହସର ମର୍ଯ୍ୟାଦାଟିକୁ ବୁଝିପାରନ୍ତେ, ସେଥିରୁ କିଛି ଶିକ୍ଷା କରି ପାରନ୍ତେ ।

 

୯.୯.୯୮

 

କୌଣସି ଗୋଟାଏ କିଛି ସାଧ୍ୟ କରିବାକୁ ନଥିବ, ଅର୍ଥାତ୍, କୌଣସି ଗୋଟାଏ ନିର୍ଦ୍ଦିଷ୍ଟ ସିଦ୍ଧି ଲାଭ କରିବା ନିମନ୍ତେ ତୁମେ ଏକ ଠିକଣା ସମୟରେ ଅମୁକଟାକୁ ହାସଲ କରିବ ଅଥବା ଅମୁକ ଥାନରେ ଯାଇ ପହଞ୍ଚିବ ବୋଲି ତୁମଠାରେ ସେପରି କୌଣସି ଉତ୍କଣ୍ଠା ବା ଉତ୍‌ଶୃଙ୍ଖଳତା ମଧ୍ୟ ନଥିବ । ତୁମେ କେବଳ ହେବାକୁ ଚାହୁଁଥିବ । ଅଧିକରୁ ଅଧିକ ହେବାକୁ ଚାହୁଁଥିବ, ତୁମ ସମ୍ମୁଖରୁ କୁଆଡ଼କୁ ଅର୍ଥାତ୍ କେତେ କୁଆଡ଼କୁ ଲମ୍ବି ଯାଇଥିବା ପାହାଚଗୁଡ଼ିକ ଉପରେ ସତତ ଗୋଟିଏ ଗୋଟିଏ ପାଦ ପକାଇବାକୁ ତୁମେ ଖୁସି ହୋଇ ବାହାରିଯାଇ ପାରୁଥିବ । ବାସ୍, ଏତିକି ଅସଲ କଥା, ଏଷୋଽସ୍ୟ ପରମା ସମ୍ପତ୍ ।

 

ବାସ୍, ତୁମେ କେବଳ ଆସ୍ଥାନଟିଏ ହେବ । ତୁମପାଇଁ ଏତିକି କର୍ତ୍ତବ୍ୟ, ତୁମ ଜୀବନରେ ଧର୍ମ କହିଲେ କେବଳ ସେତିକି ହିଁ ବୁଝାଉଥିବ । ଏପରିକି, ତୁମେ କାହାପାଇଁ ଆସ୍ଥାନଟିଏ ହେବାକୁ ସଜ ହେଉଛ ଏବଂ ତେଣୁ କୋଉ ନିର୍ଦ୍ଦିଷ୍ଟ ଶାସ୍ତ୍ର ବା ମତ ଅନୁସାରେ ମଣ ହେଉଛ, ସେହି ବିଷୟରେ ମଧ୍ୟ ବେଶି କିଛି ମୁଣ୍ଡ ଖେଳାଉ ନଥିବ । କାରଣ, ଏଥିରେ ମୁଣ୍ଡ ଖେଳାଇବା ମାତ୍ରକେ ତୁମପାଇଁ ଗୁରୁମାନେ ଆସି ପହଞ୍ଚିଯିବେ ଓ ଅଠର ପ୍ରକାରର କଟାଳ କରିବାକୁ ଆରମ୍ଭ କରିବେ । ତୁମେ ବି କୋଉ ବାଉଳା ଭିତରେ ପଡ଼ି ଗୁରୁମାନଙ୍କୁ ବାଛିବାକୁ ଆରମ୍ଭ କରିବ, ଏହି ଗୁରୁଙ୍କୁ ଛାଡ଼ି ସେହି ଗୁରୁଙ୍କୁ ଲୋଡ଼ି ବସିବ, ଗୋଟିଏ ଗୁରୁଙ୍କୁ ପ୍ରଶଂସା କରିବାର ମତଲବରେ ଆଉଗୋଟିଏ ଗୁରୁଙ୍କୁ ନିନ୍ଦା କରିବାର ଏକ ପ୍ରୟୋଜନ ରହିଛି ବୋଲି ଅନୁଭବ କରିବ । ତେବେ, ବାଟରେ ଚାଲି ଯାଉ ଯାଉ ସବୁ ଗୁରୁଙ୍କୁ ପ୍ରଣାମ କରି ପାରିବାର ଯେଉଁ ଅଧିକାର, ସେଇଟି ଆଉ ତୁମକୁ ପ୍ରାପ୍ତ ହୋଇ ପାରିବନାହିଁ । ଗୋଟାଏ ଆସ୍ପୃହା ରହିଛି, ଯାହାର ଭାଜନ ହୋଇ ପାରିଲେ ତୁମେ ଜଗତଯାକର ସବୁ ଗୁରୁଙ୍କୁ ପ୍ରଣାମ କରିବାକୁ ଇଚ୍ଛା କରିବ ଓ ସମସ୍ତଙ୍କର ଆଶୀର୍ବାଦ ପାଉଥିବାପରି ଅନୁଭବ କରିବ । ସେହି ଆସ୍ପୃହାଟି ହେଉଛି ଆପଣାକୁ ପୂର୍ଣ୍ଣ ଏବଂ ଅଧିକ ପୂର୍ଣ୍ଣ ଭାବରେ ଏକ ଆସ୍ଥାନରୂପେ ତିଆରି କରି ଆଣିବାର ଆସ୍ପୃହା । ଯଦି ମୁଁ ଆସ୍ଥାନଟିରେ ହୋଇପାରିବି, ତେବେ ତ ସିଏ ସ୍ଵୟଂ ତା’ଉପରେ ରାଜରାଜେଶ୍ଵର ହୋଇ ବସିବାଲାଗି ଅବଶ୍ୟ ଆସି ହାବୁଡ଼ିଯିବେ । ସକାଳ ଓ ସଞ୍ଜ ହୋଇ ଆସିବେ, ଭିତରେ ଆସିବେ, ବାହାରେ ମଧ୍ୟ ଆସିବେ-। ତାଙ୍କ ପାଇଁ ବାଟଟିଏ ପଡ଼ିଯାଇ ପାରିଲେ ବାଟ ଚାଲିବାକୁ ସିଏ ଆପେ ଆସିବେ । ଏକ ନିମିତ୍ତ ହୋଇ ପାରିଲେ ରଥରେ ସିଏ ଅବଶ୍ୟ ସାରଥି ହୋଇଯିବେ । ଏବଂ ତାପରେ ଅର୍ଜୁନ ଆଉ କାହିଁକି ଭୟ କରିବ ? ତା’ପରେ ସଂସାରଟା ଆଉ କାହିଁକି ବିରସ ଲାଗିବ ? କାହିଁକି ପୃଥିବୀଯାକର ତତ୍ତ୍ଵ ଦଉଡ଼ି ହୋଇ ତୁମକୁ ବାନ୍ଧିରଖିବା ନିମନ୍ତେ ମନ ବା କରିବେ ? ପରତ୍ରାଣ ଖୋଜିବ ତ ଏହିପରି ପରିତ୍ରାଣଟିଏ ଖୋଜ । ତେବେ, ନିଜକୁ ବୀରପରି ଲାଗିବ । ରାଜା ଆସି ବସିଗଲା ପରେ ଆସ୍ଥାନଟା ବି ନିଜକୁ ବେଳେବେଳେ ନିଶ୍ଚୟ ରାଜାପରି ଅନୁଭବ କରୁଥିବ ।

 

୧୦.୯.୯୮

 

କାହାର ସ୍ପର୍ଶରେ କାଲି ପାହାନ୍ତାରେ ମଧ୍ୟ ନିଦ ଭାଙ୍ଗିଗଲା । ନିଦର କାମ ସରିଗଲା, ତେଣୁ ସିଏ କେଡ଼େ ସ୍ଵାଭାବିକ ଭାବରେ ଅପସରି ଯାଏ । ତେଣୁ କେଡ଼େ ସହଜ ଏବଂ ପ୍ରଫୁଲ୍ଲ ଲାଗେ । ଆପଣାକୁ ଠିକ୍ ସରୋବରଟିଏପରି ଅନୁଭବ ହେଲା । ଏପରି ଗୋଟିଏ ସରୋବର, ଯେଉଁଥିରେ କି କୋଉଠି କିଛିହେଲେ ଚହଲି ଯାଉନାହିଁ । ସିଏ ପ୍ରକୃତରେ ଏକ ଅପୂର୍ବ ଅନୁଭବ,–ପୂର୍ଣ୍ଣ ବିଶ୍ଵାସରେ, ପୂର୍ଣ୍ଣ ସମ୍ମତିରେ ଊର୍ଦ୍ଧ୍ଵସ୍ଥ ଆକାଶ ଆଡ଼କୁ ଅନାଇ ରହିଥିବାର ଅନୁଭୂତି । ସେହି ଆକାଶ ମଧ୍ୟ ସତେଅବା କେଉଁ ଠୁଳ ପ୍ରେମାସ୍ପଦପରି ସରୋବରଟି ଆଡ଼କୁ ଚାହିଁ ରହିଥିଲା । ଦୁହେଁ ଦୁହିଁଙ୍କ ଆଡ଼କୁ ଅନାଇ ରହିଥିବାର ଅନୁଭୂତି, ଅର୍ଥାତ୍, ଗଅଁଠାଇ ହୋଇ ରହିଥିବାର ଅନୁଭୂତି;–ସମ୍ଭବତଃ ସେହି ଅବସ୍ଥାଟି ହେଉଛି ନିଶ୍ଚଳ, ନିଶ୍ଚଳ ଅନୁଭୂତି । କୋଉଠି ଏପରି ଏକ ଗଣ୍ଠି କାଳକାଳରୁ ପଡ଼ି ରହିଥିବାର ଅନୁଭୂତି, ଯାହାଦ୍ୱାରା ସତେଅବା ଯାବତୀୟ ଅନ୍ୟ ଅନୁଭୂତିର ଗଣ୍ଠିମାନେ ଭାରି ସହଜରେ ଛିଡ଼ିଯିବାର ଅନୁଭୂତି ।

 

ସେହି ଅନୁଭୂତିଟିକୁ ମୁଁ ଦିନମାନ ବଞ୍ଚିବି । ବାହାରେ ପୂର୍ଣ୍ଣ ସଚଳତା ରହିଥିବ, ମାତ୍ର ଭିତରେ କୌଣସି କାତରତା ନଥିବ । ବିଶ୍ଵାସ ଆସିଗଲେ ଯେ କାତରତା ଯାଏ, ତାହା ଅବଶ୍ୟ ଏକ ସତ କଥା; ମାତ୍ର, କାତରତା ଚାଲିଗଲେ ଯେ ବିଶ୍ଵାସର ପ୍ରତିଷ୍ଠା ହୋଇଯାଏ, ସମ୍ଭବତଃ ତାହା ହେଉଛି ଏକ ଅଧିକ ସତ କଥା । ସେହି ବିଶ୍ୱାସ ହେଉଛି ଆପଣାର ଧର୍ମଉପରେ ବିଶ୍ଵାସ, ଏହି ପୃଥିବୀମୟ ଜୀବନ ଉପରେ ବିଶ୍ଵାସ । ଏହାକୁ ଭଗବଦ୍‌ବିଶ୍ଵାସ ବୋଲି କହିଲେ କିଏ କାହିଁକି ଆପତ୍ତି କରିବ ? ତୁମେ ଯେତେ ଯେଉଁ ବାଟରେ ନିଜର ସାଧନାଟିକୁ କରୁଥାଅ ପଛକେ, ଯଦି ଏହି ବିଶ୍ଵାସଟିର ଭାଜନ ହୋଇ ପାରିଲ, ତେବେ ତୁମ ନିଜର ଆରାଧ୍ୟ ଏବଂ କାମ୍ୟଟି ପାଖରେ ଆସି ପହଞ୍ଚି ଗଲଣି ବୋଲି କୁହାଯାଇ ପାରିବ । ପହଞ୍ଚିବାର ଅର୍ଥ ହେଉଛି ଏପରି ଏକ ମାତୃସ୍ପର୍ଶ ଲାଭ କରିବା,–ଯାହାକି ତୁମକୁ ଅନୁକ୍ଷଣ ଏବଂ ସର୍ବତ୍ର ନିଜର ଘରେ ରହିଥିବାପରି ଅନୁଭବ ଦେଇ ଯାଉଥିବ । ସମସ୍ତଙ୍କ ସହିତ ଏହି ଘରେ ରହିଥିବାର ଅନୁଭୂତି, ଏହାହିଁ ଅସଲ ସାନ୍ନିଧ୍ୟଲାଭର ଅନୁଭୂତି । ଏହି ଅନୁଭୂତିଟିକୁ ନିଜର ସବାବଡ଼ ଅବଲମ୍ବନରୂପେ ଗ୍ରହଣ କରି ତୁମେ ଯୋଉ ଭେକ ପିନ୍ଧି ବାଟ ଚାଲ ପଛକେ, ସେଥିରେ ଆଦୌ କିଛିହେଲେ କହିବାକୁ ନଥିବ । କାଲି ମୁଁ ବେଶ୍ କେତେ ଘଣ୍ଟା ଯେଉଁ ସରୋବରଟିର ଅନୁଭୂତି ନେଇ ଆକାଶଟିକୁ ଅନାଇଥିଲି, ମୁଁ ତାହାକୁ ମୋ’ର ତଥାକଥିତ ସାଧାରଣ ଜୀବନଟିକୁ ବଞ୍ଚୁଥିବାର ଅନୁଭୂତିରୂପ ମଧ୍ୟ ବହନ କରି ରହିଥିବି । ମୁଁ ତେବେଯାଇ ସକଳ ଦୂରରୁ ସୁରକ୍ଷିତ ହୋଇ ରହିପାରିବି । ଭିତରେ ଜ୍ଵର ନଥିଲେ ସମସ୍ତେ ସାଙ୍ଗ ବୋଲି ଲାଗନ୍ତି । କାହାକୁ ପଛରେ ଛାଡ଼ିଦେଇ ଆଗ ବାହାରି ଯିବାକୁ ଆଦୌ କୌଣସି ଉତ୍କଣ୍ଠା ନଥାଏ । ଏହି ପୃଥିବୀଟି ଆମକୁ ଦିଆଯାଇଛି,–ନିଜପାଇଁ ଡିହଟିଏ ବାଛିନେଇ ଅଲଗା ହୋଇ ରହିବା ଏବଂ ମିଛଟାରେ ଉଚ୍ଚ ହୋଇ ଦିଶିବାପାଇଁ ନୁହେଁ । ସମସ୍ତଙ୍କ ସହିତ ଅଶେଷ ବନ୍ଧନଦ୍ଵାରା ହିଁ ପ୍ରେରିତ ହୋଇ ପାହାଚ ପରେ ପାହାଚ ପାରିହୋଇ ଯାଉଥିବା,–ଏହାହିଁ ଆମର ଅସଲ ନିୟତି-

 

୧୧.୯.୯୮

 

ସନ୍ତ୍ରାସବାଦୀମାନେ ଆଫ୍ରିକାର ଦୁଇଟି ରାଜଧାନୀରେ ଥିବା ଆମେରିକା ଦୂତାବାସରେ ବୋମା ଫୁଟାଇଲେ । ମଣିଷମାନେ ମଲେ । ଯେଉଁମାନେ ମଲେ, ସେମାନେ ଦୂତାବାସରେ କେବଳ ଚାକିରି କରୁଥିଲେ । ସେମାନେ ଆମେରିକା ପଟେ ନଥିଲେ ଏବଂ ସନ୍ତ୍ରାସବାଦୀଙ୍କ ସହିତ ସେମାନଙ୍କର କୌଣସି ଝଗଡ଼ା ନଥିଲା । ସେହି ମୃତ୍ୟୁକୁ ସ୍ମରଣ କରିବାକୁ କାଲି ଯେଉଁ ପ୍ରାର୍ଥନାନୁଷ୍ଠାନ ହୋଇଥିଲା, ସେଥିରେ ଏହି ଦେଶର ରାଷ୍ଟ୍ରପତି ଭାଷଣ ଦେବାକୁ ଆସିଥିଲେ । ଏକ ଅତ୍ୟନ୍ତ ବିଷାଦପୂର୍ଣ୍ଣ ବାତାବରଣ ଭିତରେ ସେ ନିଜର ଭାଷଣଟିକୁ ପାଠ କରୁଥିଲେ । ଦୂତାବାସ ଦୁଇଟିରେ ବୋମାମାଡ଼ ହେବାର ଅଳ୍ପଦିନ ପରେ ଆମେରିକାର ସରକାର ଉଡ଼ାଜାହାଜ ପଠାଇ ସୁଡ଼ାନ୍ ଓ ଆଫଗାନିସ୍ତାନରେ ବୋମା ବରଷାଇ ଆସିଲେ । ସେଥିରେ ମଧ୍ୟ କମ୍‌ସଂଖ୍ୟକ ମଣିଷ ମରିନାହାନ୍ତି । ଏହି ମୃତମାନଙ୍କର ସ୍ମରଣରେ ମଧ୍ୟ ବିହିତ ସ୍ଥାନମାନଙ୍କରେ ବିହିତ ଲୋକମାନେ ନିଶ୍ଚୟ ପ୍ରାର୍ଥନାନୁଷ୍ଠାନ କରିଥିବେ ଓ ତାହା ସେହିସବୁ ଦେଶର ପ୍ରଚାରମାଧ୍ୟମରେ ମଧ୍ୟ ଅବଶ୍ୟ ସାଧାରଣଙ୍କର ଗୋଚରକୁ ଅଣା ଯାଇଥିବ । ଏହି ତାମସା ଯେ ବହୁ ଜ୍ଞାନ ଓ ବହୁ ବୁଦ୍ଧିରେ ପୂର୍ଣ୍ଣ ହୋଇଥିବା ପୃଥିବୀରେ ଏବେ ମଧ୍ୟ ହେଉଛି, ସେଥିପାଇଁ ଆମେ କାହାକୁ ଧନ୍ୟବାଦ ଦେବା ? ମୁଁ ତ ଖାଲି ବିଚରା ଭଗବାନଙ୍କର କଥା ହିଁ ଭାବୁଥିଲି । ତାଙ୍କର ଭାଗ୍ୟ ଭଲ, ଆମେରିକା ସରକାର ଓ ସନ୍ତ୍ରାସବାଦୀ ଏହି ଉଭୟ ପକ୍ଷ ସେମାନଙ୍କର ମନ ବୁଝିବା ଭଳି ନିଜ ନିଜ ଭଗବାନଙ୍କ ପାଖରେ ଯାଇ ପ୍ରାର୍ଥନା କରୁଛନ୍ତି ଓ ସେତିକିରେ ସେମାନଙ୍କର ମନବୋଧ ହୋଇଯାଉଛି ।

 

ଉଭୟ ଶୋକପ୍ରକାଶର ଅନୁଷ୍ଠାନରେ ମୃତ ଉଭୟଙ୍କ ନିମିତ୍ତ ଯଦି ପ୍ରାର୍ଥନା କରା ଯାଇଥାନ୍ତା, ତେବେ ତାହା କିପରି ହୋଇଥାନ୍ତା ? ଆଫଗାନିସ୍ତାନ ଓ ସୁଡ଼ାନ୍‌ର ଯେଉଁ ନିର୍ଦ୍ଦୋଷମାନେ ମଲେ ଆମେରିକାର ସରକାର ସେମାନଙ୍କ ପ୍ରତି ସହାନୁଭୂତି ଦେଖାଇଥିଲେ ତାହା ବିଶ୍ଵକୂଟନୀତିର ଇତିହାସରେ ହୁଏତ ଏକ ନୂତନ ପରମ୍ପରା ସୃଷ୍ଟି କରିଥାନ୍ତା । ଦୋଷୀମାନେ ହତ୍ୟା କରୁଛନ୍ତି ଏବଂ କେବଳ ନିଜ ନିଜ ପକ୍ଷର ମୃତମାନଙ୍କ ନିମନ୍ତେ ହିଁ ଶୋକପ୍ରକାଶ କରୁଛନ୍ତି । ଏହାଦ୍ୱାରା ପୃଥିବୀରେ ହିଂସ୍ରତାର ବୃଦ୍ଧି ହିଁ ଘଟୁଥିବ । ଦୋଷୀମାନେ ତଥାପି ହୁଏତ କେଉଁ ଲାଜରେ ନିଜେ କରିଥିବା ଦୋଷଟାକୁ ସ୍ଵୀକାର କରି ପାରନ୍ତିନାହିଁ ବୋଲି ଅନ୍ୟ ଦୋଷୀମାନଙ୍କଦ୍ଵାରା କୃତ ଦୋଷଟାକୁ ବହୁବିଧ ପରିପାଟୀରେ ଦେଖାଇ ଦେବାକୁ ଆଉ ଇଚ୍ଛା ପ୍ରକାଶ କରନ୍ତି କି ? ଏହି କଥାଟିକୁ ମଧ୍ୟ ଭାବିବାକୁ ଆରମ୍ଭ କରିବା ମାତ୍ରକେ ଦୋଷୀମାନଙ୍କୁ ମଧ୍ୟ ଦୟା କରିବାପାଇଁ ଇଚ୍ଛା ହେଉଛି । ସେମାନେ ନିଜର ମୁହଁଗୁଡ଼ିକୁ ଲୁଚାଇ ରଖିବାଲାଗି ପ୍ରକୃତରେ କେତେ ମିହନ୍ତ ନକରୁଛନ୍ତି ଓ ତଥାପି କେଡ଼େ ଦୟନୀୟ ଭାବରେ ଧରା ପଡ଼ି ବି ନଯାଉଛନ୍ତି ! କେବଳ ସାଧାରଣ ମଣିଷମାନେ ନୁହନ୍ତି, ରାଷ୍ଟ୍ରର ଉଚ୍ଚତମମାନେ ମଧ୍ୟ ସମ୍ବନ୍ଧିତ ଅଭିନୟମାନଙ୍କରେ ହିରୋ ହେବାପାଇଁ କେଡ଼େ ନିର୍ବୋଧ ଭାବରେ ବାହାରି ପଡ଼ୁଛନ୍ତି ।

 

୧୨.୯.୯୮

 

ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ ବିଗତ ଶହେ ଦେଢ଼ଶହ ବର୍ଷ ମଧ୍ୟରେ ହୋଇଥିବା ଭେଟାଭେଟି ଏବଂ ଚିହ୍ନଚିହ୍ନିଗୁଡ଼ିକୁ ଲକ୍ଷ୍ୟ କଲେ ମୋଟାମୋଟି ଦେଖାଯିବ ଯେ, ପ୍ରାଚ୍ୟ ମୁଖ୍ୟତଃ ପାଶ୍ଚାତ୍ୟର ଅନୁକରଣ କରିଛି ସିନା, ମାତ୍ର ଅନ୍ୟପକ୍ଷରେ ପାଶ୍ଚାତ୍ୟ ପ୍ରାଚ୍ୟକୁ ଅଧିକତର କ୍ଷେତ୍ରରେ ବୁଝିବାକୁ ହିଁ ଚେଷ୍ଟା କରିଛି । ପ୍ରାଚ୍ୟ ପାଶ୍ଚାତ୍ୟର ଗଭୀର ମର୍ମସ୍ଵଭାବଟିକୁ ହୁଏତ ଅତ୍ୟନ୍ତ କମ୍ ବୁଝିଛି, ମାତ୍ର ବାହ୍ୟ ଗଢ଼ଣ ଏବଂ ଆଚରଣରେ ଯେତେ ଫରକ ଦେଖା ଯାଉଥିଲେ ମଧ୍ୟ ପାଶ୍ଚାତ୍ୟ ହିଁ ଅଧିକାଂଶ କ୍ଷେତ୍ରରେ ପ୍ରାଚ୍ୟର ମର୍ମପ୍ରବେଶ କରିବାରେ ଆଗ୍ରହ ପ୍ରକାଶ କରିଛି ।

 

ହଁ, ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ ଯେତେବେଳେ ପ୍ରଥମ ପରିଚୟଗୁଡ଼ିକ ଘଟିଥିଲା, ସେତେବେଳେ ପ୍ରାଚ୍ୟ ପାଖରେ ପାଶ୍ଚାତ୍ୟ ମୂଳତଃ ଶାସକ ହିସାବରେ ହିଁ ଆବିର୍ଭୂତ ହୋଇଥିଲା । ଶାସକ ହିଁ ଶାସିତମାନଙ୍କ ଉପରେ ନିଜର ଛାଞ୍ଚଗୁଡ଼ିକୁ ନେଇ ଲଦି ଦେଉଥିଲା । ଏବଂ, ମୁଖ୍ୟତଃ ସେହି ଛାଞ୍ଚଗୁଡ଼ିକର ମାଧ୍ୟମରେ ପ୍ରାଚ୍ୟଜଗତ ତଥାକଥିତ ଆଧୁନିକ ଧାରାଗୁଡ଼ିକ ମଧ୍ୟରେ ପ୍ରବେଶ କରିଥିଲା । ପ୍ରାଚ୍ୟର ଯେଉଁମାନେ ସର୍ବପ୍ରଥମେ ଶିକ୍ଷିତ ହେଲେ, ସେମାନେ ପାଶ୍ଚାତ୍ୟର ଗଢ଼ଣଗୁଡ଼ିକୁ ହିଁ ଠିକ୍ ବୋଲି ଭାବିବାଲାଗି ପାଠ ପଢ଼ିଥିଲେ । ଏକ ଆଧୁନିକ ଅନ୍ୟ ଜୀବନଧାରା ନିମନ୍ତେ ପ୍ରାଚ୍ୟକୁ ସେତେବେଳେ ଯେଉଁ ପ୍ରେରଣା ମିଳିଥିଲା, ତାହା ମୁଖ୍ୟତଃ ପାଶ୍ଚାତ୍ୟର ଢଙ୍ଗରେ ହିଁ ମିଳିଥିଲା । ସମ୍ଭବତଃ ସେହି ଧାରାର ପ୍ରଭାବସ୍ପର୍ଶ ଫଳରେ ଏଠି ଭାରତବର୍ଷରେ ଭାରତୀୟ ସମାଜର ଅବଲୋକନ ନିମନ୍ତେ ସତେଅବା ନୂଆ ପ୍ରକାରର ପ୍ରତିନିଧିସ୍ଥାନୀୟ ବ୍ୟକ୍ତିତ୍ୱମାନେ ବାହାରିଲେ । ସେହିମାନେ ଭାରତବର୍ଷର ପୁନରାବିଷ୍କାର କଲେ ଏବଂ ଗୋଟିଏ ଭବିଷ୍ୟଚିତ୍ର ବାଢ଼ିଦେଇ ଭାରତୀୟମାନଙ୍କୁ ନୂତନ ଉଦବୋଧନମାନ ଦେଇଥିଲେ । ଏହି ଦେଶର ସ୍ଵାଧୀନତା-ସଂଗ୍ରାମକୁ ଆମେ ଏକାଧିକ ଦୃଷ୍ଟିରୁ ସେହି ଉଦବୋଧନର ହିଁ ପରିଣାମରୂପେ ଗ୍ରହଣ କରି ପାରିବା-। ସ୍ଵାଧୀନତା ଆସିଲା । ମାତ୍ର ତା’ପରେ କେଉଁଠି କ’ଣ ଗୋଳମାଳ ହୋଇଗଲା କି କ’ଣ, ଗତ ପଚାଶବର୍ଷ କାଳ ଏଠାରେ ପ୍ରାଚ୍ୟ ପାଶ୍ଚାତ୍ୟର କେବଳ ଗୌଣଗୁଡ଼ାକୁ ହିଁ ଦେଖିଲା, ସେଇଥିରେ ମଜିଗଲା । ଆପଣା ନିମନ୍ତେ ନିଜସ୍ଵ ଭାବରେ କିଛି ଗଢ଼ିବା ମଧ୍ୟ ଯେ ପରିପକ୍ଵତାର ଏକ ନିଦର୍ଶନ ହୋଇଥାଏ, ସେକଥା ଏକାବେଳେକେ ପାସୋରି ପକାଇଲା । ବହୁ କାରଣରୁ ଭାରତରେ ତା’ ନିଜ ଧାରାରେ ପ୍ରାୟ କିଛିହେଲେ ଗଢ଼ା ହୋଇ ପାରିଲାନାହିଁ । ଭାରତବର୍ଷ ଏଣିକି ତା’ ନିଜ ଘରକୁ ଫେରି ଆସିବ ଓ ଏକ ନୂତନ ନିର୍ମାଣ ତଥା ନବବିଧାନ ନିମନ୍ତେ ଅନୁରୂପ ଖୁଣ୍ଟଗୁଡ଼ିକୁ ପକାଇବ ବୋଲି ଅପେକ୍ଷା କରାଯାଇଥିବା ସମୟରେ ସିଏ ଏପରି ଅରକ୍ଷିତ ଭାବରେ ପରପିଣ୍ଡାଗୁଡ଼ିକୁ ଆବୋରି ରହିଲା ଓ ନିଜର ବୋଲି ମଜବୁତ କରି ପ୍ରାୟ କିଛି ଗଢ଼ି ପାରିଲାନାହିଁ କାହିଁକି କେଜାଣି ? ଏଇଠି ଏବେ ମଧ୍ୟ ଭାରତବର୍ଷ ସମ୍ମୁଖରେ ଏକ ବଡ଼ ଆହ୍ଵାନ ହୋଇ ରହିଛି । ହୁଏତ ସେହିପରି ଏକ ପ୍ରତ୍ୟାଶାରେ ସମଗ୍ର ପୃଥିବୀ ଭାରତ ଆଡ଼କୁ ଅନାଇ ରହିଛି ।

 

୧୩.୯.୯୮

 

ଭାରତୀୟ ସମାଜରେ କାଳକାଳରୁ କେତେ ଅତିବିଶ୍ଵାସ ଓ ଅନ୍ଧବିଶ୍ଵାସ ରହିଥିଲା, ଇଉରୋପୀୟମାନେ ସେଇଥିରୁ ଗୋଟିଏହେଲେ ଗ୍ରହଣ କଲେନାହିଁ । ସେମାନେ ସେଗୁଡ଼ିକ ବିଷୟରେ ଆଲୋଚନା କଲେ, ଗବେଷଣା କଲେ ଏବଂ ଯଥାସମ୍ଭବ ଅଧିକ ସହାନୁଭୂତି ସହିତ ସେଗୁଡ଼ିକୁ ବୁଝିବାକୁ ଚେଷ୍ଟା କଲେ ସିନା, କିନ୍ତୁ ସେଗୁଡ଼ିକୁ ମୋଟେ ଗ୍ରହଣ କରିନଥିଲେ । ଅଥଚ, ଭାରତୀୟମାନେ, ଅଧିକାଂଶ ଭାରତୀୟ ଇଉରୋପୀୟ ଜୀବନଧାରାର ବାହାର ଫର୍ଦ୍ଦଗୁଡ଼ାକରେ ଏଭଳି ମୋହିତ ହୋଇଗଲେ ଯେ, ସେଗୁଡ଼ିକୁ ଅତ୍ୟନ୍ତ ଆସକ୍ତ ଭାବରେ ଅନୁକରଣ କଲେ ଏବଂ ଖୁବ୍ କ୍ଵଚିତ୍ ବ୍ୟକ୍ତି ଇଉରୋପୀୟ ଜୀବନଦୃଷ୍ଟି ତଥା ସମୂହଭାବନାର ଯଥାର୍ଥ ପ୍ରାଣସନ୍ଦେଶଗୁଡ଼ିକୁ ସ୍ପର୍ଶ କରି ପାରିଲେ । ଏଠୁ ଇଉରୋପର ଶାସନ ହଟିଗଲା ପରେ ଭାରତ ସହିତ ଏତେ ଏତେ ବର୍ଷ ସଂଶ୍ଳିଷ୍ଟ ହୋଇ ରହିଥିବାର କାରଣରୁ ପ୍ରାୟ କୌଣସି hangover ଇଉରୋପକୁ ଏବେ ପୀଡ଼ିତ କରୁନାହିଁ; ଅଥଚ ଭାରତବର୍ଷର ହାଉଆଗୁଡ଼ାକ ଏବେ ମଧ୍ୟ ଇଉରୋପୀୟତାର ସେହି ବାହ୍ୟ ଚର୍ମପରସ୍ତଦ୍ଵାରା ଭାରି ପ୍ରପୀଡ଼ିତ ହୋଇ ରହିଛି । ଭାରତରେ ଥୋକେ ତାହାରି ସାହାଯ୍ୟରେ ଏଠାରେ ନିଜକୁ ଅଧିକ ଆଗୁଆ ବୋଲି ସାବ୍ୟସ୍ତ କରିବାର ଫନ୍ଦାରେ ଅନୁକ୍ଷଣ ଲାଗି ରହିଛନ୍ତି । ଆପଣାକୁ ଇଉରୋପୀୟତାର ଗୋଲାମ ବୋଲି ପରିଚୟ ଦେଇ ସେମାନେ ସତେଅବା ଭାରତବର୍ଷରେ ଅନ୍ୟମାନଙ୍କୁ ଅବର ବୋଲି ଅନୁଭବ କରୁଛନ୍ତି ଏବଂ ଏକ ବର୍ଗ ହିସାବରେ ନିଜକୁ more equal than others ବୋଲି ପରିଚୟ ଦେବାରେ ଲାଗିଛନ୍ତି ।

 

ଏପରି କାହିଁକି ହେଉଛି ? କାହାର ସଂସ୍କୃତିଟା ତା’ ଜୀବନକୁ ଅଧିକ ଗଭୀର ଭାବରେ ଭେଦ କରି ପାରିଛି, ଏଥିରୁ ତାହାର କିଞ୍ଚିତ୍ ଆଭାସ ବି ମିଳିପାରିବ କି ? ଭାରତବର୍ଷରେ ଗୋଟିଏ ପାଖରେ ସନାତନୀମାନେ ରହିଛନ୍ତି, ଯେଉଁମାନେ କି ନିଜର ଭାବବୁଦ୍ଧିଗତ ସଂକୀର୍ଣ୍ଣ ଗୁମ୍ଫାଟି ଭିତରୁ ଏବେ ମଧ୍ୟ ବାହାରି ପାରିନାହାନ୍ତି । ଏବଂ, ଗ୍ରହଣଶୀଳତା ଯେ ଯେକୌଣସି ସୁସ୍ଥ ସଂସ୍କୃତିର ଏକ ବିବେକ ସଦୃଶ, ସେମାନେ ସେଇଟି ବିଷୟରେ ଆଜି ବି ଅନବରତ ଓ ବଧିରପ୍ରାୟ ହୋଇ ରହିଛନ୍ତି । ଏବଂ, ଅପର ପାଖରେ, ଯେଉଁମାନଙ୍କ ଉପରେ ଆଧୁନିକ ଶିକ୍ଷାର ଏତେଟିକିଏ ବି ପାଣି ହୁଏତ ପଡ଼ି ପାରୁଛି, ସେମାନେ ଭଳି ଭଳି ଭେକ ପିନ୍ଧି ସତେଅବା ଆଉକାହାର କଣ୍ଢେଇ ହୋଇ ନାଚୁଛନ୍ତି,–ନିଜର ଦେଶଠାରୁ ଯଥାସମ୍ଭବ ଅଧିକ ବିଚ୍ଛିନ୍ନ ହୋଇ ରହିବାକୁ ହିଁ ଏକ ଆଧୁନିକ ମାର୍ଗ ବୋଲି ବୁଝୁଛନ୍ତି । ଭାରତବର୍ଷରେ ଅଧିକସଂଖ୍ୟକ ମଣିଷ ଏହି ଦୁଇଟିଯାକ ଶିବିରରୁ ବାହାରେ ରହିଛନ୍ତି, ହୁଏତ କେବଳ ତାହାକୁ ହିଁ ଏକ ଆଶାର ସୂଚନା ବୋଲି କୁହାଯାଇ ପାରିବ । ଆମେ ପ୍ରତ୍ୟେକେ ଏଗୁଡ଼ିକ ମଧ୍ୟରୁ କେଉଁ ଶିବିରରେ ରହିଛୁ କେଜାଣି ?

 

୧୪.୯.୯୮

 

ଏଣେ ଏହି କେତେମାସରେ ପ୍ରବାସ କ୍ରମେ ସତେଅବା ଏକ ପ୍ରତ୍ୟାହାରପର୍ବପରି ଲାଗୁଛି । ଏଠାରେ ଯେତେବେଳେ ଯାହାକିଛି ଦେଖୁଛି, ପଢ଼ୁଛି ଅଥବା ଅନୁଭବ କରୁଛି, ସବୁବେଳେ ତତ୍‌କ୍ଷଣାତ୍ ମନେହେଉଛି ଯେ, ମୋ’ର ଅସଲ କ୍ଷେତ୍ରଟି ସେହି ଭାରତବର୍ଷରେ । ସେଠାରେ ଯାହାକିଛି ସମସ୍ୟା, ସେଠାରେ ଯାହାକିଛି ସମ୍ଭାବନା ଏବଂ ଯାହାକିଛି ଚ୍ୟାଲେଞ୍ଜ, ମୁଁ ହେଉଛି ସେଗୁଡ଼ିକର ଗୋଟିଏ ଅଂଶ । ତେଣୁ, ଯାବତୀୟ ଅର୍ଥରେ ମୁଁ ସେହିଠାରେ ହିଁ ଅଙ୍ଗୀକାରବଦ୍ଧ । ସେହି ହେଉଛି ଭୂମି, ମୋ’ ଗୋଡ଼ତଳର ଟାଣ ମାଟି, ଯେଉଁଠାରେ ଛିଡ଼ା ହୋଇ ମୁଁ ସମସ୍ତ ପୃଥିବୀ ଭିତରକୁ ପ୍ରସାରିତ ହୋଇଯିବାର ଅଭୟ ଲାଭ କରିଛି । ସେହି ମାଟିପୁଳାକକୁ ମୁଁ ସବୁଠାରୁ ଭଲ କରି ବୁଝିଛି ଓ ସେହି ମାଟିପୁଳାକ ମଧ୍ୟ ମୋତେ ଭଲ କରି ବୁଝିଛି । ମୋ’ ଚେତନର ତଳେ ରହି ଯେଉଁ ଅଚେତନ ମୋତେ ନିରନ୍ତର ପରିଚାଳିତ କରୁଛି, ମୋ’ ବାଟଗୁଡ଼ିକୁ ମୋତେ ଚିହ୍ନାଇ ଦେଉଛି ଏବଂ ମୋ’ ଜୀବନକୁ ଏକ ଅର୍ଥ ଦେଇପାରୁଛି, ସେହି ଅଚେତନକୁ ମଧ୍ୟ ଏକାଧିକ ସମୀଚୀନତା ସହିତ ଭାରତବର୍ଷ ବୋଲି କୁହାଯାଇ ପାରିବ । ଏକଦା ସେହି ଭୂମିରେ ପରାଧୀନତାରୁ ମୁକ୍ତି ପାଇବା ନିମନ୍ତେ ଯେଉଁ ସଂଗ୍ରାମ ଲଢ଼ା ଯାଇଥିଲା, ସେଥିରେ ମୁଁ ମଧ୍ୟ ମୋ’ର ସେତେବେଳର ବିବେକ ଓ ଅକଲ ଅନୁସାରେ ଏକ ଅଂଶଗ୍ରହଣ କରିଥିଲି । ସେହି ସଂଗ୍ରାମର ପରିଧିଟି ଆପଣାର ପ୍ରସ୍ଥଗୁଡ଼ିକରେ ବଢ଼ି ବଢ଼ି ଯାଉଛି । ଏବଂ, ସେହି ପ୍ରସ୍ଥଗୁଡ଼ିକର ବ୍ୟାସ ସମଗ୍ର ପୃଥିବୀ ମଧ୍ୟକୁ ଭେଦ କରି ରହିଛି । ସମଗ୍ର ପୃଥିବୀକୁ ଯେଉଁସବୁ ସମସ୍ୟା ଓ ସମ୍ଭାବନା ଆବୋରି ରହଛି, ମୁଁ ଭାରତବର୍ଷରୁ ହିଁ ସେଗୁଡ଼ିକୁ ସାମନା କରିବି,–ତାହାହିଁ ସ୍ଵାଭାବିକ । ଅତ୍ୟନ୍ତ ସ୍ଵାଭାବିକ । ତାହାହିଁ ସାଧୁତା ।

 

ପ୍ରତ୍ୟାହାର ସବୁ କ୍ଷେତ୍ରରେ ଏକ ପ୍ରତ୍ୟାବର୍ତ୍ତନ ପାଇଁ । ତେଣୁ, ମୁଁ ମଧ୍ୟ ଫେରିଯିବି । ପ୍ରତ୍ୟାହାରର ମୋଟେ ଅର୍ଥ ନୁହେଁ ଯେ, ମଣିଷ ସମ୍ପୂର୍ଣ୍ଣ ନିଷ୍କ୍ରିୟ ଭାବରେ ପଡ଼ି ରହିବ । ପ୍ରତ୍ୟାହାରପର୍ବକୁ ଇଚ୍ଛା କଲେ ଏକ ସଂଗ୍ରହର ପର୍ବରୂପେ ମଧ୍ୟ ବ୍ୟବହାର କରାଯାଇ ପାରିବ । ସଂଗ୍ରହ ବଢ଼ିଲେ ଯେ ମନୁଷ୍ୟର ଆଖିଗୁଡ଼ିକ ଯେ ଅଲଗା ପ୍ରକାରର ହୋଇଯାଏ, ସେକଥା ମୁଁ ନିଜ ଜୀବନରୁ ଜାଣିଛି । ଏବଂ, ଏକଥା ମଧ୍ୟ ସତ ନୁହେଁ ଯେ, ମୁଁ ଯେମିତି ବା ଯେପରି ହୋଇ ପ୍ରବାସକୁ ବାହାରିଥିଲି, ଠିକ୍ ସେତିକି ବା ସେହିପରି ହୋଇ ଏହି ପ୍ରବାସରୁ ଫେରିଯିବି । ଏଠି ଗତ ସପ୍ତାହଗୁଡ଼ିକରେ ମୁଁ ପ୍ରଧାନତଃ ନୀରବ ହିଁ ରହିଛି । ନୀରବରେ ଜାଗାରୁ ଜାଗା ଯାଇଛି, ନୀରବରେ ଶୁଣିଛି, ନୀରବ ହୋଇ ଦେଖିଛି, ନୀରବରେ ହିଁ ମୋ’ ନିଜର ଭଣ୍ଡାରଟିକୁ ବଢ଼ାଇଛି । ଏବଂ, ଭିତରେ ଅନବରତ ଏକ ମନ୍ଥନ ଲାଗିରହିଛି । ତେଣୁ, ପୁନର୍ବାର ଫେରିବା ବେଳକୁ ମୋ’ର ଆଖିଗୁଡ଼ିକ କେତେ କେତେ ନୂଆ ପ୍ରକାରେ ଗ୍ରହଣକ୍ଷମ ହୋଇ ଫେରିବେ । ନିଜକୁ ମଧ୍ୟ ମୁଁ କେତେ କେତେ ନୂଆ ପ୍ରକାରେ ନିବେଦନକ୍ଷମ କରି ପାରିଥିବି । ମୋ’ ନିଜ ଘରଟି ତେଣୁ ଏହି ପ୍ରବାସଟି ପାଖରେ ବହୁପ୍ରକାରେ କୃତଜ୍ଞ ହୋଇ ରହିବ ।

 

୧୫.୯.୯୮

 

Sleep is healing, dream is also,–ରାତିରେ ଯେଉଁ ସମଗ୍ର “ମୁଁ”ଟି ସ୍ନାନଲାଗି ନିଜ ଭିତରକୁ ଯାଇଥାଏ, ସମ୍ଭବତଃ ସେଇ ରାତିଯାକ ସ୍ଵପ୍ନ ହୋଇ ଉଦ୍ଦିଷ୍ଟ ସରୋବରଟିରେ ପହଁରିବାରେ ଲାଗିଥାଏ । ଯେତିକି ପହଁରୁଥାଏ, ସେତିକି ହାଲୁକା ହୋଇ ଯାଉଥାଏ,–ସେତିକି ସିଧା ଓ ସହଜ ହୋଇଯାଏ । ସେହି କାରଣରୁ ହିଁ ସକାଳେ ନିଦ ଭାଙ୍ଗିବା ମାତ୍ରକେ ସତେଅବା ସ୍ନାନ ସାରି ନୂଆ ଦିନଟିର ମନ୍ଦିର ଭିତରକୁ ବରଣ ହୋଇ ଆସୁଥିବାପରି ମନେ ହେଉଥାଏ । ଦିନମାନର ଖେଳରେ ଏଠି ସେଠି ନାନାବିଧ କାରଣରୁ ଖଣ୍ଡିଆ ହେବା ଆଦୌ ଏକ ଅସ୍ଵାଭାବିକ ଘଟଣା ନୁହେଁ । ହୁଏତ ସେହି ଅନୁସାରେ ହିଁ, ନିଜ ଭିତରେ କେଉଁ ଜନନୀ ଆବଶ୍ୟକ ଉପଚାରଗୁଡ଼ିକୁ ଯୋଗାଡ଼ କରି ସଜହୋଇ ରହିଥାଏ । ମୁଁ ଶୋଇବା ମାତ୍ରକେ ସେହି ଉପଚାରଗୁଡ଼ିକ ଆରମ୍ଭ ହୋଇଯାଏ, ଯାହାଫଳରେ କି ସକାଳୁ ପୁନର୍ବାର ନିଖୁଣ ହୋଇ ଜଗତ ମଧ୍ୟକୁ ପ୍ରବେଶ କରିହୁଏ । ଏମିତି ଏକ ପ୍ରକ୍ରିୟାଦ୍ଵାରା କ୍ରୀଡ଼ନକ ଓ କ୍ରୀଡ଼ାଶୀଳ ଜନନୀ ମଧ୍ୟରେ ସତେଅବା କୌଣସି ପ୍ରଭେଦ ରହେନାହିଁ । ଜନନୀର ସ୍ନେହ, ତାହାହିଁ ଜନନୀର କରୁଣା । ସେହି କରୁଣା ଆକଟ ବି କରିପାରେ । ରାତିରେ ଦିଶୁଥିବା ସ୍ଵପ୍ନଗୁଡ଼ିକ ବହୁତ ଅର୍ଥରେ ସେହି ଆକଟପରି କାମ କରେ । ଖାଲି ସଜାଡ଼ି ଦିଏନାହିଁ, ଜନନୀ ସହିତ ଲାଗିଥିବା ନାଡ଼ଗୁଡ଼ିକୁ ତାହା ଅଧିକ ନିବିଡ଼ କରେ । ସେହି ନିବିଡ଼ତାର ଅନ୍ୟ ନାମ ହେଉଛି ବିଶ୍ଵାସ ।

 

ସେଇ ମାଟି, ସେଇ ଚକ, କୁମ୍ଭାର ମଧ୍ୟ ସେଇ । କାରିଗର ସେଇ, କାରିଗରୀ ମଧ୍ୟ କାରିଗରଠାରୁ ମୋଟେ ଅଲଗା ନୁହେଁ । ଭାଗ୍ୟବାନ୍ ଧାତୁପିଣ୍ଡଟି ମଧ୍ୟ କାହିଁକି ଅମଙ୍ଗ ହେବାକୁ ଇଚ୍ଛା କରିବ ? ଡେଣାଟାଏ ଅଛି ବୋଲି ଯେତେବେଳେ ମୁଁ ପ୍ରମତ୍ତ ହୋଇ ଭୂଇଁ ଛାଡ଼ି ମୋ’ ବାସନାର ମିଛଆକାଶଗୁଡ଼ାକୁ ଉଡ଼ିଯିବାକୁ ମନ କରେ, ସେତେବେଳେ ସେଇ ଜନନୀ ହିଁ ତ ମୋତେ ପୁଣି ଭୂଇଁଉପରକୁ ଫେରାଇ ଆଣନ୍ତି ! ପୁନଶ୍ଚ, ଯେତେବେଳେ ସତେଅବା କେଉଁ ଜଡ଼ତାର ଆକର୍ଷଣରେ ଏଇଠି ଏତିକି ଭିତରେ ବାନ୍ଧିହୋଇ ରହିଯିବାର ଫନ୍ଦିରେ ମୁଁ ପଡ଼ିଯାଏ, ସେତେବେଳେ ସେଇ ଜନନୀ ହିଁ ଏଠି ମୋ’ ମୋହର ଖୁଣ୍ଟଗୁଡ଼ାକୁ ନିଜ ହାତରେ ଉପାଡ଼ି ଦିଅନ୍ତି ଏବଂ ମୋତେ ଆକାଶମୁହାଁ କରି ତଡ଼ିଦିଅନ୍ତି । ମୁଁ ସିନା କେତେ କେତେ ଛଦ୍ରମକୁ ବିବେକ ବୋଲି ବାହାନା କରି ତାଙ୍କଠାରୁ ଦଣ୍ଡେ ଖସିଯାଇ ନିଜର କରାମତିଗୁଡ଼ାକୁ ଦେଖାଇ ଆସିବି ବୋଲି ଅଧୀର ହେଉଥାଏ,–ଜନନୀ ସେଗୁଡ଼ାକ ମଧ୍ୟ ଦେଖୁଥାନ୍ତି, ସମ୍ଭବତଃ ଉପଭୋଗ କରୁଥାନ୍ତି । ତଥାପି ମୋ’ଠାରେ ବିଶ୍ଵାସ ରଖିଥାନ୍ତି ଏବଂ ଧାତ୍ରୀପରି ଠିଆ ହୋଇ ରହିଥାନ୍ତି । ପୃଥିବୀରେ ଏପରି କୋଉ କ୍ଷତ ରହିଛି, ଯାହାକି ବିଶ୍ୱଧାତ୍ରୀଙ୍କର ଉପଚାରଗୁଡ଼ିକଦ୍ଵାରା ଭଲ ହୋଇ ନପାରିବ-? ମୋ’ର ସ୍ଵପ୍ନ ଦେଖୁଥିବା ସମୟରେ ତାଙ୍କର ସେହି ଉପଚାରଗୁଡ଼ିକ ହିଁ କାର୍ଯ୍ୟ କରୁଥାଏ ଏବଂ ମୁଁ ସୁନାପିଲାଟିପରି ପଡ଼ି ରହିଥାଏ । ହୁଏତ, “ଏଠି” “ଏଠି” ବୋଲି କହି କ୍ଷତସ୍ଥାନଗୁଡ଼ିକ ଦେଖାଇ ଦେଉଥାଏ । ଅସଲ ଭିତରଟା ରାଜି ହୋଇ ସାରିଛି ଯେତେବେଳେ, ମୁଁ ସେତେବେଳେ ମୋ’ର ଏହି ସ୍ଵପ୍ନଗୁଡ଼ାକରେ କାହିଁକି ବା ଅସହଯୋଗ କରିବି ?

 

୧୬.୯.୯୮

 

ଖୁସି, ପୂରା ଖୁସି ଅନୁଭବ କରିବା ସମୟରେ ସମ୍ଭବତଃ ମଣିଷ ନିଜପାଇଁ ଅମରତ୍ଵର କଳ୍ପନା କରିଥିଲା । ଖୁସି ରହିବେ ବୋଲି ମଣିଷମାନେ କେତେ କେତେ ବାଟ ବା ସାଧନର ଫର୍ଦ୍ଦ ତିଆରି କରି ଦେଇଛନ୍ତି । ଅମୁକ କଲେ ବା ଅମୁକ ମନାସ କରିପାରିଲେ ମଣିଷ ଖୁସି ହୋଇ ରହିପାରିବ ବୋଲି ବିଦ୍ୟାବନ୍ତ ବଡ଼ମାନେ କେତେ ପରାମର୍ଶ ଦେଇଛନ୍ତି । ଏବେ ମଧ୍ୟ ଦେଉଛନ୍ତି । ମାତ୍ର, ଅସଲ ଖୁସି କ’ଣ କୌଣସି କାରଣରୁ ଆସେ ? ଯେଉଁମାନେ କାରଣସ୍ତରରୁ ରୀତିମତ ପ୍ରୟାସଗୁଡ଼ିକୁ ଆରମ୍ଭ କରନ୍ତି, ସେମାନେ ହୁଏତ ପ୍ରକୃତରେ ଖୁସି ହୋଇ ପାରନ୍ତିନାହିଁ । ହଁ, କାରଣଟାଏ ପାଇଲେ ବୋଲି ନିତାନ୍ତ ସାମୟିକ ଭାବରେ କିଛି ହୃଷ୍ଟ ଅନୁଭବ କରିଥାନ୍ତି । ଡାକ୍ତରଙ୍କଠାରୁ ଔଷଧ-ଉପଚାରର ଫର୍ଦ୍ଦଟାକୁ ଆଣିବା ସମୟରେ ରୋଗୀଟିଏ ମଧ୍ୟ ହୁଏତ ଏହିପରି ଏକ ଖୁସି ଅନୁଭବ କରୁଥିବ ଏବଂ ହୃଷ୍ଟ ବି ହେଉଥିବ । ମାତ୍ର ସିଏ କ୍ଷଣକର ଖୁସି । ଏହି କ୍ଷଣକ୍ଷଣକର ଖୁସି ପାଇଁ ବହୁ ଉପଚାର କରି କରି ଏବଂ ନିରାଶ ହୋଇ ମଣିଷ ଏକଦା ହୁଏତ ଦୁଃଖଟାକୁ ହିଁ ଏହି ପୃଥିବୀସ୍ଥ ଜୀବନର ସର୍ବାଧିକ ଔଚିତ୍ୟ ସହିତ ସବାମୂଳ ପରିଚୟ ବୋଲି କହିବାପାଇଁ ଶିକ୍ଷା କରିଥିବ । ଏବଂ ତା’ପରେ କେଡ଼େ ଆଶାୟୀ ହୋଇ ଦୁଃଖର ନିରାକରଣକୁ ସିଏ ସୁଖ ବୋଲି ଜାଣିବାକୁ ଆପଣାକୁ ପ୍ରାୟ ଗରଜରେ ପଡ଼ି କ୍ରମେ ପ୍ରଶିକ୍ଷିତ କରାଇ ଆଣିଥିବ । ଏପରି କହି ପୃଥିବୀରେ ବେଳେବେଳେ ନୂତନ ଧର୍ମଗୁଡ଼ିକର ବି ପ୍ରଚାର ହୋଇ ଯାଇଥିଲା ଏବଂ ରାଜାମାନେ ମଧ୍ୟ ସେହି ଧର୍ମରେ ପୂରା ଉଦ୍‌ବୁଦ୍ଧ ହୋଇ ପଡ଼ିଥିଲାପରି ଆଚରଣ ମଧ୍ୟ କରିଥିଲେ । ମାତ୍ର, ଖୁସିଟା ସତେଅବା ସବୁଦିନପରି ମହର୍ଗ ହୋଇ ରହିଗଲା । ଆଧୁନିକ ସାହିତ୍ୟର କବିମାନେ ପ୍ରାୟ ଏହି ଦୁଃଖକଥାଟାକୁ ଘୋଷଣା କରି କ’ଣ ପାଇଁ କେତେ ଖୁସି ହୋଇ ଯାଉଥିବାପରି ଆଚରଣ କରନ୍ତି କେଜାଣି ?

 

ଅନୁକ୍ଷଣ ଖୁସି ରହିବାର ଏହି ଅନ୍ୟ କଳାଟି, ଏହାହିଁ ଅମରତ୍ଵର ଅନୁଭୂତି । ଆମ ଅନ୍ଦାଜରେ ସୃଜନାତ୍ମକତା କହିଲେ ଯାହାକିଛି ବୁଝାଏ, ତାହା କ’ଣ ପ୍ରକୃତରେ ସେହି ଅକାରଣ ଖୁସିରୁ ଜନ୍ମଲାଭ କରିଥାଏ କି ? ଭିତରେ ସବୁକିଛି ସଂଯୋଜିତ ଓ ସଂଯୁକ୍ତ ହୋଇ ରହିଥାଏ ଓ ତେଣୁ, ବାହାରେ ବି ସବୁ ସଂଯୁକ୍ତ ହୋଇ ରହିଥିବାର ଅନୁଭବ ହୁଏ । ଅର୍ଥାତ୍, ବାହାର ଏବଂ ଭିତର ସବୁ ଗୋଟାସୁଦ୍ଧା ନିଜର ଘର ବୋଲି ଲାଗୁଥାଏ । ଅଥବା, ବାହାରେ ସବୁକିଛି ଏପରି ଗୋଟାସୁଦ୍ଧା ଛନ୍ଦାଛନ୍ଦି ହୋଇ ରହିଥିବାର ଉପଲବ୍ଧି ହୁଏ, ଯଦ୍ଦ୍ଵାରା ଭିତରଟାକୁ ମଧ୍ୟ ପରିପୂର୍ଣ୍ଣ ଗୋଟାଏ ଭଳି ଛୁଇଁ ହୁଏ । ଆଖି, କାନ ଅନ୍ୟ ଇନ୍ଦ୍ରିୟମାନେ ଚମଦ୍ଵାରା ବେଢ଼ା ହୋଇ ରହିଥିଲେ ମଧ୍ୟ ସତେଅବା ଏକ ସମ୍ପୂର୍ଣ୍ଣ ଘରର ଗବାକ୍ଷ ଭଳି ପ୍ରତ୍ୟକ୍ଷ ହୁଅନ୍ତି । କେତେ କେତେ ବାରତା ଆଣି ବାହାରୁ ଭିତରେ ପହଞ୍ଚାଇ ଦିଅନ୍ତି ଓ କେତେ କ’ଣ ବାରତାକୁ ଭିତରୁ ବାହାରକୁ ବାହି ନିଅନ୍ତି । କୋଉ ରାଜାର ପୃଥିବୀରେ ନିଜକୁ ବି ରାଜାଟିଏପରି ଲାଗୁଥାଏ । ସବୁ କ୍ଷଣିକତା ଏବଂ କ୍ଷଣଭଙ୍ଗୁରତାକୁ ଜୟ କରି ହୋଇଯାଏ । କ୍ଷଣଟା ହିଁ ଅନୁକ୍ଷଣରେ ପରିଣତ ହୋଇଯାଏ ଏବଂ ସଦାସୁଖର କାରଣ ହୁଏ ।

 

୧୭.୯.୯୮

 

ଦିନଯାକର ନାନାକୋପଯୁକ୍ତ ଏକ ଜୀବନ ଭିତରେ ଝଟାପଟା ହୋଇ ଆମେ ଯେତେବେଳେ ଶୋଇବାକୁ ଯାଉ, ସେତେବେଳେ ସେଠି ଠିକ୍ ଜଣେ ଜନନୀ ତା’ ସନ୍ତାନଲାଗି ଅପେକ୍ଷା କରି ବସିଥିଲାପରି ଯିଏ ଆମକୁ ଚାହିଁ ବସିଥାଏ, ତା’ ବିଷୟରେ ଅର୍ଥାତ୍ ସିଏ ସେଠି ବସିଛି ବୋଲି ଆମର ହୁଏତ ଆଦୌ କୌଣସି ହୋସ୍ ନଥାଏ । ତଥାପି ଆମେ ସ୍ଵପ୍ନ ଦେଖୁ,–ନିଜଭିତରେ କେତେପ୍ରକାରେ ଝଟାପଟା ହେଉଥାଉ ଏବଂ ପରଦିନ ସକାଳେ ସତେଅବା କୌଣସି ଯୁଦ୍ଧରେ କେତେ କ୍ଷତବିକ୍ଷତ ହୋଇ ଆମକୁ ଉଠିବାକୁ ପଡ଼ିଥାଏ । ଠିକ୍ ସେହି ଝଟାପଟାଗୁଡ଼ାକ ବିଷୟରେ ହିଁ ମନକୁ ନିଠ କରି ଲେଖା ଯାଇଥିବା ବିଜ୍ଞାନମାନେ ବହୁତ ଗବେଷଣା କରିଛନ୍ତି, ତଥ୍ୟରୁ ସତ୍ୟମାନଙ୍କୁ ଚିପୁଡ଼ି ବାହାର କରିଛନ୍ତି ଏବଂ ଶାସ୍ତ୍ରମାନ ଲେଖିଛନ୍ତି । ଅତ୍ୟନ୍ତ ସ୍ପଷ୍ଟ କଥା ଯେ, ସେମାନେ ଆମଲାଗି ଆମଭିତରେ ଅପେକ୍ଷା କରି ବସିଥିବା ଜନନୀଟି ବିଷୟରେ କୌଣସି ଟେର୍ ପାଇନାହାନ୍ତି । ପାଇବାକୁ ମନ ବି କରିନାହାନ୍ତି । ମନ କରିଥିଲେ ସେମାନଙ୍କର ବିଜ୍ଞାନ ଏକାବେଳକେ ଅନ୍ୟ କିସମର ହୋଇଥାନ୍ତା । ସେମାନେ ମନୋବିଜ୍ଞାନ ବୋଲି ଆମର ସ୍ଵପ୍ନଗୁଡ଼ିକ ବିଷୟରେ ଯାହାକିଛି ବାଢ଼ି ଦେଇଛନ୍ତି, ତାହା ହେଉଛି ଆମର ନିଜ କ୍ଷତ ଏବଂ ବିକାରଗୁଡ଼ାକର କଥା । ଏବଂ ସେଥିରେ କୌଣସି ଜନନୀଙ୍କର ଆଦୌ କୌଣସି ଭାଗ ନାହିଁ । ସ୍ଵପ୍ନଗୁଡ଼ିକର ଆଲୋଚନା କରି ବିଜ୍ଞାନୀମାନେ ଯେ ଆମ ଜୀବନର ବହୁ ବିକାର ଏବଂ କ୍ଷତକୁ ଠାବ କରିବାର ନାନା ସୁରାଖ ପାଇ ପାରିଛନ୍ତି, ସେଥିରେ ବିସ୍ମିତ ହେବାର କୌଣସି କାରଣ ନାହିଁ । ସେମାନଙ୍କର ଆବିଷ୍କାରଲାଗି ବିଜ୍ଞାନୀମାନଙ୍କ ପାଖରେ ଆମେ ଅବଶ୍ୟ କୃତଜ୍ଞ ରହିବା । ଆମ ଏପାଖଟାକୁ ସଦର ଓ ମଫସଲ ଉଭୟ ପଟୁ ଅଧିକ ତନ୍ନ ତନ୍ନ କରି ଦେଖିଲେ ଓ ନିରେଖିଲେ ହୁଏତ ବାଡ଼ଗୁଡ଼ାକୁ ଅତିକ୍ରମ କରିବାର ଓ ସେପାଖର ଯୋଗ୍ୟ ହେବାର ଏକ ଭାଗ୍ୟ ହୁଏତ ଆମକୁ ମିଳିଯାଇ ପାରିବ ।

 

ତେଣୁ, ଆମ କୋପଗୁଡ଼ାକୁ ଗଣ୍ଠି କରି ରହିଥିଲେ ଆମେ ସ୍ଵପ୍ନଭିତରେ କଦାପି ଜନନୀଙ୍କର ସ୍ପର୍ଶ ଲାଭ କରି ପାରିବାନାହିଁ ଏବଂ ସେପାଖରେ ଯେ ଅନେକ ନିୟତି ମଧ୍ୟ ଅପେକ୍ଷା କରି ରହିଛି, ତାହାକୁ ଘ୍ରାଣ କରିବାର ଯୋଗ୍ୟ ହୋଇ ପାରିବାନାହିଁ । ଆମ ଭିତରେ ଯାହାକିଛି ଅପେକ୍ଷା କରି ରହିଛି, ଯଦି ଆମେ ସେଗୁଡ଼ିକୁ ଠୁଳ ଭାବରେ ଆମର ଜନନୀ ବୋଲି ଚିହ୍ନିବାକୁ ମନ କରିବା, ତେବେ ହୁଏତ ତାହାରି ପ୍ରସାଦରେ ହିଁ ଆମକୁ ଆମର ଅଧିକ, ଅନ୍ୟ ସମ୍ଭାବନାଗୁଡ଼ିକର ଆଭାସ ମିଳିଯାଇ ପାରିବ । ହୁଏତ ଏହି ମନ କରିବା ହେଉଛି ଅସଲ ଶୁଦ୍ଧତା । ସେହି ଶୁଦ୍ଧତା କ୍ରମେ ଆମଠାରୁ ନିର୍ଭର ପାଇ ଆମ ଦିନମାନର ତଥାକଥିତ ଜାଗ୍ରତଜୀବନକୁ ମଧ୍ୟ ସମ୍ପ୍ରସାରିତ ହୋଇ ଆସିବ । ତା’ପରେ ଆମର ଦିନ ଓ ରାତି ଭିତରେ ଆଉ କୌଣସି ଫରକ ରହିବନାହିଁ । ଦିନ ରାତିଭିତରେ ପ୍ରବେଶ କଲାବେଳେ ଏବଂ ରାତି ଦିନଟିଏ ହୋଇ ବ୍ୟକ୍ତ ହୋଇ ଆସୁଥିବା ସମୟରେ ଆଉ କୌଣସି ଭୟ ନଥିବ । ନାଡ଼ଟି ଅବଶ୍ୟ ଲାଗିଥିବ । ଜନନୀ ସେଠି ଏଠି ସବୁଠି ଥିବେ । ଏବଂ ଆମେ କେବଳ ଅଧିକରୁ ଅଧିକ ଧନୀ ହେବାରେ ଲାଗିଥିବା ।

 

୧୮.୯.୯୮

 

ନିଜ ଦେଶଟିକୁ ଯେତେବେଳେ ନିବିଡ଼ ଭାବରେ ଚିହ୍ନିବା ସମ୍ଭବ ହୋଇଯାଏ, ସେତେବେଳେ ମୁଁ ଏହି ଦେଶରେ ଜନ୍ମ ହୋଇଛି ବୋଲି କୃତଜ୍ଞତା ଜଣାଇବା ବ୍ୟତୀତ ସମ୍ଭବତଃ ଆଉ କିଛିହେଲେ ମନକୁ ଆସେନାହିଁ । ଏକ ତଥାକଥିତ ଅନ୍ୟ ଦେଶକୁ ମଧ୍ୟ ନିବିଡ଼ ଭାବରେ ଚିହ୍ନି ପାରିଲେ ସେହି ଦେଶଟି ପ୍ରତି ମଧ୍ୟ ନିଜର କୃତଜ୍ଞତା ଜ୍ଞାପନ କରିବା ବ୍ୟତୀତ ମନକୁ ଆଉ କିଛିହେଲେ ଆସେନାହିଁ । ଭାରତବର୍ଷରେ ଏପରି ବହୁତ ମଣିଷ ଅଛନ୍ତି, ଯେଉଁମାନେ କି ନିଜର ଦେଶକୁ ଆଦୌ ନିବିଡ଼ ଭାବରେ ଚିହ୍ନିନାହାନ୍ତି । ଭାରତବର୍ଷରେ ବହୁତ କଥା ନାହିଁ ଯାହାକି ପୃଥିବୀର ଅନ୍ୟ ଅମୁକ ଦେଶମାନଙ୍କରେ ରହିଛି, ସେମାନେ ସେହି କଥାଟାକୁ ନେଇ ନିରନ୍ତର ଘାରି ହେଉଥାନ୍ତି । ଏପରି ଅବସ୍ଥାରେ ସେମାନେ କୃତଜ୍ଞ ବୋଲି ଅନୁଭବ କରିବା ନିମନ୍ତେ ଆଉ କେତେବେଳେ ଫୁରସତ ପାଆନ୍ତେ ! ଏହି ଲୋକମାନଙ୍କ ଭିତରେ ବହୁସଂଖ୍ୟକ ଉଚ୍ଚଶିକ୍ଷିତ ବ୍ୟକ୍ତି ମଧ୍ୟ ଅବଶ୍ୟ ରହିଥିବେ । ବହୁ ଶିକ୍ଷିତ ବ୍ୟକ୍ତି ଯେ ଭାରତବର୍ଷ ଛାଡ଼ି ବିଲାତ ବା ଆମେରିକାକୁ ଚାଲି ଆସିଥିବେ, ଏହାର ସେହିପରି ଏକ କାରଣ ମଧ୍ୟ ବହୁକ୍ଷେତ୍ରରେ ଅବଶ୍ୟ ଖୋଜା ଯାଇପାରେ-

 

ଆମେରିକା ମଧ୍ୟ ଭାରତବର୍ଷପରି ଏକ ବୃହତ୍ ଦେଶ । ଦୁଇ ଦେଶ ମଧ୍ୟରେ ବହୁତ ବହୁତ ଫରକ ରହିଆସିଛି । ଏଠି ଆମେରିକାରେ ଅନେକ ଜିନିଷ ଅବଶ୍ୟ ଥିବ, ଯାହା ଦେଖିବାପାଇଁ ଅନେକ ଭାରତବାସୀଙ୍କୁ ମୋଟେ ଭଲ ଲାଗୁନଥିବ । ଭାରତବର୍ଷରେ ମଧ୍ୟ ଏପରି ଅନେକ କଥା ରହିଛି ବା ଘଟୁଛି, ଯାହା ଦେଖି ଅନେକ ଆମେରିକାବାସୀ ବ୍ୟକ୍ତି ନାକ ଟେକି ପକାଉଥିବେ । ଆମପାଖରେ ଯାହା ନାହିଁ, ଅନ୍ୟ କେଉଁଠାରେ ସେଇଟିକୁ ଦେଖିବାକୁ ପାଇଲେ ଈର୍ଷା ହେବା ଅତ୍ୟନ୍ତ ସ୍ଵାଭାବିକ । ଏବଂ, ଅନ୍ୟପାଖରେ ଯାହା ଅଛି ଓ ଆମପାଖରେ ଯାହା ନାହିଁ,–ସେଇଟିକୁ ଆଗ ଦେଖିବାକୁ ଆଗ୍ରହ ହେଲେ ପ୍ରତ୍ୟେକ ସୁସ୍ଥ ବ୍ୟକ୍ତି କ’ଣ ପାଇଁ ଖୁସି ନହେବେ, ସେହି ବିଷୟରେ ମଧ୍ୟ ଚିନ୍ତା କରା ଯାଇପାରେ । ଆମେରିକା ତଥା ଭାରତବର୍ଷ ଉଭୟ ଦେଶରେ ସମସ୍ୟାଗୁଡ଼ିକର ସମାଧାନ ସର୍ବଦା ଖୋଜାଯାଉଛି ଏବଂ ତାହାଫଳରେ ଯେଉଁ ପ୍ରୟାସଗୁଡ଼ିକ କରାଯାଇଛି, ତାହା ଉଭୟ ଦେଶ ନିମନ୍ତେ ସର୍ବଦା ଅନେକ ପ୍ରେରଣାର ମଧ୍ୟ କାରଣ ହୋଇପାରିବ । ଏହି ଦୃଷ୍ଟିରୁ ବିଚାର କରି ଦେଖିଲେ ଗୋଟିଏ ଦେଶ ନିଜ ପ୍ରୟାସଗୁଡ଼ିକର କ୍ଷେତ୍ରରେ ଆଉଗୋଟିଏ ଦେଶର ପରିପୂରକପରି ମଧ୍ୟ କାର୍ଯ୍ୟ କରି ପାରିବ । ମୋ’ ନିଜ ଦେଶରେ ମୁଁ ଯେଉଁ ସମସ୍ୟାଗୁଡ଼ିକୁ ଅତିକ୍ରମ କରିବାକୁ ଚେଷ୍ଟା କରୁଛି, ସେଥିଲାଗି ମୋତେ ଆଉ ଯେ ଯେତେ ଦେଶରୁ ମଧ୍ୟ ଅନ୍ତଃଦୃଷ୍ଟି ମିଳି ଯାଉଥିବ, ସେହି ଦେଶଗୁଡ଼ିକ ପାଖରେ ମୁଁ ଅବଶ୍ୟ କୃତଜ୍ଞ ରହିବି । କୌଣସି ଦେଶରେ ବାସ କରୁଥିବା ମନୁଷ୍ୟମାନଙ୍କର ପ୍ରସାୟଗୁଡ଼ିକର ମାଧ୍ୟମରେ ସେହି ଦେଶକୁ ଦେଖିବାକୁ ଇଚ୍ଛା କଲେ ହିଁ ଏହିପରି କୃତଜ୍ଞ ହେବା ସବୁବେଳେ ଅଧିକ ସହଜ ମନେ ହେଉଥିବ । ଏବଂ, ନିଜ ପାଖରେ ବି ନିଜକୁ ଭାରି ସହଜ ଲାଗୁଥିବ ।

 

୧୯.୯.୯୮

 

ମନୁଷ୍ୟନାମକ ଏକ ସ୍ଵତନ୍ତ୍ର ଜୀବର ସଂସାର ଏବଂ ମନୁଷ୍ୟେତର ଅନ୍ୟ ଜୀବ ଓ ଜୀବଜାତିମାନଙ୍କର ସଂସାର,–ଏହି ଦୁଇଟିକୁ ଅଲଗା କରି ଦେଖି ପରିବେଶବାଦୀମାନେ ଏବେ ଘୋର ଚର୍ଚ୍ଚାମାନ କରୁଛନ୍ତି । ସେମାନେ କହୁଛନ୍ତି ଯେ, ଏକ ପୂର୍ବ ଧର୍ମସଂସ୍କାର ଅର୍ଥାତ୍ ଅଭ୍ୟାସ ହେତୁ ମନୁଷ୍ୟ ମନୁଷ୍ୟେତର ସଂସାରକୁ ନିଜର ଭୋଗସାମଗ୍ରୀ ରୂପେ ଦେଖି ଆସିଥିଲା ଏବଂ ତାହାକୁ ସେହିପରି ଭାବରେ କାମରେ ଲଗାଇ ଆସିଥିଲା । ସେମାନଙ୍କର କହିବା ଅନୁସାରେ ଏହାରି ସକାଶେ ହିଁ ମନୁଷ୍ୟେତର ସଂସାରଟି ନଷ୍ଟ ହେବାକୁ ଆରମ୍ଭ କଲା ଏବଂ, ସେହି ପ୍ରକ୍ରିୟାଟି ଅଧିକରୁ ଅଧିକ ମନୋମୁଖୀ ହୋଇ ଏବେ ସ୍ଵୟଂ ମନୁଷ୍ୟର ସଂସାରଟି ମଧ୍ୟ ନଷ୍ଟ ହେବାର ଏକ ମହାସଙ୍କଟ ଆସି ଉପସ୍ଥିତ ହୋଇଛି । ପରିବେଶ ନରହିଲେ ମଣିଷ ମଧ୍ୟ ରହିବନାହିଁ ବୋଲି ଏବେ ଅଧିକରୁ ଅଧିକ ତଦଭିଜ୍ଞମାନେ କହୁଛନ୍ତି । ଏଇଟି ଏକାବେଳେକେ ଗୋଟିଏ ସତ କଥା । ତେଣୁ, ମଣିଷ ପୁନର୍ବାର ପୃଥିବୀ ପାଖକୁ ବା ପ୍ରକୃତି ପାଖକୁ ଫେରିଯାଉ ଓ ଆପଣାକୁ ପ୍ରକୃତି ଉପରେ ମାଲିକ ବୋଲି ନଭାବି ପ୍ରକୃତିର ଏକ ଅଙ୍ଗ ବା ଅଂଶ ବୋଲି ବିଚାରୁ ବୋଲି ପରାମର୍ଶ ଦିଆଯାଉ ।

 

ମନୁଷ୍ୟେତର ପୃଥିବୀ ସହିତ ନିଜକୁ ଅଭିନ୍ନ ବୋଲି ଅନୁଭବ କରିବାର ବାଟଟି ମଧ୍ୟ ମନୁଷ୍ୟ ଭିତରଦେଇ ପଡ଼ିଛି । ସବାଆଗ ମନୁଷ୍ୟମାନେ ପରସ୍ପରକୁ ସ୍ଵୀକାର ନକଲେ କଦାପି ପ୍ରକୃତିକୁ ମଧ୍ୟ ସୁସ୍ଥ ଭାବରେ ସ୍ଵୀକାର କରି ପାରିବନାହିଁ । ଯେପର୍ଯ୍ୟନ୍ତ ଥୋକେ ମଣିଷ କେବଳ ନିଜର ବିଶେଷାଧିକାରଗୁଡ଼ିକୁ ସ୍ଵୀକାର କରୁଥିବେ ଏବଂ ଅନ୍ୟ ମଣିଷମାନଙ୍କୁ ଗୋଡ଼ିମାଟିପରି ଦେଖୁଥିବେ, ସେପର୍ଯ୍ୟନ୍ତ ପ୍ରକୃତି ପାଖକୁ ଫେରିଯିବାଟା ମଧ୍ୟ ତୁଚ୍ଛା ଏକ ବଡ଼ଲୋକିଆ କାରବାର ହୋଇ ରହିଥିବ । ଏବଂ, ଜ୍ଞାନଘନ ଉପଦେଶମାନ ଦେଲେ କ’ଣ ମଣିଷମାନେ ପରସ୍ପରକୁ ସ୍ଵୀକାର କରି ଶିଖିଯିବେ ଏବଂ ନିଜର ସାମୂହିକ ଜୀବନର ସୁସ୍ଥତା ଆଣିବାକୁ ହିଁ ନିଜର ସ୍ଵତନ୍ତ୍ର ସ୍ଵାର୍ଥସିଦ୍ଧିଗୁଡ଼ିକର ପଛରେ ଧାଇଁବାର ସେହି ପାରମ୍ପରିକ ଭୁଲ୍‌ଟାକୁ ପରିହାର କରି ବାହାରିଆସି ପାରିବେ ? ତେଣୁ, ଯାହାକିଛି ହେବ, ତାହା ସମାଜରୁ ହିଁ ହେବ । ସମାଜରେ ବାସ କରୁଥିବା ସବୁ ମଣିଷଙ୍କୁ ଏକତ୍ର ବିଚାରକୁ ନେଇ ହେବ । ଅର୍ଥାତ୍, ବର୍ତ୍ତମାନର ରାଜନୀତି ବଦଳିବ, ଅର୍ଥବ୍ୟବସ୍ଥା ବଦଳିବ, ଧର୍ମ ନାମରେ ମନୁଷ୍ୟର ପ୍ରାୟ ସବୁଯାକ ବିବେକକୁ ମାଡ଼ି ବସିଥିବା ଅଧର୍ମମାନେ ବଦଳିବା ପାଇଁ ଆନ୍ଦୋଳନ ହେବ ଏବଂ ତେବେଯାଇ ଯେଉଁ ସାମୂହିକ ଅର୍ଥାତ୍ ପାରସ୍ପରିକ ଜୀବନଟି ସମ୍ଭବ ହୋଇ ଆସିବ, ତାହାହିଁ ଆମର ପରିବେଶଗତ ଜୀବନକୁ ଅଧିକ ପ୍ରକୃତିମୁଖୀ ବା ପ୍ରକୃତିସହଯୋଗୀ କରିବା ଦିଗରେ ଯଥାର୍ଥ ପଦକ୍ଷେପମାନ ନେଇ ପାରିବ । ତେଣୁ, ପରିବେଶ ପାଇଁ ଆନ୍ଦୋଳନ ମଧ୍ୟ ମଣିଷମାନଙ୍କର ସାମାଜିକ ଛାଞ୍ଚ ଓ ତଜ୍ଜନିତ ଶୋଷଣଗୁଡ଼ିକୁ ବଦଳାଇବାର ଏକ ଆନ୍ଦୋଳନରେ ପରିଣତ ହୋଇପାରିବା ଉଚିତ ।

 

୨୨.୯.୯୮

 

ଜୀବନ ସହଜ ହେବ ବୋଲି ମଣିଷ ଆପଣାର ବୁଦ୍ଧିଗୁଡ଼ାକର ଆବିଷ୍କାର କରି ପୃଥିବୀରେ କେତେ କେତେ ଉପାୟର ଜାଲଗୁଡ଼ିକୁ ବିଛାଇ ରଖିଛି ଏବଂ ତଥାପି ଭାରି ଅସହଜ ହୋଇ ରହିଛି । ଅଭାଗଗୁଡ଼ିକୁ ଦୂର କରିବ ବୋଲି କେଡ଼େ ଧୁରନ୍ଧରତା ସହିତ ପୃଥିବୀରେ କେତେ ଦ୍ରବ୍ୟର ମେଳା ମେଲାଇ ରଖିଛି, ଅଥଚ ପ୍ରାୟ ସବୁ ଯୁଗରେ ନୂଆ ନୂଆ ଅଭାବର ଦାରିଦ୍ର୍ୟ ସୃଷ୍ଟି କରି ଚାଲିଛି । ଚତୁଃପାର୍ଶ୍ଵକୁ ସୁନ୍ଦର କରି ରଖିବ ବୋଲି ମଣିଷ ପୃଥିବୀକୁ କେତେ କାରିଗରିଦ୍ଵାରା ସଜାଇ ରଖିଛି, ମାତ୍ର ନିଜଭିତରେ ଓ ନିଜ ପାରସ୍ପରିକ ସମ୍ବନ୍ଧର ଜୀବନରେ କେଡ଼େ ଅସୁନ୍ଦର ହୋଇ ରହିଛି । ସଂସାରଯାକ ଜିତି ଜିତି ବୁଲୁଛି, ଅଥଚ ନିଜପାଖରେ ହାରିଯିବାରେ ହିଁ ଲାଗିଛି । ଯୋଉ ବିଜ୍ଞାନ ଗୋଟିକୁ ସାଧ୍ୟ କରିବାକୁ ଯାଇ ଆରଟି ବେଳକୁ ନିଜର ଅସମର୍ଥତାଟାକୁ ହିଁ ଜାହିର କରି ରଖିଛି, ତାହାକୁ ମଧ୍ୟ କାହିଁକି ବିଜ୍ଞାନ ବୋଲି କୁହାଯିବ ? ବିଜ୍ଞାନ ବଢ଼ି ବଢ଼ି ଯାଉଛି, ଅଥଚ ବଢ଼ି ବଢ଼ି ଯିବାର ସେହି ପ୍ରକ୍ରିୟାରେ ଭିତରେ କୋଉଠି କେଉଁସବୁ କାରଣରୁ ଯେ ଖଣ୍ଡିଆ ବି ହୋଇ ହୋଇ ଯାଉଛି, ଏଣିକି ସେହି ଅନ୍ୟ ସମସ୍ୟାଟିର ବି ସମ୍ମୁଖୀନ ହୋଇପାରିବା ଉଚିତ ।

 

ଭୋଗ ମନୁଷ୍ୟକୁ ଏତେ ଦୁର୍ବଳ କାହିଁକି କରିଦେବ ? ଦାମିକାରୁ ଆହୁରି ଅଧିକ ଦାମିକା ବହୁ ପୋଷାକକୁ ଦେହ ଉପରେ ଗୁଡ଼ାଇ ହୋଇ ମଣିଷମାନେ ତଥାପି ଏପରି ଲଙ୍ଗଳା ଦେଖାଯିବେ କାହିଁକି ? ଦୂରତାମାନଙ୍କୁ ଜୟ କରିବାର ନିଶାରେ ମାତି ମଣିଷର ଏହି ସଂସାରରେ ସମସ୍ତେ କାହିଁକି ପରସ୍ପରଠାରୁ ଏପରି ଶୋଚନୀୟ ଭାବରେ ବହୁଦୂର ହୋଇ ରହିଥିବେ ? ଅର୍ଥ ବଢ଼ିବା ସଙ୍ଗେ ସଙ୍ଗେ ସ୍ଵାର୍ଥମାନେ ବା କାହିଁକି ଏପରି ଅଧିକ କ୍ରୂର ହେବାରେ ଲାଗିଥିବେ ? ଭଗବାନଙ୍କର ରାଜ୍ୟରେ ପବନମାନେ ଏପରି ହୁ’ ହୁ’ ହୋଇ ବୋହୁଥିବା ସମୟରେ ମଣିଷକୁ ତା’ର କୋଉ ବୁଦ୍ଧି ବା ଦୁର୍ବୁଦ୍ଧି ତାକୁ ସବୁଯାକ ଝରକା ଓ କବାଟକୁ ବନ୍ଦ କରି ନିଜ ଫିସାଦଗୁଡ଼ାକର ହିଂସ୍ର ଘରଟା ଭିତରେ ନିବୁଜ ହୋଇ ରହିବାକୁ କାହିଁକି ମନ୍ତ୍ରଣା ଦେଉଥିବ ? ଖବରକାଗଜମାନେ ପୃଷ୍ଠାରେ ମୋଟା ହେବାରେ ଲାଗିଥିବେ, ଅଥଚ ମଣିଷମାନେ ଏହି ପୃଥିବୀର ଅସଲ ଖବରଗୁଡ଼ିକ ବିଷୟରେ ଅଜ୍ଞ ହୋଇ ରହିଥିବେ ? ନିଜ ଭିତରେ ଅସଲ ଆନନ୍ଦଗୁଡ଼ିକୁ କାହିଁକି ମରି ଆସିଲେ ମଣିଷ ନିଶାସକ୍ତପରି ବାହାରେ ଅଧିକରୁ ଅଧିକ ମଜା ଖୋଜି ଖୋଜି ଜୀବନର ମୁହୂର୍ତ୍ତଗୁଡ଼ିକୁ ବିତାଇ ଦେଉଥିବ ? ନିଜ ଭିତରକୁ ଅନାଇ ପାରୁଥିଲେ ମଣିଷ ହୁଏତ ବହୁ ପରିମାଣରେ ଏହି ପ୍ରଶ୍ନଗୁଡ଼ିକର କିଛି ଉତ୍ତର ପାଇ ଯାଉଥାନ୍ତା । ମାତ୍ର, ନିଜ ଭିତରକୁ ଅନାଇ ପାରିବା ନିମନ୍ତେ ଯେପରି ତାକୁ ଆଦୌ କୌଣସି ଫୁରସତ ନମିଳିବ, ସେଥିଲାଗି ଏହି ବଜାରଗୁଡ଼ିକୁ କାହିଁକି ଏପରି ପ୍ରଚଣ୍ଡ ଭାବରେ ମଣିଷର ଚେତନାକୁ ଘେରିକରି ରହିଥିବେ, ମଣିଷର ଗୋଡ଼ମାନଙ୍କୁ ବାନ୍ଧି ରଖିଥିବେ ଓ ତା’ର ଅସଲ ବିଚରଣଗୁଡ଼ିକର ବିବେକଟିରୁ ପ୍ରତ୍ୟୟଗୁଡ଼ିକୁ କାଢ଼ି ନେବାର ଷଡ଼ଯନ୍ତ୍ର କରୁଥିବେ ?

 

୨୩.୯.୯୮

 

ଏ ବାବୁ କହୁଛନ୍ତି କୋରାନରେ ସବୁ ମଣିଷଙ୍କୁ ସମାନ ସମ୍ମାନ ଏବଂ ସମାନ ଅଧିକାର ଦେବା ବିଷୟରେ ଏତେ ଏତେ କଥା କୁହାଯାଇଛି ଏବଂ ସେ ବାବୁ କହୁଛନ୍ତି ଯେ କୋରାନରେ ଅଣମୁସଲମାନମାନଙ୍କୁ ହୀନ ବୋଲି ଘୋଷଣା କରାଯାଇଛି ଏବଂ ସେମାନଙ୍କ ପ୍ରତି ତଦନୁରୂପ ହୀନ ବ୍ୟବହାର କରିବାକୁ ପରାମର୍ଶମାନ ବି ଦିଆ ଯାଇଛି । ଆମ ହିନ୍ଦୁଖଞ୍ଜା ଭିତରେ ମଧ୍ୟ ବହୁତ ବ୍ୟକ୍ତି ଅଛନ୍ତି, ଯେଉଁମାନେ କି ହିନ୍ଦୁଶାସ୍ତ୍ରଗୁଡ଼ିକରେ ଏକ ଆଦର୍ଶ ବ୍ୟକ୍ତିଗତ ତଥା ସାମୂହିକ ଜୀବନ ବିଷୟରେ ସବୁଯାକ ଆଦର୍ଶକଥା ଭର୍ତ୍ତି ହୋଇ ରହିଛି ବୋଲି ବହୁ ତଥ୍ୟପ୍ରମାଣ ଦେଇ କହିବାରେ ଲାଗିଛନ୍ତି । ହିନ୍ଦୁମାନେ ଅହିନ୍ଦୁମାନଙ୍କୁ ଶାସ୍ତ୍ରତଃ କେବେହେଲେ କୌଣସି ଅବମାନନା ପ୍ରଦର୍ଶନ କରିନାହାନ୍ତି ବୋଲି ଦାବି କରିଥାନ୍ତି । ପୂର୍ଣ୍ଣଶୁଦ୍ଧ ଆର୍ଯ୍ୟଜୀବନ ବିଷୟରେ ଆମ ଏଯୁଗରେ ଓଡ଼ିଶାରେ ମଧ୍ୟ କେଡ଼େ କେଡ଼େ ଉଚ୍ଚ କଥା କୁହାଯାଇଛି । ଗୋଟିଏ କଥାରେ କହିଲେ, ପୃଥିବୀଯାକର ଧର୍ମବାଦୀମାନେ ଏଭଳି ଗନ୍ଧିଆ ଗବେଷଣା ଖୁବ୍ କରିଛନ୍ତି, ବର୍ତ୍ତମାନ ବି କରିବାରେ ଲାଗିଛନ୍ତି । ଧର୍ମର ଯଥାର୍ଥ ଚାରଣାଗୁଡ଼ିକୁ ଉଢ଼ୁଆଳ କରି ରଖିବାରେ ଏହିସବୁ ଗବେଷଣା ବହୁ ସାହାଯ୍ୟ କରିଥିବେ ।

 

ଆମେ କୌଣସି ଗୋଟିଏ ଧର୍ମରେ ଜନ୍ମଗ୍ରହଣ କରିଛୁ ବୋଲି ସେହି ଧର୍ମକୁ ପ୍ରାୟ କାମାସକ୍ତ ଭାବରେ କୁଣ୍ଢାଇ ରହିବାକୁ ନୁହେଁ, ନିଜର ଜୀବନରେ ଚାଲିବାଲାଗି ବାଟଟିଏ ବାହାର କରି ସେହି ଅନୁସାରେ ଜୀବନଟିଏ ବଞ୍ଚିବା ଯଦି ଆମର ଜୀବନରେ ମୁଖ୍ୟ ଅଭିପ୍ରାୟ ହୋଇଥାଏ, ତେବେ ଆମେ କଦାପି ଏସବୁ ଧନ୍ଦା ଭିତରେ ପଡ଼ି ରହିବାକୁ ଆଗ୍ରହ ଦେଖାଇବା ନାହିଁ । ଅଥବା ଆମ ପବିତ୍ର ଶାସ୍ତ୍ରଗୁଡ଼ିକରେ ପୃଥିବୀଯାକର ପବିତ୍ର କଥା ଖୁନ୍ଦିହୋଇ ରହିଛି ବୋଲି କଦାପି ଢମ ବି କରିବାନାହିଁ । ତେବେଯାଇ ପୃଥିବୀର ଯାବତୀୟ ଶାସ୍ତ୍ରଦ୍ଵାରା ଆମେ ବହୁତ ଲାଭବାନ୍ ହୋଇପାରିବା । ବାଟ ଚାଲୁଥିବା ମଣିଷମାନେ ହିଁ ଅନ୍ୟ ବାଟଗୁଡ଼ିକୁ ସବୁଠାରୁ ଭଲ ଭାବରେ ବୁଝି ପାରିବେ, ଏହି ପୃଥିବୀରେ ସେହିମାନେ ହିଁ ସବୁଠାରୁ ଅଧିକ ଗ୍ରହଣଶୀଳ ଭାବରେ ନିଜ ଜୀବନକୁ ବଞ୍ଚିପାରିବେ । ଆଧୁନିକ ପୃଥିବୀରେ ଜୀବନ ବିଷୟରେ ଯେତେ ଯେତେ କଥା କୁହାଗଲାଣି ଓ ମଣିଷମାନଙ୍କର ମଥା, ଆଖି ଏବଂ ହୃଦୟଗୁଡ଼ିକୁ ସମ୍ପ୍ରସାରିତ କରି ରଖିବା ନିମନ୍ତେ ଯେତେ ଯେତେ ସମ୍ଭାବନାକୁ ଉନ୍ମୋଚିତ କରି ଦିଆଗଲାଣି, ସେହି ଦୃଷ୍ଟିରୁ ନିଜର ଧର୍ମଟାକୁ ଓ ନିଜର ଶାସ୍ତ୍ରମାନଙ୍କୁ ସର୍ବୋତ୍ତମ ବୋଲି ଜାହିର କରି ଜୀବନର ଅସଲ ଆହ୍ଵାନଟିକୁ ଫାଙ୍କି ଦେବାଲାଗି ଥୋକେ ମଣିଷ କାହିଁକି ମନ କରି ପାରୁଛନ୍ତି କେଜାଣି ? ପୃଥିବୀର ସବୁ ଧର୍ମ ଓ ସବୁ ଶାସ୍ତ୍ର ମଣିଷର ବିବେକକୁ ହିଁ ବଳ ଦିଅନ୍ତୁ । ମଣିଷକୁ ଅଧିକ ଗ୍ରହଣଶୀଳ କରନ୍ତୁ, ତାହାକୁ ଅନ୍ଧ ଭାବରେ ପଛଟା ସହିତ ବାନ୍ଧି ରଖିବା ନିମନ୍ତେ କୌଣସି ଚେଷ୍ଟା ନକରନ୍ତୁ । ମଣିଷ ଭିତରେ ଯେଉଁ ଭଗବାନ ପ୍ରତିଷ୍ଠିତ ରହିଛନ୍ତି, ସେଇ ପୃଥିବୀର ଯାବତୀୟ ଧର୍ମଶାସ୍ତ୍ରଗୁଡ଼ିକର ଯାବତୀୟ ଆଲୋଚନାରେ ମଣିଷଲାଗି ସବୁଠାରୁ ଅଧିକ ବିଶ୍ଵାସଯୋଗ୍ୟ guide ହେବାଲାଗି ଅନୁକୂଳ ବାତାବରଣଟିଏ ପାଇ ପାରନ୍ତୁ !

 

୨୪.୯.୯୮

 

ଦକ୍ଷିଣ ଆଫ୍ରିକାରେ ଜଣେ ମଣିଷ ଗୋଡ଼ରେ ବୁଟ୍‌ ଜୋତା ପିନ୍ଧି ଆଉ ଜଣେ ମଣିଷର ଛାତିକୁ ଗୋଇଠା ମାରୁଛି, ପାକିସ୍ତାନରେ ବଳୁଆମାନେ କହୁଛନ୍ତି ଯେ ସେଠାରେ କେବଳ ସୁନ୍ନୀମାନେ ଅର୍ଥାତ୍ ସେଇମାନେ ରହିବେ, ଏବଂ ଇରାନରେ ରାଷ୍ଟ୍ରମୁକୁଟ ପିନ୍ଧିଥିବା ସିହାମାନେ ଆପଣାକୁ ଏକମାତ୍ର ଶୁଦ୍ଧ ନରରୂପ ବୋଲି ବିଚାର କରୁଥିବେ । ଅର୍ଥାତ୍ ପାକିସ୍ତାନରେ ସିହା, ଖ୍ରୀଷ୍ଟିଆନ ଏବଂ ସିନ୍ଧୀଙ୍କୁ ମାଡ଼ ମାରି ସାବାଡ଼ କରିବାର ଲୀଳା ଚାଲିଥିବ ଏବଂ ଇରାନରେ ସୁନ୍ନୀ ଏବଂ ବାହାଇମାରଣର ଅଭିଯାନ ଲାଗି ରହିଥିବ । ଏବଂ, ଏଣେ ଆମେରିକା ଦେଶରେ, ଆମେରିକା ବାହାରେ ସତେଅବା କୌଣସି ପୃଥିବୀ ନଥିବାପରି ଜୀବନକୁ ଆନନ୍ଦମୟ ଅର୍ଥାତ୍ ଦ୍ରବ୍ୟମୟ କରି ରଖିବାର ଭୀମପ୍ରୟାସମାନ ଚାଲିଥିବ । ଉଭୟଙ୍କୁ ଏକାଠି ମିଳାଇ ଦେଖିବାକୁ ମନ କଲେ ପୃଥିବୀଟା ସତେଯେପରି କେମିତି କେମିତି ହୋଇ ଚାଲୁଥିବାପରି ମନେ ହେଉଛି । ଏହି ବିଡ଼ମ୍ବନାର ଦୃଷ୍ଟାନ୍ତଗୁଡ଼ିକୁ ବଢ଼ାଇ ବଢ଼ାଇ ଆମେ ଚମତ୍କାର ଭାବରେ ଭାରତବର୍ଷରେ ମଧ୍ୟ ପ୍ରବେଶ କରି ପାରିବା ।

 

ତେଣୁ, ଯେପର୍ଯ୍ୟନ୍ତ ପୃଥିବୀରେ ସବୁ ମଣିଷଙ୍କୁ ମଣିଷର ପ୍ରତିଷ୍ଠା ମିଳିନାହିଁ, ସେପର୍ଯ୍ୟନ୍ତ ଯୁଦ୍ଧ ସରିନାହିଁ ବୋଲି କହିବାକୁ ହିଁ ହେବ । କଳା ଓ ଗୋରା ନିଜ ଦେହର ରଙ୍ଗରୁ ନିଜକୁ ଚିହ୍ନିବା ଆଗରୁ ନିଜକୁ ମଣିଷ ବୋଲି ଚିହ୍ନିବେ,–ସିହା ଓ ସୁନ୍ନୀ ଏକ ଆରେକର କାନ ଧରାଧରି ହୋଇ ନୁହେଁ, ପରସ୍ପରର ହାତ ଧରାଧରି ହୋଇ ଆଲ୍ଲାଙ୍କୁ ଡାକି ପାରିବେ ଏବଂ ଆଲ୍ଲାଙ୍କୁ ଅନୁଭବ କରିପାରିବେ । ପୃଥିବୀକୁ ଏହିପରି ଏକ ପରିବେଶ ମଧ୍ୟକୁ ଆଣି ପାରିବାଲାଗି ଜଣେ ଶିକ୍ଷକକୁ ଓ ଜଣେ ଲେଖକକୁ କ’ଣ କମ୍ ଯୁଦ୍ଧ କରିବାକୁ ପଡ଼ିବ ? ଯୁଦ୍ଧକ୍ଷେତ୍ରର ସୈନ୍ୟମାନେ ତ ଲୁଚି କରି ଯୁଦ୍ଧ କରନ୍ତି, ଗାତ ଭିତରେ ଥାଇ ବନ୍ଧୁକ ମାରନ୍ତି ଓ ବୋମା ଫୋପାଡ଼ନ୍ତି । ଯେକୌଣସି ସନ୍ତ୍ରାସବାଦକୁ ରାଷ୍ଟ୍ରୀୟ ସ୍ତରକୁ ଲମ୍ବାଇ ନେଲେ ହୁଏତ ତାହାଙ୍କୁ ହିଁ ଏବର ଯୁଦ୍ଧ ବୋଲି କୁହାଯାଇ ପାରିବ । ମାତ୍ର, ଲେଖକ ଏବଂ ଶିକ୍ଷକ,–ଯୁଦ୍ଧ କରିବାକୁ ହେଲେ ସେମାନଙ୍କୁ ସର୍ବପ୍ରଥମେ ଗାତ ଭିତରୁ ବାହାରି ଆସିବାକୁ ପଡ଼ିବ ଏବଂ ଆଦୌ କୌଣସି ଢୋଲ ନପିଟି କିମ୍ବା ପତାକା ନଉଡ଼ାଇ ନିଜର କଥାଟିକୁ କହିବାକୁ ହେବ । ଏବଂ ପୃଥିବୀଟାକୁ ଏକ ଅନ୍ୟ ପ୍ରକାରର ଆମନ୍ତ୍ରଣ ଜଣାଇବାକୁ ହେବ । ନିଜଭିତରେ କେତେ ବିଶ୍ଵାସ ଓ ସାହସ ସମ୍ଭବ ହୋଇ ପାରିଲେ ଯେ ସେକଥା ହେବ, ସେକଥା କେବଳ ଜଣେ ଶିକ୍ଷକ ଓ ଜଣେ ଲେଖକ ହିଁ କହିପାରିବ । ନେତାମାନେ ପୃଥିବୀରେ ଯୋଉସବୁ କଥା କହି ବୁଲୁଛନ୍ତି ଏବଂ ପୃଥିବୀଟାକୁ ନିଜର କାବୁଭିତରେ ରଖିଛନ୍ତି, ଜଣେ ଲେଖକର କଥାସବୁ ତା’ଠାରୁ ଏକାବେଳେକେ ଭିନ୍ନ ପ୍ରକାରର ହେବ, ଭିନ୍ନ ଆବେଦନର ହେବ । ପୃଥିବୀକୁ କେତେ ଭଲ ପାଇଲେ ଯେ ଜଣେ ଲେଖକ ତାହା କରିପାରିବ, ସେକଥା କେବଳ ଜଣେ ଲେଖକ ହିଁ ଅବଧାରଣା କରିପାରିବ । ନିଜର କ୍ଷେତ୍ରଟିକୁ କେତେ ଭଲ ପାଇଲେ ଜଣେ ଶିକ୍ଷକ ଯେ ତାହା କରିପାରିବ, ସେକଥା କେବଳ ଜଣେ ଶିକ୍ଷକ ହିଁ କହିବ ।

 

୨୫.୯.୯୮

 

ଅନ୍ୟର ଦୁଃଖକୁ ଜାଣିବାଦ୍ୱାରା ଅନ୍ୟପ୍ରତି କେବଳ ଦୟା ପ୍ରଦର୍ଶନ କରି ଜଣେ ମଣିଷ ନିଜର କର୍ତ୍ତବ୍ୟକୁ ଶେଷ କରି ଦେଇପାରେ । ପରର ଦୁଃଖରେ ଦୁଃଖୀ ହେବା କହିଲେ ବହୁତ ମଣିଷଙ୍କର ଜୀବନରେ ପ୍ରାୟ ଏତିକିମାତ୍ର କଥାକୁ ହିଁ ବୁଝାଇପାରେ । ଅନ୍ୟର ଦୁଃଖକୁ ଜାଣି ମଣିଷ ଦୟା ଦେଖାଏ, ଦୟାଳୁ ହୁଏ । ଦୁଃଖୀକୁ ଦାନ କରେ, ହୁଏତ ସେତିକି କରି ଦାୟିତ୍ଵ ଛିଣ୍ଡାଏ । ନିଜ ଦୁଃଖରେ କାତର ହୋଇ ପଡ଼ୁଥିବା ମଣିଷମାନେ ସଚରାଚର ଅନ୍ୟର ଦୁଃଖରେ କିଞ୍ଚିତ ଦୟାଳୁ ହେବାନିମନ୍ତେ ଚେଷ୍ଟା କରନ୍ତି । ସମ୍ଭବତଃ ଏହି ଦୟାଳୁମାନେ ହିଁ ଦାରିଦ୍ରନାରାୟଣ ନାମକ କଥାଟିର ଉଦ୍‌ଭାବନ ମଧ୍ୟ କରିଥିବେ, ଦରିଦ୍ର ଭିତରେ ନାରାୟଣ ଅବଶ୍ୟ ରହିଛନ୍ତି । ମାତ୍ର, ଏକଥା ମଧ୍ୟ ସତ୍ୟ ଯେ, ଭିତରେ ନାରାୟଣ ରହିଛନ୍ତି ବୋଲି ସଚଳ ହୋଇ ପାରୁଥିବା ମଣିଷ କଦାପି ଦରିଦ୍ର ବୋଲି ରହିବନାହିଁ, ସିଏ କଦାପି ଅନ୍ୟର ଦୟା ପାଇଁ ଅପେକ୍ଷା କରିବନାହିଁ । ନିଜକୁ ସିଏ ରାଜା ବୋଲି ଅନୁଭବ କରିବ, ଜଗତରେ ରାଜାର ସମ୍ମାନ ଦାବି କରିବ । ପୃଥିବୀରେ ଥୋକାଏ ମଣିଷ ଅନ୍ୟ ମଣିଷମାନଙ୍କୁ ଏପରି ଏକ ଅବସ୍ଥାରେ ପ୍ରାୟ ବାଧ୍ୟ କରି ରଖିଛନ୍ତି ଯେ, ସେମାନେ ଅଭ୍ୟାସଦ୍ଵାରା, ପରିସ୍ଥିତିଦ୍ଵାରା ନିୟନ୍ତ୍ରିତ ହୋଇ ନିଜକୁ ଘୁଷୁରିପରି ଭାବୁଛନ୍ତି ଓ ଅନ୍ୟମାନେ ଦୟା ନକଲେ ସେମାନେ ଏଠାରେ କଦାପି ରହିପାରି ନଥାନ୍ତେ ବୋଲି ଏକ ଅପମାନଜନକ କଥାକୁ ମାନି ନେଉଛନ୍ତି । ଭଗବାନଙ୍କୁ ପରମଦୟାଳୁ ବୋଲି ପ୍ରଚାର କରା ଯାଉଥିବା ସମୟରେ ସେମାନେ ନିଜ ଭିତରେ ଭଗବାନଙ୍କର ସିଂହାସନଟିକୁ ମୋଟେ ଠାବ କରି ପାରୁନାହାନ୍ତି । ଧର୍ମମାନେ ଦାନୀମାନଙ୍କର କେତେ କେତେ ପ୍ରଶଂସା କରୁଛନ୍ତି,–ମାତ୍ର, ମଣିଷ ଭିତରେ ଭଗବାନ ରହିଛନ୍ତି ବୋଲି ସେହି ଉଜ୍ଜ୍ଵଳତର ସତ୍ୟଟିକୁ ବଡ଼ ପାଟି କରି କହି ପାରିବାକୁ ସେମାନେ କ୍ଵଚିତ୍ ସାହସ କରିଛନ୍ତି ।

 

ଅନ୍ୟର ଦୁଃଖକୁ ସମଗ୍ର ପୃଥିବୀର ଦୁଃଖ ବୋଲି ଅନୁଭବ କରିବା, ସିଏ ହେଉଛି ଏକ ଅନ୍ୟ ଉଚ୍ଚତାର କଥା, ଅନ୍ୟ ଚେତନାର କଥା । ମୁଁ ଓ ମୋ’ ସହିତ କେତେ ମଣିଷ ସୁଖରେ ରହିବାପାଇଁ ଏଠି ବିବିଧ ପ୍ରକାର ବିକୃତିକୁ ବ୍ୟବସ୍ଥା ନାମରେ ଚଳାଇ ନେବାରେ ଲାଗିଛନ୍ତି ବୋଲି ପୃଥିବୀରେ କୋଟି କୋଟି ମଣିଷ ରହିଛନ୍ତି କି ? –ନିଜକୁ ସେହି ପ୍ରଶ୍ନଟି ପଚାରିବା ସମ୍ଭବ ହୋଇଗଲେ ସେହି ତଥାକଥିତ ଅପରମାନେ ଆଉ ଆଦୌ ଅପର ବୋଲି ଦେଖା ଯିବେନାହିଁ । ସେମାନଙ୍କର ଦୁଃଖଲାଗି ମୁଁ ଅର୍ଥାତ୍ ଆମ ସମସ୍ତେ ଦାୟୀ ବୋଲି ଏକ ଭୟଙ୍କର ସତ୍ୟର ଉପଲବ୍ଧି ହୋଇଯିବ । ଏବଂ, ସେହି ଉପଲବ୍ଧି ପରେ ମୋ’ଜୀବନ ମଧ୍ୟ ବଦଳିଯିବ । ପୃଥିବୀକୁ ଦେଖିବାର ମୋ’ ଆଖିଟି ଅନ୍ୟପ୍ରକାର ହୋଇଯିବ । ମୁଁ ସତେ ଯେପରି ଅନ୍ୟ ସମସ୍ତଙ୍କର ସାଥୀ ହୋଇ ଜୀବନ ବଞ୍ଚିବାକୁ ଆରମ୍ଭ କରିବି । ସରଳ ହେବି, ସହଜ ହେବି । ବହୁତ ମିଛ ଦର୍ଶନକୁ ପ୍ରତ୍ୟାଖ୍ୟାନ କରି ପାରିବି । ଏହି ପୃଥିବୀର ଅର୍ଥନୀତିକୁ ମୁଁ ଅନ୍ୟପ୍ରକାରେ ବିଚାର କରି ପାରିବି । ସେକଥା ସତକୁ ସତ ସମ୍ଭବ ହେଲେ ମୋ’ ଧର୍ମ ଏବଂ ମୋ’ର ନୈତିକତା ମଧ୍ୟ ବଦଳିଯିବ । ମୁଁ ସତକୁ ସତ ନିଜଭିତରେ ହିଁ ପ୍ରବେଶ କରିବି । ଅଭିନୟ ଛାଡ଼ିଦେବି । ବାହ୍ୟତାମାନଙ୍କୁ ଛାଡ଼ି ହୃଦୟ ଭିତରେ ପ୍ରବେଶ କରିବି ।

 

୨୬.୯.୯୮

 

ଜୀବନକୁ, ସଂସାରକୁ–ନିଜର ଭିତରକୁ ଓ ନିଜର ବାହାରକୁ ଅନୁଭବ କରିବା ଏବଂ ସେହି ଅନୁଭବକୁ ପ୍ରକାଶ କରିବା,–ଏବଂ ଅନୁଭବଗୁଡ଼ିକୁ ଅଧିକ ସୁନ୍ଦର ଓ ସୁଘଟଣ କରି କହିବାର ଅଭିପ୍ରାୟରେ ଏକଦା ମନୁଷ୍ୟ ସାହିତ୍ୟନାମକ ଏହି କ୍ଷେତ୍ରରେ ପ୍ରବେଶ କରିଥିଲା । ତୁମର ଯାହା କହିବାର କଥା, ତାହାକୁ ଆଉ ସାତଜଣଙ୍କର ଗ୍ରହଣୀୟ ଏବଂ ଯୋଗ୍ୟ କରି କହିପାରିବା,–କ୍ରମେ ସେହି ଆଗ୍ରହରୁ ହିଁ ମଣିଷ କାବ୍ୟ ଭିତରକୁ ଆସିଲା । ଜୀବନଟା ଯେ ଏକ କାବ୍ୟରେ ପରିଣତ ହୋଇ ପାରିବ, ସିଏ ନିଜର କାବ୍ୟସାଧନାରୁ ହିଁ ହୁଏତ ସେହି ସାହସଟିକୁ ଉପଲବ୍ଧି କରିଥିବ । ତେଣୁ, ସାହିତ୍ୟରେ ସଜାଇବାର ପ୍ରବୃତ୍ତି ଏବଂ ପ୍ରକ୍ରିୟାଟିଏ ଅବଶ୍ୟ ରହିବ । କୋଉଟି ଭଲ ଲାଗୁଛି ବୋଲି ସିନା ତାହାକୁ ସଜାଇବାକୁ ମଧ୍ୟ ଭଲ ଲାଗୁଛି ଓ ମନ ହେଉଛି । ସଭ୍ୟ ମନଟି ଭିତରେ ବସିଥିବା ବଣିଆଟା ସେଇଥିପାଇଁ କେତେଭଳି ଅଳଙ୍କାର ଓ ପ୍ରଲେପନ ତିଆରି କରି ଥୋଇଦେଉଛି ।

 

ମାତ୍ର, ଯେତେବେଳେ ଅଳଙ୍କାରଗୁଡ଼ାକ ଦେହକୁ ବଳିଯାଆନ୍ତି, ସେତେବେଳେ ଅବସ୍ଥାଟା ପ୍ରକୃତରେ ଭାରି ଶୋଚନୀୟ ହୋଇଯାଏ । ଦେହଟା ସତେଯେପରି ନାନା ଅସୁନ୍ଦରତା ଫାଶରେ ପଡ଼ି ଭାରି ଛଟପଟ ହୁଏ । ସାହିତ୍ୟରେ ଶୈଳୀଟା ହିଁ ରାଜା ହେବାକୁ କେତେ ବଡ଼ପଣ ଓ ଢମପଣ ଦେଖାଏ । ଆଧୁନିକ ସାହିତ୍ୟକୁ ଶୈଳୀସର୍ବସ୍ଵ କରି ପକାଇବା ପଛରେ ଏହିପରି ଏକ ଅବିର୍ଜଆ ରାଜାଗିରି ଲୁକ୍କାୟିତ ହୋଇ ରହିଛି କି ? ଯେତେଦୂର ମନେ ହେଉଛି, ସାହିତ୍ୟରେ ରୀତିର ଯୁଗଟା ହିଁ ଏକଦା ଏହିପରି ଏକ ଖଳବୃତ୍ତିକୁ ସାହିତ୍ୟ ଭିତରକୁ ଡାକି ଆଣିଥିଲା । ସେତେବେଳେ କେବଳ ପଦ୍ୟ ଓ କାବ୍ୟ ଲେଖା ଯାଉଥିଲା । ସଭାରେ ବସିଥିବା ଓ କର୍ତ୍ତାରୂପେ ସ୍ଵୀକୃତି ହେଉଥିବା ରାଜାଙ୍କର ପ୍ରୀତି ନିମନ୍ତେ କବିମାନେ ସାହିତ୍ୟ ଫାନ୍ଦୁଥିଲେ । ତେଣୁ, ସେଯୁଗର ସେହି ସାହିତ୍ୟଟିକୁ ତଥାପି ବୁଝିହେଉଛି । ଆଧୁନିକ ଯୁଗରେ କବିତାମାନେ ଗହଣା ଗଢ଼ୁ ଗଢ଼ୁ ଗଳ୍ପ, ଉପନ୍ୟାସ ଓ ନାଟକମାନେ ମଧ୍ୟ କାହିଁକି ସେହି ଫାନ୍ଦରେ ପଡ଼ିଗଲେ କେଜାଣି ? ଏମାନେ ସମସ୍ତେ ଏକାବେଳେକେ ଖାଲି ଗହଣାଗୁଡ଼ିକୁ ନାଇ ମୁହଁଟାକୁ ପୋତି ପକାଇବାକୁ କାହିଁକି ମନ କଲେ ? ପୃଥିବୀରେ ମନୁଷ୍ୟମାନଙ୍କୁ ଯେଉଁ ମହାଗ୍ରାସଗୁଡ଼ିକର ଆହ୍ଵାନ ଓ ଧମକଗୁଡ଼ାକ ଗିଳି ପକାଇବା ନିମନ୍ତେ ମାଜି ଆସିଲେ, ଆଧୁନିକ ସାହିତ୍ୟ ଏପରି ସ୍ପୃହାହୀ ଭାବରେ ତେଣିକି କାହିଁକି ଏପରି ଆଖି ବୁଜିଦେଲା । ଆହ୍ୱାନର ସମ୍ମୁଖୀନ ହୋଇ ପାରିବାଲାଗି ଯେଉଁ ସାହସ ଓ ପ୍ରତିବାଦର ଆବଶ୍ୟକତା ରହିଥିଲା, ସାହିତ୍ୟ ସେହି ସାହସର ସମର୍ଥ ହେଲାନାହିଁ ବୋଲି ଏପରି ଘଟିଲା କି ? ହଁ, ପ୍ରତିବାଦ ହେଲା, ମାତ୍ର କେବଳ ଶୈଳୀରେ ହେଲା, ଶୈଳୀକୁ ଘୋଡ଼ା କରି ତାହାରି ଉପରେ ବସି ଆଧୁନିକ ସାହିତ୍ୟ ସତେଅବା ଏକ ପଳାୟନଦ୍ଵାରା ହିଁ ପ୍ରତିବାଦ କରୁଛି ବୋଲି ଅନୁଭବ କଲା-। ସେହି ପ୍ରତିବାଦ ପ୍ରଧାନତଃ ଜଣେ ଋଷି ବସିଥିବା ଗେହ୍ଲା ପିଲାର infantile ପ୍ରତିବାଦ ହୋଇ ରହିଗଲା । ଦାଣ୍ଡରେ ଯୁଦ୍ଧ ଲାଗିଥିବା ସମୟରେ ଏହି ଗେହ୍ଲା ପିଲାମାନେ ବାରିଆଡ଼େ ନାଟ କରି ହୁଏତ ପ୍ରତିବାଦ କରୁଛନ୍ତି ବୋଲି ଭାବିଲେ । କିମ୍ବା, ମୂଳଦୁଆ ଭୁଷୁଡ଼ି ପଡ଼ୁଥିବା ବେଳେ ସେମାନେ ଡଙ୍ଗା ଉପରେ ଆସର ମଣ୍ଡାଇ ହେଁ ହେଁ ହୋଇ ଗଡ଼ାପଡ଼ା ବି ହେଲେ ଏବଂ ତାହାକୁ ହିଁ ସାହିତ୍ୟର ପ୍ରତିବାଦ ବୋଲି କହିଲେ ।

 

୨୭.୯.୯୮

 

ସାହିତ୍ୟଘରର ବାସ୍ତବବାଦୀମାନେ ଶୈଳୀର ଘୋଡ଼ାଲାଙ୍ଗୁଡ଼ ଧରି କେଡ଼େ ବାଗରେ ବାସ୍ତବମାନଙ୍କୁ ଛାଡ଼ି ପଳାଇଗଲେ ଓ ସାହିତ୍ୟକୁ ଏପରି ସାଆନ୍ତିଆ କରି ରଖିଲେ କାହିଁକି କେଜାଣି-? ସାହିତ୍ୟ ସମାଜର ଅର୍ଥାତ୍ ଜୀବନର ସବୁ ମଣିଷଙ୍କୁ ନିଜର ପରିଧିମଧ୍ୟକୁ ଆଣି ପାରୁନଥିଲା,–ପ୍ରଧାନତଃ ତାହାରି ପ୍ରତିବାଦ ସ୍ୱରୂପ ବିଶ୍ୱଯାକର ସାହିତ୍ୟରେ ଏକଦା ବାସ୍ତବବାଦର ଆଗମନ ଘଟିଥିଲା । ତଥାକଥିତ ସାଧାରଣ ମନୁଷ୍ୟମାନେ ସାହିତ୍ୟ ଭିତରକୁ ଆସିଲେ । ଏବଂ, ତଥାପି ସାହିତ୍ୟଟା କାହିଁକି କ୍ରମେ ଅସାଧାରଣମାନଙ୍କର ଅୟସ ନିମନ୍ତେ ଏକ ଆଖଡ଼ା ହୋଇ ରହିଲା କେଜାଣି ?

 

ସାହିତ୍ୟରେ ଏହି ଅସାଧାରଣମାନଙ୍କର ଆଖଡ଼ା ଲାଗିଥିବା ପର୍ଯ୍ୟନ୍ତ ହୁଏତ କୌଣସି ନା କୌଣସି ବେହେଲ ଅଥବା ଆବରଣରେ ରୀତିଯୁଗଟା ହିଁ ଆମର ସାହିତ୍ୟିକ ବିବେକ ଉପରେ ଘୋଡ଼ାପରି ଆବୋରି ରହିଥିବ । ରୀତିର ପ୍ରାବଲ୍ୟ ସେତିକିବେଳେ ହୁଏ, ଯେତେବେଳେ ମଣିଷମାନେ ପ୍ରୀତିକୁ ଡରନ୍ତି । ଅର୍ଥାତ୍, ଥୋକାଏ ମଣିଷ ଆତ୍ମପ୍ରୀତି ଭିତରେ ଏପରି ଲାଳଯୁକ୍ତ ଭାବରେ ଲଟରପଟର ହେଉଥାଆନ୍ତି ଯେ, ସେମାନେ ବୃହତ୍ତର ପରିଧିଗୁଡ଼ିକ ମଧ୍ୟକୁ ଆଦୌ ସମ୍ପ୍ରସାରିତ ହୋଇ ପାରନ୍ତିନାହିଁ । ସେତେବେଳେ ଆତ୍ମା କହିଲେ ସେମାନେ କେବଳ ତଥାକଥିତ ନିଜ ଆତ୍ମାଟିକୁ ହିଁ ବୁଝନ୍ତି,–ବଡ଼ ଗୁହାଭକ୍ତ ହୋଇ ରହି ଯାଆନ୍ତି । ଏବଂ, ଗୁହାସଂକ୍ରାନ୍ତୀୟ ଆସକ୍ତିଗୁଡ଼ାକ ସାହିତ୍ୟିକମାନଙ୍କୁ ଏଭଳି ଉଦ୍ଦଣ୍ଡ ଭାବରେ ଆତ୍ମସର୍ବସ୍ଵ ପିଣ୍ଡୁଳାଟିଏ କରି ରଖିଥାଏ ଯେ, ତେଣିକି ସାହିତ୍ୟି ମଧ୍ୟ ବାସ୍ତବବାଦ କହିଲେ କେବଳ କେତେଟା ଆଧୁନିକ ଶୈଳୀର ଫନ୍ଦାଗୁଡ଼ାକୁ ହିଁ ବୁଝାଇବାକୁ ଆରମ୍ଭ କରେ । ମଣିଷ ଭୁଲି ହୋଇଯାଏ । ମଣିଷ ଭୁଲି ହୋଇଗଲେ ପ୍ରୀତି ଭୁଲି ହୋଇଯାଏ । ସାହିତ୍ୟ ବାହାରେ ଆତଯାତ ହେଉଥିବା ବୃହତ୍ତର ପୃଥିବୀରେ ବାସ୍ତବ କହିଲେ ସବାଆଗ ଯାହାସବୁକୁ ବୁଝାଏ, ଆମ ଆଧୁନିକ ସାହିତ୍ୟ ଯେ ଶୈଳୀର ପାଟପେଟରା ମେଲାଇ ଦେଇ ନିଜକୁ ସେଥିରୁ ବିଚ୍ଛିନ୍ନ କରି ରଖିଛି, ଆମେ ଇଚ୍ଛା କଲେ ତାହାକୁ କେନ୍ଦ୍ରରେ ରଖି ଆଧୁନିକ ସାହିତ୍ୟର ଏକ ବିଚାର କରିପାରନ୍ତେ । ଆଧୁନିକ ସାହିତ୍ୟ ଏବର ଜୀବନର ବାସ୍ତବଗୁଡ଼ିକ ପାଖରୁ ପଳାୟନ କରି ଦରବାରମାନଙ୍କର ଖଟୁଲି ସହିତ ଯେ ନିଜକୁ ଖଟାଇ ରଖିବାକୁ ଲୋଭ କରୁଛି, ହୁଏତ ଏହାକୁ ହିଁ ତାହାର ଏକ କାରଣରୂପେ ଅନୁମାନ କରାଯାଇପାରେ-। ନିଜକୁ ନୂଆ ଶୈଳୀଗୁଡ଼ାକ ଭିତରେ ଅନ୍ୟମନସ୍କ କରି ରଖିବାକୁ ଇଚ୍ଛା କରୁଥିବା ପର୍ଯ୍ୟନ୍ତ ସାହିତ୍ୟ କଦାପି ବାସ୍ତବର ସମ୍ମୁଖୀନ ହେବାକୁ ଇଚ୍ଛା କରୁଥିବା ମନୁଷ୍ୟମାନଙ୍କୁ ବଳ ଯୋଗାଇଦେଇ ପାରିବନାହିଁ । ଅବକ୍ଷୟକୁ ଆଦରି ନେଇଥିବା ଜକଜକ ସଉକୀମାନେ ହିଁ ଅଭିନବ ଓ ଆହୁରି ଅଭିନବ ବହୁ ଢଙ୍ଗରେ ଅବକ୍ଷୟର ବର୍ଣ୍ଣନ ଏବଂ ଚିତ୍ରଣ କରିବାରେ ଲାଗିଥିବେ ଏବଂ ତାହା ପ୍ରକୃତରେ ଏକ ହିରୋର କାମ ବୋଲି ଆମକୁ ଯାବତୀୟ ପ୍ରତ୍ୟୟ ଦେବାରେ ଲାଗିଥିବ-। ଯୁଗ ଯେଉଁ ଦିନ ସତକୁ ସତ ବଦଳିଯିବ, ସେତେବେଳେ କେବଳ କୌଣସି ମିଉଜିଅମରେ ହିଁ ସେମାନଙ୍କଲାଗି ହୁଏତ ଏକ ସ୍ଥାନ ନିରୂପିତ ହୋଇ ରହିବ ।

 

୨୮.୯.୯୮

 

ଏତିକି ଅଳପ କହିବା ସକାଶେ ଜଣେ ଜଣେ ମଣିଷ ଏଡ଼େ ବଡ଼ ବହିଟାଏ କାହିଁକି ଲେଖନ୍ତି କେଜାଣି ? Alfred Korzybskiଙ୍କର ବୃହଦାକାର ବହିଟିକୁ ପଢ଼ୁଥିବା ସମୟରେ ମୁଁ ବାରବାର ସେହି କଥାଟିକୁ ଭାବୁଛି । ପିଲାଦିନେ ପରୀକ୍ଷାଖାତା ଲେଖୁଥିବା ସମୟରେ ଅନେକ ସମ୍ଭବତଃ ଭାବନ୍ତି ଯେ, ସେମାନେ ଯେତେ ଯେତେ ଅଧିକ କାଗଜ ବ୍ୟବହାର କରିବେ, ଅର୍ଥାତ୍ ଯେତେ ଅଧିକ ପୃଷ୍ଠା ଲେଖିବେ, ସେମାନଙ୍କୁ ସେତିକି ଅଧିକ ନମ୍ବର ମିଳିବ । ହୁଏତ ଏଭଳି ପରୀକ୍ଷକ ମଧ୍ୟ ରହିଥିବେ, ଯେଉଁମାନେ କି ପିଲାଏ କେତେ ଅଧିକ ଲେଖିଛନ୍ତି, ସେକଥାକୁ ବିଚାର କରି ଅଧିକ ବା କମ୍ ନମ୍ବର ଦେଉଥିବେ । ଜଣେ ଏପରି ମଣିଷ ବି ରହିଛନ୍ତି, ଯେଉଁମାନେ କି ଭାବିଥାଆନ୍ତି ଯେ ସେମାନେ ଅଧିକ କହିଲେ ନିଜର ବକ୍ତବ୍ୟଟିକୁ ଶ୍ରୋତାମାନଙ୍କ ପାଖରେ ଅଧିକ ସ୍ପଷ୍ଟ କରି ଦେଇ ପାରିବେ । ତେଣୁ, ଅନେକ ସମୟରେ ହୁଏତ ସେହି ଗୋଟିଏ କଥାକୁ ଫେଣେଇ ଫେଣେଇ କହୁଥାନ୍ତି, ଅଜାଣତରେ ଅଥଚ, ପରିପୂର୍ଣ୍ଣ ଆଗ୍ରହରେ କେତେ କେତେ ପୁନରାବୃତ୍ତି ବି କରନ୍ତି,–ଏବଂ ନିଜର ବକ୍ତବ୍ୟ ପ୍ରତି ଉଚିତ୍ କର୍ତ୍ତବ୍ୟ କରୁଛନ୍ତି ବୋଲି ଅନୁଭବ କରନ୍ତି । ଏମାନେ ଶ୍ରୋତାମାନଙ୍କଠାରୁ ପାଠକମାନଙ୍କଠାରୁ ବହୁତ ଦୂରରେ ରହିଥାନ୍ତି । ନୂଆ ନୂଆ ଶବ୍ଦର ଉଦ୍‌ଭାବନ କରି ସାଦା ଶବ୍ଦମାନଙ୍କରେ ଅତ୍ୟନ୍ତ ସହଜବୋଧ୍ୟ କଥାଗୁଡ଼ିକରେ ଭଳି ଭଳି ଭାବପ୍ରବଣତା ଲଗା କୌଣସି କ୍ଳାନ୍ତି ଅନୁଭବ ନକରି ସେମାନେ କଥା କହନ୍ତି ବା ପୃଷ୍ଠାଗୁଡ଼ିକ ଲେଖନ୍ତି ।

 

ଶ୍ରୀଯୁକ୍ତ Korzybski କବି ନୁହନ୍ତି, ସାହିତ୍ୟିକ ବି ନୁହନ୍ତି । ଗଣିତବିଦ୍ୟାକୁ ସିଏ ପୃଥିବୀର ସର୍ବୋତ୍ତମ ଭେଷଜବିଦ୍ୟା ବୋଲି ମାନିଛନ୍ତି । ଗଣିତ ଭିତରେ ପଶିଲେ ବହୁତ କଥା କେଡ଼େ ସହଜରେ ଅଳପ କଥାରେ କହି ହୋଇଯାଏ ବୋଲି ମୋ’ର ଯେଉଁ ଅନୁଭବ ରହି ଆସିଥିଲା, ମୁଁ ସେଥିରେ ଆଦୌ କୌଣସି ପରିବର୍ତ୍ତନ କରିବାକୁ ଚାହୁଁନାହିଁ । ସତକୁ ସତ ସତ୍ୟଟିଏ ପାଇଲେ ମଣିଷ ସଂକ୍ଷିପ୍ତ ହୋଇଆସେ । କାରଣ, ସତକୁ ସତ ଉପଲବ୍ଧିଟିଏ ହେଲେ ଅର୍ଥାତ୍ ଏକ ସତ୍ୟଦର୍ଶନ ଘଟିଲେ ନିଜ ହୃଦୟଚକ୍ର ଯାଏ ବାଟ ମିଳିଯାଏ । ହୃଦୟ ଅଳପ କଥା ହିଁ କହେ, ଆଦୌ କୌଣସି କଥା ନକହି ମଧ୍ୟ ବହୁତ କିଛି ବ୍ୟକ୍ତି କରିପାରେ । ଜଟିଳଗୁଡ଼ାକୁ ସହଜ କରିଆଣେ । ତା’ପରେ ମଥାଟା ଉପରେ ଆଉ ଏତେ ବେଶି ନିର୍ଭର କରିବାକୁ ପଡ଼େନାହିଁ । ମଥାର ପାଣ୍ଡିତ୍ୟ ପଛରେ ରହିଯାଏ, communicationର ପ୍ରକ୍ରିୟାଟି ପ୍ରାୟ ଏକ ସ୍ପର୍ଶନପ୍ରକ୍ରିୟା ମଧ୍ୟକୁ ପରିଣତି ଲାଭ କରେ । ଯେତେବେଳେ ଏହିପରି ଭାବରେ ମଣିଷ ମଣିଷକୁ ସତକୁ ସତ ସ୍ପର୍ଶ କରି ପାରିବ, ସେତେବେଳେ ତା’ ଜୀବନରେ ମସ୍ତିଷ୍କଟା ଆଉ ମୋଟେ ଏତେ ପ୍ରବଳ ହୋଇ ଅନୁଭୂତ ହେବନାହିଁ । ସେତେବେଳେ ତାର semantics ମଧ୍ୟ ବଦଳିଯିବ, ସେଥିରେ ଅତ୍ୟନ୍ତ ଅବଶ୍ୟମ୍ଭାବୀ ଭାବରେ ଏକ ସ୍ତରୋତ୍ତୋଳନ ଘଟିବ । ଯେଉଁ ସାହିତ୍ୟ ଏହିପରି ଭାବରେ ସ୍ପର୍ଶ କରିପାରୁଛି, ଆମେ ସବାଆଗ ତାହାକୁ ହିଁ ପ୍ରଣାମ କରିବା । ଯେଉଁ ବକ୍ତବ୍ୟ ହୃଦୟନାମକ ସେହି sourceଟିକୁ ସ୍ପର୍ଶ କରିପାରେ, ତାହା ମସ୍ତିଷ୍କ ନିମନ୍ତେ ମଧ୍ୟ ମହୋପକାରୀ ହୁଏ । ତାହା ମସ୍ତିଷ୍କକୁ କାମରେ ଲଗାଏ, ଏକ ଅନ୍ୟ ସହଜତା ମଧ୍ୟକୁ ଦୀକ୍ଷିତ କରାଇନିଏ ।

 

୨୯.୯.୯୮

 

ତୁମେ ଭାଲୁର ଅଣ୍ଟାରେ ପାଟଲୁଗା ବାନ୍ଧିଦିଅ, କାନରେ ନୋଳି ଏବଂ ନାକରେ ବସଣି ପିନ୍ଧାଇଦିଅ, ମୁଣ୍ଡରେ ମୁକୁଟ ଲଗାଇ ଦେଇ ତାକୁ ନାଚି ଶିଖାଅ,–ସିଏ ତୁମର ସବୁଯାକ କଥା ମାନିବ ଓ ତୁମର କୁହା ଅନୁସାରେ ଦୁଇ ହାତକୁ ଆଗକୁ ବଢ଼ାଇଦେଇ ତୁମର ମନୋରଞ୍ଜନ ସକାଶେ ନୃତ୍ୟର ପ୍ରଦର୍ଶନ କରିବ ସିନା, ମାତ୍ର ତଥାପି ତା’ ଜଙ୍ଗଲକୁ ଝୁରି ହେଉଥିବ । କାରଣ, ଭାଲୁର ଅସଲ ଘର ସେଇ ଜଙ୍ଗଲରେ । ତୁମଲାଗି ଯାହା ଘର, ଭାଲୁପାଇଁ ତାହା ଜଙ୍ଗଲ ଏବଂ ତମପାଇଁ ଯାହା ଜଙ୍ଗଲ, ଭାଲୁପାଇଁ ତାହା ଘର ।

 

ଆମେରିକାକୁ ଅନେକ ଅନେକ ନମସ୍କାର ଯେ, ମୁଁ ଏଠି ରହିଥିଲେ ମଧ୍ୟ ସିଏ ମୋତେ ମୋ’ ଜଙ୍ଗଲକୁ ଝୁରାଇ ପାରୁଛି । ମୋ’ର ଅସଲ ଗୋଡ଼ମାନେ ଯେ ଏଠାରେ ନୁହେଁ, ସେଇଠି ପୂର୍ଣ୍ଣ ପ୍ରତ୍ୟୟ ସହିତ ଛିଡ଼ା ହୋଇଛନ୍ତି, ତାହା ହେଉଛି ମୋ’ର ପ୍ରକୃତ ପ୍ରତିଷ୍ଠା । ନିଜର ଘର ସହିତ କେହି କଦାପି ରାଜମହଲର ତୁଳନା କରେନାହିଁ । ସିଏ ରାଜମହଲକୁ ଦେଖେ, ମୁଣ୍ଡ ହଲାଏ, ହୁଏତ ମୁଗ୍ଧ ହୁଏ, ତଥାପି ନିଜର ଘରକୁ ଫେରିଯାଏ । ମଣିଷ ତ ଆହୁରି ପରର କଥା, ପାଟଯଥା ପିନ୍ଧିଥିବା ଭାଲୁକୁ ଯଦି ତୁମେ ପଚାରିବ, ତେବେ ସିଏ ମଧ୍ୟ କହିବ ଯେ, ଏହି ପୋଷାକୀ ନୂଆ ଭୂମିକାଟିକୁ ଛାଡ଼ି ସୁଯୋଗ ପାଇବା ମାତ୍ରକେ ସିଏ ତା’ ଜଙ୍ଗଲକୁ ଅବଶ୍ୟ ଫେରିଯିବ । ଆମେରିକାରେ ବାସ କରୁଥିବା ଓ ଆମେରିକାକୁ ନିଜର ଭୂମି ବୋଲି କହିବାକୁ ଶିକ୍ଷା କରିଥିବା ଲୋକମାନେ ଏଠାରୁ ଅନାଇ ବହୁତ ଦୃଷ୍ଟିରୁ ଭାରତବର୍ଷକୁ ହୁଏତ ଗୋଟାଏ ନିର୍ଧୂମ ଜଙ୍ଗଲ ବୋଲି କହିବେ । ଠିକ୍ ଯୋଉସବୁ ଦୃଷ୍ଟିରୁ ଭାରତବର୍ଷ ନିମନ୍ତେ ଆମେରିକା କିଛି ପରିମାଣରେ ଗୋଟାଏ ଜଙ୍ଗଲ ବୋଲି ଦିଶୁଥିବ, ସମ୍ଭବତଃ ପ୍ରାୟ ସେହିସବୁ କାରଣରୁ ଆମେରିକା ପାଇଁ ଭାରତବର୍ଷ ମଧ୍ୟ ଏକ ଜଙ୍ଗଲପରି ଦେଖା ଯାଉଥିବ । ଭାରତବର୍ଷ କାହିଁକି ଆମେରିକାର କଥା ମାନି ଆମେରିକାପରି ହୋଇ ଯାଉନାହିଁ ବୋଲି ଏଠାରେ ଆମେରିକାରେ ଅନେକ ଦରଦୀ ମନୁଷ୍ୟ ହୁଏତ କିଞ୍ଚିତ୍ ଅସ୍ଥିରତା ବି ପ୍ରକାଶ କରୁଥିବେ । ଏଥିପାଇଁ ଯେତେ ଡଲାର ଦରକାର ଏଠାରୁ ସେତିକି ଡଲାର ଦେଇ ଦିଆଯିବ ବୋଲି ହୁଏତ ଏଠାରୁ ଏକ ମନୋଭାବ ମଧ୍ୟ ବେଶ୍ ପ୍ରକାଶ ପାଇ ପାରିବ । ତଥାପି ଏଗୁଡ଼ାକରୁ ବେଶି କିଛି ଉପକାର ମିଳିବନାହିଁ । ଭାରତବାସୀ ସତକୁ ସତ ନିଜପାଇଁ ଝୁରିଲେ ଯାଇ ଭାରତବର୍ଷର ସମୁଚିତ ଅଭାବଗୁଡ଼ିକୁ ଦୂର କରାଯାଇ ପାରିବ । ଏବଂ, ଭାରତବର୍ଷକୁ ଅଧିକ ମୋହମୁକ୍ତ ଓ ନିବିଡ଼ ଭାବରେ ଅନୁଭବ ଓ ଅନ୍ଦାଜ କରି ପାରିବାକୁ ହେଲେ ଆମେରିକାରୁ ମଧ୍ୟ ଅନେକ ଅନ୍ତର୍ଦୃଷ୍ଟି ଯେ ମିଳିଯାଇ ପାରିବ, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ନିଜ ଘରଟିକୁ ଅଧିକ ନିବିଡ଼ ଭାବରେ ଠାବ କରି ପାରିବାପାଇଁ ସର୍ବଦା ପ୍ରବାସକୁ ଦେଖିବାର ଏକ ଆବଶ୍ୟକତା ଅବଶ୍ୟ ରହିଥାଏ । ମାତ୍ର, ଶେଷରେ ସେହି ଘରକୁ ହିଁ ଫେରିଯିବାକୁ ହୁଏ । ନିଜର ଘରଭିତରେ ହିଁ ନିଜକୁ ପରିପୂର୍ଣ୍ଣ ରୂପେ ଦେଖିହୁଏ, ମାପିହୁଏ ଏବଂ ନିୟୋଜିତ କରିହୁଏ । ଛାର ଭାଲୁଟା ମଧ୍ୟ ତା’ ଜଙ୍ଗଲରେ ହିଁ ଆପଣାକୁ ପରିପୂର୍ଣ୍ଣ ପ୍ରତ୍ୟୟ ସହିତ ଅନୁଭବ କରି ପାରୁଥିବ ।

 

୩୦.୯.୯୮

 

ଆମେରିକାକୁ ବୁଲି ଦେଖୁଥିବା ସମୟରେ ମୁଁ ନିରନ୍ତର ଭାରତବର୍ଷକୁ ହିଁ ମୋ’ ଆଖିଆଗରେ ଦେଖୁଥିଲି । ଯୋଉ ଆଖି ବାହାରକୁ ଲମ୍ବି ରହିଥାଏ, ସେହି ଆଖିରେ; ଏବଂ, ଯୋଉ ଆଖି ଭିତରରୁ ଆହୁରି ଭିତର ସହିତଲାଗି ରହିଥାଏ, ସେହି ଆଖିରେ । ଭାରତବର୍ଷକୁ ଦେଖୁଥିବା ବେଳେ ଯେତେବେଳେ ମୁଁ ନିଜର ପାଦଗୁଡ଼ିକ ତଳେ ରହିଥିବା ଭୂମିଟିକୁ ଅତ୍ୟନ୍ତ ମୂର୍ତ୍ତ ଭାବରେ ସ୍ପର୍ଶ କରେ, ସେଇଟି ହେଉଛି ଓଡ଼ିଶା । ମୋ’ ଜୀବନର ଯାବତୀୟ ଭାବର ଗଣ୍ଠି ସେହି ଓଡ଼ିଶାଠରୁ ହିଁ ପଡ଼ିଥାଏ । ମୋ’ ଦେଖିବାର ଶୈଳୀଟି ହେଉଛି ପୃଥିବୀକୁ ଦେଖିବାବେଳେ ମୋ’ ପାଇଁ ତାର ମୂର୍ତ୍ତତମ କେନ୍ଦ୍ରରୂପେ ଓଡ଼ିଶାକୁ ଦେଖିବା । ମୁଁ ଯାହାକୁ କେନ୍ଦ୍ର ବୋଲି କହିଲି, ତାହା ହେଉଛି ନିବିଡ଼ତର ଅର୍ଥରେ ଏକ ଆହ୍ଵାନ । ଏବଂ, ସେହି ଆହ୍ଵାନର ସମୀପବର୍ତ୍ତୀ ହେଲାବେଳେ ମୁଁ ସବାଆଗ ଓଡ଼ିଶାକୁ ଅବଶ୍ୟ ଦେଖେ, ଓଡ଼ିଶାକୁ ଏକ ସମୀଚୀନ ବୃହତ୍ତର ବୃତ୍ତରୂପେ ଆବୋରି ରହିଥିବା ଭାରତବର୍ଷକୁ ଦେଖେ ଏବଂ ଭାରତବର୍ଷକୁ ଏକ ବୃହତ୍ତର ବୃତ୍ତରୂପେ ଆବୋରି ରହିଥିବା ପୃଥିବୀକୁ ଦେଖେ ।

 

ଆମେରିକାରୁ ଓଡ଼ିଶାକୁ ଫେରିଯିବା ଯହୁଁ ଯହୁଁ ପାଖ ହୋଇ ଆସୁଛି, ମୋ’ର ସେହି ଭୂମିଟି ଆଖିସାମନାର ପରିସରରୁ କ୍ରମେ ମୋ’ର ସ୍ଵପ୍ନପରିସର ମଧ୍ୟକୁ ଅବତୀର୍ଣ୍ଣ ହୋଇ ଆସିଲାଣି-। କାଲି ରାତିରେ ଘଣ୍ଟା ଘଣ୍ଟା ଧରି ଓଡ଼ିଶାରେ ରହିଥିବା ସେହି ଭୂମିଟିକୁ ହିଁ ମୁଁ ସ୍ଵପ୍ନରେ ଦେଖୁଥିଲି-। ସ୍ଵପ୍ନମାନେ ଭାରି ସଚେତନ ଲାଗୁଥିଲେ । ନିଜ ଅଙ୍ଗୀକାରବଦ୍ଧତାର ଅସଲ ଅର୍ଥଗୁଡ଼ିକୁ ଚିହ୍ନାଇ ଦେବାରେ ଆମେ ସ୍ଵପ୍ନଗୁଡ଼ିକର ମଧ୍ୟ ସର୍ବଦା ଏକ ମହତ୍ତ୍ଵପୂର୍ଣ୍ଣ ଭୂମିକା ରହିଛି । ସ୍ଵପ୍ନ ବାଉଳା କରେନାହିଁ,–ଉଚିତ ଆନୁଗତ୍ୟ ସହିତ ଜୀବନ ସହିତ ଯୋଡ଼ିହୋଇ ରହିଥିଲେ ସ୍ଵପ୍ନ ମଧ୍ୟ ସମୟ ଆସିବା ମାତ୍ରକେ ନିଜର ଘରକୁ ପୁନର୍ବାର ଡାକି ନେଇଆସେ । ସ୍ଵାଗତ କରିନିଏ । ସେହି ପୁରୁଣା ପ୍ରିୟ ମଣିଷମାନେ ଦିଶନ୍ତି ଓ ସେହି ପୁରୁଣା ଆତ୍ମୀୟତାଗୁଡ଼ିକ ପୁନର୍ବାର ପ୍ରକଟ ହେବାର ଲାଗନ୍ତି । ମଣିଷ ଯେଉଁପରି ଭାବରେ ଘରୁ ବାହାରିଥାଏ, ଠିକ୍ ସେହିପରି ଭାବରେ କେବେହେଲେ ଘରକୁ ଫେରେନାହିଁ । ପ୍ରବାସକାଳରେ ସଂଗୃହୀତ ସମ୍ପଦଗୁଡ଼ିକୁ ଏକାବେଳେକେ ନିଜର ସମଧର୍ମୀମାନଙ୍କ ପାଖରେ ନେଇ ପହଞ୍ଚାଇ ଦେବାପାଇଁ ଏକ ବ୍ୟାକୁଳତା ସତେଅବା ଢଳଢଳ ହେବାକୁ ଆରମ୍ଭ କରେ । ଯାହା ଦେଖିଲି, ସେଗୁଡ଼ିକ ପ୍ରତି କୃତଜ୍ଞତା ଏବଂ ଯେଉଁ ଭୂମିଟି ପାଇଁ ଏତେସବୁ ସମ୍ପଦକୁ ସଂଗ୍ରହ କଲି, ସେହି ଭୂମିଟି ନିମନ୍ତେ ମଧ୍ୟ କୃତଜ୍ଞତା । ପୃଥିବୀରେ ଯେତେ ଯୁଆଡ଼େ ବୁଲୁଥିଲେ ମଧ୍ୟ ଯଦି ନିଜର ମୂଳ ଘରଟି ଠିକ୍ ଜନନୀର ଭରସା ଦେଇ ତୁମକୁ ଡାକି ପାରୁଥିବ ଓ ତୁମେ ସେହି ଇଙ୍ଗିତଟିକୁ ବୁଝି ପାରୁଥିବ, ତେବେ ତୁମଠାରୁ ଅଧିକ ଭାଗ୍ୟବାନ୍ ପୁଣି ଆଉ କିଏ ଅଛି ? ବାରବାର ପ୍ରବାସ କରି ବାହାରୁଥିବି ଏବଂ ବାରବାର ନିଜର ଆହ୍ଵାନଘରଟିକୁ ଫେରିଯାଇ ପାରୁଥିବି,–କେବେ ମୋତେ ଆଦୌ କୌଣସି ଅବସାଦ କଦାପି ସ୍ପର୍ଶ କରି ପାରିବନାହିଁ ।

 

୧.୧୦.୯୮

 

ଏତେ ଉପଦେଶ ଓ ସାଧୁପରାମର୍ଶ ଶୁଣିଲି, ମାତ୍ର ବାସନାକୁ ଛାଡ଼ି ପାରିଲିନାହିଁ । ଯାବତୀୟ ବାସନା ଭିତରେ ପ୍ରବେଶଦ୍ଵାରା ହିଁ ମୁଁ ବାସନାମୁକ୍ତିର ପ୍ରେରଣା ପାଇଲି । ଏ ବାସନା ଭିତରେ ପଶୁ ପଶୁ ମୋତେ ସେ ବାସନଟା ଆକର୍ଷିତ କଲା, ଯାହାଫଳରେ ମୁଁ କେଡ଼େ ସ୍ଵାଭାବିକ ଭାବରେ ଏ ବାସନାର ଗାରଗୁଡ଼ାକୁ ଅତିକ୍ରମ କରିଯାଇ ପାରିଲି । ନିଜ ସହିତ ଆଦୌ ଝଗଡ଼ା କରିବାକୁ ପଡ଼ିଲାନାହିଁ । ଭିତରେ କେଉଁ ବନ୍ଧୁ ସବୁବେଳେ ମହଜୁଦ ହୋଇ ରହିଥିଲା, ଯିଏକି ସମୟ ଅନୁସାରେ ଗାରଗୁଡ଼ିକୁ ପାର କରାଇ ନେଇଗଲା । ବାସନାକୁ ଅନେକେ ବୈରାଗ୍ୟ ସହିତ ତୁଳନା କରିଛନ୍ତି,–ଯାହାକୁ ପହଁରି ପହଁରି କୁଆଡ଼େ ମଣିଷ ଥକିଯିବ, ନୟାନ୍ତ ହୋଇଯିବ ପଛକେ, ମାତ୍ର ତଥାପି ସେହି ବୈତରଣୀକୁ ପାର ହୋଇ ପାରିବନାହିଁ । ଏହି ବୈତରଣୀର ସେପାରିରେ ବାସନା ଅତୀତ ଆଉ ଅନ୍ୟକିଛି ଯେ ପ୍ରକୃତରେ ରହିଥିବ, ଏବେ ମଧ୍ୟ ମୁଁ ସେହି ପ୍ରତ୍ୟୟଟିକୁ ପାଇ ପାରିଲିନାହିଁ । ଯେଉଁମାନେ ନିଜ ବାସନାର ଯୋଗ୍ୟ ହୋଇ ପାରନ୍ତିନାହିଁ, ସମ୍ଭବତଃ ସେହିମାନେ ହିଁ ବାସନାକୁ ଭୟ କରନ୍ତି , ପ୍ରବଳ ଅତିରିକ୍ତତା ସହିତ ବାସନା ପାଖରୁ ଲୁଚି ବୁଲୁଥାନ୍ତି ଏବଂ କେତେପ୍ରକାର ମୁଖା ପିନ୍ଧି ବାସନାର କବଳରୁ ମୁକ୍ତ ହୋଇ ପାରିଛନ୍ତି ବୋଲି ନିଜକୁ ବୋଧ ଦେବାରେ ଲାଗି ଥାଆନ୍ତି । ମଣିଷମାନଙ୍କୁ ବାସନାମୁକ୍ତ କରିନବେ ବୋଲି ଆଣ୍ଟ କରି ଯେଉଁମାନେ ପ୍ରାୟ ଏକ ଅନମନୀୟ ବାସନା ସହିତ ଭଳି ଭଳି ଶାସ୍ତ୍ର ଲେଖିଲେ, ସେମାନେ ଯଦି ମଣିଷଟା ଉପରେ କିଞ୍ଚିତ୍ ବିଶ୍ଵାସ ରଖି ପାରିଥାନ୍ତେ, ମଣିଷ ତା’ ସ୍ଵଭାବିକ ରୀତିରେ ଏ ବାସନାରୁ ସେ ବାସନାକୁ ଡେଇଁଯାଇ ପାରିବ ଅର୍ଥାତ୍ ସେହି କାମ୍ୟ ଆତ୍ମସଂପ୍ରସାରଣର ସମର୍ଥ ହେବ ବୋଲି ଭରସା କରିଥାନ୍ତେ , ତେବେ ସେମାନେ ମଣିଷମାନଙ୍କର ଅଧିକ ଉପକାର କରି ପାରିଥାନ୍ତେ । ତେବେ ମଣିଷ ହୁଏତ ସ୍ଵୟଂ ସ୍ୱଶକ୍ତିର ଅଧିକ ପରିଚୟ ପାଇ ପାରିଥାନ୍ତା ।

 

ଶୁଭତମ ବାସନାଗୁଡ଼ିକଦ୍ଵାରା ପରିଚାଳିତ ହେଉଥିବା ସମୟରେ ମୁଁ ଏହି ବାସନାକୁ ସତେଅବା ଏକ ମାତୃକ୍ରୋଡ଼ପରି ଅନୁଭବ କରିଥାଏ । ସେହି ମାତୃକ୍ରୋଡ଼ ଏକ ଦୀର୍ଘ ସୋପାନକ୍ରମପରି । ଏହି ବାସନାଗୁଡ଼ିକ ମଧ୍ୟ ଏକ ସୋପାନକ୍ରମପରି । ଉପରକୁ ଆହୁରି ଅନେକ ପାହାଚ ରହିଛି ବୋଲି ପ୍ରତ୍ୟକ୍ଷ ଅନୁଭବ କରୁଥିବା କୌଣସି ମଣିଷ କଦାପି ସିଏ ବର୍ତ୍ତମାନ ଛିଡ଼ା ହୋଇଥିବା ପାହାଚଟିକୁ କାମୁଡ଼ି ପଡ଼ି ରହିବାକୁ ଇଚ୍ଛା କରିବନାହିଁ । ସିଏ ନିଶ୍ଚୟ ଏଠାରୁ ସେଠାକୁ ଉଠିଯିବା ନିମନ୍ତେ ଇଚ୍ଛା କରିବ । ଘରେ ଝରକାମାନେ ରହିଛନ୍ତି ବୋଲି ଉପଲବ୍ଧି କରିସାରିବା ପରେ ମଧ୍ୟ କୋଉ ମଣିଷ କାହିଁକି ସେଗୁଡ଼ିକୁ ବନ୍ଦ କରି ରଖିବାକୁ ମନ କରିବ ? ଏବଂ, ଅଭିଜ୍ଞତାରୁ କହିବି, ଝରକାଗୁଡ଼ିକୁ ଖୋଲିଦେଲେ ବାହାରର ପବନ ଅବଶ୍ୟ ଘର ଭିତରକୁ ପ୍ରବେଶ କରିବ ବୋଲି ପ୍ରତ୍ୟୟ ହୋଇଯିବା ମାତ୍ରକେ ଆମକୁ ସେଗୁଡ଼ିକୁ ଖୋଲିଦେବାର ଶକ୍ତି ନିଜ ଭିତରୁ ହିଁ ମିଳିଯିବ । ଯିଏ ମୋ’ ଭିତରେ ଶକ୍ତିରୂପେ ସଂସ୍ଥିତ ହୋଇ ରହିଛି, ମୁଁ ନିର୍ବୋଧ ଭାବରେ ଗାତ ଭିତରେ, ଜାଲ ଭିତରେ ପଡ଼ି ରହିଥାଏ ବୋଲି ସିଏ କଦାପି ଇଚ୍ଛା କରୁନଥିବ । ଏବଂ, ଏତିକି ସାମର୍ଥ୍ୟ ଲାଗି ଯେଉଁ ଆତ୍ମପ୍ରତ୍ୟୟଟି ଦରକାର, ଗୁରୁମାନେ ଶିଷ୍ୟମାନଙ୍କୁ ସର୍ବଦା କେବଳ ସେତିକି ଲାଭ କରିବାରେ ସହାୟକ ହୁଅନ୍ତୁ ।

 

୨.୧୦.୯୮

 

କିଏ କହୁଛି ଯୋଗ, କିଏ କହୁଛି ବିପଣ୍ୟନା, ଆଉ କିଏ ମଧ୍ୟ sartori ବୋଲି କହୁଛନ୍ତି । ଜଣେ ମଣିଷକୁ ଧ୍ୟାନ ଭିତରକୁ ଆଣିବା ନିମନ୍ତେ ଏହିସବୁ ଭିନ୍ନ ଭିନ୍ନ ଉପାୟ ବା ମାର୍ଗର ସନ୍ଧାନ କରାଯାଇଛି । ଯୋଗୀମାନେ କହୁଛନ୍ତି ଯୋଗରେ ହିଁ ଧ୍ୟାନସିଦ୍ଧି ହେବ, ବିପଣ୍ୟନାବାଲା କହୁଛନ୍ତି ତାଙ୍କ ବାଟରେ ହିଁ ଅସଲ ସିଦ୍ଧି ମିଳିବ । ପୃଥିବୀଟାକୁ ଠିକ୍ ବାଟକୁ ଆଣିବାପାଇଁ ସମସ୍ତେ ସତେଅବା ହାଟରେ ପସରା ଫେଡ଼ି ରଖିଛନ୍ତି ଓ ବିଶ୍ଵବାସୀଙ୍କୁ ଆକୃଷ୍ଟ କରିବାକୁ ମନ କରି ଆସିଛନ୍ତି । ଯାହାର ଧ୍ୟାନ ଆଡ଼କୁ ବାସନା ହୁଏ, ସିଏ ଧ୍ୟାନ ଭିତରକୁ ଆସେ । ଆଗ ବାଟଟିକୁ ଜାଣିଲେ କ’ଣ ଯାଇ ବାସନା ହୁଏ ନା ବାସନାଟି ଜନ୍ମଲାଭ କଲେ ତା’ପରେ ଜଣେ ମଣିଷ ସଚଳ ହେବାକୁ ଆରମ୍ଭ କଲେ ହିଁ ତାହାର ସେହି ସଚଳତା ହିଁ ଏକ ବାଟରେ, ତା’ ବାଟରେ ପରିଣତ ହୋଇଯାଏ ? ଗୋଟିଏ ଗୋଟିଏ ବାଟର ମହିମା ଗାଇବାକୁ ମନ କରି ଯେଉଁସବୁ ଶାସ୍ତ୍ର ଲେଖାଯାଇଛି, ସେଗୁଡ଼ିକୁ ପଢ଼ିଲେ ଯାଇ କ’ଣ ମଣିଷ ଭିତରେ ବାସନାଟିଏ ଜନ୍ମଲାଭ କରେ ନା ଆଗ ବାସନାଟିଏ ଘାରିଲେ ମଣିଷ ଆଗକୁ ପାଦ ପକାଉ ପକାଉ ବାଟଗୁଡ଼ିକ ସହିତ ତା’ର ପରିଚୟ ହୁଏ, ସେକଥା ଅନୁଭବୀମାନେ ହିଁ କହିବେ । ଆଗ ବାସନା ଜନ୍ମିଲେ ଜଣେ ବ୍ୟକ୍ତି ଗୁରୁ ଖୋଜି ବାହାରେ ନା ଜଣେ ଗୁରୁ ଆଗ ଆମପାଖକୁ ଆସି ଆମକୁ ଏକ ବାସନାର କର୍ଷଣ କରିବା ପାଇଁ ମନ୍ତ୍ରଣା ଦିଅନ୍ତି, ସେହି ବିଷୟରେ ଗୁରୁମାନେ ଯାହା କହିଥାନ୍ତୁ ବା କହିବାରେ ଲାଗିଥାନ୍ତୁ ପଛକେ, ଅନୁଭବୀମାନେ ହିଁ ପ୍ରକୃତ କଥା କହିପାରିବେ ।

 

ଭିତରେ କ’ଣ ଗୋଟାଏ ଖୁସି ଥିବ ଯାହାଫଳରେ ବାହାରେ ସକଳ ସମ୍ପର୍କ ଏବଂ ସକଳ ସ୍ପର୍ଶ କେବଳ ଖୁସିରେ ଭରାଇ ଦେଉଥିବ, ଭିତରେ କୋଉଠି ଥିର ସରୋବରଟିଏ ରହିଛି ବୋଲି ପ୍ରତ୍ୟୟ ମିଳି ଯାଉଥିବ, ଯାହାଫଳରେ କି ଏହି ବିଶ୍ଵସରୋବରର ସମ୍ମୁଖରେ ଛିଡ଼ା ହୋଇ ମୋଟେ ଅଶ୍ଵସ୍ତ ଲାଗୁନଥିବ,–ଏଠି ଦୃଶ୍ୟ ଅଦୃଶ୍ୟ ସବୁକିଛି ପୂର୍ଣ୍ଣ ସ୍ୱାଭାବିକତା ସହିତ କୋଉ ଅସଲ ଘରଟି ସହିତ ସଂଯୁକ୍ତ ହୋଇ ରହିଥିବ,–ଯଦି ତୁମେ ଏହିଭଳି ଗୋଟିଏ ଧ୍ୟାନର ଅବସ୍ଥାରେ ଆଠ ପ୍ରହରଯାକ ବିଚରଣ କରି ପାରୁଥିବ, ତେବେ ଧ୍ୟାନ ଶିଖିବା ନିମନ୍ତେ ତୁମକୁ ଆଦୌ କୌଣସି ବିଶେଷ ଇସ୍କୁଲକୁ ଯିବାକୁ ପଡ଼ିବନାହିଁ କିମ୍ବା ଗୁରୁ ଖୋଜି ଆଦୌ କୌଣସି ବଜାରକୁ ଯିବାକୁ ହେବ ନାହିଁ । ଗୁରୁ ନଖୋଜି ପ୍ରାୟ ଆକସ୍ମିକ ଭାବରେ ଯିଏ ଆସି ହାବୁଡ଼ିଗଲେ, ତାହାଙ୍କୁ ହିଁ ଗୁରୁ ବୋଲି ମାନିବା ଓ ତାଙ୍କରି ନାମରେ ଭେକଟିଏ ପିନ୍ଧିବାର ଯନ୍ତରମନ୍ତର ଭିତରେ ଯେଉଁମାନେ ପଡ଼ି ଯାଇଥାନ୍ତି, ସେମାନେ ସତେଅବା ସର୍ବଦା ଭାରି ଅନ୍ୟମନସ୍କ ହୋଇ ରହିଥାନ୍ତି । ସେମାନେ ଧ୍ୟାନରେ ବସିବାଲାଗି ନିର୍ଦ୍ଦିଷ୍ଟ ସମୟସବୁ ରଖିଥାନ୍ତି । ଏବଂ, ପୃଥିବୀର ଅଧିକାଂଶ ଗୁରୁ କାହିଁକି କେଜାଣି ଏପରି ଗଲତ ଧାତୁରେ ଗଢ଼ା ହୋଇଥାନ୍ତି ଯେ, ଶିଷ୍ୟବୃନ୍ଦ ସେହି ରୁଟିନ୍‌ଗୁଡ଼ାକୁ ମାନୁଥିବାର ଦେଖିଲେ ଗୋଟାଶୁଦ୍ଧା ପ୍ରୀତ ହୋଇ ଯାଆନ୍ତି । ଧ୍ୟାନବ୍ରହ୍ମ ଠୋ’ ଠୋ’ ହୋଇ ହସିବାରେ ଲାଗିଥାଆନ୍ତି ।

 

୩.୧୦.୯୮

 

Unknown

ପ୍ରାୟ ଷାଠିଏବର୍ଷ ପୂର୍ବେ ଦ୍ଵିତୀୟ ବିଶ୍ଵସମର ନାମରେ ଯେଉଁ ତଥାକଥିତ ଉତ୍ତପ୍ତ ଯୁଦ୍ଧ ଲାଗିଥିଲା, ଏକ ହିସାବ ଅନୁସାରେ ସେଥିରେ ସାଢ଼େ ଚାରିକୋଟି ଲୋକଙ୍କର ପ୍ରାଣହାନି ହୋଇଥିଲା । ସେଥିମଧ୍ୟରୁ କେବଳ ତତ୍କାଳୀନ ସୋଭିଏଟ୍ ରୁଷିଆରେ ଦୁଇ ତିନି କୋଟି ମଣିଷ ମରିଥିଲେ । ଯୁଦ୍ଧ ପରେ ତଥାପି କେଉଁ ବଳକଷାକଷି ଚାଲିଲା ଏବଂ ଗାରଡିଆଁଡେଇଁ ହେଲା, ସମସ୍ତେ ତାହାକୁ ଶୀତଳଯୁଦ୍ଧ ବୋଲି କହିଲେ । ସେହି ଶୀତଳଯୁଦ୍ଧ ମୂଳତଃ ଆମେରିକା ଓ ରୁଷିଆ ମଧ୍ୟରେ ଚାଲୁ ରହିଥିଲା । ଅନ୍ୟମାନେ ସାଥୁଆ ଓ ଗହଣିଆ ହୋଇ ରହିଥିଲେ, ସେମାନେ ଯୁଦ୍ଧରାଜାର ବିଭାଘରେ ସତେଅବା ଭଣ୍ଡାରି , ବାଜାଦାର ଏବଂ ଶଂଖୁଆପରି କାର୍ଯ୍ୟ କରୁଥିଲେ । ଏହି ଅବସରରେ ବିଧାତାର କୂଟ ଅନୁସାରେ ରୁଷିଆ ରାଷ୍ଟ୍ର ଭାଙ୍ଗିବାକୁ ଆରମ୍ଭ କଲା ଓ ତା’ ସହିତ ତା’ ପଟେ ବନ୍ଧା ହୋଇଥିବା ଅନ୍ୟ ଭାଡ଼ିମାନେ ମଧ୍ୟ ଭୁଷୁଡ଼ି ପଡ଼ିଲେ । ଏବଂ, ଏହି ନବମ ଦଶକଠାରୁ ଅର୍ଥାତ୍ ପୁରୁଣା ଶୀତଳ ଯୁଦ୍ଧଟାର ବସ୍ତୁତଃ ଆଉ କୌଣସି ପ୍ରାସଙ୍ଗିକତା ନରହିବା ପରେ ତଥାପି ଯୁଦ୍ଧରେ ବିଶ୍ଵାସ କରୁଥିବା ପଟମାନଙ୍କର ବୁଦ୍ଧି ହେଲାନାହିଁ । ତଥାପି ଅସ୍ତ୍ରର ପ୍ରତିଯୋଗିତା ବନ୍ଦ ହେଲାନାହିଁ ଏବଂ କ୍ରମଶଃ ତହୁଁ ବଳି ତହୁଁ ବଳି ମହାଅସ୍ତ୍ରମାନ ବାହାରିଲା । ଏହି ପୃଥିବୀର ବିଜ୍ଞାନଗୁଡ଼ାକୁ ପ୍ରଧାନତଃ ସେଇଥିଲାଗି ଖରଚ ହୋଇଗଲା । କୋଉଠି କୌଣସି ପକ୍ଷ ନଥାଇ ଏବେ ପୃଥିବୀରେ ଯେଉଁ ଯୁଦ୍ଧ ଚାଲିଛି, ଆମେ ସେଇଟାକୁ ପୁଣି କି ଯୁଦ୍ଧ ବୋଲି କହିବା ?

 

ଗୋଟାଏ ପାଖରେ ବିଶ୍ଵାସ ଓ ଆଉଗୋଟାଏ ପଟରେ ଅବିଶ୍ଵାସ । ଅବିଶ୍ଵାସ ପଛରେ ଏକ ପାରସ୍ପରିକ ଭୟ । ଏବଂ, ବିଶ୍ଵାସ ପଛରେ ମଣିଷ ଭିତରେ ରହିଥିବା ଭଲଟା ଉପରେ ଭରସା । ଭଲଟାର କ’ଣ ପ୍ରକୃତରେ ଏତେବେଶି ଶକ୍ତି ରହିଛି ଯାହାଦ୍ୱାରା କି ସିଏ ଭୟ ବା ଯାବତୀୟ ହିଂସ୍ରତାକୁ ପ୍ରଶ୍ରୟ ଦେଉଥିବା ଭୟ ଉପରେ ଜୟଲାଭ କରି ପାରିବ ? ରାଷ୍ଟ୍ରମାନେ, ବାଦମାନେ, ଉଗ୍ର କର୍ତ୍ତା ଓ କତ୍ତୃତ୍ତ୍ଵମାନେ ଭୟ କରୁଛନ୍ତି । ସେଇମାନଙ୍କ ହାତରେ କ୍ଷମତା ରହିଛି । ରାଷ୍ଟ୍ରର କ୍ଷମତା, ପୃଥିବୀକୁ, ଅନ୍ନ ଯୋଗାଇବାର ଅଥବା ପୃଥିବୀକୁ ଭୋକରେ ମାରିବାର କିମ୍ବା ଅଶିକ୍ଷା ମଧ୍ୟରେ କାବୁ କରି ରଖିବାର କ୍ଷମତା । ମାତ୍ର କେତେଟା ମିନିଟରେ ବାଣ ମାରି ପୃଥିବୀର ମଣିଷମାନଙ୍କୁ ପାଉଁଶରେ ପରିଣତ କରିଦେବାରେ କ୍ଷମତା । ଏବଂ, ପୃଥିବୀଯାକର ସାଧାରଣ ମଣିଷମାନେ ବଞ୍ଚି ରହିବାକୁ ଚାହୁଁଛନ୍ତି, ସେମାନେ ଯୁଦ୍ଧ ଇଚ୍ଛା କରୁନାହାନ୍ତି । ରାଷ୍ଟ୍ରୀୟତା ଅପେକ୍ଷା ମନୁଷ୍ୟମାନଙ୍କୁ ଏକାଠି ବାନ୍ଧି ରଖିଥିବା ଦୃଶ୍ୟ ତଥା ଅଦୃଶ୍ୟ ନାନାବିଧ ଭାବ ଓ ନାନାବିଧ ଭାବନା ଉପରେ ସେମାନେ ଅଧିକ ବିଶ୍ଵାସ କରୁଛନ୍ତି । ଅର୍ଥାତ୍‍, ନିଜ ଭିତରେ ନିଶ୍ଚୟ କୌଣସି ପ୍ରତ୍ୟକ୍ଷ ପ୍ରମାଣ ପାଇ ସବୁ ମଣିଷଙ୍କ ଭିତରେ ରହିଥିବା ଭଲ ଉପରେ, ବିବେକ ଉପରେ ବିଶ୍ୱାସ କରୁଛନ୍ତି-। ଏହି ଭଲ ଓ ବିବେକ ବିଜୟଲାଭ କରିବା ନିମନ୍ତେ ଯେଉଁ ଅନ୍ୟ ଅସ୍ତ୍ରଗୁଡ଼ିକ ଦରକାର, ପୃଥିବୀରେ ତାହାରି ହିଁ ଉତ୍ତରୋତ୍ତର ବୃଦ୍ଧି ହେଉଥାଉ ।

 

୫. ୧୦.୯୮

 

ଆପଣାର ସଭ୍ୟତାୟନଗୁଡ଼ିକୁ ଅଧିକରୁ ଅଧିକ ସମୃଦ୍ଧିମନ୍ତ କରିବା ନିମନ୍ତେ ମଣିଷମାନେ କେଡ଼େ ନିଶାସକ୍ତ ଭାବରେ ଅନ୍ୟ ଅନେକ ମଣିଷଙ୍କ ଉପରେ କ୍ରୂର ନାନାବିଧ ଆଚରଣ ନକରିଛନ୍ତି । ସଭ୍ୟତାର ଇତିହାସ କ’ଣ ସେହି କାରଣରୁ ଅନ୍ୟ ପାଖଟିରୁ ଦେଖିଲେ ବହୁ ବର୍ବରତାର ଏକ ଇତିହାସ ହୋଇ ରହିଛି କି ? ନିଜର ସୁଖ ପାଇଁ ଅନ୍ୟ ଅନେକଙ୍କର ସୁଖକୁ ଅପହରଣ କରାଯାଇଛି, ଆପେ ସବୁକିଛି ମାଡ଼ି ବସିବା ସକାଶେ ମଣିଷମାନେ ଅନ୍ୟ କେତେ କେତେ ମନୁଷ୍ୟଙ୍କୁ ବଞ୍ଚିତ କରି ଆସିଛନ୍ତି । ଏବେ ମଧ୍ୟ ପୃଥ୍ଵୀବୃକ୍ଷଟିର ଡାଳଗୁଡ଼ିକ ବହୁ ସମ୍ପନ୍ନତାରେ ଭାଗି ପଡ଼ୁଥିବା ସମୟରେ ପୃଥିବୀରେ ଅଧିକ ମନୁଷ୍ୟ ପ୍ରଧାନତଃ ଅପମାନିତ ଏବଂ ବର୍ଜିତ ହୋଇ ରହିଛନ୍ତି । ଆମେରିକାରେ ଏଡ଼େ ଜକଜକ ହୋଇ ଦେଖା ଯାଉଥିବା ବହୁସମୃଦ୍ଧିର ପଛରେ ଏହି ଭୂମିରେ ଏକଦା ଏଠାକାର ମୂଳ ବାସିନ୍ଦାମାନଙ୍କ ଉପରେ କରା ଯାଇଥିବା ଅତ୍ୟାଚାର ଓ ବଳତ୍କାରଗୁଡ଼ିକର କାହାଣୀମାନ ରହିଛି । ଏଠାରେ ଭୂମିକୁ ଆବାଦଯୋଗ୍ୟ କରିବା ନିମନ୍ତେ ଆମଦାନୀ କରି ଅଣା ଯାଇଥିବା ଆଫ୍ରିକୀୟ ମଣିଷମାନଙ୍କୁ ମଧ୍ୟ କ’ଣ କମ୍ ଅମାନୁଷିକତା ସହିବାକୁ ହୋଇଛି ? ଏହିସବୁ କାହାଣୀକୁ ସାମନା କଲାବେଳେ ମନେ ହୁଏ, ସତେଯେପରି , ନିଜର ଜ୍ଞାନ, ଗୁଣ ଅଥବା କୌଣସି ଭାଗବତ ଉତ୍କର୍ଷ ସକାଶେ ନୁହେଁ, ନିଜର ଅସ୍ତ୍ରବଳରେ ହିଁ ଥୋକାଏ ମଣିଷ ଅନ୍ୟ ମଣିଷମାନଙ୍କୁ ଜୟ କରିଛନ୍ତି ଏବଂ ଏଠି ଆପେ ରାଜା ହୋଇ ବସିଛନ୍ତି ।

 

ସେହି ଦୌରାତ୍ମ୍ୟ ପୃଥିବୀର ପ୍ରାୟ ସବୁ ଖଣ୍ଡ ଓ ଉପଖଣ୍ଡରେ ଲାଗିରହିଛି । ଆଦର୍ଶମାନେ ମଣିଷମାନଙ୍କୁ ସ୍ଵପ୍ରତ୍ୟୟଦ୍ଵାରା ନିଜର କରି ଆଣିବା ପୂର୍ବରୁ ଅର୍ଥ, ଅସ୍ତ୍ର ଏବଂ ପୀଡ଼ନର ଭୟପ୍ରଦର୍ଶନଦ୍ଵାରା ମଣିଷମାନଙ୍କୁ ଆଜ୍ଞାବହ ଏବଂ ଅଧୀନ କରି ରଖାଯାଇଛି । ସଂପୃକ୍ତ ପ୍ରକ୍ରିୟାଟିରେ କେଉଁଠାରେ କଣ’ସବୁ ବିଗିଡ଼ି ଯାଇଛି ବୋଲି ଯେ ଏପରି ହୋଇଛି, ଥିର ହୋଇ ପରସ୍ପର ଉପରେ ଦୋଷ ଲଦିଦେବାର କୌଣସି ଚେଷ୍ଟା କରାନଯାଇ ସେହି କଥାଟିର ଆଲୋଚନା ଅବଶ୍ୟ ହେବା ଉଚିତ । ରାଷ୍ଟ୍ରୀୟତାର ଭୂତଟା ମଣିଷମାନଙ୍କୁ ମାଡ଼ିବସିବା ପରେ ପୃଥିବୀରେ ନ୍ୟାୟ, ଧର୍ମ, ଭ୍ରାତୃତ୍ଵ ପ୍ରଭୃତି ସତ୍ୟଗୁଡ଼ିକ ସତେଅବା ଅଧିକରୁ ଅଧିକ ପରିମାଣରେ ପୋଥିମାନଙ୍କ ଭିତରେ ରତ୍ନବତ୍ ସାଇତା ହୋଇ ରହୁଛି ସିନା, ମାତ୍ର ମଣିଷର କୌଣସି କାର୍ଯ୍ୟରେ ଲାଗି ପାରୁନାହିଁ । ଜୀବନଟା, ବିବେକଟା ସତେଯେପରି ଦୁଇଫାଳ ହୋଇ ଯାଉଛି । ଜୀବନଧାରଣର ଏକ expediencyରୂପେ ମନୁଷ୍ୟମାନେ କ୍ରମେ ଦୁଇଫାଳ ହୋଇ ବଞ୍ଚିବାକୁ ହିଁ ସତେଯେପରି ନିରାପଦ ବୋଲି ମନେ କରୁଛନ୍ତି । ହୁଏତ ସେହି କାରଣରୁ ଆମ ଶିକ୍ଷାଭିତରେ ବହୁତ ବହୁତ କପଟତା ଆସି ପଶିଗଲାଣି; ମଣିଷମାନେ କ୍ରମେ ପଥରପରି ହୋଇ ଯାଉଛନ୍ତି ଏବଂ ଯଥାସମ୍ଭବ ଅଧିକ ବାଧାରହିତ ଭାବରେ ନିଜର ଜୀବନଟିକୁ ବଞ୍ଚି ପାରିବାକୁ ହିଁ ଏକମାତ୍ର ସାମର୍ଥ୍ୟ ବୋଲି ଧରି ନେଉଛନ୍ତି । ବହୁ ଭୀରୁତା ଏବଂ ବହୁତ କୁଣ୍ଠା ମଣିଷ ପାଇଁ ଭଗବାନଙ୍କର ପଥଗୁଡ଼ିକୁ ଅନ୍ତରାଳ କରି ରଖିଛି । ଏପରି ଗୋଟିଏ ବହୁକୁଣ୍ଠିତ ସଂସାରରେ ଭଗବାନ ମଧ୍ୟ ପ୍ରକୃତରେ ଆଉ କ’ଣ କରି ପାରନ୍ତେ ? ତେଣୁ ସିଏ ମଧ୍ୟ ଏହି ବହଳିଆ ମଣିଷମାନଙ୍କର କଥାଗୁଡ଼ାକୁ ମାନି ନେବାଟାକୁ ହିଁ ଅଧିକ ନିରାପଦ ବୋଲି ଗ୍ରହଣ କରି ନେଉଛନ୍ତି ।

 

୬.୧୦.୯୮

 

ତୁମେ ଗୋଟିଏ ସ୍ତରରେ ଥିବ ଓ ତୁମର ସାହିତ୍ୟ ଆଉଗୋଟିଏ ସ୍ତରରେ ଥିବ,–ତେବେ ତଦ୍ଦ୍ଵାରା କେବଳ ତୁମେ ଯେ ସବୁକିଛି ଲେଖିବା ସତ୍ତ୍ୱେ ନିଯଭିତରେ ଏକ ନିଃସଙ୍ଗତା ଅନୁଭବ କରୁଥିବ ତା’ ନୁହେଁ, ତୁମର ସାହିତ୍ୟ ମଧ୍ୟ ଏହି ପୃଥିବୀରେ ଆଦୌ କାହାରି କିଛି କରି ପାରିବନାହିଁ । ବହିମାନଙ୍କର ପରିମାଣ ବଢ଼ୁଥିବ, ଗୁଡ଼ାଏ ମିଛ ସାହିତ୍ୟତତ୍ତ୍ଵର ବଖାଣ ଏବଂ ଆପ୍ୟାୟନ ହେଉଥିବ ସିନା, ମାତ୍ର ସେହି ସାହିତ୍ୟଦ୍ଵାରା ତୁମର କିମ୍ବା ତୁମ ପୃଥିବୀର କୌଣସି ଉତ୍ତୋଳନ ସମ୍ଭବ ହେବନାହିଁ । ସାହିତ୍ୟିକମାନେ ଅଧିକରୁ ଅଧିକ ନାନଭଳି ଗମ୍ଭୀର ଭିତରକୁ ଚାଲି ଯାଉଥିବେ, ସେଠାରେ ନିଜପାଇଁ ଗୋଟାଏ ଗୋଟାଏ ସିଂହାସନ ରଚନା କରି ନିଜକୁ ବାଦଶାହ ବୋଲି ଘୋଷଣା କରୁଥିବେ । ଆପଣା ସହିତ ଏହିପରି ରତି କରି କରି ସେମାନେ ଅବଶ ହୋଇ ପଡ଼ୁଥିବେ ସିନା, ମାତ୍ର ଆଉ ମୋଟେ ଅଧିକ କିଛି କରି ପାରିବେନାହିଁ ।

 

ଠିକ୍ ଏହି ଅବଶ ଅବସ୍ଥାମାନେ ଆସି ମାଡ଼ି ବସିଲାବେଳେ ହିଁ ସାହିତ୍ୟିକମାନେ ନୂଆ ନୂଆ ଶୈଳୀ ଖୋଜି ବାହାରନ୍ତି । ନିଜକୁ ଖୋଜି ପାରନ୍ତିନାହିଁ ବୋଲି ଶୈଳୀକୁ ଖୋଜନ୍ତି । ଏବଂ, ଯଦି ସାହିତ୍ୟ ସ୍ଵୟଂ ସାହିତ୍ୟିକକୁ ନିଜକୁ ଖୋଜିବାର ପ୍ରେରଣା ଦେଇ ନପାରିଲା, ତେବେ ସେହି ସାହିତ୍ୟ ଚୁଲିକୁ ଗଲେ ମଧ୍ୟ ବିଧାତାଙ୍କର ଆଦୌ କୌଣସି କ୍ଷତି ହେବନାହିଁ । ଆମ ଆଧୁନିକ ସାହିତ୍ୟର ନିଃସଙ୍ଗ ଆତ୍ମରସିକମାନେ ଯେତେବେଳେ ପୃଥିବୀଟା ଉଜୁଡ଼ିଗଲା ବୋଲି ଶବ୍ଦଗୁଡ଼ାକ ସାହାଯ୍ୟରେ ହାହାକାର କରି ଉଠନ୍ତି, ସେତେବେଳେ ମୁଁ ସର୍ବଦା ଏହିପରି ଚିନ୍ତା କରିଥାଏ । ଯାହା ନିଜକୁ ସ୍ପର୍ଶ ହିଁ କରିବନାହିଁ ଏବଂ ସେହି ମୂଳଭୂତ ଅସମର୍ଥତାକୁ ଘୋଡ଼ାଇ ରଖିବା ନିମନ୍ତେ ଶୈଳୀ ଖୋଜୁଥିବ, ଚିତ୍ର ଖୋଜୁଥିବ, ତାହାକୁ ପୁଣି ଆଦୌ କୌଣସି ସର୍ଜନାତ୍ମକତା ବୋଲି କାହିଁକି କୁହାଯିବ । ସାହିତ୍ୟର ସାମର୍ଥ୍ୟ ମନୁଷ୍ୟମାନଙ୍କ ନିମନ୍ତେ ପ୍ରକୃତରେ ଏକ ଆଶୀର୍ବାଦ ପରି, ଯାହାକି ସେମାନଙ୍କର ଜୀବନଟିକୁ ନିବିଡ଼ ଭାବରେ ଖୋଜିବାକୁ ଏବଂ ସେଥିପାଇଁ ଆବଶ୍ୟକ ପ୍ରକାରେ ସାହସୀ ହେବାକୁ ପ୍ରେରଣା ଆଣି ଦେଇଯାଏ । ସାହିତ୍ୟ ଲେଖୁ ଲେଖୁ ସେହି ପ୍ରେରଣା ନିଜର ଜୀବନ ମଧ୍ୟକୁ ସଞ୍ଚରିତ ହୋଇଯାଏ, ନିଜଭିତରେ ବହୁ ଦ୍ଵାରୋନ୍ମୋଚନର ଅବସର ଆଣିଦିଏ, ନିଜକୁ ବହୁପ୍ରକାରେ ଅଧିକ ଯୋଗ୍ୟ କରି ନେଉଥାଏ । ଏହିପରି ଭାବରେ ସାହିତ୍ୟର ମାଧ୍ୟମରେ ହିଁ ସାହିତ୍ୟର ଲେଖକ ନିଜଭିତରେ କେଡ଼େ ସହଜରେ ପାହାଚ ପରେ ପାହାଚ ଉଠି ଯାଉଥାଏ ଓ ପାଖୁଡ଼ାକୁ ପାଖୁଡ଼ା ଖୋଲି ଯାଉଥାଏ । ଜଣେ ଲେଖକ ଏହି ଧାରାରେ କେତେ ପାହାଚ ଉଠିପାରିଛି ଓ ନିଜର ପାଖୁଡ଼ାଗୁଡ଼ିକ କେତେଯାଏ ଖୋଲି ପାରିଛି, ତାହାର ସାହିତ୍ୟରୁ ସର୍ବଦା ଅଧିକ ସ୍ପଷ୍ଟ ଭାବରେ ତାହାରି ପରିଚୟ ହିଁ ମିଳିଯାଏ । ଯାବତୀୟ ସାହିତ୍ୟସମିକ୍ଷା ପ୍ରକୃତରେ ଏହିପରି ଗୋଟିଏ ଭୂମିଉପରେ ହୋଇପାରିବା ଉଚିତ । ଯେଉଁ ସାହିତ୍ୟ ଉନ୍ମୋଚନ ଏବଂ ଉତ୍ତୋଳନର କାରଣ ହୋଇଥାଏ, ତାହାର ଶୈଳୀ ମଧ୍ୟ ସର୍ବତଃ ଅଲଗା ପ୍ରକାରର ହୋଇଥାଏ ଏବଂ ସେଥିରୁ ଏକ ଅନ୍ୟ ପ୍ରକାରଣ ଅନ୍ତଃପ୍ରସାରଣ ସମ୍ଭବ ହୁଏ ।

 

୭.୧୦.୯୮

 

ଅରାଜି, ଅରାଜି ଆଉ ଅରାଜି । ପୃଥିବୀରେ ଏପରି କେତେକ ମନୁଷ୍ୟ ସର୍ବଦା ଥାଆନ୍ତି, ଯେଉଁମାନେ କି ଆଦୌ କୌଣସି କଥାରେ ରାଜି ହୋଇ ପାରନ୍ତିନାହିଁ । ସେମାନଙ୍କର ନିଜ ସହିତ କୌଣସି ଝଗଡ଼ା ଲାଗି ରହିଥାଏ କି ? ଅଥବା, କ’ଣ ପାଇଁ ସେମାନେ ନିଜର ଅସଲ ଘରଟି ଭିତରୁ ବାହାରେ ବାହାରେ ରହିଥାନ୍ତି, ଯାହା ସକାଶେ ସେମାନେ ସତେଅବା କୌଣସି ଘରେ ବି ନିଜକୁ ସୁସ୍ଥ ଅନୁଭବ କରି ପାରନ୍ତିନାହିଁ । ପୃଥିବୀରେ ସବୁ କଥାରେ ରାଜି ହୋଇଯିବା ଯେ ଏକ ସୁସ୍ଥ ଲକ୍ଷଣ, ସେକଥା ମଧ୍ୟ ମୋଟେ ଠିକ୍ ନୁହେଁ । କିନ୍ତୁ, ବହୁତ ମଣିଷ ପ୍ରଧାନତଃ ଏକ ନକରାତ୍ମକ ବ୍ୟୂହ ମଧ୍ୟରେ ସତେଅବା ନିଜର ଏକ ଅଲଗା ତମ୍ଭୁ ପକାଇ ରହିଥାନ୍ତି, ଯାହାଫଳରେ କି ସେମାନେ ସଂସାରରେ କିଛିକୁ ବି ନିଜର ବୋଲି ସ୍ଵୀକାର କରି ପାରନ୍ତିନାହିଁ ।

 

ସେହି ଲୋକମାନେ କୌଣସି ଥାନରେ ମଧ୍ୟ ଆପଣାକୁ ଅଙ୍ଗୀକାରବଦ୍ଧ କରି ରଖିନଥାନ୍ତି । କାହାକୁ ନିଜର ବୋଲି ଅନୁଭବ କଲେ ସିନା ତା’ପରେ ଯାଇ କେଉଁଠି ସତକୁ ସତ ଅଙ୍ଗୀକାରବଦ୍ଧ ହୋଇ ରହିବାର ପ୍ରଶ୍ନ ଉଠିଥାଏ । କାହାକୁ ନିଜର ବୋଲି ଅନୁଭବ କରିବାର ଅର୍ଥ ହେଉଛି କାହାପାଇଁ ବା କେଉଁଟିପାଇଁ ଆପଣାକୁ ଦେବାଲାଗି ରାଜି ହେବା । ଏବଂ, ଭଲ ନପାଇ ପାରୁଥିଲେ ମଣିଷ ଆପଣାକୁ କଦାପି କେଉଁଠିହେଲେ ଦେବାକୁ ସମର୍ଥ ହୋଇ ପାରେନାହିଁ । ଅରାଜି ମଣିଷମାନେ ସତେଅବା ବୟସ ବଢ଼ିବା ସଙ୍ଗେ ସଙ୍ଗେ ତଥାପି ବଡ଼ ହୁଅନ୍ତିନାହିଁ, ସେହି ପିଲାଟି ହୋଇ ରହି ଯାଇଥାନ୍ତି । କେବଳ ଆପଣାକୁ ହିଁ ଦେଖୁଥାନ୍ତି, ଅନ୍ୟ କାହାକୁହେଲେ ଦେଖି ପାରନ୍ତିନାହିଁ । ସଂସାରଟା ସତେଅବା ସେହିମାନଙ୍କ ସକାଶେ ହିଁ ଚାଲିଛି ବୋଲି ଆଣ୍ଟର ସହିତ ବିଶ୍ଵାସ କରୁଥାନ୍ତି । ସେମାନେ ଭଗବାନଙ୍କୁ ମଧ୍ୟ ତୁଚ୍ଛା ନିଜପାଇଁ ଲୋଡ଼ନ୍ତି, ନିଜପାଇଁ ଡାକନ୍ତି । ତାଙ୍କୁ ତୃପ୍ତ କରି ତୁଚ୍ଛା ନିଜପାଇଁ ଅଧିକରୁ ଅଧିକ ହାସଲ କରିବାର ଅଭିପ୍ରାୟ ରଖିଥାନ୍ତି । ମଣିଷମାନେ ମର୍ମତଃ ଭଲ ହୋଇଥିବେ ବୋଲି ସେମାନେ ମୋଟେ ବିଶ୍ଵାସ କରି ପାରନ୍ତିନାହିଁ । ନିଜଭିତରେ ଭଲଟିର ଅର୍ଥାତ୍ ଅସଲଟିର ଅନୁଭବ ନପାଇଥିଲେ ମନୁଷ୍ୟର ଯେଉଁ ଦଶା ହୁଏ, ଏହି ଲୋକମାନେ ପ୍ରାୟ ସ୍ଥାୟୀ ଭାବରେ ସେହି ଦଶାରେ ରହିଥାନ୍ତି । ସମ୍ଭବତଃ ଭୟ ହିଁ ସେମାନଙ୍କର ଯାବତୀୟ ବଞ୍ଚିବା ପଛରେ ସର୍ବମୂଳ ପ୍ରେରଣା ହୋଇ ରହିଥାଏ । ସେମାନେ ସର୍ବଦା ଭାରି ସତର୍କ ହୋଇ ରହି ଥାଆନ୍ତି, ତେଣୁ କାହାରି ଉପରେ ଆସ୍ଥା ରଖି ପାରନ୍ତିନାହିଁ । ମଣିଷ ଉପରେ ଆସ୍ଥା ନଥିଲେ ମଣିଷ ଆଦୌ କେଉଁଥିରେ ରାଜି ମଧ୍ୟ କିଭଳି ହୋଇ ପାରିବ ? ଅରାଜି ମଣିଷମାନେ ନିରନ୍ତର ଭାରି ଉତ୍ତପ୍ତ ହୋଇ ରହିଥାନ୍ତି ସିନା, ମାତ୍ର ନିଜ ସହିତ ମଧ୍ୟ ସେମାନଙ୍କର ସର୍ବଦା ଏକ ଅତ୍ୟନ୍ତ ଦୟନୀୟ ସମ୍ପର୍କ ରହିଥାଏ । ପୃଥିବୀରେ କେତେ ବେଶି ଧୋକା ଖାଇଲେ ଯାଇ ଯେ ଜଣେ ମନୁଷ୍ୟ ସବୁଥିରେ ଅରାଜି ହେବାକୁ ହିଁ ନିଜର ଧର୍ମ ବୋଲି ଚେଷ୍ଟା କରିଥାଏ । ସେମାନଙ୍କର ଏପରି ଗୋଟିଏ ବନ୍ଧୁର ଆବଶ୍ୟକତା ରହିଥାଏ, ଯିଏକି ସ୍ଵୟଂ ଆସି ସେମାନଙ୍କର କବାଟଟିକୁ ଭାଙ୍ଗିଦିଏ ଏବଂ ସଂସାରରେ ରାଜି ହୋଇ ବଞ୍ଚିପାରିବା ହିଁ ଅଧିକ ହିତକାରକ ବୋଲି ଆପଣାଆଡ଼ୁ ଜଣାଇଦିଏ ।

 

୮.୧୦.୯୮

 

ଯେଉଁ ସଂସ୍କୃତି ନିଜକୁ ସର୍ବଶ୍ରେଷ୍ଠ ବୋଲି କହେ, ଯାବତୀୟ ନ୍ୟାୟ ଅନୁସାରେ ତାହାକୁ ଆଦୌ ଏକ ସଂସ୍କୃତି ବୋଲି କହିବା ଉଚିତ ହେବନାହିଁ । ମଣିଷମାନେ ହିଁ ନାନା ଅସାଂସ୍କୃତିକ ବୃତ୍ତିଭିତରେ ପଡ଼ି ନିଜର ସଂସ୍କୃତିକୁ ସର୍ବଶ୍ରେଷ୍ଠ ବୋଲି କହିବାକୁ ଶିକ୍ଷା କରିଥାନ୍ତି । ହଁ, ଆଗେ ମନୁଷ୍ୟମାନଙ୍କର ଜୀବନରେ ପରିଚୟର ପରିଧିଗୁଡ଼ିକ ଭାରି ସାନ ସାନ ହୋଇ ରହିଥିଲା । କୌଣସି ଅନ୍ୟ ସମୂହରେ ମଣିଷମାନେ ରହିଛନ୍ତି ଓ ସେମାନଙ୍କର ନିଜ ଶୈଳୀରେ ଜୀବନଟିଏ ବଞ୍ଚୁଛନ୍ତି ବୋଲି ଜାଣିବାକୁ ସେପରି କିଛି ସମ୍ଭାବନା ନଥିଲା । ତେଣୁ, ନିଜଟି ବ୍ୟତୀତ ଆଉ କିଛି ଦେଖି ହେଉନଥିଲା । ସମ୍ଭବତଃ ସେକାଳରେ culture is a cave ବୋଲି କହିବାର ଓ ସେହି ଅନୁମାନରେ ଜୀବନ ବଞ୍ଚିବାର କେତେକ ପରିମାଣରେ ଏକ କାରଣ ମଧ୍ୟ ରହିଥିଲା । କୌଣସି ସଂସ୍କୃତି ଯେତେ ସ୍ଥାନୀୟ ହୋଇଥାଉ ପଛକେ, ସେଥିରେ ଏପରି ଏକ ଉପାଦାନ ସର୍ବଦା ପ୍ରଚ୍ଛନ୍ନ ହୋଇ ରହିଥିଲା, ଯାହାକି ମନୁଷ୍ୟର ଦ୍ଵାରୋନ୍ମୋଚନକୁ ହିଁ ତା’ ଜୀବନର ସବୁଠାରୁ ବଡ଼ excellence ବା ପ୍ରତିଷ୍ଠା ବୋଲି ମାନୁଥିଲା । ବାହାରର ଛାଞ୍ଚଗୁଡ଼ିକ କେବଳ ସେହି ମୂଳ ଲକ୍ଷ୍ୟଟିର ପରିପୂରଣ ନିମନ୍ତେ ଯନ୍ତ୍ର ପରି ସାହାଯ୍ୟ କରୁଥିଲା । ମାତ୍ର, ଯେତେବେଳେ ମଣିଷମାନେ କୌଣସି ଅନ୍ୟ ମୋହାଚ୍ଛନ୍ନତା ହେତୁ ଆଉକିଛିକୁ ଜୀବନର ଲକ୍ଷ୍ୟ ବୋଲି ମାନନ୍ତି, ସେକାଳପରି ଏ କାଳରେ ମଧ୍ୟ, ସେମାନେ ଗୁମ୍ଫାଟାକୁ ହିଁ ସମଗ୍ର ଘର ବୋଲି କହିବାକୁ ଆବଶ୍ୟକ ମଣନ୍ତି ଓ ଫୁଲେଇ ହେବାରେ ଲାଗିଥାନ୍ତି ।

 

ଦାନ୍ତ ସଫା କରିବା ହେଉଛି ସଂସ୍କୃତିର ବ୍ୟାପାର; ମାତ୍ର ଯେଉଁଠି ଦାନ୍ତକୁ ସଫା ରଖିବା ଅପେକ୍ଷା ବ୍ରଶ୍‌ମାନେ କେଡ଼େ, ମନଲାଖି ହେବା ଉଚିତ, ସେହି ବିଷୟରେ ଅଧିକ ବିଚାର କରାଯାଏ, ସେତେବେଳେ ସଂସ୍କୃତି ନାମକ ଢୋଲ ଭିତରେ ମୂଷାମାନେ ଆସି ପଶିଯାଆନ୍ତି । ଜୀବନରେ କିଛି ହୋଇପାରିବା ଲାଗି ବହିମାନଙ୍କରେ ବହୁତ କଥା ଲେଖା ହୋଇଥାଏ । ମାତ୍ର, ଯେତେବେଳେ ସତକୁ ସତ କିଛି ହୋଇପାରିବା ଅପେକ୍ଷା ବହିଗୁଡ଼ିକୁ ହିଁ ଅଧିକ ମୂଲ୍ୟ ଦିଆଯାଏ, ସେତେବେଳେ ସଂସ୍କୃତିର ଫୁଚ୍ଛ ଧରି ମଣିଷମାନେ ହୁଡ଼ିଯିବା ନିମନ୍ତେ ବହୁତ ବହୁତ ପ୍ରଶ୍ରୟ ପାଇଥାନ୍ତି । ଧର୍ମପ୍ରସାର ନିମନ୍ତେ ଲେଖା ହୋଇଥିବା ବହିମାନେ ଠିକ୍ ଏହି କାରଣରୁ ହିଁ ମନୁଷ୍ୟର ପୃଥିବୀରେ ବହୁତ ପ୍ରମାଦର କାରଣ ହୁଅନ୍ତି । ଏବଂ, ଭଗବାନଙ୍କ ନାମରେ ତୁଚ୍ଛା ଧର୍ମହୀନ ଉତ୍ତେଜିତମାନେ ଦାଣ୍ଡରେ ଧୂଳି ଉଡ଼ାଇବାରେ ଲାଗିଥାଆନ୍ତି । ସିଡ଼ିଟିଏ ପାଇଲେ ମଣିଷ, ଜଣେ ସୁସ୍ଥ ମଣିଷ, ତାହାରି ସାହାଯ୍ୟରେ ସିନା ଉପରକୁ ଉଠିବାପାଇଁ ପ୍ରେରଣା ପାଇବ, ମାତ୍ର ସିଡ଼ିଟାକୁ ନାନରଙ୍ଗ ଜରିକାଗଜରେ ମଣ୍ଡିତ କରି ଓ ସିଡ଼ିକୁ ନୋଳି ପିନ୍ଧାଇ ମୋ’ ସିଡ଼ିଟା ସବୁଠାରୁ ଅଧିକ ସୁନ୍ଦର ଦିଶୁଛି ବୋଲି ହୁରି ପକାଇବ କାହିଁକି ? ପୃଥିବୀର ବହୁତ ମଣିଷ ହୁଏତ ଏହି ହୁରି ପକାଇବାର ହୋ’ ଭିତରେ ରହିଥାନ୍ତି । ତଥାପି ତଦ୍ଦ୍ଵାରା ପୃଥିବୀର ଯେକୌଣସି ସଂସ୍କୃତିର ଅସଲ ଆହ୍ୱାନଗୁଡ଼ିକ କଦାପି ମ୍ଳାନ ହୋଇ ଯାଆନ୍ତିନାହିଁ ।

 

୯.୧୦.୯୮

 

ଯେଉଁ ବଳ ବିଶ୍ଵାସଘାତକତା କରେନାହିଁ, ଯେଉଁ ପରମବନ୍ଧୁ କେବେହେଲେ ଛାଡ଼ି ଯାଏନାହିଁ ଓ ଯେଉଁ କ୍ଷମା କେବେହେଲେ କୃପଣ ହୁଏନାହିଁ , ଆମେ କ’ଣ ତାହାକୁ ହିଁ କ୍ରମେ ଭଗବାନ ବୋଲି କହିବାକୁ ଶିକ୍ଷା କରିଛୁ କି ? ଏହି କଥାଟି ଭାରତବର୍ଷରେ ଯେପରି ସତ, ଏହି ଆମେରିକାରେ ମଧ୍ୟ ଠିକ୍ ସେହିପରି ସତ ।

 

ଯାବତୀୟ ଶାସ୍ତ୍ର, ଧର୍ମତର୍କ, ପୂଜା ଓ ଉପାସନା, ସିଦ୍ଧାନ୍ତ ଏବଂ ପ୍ରବଚନ ସମ୍ଭବତଃ ସବା ଶେଷରେ ମଣିଷକୁ ସେହି ଅଙ୍ଗେନିଭା କଥାଟି ପାଖରେ ଆଣି ପହୁଞ୍ଚାଇ ଦିଅନ୍ତି ଏବଂ ସମ୍ଭବତଃ ସେହି କାରଣରୁ ହିଁ ଅଙ୍ଗେ ନିଭାଇଥିବା ସବୁ ମଣିଷ ଯୁଗେ ଯୁଗେ ଏବଂ ଯାବତୀୟ ଜଳବାୟୁରେ ସେହି କଥାଟିକୁ ଏଡ଼େ ସ୍ପଷ୍ଟ ଭାବରେ କହି ଯାଇଛନ୍ତି । ଯେଉଁମାନେ ବାଟରେ କେଉଁଠି ଅଟକି ଯିବାକୁ ମନ କରିଛନ୍ତି, ସଚରାଚର ସେହିମାନେ ହିଁ ଭଗବାନଙ୍କୁ ସତେଅବା କେଉଁ ଗହନ ଅରଣ୍ୟର ଅପହଞ୍ଚ କ’ଣ ନା କ’ଣଟିଏପରି ଚିତ୍ରଣ କରିଛନ୍ତି । ଚିତ୍ରଗୁଡ଼ିକୁ ନେଇ ଝଗଡ଼ା କରିଛନ୍ତି; ସେମାନେ ନୃତ୍ୟର କଳାଟିଏ ଶିଖିଛନ୍ତି ସିନା, କେବେ ନୃତ୍ୟ ଭିତରକୁ ସାହସ କରିନାହାନ୍ତି ଏବଂ, ଯମୁନା ନଦୀର ମହିମାକୁ ବର୍ଣ୍ଣନା କରି ଖୋଳ ଫଟାଇଛନ୍ତି ସିନା, ସେହି ଯମୁନା ନଦୀ ଭିତରେ କେବେହେଲେ ପ୍ରବେଶ କରିନାହାନ୍ତି । ନିଜେ ଯମୁନା ନଦୀଟିଏ ହୋଇ ପାରିବା, ତାହା ତ ଆହୁରି ଅଧିକ ଦୂରର କଥା । କିଏ ସ୍ଵର୍ଗବାସୀ ପିତା ବୋଲି କହିଛି, କିଏ ନିତାନ୍ତ କାତର ହୋଇ ତାଙ୍କପାଖରେ ଦର୍ଶନଭିକ୍ଷା କରିଛି, କିଏ ଉଗ୍ର ଜଣାଣମାନ ଗାଇ ପୃଥ୍ଵୀ କମ୍ପାଇଛି,–ଝାଳନାଳ ହୋଇଯାଇଛି । ବିଚରା ସେତିକିରେ ରହିଯାଇଛି । ଭିତରେ ସତେଅବା ତା’ର ଯେଉଁ ଦୁର୍ଗଟା ଭାଙ୍ଗିପଡ଼ିବ ବୋଲି ଭୟ କରି ସିଏ ଆଉ ଏହିଭଳି କରିଛି କି ? ଅଙ୍ଗେ ନିଭାଇ ପାରିଲେ ତା’ପରେ ଆଉ ଯେ ମଣିଷଦ୍ଵାରା କଳ୍ପିତ ଆତ୍ମା, ମନ, ପ୍ରାଣ ଓ ଦେହ ପ୍ରଭୃତି ଭିନ୍ନ ଭିନ୍ନ ସାମ୍ରାଜ୍ୟ ଭିତରେ କୌଣସି ଭେଦ ରହିବନାହିଁ, ମନୁଷ୍ୟମାନେ ସେହି କଥାଟିକୁ ପ୍ରକୃତରେ ଏତେ ଭୟ କରିଛନ୍ତି କି ? ଏବଂ, ଗୁରୁମାନେ କାଳେ ସ୍ଵୟଂ ଅଳପ ବୋଲି ଧରା ପଡ଼ିଯିବେ, ମୂଳତଃ ସେହି ଭୟରେ ସେମାନେ ମନୁଷ୍ୟମାନଙ୍କର ପଥଗୁଡ଼ିକୁ ଏପରି ଅଧବାଟରେ ପ୍ରାୟ ଗୋଟାସୁଦ୍ଧା କାଟି ଦେଇଛନ୍ତି କି ? ଗୁରୁମାନେ ଅସଲ ସାଥୀ ହେବାକୁ ମନ କଲେ କଦାପି ସେଭଳି କରନ୍ତେ ନାହିଁ । ନିଜେ ଅଙ୍ଗେ ନିଭାଇଥିଲେ ମଧ୍ୟ ସେପରି କଦାପି କରନ୍ତେନାହିଁ । ବରଂ, ସେମାନେ ଯେଉଁଠାକୁ ଆସି ସାକ୍ଷାତ କରିଛନ୍ତି, ଅନ୍ୟ ସମସ୍ତଙ୍କୁ ମଧ୍ୟ ସେଇଯାଏ ନେଇ ପାରୁଛନ୍ତି ବୋଲି ଖୁସି ହୁଅନ୍ତେ । ମାତ୍ର, ସବୁ ଗୁରୁ ସାଥୀ ହୋଇ ପାରନ୍ତିନାହିଁ ବୋଲି ସମ୍ଭବତଃ ପୃଥିବୀର ମଣିଷମାନେ ଏପରି ଛେଉଣ୍ଡପରି ହୋଇ ରହିଥାନ୍ତି । ଅସଲ ସାକ୍ଷାତ୍‌କାରର ଜୀବନଟିକୁ ବଞ୍ଚି ପାରନ୍ତିନାହିଁ । ବିଶ୍ଵାସ ପାଇନଥାନ୍ତି ବୋଲି ଭେକ ଅନୁସାରେ ବିଶ୍ଵାସଗୁଡ଼ିକରେ ବାଛବିଚାର କରୁଥାନ୍ତି । ଆମର ଏହି ପୃଥିବୀକୁ ଅନେକ ଅକ୍ଷମାଦ୍ଵାରା କ୍ଳିଷ୍ଟ କରି ରଖିଥାନ୍ତି ।

 

୧୦.୧୦.୯୮

 

କେତେବେଳେ ସିଏ ଜନନୀ, ମୁଁ ତାଙ୍କର ସନ୍ତାନ; ପୁଣି କେତେବେଳେ ମୁଁ ଜନନୀ, ସିଏ ସନ୍ତାନ । ଏବଂ, ଯେଉଁ ଜୀବନର ଭୂମି ଉପରେ ଏହି ଦୁଇଟିଯାକ ସତ୍ୟ ଆପଣାକୁ ପରିପୂର୍ଣ୍ଣ କରିବାରେ ଲାଗିଛି, ସେହି ଜୀବନକୁ ମୋ’ର ଭୁରି ଭୁରି ଓ ବାରମ୍ବାର ପ୍ରଣାମ । ଭୂୟିଷ୍ଠା ତେ ନମଭକ୍ତି ବିଧେମ ।

 

ଆମେ Virgin Mary ହୋଇପାରିଲେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଯୀଶୁଖ୍ରୀଷ୍ଟଙ୍କୁ ଜନ୍ମ ଦେଇପାରିବା ବୋଲି ପ୍ରାୟ ସାତଶହ ବର୍ଷ ତଳେ Meister Eckhart ଯାହା କହିଥିଲେ, ତାହାକୁ ନିଜ ଅଙ୍ଗେ ନିଭାଇଲେ ଯାଇ ତାହାର ସମଗ୍ର ସତ୍ୟଟିକୁ ଆମେ ପ୍ରକୃତରେ ବୁଝି ପାରିବା । କଳ୍ପନା କଲାବେଳେ ସବୁଯାକ ଭଗବାନ ମଥାଉପରେ ଦିଶନ୍ତି । ସର୍ବଦା ସେମାନଙ୍କୁ ସେହି ଊର୍ଦ୍ଧ୍ଵରେ ଘ୍ରାଣ କରାଯାଏ । ସେଇଠୁ ଆବାହାନ କରାଯାଏ । କେଡ଼େ ସୁନିଶ୍ଚିତ ଭାବରେ ସେଇଠୁ ଏପର୍ଯ୍ୟନ୍ତ ପାବଚ୍ଛର ଶ୍ରେଣୀଟିଏ ଲମ୍ବିଆସେ କେଜାଣି, ନିଜର ହୃଦୟଭିତରେ ହିଁ ସିଏ ଅନୁଭୂତ ହେବାକୁ ଆରମ୍ଭ କରନ୍ତି, ସେଇ ହୃଦୟରୁ ହିଁ ପ୍ରକଟ ହୁଅନ୍ତି । ଜଗତ ସହିତ, ଜୀବନର ଏହି ଯାବତୀୟ ବିସ୍ତାର ସହିତ ହୃଦୟରୁ ହିଁ ଯାବତୀୟ ଡୋର ବାନ୍ଧିବା ସମ୍ଭବ ହୁଏ । ଏବଂ, ଡୋର ବାନ୍ଧିବାକୁ ହିଁ ସର୍ବଥା ଜୀବନ ବୋଲି କୁହାଯାଏ । ଜନନୀଙ୍କୁ ଧାରଣ କରି ନପାରିଲେ, ଜନନୀ ହେବାଲାଗି ସାହସ କରି ନପାରିଲେ ମୁଁ ପୁଣି ସନ୍ତାନଟିଏ ହୋଇପାରିବି କିପରି ? ବେଳେବେଳେ ସତେଅବା ଖାଲି ସନ୍ତାନଟିଏ ହୋଇ ଏକ ଗଭୀର ବ୍ୟାକୁଳତା ସହିତ ଜନନୀଙ୍କୁ ପ୍ରାର୍ଥନା କରାଯାଏ,–ସେହି କଥାଟି ଯେଉଁପରି ସତ, ଆଉ ବେଳେବେଳେ ସତେଅବା ନିଜ ଭିତରୁ ସନ୍ତାନଟିଏ କାମନା କରି ଯାବତୀୟ ଅର୍ଥରେ ନିଜକୁ ଜନନୀପରି ଅନୁଭବ କରାଯାଏ ଓ ଖୁସି ହୋଇ ଜନନୀର ଭୂମିକାଟିକୁ ଗ୍ରହଣ କରିହୁଏ,–ସେହି କଥାଟି ମଧ୍ୟ ସମାନ ଭାବରେ ସତ-। ଏଇଟି ସତ ହେଲେ ସେଇଟି ସତ, ଏବଂ ସେଇଟି ସତ ହେଲେ ଏଇଠି ମଧ୍ୟ ସତ । ତେଣୁ, ଜନନୀଙ୍କୁ ଯେପରି ପ୍ରଣାମ, ସନ୍ତାନଟିକୁ ମଧ୍ୟ ସେହିପରି ପ୍ରଣାମ । ଏବଂ, ଦୁହିଁଙ୍କର ଲୀଳାକୁ ଏକାବେଳେକେ ପ୍ରତ୍ୟକ୍ଷ କରୁଥିବା ଏହି ଜୀବନରୂପୀ ମୋ’ର ଜଗତଟିକୁ ମଧ୍ୟ ପ୍ରଣାମ । କିଏ ଆଗ ଓ କିଏ ପଛ, ଏହି କଥାଟିକୁ ନେଇ ଜନନୀ ଓ ସନ୍ତାନ ମଧ୍ୟରେ କଦାପି ଆଦୌ କୌଣସି ତର୍କ ହେଉନଥିବ ଅଥବା ବିବାଦ ମଧ୍ୟ ଲାଗୁନଥିବ । ଅସଲ ସନ୍ତାନଟିଏ ହୋଇପାରିଲେ ଅସଲ ଜନନୀଙ୍କୁ ମଧ୍ୟ ଠାବ କରାଯାଇ ପାରିବ ଓ ଅସଲ ଜନନୀଟିଏ ହୋଇପାରିଲେ ଅସଲ ସନ୍ତାନଟିକୁ ମଧ୍ୟ ଠାବ ଓ ସମ୍ଭବ କରିହେବ । ଏକ ମୁହୂର୍ତ୍ତ ଆସିବ, ଯେତେବେଳେ ଊର୍ଦ୍ଧ୍ଵ ଓ ହୃଦୟ ଭିତରେ ଆଦୌ କୌଣସି ବିବାଦ ମଧ୍ୟ ରହିବନାହିଁ । ହୃଦୟ ଭିତରେ ଊର୍ଦ୍ଧ୍ଵକୁ, ଯାବତୀୟ ଊର୍ଦ୍ଧ୍ଵକୁ ଅନୁଭବ କରିହେବ, ଊର୍ଦ୍ଧ୍ଵଭିତରେ ମଧ୍ୟ ହୃଦୟକୁ ଠାବ କରି ହେବ । ନିଜର ହୃଦୟ ଦେଇ ଊର୍ଦ୍ଧ୍ଵକୁ ସ୍ପର୍ଶ କରି ହେବ ଏବଂ, ପ୍ରକୃତ କଥା ହେଉଛି, ଯୋଗ୍ୟ ହୃଦୟଟିଏ ନଥିଲେ ଊର୍ଦ୍ଧ୍ଵର ଆଦୌ କୌଣସି ଅବଧାରଣା ମଧ୍ୟ କିପରି ସମ୍ଭବ ହେବ ? ନିକଟରେ ନପାଇଲେ ଦୂରର ଭ୍ରମଟା ବି କିପରି ଦୂର ହୋଇପାରିବ ?

 

୧୧.୧୦.୯୮

 

ଥରେ ଥରେ ରାତ୍ରିର ଶେଷ ପ୍ରହରକୁ ନିଦ ଭାଙ୍ଗିଯାଏ । ସେତେବେଳକୁ ଆସନ୍ନ ପ୍ରଭାତର ବାର୍ତ୍ତାକୁ ବୋହି ଆଣୁଥିବା ଆଲୋକର ଅଂଶୁମାନେ ରାତ୍ରିର ଅନ୍ଧାରଗର୍ଭରେ ପ୍ରବେଶ କରିବାକୁ ଆରମ୍ଭ କରି ଦେଇଥାନ୍ତି । ମୁଁ ଉଠିବା ମାତ୍ରକେ ଶରୀରଟି ମନକୁ ମନ କୋଉଠିକୁ ଗାଧୋଇ ଚାଲିଯାଏ । ଆଦୌ କେହି କୋଉଠି ଆପତ୍ତି ବି କରନ୍ତି ନାହିଁ । ସହଜ ଖୁସି ଓ ସହଜ ସମ୍ମତିରେ ଏହିପରି ସକାଳର ଆଭାସ ପାଇବା ମାତ୍ରକେ ଏହିପରି ପ୍ରତ୍ୟୁତ୍ତର ଦେଲାପରି ଉଠିବାସିବା, ସତେଅବା ପୂର୍ଣ୍ଣ ପ୍ରବେଶପତ୍ରଟି ପାଇଥିବାପରି ସ୍ନାନ କରିବାକୁ ଚାଲିଯିବା ଓ କାହାର ଚିହ୍ନା ଛୁଆଟିପରି ବାହୁଡ଼ି ଆସିବା,–ନିଜକୁ ସେତେବେଳକୁ ପ୍ରକୃତରେ ଓଷେଇତୀପରି ଲାଗୁଥାଏ, ପୋଖତିପରି ବି ଲାଗୁଥାଏ । ତା’ପରେ ମୁଁ ଥିର ହୋଇ ବସିଯାଏ । ପ୍ରସନ୍ନତା,–ତାହାହିଁ ତ ଅସଲ ଥିରତା !

 

ଏମିତି ଥିର ହୋଇ ବସି ପାରିଲେ ଆଗାମୀ ଦିନଟି ମଧ୍ୟ ସତେଅବା ଫର୍ଦ୍ଦେ ଖାଲି କାଗଜପରି ସମ୍ମୁଖରେ ମେଲାଇ ହୋଇଯାଏ । ସେଇଟିକୁ ଛୁଇଁଦେବା ମାତ୍ରକେ ତା’ଉପରେ କ’ଣ ସବୁ ଲେଖି ହୋଇଯାଏ । ଏସବୁ ମୋ’ରି ପାଇଁ ଲେଖି ହୋଇଯାଏ । କେଉଁ ସ୍ନେହଶୀଳ ବିଧାତା ମାଆଟିଏପରି ଏସବୁ ଲେଖି ରଖିଥାଏ ଓ ମୋ’ ଆଗରେ ଆଣି ରଖି ଦେଉଥାଏ । ସିନ୍ଦୂରା ଫାଟିବା ତଥା ଏତେ ଘଣ୍ଟା ଡେରି ଅଛି ବୋଲି ମୋଟେ ଅନୁଭବ ହେଉନଥାଏ । ମୁଁ ବସିଥାଏ, ଏବଂ ମୋ’ ଆଗରେ ସବୁ ଦିଶି ଦିଶି ଯାଉଥାଏ । ପାଖରେ ଅନ୍ୟମାନେ ଶୋଇଥାନ୍ତି, କେହି କେହି ଘୁଙ୍ଗୁଡ଼ି ବି ମାରୁଥାନ୍ତି । ତଥାପି ସେଗୁଡ଼ିକରୁ ମୋ’ଲାଗି ଆଦୌ କୌଣସି ବ୍ୟାଘାତ ସୃଷ୍ଟି ହୁଏନାହିଁ । ସିଏ କହୁଥାନ୍ତି, ବତାଇ ଦେଉଥାନ୍ତି, ସଳଖି ଦେଉଥାଆନ୍ତି,–ଏବଂ ମୁଁ କେବଳ ଆଗ୍ରହର ସହିତ ଟିପି ନେଉଥାଏ । ଏହିପରି ଏକ ପ୍ରକ୍ରିୟା,–ଏହାହିଁ ଅସଲ ନିୟତି । ନିଜ ନିୟତିରେ କ’ଣସବୁ ରହିଛି, ସେଥିନେଇ ଅନେକେ ଯେତେବେଳେ କ’ଣସବୁ ଅଡ଼ୁଆ ସୂତାକୁ ନେଇ ଧନ୍ଦାଳି ହେଉଥାନ୍ତି, ସେତେବେଳେ ଯଦି ମୋ’ ନିୟତିଟି ମୋ’ ଜନନୀଙ୍କର ଦକ୍ଷିଣହାତପରି ସବୁଦିନେ ସକାଳେ ମୋତେ ସେଗୁଡ଼ିକୁ କହିଦେଇ ପାରିଲା, ତେବେ ମୁଁ ତା’ପରେ ବ୍ୟସ୍ତ ହୋଇ ପୃଥିବୀର ବହିମାନଙ୍କରେ ଲେଖା ହୋଇଥିବା ସାଧନାଗଣିତଗୁଡ଼ାକୁ କାହିଁକି ଲୋଡ଼ିବାକୁ ମନ କରିବି ? ହଁ, ହୁଏତ କେବେ ଲୋଡ଼ୁଥିଲି । ଏକ, ଦୁଇ, ତିନି କରି କସରତ କଲାପରି ସେଗୁଡ଼ିକୁ ଅଭ୍ୟାସ କରୁଥିଲି । ଅଭ୍ୟାସ ନକଲେ କାଳେ ସେଗୁଡ଼ିକୁ ଭୁଲିଯିବି, ଏହିପରି ଗୋଟିଏ ଆଶଙ୍କା ଭାରି ଘାରି ରଖିଥିଲା । ସେତେବେଳେ ମଧ୍ୟ ମୁଁ କମ୍ ଓଷା କରୁନଥିଲି । ଯେତେ ବେଶି ଓଷା କରିବ, ସିଏ ସେତେ ଖୁସି ହେବେ ଓ ସେତେ ବେଶି ଦେବେ ବୋଲି ମୋ’ର ମଥାଭିତରେ ଏକ ପାଠରୁ ପଢ଼ିଥିବା ହିସାବବୁଦ୍ଧି ମଧ୍ୟ ରହିଥିଲା । ଏଥର ତ ନିଜପାଇଁ କିଛି ମାଗିବାକୁ ଅଛି ବୋଲି ମୋଟେ ଅନୁଭବ ହେଉନାହିଁ । ତେଣୁ,ଏଣିକି ପୂରାପୂରି ତାଙ୍କରି ପାଇଁ, ତାଙ୍କରି ପୃଥିବୀଟି ପାଇଁ, ପୃଥିବୀରେ ତାଙ୍କରି ଇଚ୍ଛାର ପୂରଣ ପାଇଁ ଯାହାକିଛି କରିବାର କଥା । ଏହାକୁ ଯିଏ ମନ କରିବ, ଏକ ଓଷା ବୋଲି ଅବଶ୍ୟ କରିପାରିବ । ଏକ ଓଷେଇତୀର ଭାଗ୍ୟ ନେଇ ଜୀବନ ବଞ୍ଚିବା, ତାହାହିଁ ପ୍ରତ୍ୟେକ ସନ୍ତାନ ପାଇଁ ଏକ ପରମ ସମ୍ପଦ ।

 

୧୨.୧୦.୯୮

 

ସୂତା ସହିତ ସୂତାକୁ ଯୋଡ଼ି ଲମ୍ବାଇ ଲମ୍ବାଇ ଆମେରିକାରୁ ଭାରତବର୍ଷ ଯାଏ ଯାଇ ହେଉଛି ଓ ଭାରତବର୍ଷରୁ ଆମେରିକା ଯାଏ ବି ଆସି ହେଉଛି । ମାତ୍ର, କୌଣସି କାରଣରୁ ସୂତାଟା ଛିଡ଼ିଗଲେ ହିଁ ଅସହାୟ ଲାଗୁଛି । ଏକୁଟିଆ ମଧ୍ୟ ଲାଗୁଛି ।

 

ଯାବତୀୟ ଅଧ୍ୟୟନ, ତାହା ମୂଳତଃ ଏହି ସୂତା ଲଗାଇବା ପାଇଁ ଉଦ୍ଦିଷ୍ଟ ହୋଇ ରହିଥାଏ । ଯାବତୀୟ ଶ୍ରଦ୍ଧା ଏହି ସୂତା ସହିତ ସୂତା ଲଗାଇବାଦ୍ଵାରା ହିଁ ସାକାର ଭାବରେ ଅନୁଭୂତ ହୁଏ । ଆଧୁନିକ ଯୁଗଟାକୁ ଆମେ ପ୍ରଧାନତଃ ସୂତା ସହିତ ସୂତାକୁ ଯୋଡ଼ି ପାରିବାର ଏକ ଯୁଗ ବୋଲି କହି ପାରିବା । କାରଣ, ଆମର ଏହି କାଳଟାରେ ହିଁ ପୃଥିବୀରେ ସବୁକିଛି ପରସ୍ପର ସହିତ ଲାଗି ରହିଥିବାର ସେହି ପ୍ରଧାନ ସତ୍ୟଟି ଆବିଷ୍କୃତ ହୋଇ ପାରିଲା । ମଣିଷର ଘରଗୁଡ଼ିକ କେଡ଼େ ମର୍ଯ୍ୟାଦାପୂର୍ଣ୍ଣ ଭାବରେ ପରସ୍ପର ମଧ୍ୟକୁ ପ୍ରସାରିତ ହୋଇଗଲେ । ମଣିଷମାନେ ଏକ ନୂତନ ଆହ୍ୱାନର ଦ୍ଵାରଦେଶରେ ଆସି ପହଞ୍ଚିଲେ ଓ ଧନ୍ୟ ହେଲେ । ପୁରୁଣା ଭାବନାରେ ଧର୍ମକୁ ଅଧିକାଂଶ ମଣିଷ ମୋ’ ଧର୍ମ ବୋଲି ଜାଣୁଥିଲେ, କୌଣସି ଏକ ନିର୍ଦ୍ଦିଷ୍ଟ ଚଳଣିକୁ ମୋ’ ସଂସ୍କୃତି ବୋଲି କହୁଥିଲେ । ଅତ୍ୟନ୍ତ ଆକସ୍ମିକ ଭାବରେ ଯେଉଁ ଭୂଖଣ୍ଡଟି ଉପରେ ସେମାନେ ବାସ କରୁଥିଲେ, ତାହାକୁ କେଡ଼େ ଭାବପ୍ରବଣ ଭାବରେ ମୋ’ ଦେଶ ବୋଲି ବି କହି ଆସୁଥିଲେ । ସେହି ମୋ’ ମୋ’ ହେବାର ମୋହରେ ହିଁ ମଣିଷର ଶୀରି କେଡ଼େ ଦୟନୀୟ ଭାବରେ ତୁଟି ତୁଟି ଯିବାକୁ ଲାଗିଲା । ଜାତୀୟତାବୋଧର ମୂଳ ଭାବାତ୍ମକ ଆବଶ୍ୟକତାଟିକୁ ମଧ୍ୟ ମନୁଷ୍ୟମାନେ ମୋ’ ଜାତି ଓ ମୋ’ ଦେଶର ଧ୍ୱନିଗୁଡ଼ାକଦ୍ଵାରା ଭାରି ପ୍ରଦୂଷିତ କରି ପକାଇଲେ । ଉତ୍ସାହୀ କବିମାନେ ନିଜର ଭୂମିଟିକୁ ମାତୃଭୂମି, ପବିତ୍ର ଭୂମି ଏବଂ ସର୍ବଶ୍ରେଷ୍ଠ ଭୂମି ବୋଲି କହିଲେ; ମନୁଷ୍ୟମାନଙ୍କୁ ଏକ ନୂତନ ଗୃହପ୍ରବେଶ କରାଇବାର ଉତ୍ସାହରେ ସେମାନେ ସତେଅବା ଘରଟି ଅପେକ୍ଷା ଘରର ଚାରି କଡ଼ରେ ଛିଡ଼ା କରାଇ ଦିଆ ଯାଇଥିବା ପାଚେରିମାନଙ୍କୁ ହିଁ ସର୍ବାଗ୍ର ସତ୍ୟ ବୋଲି କହିବାକୁ ଆରମ୍ଭ କଲେ । ସରକାରମାନେ ମଧ୍ୟ ସେଥିରୁ ଅଫିମ ଆଣି ସେବନ କରିଥିବାପରି ପୃଥିବୀଟା ଏଡ଼େବଡ଼ ହୋଇଥିଲେ ମଧ୍ୟ ସେଥିରେ କେବଳ ଆପଣାକୁ ହିଁ ଦେଖିଲେ-। ସେହି ଫନ୍ଦାରେ ପଶି ଭାରତବର୍ଷ ଆମେରିକାକୁ ଦେଖି ପାରିଲାନାହିଁ ଏବଂ ଆମେରିକା ମଧ୍ୟ ଭାରତବର୍ଷଟାକୁ ଦେଖି ପାରିଲା ନାହିଁ । ଭାରତବର୍ଷ ପାକିସ୍ତାନଠାରୁ ନିଜକୁ ସୁରକ୍ଷିତ ରଖିବାକୁ ବାଣଭଣ୍ଡାରଗୁଡ଼ିକୁ ବଢ଼ାଉ ବଢ଼ାଉ ବୋମା ତିଆରି କରି ପକାଇଲା ଓ ପାକିସ୍ତାନ ମଧ୍ୟ ଭାରତବର୍ଷଠାରୁ କୌଣସି ଗୁଣରେ କମ୍ ପାରଙ୍ଗମ ନୁହେଁ ବୋଲି ସାର୍ଟିଫିକେଟ୍‌ଟାଏ ଆଣି ଦେଖାଇ ପାରିଲା । ପୃଥିବୀବାସୀ ଆଚମ୍ବିତ ହୋଇ ଅନାଇ ରହିଲେ । ସୂତା ଯୋଡ଼ି ଜାଣୁଥିଲେ ପୃଥିବୀରେ ସରକାରମାନେ ଅନ୍ୟପ୍ରକାରେ ଆଚରଣ କରୁଥାନ୍ତେ । ସୂତା ଲମ୍ବାଇ ଜାଣୁଥିଲେ ସରକାରମାନେ ମଣିଷମାନଙ୍କୁ ଦେଖୁଥାନ୍ତେ, ନିୟତି କହିଲେ ସାରା ବିଶ୍ଵର ନିୟତିକୁ ଅନୁଭବ କରୁଥାଆନ୍ତେ ଓ ତାହାରି ମଧ୍ୟରେ ନିଜକୁ ମଧ୍ୟ ଆବିଷ୍କାର କରିବା ନିମନ୍ତେ ପ୍ରବୃତ୍ତ ହେଉଥାନ୍ତେ-। ମନୁଷ୍ୟର ସଦ୍‌ବୁଦ୍ଧି ବଳରେ ପରସ୍ପର ସହିତ ଯୋଡ଼ି ହୋଇ ପୃଥିବୀର ଭଗବାନମାନେ ମଧ୍ୟ ନିଶ୍ଚୟ ଖୁବ୍ ଖୁସି ହୋଇ ଯାଉଥାନ୍ତେ, କେଡ଼େ ଉଶ୍ଵାସ ହୋଇ ଦିନ କାଟୁଥାନ୍ତେ ।

 

୧୩.୧୦.୯୮

 

ଏବର ଏକ ବିଶ୍ଵବିବରଣୀରୁ ଜାଣିବାକୁ ମିଳୁଛି ଯେ, ଗତ କେତେ ବର୍ଷ ଭିତରେ ପୃଥିବୀରେ ଧନ ବଢ଼ିଛି, ସୁଖ ବୁଦ୍ଧି ପାଇଛି, ଜୀବନକୁ ବଞ୍ଚିବାର ଆବଶ୍ୟକ ସାମଗ୍ରୀମାନେ ବି ବଢ଼ିଛନ୍ତି । ଏବେ ଅଧିକ ମଣିଷ ଭଲ ଖାଇଲେଣି, ଭଲ ପିନ୍ଧିଲେଣି । ଶିକ୍ଷାରେ ମଧ୍ୟ ଅଭିବୃଦ୍ଧି ଘଟିଛି । ମଣିଷମାନେ ଅଧିକ କମାଉଛନ୍ତି, ସେମାନଙ୍କ ଆବଶ୍ୟକତାର ଫର୍ଦ୍ଦ ମଧ୍ୟରେ ଅଧିକ ଦ୍ରବ୍ୟ ଅନ୍ତର୍ଭୁକ୍ତ ହୋଇ ପାରିଲାଣି । ପରିବହନ ବ୍ୟବସ୍ଥାରେ ସମୁଚିତ ଉନ୍ନତି ଘଟିଛି । ଅବସର, ତାହାର ବିନୋଦନ ଏବଂ ମୁକ୍ତିର ଆସ୍ଵାଦନ,–ଏଗୁଡ଼ିକ ଅଧିକ ଉଲ୍ଲେଖଯୋଗ୍ୟ ଭାବରେ ଅଧିକ ହୋଇପାରିଛି । ହାରାହାରି ଆୟ ବଢ଼ିଛି, ହାରାହାରି ଆୟୁ ମଧ୍ୟ ବଢ଼ିଛି । ମାତ୍ର, ଏଠି ଶହେକୋଟି ମନୁଷ୍ୟ ତଥାପି ବଞ୍ଚିତ ହୋଇ ରହିଛନ୍ତି, ସବାତଳେ ରହିଛନ୍ତି । ପେଟ ପୂରୁନାହିଁ, ଦେହ ଲୁଚୁନାହିଁ, ନିଜର ବୋଲି କହିବାକୁ କୌଣସି ଘରନାହିଁ । ଅର୍ଥାତ୍ ଏହି ପୃଥିବୀରେ ଥିଲାବାଲା ଓ ନଥିଲାବାଲାଙ୍କ ମଧ୍ୟରେ ବ୍ୟବଧାନ ବୃଦ୍ଧିଲାଭ କରିଛି । ଆପଣ କହିଲେ, ଏହାକୁ କେତେ ଦୂର ଏକ ଅଗ୍ରଗତି ବୋଲି କୁହାଯିବ ?

 

ଆମର ଶିକ୍ଷା, ସଭ୍ୟତା, ସଂସ୍କୃତି, ରାଷ୍ଟ୍ରଶାସନ, ରାଜନୀତି, ଆମର ବାସନାଗତ ଜୀବନ ତଥା ସାମୂହିକ ବୋଧ ଭିତରେ କୋଉଠି କଅଣ କେଁ’ ସବୁ ରହିଯାଇଛି, ଯାହାର ପରିଣାମତଃ ଏକାବେଳେକେ ଏହି ପୃଥିବୀର ସବୁ ମଣିଷଙ୍କ ପାଇଁ ସର୍ବନିମ୍ନ ଜୀବନର ବ୍ୟବସ୍ଥା ହୋଇ ପାରୁନାହିଁ । ହଁ, ସମସ୍ତେ ଯେ ସମାନ ସ୍ଵାଚ୍ଛନ୍ଦ୍ୟରେ ବଞ୍ଚି ପାରିବେ, ମଣିଷର ଅର୍ଥନୀତି ସେପରି କୌଣସି ଗଣିତ ଅନୁସାରେ ଅବଶ୍ୟ ଚିନ୍ତା କରୁ ବୋଲି ଆଦୌ କୁହା ଯାଉନାହିଁ । କିନ୍ତୁ, ଅନ୍ତତଃ ସୁସ୍ଥ ଦେହ ସହିତ ବଞ୍ଚିପାରିବା ନିମନ୍ତେ ପ୍ରତ୍ୟେକ ମନୁଷ୍ୟ ସକାଶେ ଯେଉଁ ସର୍ବନିମ୍ନ ସଂସ୍ଥାନଟିଏ ଆବଶ୍ୟକ, ସେଇଟି ସମ୍ଭବ ହୋଇ ପାରୁନାହିଁ ବି କାହିଁକି ? ମନୁଷ୍ୟର ବିଦ୍ୟା ଏବଂ ବୁଦ୍ଧି ଭିତରେ କେଉଁଠାରେ ସେହି ଅସଲ ବିବେକଟିର ଅଭାବ ରହିଛି, ଯାହାଫଳରେ ଶାସ୍ତ୍ରମାନଙ୍କରେ ଲେଖା ଯାଇଥିବା ଜୀବନଚିତ୍ର ଏବଂ ବିଜ୍ଞାନଗୁଡ଼ିକଦ୍ଵାରା ଦର୍ଶାଇ ଦିଆ ଯାଇଥିବା କୋଟିକାରିଗରୀର କରାମତି ସତ୍ତ୍ୱେ ସମାଜରେ ବ୍ୟବଧାନମାନେ ବଢ଼ି ବଢ଼ି ଚାଲିଛନ୍ତି । ଧର୍ମମାନେ, ବାଦ ଓ ବିବାଦମାନେ ଏବଂ ସମ୍ବଳର ଭଣ୍ଡାରମାନେ ପ୍ରବଳ ହେବାରେ ଲାଗିଥିବା ସଙ୍ଗେ ସଙ୍ଗେ ଏତେ ଏତେ ମଣିଷ ତଥାପି ଏହିଭଳି ହେୟ ଦଶାରେ କାହିଁକି ରହି ଯାଉଛନ୍ତି ? ଏଣିକି ସେହି ବିଷୟରେ ହିଁ ଅଧିକ ଚିନ୍ତନ ହୋଇପାରିବା ଉଚିତ୍ । ନହେଲେ, ନାନା ବାହାନାରେ ପୃଥିବୀରେ ଘୃଣା ଓ ଦ୍ଵେଷମାନେ ମଧ୍ୟ ପ୍ରବଳ ହେବାରେ ଲାଗିଥିବେ । ଭଗବାନମାନେ ଆଦୌ କିଛି କରି ପାରିବେନାହିଁ । ଥୋକେ ମଣିଷ ଆଗ ସୁଖ ପାଇବାକୁ ଓ ଆଗ ସ୍ଵର୍ଗରେ ଯାଇ ବସିବାକୁ ବହୁବିଧ ସରଞ୍ଜାମର ଭେଳିକି ଭିତରେ ମାତିଥିବା ସମୟରେ ଆହୁରି କୋଟି କୋଟି ମଣିଷ ନିତାନ୍ତ ବଞ୍ଚିତ ହୋଇ ରହିଥିବେ ଏବଂ ପୃଥିବୀକୁ ପଛରୁ ଟାଣି ଧରିଥିବେ । ସେପର୍ଯ୍ୟନ୍ତ ଯାବତୀୟ ସଂସ୍କୃତି ମନୁଷ୍ୟଧର୍ମର ଅସଲ ପାରସ୍ପରିକତାଗୁଡ଼ିକୁ ନବୁଝାଇ କାର୍ଯ୍ୟତଃ କେତେକ କ୍ରୂର ଉପେକ୍ଷା ଏବଂ ଉଗ୍ର ଆଚରଣ ମଧ୍ୟରେ ବନ୍ଧା ପଡ଼ି ରହିଥିବ । ବାହାରେ ସବୁକିଛି ସତେଅବା ଇନ୍ଦ୍ରଭୁବନପରି ଦିଶୁଥିବ ଏବଂ ଭିତରେ ନାନା ଭୟ ମଣିଷମାନଙ୍କୁ, ଏହି ଆମେରିକାକୁ ମଧ୍ୟ ଭାରି ଅସଜ ଭାବରେ କାମୁଡ଼ି ଧରିଥିବ ।

 

୧୪.୧୦.୯୮

 

ମୁଁ କେବେହେଲେ କୌଣସି ଆଣ୍ଟ କରି ନାହିଁ । ଘଟ ତୁଟିବା ସମୟରେ ଏଠୁ ମୁଁ କ’ଣ ସବୁ ନେଇକରି ଯିବି ବୋଲି କେବେ ଚିନ୍ତା କରିନାହିଁ । ଅଥବା, ଏଠୁ ଆଦୌ କିଛିହେଲେ ସାଙ୍ଗରେ ନେଇଯାଇ ପାରିବିନାହିଁ ବୋଲି କେବେ ଦୁଃଖ ବି କରିନାହିଁ । ଘଟ ତୁଟିଲେ ନୁହେଁ, ଘଟ ଭିତରେ ରହିଥିବା ବେଳେ ମଧ୍ୟ ମୁଁ କୋଉଠାରୁ କ’ଣସବୁ ନେଇ ପଳାଇବି ବୋଲି କେବେହେଲେ ଚିନ୍ତା କରିନାହିଁ । କେବଳ ଖୁସି ହିଁ ହୋଇଛି । ଖୁସିର ଏକ ଭୂମିଉପରେ ଠିଆ ହୋଇ ପାରିଲେ ଯେ ଗୋଡ଼ଗୁଡ଼ିକ ସର୍ବଦା ଦମ୍ଭ ରହିଥିବ, ମୁଁ ସବାଆଗ ସେହି କଥାଟିକୁ ହିଁ ଅନୁଭବ କରିଛି, ଅଙ୍ଗେ ନିଭାଇଛି ।

 

ଯିଏ ଖୁସିରେ ଜୀବନ ବଞ୍ଚୁଥିବ, ସିଏ ଆଦୌ କାହିଁକି ଆଣ୍ଟ କରିବାକୁ ଯିବ ? ଖୁସି ହିଁ ଯାହାର ସବାବଡ଼ ପ୍ରେରଣା ହୋଇ ରହିଥିବ, ସିଏ କାହିଁକି ଚଗଲାଙ୍କପରି ହୋଇ ଏଠାରୁ ପଳାଇ ଯିବାକୁ ଇଚ୍ଛା କରିବ ? ପଳାଇବା ନିମନ୍ତେ ଇଚ୍ଛା କରୁଥିବା ମଣିଷମାନେ ହିଁ ସମ୍ଭବତଃ ଅଧିକାଂଶ କ୍ଷେତ୍ରରେ ସାଙ୍ଗରେ ଏଇଟା ବା ସେଇଟା ଯଥାସମ୍ଭବ ଅଧିକରୁ ଅଧିକକୁ ଧରି ନେଇଯିବାକୁ ତରବର ହେଉଥାନ୍ତି । ଏଠି ଯାହାର ମନ ଲାଗୁନଥାଏ, ହୁଏତ ସେଇ ଅନ୍ୟମନସ୍କ ହୁଏ । ଏବଂ, ଅନ୍ୟମନସ୍କ ହେଉଥାଏ ବୋଲି ଏହି ଭୂମିଟିକୁ ସେ ତାହାର ସମଗ୍ର dimension ଦେଇ ଦେଖି ପାରେନାହିଁ ଏବଂ ତେଣୁ ଏଠି ନିଜକୁ ସଂଯୁକ୍ତ କରି ରଖି ପାରେନାହିଁ । ମିଛଟାରେ ହିଁ ଏଠାରେ ରହିଥିବା ସବୁକିଛିକୁ ମିଥ୍ୟା ବୋଲି କହୁଥାଏ । ସିଏ ବିଚରା ଏଠି କିପରି ଖୁସି ହୋଇ ପାରନ୍ତା ? ଯିଏ ଏଠାରେ ନିଜର ଘରେ ରହିଥିବାର ଅନୁଭୂତିଟିଏ ଲାଭ କରି ନପାରୁଛି, ସିଏ ଆଉ କେଉଁଠିକୁ ଗଲେ ନିଜର ଘରଟିକୁ ଠାବ କରି ପାରିବ କେଜାଣି ? ଖୁସି ହେବା, ଅର୍ଥାତ୍, ଖୁସି ହୋଇ ନିଜକୁ ଅଧିକରୁ ଅଧିକ ଯୋଗ୍ୟ କରି ତିଆରି କରିବା ଓ ନିଜକୁ ଅଧିକରୁ ଅଧିକ ଯୋଗ୍ୟ ଭାବରେ ଦେଇ ପାରିବା । ଦେବାରେ ଏବଂ ନେବାରେ ବିଶ୍ଵନିୟନ୍ତା କେବେ କୌଣସି କୃପଣତା କରୁନଥିବେ । ମଣିଷ କୃପଣ ହେଲେ ହିଁ ଯାବତୀୟ ଅଖୁସି ନିଜର ଜୀବନ ଭିତରକୁ ଡାକି ଆଣିଥାଏ । ନାନା ପକାରର ବୈରାଗ୍ୟ ତାକୁ ସର୍ବଦା ଏଠି ପର କରି ରଖିଥାଏ । ତା’ର ଯାବତୀୟ ସଂଗ୍ରହ କରିବା ତଥା ଯାବତୀୟ ଦେବା ଭିତରେ ଗୋଟାଏ ପ୍ରକାରର କାତରତା ବି ପ୍ରଚ୍ଛନ୍ନ ହୋଇ ରହିଥାଏ । ନିଜକୁ କିଳି ରଖିଥିବା ମଣିଷମାନେ ହିଁ ବୋଧହୁଏ ସଂସାରରେ ଅଧିକ ଅନ୍ୟମନସ୍କ ହୁଅନ୍ତି । ପୃଥିବୀରେ ଏପରି ଅବସର ମୋ’ ଜୀବନରେ ଖୁବ୍ କମ୍ ହୋଇଛି, ଯେତେବେଳେ କି ମୁଁ ଅନ୍ୟମନସ୍କ ହୋଇଯାଇଛି । ନିଜର ମନଟା ସତେଅବା ଆଉ କାହାର ମନପରି ମାରଣା ହୋଇ ମୋ’ଠାରୁ ପଳାଇ ଯିବାକୁ ଚେଷ୍ଟା କରିନାହିଁ । ସମ୍ଭବତଃ ସେହି କାରଣରୁ ହିଁ ମନଟାକୁ ବାନ୍ଧି ରଖିଲେ ଯାଇ ମନ ଶାସନରେ ରହିବ ବୋଲି ମୁଁ କେବେହେଲେ ଭାବିନାହିଁ । ମନଟାକୁ ବାନ୍ଧି ରଖିବାଲାଗି ପ୍ରାଣାନ୍ତ ଚେଷ୍ଟା କରୁଥିବା ଓ ତଥାପି ପାରୁନଥିବା ମଣିଷମାନେ ହିଁ ବହୁ ଆଣ୍ଟ କରି ସଂସାରରେ ଗୋଡ଼ ଚିପି ସାବଧାନ ହୋଇ ଚାଲିବା କଥା କହିଛନ୍ତି, ଏହି ଘଟଟାକୁ ପାଜି ବୋଲି ମଣିଛନ୍ତି ଓ ଘଟ ତୁଟିବାର ସମୟ ବିଷୟରେ ଅଧିକ କଥା କହିଛନ୍ତି ।

 

୧୫.୧୦.୯୮

 

ଖିଅ ଲାଗି ରହିଥିଲେ ମନ କରିବା ମାତ୍ରକେ ନାମର ବି ସ୍ମରଣ ହୋଇଯାଏ । ଅନେକ ସମୟରେ ଖିଅ ଲଗାଇବା ନିମନ୍ତେ ବି ନାମସ୍ମରଣ କରିବା ପାଇଁ ପରାମର୍ଶ ଦିଆ ଯାଇଥାଏ । ମାତ୍ର, ଏଥିରେ ଆଦୌ କୌଣସି ସନ୍ଦେହ ନାହିଁ ଯେ, ଖିଅଟା ଲାଗି ରହିଥିଲେ ଭାରି ସହଜ ପ୍ରକାରେ, ସ୍ଵାଭାବିକ ଭାବରେ ନାମସ୍ମରଣ ସମ୍ଭବ ହୋଇଥାଏ ।

 

ନାମର ସ୍ମରଣ କଲେ ଯାଇ ଖିଅ ଲାଗିବା ସମ୍ଭବ ହେବ, ଖିଅ ଲାଗିଥିବା ବେଳକୁ ଯଦି କେହି ଏପରି କଥାଟିଏ କହେ, ତେବେ ତାକୁ ଭାରି ଅଡ଼ୁଆ ଲାଗୁଥିବ । ମଣିଷ ଭୋଳ ହୋଇ ପ୍ରାର୍ଥନା ଗାଏ, ଜଣାଣ ଗାଏ, ଖୋଳକରତାଳ ବଜାଏ,–ଏଇଟା ଖୁବ୍ ସହଜରେ ବୁଝି ହୋଇଯାଏ । ମାତ୍ର, ଖୋଳକରତାଳ ବଜାଇ ନାଚିଲେ, ଜଣାଣ ଓ ଭଜନଗାନ କଲେ ମଣିଷମାନେ ଯେଉଁ ଭୋଳ ହୋଇ ଗଲାପରି ଦେଖା ଯାଆନ୍ତି, ତାହା କେତେକ କ୍ଷେତ୍ରରେ ସମ୍ଭବତଃ ସତ୍ୟ ହୋଇପାରେ, ମାତ୍ର ସେହି ଭୋଳ ଅବସ୍ଥାଟି ସଚରାଚର ଅତ୍ୟନ୍ତ କ୍ଷଣସ୍ଥାୟୀ ହୋଇ ରହିଥାଏ । ମୁଣ୍ଡରେ ଜଟା ଓ ଥୋଡ଼ିରେ ଧଳା ଦାଢ଼ି ଲଗାଇ ରଙ୍ଗମଞ୍ଚ ଉପରକୁ ବାହାରିଲେ ଅଭିନୟ ସମୟରେ ନିଜକୁ ଋଷିମୁନିଙ୍କପରି ଲାଗୁଥିବ ସିନା, ମାତ୍ର ଅଭିନୟ ସରିଯିବା ପରେ ଜଟା ଆଦି ଉତାରିଦେଲେ ସେହି ମଣିଷଟି ଯେ ନିଜକୁ ତଥାପି ମୁନିଋଷିପରି ଅନୁଭବ କରୁଥିବ, ତାହାର କୌଣସି କାରଣ ନାହିଁ । ଆଗେ ପୁଅମାନେ ଝିଅର ଅଭିନୟ କରୁଥିଲେ । ଆମ ପିଲାଦିନେ ଗାଆଁକୁ ଆସୁଥିବା ଏକ ନାଟକଦଳରେ ଯେଉଁ ପିଲାଟି ସୀତାର ଭୂମିକାରେ ଅଭିନୟ କରୁଥିଲା, ‘ସୀତା ବନବାସ’ ନାଟକରେ ସିଏ ନିଜର ଅଭିନୟଦ୍ଵାରା ଦେଖଣାହାରିଙ୍କର ଆଖିରେ ଲୁହ ଭରି ଆଣୁଥିଲା । ତା’ ଆରଦିନ ସକାଳେ ପିଲାଟିକୁ ଦେଖି କେହି ବିଶ୍ଵାସ କରି ପାରୁନଥିଲେ ଯେ ଗତ ରାତିରେ ସେଇ ସେମାନଙ୍କୁ ଏପରି ଭାବରେ ବିଚଳିତ କରି ପକାଇଥିଲା । ଅଭିନୟ ସମୟରେ ତା’ ଭିତରେ ଭୂମିକାଟି ସହିତ ସମଞ୍ଜସତା ରକ୍ଷା କରି ଅନୁରୂପ ଭାବସଞ୍ଚାର ଅବଶ୍ୟ ହୋଇଥିବ ସିନା, ତଥାପି ସେହି ଅଭିନୟ ମଞ୍ଚରେ ମଧ୍ୟ ସିଏ ବାରମ୍ବାର ସତ ସୀତା ନୁହେଁ ବୋଲି ଅବଶ୍ୟ ଅନୁଭବ ବି କରିଥିବ । ମନୋବିଜ୍ଞାନର emotion ପ୍ରକରଣରେ ଏପରି ଏକ ପରୀକ୍ଷିତ ସିଦ୍ଧାନ୍ତ ରହିଛି ଯେ, ମଣିଷ କାନ୍ଦିବା ସମୟରେ ତାହାର ଅନୁଷଙ୍ଗ ଭାବରେ ଯେଉଁସବୁ ଶାରୀରିକ ଲକ୍ଷଣ ପ୍ରକାଶ ପାଏ, ଜାଣିଶୁଣି ନିଜର ଶରୀର ମାଧ୍ୟମରେ ସେହିସବୁ ଲକ୍ଷଣକୁ ବ୍ୟକ୍ତ କରି ପାରିଲେ ମଧ୍ୟ ମଣିଷ ସମ୍ପୃକ୍ତ emotionଟିର ବଶବର୍ତ୍ତୀ ହୋଇପାରିବ । ଠିକ୍ ସେହିପରି, ଅନୁରୂପ ଶାରୀରିକ ପ୍ରକ୍ରିୟାଗୁଡ଼ିକୁ ବ୍ୟକ୍ତ କରିପାରିଲେ ସିଏ ଭୀତ ବି ହୋଇପାରିବ, ଇତ୍ୟାଦି ଇତ୍ୟାଦି । ହୁଏତ, ସେହିପରି ଏକ ସିଦ୍ଧାନ୍ତର ମର୍ଯ୍ୟାଦା ରକ୍ଷା କରି କେତେକ ମଣିଷ ମନ୍ଦିରବେଢ଼ାରେ ପାଦ ଦେବା ମାତ୍ରକେ ଭକ୍ତିଭାବର ଅନୁଭବ କରନ୍ତି । ଅନ୍ୟ ପକ୍ଷରେ, ଭକ୍ତିଭାବ ସହିତ ମନ୍ଦିରବେଢ଼ାରେ ପ୍ରବେଶ କରୁଥିବା ମଣିଷଟିଏ ଏକଥା ଶୁଣି କ’ଣ ଅନୁଭବ କରୁଥିବ କେଜାଣି ? ଶରୀର ନଚାହୁଁଥିବା ପର୍ଯ୍ୟନ୍ତ ବାଧ୍ୟ ହୋଇ କରା ଯାଉଥିବା ଶାରୀରିକ ବ୍ୟାୟାମ କରି ଜଣେ ମଣିଷ ସତକୁ ସତ ଉପକାର ପାଉଥିବ ବା ନପାଉଥିବ କେଜାଣି ?

 

୧୬.୧୦.୯୮

 

You cannot think anything beyond what you are,–କିଛି କହି ପାରିବନାହିଁ କି କିଛି ଲେଖି ପାରିବନାହିଁ । ହଁ, ବନାଇ ବନାଇ କେତେ କହିବ, ବନାଇ ବନାଇ କେତେ ଲେଖିବ । ବନାଇ କହିବାରୁ, ବନାଇ ଲେଖିବାରୁ ହିଁ ଧରା ପଡ଼ି ଯାଉଥିବ । ଆଧୁନିକ କାଳରେ ବନାଇ କହିବା ଏବଂ ବନାଇ ଲେଖିବା ଉପରେ କାହିଁକି ଯେ ଏତେ ମହତ୍ତ୍ଵ ଦିଆଯାଇଛି, ତାହାର ମନନ କରାଗଲେ ଆଧୁନିକ ମନୋଲାଳସାର ବହୁତ ଗୁମର ଗୋଟି ଗୋଟି ହୋଇ ଧରା ପଡ଼ିଯିବ । ବନାଇ କହିବାକୁ ତଥା ବନାଇ ଲେଖିବାକୁ ଦରବାରମାନଙ୍କରେ ଏବେ ସଚରାଚର ଶୈଳୀ ବୋଲି କୁହାଯାଉଛି । ଶୈଳୀକୁ ଭିତ୍ତି କରି କେତେ ପ୍ରକାରର ବାଦ ବା ଧାରାର ଅବତାରଣା କରାଯାଉଛି । ନିଜର ସେହି ଶୈଳୀଦ୍ଵାରା ଜଣେ ଲେଖକ ପ୍ରକୃତରେ ନିଜକୁ ଅଭିବ୍ୟକ୍ତି କରିବାକୁ ଅଥବା ଘୋଡ଼ାଇ ରଖିବାକୁ ପ୍ରୟାସ କରୁଥାଏ, ସାହିତ୍ୟସମୀକ୍ଷାରେ କ୍ରମେ ସେହି କଥାଟିର ଠାବ କରିବାର ଆଗ୍ରହଟି ହିଁ ପ୍ରଧାନ ଆଗ୍ରହ ହେବା ଉଚିତ୍ ।

 

ଯେତେ ଘୋଡ଼ାଇ ରଖିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତଥାପି ସବୁ ଧରା ପଡ଼ିଯାଏ । ହୁଏତ ଏପରି ମଧ୍ୟ ହୋଇଥାଏ ଯେ, ଜଣେ ନିଜକୁ ଯେତେ ଘୋଡ଼ାଇ ରଖିବାକୁ ଉଦ୍ୟମ କରୁଥାଏ, ସିଏ ସେତେ ଧରା ପଡ଼ିଯାଏ । ଯଦି ଲେଖକ ତା’ର ଲେଖାଟିର ମାଧ୍ୟମରେ ନିଜକୁ ଦେଖିବାକୁ ଚେଷ୍ଟା କରୁଥାଏ, ଯଦି ସିଏ ନିଜକୁ ନିଜ ପାଖରୁ ଲୁଚାଇ ରଖିବା ନିମନ୍ତେ କୌଣସି ଉଦ୍ୟମ କରୁନଥାଏ, ତେବେ ସିଏ ଆଦୌ ତା’ ଶୈଳୀକୁ ନିଜକୁ ଲୁଚାଇ ରଖିବାର ଏକ ଫିକର ରୂପେ ଗ୍ରହଣ କରୁନଥାଏ । ସିଏ ନିଜକୁ ଖୋଜୁଥାଏ । ସେହି ଖୋଜିବାର ମାଧ୍ୟମରେ ନିଜକୁ ହିଁ ପାଉଥାଏ । ଖୋଜିବା ଏବଂ ଉଦ୍‌ଘାଟନ କରିବା,–ଯାବତୀୟ ସାହିତ୍ୟରେ ତାହାହିଁ ସବାବଡ଼ ଓ ସବାଆଗ କଥା । ଜଣେ ଖୋଜୁଥିଲେ ତାହା ଆହୁରି ଅନେକ ଜଣଙ୍କୁ ମଧ୍ୟ ଉଦ୍‌ବୋଧନ ଦେବ । ସାହିତ୍ୟ ଭିତରେ ଜଣେ ସତକୁ ସତ ଖୋଜୁଥିଲେ ସାହିତ୍ୟ ଲେଖୁନଥିବା ଆହୁରି କେତେ କେତେ ଲୋକଙ୍କୁ ତାହା ଅବଶ୍ୟ ଉଦବୋଧନ ଦେଇ ପାରୁଥିବ । ଏହିପରି ଖୋଜୁଥିବା ଜଣେ ଲେଖକ ହିଁ ତା’ର ଚାରିପାଖରେ ଆହୁରି ଅନେକ ମଣିଷଙ୍କୁ ନିଜର ସାଥୀ କରି ପାଇପାରିବ । ପାଠକ ପାଇବା ଅପେକ୍ଷା ଏହିପରି ସାଥୀମାନଙ୍କୁ ପାଇବା ଯେ କେତେ ଅଧିକ ପ୍ରେରଣାଦାୟକ, ତାହା କେବଳ ଅଙ୍ଗେ ନିଭାଇଥିବା ଜଣେ ଲେଖକ ହିଁ କହି ପାରିବ । ସାହିତ୍ୟ ଯେ ଏକ ସ୍ଵତନ୍ତ୍ର କ୍ଷେତ୍ର ନୁହେଁ, ତେବେଯାଇ ସେହି ସତ୍ୟଟିର ଉଚିତ ପରିଚୟ ମିଳି ପାରିବ । ପୃଥିବୀରେ ନିଜର ପରିଚୟ ଦେଲାବେଳେ ମଧ୍ୟ ଅନେକେ ପ୍ରଧାନତଃ ନିଜକୁ ଘୋଡ଼ାଇ ରଖିବାକୁ ଇଚ୍ଛା କରୁଥାନ୍ତି । ବସ୍ତୁତଃ, ସେହିପରି କରିବାଦ୍ଵାରା ଧରା ପଡ଼ି ଯାଉଥିଲେ ମଧ୍ୟ ସେମାନେ ଅତ୍ୟନ୍ତ ଆକୁଳତା ସହିତ ସେହି ଚେଷ୍ଟା କରନ୍ତି । ଏହାଦ୍ଵାରା ସାହିତ୍ୟର ହିଁ ସବୁଠାରୁ ଅଧିକ କ୍ଷତି ହୋଇଥାଏ । ଏବଂ, ଆମ ପୃଥିବୀ ମଧ୍ୟ ସାହିତ୍ୟଦ୍ଵାରା ଯେତିକି ଉପକୃତ ହେବା କଥା, ସେଥିରୁ ତାହା ବଞ୍ଚିତ ହୋଇ ରହିଯାଏ-। ସାହିତ୍ୟନାମକ ଏକ ସମ୍ପତ୍ତି ଖୁବ୍ ବଢ଼େ ସତ, ମାତ୍ର ସାହିତ୍ୟର ଅସଲ ଧର୍ମଟି ଅପହ୍ନତପ୍ରାୟ ରହି ଯାଇଥାଏ ।

 

୧୭.୧୦.୯୮

 

ଚାରିପାଖର ମଣିଷମାନଙ୍କ ପାଖରୁ ପ୍ରତିହତ ହୋଇ ଆସୁଥିବାପରି ଲାଗୁଥିବା ସମୟରେ ମନେ ହୁଏ, ଏହି ପୃଥିବୀଟା ମୋଟେ ବାଗୋଉନାହିଁ । ପୃଥିବୀଟା କେମିତି ବାଗେଇବ, ସେଥିଲାଗି ଇତିହାସରେ କଣ କମ୍ ସୂତ୍ରର ପରାମର୍ଶ ଦିଆଯାଇଛି ? କମ୍ ଧର୍ମର ବଖାଣ ହୋଇଛି ଏବଂ କମ୍ ଶାସ୍ତ୍ରର ପ୍ରଚାର କରାଯାଇଛି ? ଏକାବେଳେକେ ଜଣେ ମଣିଷର ପିଲାଟି ଦିନୁଁ ତାକୁ ଭଲ ବାଟ, ମନ୍ଦ ବାଟ ବିଷୟରେ ଇସ୍କୁଲରେ ବସାଇ କେତେ କ’ଣ କୁହାଯାଇଛି । କୋଉଟା ଭଲ ଓ କୋଉଟା ଭଲ ନୁହେଁ, କୋଉଟା ନିଶାପରି ମଣିଷକୁ ଏକ ଅକାରଣ ଅର୍ଥହୀନ ଜୀବନ ଭିତରେ ବାଇଆ କରି ରଖିବ ଏବଂ ଜୀବନରେ କେଉଁଭଳି ଧାରାଟିଏ ଅନୁସରଣ କରି ପାରିଲେ ନିଜର ଉଦୟ ଏବଂ ଆତ୍ମଉନ୍ମୋଚନ ସହିତ ସମଗ୍ର ପୃଥିବୀର ମଧ୍ୟ ହିତ ହେବ, ସେହି ବିଷୟରେ ଆମପାଖରେ ଜ୍ଞାନର କ’ଣ କୌଣସି ଅଭାବ ରହିଛି ? ତଥାପି ଆମେ କାହିଁକି ସମୀଚୀନ ପଥଟିରେ ଚାଲି ପାରୁନାହୁଁ, କାହିଁକି ଉଚିତ ବିବେକଟିର ଭାଷାଟିକୁ ହୃଦୟଙ୍ଗମ କରୁଥିଲେ ମଧ୍ୟ ତା’ପଟେ ମୋଟେ ରହି ପାରୁନାହୁଁ ? ବ୍ୟକ୍ତିଗତ ଜୀବନ ସହିତ ଜାଗତିକ ସମ୍ବନ୍ଧଗତ ଜୀବନରେ ପଡ଼ିଥିବା ଗଣ୍ଠିଗୁଡ଼ାକ ଦିନୁଁ ଦିନ ଅଧିକ ଜଟିଳ ହେବାରେ ଲାଗିଛି, ଭୋଗର ସାମଗ୍ରୀମାନ ଶତଗୁଣ ହେବାରେ ଲାଗିଛି ଅଥଚ ମଣିଷମାନଙ୍କୁ ଘରକୁ ଫେରାଇ ଆଣିବାର ବାଟମାନେ ସତେଅବା ଅଲୋଡ଼ା ହୋଇ ପଡ଼ିଛନ୍ତି,–ଏହିସବୁ ବିଷୟରେ କେତେ କେତେ ଚିନ୍ତା ଆସି ଗ୍ରସ୍ତ କରିପକାଏ । ସତେଯେପରି ଅତ୍ୟନ୍ତ ଦୁର୍ବଳ ଲାଗେ । ଏହିପରି ଦୁର୍ବଳ ଲାଗେ ବୋଲି ତ କେତେ ମଣିଷ ବାବାଜି ହୋଇ ପଳାଇ ଯିବାକୁ ମନ କରନ୍ତି ଓ ଆଉକେତେ ମଣିଷ ଏହି ସଂସାର ଭିତରେ ରହିଥିଲେ ମଧ୍ୟ ତଥାପି ବାବାଜି ହୋଇ ରହିଥାନ୍ତି ।

 

ନିୟମଗୁଡ଼ିକୁ ଆହୁରି ଅଧିକ ଟାଣ କରିଦେଲେ କ’ଣ ମଣିଷ ତା’ ଅସଲ ସ୍ଵଧର୍ମଟିର ରାସ୍ତାଟିକୁ ଆଗ୍ରହ କରିବ, ଜୀବନକୁ ଭଲ ପାଇବ, ନିଜକୁ ସମସ୍ତଙ୍କ ସାଙ୍ଗରେ ଏକାଠି ମିଶାଇ କରି ଦେଖିବ, ଖେଳନାଗୁଡ଼ିକୁ ମୋଟେ ଭାଙ୍ଗି ପକାଇବାକୁ ଇଚ୍ଛା ବି କରିବନାହିଁ ? ମୁଁ କ’ଣ ନିୟମ ମାନି ମୋ’ ନିଜ ବାଟକୁ ଆସିଛି ? ହଁ, ନିୟମଗୁଡ଼ିକ ଯେ ଆବଶ୍ୟକ, ମୁଁ ତାହା ପରେ ସିନା ଜାଣିଛି, ମାତ୍ର ଆଗ ଏପରି କିଛି ଘଟିଛି, ଯାହା ମୋତେ ସତେଅବା ମୋ’ ଭିତରୁ ମୋ’ର ସାହଚର୍ଯ୍ୟ କରୁଥିବା ଜଣେ ସାଥୀର କଥା ମାନିବାକୁ ଉପାୟ ବତାଇ ଦେଇଛି । ଏହି ପୃଥିବୀ ପାଇଁ ଏପରି ଆଉ କ’ଣଟିଏ ଦରକାର, ଯାହାକି ମନୁଷ୍ୟମାନଙ୍କୁ ଜୀବନକୁ ଭଲ ପାଇ ଶିଖାଇବ, ପୃଥିବୀର ଅସଲ ହିତ ଲାଗି ରାଜି କରାଇ ଆଣିବ । ଏହିପରି ରାଜି ହୋଇଗଲେ କୌଣସି ମଣିଷ ଆଉ ଭୋଗ ଭିତରେ ଆଦୌ ବଣା ହୋଇ ରହିବନାହିଁ । ତା’ପରେ ସିଏ ନିଜକୁ ପୃଥିବୀଲାଗି ତିଆରି କରି ଶିଖିବ, ନିଜକୁ ମଧ୍ୟ ପୃଥିବୀଲାଗି, ଭଗବାନଙ୍କଲାଗି ଯୋଗ୍ୟ କରି ଶିଖିବ । ସିଏ ହିତରୁ ଅହିତକୁ ମଧ୍ୟ ବାଛି ପାରିବ, consumer ଜୀବନର ସକଳ ପ୍ରଲୋଭନକୁ ବଳେ ବଳେ ଛାଡ଼ିଦେଇ ପାରିବ । Creative ହେବ, ପ୍ରସାରିତ ହେବ,–ନିଜକୁ ଲୋଡ଼ିବା ଏବଂ ପୃଥିବୀକୁ ଲୋଡ଼ିବା ମଧ୍ୟରେ ସେତେବେଳେ ଆଉ କୌଣସି ଭେଦ ରହିବନାହିଁ ।

 

୧୮.୧୦.୯୮

 

ସମ୍ଭବତଃ ଭିତରେ କେଉଁଠାରେ ଭୟଟିଏ ବସି ରହିଥାଏ, ଯାହାକି ମଣିଷକୁ allergy ନାମକ ଘଣାରେ ଆଣି ପକାଇଦିଏ । ଭୟଟା ହିଁ ମଣିଷକୁ ତା’ ନିଜ ବିଷୟରେ ପ୍ରାୟ ଆହେତୁକ ଭାବରେ ଅତିସଚେତନ କରାଇ ରଖିଥାଏ । ଏବଂ, ସେଥିପାଇଁ ସିଏ ପ୍ରାୟ ଗୋଟାସୁଦ୍ଧା ନିଜକୁ ହିଁ ଦେଖେ, ବୃହତ୍ତର ଏହି ସମଗ୍ରଟାକୁ ମୋଟେ ଦେଖି ପାରେନାହିଁ । ସେଇଥିରୁ ଘୃଣା ସମ୍ଭବେ । ବାହାର ପ୍ରତି ଘୃଣା, ଭିତରେ ସତେଅବା ନିଜର କେଉଁ ବଇରୀ ପ୍ରତି ଘୃଣା । ଅନ୍ୟମାନଙ୍କୁ ଗୋଟାସୁଦ୍ଧା ଅପର ବୋଲି ଦେଖି ସେମାନଙ୍କ ପ୍ରତି ଘୃଣା ଏବଂ, ନିଜ ଭିତରେ ବହୁ ଖଣ୍ଡକୁ ଏକତ୍ର କରି ଧରି ନପାରୁ ଥିବାରୁ ନିଜ ପ୍ରତି ମଧ୍ୟ ଘୃଣା । ଏବଂ, ବିଚରା ଦେହଟା,–ସିଏ ତ ସତେଅବା ଯାବତୀୟ ମାଡ଼ ସହିବାଲାଗି ବଇନା ନେଇ ପୃଥିବୀକୁ ଆସିଛି ! ତେଣୁ, ଏସବୁର ପରିଣାମ ସେଇ ଦେହ ହିଁ ଭୋଗ କରିବ । ଅସଲ ଶତ୍ରୁ ଆଉ କେଉଁଠାରେ ଯାଇ ରହିଥିବ, କିନ୍ତୁ ସେହି ଶତ୍ରୁଟି ପ୍ରତି, ଖଣ୍ଡିଆଟି ପ୍ରତି ନିଜର ପ୍ରତିକ୍ରିୟାକୁ ସେହି ଦେହର ମାଧ୍ୟମରେ ହିଁ ବ୍ୟକ୍ତ କରା ଯାଇଥିବ ।

 

ଏହି ପୃଥିବୀରେ ସମସ୍ତେ ମୋ’ର ବୋଲ ମାନନ୍ତୁ, ମୁଁ ଏକଥା କାହିଁକି ଆଶା କରିବାକୁ ଯିବି ? ମୋ’ର ମାପକାଠିରେ ଏଇଟା ଭଲ, ଏଇଟା ଉଚିତ୍, ଏଇଟା ଆଦର୍ଶ; ମାତ୍ର ତା’ ବୋଲି ମୁଁ ସେହି ଧିସାଗୁଡ଼ାକୁ ଅନ୍ୟ ସମସ୍ତଙ୍କ ଉପରେ କାହିଁକି ମଡ଼ାଇଦେବା ଲାଗି ମନ କରୁଥିବି ? ମୁଁ ନିଜେ କାହିଁକି ଅଧିକରୁ ଅଧିକ ସମ୍ପୂର୍ଣ୍ଣ ଭାବରେ ନିଜର ବୋଲକୁ ମାନିବିନାହିଁ ? ଯେଉଁ ବ୍ୟକ୍ତିଟି ନିଜର ବୋଲକୁ ନିଜେ ଅଧିକ ନିଷ୍ଠାର ସହିତ ମାନିବାକୁ ଧର୍ମପରି ଗ୍ରହଣ କରିଥିବ, ତାକୁ ଯେ କେତେ ଜାଗାରେ ଅବୋଲକରା ହେବାକୁ ପଡ଼ିବ, ସେକଥା କେବଳ ଅନୁଭବୀ ହିଁ ଜାଣିବ । ନିଜର ବୋଲ ମାନି ନପାରୁଥିବା ବ୍ୟକ୍ତିଟି ହିଁ ସଚରାଚର ଅନ୍ୟ ଯାବତୀୟ ବୋଲଗୁଡ଼ାକୁ ମାନିବାରେ ଲାଗିଥାଏ । ସିଏ ତାହାକୁ ହିଁ ନିରାପଦ ବୋଲି ଧରି ନେଇଥାଏ, ନିଜ ଅପାରଗତାର କ୍ଷତିପୂରଣ କରିବାରେ ଲାଗିଥାଏ । ସିଏ କେବେହେଲେ ଆଦୌ କିଛି ଖୋଜେନାହିଁ, ତେଣୁ ନିଜର ବୋଲି କିଛି ପାଏ ବି ନାହିଁ । ସିଏ ଖାପ ଖାଇଯାଏ । ଉପରେ ଖାପ ଖାଇଯାଏ ଏବଂ ନିଜ ଭିତରେ ନିଜକୁ ତଥାପି ଅସଲ ହିସାବଗୁଡ଼ିକୁ ବୁଝାଇଦେଇ ପାରୁନଥାଏ । ଏହି ପୃଥିବୀରେ ସେଇ ଏଇଟାକୁ ପୂରା ଠିକ୍ ବୋଲି କହେ ଓ ସେଇଟାକୁ ପୂରା ଭୁଲ୍ ବୋଲି କହେ । କେତେଟା ଗୁଳାକୁ, ଅଭ୍ୟସ୍ତତାକୁ, ବାହ୍ୟ ରୀତିକୁ ସଂସ୍କୃତି ବୋଲି କହେ । ନିଜପାଖରେ ହିସାବ ତୁଟାଇ ନଥାଏ ଏବଂ ବାହାରେ ସବୁଠାରୁ ଅଧିକ ଖାପ ଖାଇ ରହିଥାଏ । ତାହାରି ଘୃଣାମାନେ ପ୍ରବଳ ହୁଅନ୍ତି,–ସିଏ ଜୀବନଟାକୁ ସତେଅବା ଏକ ଅତିସହଜ ଗଣିତ ବୋଲି ଧରି ନେଇଥାଏ, ଯାହାକୁ କି କୌଣସି ନିର୍ଦ୍ଦିଷ୍ଟ ଧାରା ପକାଇ କଷି ଦିଆଯାଇ ପାରିବ । ଏହି ମଣିଷମାନେ ନିଜ ଭିତରେ କେତେଟା ବା କେତେ କେତେ allergyକୁ ସମ୍ଭାରି ରଖିଥାନ୍ତି । ଏବଂ ତାହାରି ବଳରେ ନିଜ ଭିତରର ଅବଧାନଟିଠାରୁ ରକ୍ଷା ପାଇଯିବେ ବୋଲି ଭାବିଥାନ୍ତି । ମାତ୍ର, ସତକୁ ସତ ରକ୍ଷା ପାଆନ୍ତି କି ?

 

୧୯.୧୦.୯୮

 

ଖାଲି ଯନ୍ତ୍ରମାନଙ୍କୁ ଜାଣିଲେ ମୁଁ କଦାପି ଯଥାର୍ଥ ଭୂମିଗୁଡ଼ିକରେ ଯନ୍ତ୍ରଟିଏ ହୋଇ ପାରିବିନାହିଁ । ଅସଲ ଅର୍ଥରେ ଯନ୍ତ୍ରଟିଏ ହୋଇ ପାରିବାକୁ ହେଲେ ଯନ୍ତ୍ରୀ ସହିତ ମଧ୍ୟ ପରିଚୟ ରହିଥିବା ଆବଶ୍ୟକ । ଅଥବା, ଏପରି ମଧ୍ୟ କୁହାଯାଇ ପାରିବ ଯେ, ମୁଁ ଅସଲ ଅର୍ଥରେ ଯେତିକି ଯେତିକି ନିଜକୁ ଏକ ଯନ୍ତ୍ରରୂପେ ତିଆରି କରି ଆଣୁଥିବି, ଅସଲ ଯନ୍ତ୍ରୀଟି ସହିତ ମଧ୍ୟ ମୋ’ର ପରିଚୟଟି ସେତିକି ସ୍ପଷ୍ଟ ଏବଂ ଘନିଷ୍ଠ ହେବାରେ ଲାଗିଥିବ ।

 

ଯନ୍ତ୍ରୀ ନାମକ ସେହି ଚିଜଟି କ’ଣ ସେଇଠି କେଉଁଠି ଥୁଆହୋଇଛି ଯେ, ମୁଁ ଇଚ୍ଛା କଲେ ଘୋଡ଼ା ଛୁଟାଇ ତା’ ପାଖରେ ଯାଇ ପହଞ୍ଚିଯାଇ ପାରିବି ? ପୃଥିବୀରେ ଯନ୍ତ୍ରମାନେ ଯେଉଁପରି ବିଭିନ୍ନ ପ୍ରକାରେ ରହିଛନ୍ତି, ଯନ୍ତ୍ରୀର କଳ୍ପନା ବି ଠିକ୍ ସେହିପରି ବିଭିନ୍ନ ପ୍ରକାରେ କରାଯାଇଛି । ବହୁତ ମଣିଷ ନିଜର ଅହଂଟାକୁ ସତେଅବା ଯନ୍ତ୍ରୀ ବୋଲି ମାନି ନେଇଥାନ୍ତି ଓ ସେହି ଅନୁସାରେ ଆପଣାକୁ ଏକ ଯନ୍ତ୍ରରୂପେ ବାଗେଇ ନେଇଥାନ୍ତି । ଠିକ୍ ସେହିପରି ଭାବରେ ପ୍ରତ୍ୟେକ ମନୁଷ୍ୟ ହୁଏତ କୌଣସି କାହାକୁ ଯନ୍ତ୍ରୀ ବୋଲି ମାନିନେଇ ଅନୁରୂପ ଫରମାସରେ ଯନ୍ତ୍ରଟିଏ ହେବାପାଇଁ ଚେଷ୍ଟା କରୁଥାନ୍ତି । ଅଧିକାଂଶ ମଣିଷ ଏକାଧିକ ଅନ୍ତର୍ଗତ କାରଣରୁ ଗୋଟିଏ ଗୋଟିଏ ବିନ୍ଦୁରେ ଅଟକି ଯାଇଥାନ୍ତି ଓ ଯନ୍ତ୍ରଟିକୁ ମଧ୍ୟ ସେହି ଅନୁସାରେ ପୋଷ ମନାଇ ରଖିଥାନ୍ତି । ପୃଥିବୀରେ ସଚରାଚର ସେହିମାନଙ୍କର କଉତୁକଟା ବେଶି ଦେଖିବାକୁ ମିଳିଥାଏ । ମାତ୍ର, ଗୋଟିଏ ସାଧନା ଅର୍ଥାତ୍ ସାନ୍ନିଧ୍ୟପ୍ରକ୍ରିୟା ରହିଛି ଯାହା ଫଳରେ ବା ଯାହା ବଳରେ ଏକ ନିର୍ଦ୍ଦିଷ୍ଟ କ୍ରମରେ ନିଜ ଭିତରେ ହିଁ ଯନ୍ତ୍ରୀର ଆଭାସଟିଏ ମିଳିବାକୁ ଆରମ୍ଭ କରେ । ସେଥିପାଇଁ ବାହାରେ ଠାବ କରିବାର ସବୁଯାକ ରୀତିକୁ ଯେ ବନ୍ଦ କରି ଦେବାକୁ ହୁଏ, ସେକଥା ମୋଟେ ନୁହେଁ । ବାହାରେ ଠାବ କରୁ କରୁ ଭିତରେ ଏକ ଅନୁଭବ ପାଖରେ ଯାଇ ପହଞ୍ଚି ହୁଏ ଏବଂ କ୍ରମେ ସେହି ଅନୁଭବଟି ଅଧିକରୁ ଅଧିକ ନିବିଡ଼ ହେବାକୁ ଆରମ୍ଭ କରେ । ସବୁକିଛିକୁ ଏତେ ନିକଟରୁ ଅନୁଭବ କରିହୁଏ ଯେ, ଦୂରଟା ମଧ୍ୟ କ୍ରମଶଃ ଭାରି ନିକଟ ହୋଇ ଆସେ । ବାହାରେ ତଥା ଭିତରେ ଏହିପରି ଭାବରେ ସେହି ନିକଟତାକୁ ଅନୁଭବ କରିବା, ସେହି ନିକଟତାକୁ ବହନ କରି ଜୀବନକୁ ବଞ୍ଚି ପାରିବା,–ତା’ପରେ ଜୀବନଟା ଗୋଟିଏ ଉତ୍ସବରେ ପରିଣତ ହୋଇଯାଏ । ନିତି ଭେଟ ହୁଏ; ଏବଂ, ଯାହାକୁ ଦେଖିଲେ ମଧ୍ୟ ବାହାର ଭିତର ଉଭୟ ଦିଶି ଯାଉଥାଏ । ତାଙ୍କୁ ଯନ୍ତ୍ରୀ ବୋଲି କହି ଯେଉଁମାନେ ସିଦ୍ଧାନ୍ତ କରନ୍ତି ଏବଂ ସିଦ୍ଧାନ୍ତ ସିଦ୍ଧାନ୍ତ ମଧ୍ୟରେ ଝଗଡ଼ାମାନ ଲଗାଇ ରଖିଥାନ୍ତି, ସେମାନେ ଏହି ଛାର ଓ ସହଜ କଥାଟିକୁ କାହିଁକି ଅଙ୍ଗ ନିଭାଇ ପାରନ୍ତି ନାହିଁ କେଜାଣି ? ଯଦି ତୁମେ ମଣିଷମାନଙ୍କୁ ସାଙ୍ଗ କରି ପାଇବାକୁ ଇଚ୍ଛା କରୁଥାଅ, ତେବେ ଯନ୍ତ୍ରୀକୁ ଭିତରେ ଅନୁଭବ କର, ଭିତରେ ବହନ କର, ବଞ୍ଚ,–ତେବେ ତୁମେ ପୃଥିବୀଯାକ ସର୍ବତ୍ର ସମସ୍ତଙ୍କର ସାଙ୍ଗ ହୋଇଯାଇ ପାରିବ । ସେହି ଗୋଟିଏ ଯନ୍ତ୍ରୀ ସତେଅବା ପୃଥିବୀଯାକର ମଣିଷଙ୍କୁ ସାଙ୍ଗରୂପେ ପାଇବ ବୋଲି ଏତେ ଲୀଳା ଲଗାଇଛି, ତୁମେ ମଧ୍ୟ ସେହି କଥାଟିକୁ ଅନୁଭବ କରିପାରିବ ।

 

୨୦.୧୦.୯୮

 

ଆବ୍ରାହାମ୍ ମାସଲୋଭ୍‌ଙ୍କୁ ଯେଉଁ ଦିନଠାରୁ ଜାଣିଲିଣି, ସେହି ଦିନଠାରୁ ମୁଁ ତାଙ୍କୁ ଜଣେ ସମଧର୍ମୀ ବୋଲି ଅନୁଭବ କରି ଆସିଛି । କେବଳ ସିଏ ଲେଖିଥିବା ଗ୍ରନ୍ଥଗୁଡ଼ିକୁ ପାଠ କରି ହିଁ ତାଙ୍କର ଯାହା ପରିଚୟ ପାଇଛି । ଏବେ ତାଙ୍କର journals ପଢ଼ୁଥିବା ସମୟରେ ତାଙ୍କୁ ଆହୁରି ଅଧିକ ବିସ୍ତାରିତ ଭାବରେ ଜାଣୁଛି । ସିଏ ଯେ ନିଜର journals ଲେଖିଛନ୍ତି, ସେକଥା ମୋତେ ଆଗରୁ ଜଣା ନଥିଲା । ମୋଟେ ଛଅମାସ ତଳେ ସେକଥା ଜାଣିଲି । ଏବଂ, ଏହି ଦେଶକୁ ଆସିବା ପରେ ଯାଇ ଦୀର୍ଘ ୧୫୦୦ ପୃଷ୍ଠାର ସେହି ପୁସ୍ତକ (ଦୁଇଖଣ୍ଡ)କୁ ପାଠ କରିବାର ସୁଯୋଗ ପାଇଲି-

 

ସମଧର୍ମୀ ବୋଲି ଅନୁଭବ କରିବାର ମୋଟେ ଅର୍ଥ ନୁହେଁ ଯେ, ମୁଁ ତାଙ୍କର ଜଣେ ଅନୁସରଣକାରୀ ହୋଇଗଲି ଓ କେବଳ ସେଇ ସତକଥାତକ କହିଛନ୍ତି ବୋଲି ଏଡ଼େ ବଡ଼ ପାଟି କରି କହିବାକୁ ଆରମ୍ଭ କଲି । ଆହୁରି କେତେ କେତେ ମନୁଷ୍ୟ ନାନା ଭାଷାରେ, ନାନା ଯୁଗରେ ଓ ନାନା ଗଢ଼ଣରେ ମଧ୍ୟ ସତକଥା କହିଛନ୍ତି । ସବୁ ମଣିଷ ହିଁ ସତକୁ ଖୋଜିଛନ୍ତି,–ହୁଡ଼ି ଯାଇ ପୁଣି ପାଇଛନ୍ତି । ଯେତିକି ପାଇଛନ୍ତି, ସେତିକିରେ ଅବଶ ହୋଇ ନଯାଇ ଆହୁରି ଦଶଗୁଣ ଅଧିକ ଖୋଜିଛନ୍ତି । ସମସ୍ତଙ୍କର ଏହି ଖୋଜିବାର କାହାଣୀମାନ ଏକାଠି ହୋଇ ହିଁ ମନୁଷ୍ୟନାମକ ଏହି ଜାଗତିକ ପଥିକଟିର ନିରନ୍ତର ସମଗ୍ର କାହାଣୀଟି ଲେଖାହୋଇ ଆସିଛି । ଏହି ଲେଖାହୋଇ ଆସିବା, ଏହାହିଁ ଆମ ସମସ୍ତଙ୍କର ଅଙ୍ଗେ ନିଭାଇଥିବା ଅନୁଭବ ଏବଂ ଅଗ୍ରଗତିର କାହାଣୀ । ସେହି କାହାଣୀଟିର ଦର୍ପଣ ଉପରେ ଆପଣାକୁ ପରଖି ପରଖି ମଣିଷ ଭୟରେ ସ୍ତରରୁ ଉଠି ଉଠି କ୍ରମଶଃ ଭଲପାଇବା ଯାଏ ଆସିଛି । ତା’ର ସମସ୍ତ ପ୍ରାପ୍ତି ଓ ପ୍ରୀତି ସେହି କାହାଣୀଟିର ମାଧ୍ୟମରେ ଲେଖା ହୋଇ ଆସିଛି । ଶ୍ରୀଯୁକ୍ତ ମାସଲୋଭ୍‍ଙ୍କର ଅସଲ ବାହାଦୁରି ହେଉଛି ଯେ, ସିଏ ଜୀବନର ସମଗ୍ର ଦର୍ପଣଟିକୁ ଦେଖି ପାରିବାଲାଗି ତାଙ୍କର ମନୋବୈଜ୍ଞାନିକ ଯାବତୀୟ ଜିଜ୍ଞାସାକୁ ସାଧନରୂପେ ଗ୍ରହଣ କରିଛନ୍ତି ଏବଂ ଆମ ସମସ୍ତଙ୍କ ଲାଗି ଅମିତ ଜ୍ଞାନଦୃଷ୍ଟିକୁ ଚୟନ କରି ଆଣିଛନ୍ତି । ସେଥିପାଇଁ ତାଙ୍କର ନିଜ ଅଧ୍ୟାପନାର କ୍ଷେତ୍ରରେ ବହୁପ୍ରକାରେ ତାଡ଼ନା ସହିଛନ୍ତି । ମଣିଷକୁ ମେସିନ୍‌ଟିଏ ବୋଲି ଧରିନେଇ ତାକୁ ପ୍ରୟୋଗଶାଳାରେ ଛିନ୍ନ ଭିନ୍ନ କରି ଜାଣିବାର ପ୍ରୟାସ କରୁଥିବା ବହୁ ଗୁରୁଜନଙ୍କଦ୍ଵାରା ସିଏ ପ୍ରତ୍ୟାଖ୍ୟାତ ହୋଇଛନ୍ତି ଓ ଏବେ ମଧ୍ୟ ହେଉଛନ୍ତି । ମନୋବିଜ୍ଞାନର ତଥାକଥିତ ସ୍ଵତନ୍ତ୍ର କ୍ଷେତ୍ରଟିରୁ ଆଗ ବାହାରିଆସି ପାରିଲେ ଯାଇ ଆମେ ମାସଲୋଭ୍‍ଙ୍କୁ ଅଧିକ ନ୍ୟାୟଯୁକ୍ତ ଭାବରେ ବୁଝିବା ଲାଗି ସମର୍ଥ ହୋଇ ପାରନ୍ତେ । ଆଗାମୀ ଯେଉଁ ସମୟଟି ଆସୁଛି, ସେତେବେଳେ ଶାସ୍ତ୍ରଗୁଡ଼ାକର ଏହି ଅତିସଚେତନ ସୀମାମାନେ ମୋଟେ ରହିବେନାହିଁ, ଜୀବନନାମକ ସେହି ପରମଆକର୍ଷକ ବେଢ଼ା ଭିତରେ ପଣ୍ଡିତମାନଙ୍କର ଜାତି ଚାଲିଯିବ । ମୂର୍ତ୍ତିମାନେ ଆଉ କୌଣସି ଦୌରାତ୍ମ୍ୟ କରି ପାରିବେନାହିଁ । ସେତେବେଳେ ବିଜ୍ଞାନ ଏକ ତୃତୀୟ ନୟନ ଲାଭ କରିବ ଓ ଅନ୍ୟପ୍ରକାରେ ଦେଖିପାରିବ । ଶ୍ରୀ ମାସଲୋଭ୍ ନିଜର ଗବେଷଣାଦ୍ଵାରା ଆମକୁ ସେହି ସୂଚନାଟିକୁ ଦେଇ ଯାଇଛନ୍ତି ।

 

୨୨.୧୦.୯୮

 

ଆମେରିକା ଛାଡ଼ିବା କ୍ରମେ ନିକଟ ହୋଇ ଆସୁଛି । ମଣିଷ ଗୋଟାଏ ସ୍ଥାନକୁ ଛାଡ଼େ, କାରଣ ତା’ର ଆଉ ଗୋଟାଏ ସ୍ଥାନରେ ପହଞ୍ଚିବାକୁ ଥାଏ । ଏଠୁ, ଏହି ପୃଥିବୀରୁ ବାହାରି ମୁଁ ଭାରତବର୍ଷକୁ ଫେରିଯିବି, ଓଡ଼ିଶାକୁ ଫେରିଯିବି । ଏଠା ଛାଡ଼ି ଗଲାବେଳେ ଯେ ମୁଁ ଏଠାରୁ ବହୁତକିଛି ସାଙ୍ଗରେ ନେଇ ଅବଶ୍ୟ ଯିବି, ସେଥିରେ କୌଣସି ସନ୍ଦେହ ନାହିଁ । ଆମେରିକାକୁ ଆସୁଥିବା ସମୟରେ ମୁଁ ଓଡ଼ିଶାରୁ ବହୁତ କିଛି ସାଙ୍ଗରେ ନେଇ ଯେ ଘରୁ ବାହାରିଥିଲି, ଏଇଟି ମଧ୍ୟ ଠିକ୍ ସେହିପରି କଥା । ଠିକ୍ ଏହିପରି ଭାବରେ ହିଁ ଆମ ଜୀବନରେ ଚିହ୍ନା ଓ ଅଚିହ୍ନା ମଧ୍ୟରେ ରହିଥିବା ବ୍ୟବଧାନମାନ ବଦଳି ବଦଳି ଯାଉଥାଏ । କୋଉଠି ଚିହ୍ନାମାନ ତଥାପି ଅଚିହ୍ନା ଲାଗୁଥାଏ-। ଆଉକେଉଁଠି ଅଚିହ୍ନାମାନେ ବି ଭାରି ଚିହ୍ନା ଚିହ୍ନା ଲାଗନ୍ତି । ଓଡ଼ିଶାରେ ବହୁତ ବହୁତ ଅଚିହ୍ନା ଭାରି ଚିହ୍ନା ଲାଗନ୍ତି ଏବଂ ଆମେରିକାରେ ସେହିପରି ବହୁତ ଚିହ୍ନା ବି ଅଚିହ୍ନା ଅଚିହ୍ନା ରହିଗଲାପରି ବୋଧ ହେଉଛି ।

 

ଯେଉଁମାନେ ସମ୍ପର୍କରେ ଆସିବା ମାତ୍ରକେ ଅନୁକରଣ କରିବାକୁ ଆରମ୍ଭ କରନ୍ତି, ସେମାନେ କେଡ଼େ ସହଜରେ ଗୋଟାଏ ଗୋଟାଏ ଥାନରେ ଗୁରାଇ ହୋଇ ରହିଥାନ୍ତି ଓ ଆହୁରି କେତେ କେତେ ଥାନକୁ ଦେଖୁଥିଲେ ମଧ୍ୟ ତଥାପି ଦେଖି ପାରୁନଥାନ୍ତି । ମୁଁ ଅନୁକରଣ କରେନାହିଁ, ଦେଖୁ ଦେଖୁ ଡେଇଁ ପଡ଼େନାହିଁ । ତେଣୁ, କୌଣସି ଗୋଟିଏ ବିଷୟ ମଧ୍ୟ ମୋତେ ଅନାବଶ୍ୟକପରି ମନେ ହୁଏ ନାହିଁ । ଅନୁକରଣ କରୁଥିବା ମଣିଷଟି ନିଜ ଗ୍ରହଣଶୀଳତାର ଦ୍ଵାରଦେଶରେ କେତେ କେତେ କଟକଣା ଜାରି କରି ରଖିଥାଏ । ମୁଁ ନିଜ ଜୀବନରେ ସେଭଳି କୌଣସି କଟକଣା ରଖିବାକୁ ମୋଟେ ଚେଷ୍ଟା କରିନାହିଁ । ତେଣୁ, ସବୁଠାରେ ମୁଁ ଖୁସି ହୋଇ ଦେଖିପାରିଛି, ସମ୍ବନ୍ଧ ଯୋଡ଼ି ପାରିଛି ଏବଂ ପୂର୍ଣ୍ଣ ସହଜ ଭାବରେ ପାଖକୁ ଯାଇ ପାରିଛି । ଆମେରିକାରେ ଥିଲାବେଳେ ଯେମିତି ଭାରତବର୍ଷଟା ଅନେକ ସମୟରେ ମନେପଡ଼ୁଥିଲା, ଭାରତବର୍ଷକୁ ଫେରିଯାଇ ଆମେରିକା ମଧ୍ୟ ସେହିପରି ବହୁତ ମନେପଡ଼ିବ । କାହାକୁ ଗ୍ରହଣ କରିବି ଓ କାହାକୁ ବର୍ଜନ କରିବି,–ସେଇଟା ଜୀବନର ଅସଲ ପ୍ରଶ୍ନ ମୋଟେ ନୁହେଁ । ସମ୍ବନ୍ଧ ଯୋଡ଼ିବା ହେଉଛି ପ୍ରକୃତରେ ଅସଲ ପ୍ରଶ୍ନ । ବାହାର ସହିତ କିପରି ସମ୍ବନ୍ଧ ଯୋଡ଼ିବାକୁ ହୁଏ, ତାହା ଶିଖିବା ନିମନ୍ତେ ମୋଟେ ଘରଟାକୁ ଛାଡ଼ି ପଳାଇ ଆସିବା ଆବଶ୍ୟକ ହୁଏନୁହେଁ । ସମ୍ବନ୍ଧ ଯୋଡ଼ିବାର, ନିଜକୁ ପ୍ରସାରିତ କରିଦେବାର କଳାଗୁଡ଼ିକୁ ମୁଁ ନିଜର ଘର ଭାରତବର୍ଷରୁ, ଓଡ଼ିଶାରୁ ହିଁ ଶିକ୍ଷା କରିଛି । ସମ୍ବନ୍ଧ ଯୋଡ଼ି ପାରିବାର ଯାବତୀୟ କଳାକୁ ନିଜର ସ୍ଵଭାବରେ ପରିଣତ କରିବାର ସବୁକିଛି ପ୍ରେରଣା ମୁଁ ମୋ’ ଘରୁ ପାଇଛି । ତାହାହିଁ ମୋ’ ନିଜ ଜୀବନ ମଧ୍ୟକୁ ମୋ’ ଗୋଡ଼ତଳର ଭୂମି ଓ ମୋ’ ସଂସ୍କୃତି ହିସାବରେ ଉକୁଟି ଉଠି ପାରିଛି ।

 

୨୩.୧୦.୯୮

 

ଜ୍ଞାନୀ ଓ ବିଜ୍ଞାନୀମାନେ ନିଜର ବିଚାର ଏବଂ ସୃଷ୍ଟିଗୁଡ଼ିକୁ, ନିଜର ବିଶେଷ ବିଶେଷ ମହତ୍ତ୍ଵାର୍ଥଗୁଡ଼ିକୁ ଅଧିକ ସ୍ପଷ୍ଟ କରିବା ନିମନ୍ତେ ନୂଆ ନୂଆ ଉଦ୍ଭାବନର ବିବେକଗୁଡ଼ିକୁ ଖଟାଇ ପାରିଭାଷିକ ଶବ୍ଦମାନଙ୍କର ଅବତାରଣା କରି ଥାଆନ୍ତି । ଏବଂ, କ’ଣ ଗୋଟାଏ ନିଶାରେ ସେମାନେ କ୍ରମେ ସେହି ପାରିଭାଷିକ ଶବ୍ଦଗୁଡ଼ିକର ଲଟାରେ ଏପରି ଭାବରେ ଗୁଡ଼ାଇହୋଇ ଯାଆନ୍ତି ଯେ, ପାଠକ ପାଖରେ ସେହି ଶବ୍ଦଗୁଡ଼ାକ ହିଁ ସେମାନଙ୍କୁ ବୁଝିବାର ମାର୍ଗରେ ହୁଏତ ଏକ ବଡ଼ ପ୍ରତିବନ୍ଧକପରି ହୋଇ ରହିଯାଏ । ପାରିଭାଷିକ ଶବ୍ଦଗୁଡ଼ିକୁ ନବୁଝିଲେ ସେମାନଙ୍କୁ ମୋଟେ ଠିକ୍ ଠିକ୍ ବୁଝିହେବ ବୋଲି ଜ୍ଞାନବିଜ୍ଞାନର ସଂସାରରେ ସର୍ବଦା ଏକ ଭ୍ରମ ସୃଷ୍ଟି ହୋଇ ରହିଥାଏ । ମାତ୍ର, ପାରିଭାଷିକ ଶବ୍ଦାବଳୀର ଚମତ୍କାର ଭାବରେ ଅର୍ଥ କରୁଥିବା ଲୋକ ଅନେକ ସମୟରେ ବିଜ୍ଞାନୀମାନଙ୍କ ଅପେକ୍ଷା ସେହି ଶବ୍ଦଗୁଡ଼ିକ ଉପରେ ଯେ ଅଧିକ ଗୁରୁତ୍ଵ ଦିଅନ୍ତି, ସେକଥା ବିଜ୍ଞାନୀମାନେ କାହିଁକି ଅବା ବୁଝିବେ ?

 

ପୃଥିବୀର ଜ୍ଞାନ ଭଣ୍ଡାରକୁ ଅନାଇ ବେଳେବେଳେ ମନେ ହୋଇଥାଏ, ସତେ ଯେପରି ଜ୍ଞାନଗାମୀମାନେ ଆମପାଇଁ ସର୍ବପ୍ରଥମେ ଏହି ପାରିଭାଷିକ ଶବ୍ଦଗୁଡ଼ିକୁ ହିଁ ଅଧିକ ଶ୍ରଦ୍ଧାର ସହିତ ଛାଡ଼ି ଯାଇଛନ୍ତି । ପରବର୍ତ୍ତୀ ପଣ୍ଡିତମାନେ ସେହି ଶବ୍ଦଗୁଡ଼ାକର ବାଜାମାନଙ୍କୁ ଝଣ ଝଣ କରି ଏପରି ଉତ୍ସାହର ସହିତ ନାଚିବାରେ ଲାଗି ଯାଇଛନ୍ତି ଯେ, ଜ୍ଞାନମାନେ ଶବ୍ଦାବରଣଗୁଡ଼ିକର କିମିଆ ଭିତରେ ଭାରି ଉପେକ୍ଷିତ ଭାବରେ ଅଲୋଡ଼ା ହୋଇ ରହି ଯାଇଛନ୍ତି । ସତ୍ୟର ଉତ୍ତରାଧିକାର ଅପେକ୍ଷା ଜ୍ଞାନଘରର ବିଶିଷ୍ଟମାନେ ପାରିଭାଷିକ ଶବ୍ଦଗୁଡ଼ିକର ଉତ୍ତରାଧିକାର ଉପରେ ଏତେ ବେଶି ଗୁରୁତ୍ଵ କାହିଁକି ଦେଇଛନ୍ତି କେଜାଣି ? ପଣ୍ଡିତଙ୍କ ପରେ ପଣ୍ଡିତ ଆସିଛନ୍ତି, ମୁଥେ ପାରିଭାଷିକ ଶବ୍ଦକୁ କାଟିବା ନିମନ୍ତେ ଆଉ ମୁଥେ ପାରିଭାଷିକ ଶବ୍ଦର କୁଢ଼ ସୃଷ୍ଟି କରି ଦେଇଛନ୍ତି । ଶବ୍ଦର ମୋହରେ ଅନେକ ସମୟରେ ସତ୍ୟମାନେ ସତେଅବା ସବୁବେଳେ ପୋତି ହୋଇ ରହି ଯାଇଛନ୍ତି । ସଂଜ୍ଞାଗୁଡ଼ିକୁ ଶବ୍ଦମାନଙ୍କରେ ଆବୃତ କରି ରଖିବାଦ୍ଵାରା ସମ୍ପ୍ରଦାୟମାନେ ବି ମଣିଷମାନଙ୍କର ଅସଲ ପ୍ରୟୋଜନଗୁଡ଼ିକୁ ଚିତା କାଟି ଦେଇଛନ୍ତି । ପଣ୍ଡିତ ପଣ୍ଡିତ ଭିତରେ ପ୍ରଧାନତଃ ଶବ୍ଦଗୁଡ଼ିକୁ, ସତ୍ୟଗୁଡ଼ିକୁ ନେଇ ନୁହେଁ, ଅଧିକ ବିବାଦ ଲାଗିଛି । ଶବ୍ଦଗୁଡ଼ିକୁ ନେଇ ଅଧିକ ଶାସ୍ତ୍ର ଲେଖାଯାଇଛି । ଅତି ସାଧାରଣ ସତ୍ୟଗୁଡ଼ିକୁ ବିସ୍ମୟକାରୀ ଅଭିନବତା ଓ ବିଶେଷ ବ୍ୟଞ୍ଜନା ରହିଥିବା ଶବ୍ଦମାନଙ୍କଦ୍ଵାରା ସର୍ବଦା ଅପହଞ୍ଚ ଓ ଜଟିଳ କରି ରଖାଯାଇଛି । ସେହି କାରଣରୁ ସତ୍ୟମାନେ ସାଧାରଣ ଜୀବନସ୍ତରକୁ ଓହ୍ଲାଇ ଆସିବା ପରିବର୍ତ୍ତେ ଶାବ୍ଦିକତାର ବହୁଗହନ ଭିତରେ ମାତ୍ର ଅଳ୍ପ କେତେକଙ୍କର ଦରବାରୀ ଏକଚାଟିଆ ହୋଇ ରହି ଯାଇଛନ୍ତି । ଆମ ଆଧୁନିକ କାଳଟାରେ ମଧ୍ୟ ଏହି କାଣ୍ଡଗୁଡ଼ାକ ମୋଟେ କମ୍ ଘଟୁନାହିଁ ।

 

୨୪.୧୦.୯୮

 

କୌଣସି ଏକ ସତ୍ୟର ଉପଲବ୍ଧି ହେବା ସଙ୍ଗେ ସଙ୍ଗେ ସେହି ସତ୍ୟ ଆମ ପାଖରୁ ସତେଅବା ସବୁକିଛି ମାଗିବାକୁ ଆରମ୍ଭ କରିଦିଏ । ସତ୍ୟକୁ କେବଳ ଜାଣିବା, ଗ୍ରନ୍ଥମାନଙ୍କରୁ ସତ୍ୟଗୁଡ଼ିକର ଇତିହାସକୁ ଅଧ୍ୟୟନ କରିବା ତଥା ସତ୍ୟଗୁଡ଼ିକର ସଂଜ୍ଞମାନଙ୍କୁ ସଂଗ୍ରହ କରିବା,–ତାହାକୁ ସେତିକିରେ କଦାପି ସତ୍ୟର ଉପଲବ୍ଧି ବୋଲି କୁହା ଯିବନାହିଁ । ଏହି ସଂସାର ସହିତ ଆମ ସମ୍ବନ୍ଧର ପ୍ରକ୍ରିୟାଗୁଡ଼ିକ ଅନେକ କ୍ଷେତ୍ରରେ ଏପରି ଅନ୍ୟପ୍ରକାର ହୋଇଥାଏ ଯେ, ଆମେ ବଡ଼ ନିର୍ବୋଧଙ୍କପରି ସତ୍ୟପାଖରୁ ହିଁ ଏଇଟା ବା ସେଇଟାକୁ ମାଗିବା ନିମନ୍ତେ ସବୁଠାରୁ ବଡ଼ କାର୍ଯ୍ୟ ବୋଲି ମନେ କରିଥାଉ । ଏବଂ, ନିଜକୁ ବହୁ ସମ୍ଭାବନା ଓ ବହୁ ଉନ୍ମୋଚନରୁ ବଞ୍ଚିତ କରି ରଖୁ । ସତ୍ୟର ନାନା ବିବରଣୀରେ ଆମର ଖାତା ପୂରିଯାଏ ସତ, ମାତ୍ର ଆମ ଜୀବନଟି ବିମୋଚନକାରୀ ଅସଲ ସୌଭାଗ୍ୟଗୁଡ଼ିକରୁ ବଞ୍ଚିତ ହୋଇ ରହିଥାଏ । ମାଗି ମାଗି ଆମେ ଅରକ୍ଷ ହୋଇଯାଉ ସିନା, ମାତ୍ର ସତ୍ୟକୁ ଉପଲବ୍ଧି କରିବାର ଆନନ୍ଦରେ କୌଣସି ଭାଗ ନେଇ ପାରୁନାହିଁ ।

 

ଏପରିକି ନିଜର ଦେଶକୁ ସତ୍ୟ ବୋଲି ମାନୁଥିବା ବ୍ୟକ୍ତିକୁ ଦେଶ ସର୍ବଦା ସର୍ବଦା ବହୁତ କିଛି ମାଗିବାରେ ଲାଗିଥାଏ । ସେହି ଅସଲ confrontationଟିର ଯୋଗ୍ୟ ହୋଇ ପାରୁନାହିଁ ବୋଲି ଆମେ ଦେଶକୁ ଗୋଟିଏ ପିତୁଳାରେ ପରିଣତ କରିଦେଉ ଓ ବାଉଳା ହୋଇଯାଉ । ଭଗବାନଙ୍କୁ ଏକ ସତ୍ୟରୂପେ ଉପଲବ୍ଧି କଲେ ଭଗବାନ ମାଗିବାକୁ ଆରମ୍ଭ କରନ୍ତି । ଆମକୁ ତାଙ୍କ କାମରେ ଅଧିକରୁ ଅଧିକ ବ୍ୟବହାର କରିବା ନିମନ୍ତେ ଆମକୁ ଅଧିକରୁ ଅଧିକ ଯୋଗ୍ୟ କରି ନେଉଥାନ୍ତି । ମାତ୍ର, ନିତାନ୍ତ ଅଯୋଗ୍ୟମାନେ ହିଁ ଭଗବାନଙ୍କୁ ପିତୁଳା କରି ବସାଇ ଦିଅନ୍ତି ଏବଂ ପୃଥିବୀରେ ପିତୁଳାମାନଙ୍କୁ ନେଇ ମଣିଷମାନଙ୍କ ଭିତରେ ଝଗଡ଼ା ଲାଗିଥାଏ । ନିଜ ନିଜ ଭଗବାନଙ୍କର ପ୍ରୀତିଭାଜନ ହେବାପାଇଁ ଅଫିମାମାନେ ସମ୍ପ୍ରଦାୟ ଗଢ଼ନ୍ତି, ନିଜ ପତାକାମାନଙ୍କୁ ଭାରି ଉଚ୍ଚ କରି ଉଡ଼ାଇ ପାରିଲେ ସେମାନେ ତାହାକୁ ହିଁ ସବୁଠାରୁ ବଡ଼ ବିଜୟ ବୋଲି କହିବାରେ ଲାଗି ଥାଆନ୍ତି । ଭଗବାନ ମଣିଷର ନିଜଭିତରେ ମଧ୍ୟ ଥାଆନ୍ତି, ତାଙ୍କରି କଥାକୁ ସେହିଠାରେ ଶୁଣିବାରେ ଯୋଗ୍ୟ ହୋଇ ପାରୁଥିଲେ ଯାଇ ମଣିଷ ପିତୁଳାରେ ହୁଡ଼ିବାରେ ମହାପ୍ରମାଦରୁ ରକ୍ଷା କରିବାଲାଗି ସମର୍ଥ ହୁଏ । ବାବୁ, ତୁମେ ମୋତେ ନିଜର ଉପଲବ୍ଧି ବିଷୟରେ କିଛି କହ । ତୁମର ପିତୁଳାମାନଙ୍କର ମାଧ୍ୟମରେ ନୁହେଁ, ତୁମ ଉପଲବ୍ଧିର ମାଧ୍ୟମରେ ମୋତେ ତୁମକୁ ଜାଣିବାକୁ ଦିଅ । ତୁମ ଭଗବାନ ତୁମକୁ କ’ଣସବୁ ମାଗିଛନ୍ତି ଓ ତୁମେ କିପରି ସେହି ଅନୁସାରେ ନିଜକୁ ପ୍ରସ୍ତୁତ କରିଛ, ମୋତେ ତୁମେ ସେହି ଖୁସିକଥାଟି ହିଁ କହ । ତାହା ମୋତେ ମୋ’ ନିଜ ଉଦୟରେ ମଧ୍ୟ ସାହାଯ୍ୟ କରିବ ଏବଂ ପ୍ରେରଣା ଦେବ । ବସ୍ତୁତଃ ଏହାରିଦ୍ଵାରା ହିଁ ତୁମ ଆମ ଭିତରେ ଲାଗିଥିବା ଡୋରଟି ମଧ୍ୟ ଦୃଢ଼ତର ହେବ ।

 

୨୫.୧୦.୯୮

 

ପଣ୍ଡିତ ଓ ବିଦ୍ଵାନ୍‍ମାନେ ପୃଥିବୀରେ ଏତେ ଅତିରିକ୍ତ ମାତ୍ରାରେ ମାନୀ ହୋଇ ରହିବାକୁ କାହିଁକି ପସନ୍ଦ କଲେ ? ସେମାନେ କେତେଟା ପାରିଭାଷିକ ଶବ୍ଦକୁ ଏପରି ନେଇ ମଥାଉପରେ ଥୋଇଲେ ଯେ, ମନୁଷ୍ୟର ଆଖି ଖୋଲିଦେବା ପାଇଁ ଏବଂ ମନୁଷ୍ୟସମୂହ ଲାଗି ବାଟଭଳି ବାଟଟିଏ ଦେଖାଇ ପାରିବା ପାଇଁ ସେମାନେ ଯେଉଁ ସତ୍ୟଗୁଡ଼ିକୁ ଘ୍ରାଣ କରି ପାରିଲେ, ତାହାକୁ ତୁଚ୍ଛା ଅପହଞ୍ଚ କରି ରଖିଲେ । ସେହି ଶବ୍ଦର ସ୍ତରରେ ହିଁ ମାନୀମାନଙ୍କ ମଧ୍ୟରେ ଗୋଳ ଲାଗିଲା, ଗୋଳରୁ ମହାନ୍ ମହାନ୍ ନାନା ସମ୍ପ୍ରଦାୟ ଜନ୍ମଲାଭ କଲା । ଅଦ୍ୱୈତବାଦ ଓ ଦ୍ଵୈତବାଦ ଭିତରେ ସତ୍ୟଟା ମାଡ଼ ଖାଇଗଲା । ଦୁଇଟା ମତକୁ ନେଇ ଦୁଇଟା ସମ୍ପ୍ରଦାୟର ଭିଆଣ ହେଲା । ଭଗବାନ ବା ପରମସତ୍ୟ ଗୌଣ ହୋଇ ରହିଲେ । ଦୁଇ ମତ ଭିତରେ କ’ଣ ଦୁହେଁ ରାଜି ହେଲାଭଳି କୌଣସି ଭୂମି ନଥିଲା ? ତେବେ ଦୁଇ ମହାନ୍ ସେହି ସାଧାରଣ ଭୂମିଗୁଡ଼ିକୁ ସବାଆଗରେ ରଖି ସତ୍ୟକୁ ମନୁଷ୍ୟମାନଙ୍କର ନିକଟତର କରାଇ ଆଣିବାକୁ ଏକାଠି ଚେଷ୍ଟା କଲେନାହିଁ କାହିଁକି ? ମାନଗୁଡ଼ାକୁ ହିଁ କାହିଁକି ଚଣ୍ଡ କରି ରଖିଲେ ?

 

ସେ ଯୁଗର ସେହି ତାତି ଓ ଉତ୍ସାହଟା ଏକାବେଳେକେ ଆମ ଏଯୁଗ ଯାଏ ବି କେଡ଼େ ଅଭିସନ୍ଧିମୂଳକ ଭାବରେ ଗଡ଼ି ଆସିଛି ! ବିଜ୍ଞାନର ବିଭିନ୍ନ ବିଦ୍ୟାଗୁଡ଼ିକ ମଧ୍ୟ ନିଜକୁ ଥାକେ ଥାକେ ପାରିଭାଷିକ ଶବ୍ଦ ମଧ୍ୟରେ ଆପଣାକୁ ଏଭଳି ବାନ୍ଧି ରଖିଛନ୍ତି ଯେ, ସେଗୁଡ଼ିକ କାର୍ଯ୍ୟତଃ କ୍ଷେତ୍ରୀୟ ବିଶେଷଜ୍ଞମାନଙ୍କର ହିଁ ଏକଚାଟିଆ ହୋଇ ରହିଛି । ଏବଂ, ଏକ ଦରିଦ୍ର ଓ ଅଳ୍ପବଳ ପୃଥିବୀରେ ସେହି ବିଶେଷଜ୍ଞମାନେ ହିଁ କଳି କରିବାରେ ଲାଗିଛନ୍ତି । ମନୁଷ୍ୟଜୀବନର ନିକଟତମ ଆଲୋଚନା କରୁଥିବା ମନୋବିଜ୍ଞାନ, ସମାଜବିଜ୍ଞାନ ଓ ନୃତତ୍ତ୍ଵବିଜ୍ଞାନର କ୍ଷେତ୍ରମାନେ ମଧ୍ୟ ନିଜନିଜର ଶବ୍ଦଗୁଡ଼ିକ ଭିତରେ ନିଜର ପବିତ୍ରତା ରକ୍ଷା କରି କିଳି ହୋଇ ରହିଛନ୍ତି । ପଣ୍ଡିତମାନେ ଇଚ୍ଛା କରୁଥିଲେ ପାର୍ଥକ୍ୟଗୁଡ଼ିକୁ ପଛରେ ରଖି ସେମାନେ ସମ୍ମତ ହେଉଥିବା ଅନ୍ତର୍ଦୃଷ୍ଟିଗୁଡ଼ିକ ବିଷୟରେ ଅଧିକ ସଂଖ୍ୟକ ମଣିଷ ବୁଝି ପାରୁଥିବା ଭାଷାରେ କଥାବାର୍ତ୍ତା ହୋଇ ପାରୁଥାନ୍ତେ,–ତଦ୍ଦ୍ଵାରା ଆମ ସମସ୍ତଙ୍କର ବହୁତ ଉପକାର ହେଉଥାନ୍ତା । ଅସଲ ବିଦ୍ୟା କଦାପି ଅନୁଦାର ହୋଇ କେବଳ ନିଜର ଶାବ୍ଦିକ ବାଣଗୁଡ଼ିକୁ ଜାବୁଡ଼ି ଧରି ଉଗ୍ର ହୋଇ ରହନ୍ତା ନାହିଁ । ପରିଭାଷାର ସାହାଯ୍ୟ ନନେଇ ଜୀବନସତ୍ୟର ପରିପ୍ରକାଶଗୁଡ଼ିକୁ କ’ଣ କହି ହେଉନଥାନ୍ତା ? ଆଧୁନିକ କାଳରେ ସାହିତ୍ୟଭିତରେ ମଧ୍ୟ କେତେ ନା କେତେ ପାରିଭାଷିକ ଶବ୍ଦ ଆସି ପଶିଗଲାଣି । ତେଣୁ, ସାହିତ୍ୟନାମକ ଏକ ଅଲଗା ସାହି ବି କ୍ରମେ ତିଆରି ହୋଇ ଆସିଲାଣି । ବିଜ୍ଞାନର ନାମରେ ମଥାଟାର କର୍ଷଣ କରି ସତ୍ୟଗୁଡ଼ିକୁ କାହିଁକି ଅନ୍ତରୀକ୍ଷପରି ଉଚ୍ଚ କରି ରଖାଯିବ ? ଜ୍ଞାନ ଆଉ କେତେ ଦିନ ନିଜକୁ ସମୂହଉଦୟର ସ୍ତରକୁ ଅଲଗା କରି ରଖିଥିବ ? ମନେ ହେଉଛି, ଏଇଟା ମଧ୍ୟ ସେଇ descentର କଥା,–ତଳକୁ ଆସି ପାରିବାର କଥା ।

 

୨୬.୧୦.୯୮

 

ହୃଦୟର ଅସଲ ଦମ୍ଭ ହେଉଛି ତା’ର ନମନୀୟତା । ଏବଂ, ସେହି ନମନୀୟତାର ଅନ୍ୟ ଏକ ନାମ ହେଉଛି ଗ୍ରହଣଶୀଳତା । ଏହି ନମନୀୟତା ଓ ଗ୍ରହଣଶୀଳତା ହେତୁ ହିଁ ହୃଦୟ ମଥାଟା ପାଖରେ ଲଣ୍ଡଭଣ୍ଡ ହୋଇ ପଡ଼େନାହିଁ । ମାତ୍ର, ହୃଦୟ ଆଗରେ ମଥାଟା ଯେ କେତେପ୍ରକାରେ ଲଣ୍ଡଭଣ୍ଡ ହୋଇଯାଏ, କେତେପ୍ରକାରେ ଯେ ନିଜର ଏକ ସ୍ଵତନ୍ତ୍ର ଅସ୍ତିତ୍ଵ ରହିଛି ବୋଲି ନିଜପାଖରେ ଏକ ପ୍ରତ୍ୟୟ ଆଣି ଦେବାକୁ ଚେଷ୍ଟା କରୁଥାଏ, ନିତିଦିନର ଜୀବନରେ ତାହାର ଭୁରି ଭୁରି ପ୍ରମାଣ ରହିଛି । ହୃଦୟ ବୋଲି ଆଦୌ କୌଣସି ପଦାର୍ଥ ନାହିଁ ବୋଲି ମଥାବାଲାମାନେ କେତେ କେତେ ପ୍ରମାଣ ଆଣି ଥୋଇଛନ୍ତି । ଏକଦା ଏହି କର୍ମ (ବା ଅପକର୍ମ)ଟାକୁ ହିଁ ମଥା ବିଜ୍ଞାନ ବୋଲି ଘୋଷଣା କରିଛି । ହୁଏତ ସେହି କୃପଣତା ହେତୁ ତାହା ବିଜ୍ଞାନକୁ ଭାରି ଧୂର୍ତ୍ତ ଭାବରେ ନିତାନ୍ତ ଅଳପ ଭିତରେ କିଳି ରଖିବାର ଉଦ୍ୟମ କରିଛି । ମଥାର ଦାମ୍ଭିକତାରୁ ହିଁ ମଣିଷ ଗଣିତ କଷୁ କଷୁ ଆମ ସମସ୍ତଙ୍କୁ ଆଣି ବୋମାଗୁଡ଼ାକ ପାଖରେ ଆଣି ହାବୁଡ଼େଇ ଦେଇଛି । ମଥାଟାକୁ ହିଁ ମନୁଷ୍ୟର ଅସଲ ସାମର୍ଥୀରୂପେ ଦେଖାଉଥିବା ଆଧୁନିକ ଏକାଧିକ ଜ୍ଞାନ ମଣିଷର ବିବେକକୁ ଅନେକ ସମୟରେ ଭାରି ଦୁର୍ବଳ କରି ରଖିଛି । ନମନୀୟ ହୃଦୟଟା ଏହି ସବୁକିଛିକୁ ଦେଖିଛି ଏବଂ ଅପେକ୍ଷା କରିଛି ।

 

ଧର୍ମମାନେ ବି ମଥାଟାକୁ ନେଇ କମ୍ ଥେଇ ଥେଇ ହୋଇ ନାଚି ନାହାନ୍ତି । ମଥାମାନେ ହିଁ ସମଗ୍ର ପୃଥିବୀକୁ ଗୋଟାଏ ଧର୍ମର ରଙ୍ଗ ଓ ଭେକ ଭିତରେ ପଙ୍ଗୁ କରି ରଖିବାର ପ୍ରୟାସ କରିଛନ୍ତି । ଏବେ ମଧ୍ୟ କମ୍ କରୁନାହାନ୍ତି । ମଥାର ଇନ୍ଦ୍ରଜାଲ ଭିତରେ ପଶିବାର ଦୁରାତ୍ମତାଦ୍ଵାରା ହିଁ ଧର୍ମମାନେ ରାଷ୍ଟ୍ରଶକ୍ତିର ଦାସବୃତ୍ତି କରିଛନ୍ତି । ଧର୍ମକୁ ଆଧ୍ୟାତ୍ମିକତା ମଧ୍ୟକୁ ଉତ୍ତୋଳିତ ହୋଇଯିବାକୁ ନଦେବାରେ ହିଁ ମଥାର ଏକ ବୃହତ୍ ଅବଦାନ ରହିଛି । ଏବଂ, ଏବର ବୈଜ୍ଞାନିକମାନେ ନିଜ ନିଜର ଲାବୋରେଟରିମାନଙ୍କରେ ତଥାପି କୋଉସବୁ କାରଣରୁ ନିଜର ବୈଜ୍ଞାନିକତାଠାରୁ ଏକ ପୂର୍ଣ୍ଣତର ପ୍ରତ୍ୟୟ ପାଇ ପାରୁନାହାନ୍ତି କେଜାଣି, ସେମାନେ ଧର୍ମ ଓ ଭଗବାନଙ୍କ ବିଷୟରେ ମଧ୍ୟ ନାନା ଅନୁମାନ କରିବାକୁ ଆରମ୍ଭ କଲେଣି । ନିଜ ମଥାଟାର ମାଆରୂପେ ସେମାନଙ୍କ ଭିତରେ ହୃଦୟ ବୋଲି ଯେ ମୂଳଟିଏ ବା ଉପାଦାନଟିଏ ମହଜୁଦ୍ ହୋଇ ରହିଛି, ଏତିକି ସ୍ଵୀକାର କରିନେଇ ପାରିଲେ ଅର୍ଥାତ୍ ଅନୁଭବ କରି ପାରିଲେ ସେମାନେ ନିଜର ପ୍ରୟୋଗଯନ୍ତ୍ରଗୁଡ଼ାକ ଭିତରେ ମଧ୍ୟ ହୁଏତ ଏକ ସର୍ବଲୋଡ଼ନକାରୀ ସତ୍ୟଶିହରଣକୁ ମଧ୍ୟ ଅନୁଭବ କରି ପାରନ୍ତେ, ତରିଯାଆନ୍ତେ । ମଥାର ପାଞ୍ଚଣଟାରେ ଅଡ଼ା ହୋଇ ମଣିଷର ସଭ୍ୟତାଟା ଯେଉଁଯାଏ ଆସିଲାଣି, ସେଥିରୁ ଭାରି ଅନ୍ଦାଜ ହୋଇ ଯାଉଛି ଯେ, ମଣିଷ କ୍ରମେ ହୃଦୟପାଖକୁ ଫେରି ଆସୁଛି । ହୃଦୟ ହେଉଛି ଏକ ସମଗ୍ରତା, ଯାହାଭିତରେ ମଥାଟା ଲାଗି ମଧ୍ୟ ଏକ ଯଥାନୁରୂପ ସ୍ଵାଧୀନତା ରହିଛି, କ୍ଷେତ୍ର ବି ରହିଛି । କେତେ ମଣିଷ କ୍ଳାନ୍ତ ହୋଇ ଫେରୁଛନ୍ତି, ଏକ ମୋହଭଙ୍ଗଦ୍ଵାରା ତାଡ଼ିତ ହୋଇ ଆହୁରି କେତେ ଫେରୁଛନ୍ତି;–ଏବଂ, ଆପଣା ଚେତନାରେ ଏକ ନିର୍ଦ୍ଦିଷ୍ଟ ଶିଖରରେ ପହଞ୍ଚି ଆହୁରି ଅନ୍ୟମାନେ ବି ହୃଦୟକୁ ଚିହ୍ନିବାପାଇଁ ଆସୁଛନ୍ତି । ତାହାକୁ ଏକ ଅଭିନବ ବ୍ୟଞ୍ଜନାରେ ଚିହ୍ନି ପାରୁଛନ୍ତି ।

 

୨୭.୧୦.୯୮

 

ପୃଥିବୀର କେଡ଼େ ବଡ଼ ଭାଗ୍ୟ ଯେ ପୃଥିବୀରେ ଅଧିକ ମଣିଷ କାଳେ କାଳେ ସବାଆଗ ହୃଦୟର କଥା ହିଁ ମାନିଛନ୍ତି । ତେଣୁ ଏହି ପୃଥିବୀ ରହିଛି । ହଁ, ମଝିରେ ମଝିରେ ବୁଦ୍ଧି ଥିବା ଲୋକମାନେ ଫିକର କରି ସହଜ, ସାଧାରଣ ମଣିଷମାନଙ୍କର ହୃଦୟକୁ ଏଣେ ତେଣେ ଘାବରାଇ ଘଉଡ଼ାଇ ନେଇଛନ୍ତି । ତୁଚ୍ଛା ସ୍ଵାର୍ଥକ୍ଷମତାଗୁଡ଼ାକୁ ଚରିତାର୍ଥ କରିବା ନିମନ୍ତେ ସାଧାରଣ ମଣିଷଙ୍କର ହୃଦୟକୁ ନାନା ଭାବପ୍ରବଣତା ଦେଇ କାବୁ କରି ରଖିଛନ୍ତି । ଧର୍ମ ନାମରେ, ଜାତି ନାମରେ ଏବଂ ଆଦର୍ଶ ନାମରେ ଯେତେ ଯେତେ ଯୁଦ୍ଧ ଲାଗିଛି, ତାହା ପଛରେ ଆବଶ୍ୟକ ଭ୍ରମଭ୍ରଷ୍ଟତାକୁ ସୃଷ୍ଟି କରିବା ନିମନ୍ତେ ମଥାମାନେ ହିଁ ରହିଛନ୍ତି । ଏହି ମଥାଟା ବିଜ୍ଞାନଘରେ ଚିରଦିନ ରଜା ହୋଇ ବସିଛି । ଏଯୁଗରେ ମଧ୍ୟ ଅଧିକାଂଶ ବିଜ୍ଞାନକୁ ବିଜ୍ଞାନ ନୁହେଁ, ରାଷ୍ଟ୍ରଗୁଡ଼ିକୁ କାବୁ କରି ରଖିବାକୁ ବୁଦ୍ଧିମାନେ ହିଁ ଚଳାଉଛନ୍ତି । ବିଜ୍ଞାନ ସହିତ ହୃଦୟଟା ସହଚାରୀ ହୋଇ ରହିନଥିଲେ ମଣିଷର ମଥାଟା ବିଜ୍ଞାନକୁ ବୋଲକରାପରି ବ୍ୟବହାର କରି କେତେ ଅନିଷ୍ଟ ଯେ ଭିଆଇପାରେ, ଆଧୁନିକ ଘଟଣା ଏବଂ ଅଘଟଣାମାନେ ନାନା କ୍ଷେତ୍ରରେ ତାହାରି ସାକ୍ଷୀ ହୋଇ ରହିଛନ୍ତି ।

 

ଏଇଠି ଆଧୁନିକ ସାହିତ୍ୟ କଥା ବି ମନେ ପଡ଼ିଯାଉଛି । ଆଧୁନିକ ହେବା ନିମନ୍ତେ ସାହିତ୍ୟ ଅଧିକରୁ ଅଧିକ ପରିମାଣରେ ବୁଦ୍ଧିଆ ହେବାରେ ଲାଗିଛି । ଶୈଳୀ ପରେ ଶୈଳୀ ଖଞ୍ଜି ଦେଉଛି, ଶବ୍ଦ ପରେ ଶବ୍ଦ ଯୋଡ଼ି ଦେଉଛି, ସାହିତ୍ୟମିସ୍ତ୍ରୀମାନେ ଶବ୍ଦନଦୀରୁ ହିଁ ପେଟପୂରା ସାନ୍ତ୍ଵନା ଲାଭ କରୁଛନ୍ତି ବୋଲି କବିତାମାନଙ୍କରେ କୀର୍ତ୍ତନ କରିବାରେ ଲାଗିଛନ୍ତି । ସାହିତ୍ୟର ସରଘରେ ଭଳି ଭଳି ସାମଗ୍ରୀ କୁଢ଼ କୁଢ଼ ହୋଇ ବଢ଼ିବାରେ ଲାଗିଛି ଏବଂ ପୃଥିବୀରୁ ହୃଦୟଟା ଗୋଟାସୁଦ୍ଧା ଚାଲିଗଲା ବୋଲି କାବ୍ୟବନ୍ଧମାନଙ୍କରେ କେତେପ୍ରକାରେ ଚିତ୍କାର କରାଯାଉଛି । ସେମାନେ ନିଜ ହୃଦୟ ପାଖରୁ କାହିଁକି ଚୋର ହୋଇ ବୁଲୁଛନ୍ତି କେଜାଣି ? ସତ୍ୟ ମଥାରେ ନାହିଁ, ସତ୍ୟ ହୃଦୟରେ ଅଛି । ମଥାଟା ହୃଦୟର ବୋଲ ମାନୁଥିଲେ ତଥାକଥିତ ବୈଜ୍ଞାନିକମାନେ ରାଷ୍ଟ୍ରର ଆଜ୍ଞାପାଳନ କରି ଅଣୁବୋମା ତିଆରି କରୁନଥାନ୍ତେ । ସେମାନେ ମନା କରୁଥାନ୍ତେ, ପ୍ରତିବାଦ କରୁଥାନ୍ତେ । ଆମ ସମସ୍ତଙ୍କ ସକାଶେ ଅନେକ ଭରସାର କାରଣ ହୋଇ ପାରୁଥାନ୍ତେ । ପ୍ରୟୋଗଶାଳାର ଜେଲ୍ ଭିତରୁ ବାହାରି ସେମାନେ ପୃଥିବୀରୂପକ ସମ୍ବନ୍ଧଶାଳା ଭିତରେ ପ୍ରବେଶ କରି ପାରୁଥାନ୍ତେ । ତୁମେ ବାବୁ ପ୍ରୟୋଗଶାଳା ଭିତରେ ବନ୍ଦୀ ହୋଇ ରହି ଭଗବାନଙ୍କର, ବିଶ୍ଵସତ୍ୟର ପୁଣି କି ପ୍ରମାଣ ପାଇପାରିବ କହିଲ ? ଖାଲି ଅନୁମାନ କରୁଥିବ, ଅଳପଗୁଡ଼ାକୁ ଅଧିକ ଶବ୍ଦ ଓ ଅଧିକ ସୂତ୍ର ଦେଇ ବର୍ଣ୍ଣନା କରୁଥିବ, ସହଜମାନଙ୍କୁ ବହୁ ଜଟିଳତା ଭିତରେ ଘୁଙ୍ଗାଳି ରଖୁଥିବ । ଆଗ ସମ୍ପ୍ରସାରିତ ନହେଲେ ତୁମେ କଦାପି ନିଜ ହୃଦୟଟିର ବାରତାକୁ ମଧ୍ୟ ଶୁଣି ପାରିବନାହିଁ । ବିଶ୍ଵ ହୃଦୟର ଭାଜନ ହୋଇ ପାରିବା ତ ଆହୁରି କେତେ ପାହାଚ ପରର କଥା । ନିଜ ଭିତରଟାକୁ ତାଙ୍କ ପାଇଁ ରାଜି ନକରି ତୁମେ ଅଙ୍କ କଷି କିପରି ତାଙ୍କର ଅନ୍ଦାଜ ହୋଇପାରିବ କହିଲ ? ତୁମ ହୃଦୟ ହିଁ ତୁମର ସହାୟ ହେଉ ।

 

୨୮.୧୦.୯୮

 

ହୃଦୟକୁ ନିଜ ଆସ୍ପୃହାର ମୂଳାଧାର କରି ଜୀବନ ବଞ୍ଚିପାରିବା ପାଇଁ ବହୁତ ସାହସ ଦରକାର । ମଥାମାନଙ୍କର ଚକ୍ରାନ୍ତ ଭିତରେ ଅଟକି ନଯିବା ନିମନ୍ତେ ପ୍ରକୃତରେ ଅନେକ ସାହସ ଦରକାର । ଏପରିକି, ନିଜ ମଥାଟା କ’ଣ ବେଳେବେଳେ କମ୍ ଚକ୍ରାନ୍ତ କରିଥାଏ ଓ ତାହାର ନିଜ ରାଜତ୍ଵଟାକୁ ସର୍ବୋଚ୍ଚ ଏବଂ ଚରମ ବୋଲି ମାନିନେବାକୁ କ’ଣ କମ୍ ଧମକ ଦେବାରେ ଲାଗିଥାଏ-! ସେହି ଧମକ ଓ ଫୁସୁଲାଦ୍ଵାରା ପ୍ରଲୁବ୍ଧ ନହେବା ଲାଗି ବହୁତ ସାହସ ଦରକାର । ଗୋଡ଼ ଯେପରି କେତେବେଳେ ହେଲେ ଖସି ନଯାଏ, ସେହି ବିଷୟରେ ନିଦକ ହୋଇ ରହି ପାରିବାପାଇଁ ବହୁତ ସାହସ ଦରକାର ।

 

ପୃଥିବୀରେ ବହୁତଙ୍କଠାରେ ସେହି ସାହସର ଅଭାବ ରହିଥାଏ କି ? ସେଥିପାଇଁ ସେମାନେ ନିଜ ବୁଦ୍ଧିର ଅପାରସମର୍ଥତା ପାଖରେ ଅଭିଭୂତ ହୋଇ ଯାଇଥିବାପରି ଅଟକି ଯାଇଥାନ୍ତି କି ? ପୃଥିବୀରେ ରାଜନୀତି, ଶାସନନୀତି, ନୈତିକତା ଓ ଶିକ୍ଷାନାମକ ଯାବତୀୟ ଶୃଙ୍ଖଳା ବର୍ତ୍ତମାନ ବୁଦ୍ଧିରେ ଚାଲୁଛି । ସେହି ବ୍ୟକ୍ତିଟିକୁ ପ୍ରକୃତରେ ବୀର ବୋଲି କୁହାଯିବ, ଯିଏକି ନିଜର ମଥାକୁ ଆଣି ହୃଦୟ ପାଖରେ ପହଞ୍ଚାଇ ପାରିଛି । ସେହି ମଥା ପ୍ରକୃତରେ ଭାଗ୍ୟବାନ୍, ଯିଏ ଆପଣାର ଯାବତୀୟ ଅନୁଧାବନଦ୍ଵାରା ଶେଷକୁ ହୃଦୟଯାଏ ଆସିପାରିଛି ଏବଂ ହୃଦୟର ବୋଲ ମାନିବ ବୋଲି ରାଜି ହୋଇଯାଇ ପାରିଛି । ଯୋଉ ବୁଦ୍ଧି ପୃଥିବୀଯାକକୁ ଗୋଟିଏ ବୋଲି ବୁଝିଛି ଏବଂ ସେହି ଅନୁସାରେ ସାରା ପୃଥିବୀକୁ ଚଳାଉଥିବା ସତ୍ୟଟିର ହିଁ ପରିଚର୍ଯ୍ୟା କରିବାର ବିଦ୍ୟାଟିକୁ ଆୟତ୍ତ କରିନେଇ ପାରିଛି । ଏହିପରି ଗୋଟିଏ ଧାରାରେ ହିଁ ବୁଦ୍ଧିର ଯାବତୀୟ ବୃତ୍ତିକୁ ଜ୍ଞାନ ବୋଲି କୁହାଯାଇ ପାରିବ ଓ ସକଳ ଜ୍ଞାନ ଆମକୁ ଜ୍ଞାନଯୋଗର ମହିମାଦ୍ଵାରା ମହିମାନ୍ଵିତ କରି ରଖିଥିବ । ଯଥାର୍ଥ ଜ୍ଞାନ ହୃଦୟରେ ବି କ’ଣ କମ୍ ଉପକାର କରୁଥାଏ ! ତାହା ଭକ୍ତିକୁ ଭାବପ୍ରବଣତାର ପ୍ରମାଦରୁ ରକ୍ଷା କରେ, ଯାବତୀୟ କର୍ମକୁ ମଧ୍ୟ ତାହା ଏକ ବିମୋଚନକାରୀ ଆନନ୍ଦମୟତାରେ ପରିଣତ କରେ । ଏବଂ, ଏହିପରି ଜଣେ ବ୍ୟକ୍ତି ପ୍ରକୃତରେ ନିରବଚ୍ଛିନ୍ନ ଭାବରେ ହିଁ ଯଥାର୍ଥ ସାନ୍ନିଧ୍ୟରେ ବାସ କରୁଥାଏ, ଯଥାର୍ଥ ସମ୍ବନ୍ଧରେ ଯୋଡ଼ି ହୋଇ ରହିଥାଏ । ଏକ ଯଥାର୍ଥ ସମର୍ପଣର ଯୋଗ୍ୟ ହୁଏ । ହୃଦୟର ସ୍ତରରେ ଏହି ଆମେରିକା ଭାରତବର୍ଷଠାରୁ ଆଦୌ ଦୂର ବୋଲି ଲାଗେନାହିଁ । ଏଠିକାର ମଣିଷମାନଙ୍କୁ ଦେଖି ସେଠିକାର ମଣିଷମାନଙ୍କ ବିଷୟରେ ମୋଟେ ଅସହାୟପରି ଲାଗେନାହିଁ । ଅଥବା, ସେଠିକାର ମଣିଷମାନଙ୍କୁ ଦେଖୁଥିବା ବେଳେ ଏଠିକାର ମଣିଷମାନଙ୍କ ପ୍ରତି ଆଦୌ ଈର୍ଷା ବି ହୁଏ ନାହିଁ । ସେମାନେ ସମସ୍ତେ ସତେଅବା ଏକାଠି ବାସ କରୁଛନ୍ତି ଓ ଆପାତତଃ ଯେତେ ଦୂରରେ ଯେତେ ଅଲଗା ଚଳଣି ଭିତରେ ରହିଥିଲେ ମଧ୍ୟ ସର୍ବଦା ପରସ୍ପରକୁ ସେଇ ଗୋଟିଏ ନିୟତି ନିମନ୍ତେ ପ୍ରେରଣା ଦେଉଥିବାପରି ମନେ ହୋଇଥାଏ । ସେହି ପ୍ରେରଣା ମଧ୍ୟ ବହୁତ ସାହସ ଆଣିଦିଏ ।

 

୨.୧୧.୯୮

 

ପତ୍ରିକା ଓ ସମ୍ବାଦପତ୍ରମାନଙ୍କରେ ଦୈନିକ ଏବଂ ସାପ୍ତାହିକ ରାଶିଫଳ ବା ଗ୍ରହଫଳ ବିଷୟରେ ଯାହାସବୁ ବାହାରେ, ମୁଁ ସେଗୁଡ଼ିକୁ ବି ପାଠ କରିଥାଏ । ବାରଟା ରାଶି ଭିତରୁ ସବାଆଗ ମୋ’ ନିଜ ରାଶି ଉପରେ ଆଖି ପଡ଼ିଯାଏ । ସତକୁ ସତ ତାହାହିଁ ହେଉଥାଆନ୍ତା ।

 

କୋଉ ଗ୍ରହଙ୍କର ମୋ’ ରାଶି ଉପରେ ଉଦ୍ଦିଷ୍ଟ ସପ୍ତାହଟିରେ କେତେ କୋପ କିମ୍ବା କେତେ ଅନୁଗ୍ରହ ରହିଛି, ବିବରଣୀଟିରେ ତାହା ସୂଚାଇ ଦିଆଯାଇ ଥାଏ । ମୁଁ ସେହିସବୁ ସୂଚନାକୁ ମନଦେଇ ପଢ଼େ । ମାତ୍ର କାତର ହୁଏନାହିଁ କିମ୍ବା ଉତ୍‌ଫୁଲ୍ଲ ମଧ୍ୟ ହୁଏନାହିଁ । ଏଠାରେ ବିଶ୍ଵାସ ବା ଅବିଶ୍ଵାସର ଆଦୌ କୌଣସି ପ୍ରଶ୍ନ ଉଠୁନାହିଁ । ଜୀବନରେ ଅର୍ଜିତ ଓ ସଞ୍ଚିତ ହୋଇ ରହିଥିବା ମୂଳ ଦୃଷ୍ଟିକୋଣଗୁଡ଼ିକର ପ୍ରଶ୍ନ ରହିଛି । କୌଣସି ଗ୍ରହ କାହିଁକି ଯେ ମୋ’ ଉପରେ କୋପ କରିବା ଓ ଅପ୍ରସନ୍ନ ହେବେ, ମୁଁ ସେକଥା ମୋଟେ ଚିନ୍ତା କରି ପାରେନାହିଁ । ମଣିଷ ବାଟ ଚାଲିବାକୁ ଚାହିଁଲେ ସେମାନେ ପ୍ରାୟ ନିୟମତଃ ସାହାଯ୍ୟ କରିବାକୁ ହିଁ ଆସିବେ । ଯଦି ମୁଁ କେବେ କୌଣସି ହରକତ ଭିତରେ ଆସି ପଡ଼ି ଯାଉଥିବି, ତେବେ ତାହାକୁ ମୁଁ ମୋ’ର ଜୀବନ ବିଧାତାଙ୍କର ମୋତେ ନେଇ ଏକ ପରୀକ୍ଷା ବୋଲି ବି ଗ୍ରହଣ କରି ପାରିବି । ପୃଥିବୀରେ ଯେଉଁ ଅସଲ ସତ୍ୟଟିର ପ୍ରକାଶ ନିମନ୍ତେ ଏହି ଯାବତୀୟ ପ୍ରୟୋଗ ଓ ପ୍ରକ୍ରିୟା ନିରନ୍ତର ଲାଗିଛି, ଗ୍ରହମାନେ ତ ଆଦୌ କିଛି କରୁଥିଲେ ସେହି ସତ୍ୟର ବୋଲକୁ ହିଁ ମାନୁଥିବ । ଏବଂ, ଯଦି ମୁଁ ମଧ୍ୟ ସେହି ପ୍ରକ୍ରିୟାରେ ମୋ’ ନିଜ ବୃତ୍ତଟିର ପରିସର ମଧ୍ୟରେ ସହଯୋଗ କରୁଥିବି, ତେବେ ମୁଁ ଗ୍ରହମାନଙ୍କୁ କାହିଁକି ଭୟ କରିବି ଓ ସେମାନେ ମୋତେ ଅମୁକ ଦଶାରେ ଆଣି ପକାଇବାକୁ ଯାଉଛନ୍ତି ବୋଲି କାହିଁକି ବା ଭାବିବି ? ତେଣୁ, ଅମୁକ ଗ୍ରହଙ୍କର ପ୍ରବେଶ ଅଥବା ପ୍ରଭାବ ହେତୁ ମୋ ଜୀବନରେ କିଛି ମନ୍ଦ ଘଟିବାକୁ ଯାଉଛି ବୋଲି ଯେତେବେଳେ ମୁଁ ରାଶିଫଳ ଭିତରେ ପାଠ କରେ, ସେତେବେଳେ ସେହି ଗ୍ରହମାନଙ୍କୁ ନିଜଭିତରେ ରହିଥିବା କୌଣସି ଆସନ ଉପରକୁ ଆବାହନ କରିଆଣେ, ସେମାନଙ୍କର ସମୀପରେ ଥିର ହୋଇ ବସେ ଏବଂ ସେହି ନୀରବତା ମଧ୍ୟରେ ସେମାନଙ୍କ ସହିତ କଥାବାର୍ତ୍ତା କରେ । ଏବଂ ଅନୁଭବ କରେ, ଯେପରି ସେମାନେ ମୋ’ର ଆଗପଟୁ ମୋତେ ଗିଳି ପକାଇବେ ବୋଲି ଆଦୌ ମାଡ଼ି ଆସୁନାହାନ୍ତି । ସେମାନେ ସତେଅବା ମୋ’ ସହିତ ସେହି ଗୋଟିଏ ଦିଗରେ ହିଁ ବାଟ ଚାଲୁଛନ୍ତି । ତା’ପରେ ଆଉ ମୋଟେ କାତର ଲାଗେ ନାହିଁ । କାତର ହୋଇ ପଡ଼ୁଥିଲେ ମୁଁ ମଧ୍ୟ ଗ୍ରହଶାନ୍ତିର ଉପଚାରମାନ କରୁଥାନ୍ତି, ନିଜର ଭିତର ଆଡ଼କୁ କବାଟ କିଳିଦେଇ ଖାଲି ସେଇ ବାହାରଟା ଆଡ଼କୁ ବଲବଲ କରି ଅନାଉ ଥାଆନ୍ତି । ଅନ୍ୟମାନେ କିପରି ଗ୍ରହମାନଙ୍କୁ ଏଡ଼େ ଚମତ୍କାର ଭାବରେ ଶାନ୍ତ, ପ୍ରସନ୍ନ ଏବଂ ଅନୁକୂଳ କରି ରଖିଛନ୍ତି, ସେହି କଥାକୁ ଗୁଣି ହୋଇ ଭାରି ଅସହଜ ହୋଇ ପଡ଼ୁଥାନ୍ତି । ଡୋରଗୁଡ଼ିକ ରହିଥାଆନ୍ତେ, ମୁଁ ସେଗୁଡ଼ିକୁ ତଥାପି ଅନୁଭବ କରି ପାରୁନଥାନ୍ତି ।

 

୩.୧୧.୯୮

 

ଏହି ମନଟା କେଡ଼େ ଚଞ୍ଚଳ ମଙ୍ଗିଯାଏ,–ଆମେରିକାରେ ମଙ୍ଗିଯାଏ ଏବଂ ଓଡ଼ିଶାରେ ବି ମଙ୍ଗିଯାଏ । ମୁଁ ଭାବୁଛି, ଏହି ମନ ହୃଦୟକୁ ତା’ର mentor ବୋଲି ସ୍ଵୀକାର କରିନଥିଲେ ଅଥବା ଏହି ହୃଦୟ ମଧ୍ୟ ମନକୁ ତା’ର ଅତ୍ୟନ୍ତ ନିଜର ବୋଲି ଆଦରି ନେଇନଥିଲେ ସେକଥା କେବେହେଲେ ହୋଇ ପାରୁନଥାନ୍ତା । ଏବଂ, ହୃଦୟଟା ପ୍ରାୟ ଏକ ଉତ୍ତେଜିତ ଭାବପ୍ରବଣତାରେ ପରିଣତ ହୋଇ ମନକୁ ନିଜର ଅନୁଗତ କରି ରଖିବାର ପ୍ରୟାସ କରୁଥାନ୍ତା ଓ ମନଟା ମଧ୍ୟ ନିଜର ଯାବତ ବୁଦ୍ଧି ଏବଂ ବୃତ୍ତିକୁ ପ୍ରୟୋଗ କରି ହୃଦୟ ପାଖରୁ ଲୁଚି ବୁଲୁଥାଆନ୍ତା । ଜୀବନଟା ଦୁଇଖଣ୍ଡ ହୋଇ ଚାଲୁଥାନ୍ତା ।

 

ମନୁଷ୍ୟମାନେ ମନର ବାଟ ଦେଇ ହୃଦୟ ପାଖକୁ ଆସନ୍ତି ନା ହୃଦୟର ବାଟ ଦେଇ ମନପାଖକୁ ଯାଆନ୍ତି ? ଏହି ପ୍ରଶ୍ନର ଉତ୍ତର ପାଇବା ନିମନ୍ତେ ସଂସାରରେ ଏକ ଯଥାର୍ଥ ଜିଜ୍ଞାସା ଲାଗି ଯେତେ ଅନୁରାଗ ଦେଖା ହୋଇନାହିଁ, ମନ ଓ ହୃଦୟ ଭିତରେ ହୁଏତ ତା’ଠାରୁ ଅଧିକ ଗୋଳ ଲଗାଇ ଦିଆଯାଇଛି । ବେଳେବେଳେ ଅଲଗା ଅଲଗା ବାଦରୁ ସମ୍ପ୍ରଦାୟମାନେ ବି ବାହାରିଛନ୍ତି । ଆଧୁନିକ ବିଜ୍ଞାନର ବେବର୍ତ୍ତାମାନେ ହୃଦୟକୁ ନମାନି ନିଜର ସ୍ଵତନ୍ତ୍ର ବାଟରେ ଏଯାଏ ଅଗ୍ରଗତି କରି ପାରିଛନ୍ତି ବୋଲି ହୁଏତ ଏବେ ମଧ୍ୟ କେଡ଼େ ଦୃଢ଼ତାର ସହିତ କହିବାକୁ ବାହାରି ଆସିଛନ୍ତି । ହୃଦୟର କିଛି ପ୍ରତିନିଧିତ୍ଵ କରୁଥିବା ଅପର ପକ୍ଷଟି ମଧ୍ୟ ଆପଣାର ଉପବୀତଟାକୁ ହିଁ ଶୁଦ୍ଧ ବୋଲି କହି ମନକୁ ନିଜର ହତାଭିତରେ ପୂରାଇ ଦେବାକୁ ବି ରାଜି ହୋଇନାହିଁ । ସାମ୍ପ୍ରତିକ ପୃଥିବୀର ବହୁ ଅସୁସ୍ଥତା ନିମନ୍ତେ ଆମେ ଏହି ଦୁର୍ଭାଗ୍ୟଟାକୁ ମଧ୍ୟ ଖୁବ୍ ଦାୟୀ କରି ପାରିବା । ଓଡ଼ିଶା ମୋ’ର, ଆମେରିକା ମଧ୍ୟ ମୋ’ର । ମାତ୍ର, ଯଦି ମୁଁ କେବଳ ଓଡ଼ିଶାକୁ ମୋ’ର ବୋଲି କହି ପାରିବାକୁ ଆମେରିକାକୁ ଏକ ଅନ୍ୟ ଭୂମି ବୋଲି କହୁଥିବି ଏବଂ ଉଭୟ ହୃଦୟ ତଥା ବୁଦ୍ଧିଟାକୁ ମଧ୍ୟ ସେଥିପାଇଁ କାମରେ ଲଗାଉଥିବି, ତେବେ ସତରେ ଭାରି ସଙ୍କଟରେ ପଡ଼ିଯିବି । ଜଣେ ମଣିଷ ଯାହାକୁ ମୂଳରୁ ହିଁ ଅପର ବୋଲି ଦେଖିବାକୁ ଆରମ୍ଭ କରେ, ସିଏ କ୍ରମେ ତାକୁ ଅବର ବୋଲି କହିବାକୁ ମଧ୍ୟ ଉତ୍ସାହ ପାଇଯାଏ । ଆମେରିକାକୁ ଗଲାବେଳେ ମୁଁ ଓଡ଼ିଶାକୁ ମଧ୍ୟ ସାଙ୍ଗରେ ନେଇ ଯାଇଥିଲି । ତେଣୁ ଓଡ଼ିଶାକୁ ଫେରି ଆସିବା ସମୟରେ ଯେ ବାହାରୁ ହିଁ ଲୁଗା ବଦଳି ଘର ଭିତରକୁ ଆସିଲି, ସେକଥା ଆଦୌ ନୁହେଁ । ଓଡ଼ିଶାରେ ରହିଥିବା ମୋ’ର ଚେରଟି ମୋତେ ମୋ’ର ଆମେରିକାକୁ ବୁଝିବାରେ ସାହାଯ୍ୟ କଲା ଏବଂ ଆମେରିକାରେ ଅର୍ଜନ କରିଥିବା ଆଖିଗୁଡ଼ିକ ଓ ପାଇଥିବା ସ୍ପର୍ଶଗୁଡ଼ିକ ମଧ୍ୟ ମୋତେ ଓଡ଼ିଶାକୁ ଅନୁଭବ କରିବାରେ ଏକାଧିକ ପ୍ରକାରେ ହିତକାରୀ ହୋଇ ପାରିଲା । ଏହି “ମୋ’ର’’ ନାମକ ସୂତାଟି ସମ୍ଭବତଃ ପୃଥିବୀରେ ସବୁଠାରୁ ଅଧିକ ସ୍ଥିତିସ୍ଥାପକ ହୋଇ ରହିଥିବା ଗୋଟିଏ ସୂତା । ତେଣୁ ଅତ୍ୟନ୍ତ ପରିମାଣରେ ସଂପ୍ରସାରଣକ୍ଷମ । ଆମେ କେବଳ ହିଁ ଭରିପାରିଲେ ହିଁ ହେଲା । ନିଜଭିତରେ ନାନା ଅନ୍ୟ inhibition ରହିଥିବାରୁ ଆମେ ଏହି “ମୋ’ର” ଭାବଟିକୁ କୋଉଠି ନା କୋଉଠି କିଳି ରଖି ଦେଇଥାଉ ବୋଲି ଦଶା ଭୋଗୁଥାଉ ।

 

୪.୧୧.୯୮

 

ଉତ୍ତମମାନଙ୍କ ପାଇଁ ସବୁଯାକ ସ୍ଵାଧୀନତା ଓ ସ୍ଵାଧୀନ ଚିନ୍ତା ଏବଂ ଅନୁତ୍ତମ ସାଧାରଣଙ୍କ ପାଇଁ ଋଢ଼ି, routine, ନିୟମଗୁଡ଼ାକୁ ମାନିବା ଏବଂ ନିୟମଗୁଡ଼ିକ ପାଖରେ ବାଧ୍ୟ ହୋଇ ରହିବା । ଅନୁତ୍ତମମାନଙ୍କୁ ଉତ୍ତମମାନେ ଚିରକାଳ ଏପରି ଅଧମ ଭଳି ଦେଖି ଆସିଛନ୍ତି, କାହିଁକି କେଜାଣି ? ଉତ୍ତମମାନେ ବ୍ରହ୍ମବିହାର କରିବେ ଏବଂ ଅନୁତ୍ତମମାନଙ୍କ ସକାଶେ ପିତୁଳାପୂଜାମାନେ ନିର୍ଦ୍ଦିଷ୍ଟ ହୋଇ ରହିଥିବ । ଏହି କଥାଟିକୁ ମୁଁ ଏପର୍ଯ୍ୟନ୍ତ ମୋଟେ ହଜମ କରିପାରିଲିନାହିଁ । ଯେଉଁମାନେ ଏକାଧିକ ତଥାକଥିତ କାରଣରୁ ନିଜକୁ ଉତ୍ତମମାନଙ୍କର ବର୍ଗ ଭିତରେ ଅନ୍ତର୍ଭୁକ୍ତ କରି ନେଇଛନ୍ତି, କାଳେ କାଳେ ସେହିମାନେ ହିଁ ଏପରି କଥାମାନ କହି ଆସିଛନ୍ତି ଏବଂ ଲେଖି ଆସିଛନ୍ତି । ଏବେ ମଧ୍ୟ କମ୍ କହୁନାହାନ୍ତି ।

 

ଏହା ମଧ୍ୟ ଗୋଟିଏ କାରଣ, ଯେଉଁଥି ସକାଶେ ବିଦ୍ୟାମାନେ ଆମର ଏହି ପୃଥିବୀରେ ପ୍ରବଞ୍ଚିତ ହୋଇ ରହିଛନ୍ତି କି ? ଗୁରୁ ଓ ଶିଷ୍ୟ ନାମରେ ଏଇଥି ସକାଶେ ସବୁବେଳେ ଦୁଇଟା ବର୍ଗ ସୃଷ୍ଟି ହୋଇ ରହିଛି କି ? ଏବଂ, ପ୍ରାୟ ସେହି ବିଡ଼ମ୍ବନାପୂର୍ଣ୍ଣ ପରମ୍ପରାଟି ହେତୁ ଅଧିକାଂଶ ଗୁରୁ ଆପଣାକୁ ଉତ୍ତମ ଓ ପ୍ରବର ବୋଲି ଭାବି ଶିଷ୍ୟମାନଙ୍କୁ ଅବର ଏବଂ ଅଧମ ବୋଲି ଦେଖିଛନ୍ତି କି-? ମାତ୍ର, ଯଦି ଉତ୍ତମ ଗୁରୁଟିଏ ଶିଷ୍ୟକୁ ତା’ର ସାଙ୍ଗଟିଏପରି ଭାବି ପାରନ୍ତା, ତେବେ ଆମର ଶାସ୍ତ୍ରାଭିଳାଷୀଟି ମଧ୍ୟ ସମ୍ଭବତଃ ବହୁତ ଅତ୍ୟାଚାର ହାତରୁ ରକ୍ଷା ପାଇଯାଆନ୍ତା । ଧରଣୀ ଅଧିକ ସୁସ୍ଥ ହୁଅନ୍ତା, ସ୍ଵଚ୍ଛ ବି ହୋଇପାରନ୍ତା । ଏହି ପୃଥିବୀରେ ଆଉ ଗୁରୁସ୍ତୁତି ନାମକ ଅତିରଞ୍ଜିତ ନେଫେଡ଼ା କଥାଗୁଡ଼ିକୁ ନେଇ ଶିଷ୍ୟମାନଙ୍କର ମୁଖରେ ଆବୃତ୍ତି କରାଇବାର କୌଣସି ଅବକାଶ ମଧ୍ୟ ରହନ୍ତା ନାହିଁ । ଯିଏ ଯଥାର୍ଥରେ ଉତ୍ତମ, ପ୍ରକୃତରେ କେବଳ ସେଇ ଭାରି ସହଜ ଓ ସ୍ଵାଭାବିକ ଭାବରେ ଓହ୍ଲାଇ ଆସି ଅବର ଓ ଅଧମମାନଙ୍କର ସାଥିତ୍ଵ କରି ପାରିବ । ଯେଉଁ ପାହାଚଗୁଡ଼ିକୁ ସିଏ ଏକାକୀ ଅତିକ୍ରମ କରିଛି, ସେଗୁଡ଼ିକ ଦେଇ ଶିଷ୍ୟପାଖକୁ ଓହ୍ଲାଇ ଆସିବାରେ ତା’ ଗୋଡ଼ ଖସିଯିବାର ଆଦୌ କୌଣସି ଆଶଙ୍କା ରହନ୍ତାନାହିଁ । ସେତେବେଳେ ଯାଇ ବିଦ୍ୟାଳୟମାନେ ଗୋଟିଏ ଗୋଟିଏ ଆଶ୍ରମ ହୋଇ ପାରନ୍ତେ, ଉତ୍ସାହର ସହଜଭଣ୍ଡାର ହୋଇ ରହନ୍ତେ । କେହି ଆଉକାହାକୁ ଈର୍ଷା କରନ୍ତାନାହିଁ, କେହି କାହାକୁ ଭୟ ବି କରନ୍ତାନାହିଁ । କେହି କାହାପାଖରେ କପଟତା ଅବଲମ୍ବନ କରି ନିଜକୁ ଅଧିକ ବଡ଼ ବୋଲି ପ୍ରତିପାଦିତ କରିବାଲାଗି ମୋଟେ ଆଗ୍ରହ କରନ୍ତା ନାହିଁ । ସିଏ ସେଥିରୁ ଆଦୌ କୌଣସି ରସ ପାଆନ୍ତାନାହିଁ । ନିଜକୁ ଅନାବିଳ ଭାବରେ ଦେଇ ପାରିବାରେ ଯେ ନିଜେ ପରିପୂର୍ଣ୍ଣ ହେବାର ଏକ ଚାବିକାଠି ନିହିତ ହୋଇ ରହିଛି, ସେତେବେଳେ ସେହି ସତ୍ୟଟିର ଉପଲବ୍ଧି ସମ୍ଭବ ହୁଅନ୍ତା । ଯୋଉମାନେ ସତକୁ ସତ ଦେଖନ୍ତି, ସେମାନେ ଅନ୍ୟକୁ ଦେଖାଇ ପାରିବାରେ ଅର୍ଥାତ୍ ଅନ୍ୟସହିତ ସଖ୍ୟଦ୍ଵାରା ବାନ୍ଧିହୋଇ ଆସିବାରେ ହିଁ ଅଧିକ ସନ୍ତୋଷ ପାଆନ୍ତି,–ତେଣୁ ଅନ୍ୟଭିତରେ ମଧ୍ୟ ଉତ୍ତମଟିକୁ ଠାବ କରିପାରନ୍ତି । ଯିଏ ବ୍ରହ୍ମର ବିହାର କରେ, ସିଏ ସେହି ବିହାରର ପ୍ରକ୍ରିୟାଟି ମଧ୍ୟରେ ହିଁ ଅନ୍ୟମାନଙ୍କୁ ଭେଟେ, ସାଙ୍ଗରେ ଯିବାକୁ ଉଦବୋଧନ ଦିଏ ଏବଂ ସାଙ୍ଗ ହୋଇଯାଏ ।

Image

 

Unknown

୧୯୯୯

୮.୧.୯୯

 

ଯେତେବେଳେ ଦେହ ସହିତ ଏକାଠି ଆଙ୍ଗୁଠି ଧରାଧରି ହୋଇ ଯାଉଥିବାପରି ଲାଗୁଥାଏ, ସେତେବେଳେ ସୁସ୍ଥ ରହିଥିବାପରି ଅନୁଭବ ହୁଏ । ମାତ୍ର ଆଉ ବେଳେବେଳେ କ’ଣ ପାଇଁ ଆଙ୍ଗୁଠି ଛାଡ଼ି ହୋଇଯାଏ ଓ ଏହି ଦେହଟା ସତେଅବା ଆଉ ଗୋଟାଏ କ’ଣ ହୋଇଯାଏ । ସବୁ ଭାରି ଭାରି ଲାଗେ । ଭିତରେ କୋଉଠି କିଏସବୁ ରହିଥିବାପରି ଲାଗନ୍ତି, ଯାହାର କି ମୁଁ କୌଣସି ଅନ୍ଦାଜ କରି ପାରୁନଥାଏ । ଶରୀରଟାକୁ ଅକ୍ତିଆର କରି ରଖିଲେ ଯେ ସବୁ ଠିକ୍ ହୋଇଯାଏ, ସେକଥା ମଧ୍ୟ ଠିକ୍ ନୁହେଁ । ଅମୁକ ଖାଇବା ଖାଅ, ଅମୁକ ଔଷଧର ସେବନ କର, ଅମୁକ ଚିକିତ୍ସକଙ୍କ ପାଖକୁ ଯାଅ, ନିୟମ ମାନି ଚଳ, ଏହି ସବୁକିଛିକୁ ଅତ୍ୟନ୍ତ ନିଷ୍ଠାର ସହିତ କରୁଥିଲେ ମଧ୍ୟ ତଥାପି ଦେହ ଅକ୍ତିଆର ମଧ୍ୟରେ ନଥାଏ । ମୋ’ ଭାଷାରେ କହିଲେ, ସାଙ୍ଗରେ ନଥାଏ ।

 

ଦେହ ସାଙ୍ଗରେ ଅଛି, ତାହାର ବୋଧହୁଏ ଅସଲ ପ୍ରମାଣ ହେଉଛି ଯେ, ସିଏ ତୁମ ଜୀବନର ଯାବତୀୟ ଖୁସିରେ ଭାଗ ନେଉଥିବ । ତାକୁ ବାଦ୍ ଦେଇ, ତାକୁ ଉପେକ୍ଷା କରି କିଛି କରିବାକୁ ମନ କରିବା ମାତ୍ରକେ ଦେହଟା ମଧ୍ୟ ସତେଅବା ପ୍ରତିବାଦ ଜଣାଇବାପରି ଆଗକୁ ବାହାରିପଡ଼େ ଓ ମୋତେ ପଛକୁ ଟାଣି ରଖିବାକୁ ଚେଷ୍ଟା କରେ । ଦେହକୁ ଅସ୍ଵୀକାର କରି ଅନେକ ମଣିଷ ଦେହର ସମ୍ମତି ନନେଇ ଦେହଠାରୁ ଅନେକ କାମ ଆଦାୟ କରିବାର ପ୍ରଲୋଭନରେ ପଡ଼ିଯାଆନ୍ତି ଏବଂ ନିଜର ଜୀବନରେ ଅନେକ ଅଖୁସିର କାରଣ ହୁଅନ୍ତି । ଦେହର ସାଧନା କହିଲେ ଦେହଟାକୁ ବାଧ୍ୟ ଓ ସାବାଡ଼ କରି ରଖିବାର ଯେ ଆଦୌ କୌଣସି ଉପଦ୍ରବକୁ ବୁଝାଏନାହିଁ, ସେହି କଥାଟିକୁ ବୁଝିବା ପାଇଁ ସମର୍ଥ ହେବା ପରେ ଯାଇ ମୁଁ ମୋ’ର ଦେହକୁ ମଧ୍ୟ ସାଥୀ କରି ପାରିଛି । ଅବିଚ୍ଛିନ୍ନ ଭାବରେ ଦେହ ସାଙ୍ଗରେ ରହିଆସିଛି । ତେଣୁ ଖୁବ୍ ସାହାଯ୍ୟ କରିଛି । ପାଦତଳର ମାଟି ଟାଣ ହୋଇ ରହିଥିବାର ଅନୁଭବ ମୋତେ ଜୀବନରେ ଏହି ଦେହକୁ ନେଇ କେତେ ନା କେତେ ତ୍ରାସରୁ ମୁକ୍ତ କରି ରଖିଛି । ତ୍ରସ୍ତ ମଣିଷ ହେଉଛି ଏକ ବିକାରଗ୍ରସ୍ତ ମଣିଷ । ଏବଂ, ନିଜ ଭିତରେ ଭାଗ ଭାଗ ଓ ଅଲଗା ହୋଇ ରହିଥିବ ଓ କୌଣସି ଗୋଟିଏ ଭାଗକୁ ଲୁଚାଇ ରଖି ଆଉଗୋଟିଏ ଭାଗରେ ସତେଅବା କ’ଣଗୋଟାଏ ବୀରତ୍ଵ ଦେଖାଇବା ନିମନ୍ତେ ନସରପସର ହୋଇ ଧାଇଁଥିବା,–ଆମ ଜୀବନରେ ଏହାହିଁ ନାନା ତ୍ରାସର କାରଣ ହୋଇଥାଏ । କୌଣସି କାରଣରୁ ଦେହ ସାଙ୍ଗରେ ଥିବାଭଳି ଅନୁଭବ ହେଉନଥିଲେ ମୋ’ର ବଞ୍ଚିବାର ଅନେକ ଭାଗରେ ଅନେକ ସମୟରେ ବହୁ ଦୁଃଖ ଭୋଗ କରିବାକୁ ହୋଇଥାଏ । ଏବେ ମୁଁ ବେଳେବେଳେ ସେହିଭଳି ଏକ ଅବସ୍ଥାରେ ଆସି ପଡ଼ିଯାଇଛି କାହିଁକି କେଜାଣି ? ଏଥିରୁ ମୁକୁଳି ଆସି ପାରିଲେ ଯାଇ ହୁଏତ କାରଣଟା ମଧ୍ୟ ଜଣା ପଡ଼ି ଯାଆନ୍ତା ।

 

୬.୩.୯୯

 

ମନୋବିଜ୍ଞାନର ଅଧ୍ୟାପକ ହେବି ବୋଲି ମୁଁ ଆଦୌ ମନୋବିଜ୍ଞାନ ଅଧ୍ୟୟନ କରିନଥିଲି-। ଯଦି ପ୍ରକୃତରେ ସେପରି କିଛି ମତଲବ ରହିଥାନ୍ତା, ତେବେ ବହିଗୁଡ଼ାକୁ ମୁଁ ମୁଖସ୍ଥ କରି ରଖିଥାନ୍ତି, ତଥ୍ୟଗୁଡ଼ିକ ବିଷୟରେ ଅନର୍ଗଳ ଭାଷଣ ଦେଇ ପାରୁଥାନ୍ତି ଏବଂ, ମୋ’ ନିଜର career ବିଷୟରେ ପ୍ରାୟ ମାରାତ୍ମକ ଭାବରେ ସଚେତନ ରହିଥାନ୍ତି ।

 

ଜୀବନଟିଏ ବଞ୍ଚିବାରେ ହିଁ ମୋ’ର ମନୋବିଜ୍ଞାନ ଅଧ୍ୟୟନ ମୋତେ ବନ୍ଧୁପରି ସାହାଯ୍ୟ କରି ଆସିଛି । ମନୋବିଜ୍ଞାନର ଡାଳ ଧରି ମୁଁ ଏହି ବୃହତ୍ତର ପୃଥିବୀର ହୃଦୟମୂଳକୁ ଆସି ପାରିଛି । ଭିତରର ବହୁତ ଭୟକୁ ଅତିକ୍ରମ କରିଯାଇ ପାରିଛି ବୋଲି ମୁଁ ପୃଥିବୀରେ ଅନ୍ୟ ମନୁଷ୍ୟମାନଙ୍କ ପାଖରେ କୌଣସି କାରଣରୁ ବକ୍ର ଅଥବା ସଙ୍କୁଚିତ ହୋଇ ରହିବାର ଆବଶ୍ୟକତାକୁ ଅନୁଭବ ହିଁ କରିନାହିଁ । ମୁଁ ଆଉଜଣକୁ ଯେତିକି ଯେତିକି ବୁଝି ପାରୁଥିବି, ଏହି ପୃଥିବୀଟି ମୋତେ ସେତିକି ସେତିକି ନିଜର ଘରପରି ହିଁ ଲାଗୁଥିବ । ଏବଂ, ଏହି ଜୀବନରେ ନିଃଶଙ୍କ ହୋଇ ସମସ୍ତଙ୍କୁ ସ୍ଵୀକାର କରିନେଇ ପାରିବାରେ ମୋତେ ତାହାହିଁ ନିରନ୍ତର ବଳ ଦେଇ ଆସିଛି । ବାହାରୁ ଦେଖିବାକୁ ଏହି ପୃଥିବୀରେ କେତେ କେତେ ବିଭିନ୍ନତା ଏବଂ, ଅନେକ ମନୁଷ୍ୟ ସେହି ବିଭିନ୍ନତାଗୁଡ଼ିକୁ ଗଣ୍ଠି କରି ଧରି ହିଁ ଏଠାରେ କେତେ ନା କେତେ ଦୂରତାକୁ ସୃଷ୍ଟି କରି ରଖିଛନ୍ତି । ଏହି ବିଭିନ୍ନତାଗୁଡ଼ିକ ହିଁ ମୋତେ ମଣିଷମାନଙ୍କର ଅଧିକରୁ ଅଧିକ ନିକଟବର୍ତ୍ତୀ କରିଛି । ଯଦି ସମସ୍ତେ, ମୋ’ ଚାହିଦା ମୁତାବକ ହୋଇଥାଆନ୍ତେ, ତେବେ ଜୀବନଟା ପ୍ରକୃତରେ ଅତ୍ୟନ୍ତ ଦୁର୍ବହ ହୋଇ ପଡ଼ୁଥାନ୍ତା । ବିଭିନ୍ନତା ଦେଖିଲେ ଅନେକ ମଣିଷ ଏପରି ଅନମନୀୟ ଭାବରେ ଶଙ୍କିତ ହୋଇ ଉଠନ୍ତି କାହିଁକି କେଜାଣି ? ସମଗ୍ର ପୃଥିବୀରେ ଏତେ ଏତେ ବିଭିନ୍ନତା ଏବଂ ବହୁବିଧତା ଦେଖି ହିଁ ମୁଁ ପୃଥିବୀକୁ ଅଧିକ ଭଲ ପାଇ ଶିଖିଛି । ପ୍ରତ୍ୟେକ ମନୁଷ୍ୟ ଭିତରେ ରହିଥିବା ସ୍ଵତନ୍ତ୍ରତାଟିକୁ ଘ୍ରାଣ କରିପାରିବାଦ୍ଵାରା ମୁଁ ସତେଅବା ସତ୍ୟକୁ ଓ ଧର୍ମକୁ ଅଧିକ ବର୍ଣ୍ଣାଢ଼୍ୟ ଓ ସମୃଦ୍ଧ ଭାବରେ ଅନୁଭବ କରିବାକୁ ଶିକ୍ଷା କରିଛି । ଏବଂ, ତାହାରିଦ୍ଵାରା ହିଁ ମୁଁ ଏତେ ଏତେ ଥାନରେ ବନ୍ଧୁଟିଏ ହୋଇପାରିଛି-। ଯିଏ ମନୋବିଜ୍ଞାନକୁ ଭବିଷ୍ୟତର ମାର୍ଗଦର୍ଶନକାରୀ ବିଜ୍ଞାନ ବୋଲି କହିଛନ୍ତି, ସିଏ ପ୍ରକୃତରେ ଠିକ୍ କଥାଟିକୁ କହିଛନ୍ତି । ଆଗାମୀ ପୃଥିବୀରେ କେହି କାହାକୁ ମୋଟେ ଗିଳି ପକାଇବାକୁ ସୁଖ ପାଇବେ ନାହିଁ,–ଭବିଷ୍ୟତ ବିଷୟରେ ସମ୍ଭବତଃ ତାହାକୁ ହିଁ ସବୁଠାରୁ ଅଧିକ ପ୍ରେରଣାଦାୟକ କଥା ବୋଲି କୁହାଯାଇ ପାରିବ । ଅନେକଭିତରେ ରହି ତଥାପି ସେହି ଗୋଟିଏ ଡୋରକୁ ପ୍ରତ୍ୟକ୍ଷ କରିବା,–ତାହାହିଁ ଆଗାମୀ ପୃଥିବୀର ଧର୍ମ ହୋଇ ରହିବ ।

 

୧୨.୩.୯୯

 

ବୟସ୍କମାନଙ୍କର ଗବେଷଣାଶାସ୍ତ୍ରରେ Super Egoକୁ ପ୍ରଧାନତଃ ଏକ ପ୍ରହରୀରୂପେ ବର୍ଣ୍ଣନା କରାଯାଇଛି । ମୁଁ ନିଜେ ସେହି ପାଠ ପଢ଼ିଛି ଏବଂ ପୃଥିବୀରେ ମନୁଷ୍ୟମାନଙ୍କ ସହିତ ଏକାଠି ହେଲାବେଳେ ସେମାନଙ୍କର ପ୍ରହରୀଟି ସେମାନଙ୍କୁ କିପରି କେଉଁ ଅଙ୍କୁଶ ବା ଅଙ୍କୁଶଗୁଡ଼ିକଦ୍ଵାରା ପରିଚାଳିତ କରୁଛି, ଭାରି ଆଗ୍ରହରେ ମୁଁ ସେହିକଥା ଜାଣିବାକୁ ଉଦ୍ୟମ କରିଛି-। ଏହି ପ୍ରହରୀ କ’ଣ ଗୋଟିଏ ? ଅନେକ ମନୁଷ୍ୟଙ୍କର ନିକଟବର୍ତ୍ତୀ ହୋଇ ଆସିବା ସଙ୍ଗେ ସଙ୍ଗେ ସତେଅବା ଅଧିକରୁ ଅଧିକ ସ୍ପଷ୍ଟ ହୋଇଯାଏ ଯେ, ଜଣେ ଜଣେ ମଣିଷ ହୁଏତ ଏକାଧିକ ପ୍ରହରୀଙ୍କର ଶାସନରେ ପୀଡ଼ିତ ହୋଇ ରହିଛନ୍ତି । ଆହୁରି ମଜାର ସହିତ ଏମିତି ମଧ୍ୟ ଦେଖିବାକୁ ମିଳିଥାଏ ଯେ, ଗୋଟିଏ ମନୁଷ୍ୟ ଭିତରେ ପ୍ରକୃତରେ ପ୍ରହରୀମାନେ ହିଁ ପରସ୍ପର ସହିତ ଯୁଦ୍ଧରତ ହୋଇ ରହିଛନ୍ତି ଏବଂ ସମ୍ପୃକ୍ତ ମନୁଷ୍ୟଟି ସେମାନଙ୍କ ନିମନ୍ତେ ପ୍ରକୃତରେ ଏକ ଯୁଦ୍ଧକ୍ଷେତ୍ର ରୂପେ ବ୍ୟବହୃତ ହେଉଛି ।

 

ଏପରି ଗୋଟିଏ Super Ego ରହିଛି, ଯିଏକି କ୍ଷମା ଦିଏ । କ୍ଷମା ପରେ କ୍ଷମା ଦେବାରେ ଲାଗିଥାଏ । ବୁଝେ, ତେଣୁ କ୍ଷମା ଦେଉଥାଏ । ମୁଁ ନିଜେ ନିଜକୁ ତାତ୍କାଳିକ ସ୍ଥିତିଟିରେ ହୁଏତ ଯେତିକି ବୁଝିଥାଏ, ସିଏ ପ୍ରାୟ ଧର୍ମତଃ ତାହାଠାରୁ ଅଧିକ ହିଁ ବୁଝିଥାଏ । ତେଣୁ ଅଧିକ ବିଶ୍ୱାସର ସହିତ କ୍ଷମା ଦେଇ ପାରୁଥାଏ । ସେହି Super Egoକୁ ମୁଁ ଅନେକ ସମୟରେ ସତେଅବା ଜଣେ ଜନନୀଙ୍କପରି ଅନୁଭବ କରିଛି, ଯିଏକି କେବେହେଲେ ମୋ’ଠାରୁ ବିଶ୍ଵାସ ହରାଇ ନାହାନ୍ତି ଓ ତେଣୁ କ୍ଷମା ଦେଇ ଦେଇ ଚାଲିଛନ୍ତି । ଏବେ ଅଧିକରୁ ଅଧିକ ଭଲ ଭାବରେ ବୁଝୁଛି ଯେ, ମୁଁ ସେହି କ୍ଷମା ପାଉନଥିଲେ ଜୀବନରେ ସମ୍ଭବତଃ ପାଦେହେଲେ ଅଗ୍ରସର ହୋଇ ପାରିନଥାନ୍ତି । ନିଜର ଅଳ୍ପତାଗୁଡ଼ାକର ଗ୍ଳାନିରେ ନିଜ ଭିତରେ ଶୁଖି ହିଁ ଯାଉଥାନ୍ତି । ଏବଂ, ନିତ୍ୟକ୍ଷମାଶୀଳ କ୍ଷମା ଉପରେ ମୋଟେ ଆସ୍ଥା ରଖି ପାରୁନଥାନ୍ତି । ମୋ’ର ଭଗବାନ ଏହିପରି କ୍ଷମା ଦେଇ ଦେଇ ମୋତେ ମଣ କରି ଆଣିଛି,–ମୋ’ର ଅମାନିଆପଣଗୁଡ଼ାକୁ କେଡ଼େ କୋଳାହଳଶୂନ୍ୟ ଭାବରେ ନିଜ ପାଖରେ ପୋଷ ମନାଇ ଆଣିଛି । ଏହି Super Ego ମୋ’ ଅସ୍ମିତାଟାକୁ ମଧ୍ୟ ତା’ର ବାଡ଼ଗୁଡ଼ାକ ଭିତରେ ଉତ୍ତେଜିତ ହୋଇ ରହିବାର କେତେ କେତେ କଳୁଷରୁ ବଞ୍ଚାଇ ରଖିଛି । ଏହି ଜନନୀତୁଲ୍ୟ କ୍ଷମାଶୀଳ Super Ego ମୋ’ ଭିତରେ ଯଥାର୍ଥ ଗଭୀରରେ ଯାଇ ରହିଛି ବୋଲି କ୍ରମେ ମନୋବିଜ୍ଞାନୀମାନେ ବି କହିଲେଣି । ମୋ’ର ପରମ ସୌଭାଗ୍ୟ ମୁଁ ଏହି ଉପରିଭାଗଟାରେ ମଧ୍ୟ ତାହାର ସେହି କୋମଳ ହାତଗୁଡ଼ିକୁ ଅନୁଭବ କରିପାରୁଛି । ତେଣୁ, ନିଜପାଖରୁ ଲୁଚି ବୁଲିବାର ମୋଟେ କୌଣସି କ୍ଳେଶ ମଧ୍ୟ କେବେହେଲେ ଭୋଗ କରିବାକୁ ପଡ଼ୁନାହିଁ । ସମ୍ଭବତଃ ସେହି କାରଣରୁ ପୃଥିବୀରେ ମଧ୍ୟ ଆଉ କାହାରିକୁ କ୍ଳେଶ ଦେବାରେ କୌଣସି ଆନନ୍ଦ ଥାଏ ବୋଲି ମୁଁ କେବେହେଲେ ଚିନ୍ତା କରି ପାରେନାହିଁ ।

 

୨୧.୩.୯୯

 

ଭିତରେ ଆଦୌ କେଉଁଠିହେଲେ କୌଣସି ଅପୂରଣ ରହିନାହିଁ,–କେଉଁଠାରେ କିଛି ଖଣ୍ଡିଆ ରହିଗଲା ବୋଲି ମୋଟେ ଲାଗୁନାହିଁ । ସେହି ଖଣ୍ଡିଆଟାକୁ ବା ଖଣ୍ଡିଆଗୁଡ଼ାକୁ ଲୁଚାଇବା ଲାଗି ଚେଷ୍ଟା କରିବା ତ ଆହୁରି ଦୂରର କଥା । କୌଣସି କ୍ଷୋଭ ନାହିଁ, କୌଣସି କ୍ଳେଶ ନାହିଁ, କୌଣସି ଗ୍ଳାନି ମଧ୍ୟ ନାହିଁ । ଖାଲି ପାହାଚଉଠା, ଖାଲି ନିକଟବର୍ତ୍ତୀ ହୋଇ ଆସୁଥିବା, ଖାଲି ଡୋର ପରେ ଡୋର ବାନ୍ଧିହୋଇ ଯାଉଥିବା । କୋଉଠି ବିଚ୍ଛିନ୍ନ ହୋଇ ଯାଉଥିଲେ ସିନା ହୁଏତ କାତର ହୋଇ ପଡ଼ୁଥାଆନ୍ତି ଏବଂ ସିଏ ବା ଆଉ କିଏ ମୋତେ ଛାଡ଼ିଗଲେ ବୋଲି ରୋଦନ କରୁଥାନ୍ତି । ସେହି ଯେଉଁ ଦରବାରଟିକୁ ମୁଁ ପ୍ରତ୍ୟହ ମୁହୂର୍ତ୍ତ ମୁହୂର୍ତ୍ତକେ ଦେଖି ପାରୁଛି, ସେଠାରେ ମୋ’ର ଆଦୌ କୌଣସି ଅଭିଯୋଗ ନାହିଁ । ତେଣୁ, ମୋ’ର ଯାବତୀୟ ସ୍ମରଣ ହେଉଛି ନାମସ୍ମରଣ; ନାମସ୍ମରଣ ଅର୍ଥାତ୍ ଈଶ୍ଵରସ୍ମରଣ ।

 

ଅନାଇଦେଲେ ଯଦି ସିଏ ମୋତେ ଡୋରଟିଏ ହୋଇ ଦିଶି ଯାଉଛନ୍ତି ଏବଂ ସେହି ଡୋରଟି ଯଦି ଭିତର ବାହାର ଉଭୟକୁ ଯୋଡ଼ି କରି ରଖିଛି, ପୃଥିବୀଯାକକୁ ତାଙ୍କର ଅର୍ଥାତ୍ ମୋ’ର ନିଜ ସଦନ ବୋଲି ଉପଲବ୍ଧି କରାଉଛି, ତେବେ ମୋ’ର ଯାବତୀୟ କାମ ପ୍ରକୃତରେ ତାଙ୍କର କାମ ହିଁ ହୋଇ ରହିବା ବ୍ୟତୀତ ଆଉ ଅନ୍ୟପ୍ରକାର କ’ଣ ହୋଇ ପାରିବ ? ସତରେ କ’ଣ ଏହି ତୀର୍ଥରେ ଆସି ପହଞ୍ଚିବା ନିମନ୍ତେ ହିଁ ଆଜିଯାଏ ଉଚିତ୍ ଆୟୋଜନଟିଏ ଲାଗି ରହିଥିଲା ? ତୀର୍ଥାଚରଣ ଏବଂ ତୀର୍ଥାଟନର ସବାଶେଷରେ ଯଦି ନିଜକୁ ମଧ୍ୟ ଗୋଟିଏ ତୀର୍ଥପରି ଅନୁଭବ ହେବାକୁ ଆରମ୍ଭ କରିବ, ତେବେ ଆଉ ତୁମେ ଆଦୌ କୌଣସି ତୀର୍ଥକୁ ଏବଂ ଏପରିକି କୌଣସି ସ୍ଵର୍ଗକୁ ମଧ୍ୟ କାହିଁକି ଝୁରିବ ? ଏଠୁ ପାରି କରି ମୋତେ ତୁମେ ସେଠି ଲଗାଇଦିଅ ବୋଲି ଡାକିବା ବା କାହିଁକି ? ମୋତେ ଏକଦା ହୁଏତ ସେଇ ସେଠୁ ପାରି କରି ଏଠି ଆଣି ଲଗାଇଦେଇ ଯାଇଛନ୍ତି-। ପାହାଚଗୁଡ଼ିକୁ ଅତିକ୍ରମ କରିବାବେଳେ ମୁଁ କେବେହେଲେ ମୋତେ ଅମୁକ ଥାନରେ ନେଇ ପହଞ୍ଚାଇ ଦିଅ ବୋଲି ତାଙ୍କୁ ପ୍ରାର୍ଥନା କରି ନଥିଲି । ଯେଉଁ ଖୁସିରେ ପାହାଚମାନେ ସରିବା ସଙ୍ଗେ ସଙ୍ଗେ ଆଗକୁ ଆହୁରି ଅସରନ୍ତି ଭାବରେ ପଡ଼ିଥିବାପରି ଦିଶି ଯାଉଥିଲେ, ସେହି ଖୁସି ହିଁ ମୋତେ ଅବଶ୍ୟ ଯାବତୀୟ ଦରବାରରେ ଭାଜନ କରାଇ ପାରିବ ବୋଲି ବିଶ୍ଵାସଟିଏ ମଧ୍ୟ ପୋଖତ ହେବାରେ ଲାଗୁଥିଲା । ସେହି ବିଶ୍ଵାସଟି ହିଁ ମୋତେ ଏପରି ଅସରନ୍ତି ଭାବରେ ଗ୍ରହଣଶୀଳ କରି ଆଣିଲା ଏବଂ ଗତିଶୀଳ କରି ରଖିଲା । ତେଣୁ, ଏହି ଖୁସିଟା ହିଁ ବାଟ ସହିତ ମୋ’ର ପରିଚୟର ଅସଲ ଦ୍ୟୋତକ ଓ ଅସଲ ସନ୍ତକ । ମୁଁ ନିଜପାଖରେ ମଧ୍ୟ ସେଥିପାଇଁ ଆଦୌ କୌଣସି ପ୍ରମାଣ ପାଇବାକୁ ଚେଷ୍ଟା କରିନାହିଁ । ମୋ’ର ସେହି ଖୁସି ହିଁ ତାଙ୍କୁ ମୋ’ ପାଖରେ ବାନ୍ଧି ରଖିଥାଉ ଓ ମୋତେ ତାଙ୍କ ପାଖରେ ବାନ୍ଧି ରଖିଥାଉ ।

 

୧୬.୫.୯୯

 

ସ୍ମରଣ କାହାକୁ କରିବି ? କାହାର ନାମ ସ୍ମରଣ କରିବି ବୋଲି ଆଉପୁଣି କାହାକୁ ବାଦ୍ ଦେବି ? କିଏ ଅଧିକ ନିକଟ ଏବଂ କିଏ ମୋ’ର ସ୍ଵଭାବର ଅନୁକୂଳ ? ଆଚ୍ଛା ଗୁରୁ କଲି ଯେ କାହାକୁ ଗୋଟିଏକୁ ମଧ୍ୟ ଛାଡ଼ି ପାରିଲିନାହିଁ । ପଛକୁ ଚାହିଁ ଦେଖିପାରୁଛି, ସେମାନେ ସମସ୍ତେ ପାହାଚପରି ହୋଇ ମୋ’ର ଆସ୍ପୃହାମାନଙ୍କୁ ଉତ୍ତୋଳିତ କରି ରହିଛନ୍ତି । ଅସଲ ଆସ୍ପୃହା କିଛିହେଲେ ବାଦ୍ ଦେଇ ପାରେନାହିଁ । ଶିଖରଟିର ନିକଟବର୍ତ୍ତୀ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ଚତୁର୍ଦ୍ଦିଗକୁ ଚାହିଁବା ମାତ୍ରେ, ଏପରି ଏକ ସମଗ୍ରର ପ୍ରତ୍ୟକ୍ଷ ହୁଏ,–ସେହି ସମଗ୍ରଟି ଗୋଟାସୁଦ୍ଧା ମୋ’ର ସଦନପରି ଦେଖାଯାଏ ।

 

ଯଦି ସଦନଟି ବଢ଼ି ବଢ଼ି ଯାଉଥିବ, ତେବେ ସେଥିରେ ସମସ୍ତଙ୍କଲାଗି ଅବଶ୍ୟ ସ୍ଥାନ ହୋଇ ପାରିବ । ଯେଉଁମାନେ ନିଜ ଅନ୍ଵେଷଣର ଏକ ନିର୍ଦ୍ଦିଷ୍ଟ ବିନ୍ଦୁକୁ ଆସି ହଠାତ୍ ନିବୁଜ ହୋଇ ରହିବାକୁ ମନ କରି ଗୋଟାଏ ସମ୍ପ୍ରଦାୟ ଭିତରେ ଆସି ପଶିଯାଆନ୍ତି, ସେମାନେ ସତକୁ ସତ ଆଦୌ କୌଣସି ଅନ୍ଵେଷଣ କରିଥାଆନ୍ତି କି ନାହିଁ କେଜାଣି ? ଆରୋହୀ ମଣିଷପାଇଁ ମଧ୍ୟ ଏକ ସୁରକ୍ଷା ଅବଶ୍ୟ ଦରକାର; ମାତ୍ର ଯେଉଁମାନେ ସୁରକ୍ଷିତ ରହିବାକୁ ହିଁ ଜୀବନର ସର୍ବପରମ ଆରାଧନାବତ୍ ଭାବନ୍ତି, ସେମାନେ ସମାଧାନରୂପେ ଗୋଟିଏ ସମ୍ପ୍ରଦାୟ ଭିତରେ ଯାଇ ପଶିଯାଆନ୍ତି । ଏବଂ, ଅପର ପକ୍ଷରେ, ଆରୋହଣ ଏବଂ ଈଶ୍ଵରଦର୍ଶନ ଆମ ଜୀବନରେ ସର୍ବପ୍ରଥମ ଅନୁରାଗ ହୋଇ ରହିଥିବା ପର୍ଯ୍ୟନ୍ତ ନିଜ ଭିତରେ ସାମ୍ପ୍ରଦାୟିକ ମୋହମାନେ ତୁଟି ତୁଟି ଯାଉଥାନ୍ତି । ପିତୁଳାପୂଜା କରୁ କରୁ ଆରୋହୀ ମଣିଷର ଜୀବନରେ ସମ୍ଭବତଃ ଏପରି ଏକ ଭାବବିନ୍ଦୁ ଆସି ପହଞ୍ଚେ, ଯେତେବେଳେ କି ସବୁ ପିତୁଳା ସମ୍ପୂର୍ଣ୍ଣ ଭାବରେ ହିଁ ଚିହ୍ନା ପିତୁଳାପରି ଦେଖାଯାଆନ୍ତି । ପିତୁଳା ପିତୁଳା ଭିତରେ କାହିଁକି ଯେ ଆଦୌ କୌଣସି ଲଢ଼େଇ ଲାଗିବ, ସେହିକଥାଟା ମୋଟେ ବୁଝି ହୁଏନାହିଁ । ସ୍ଵୟଂ ପିତୁଳାମାନେ ବି ହୁଏତ କେତେ ମନୁଷ୍ୟଙ୍କର ଏଭଳି ଆଚରଣ ଦେଖି ଭାରି ଆଚମ୍ବିତ ହୋଇ ଯାଉଥିବେ । ମଣିଷର ପୌତ୍ତଳିକ ହେବାରେ ପିତୁଳାମାନଙ୍କର ମୋଟେ କୌଣସି ଦୋଷ ନଥାଏ । ଜଣେ ବନ୍ଧୁକୁ ସତକୁ ସତ ପାଇଲେ ମଣିଷକୁ ଯେ ପୃଥିବୀଯାକ ସବୁଠାରେ ସମସ୍ତେ ବନ୍ଧୁ ଭଳି ଦେଖାଯିବେ, ସେକଥା ଅଙ୍ଗେ ନିଭାଇଥିବା ବ୍ୟକ୍ତିମାନେ ସବୁବେଳେ ହିଁ କହିବେ । ମିତ୍ର ହିଁ ଅଭୟ ଦିଏ । ସମ୍ଭବତଃ ସେହିସକାଶେ ମିତ୍ରଠାରୁ ହିଁ ଶାସ୍ତ୍ରରେ ଅଭୟ ପାଇଁ ପ୍ରାର୍ଥନା କରାଯାଇଛି । ମୋ’ ଜୀବନରେ ସକଳ ସ୍ମରଣ ମୋତେ ପ୍ରକୃତରେ ସେହି ଅଭୟ ପ୍ରଦାନ କରିବାରେ ଲାଗିଥାଉ ।

 

୨୮.୮.୯୯

 

ଭାରି ଭଲ ହୋଇଛି ଆବଶ୍ୟକତାଗୁଡ଼ିକ କ୍ରମେ କମି କମି ଯାଇଛି । ସେଥିଲାଗି ନିଜଭିତରେ ରହିଥିବା କୌଣସି ପ୍ରତିଦ୍ଵନ୍ଦ୍ୱୀ ଦୋସର ସହିତ ମୋଟେ କୌଣସି କଳହ କରିବାକୁ ପଡ଼ିନାହିଁ । ଭିତରେ ଥିବା କୌଣସି ବିଷ୍ଣୁଶର୍ମା ଶୁକ୍ଳ ଉତ୍ତରୀୟଦ୍ଵାରା ମଣ୍ଡିତ ହୋଉ ଉପଦେଶ ଦେବାକୁ ଆସି ପହଞ୍ଚିଯାଇ ନାହାନ୍ତି । ମିତ୍ରଟି ସହିତ କେଉଁ ଶୁଭ କ୍ଷଣରେ ଚିହ୍ନା ହୋଇଯାଇଛି କେଜାଣି, ସେହି ଚିହ୍ନାଟି ପରେ ସବୁ ସ୍ଵାଭାବିକ ହୋଇଯାଇଛି । ଅନେକ ମଣିଷ ନିଜ ସହିତ ଲଢ଼ି ଲଢ଼ି କିପରି ନୟାନ୍ତ ହୋଇ ଯାଆନ୍ତି, ସେହି ଶୋଚନୀୟ ଦୃଶ୍ୟ ମୁଁ କେତେ ଦେଖିଛି । ନିଜର ଦେହ, ପ୍ରାଣ ଓ ମନକୁ ଯେଉଁଦିନଠାରୁ ମୁଁ ମୋ’ ଜୀବନ ଭିତରେ ଶଠାଚାର କରି ପଶି ଯାଇଥିବା ତସ୍କର ବୋଲି ନଭାବି ଶିଖିଲି, ସେହି ଦିନଠାରୁ ସବୁ ସହଜ ହେବାକୁ ଆରମ୍ଭ କଲା । ଅଳପ ଭିତରେ ରହିବାକୁ ଲାଜ ମାଡ଼ିଲାନାହିଁ । ମୋ’ର ଯେତିକି ଅଛି, ମୋ’ ଚାରିପାଖରେ ରହିଥିବା ଆହୁରି ଅନେକଙ୍କର ଅନ୍ତତଃ ସେତିକି ରହିଛି କି ନାହିଁ ବୋଲି ନିଜର ଅନୁଭବଘରେ ପ୍ରଶ୍ନଟିଏ ପ୍ରଚାରିଦେବା ମାତ୍ରକେ ସେମାନଙ୍କୁ ଅବଜ୍ଞା କରି ନିଜେ ବହୁ ଆବଶ୍ୟକତା ମଧ୍ୟରେ ଗୁଡ଼ାଇ ହୋଇ ମୋଟା ଦିଶିବାକୁ ଓ ଥୋବରା ହେବାକୁ ଆଉ ଆଦୌ ଇଚ୍ଛା ହେଲାନାହିଁ । ଏହି ଇଚ୍ଛା ନହେବାଟାକୁ ଆଉ ଯାହାକିଛି କୁହାଯାଉ ବା ନଯାଉ ପଛକେ, ସଂସାର ବୈରାଗ୍ୟ ବୋଲି ମୋଟେ କୁହା ଯିବନାହିଁ ।

 

ଜୀବନବୈରାଗ୍ୟ ବୋଲି ତ କହିବାର ପ୍ରଶ୍ନ ହିଁ ଉଠୁନାହିଁ । କାରଣ, ଏଣେ ଆଉକେତେ ଆବଶ୍ୟକତା କ୍ରମେ ବଢ଼ି ବଢ଼ି ଚାଲିଛି । ଏପରି ଅନେକ ଆବଶ୍ୟକତା, ଯାହା ଜୀବନକୁ ନିରନ୍ତର ଧନୀ କରି ରଖିଥାଏ, ସଦା ଅକାତର ଓ ସମର୍ପିତ କରି ରଖିଥାଏ,–ଖୁସିରେ ଫୁଲଟିଏ କରି ରଖିଥାଏ । ବାସନାମାନେ ଶହେଗୁଣ ହୋଇଛନ୍ତି, ମୋ’ ବାସନାମାନେ ମୋତେ ଟପି ଯାଇଛନ୍ତି । ଜୀବନରେ ଗାର ଡେଇଁବାର ସେହି ଭାଗ୍ୟଟିକୁ ମୋ’ ପାଇଁ କେତେ ସହଜ କରି ରଖିଛନ୍ତି । ଆଗକୁ ଆହୁରି ଅନେକ ଗାର ଜଳ ଜଳ ହୋଇ ଦେଖାଗଲେ ଯାଇ ଯେ ପାଖର ଗାରଗୁଡ଼ିକୁ ଡେଇଁଯିବା ଲାଗି ନିଜ ଭିତରୁ ଏକ ସ୍ଵାଭାବିକ ତାରୁଣ୍ୟ ମୋତେ କାନ୍ଧରେ ବସି ଆଗକୁ ନେଇଯିବାକୁ କୋଉଠି ଥାଏ ବାହାରିଆସେ, ମୁଁ ସେକଥା ଗାରେ ଗାରେ ଅଙ୍ଗେ ନିଭାଇଛି । ତେଣୁ, ଆବଶ୍ୟକତା ପ୍ରକୃତରେ କମେନାହିଁ, ବଢ଼େ; ଆଗରେ ରହିଥିବା ଆବଶ୍ୟକତାମାନେ ଅତି ନିଜର ହୋଇ ଡାକିବାକୁ ଆରମ୍ଭ କଲେ ଏଠି ଏହି ଆବଶ୍ୟକତାମାନେ ବାଟ ଛାଡ଼ି ଦିଅନ୍ତି, bon voyage ମନାସି ବାଟ ଛାଡ଼ି ଦିଅନ୍ତି ।

 

୮.୯.୯୯

 

ଜଣେ ବ୍ୟକ୍ତି ହିସାବରେ କିଞ୍ଚିତ ସଜ୍ଞାନତା ଲାଭ କରୁ କରୁ ମଣିଷମାନେ ଏପରି ବ୍ୟାଧିଗ୍ରସ୍ତ ଭାବରେ ଜୀବନଟାକୁ ତୁଚ୍ଛା ବ୍ୟକ୍ତିଗତ କରି ରଖିବାକୁ କାହିଁକି ମନ କଲେ କେଜାଣି ? ଏଡ଼େ ବଡ଼ ଭାଡ଼ି ଭିତରେ ଆପଣାକୁ ଗୋଟିଏ ଖୋପପରି ନିବୁଜ କରିଆଣି ସେମାନେ ତାହାରି ଭିତରେ କିଳିହୋଇ ରହିଲେ । ସମ୍ପତ୍ତି ବ୍ୟକ୍ତିଗତ ହେଲା, ପ୍ରେମର ସଂସାରଟା ମଧ୍ୟ ଏକାନ୍ତ ବ୍ୟକ୍ତିଗତ ବାଡ଼ଗୁଡ଼ିକ ମଧ୍ୟରେ ଅଲଗା ହୋଇ ରହିଲା । ପରିବାର ବ୍ୟକ୍ତିଗତ, ସୁଖ ଓ ଦୁଃଖର କଳ୍ପନାଗୁଡ଼ିକ ବ୍ୟକ୍ତିଗତ, ସମସ୍ୟାପରି ସମାଧାନ ମଧ୍ୟ ବ୍ୟକ୍ତିଗତ । ନିରାପତ୍ତା କହିଲେ ମଣିଷମାନେ ସତେଅବା ନିଜର ଖୋଳଟି ଭିତରେ ନିବୁଜ ହୋଇ ରହିବାକୁ ହିଁ ବୁଝିଲେ । ଠାକୁରମାନେ ବ୍ୟକ୍ତିଗତ ବ୍ୟତୀତ ଆଉ ମୋଟେ କିଛିପରି ଦେଖା ଗଲେନାହିଁ । କେତେ ନା କେତେ ଭୀରୁ ହେଲେ ଯାହା ଦଶା ହୁଏ, ସଂସାରଟା ତାହାରି ଏକ ଦୟନୀୟ ଦୃଷ୍ଟାନ୍ତ ହୋଇ ରହିଲା । ଯେତେବେଳେ ଚେତନାଟା ନିବିଡ଼ ହୋଇ ଆସେ, ଆପଣା ଭିତରେ ଯେତେବେଳେ ଆପଣାକୁ ସତକୁ ସତ ଛୁଇଁ ହୁଏ, ସେତେବେଳେ ମଣିଷ ଯେ ଗୋଟାସୁଦ୍ଧା ଖେଳାଇ ହୋଇଯାଏ, ସେହି ଅସଲ ସତ୍ୟଟିକୁ ଏହି ବିଡ଼ମ୍ବନାମୟ କଳାଟାରେ କିଏ ଅପହରଣ କରି ନେଇଗଲା କେଜାଣି ?

 

ଅସଲ କେନ୍ଦ୍ରଟି ପୃଥିବୀରେ କେତେ କେତେ କେନ୍ଦ୍ର ସହିତ ଗଅଁଠା ହୋଇ ରହିଥାଏ । ଭିତରକୁ ବାଟ ଦିଶିଗଲେ ବିଶ୍ଵକୁ ମଧ୍ୟ ବାଟ ଦିଶିଯାଏ । ତାହା ଆହୁରି ବହୁ ପରିତ୍ରାଣ ନିମନ୍ତେ ଭାଜନ କରି ଆଣେ । ସ୍ଵପ୍ନମାନଙ୍କରେ ଡେଣା ଲାଗେ, ପୃଥିବୀଟାଯାକ ମିତପରି ମନେହୁଏ । ନିଜେ ପୂଜୁଥିବା ଠାକୁରଟିର ସତକୁ ସତ ପରିଚୟ ମିଳିଗଲେ ବିଶ୍ଵମୟ କେବଳ ଠାକୁରମାନେ ହିଁ ପ୍ରତିଭାତ ହୋଇ ଉଠନ୍ତି । ନିଜର ଘରଟି ପବିତ୍ର ହୋଇପାରିଲେ ବାହାରର ସବୁ ଘରର ମର୍ମରେ ରହିଥିବା ପବିତ୍ର ଆସ୍ଥାନଟି ମଧ୍ୟକୁ ଦୃଷ୍ଟି ପ୍ରସାରିତ ହୋଇଯାଏ । ଆମେ କେତେ ଲୋଭ ଓ କେତେ ସଙ୍କୋଚରେ କଳ୍ପିତ ସବୁଯାକ ରୁଜ୍ଜୁକୁ କେବଳ ନିଜ ହାତର ମୁଠାରେ ସୁନିଶ୍ଚିତ କରି ରଖିବାକୁ ଯେତେ ଧିଟପଣ ଦେଖାଉଥାଉ, ଭେଟଟି ମିଳିଯିବା ପରେ ସେଗୁଡ଼ିକୁ ପ୍ରାୟ ଗୋଟିଏ ଫୁଟ୍‌କିରେ ଉଡ଼ାଇ ଦେଇ ହୁଏ । ଅସଲ ଘରର ସତ ନାମଟି ଯେ ପାରସ୍ପରିକତା, ଏକ ସମ୍ବନ୍ଧସ୍ଥାପନ ଓ ଏକ ସଂପ୍ରସାରଣ, ସେହି ସତ୍ୟଟି ସାକାର ହୋଇ ଆସେ । ତା’ପରେ ଆଉ କିଛିହେଲେ କଦାପି ହଜି ଯାଏନାହିଁ ।

 

୯.୯.୯୯

 

ଗୁଣିଗାରେଡ଼ି ହୁଏତ ଥିବ, କିନ୍ତୁ ସେସବୁଥିରେ ମୋ’ର ବିଶ୍ଵାସ ହୁଏନାହିଁ । ଯଦି କିଛି ନଥାନ୍ତା, ତେବେ ପୃଥିବୀରେ ଏତେ ମଣିଷ ସେଥିରେ ବିଶ୍ଵାସ କରି ଆସିଛନ୍ତି ପୁଣି କିପରି । ତଥାକଥିତ ଗୁହ୍ୟବିଦ୍ୟାକୁ ମଧ୍ୟ ମୁଁ କ’ଣ ପାଇଁ କେଜାଣି ଗୋଟିଏ ପ୍ରକାରର ଗୁଣିଗାରେଡ଼ିପରି ଦେଖିଥାଏ । ଗୁହ୍ୟବିଦ୍ୟାରେ କୁଆଡ଼େ ସଂଖ୍ୟାଗୁଡ଼ିକର ମଧ୍ୟ ତାତ୍ପର୍ଯ୍ୟ ରହିଛି । ଅବଶ୍ୟ ରହିଥିବ, କିନ୍ତୁ ତା’ ଭିତରକୁ ମଥା ପୂରାଇବା ନିମନ୍ତେ ମୋ’ର କେବେହେଲେ ଇଚ୍ଛା ହୋଇନାହିଁ । ମୁଁ ଗୂଢ଼ବିଦ୍ୟାର ପ୍ରଶଂସକମାନଙ୍କୁ ଦେଖିଛି,–ଭାଗ୍ୟକୁ ସମସ୍ତେ ଗୂଢ଼ବିଦ୍ୟାର ବାଟରେ ଯାଉନାହାନ୍ତି ବୋଲି ଈଶ୍ଵରଙ୍କୁ ଧନ୍ୟବାଦ ଦେଇଛି । ମାତ୍ର, ତା’ ବୋଲି ସେହି ବିଦ୍ୟାଟି ଯେ ଆଦୌ କିଛି ନୁହେଁ, ସେପରି ଚିନ୍ତା କରିବାକୁ ମୁଁ କେବେ ଧୃଷ୍ଟତା କରିନାହିଁ । ଆଜି ତାରିଖଟି ଖାଲି ଗୋଟିଏ ସଂଖ୍ୟା ଦେଇ ତିଆରି ହୋଇଛି ବୋଲି ତା’ ଭିତରୁ ମଧ୍ୟ କିଏ କେତେ ତତ୍ପର୍ଯ୍ୟ ବାହାର କରିବାକୁ ପ୍ରୟାସ କରିଛନ୍ତି । ସେମାନେ ଆଜି ଦିନଟିକୁ ଏକ ବିଶେଷ ଦିନ ବୋଲି ମନେ କରୁଛନ୍ତି । ମନେକର, ତାତ୍ପର୍ଯ୍ୟ ଅବଶ୍ୟ ରହିଛି । କୌଣସି ନିର୍ଦ୍ଦିଷ୍ଟ ରଙ୍ଗର ପଥରକୁ ମୁଦିରେ ଲଗାଇ ଆଙ୍ଗୁଠିରେ ପିନ୍ଧିଲେ ଖାସ୍ ଗ୍ରହକୋପମାନ ଦୂର ହୁଏ ବା ଖାସ୍ ଗ୍ରହମାନଙ୍କର ଶୁଭେଚ୍ଛା ମଧ୍ୟ ପ୍ରାପ୍ତ ହୁଏ, ସମ୍ପୃକ୍ତ ଆଗ୍ରହୀମାନଙ୍କଠାରୁ ମୁଁ ସେହି ବିଷୟରେ କେତେ କଥା ଶୁଣିଛି । ସେମାନଙ୍କର ମନ୍ତବ୍ୟକୁ ଟାଳି ଦେଇନାହିଁ, ମାତ୍ର ମୋ’ର ସେଆଡ଼କୁ ମୋଟେ ମନ ହୋଇନାହିଁ ।

 

ଗୂଢ଼ବିଦ୍ୟାର ମାଧ୍ୟମରେ ନୁହେଁ, ମୁଁ ସିଧା ଛୁଇଁବାରେ, ସିଧା ଦେଖିବାରେ ଓ ସିଧା ବଞ୍ଚିବାରେ ବିଶ୍ଵାସ କରି ଆସିଛି । ପରସ୍ତ ପରସ୍ତ ହୋଇ ଖୋଲିଯିବାଟା ଯଦି ଧର୍ମ ହୁଏ, ତେବେ ମୁଁ ସେହି ଆଲୋକ ଉପରେ ହିଁ ଭରସା ରଖି ବାଟ ଚାଲୁଛି, ଯାହା ମୋତେ ପରସ୍ତ ପରସ୍ତ ହୋଇ ଖୋଲିଯିବାରେ ହିଁ ବଳ ଦେଇ ଯାଉଥିବ । ଆଉଜଣେ ମଣିଷ ଭିତରକୁ ମଧ୍ୟ ମୁଁ ସମ୍ପୂର୍ଣ୍ଣ ବନ୍ଧୁଟିଏପରି ପ୍ରବେଶ କରିବାକୁ ଚାହେଁ ଅର୍ଥାତ୍ ତା’ ଆଗରେ ନିଜକୁ ଖୋଲିଦେଇ ପାରିଲେ ସିଏ ମଧ୍ୟ ଆଦୌ କୌଣସି କୁଣ୍ଠା ନରଖି ମୋ’ଲାଗି ଖୋଲିଯାଇ ପାରିବ, ମୋତେ ଏହି ବିଶ୍ଵାସଟି ଜୀବନରେ ଖୁବ୍ କାମ ଦେଇଛି, ଏବେ ମଧ୍ୟ ଦେଉଛି । ବିଦ୍ୟା ଥାଉ ଥାଉ ଗୂଢ଼ବିଦ୍ୟା ଆଡ଼କୁ ମୁଁ କାହିଁକି ମନ କରିବି ବୋଲି ନିଜପାଖରେ ବାରମ୍ବାର ପଚାରିଛି । ମୁଁ ଯେତେ ଖୋଲି ପାରୁଥିବି, ଅର୍ଥାତ୍ ଯେତିକି ଆସ୍ପୃହା ରଖି ପାରୁଥିବି, ପୂରା ଆକାଶଟା ମଧ୍ୟ ମୋ’ ପାଇଁ ସେତିକି ଖୋଲି ଯାଉଥିବ । ନିଜେ ଗୂଢ଼ ହୋଇ ରହିବାକୁ ଆଗ୍ରହ କରିଥିଲେ ଆଉ ଗୂଢ଼ବିଦ୍ୟା ଲାଗି ମୋ’ର କିଞ୍ଚିତ୍ ମନ ହୋଇଥାନ୍ତା କି ?

 

୨.୧୨.୯୯

 

ଜଣେ ଜଣେ ମଣିଷ ଥାଆନ୍ତି ଯେଉଁମାନେ କି ଖୁସି ହେବା ସମୟରେ ଅଧିକ କଥା କହନ୍ତି, ମଣିଷ ଦେଖିଲେ ମୋଟେ ଛାଡ଼ନ୍ତିନାହିଁ, ସାଲୁଲୁ ବାଲୁରୁ ହୋଇ ଖାଲି କଥା କହିବାରେ ଲାଗିଥାନ୍ତି । ସମ୍ଭବତଃ, ଆଉ ଥୋକେ ମଣିଷ ମଧ୍ୟ ରହିଥାନ୍ତି, ଯେଉଁମାନେ କି ଗୁରାଏ କଥା କହିପାରିଲେ ଭାରି ଖୁସି ହୋଇଯାଆନ୍ତି । ବିଚରା ମୁଁ,–ମୁଁ ଏମାନଙ୍କ ଭିତରୁ କୌଣସି ଗୋଟିଏ ଗୋଷ୍ଠୀରେ ବି ସାମିଲ୍ ହୋଇ ପାରେନାହିଁ । ଜୀବନରେ ପ୍ରାୟ ପଦେ ପଦେ ଏହିଭଳି ଲୋକମାନଙ୍କର ଏହି ଉଭୟ କିସମର ମୁଁ ସମ୍ପର୍କରେ ଆସିଥାଏ, କାହାକୁ କଥା କହି ଖୁସି ହେଉଥିବାର ଏବଂ ଆଉ କାହାକୁ ଖୁସି ଥିବା ସମୟରେ କଥାର ସାହାଣ ମେଲା କରି ଦେଇଥିବାର ଦେଖେ, ଦେଖି ଖୁବ୍ ଉପଭୋଗ କରେ । ମାତ୍ର ସାମିଲ୍ ହୋଇ ପାରେନାହିଁ । ଖୁବ୍ ବୁଝି ପାରୁଥାଏ ଯେ ଏହି ଉଭୟ କିସମର ମଣିଷମାନେ ପୃଥିବୀରେ ନଥିଲେ ପୃଥିବୀଟା ହୁଏତ କିଞ୍ଚିତ ନୀରସ ମଧ୍ୟ ଲାଗୁଥାନ୍ତା ।

 

କଥା,–ବହୁତ କଥା ଦବି ଦବି ରହିଥାଆନ୍ତି,–ସମସ୍ତଙ୍କ ଆଗରେ କହି ହେଉନଥାଏ । ସତେଅବା ମନଲାଖି ମଣିଷଟିଏ ପାଇବାଲାଗି ଅପେକ୍ଷା ରହିଥାଏ । ଯିଏ ଅଥବା ଯେଉଁମାନେ ଶୁଣିବାପାଇଁ ପ୍ରସ୍ତୁତ ଥାଆନ୍ତି, ସମ୍ଭବତଃ ସେହିମାନେ ହିଁ ମନଲାଖି ମଣିଷ ବୋଲି ଧରା ପଡ଼ିଯାଆନ୍ତି । ତା’ପରେ ପେଡ଼ିଗୁଡ଼ିକ ଫିଟିଯିବାରେ ଲାଗେ । ସେତେବେଳେ ପୃଥିବୀଟାଯାକ କେଡ଼େ ଆପଣାର ବୋଲି ମନେହୁଏ । ଆପଣାର ବୋଲି ମନେ ହେବା,–ଖୁସିଟା ହିଁ ତ ସେଥିଲାଗି ସର୍ବଦା ଏକ ପ୍ରଧାନ କାରଣ ହୋଇ କାର୍ଯ୍ୟ କରୁଥାଏ । କଥାଗୁଡ଼ିକ କହିଦେଲେ ଖୁସି ଲାଗେ, ଖୁସି ଲାଗିଲେ କଥାଗୁଡ଼ିକୁ କହି ହୋଇଯାଏ । ପେଟ ଭିତରେ ଏତେ ଏତେ କଥା କୋଉଠି ଖଣି ମରାହୋଇ ରହିଥାଏ କେଜାଣି ? ଦୁଃଖର କଥା, ସୁଖର କଥା, ରାଗର କଥା, ରୁଷି ବସିବାର କଥା-। ଏହିପରି କେତେ କ’ଣ । ଏବଂ, ଯିଏ ଶୁଣିବାରେ ଉଦାରତା ଦେଖାଏ, ସତେଅବା ସେଇ ପୃଥିବୀରେ ପରମବନ୍ଧୁ ସଦୃଶ ମନେ ହେଉଥାଏ । ମୁଁ ନିଜକୁ ଯେତିକିଯାଏ ପରୀକ୍ଷା କରି ଦେଖିଛି, ମୁଁ କହେ କମ୍, ଶୁଣେ ବେଶି । ଆବଶ୍ୟକ ହେଲେ ଯାଇ କହେ । ମାତ୍ର ନିଜପାଇଁ, ଖାସ୍ ନିଜପାଇଁ ଆଦୌ ତାତ୍କାଳିକ କୌଣସି ଆବଶ୍ୟକତା ନଥିଲେ ମଧ୍ୟ ଶୁଣେ, ପୂରା ଖୁସି ହୋଇ ଶୁଣେ-। ଶୁଣିବାର ମାଧ୍ୟମରେ ଆତ୍ମୀୟତା ବଢ଼ାଏ । ଏବଂ, ସର୍ବଦା ସମସ୍ତଙ୍କର ମେଳରେ ଥିବାଭଳି ଅନୁଭବ କରୁଥାଏ । ପ୍ରୟୋଜନ ନଥାଇ କହିବାକୁ ହୁଏତ ଯେତିକି ଅନାବଶ୍ୟକ ବୋଲି କୁହାଯିବ, ପ୍ରୟୋଜନ ନଥାଇ ଶୁଣିବାକୁ ସେତିକି ଆବଶ୍ୟକ ବୋଲି ଅବଶ୍ୟ କୁହାଯାଇ ପାରିବ । ଆଦୌ କୌଣସି ତଥାକଥିତ ପ୍ରୟୋଜନ ନଥାଇ ସାରା ପୃଥିବୀ ପାଇଁ ନିଜ ଘରେ ଥାନଟିଏ ରଖିଥିବା,–ଏହାଠାରୁ ବଳି ବଡ଼ ଭାଗ ଆଉ କ’ଣ ଅଛି ?

 

୧୨.୧୨.୯୯

 

ଡାଏରୀ ଲେଖିବାର ସେହି ପ୍ରଥମ କାଳରେ, ଯାହା ମୁଁ ଅନ୍ୟତ୍ର କହି ପାରୁନଥିଲି ବା ଲେଖି ପାରୁନଥିଲି, ସାଧାରଣତଃ ତାହାକୁ ହିଁ ଡାଏରୀରେ ଲେଖି ରଖୁଥିଲି । ସେଥିପାଇଁ ଡାଏରୀ ଲେଖିବାଟା ସତେଅବା ଗୋଟାଏ ବିଶେଷ ଭାବରେ ଅନ୍ତରଙ୍ଗ କାର୍ଯ୍ୟପରି ଲାଗୁଥିଲା । ଅନ୍ୟ ଲେଖା ଅଥବା ଅନ୍ୟ କହିବା କଥାଗୁଡ଼ିକରେ ଯେ ଅନ୍ତରଙ୍ଗ ନଥିଲା, ସେକଥା ଆଦୌ ନୁହେଁ । ତଥାପି, ଅନ୍ତରଙ୍ଗତା ଓ ଅନ୍ତରଙ୍ଗତା ମଧ୍ୟରେ ତଫାତ୍ ରହିଥିବାପରି ସେଇଟା ଏଇଟି ଅପେକ୍ଷା ଅଧିକ ଅନ୍ତରଙ୍ଗ ବୋଲି ଅନୁଭବ ହେଉଥିଲା । ଚମ୍ପତିମୁଣ୍ଡାରେ ବି ପିଲାମାନେ ଦୁଇ ପ୍ରକାରର ଡାଏରୀ ଲେଖୁଥିଲେ । ଗୋଟିଏ ହେଉଛି ପାଠଚକ୍ରର ନିୟମିତ ରୁଟିନ୍ ଭିତରର ଡାଏରୀ ଏବଂ ଆଉଗୋଟିଏ ବ୍ୟକ୍ତିଗତ । ପ୍ରଥମଟା ନିୟମ ମାନିଲାପରି, ଗଛେଇ କହିଲାପରି ହେଉଥିଲା ଏବଂ ଅନେକ ସମୟରେ ସାହିତ୍ୟ ଭଳି ଲାଗୁଥିଲା । ବ୍ୟକ୍ତିଗତ ଖାତାର ଭାଷା ଏକାନ୍ତ ଗଭୀରରୁ ଆସୁଥିବାପରି ଭିତରର ନିବିଡ଼ ପରସ୍ତଟିକୁ ଦେଖାଇ ଦେଉଥିଲା । ହଁ ବ୍ୟକ୍ତିଗତ ସୁଖ ଓ ଦୁଃଖ, ବ୍ୟକ୍ତିଗତ ଖୁସି, ବ୍ୟକ୍ତିଗତ ସତ୍ୟୋଦ୍‌ଘାଟନ, ବ୍ୟକ୍ତିଗତ ଅଭିଯୋଗ ଓ ଅଭିମାନ ଏହିପରି କେତେ କ’ଣ !

 

ଏବେ ଡାଏରୀ ଲେଖିବା ତଥା କ’ଣ ସବୁ ଲେଖିବାରେ ଫରକ ମୋଟେ ନାହିଁ, ପାଠକସମ୍ପର୍କୀୟ ସଚେତନତା ମୋତେ ଏହିପରି ଭାବରେ କୋଉ ଦିନରୁ ବା କୋଉ ଲେଖାଟି ପାଖରୁ ସତେଅବା ପୂରା ବିଶ୍ଵାସରେ ସହିତ ଛାଡ଼ିଦେଇ ଗଲା, ମୁଁ ସେକଥା ଆଦୌ କହି ପାରିବିନାହିଁ । କହିବା କଥା ଏବଂ ଡାଏରୀର କଥା ଭିତରେ ମଧ୍ୟ ବ୍ୟବଧାନଗୁଡ଼ାକ କେଡ଼େ ସ୍ଵାଭାବିକ ଭାବରେ ଦୂର ହୋଇଗଲା । ଏହି କଥାଟି ବି ଆଦୌ କୌଣସି ଯୋଜନା ଅନୁସାରେ ହୋଇନାହିଁ । ବାହାରର କୋଉ ଆଲୁଅ ଭିତରକୁ ପ୍ରବେଶ କରି ସବୁକିଛିକୁ ଏଡ଼େ ମମତାପୂର୍ଣ୍ଣ ଭାବରେ ସ୍ପର୍ଶଧନ୍ୟ କରିଦେଲା ଯେ, ଆଉ ଦୁଇଟା ହୋଇ ରହିବାର କୌଣସି ପ୍ରୟୋଜନ ରହିଲାନାହିଁ । ଏହି ପ୍ରୟୋଜନର କ୍ଷେତ୍ରରେ ମଧ୍ୟ ସବୁବେଳେ ଏକ ସ୍ତରଭେଦ ରହିଛି । ସେତେବେଳେର ଡାଏରୀରେ କୌଣସି କୃତ୍ରିମତା ଥିଲା ବୋଲି ମୁଁ କହିବିନାହିଁ । ତଥାପି, ତାହା ଯେପରି କିଛି ଅର୍ଥରେ କେବଳ ମୋ’ରି ହୋଇ ରହିଥିଲା । ଗୋଟିଏ ଥାନର ମୁଁ କେବଳ ନିଜକୁ ହିଁ ସାଙ୍ଗ କରି ବିଚରଣ କରିପାରୁଛି ବୋଲି କିଞ୍ଚିତ୍ ଆତ୍ମଶ୍ଳାଘା ରହିଥିଲା କି ତାହା ଯାହାକିଛି ହୋଇଥାଉ ପଛକେ, କ୍ରମେ ସେଇଟା ମଧ୍ୟ ପାର ହୋଇଗଲା । ତା’ପରେ କୋଉଟା ପାଖରୁ ଆଉ କୋଉଟାକୁ ଲୁଚାଇ ରଖିବାପାଇଁ ଭିତରେ କିମ୍ବା ବାହାରେ ଆଦୌ କୌଣସି କାରଣ ରହିଲାନାହିଁ ।

 

Image

ଜନ୍ମ :

ଅକ୍ଟୋବର ୩, ୧୯୨୩

 

ବାଗଲପୁର. ଜି.କଟକ

 

 

ଶିକ୍ଷା :

ବିଶ୍ଵଭାରତୀ, ଶାନ୍ତିନିକେତନ

କେପେନହେଗେନ୍ ବିଶ୍ୱବିଦ୍ୟାଳୟ

ଡେନ୍‌ମାର୍କ

 

 

ଅଧ୍ୟାପନା :

ଆଗ୍ରା, ପଶ୍ଚିମ ଜର୍ମାନୀ,

ଫିନ୍‌ଲାଣ୍ଡ, ଇସ୍ରାଏଲ୍

 

ବର୍ତ୍ତମାନ ଶ୍ରୀ ଅରବିନ୍ଦଙ୍କର ଶିକ୍ଷା ଦର୍ଶନ ଉପରେ ଆଧାରିତ ଓଡ଼ିଶାରେ ଶିକ୍ଷା ପ୍ରୟୋଗର କ୍ଷେତ୍ରରେ କାର୍ଯ୍ୟରତ ।

Image